ଜାଣନ୍ତୁ କେଉଁ ରୋଗୀଙ୍କୁ ଡାଳିମ୍ବ ଖାଇବା ମନା …!

ଏଥର ସମ୍ଭାଳ ବ୍ୟୁରୋ – ଡାକ୍ତରମାନ ଡାଳିମ୍ବକୁ ସୁପର ଫୁଡ ବୋଲି କୁହନ୍ତି । ଏଥିରେ ଭିଟାମିନ ଏବଂ ମିନେରାଲ୍ସ ଭରପୁର ମାତ୍ରାରେ ରହିଛି । ଖୁବ ସହଜରେ ଏହି ଫଳ ବଜାରରେ ମଧ୍ୟ ମିଳିଯାଏ । ଯେତେବେଳେ ଆପଣ କୌଣସି ରୋଗରେ ପଡନ୍ତି ସେତେବେଳେ ଡାକ୍ତରମାନେ ମଧ୍ୟ ଡାଳିମ୍ବ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏହି ଫଳକୁ ସମସ୍ତେ ଖାଇପାରିବେ ନାହିଁ । ଏହି ଫଳ ଖାଇବା ଦ୍ୱାରା ଲାଭ ହେବା ସହ ଅନେକ କ୍ଷତି ମଧ୍ୟ ହୋଇଥାଏ । ତେବେ କ’ଣ ସବୁ କ୍ଷତି ହୋଇଥାଏ ଏବଂ କେଉଁମାନେ ଏହାକ ଖାଇବା ମନା ଆସନ୍ତୁ ଜାଣିବା ।

  •  ଆଲର୍ଜି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଉଚିତ ନୁହେଁ। ଯେଉଁମାନଙ୍କ ସ୍କିନ ଆଲର୍ଜି ସମସ୍ୟା ରହିଛି, ସେମାନେ ଡାଳିମ୍ବ ଖାଇବା ମନା। ଡାଳିମ୍ବ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ଆହୁରି ବଢ଼ିଯାଇପାରେ।
  • ଯେଉଁମାନଙ୍କ ନିମ୍ନ ରକ୍ତଚାପ ତଥା ଲୋ ବ୍ଲଡପ୍ରେସର ସମସ୍ୟା ରହିଛି, ସେମାନ ମଧ୍ୟ ଡାଳିମ୍ବ ଠାରୁ ଦୂରେଇ ରହିବା ଉଚିତ । ଡାଳିମ୍ବ ସାଧାରଣତଃ ଥଣ୍ଡା ଫଳ। ତେଣୁ ଏହା ଶରୀରରେ ରକ୍ତ ସଂଚାଳନର ଗତିକୁ ଧୀମା କରିଦେଇଥାଏ । ଏହାଦ୍ୱାରା ରକ୍ତଚାପ ଆହୁରି ନିମ୍ନସ୍ତରକୁ ଚାଲିଯାଏ, ଯାହା ଶରୀର ପାଇଁ କ୍ଷତିକାରକ ।
  • ଥଣ୍ଡା, ଜ୍ୱର ବା କାଶ ସମସ୍ୟା ଥିଲେ ଡାଳିମ୍ବ ଖାଆନ୍ତୁ ନାହିଁ। ଏହି ସମୟରେ ଡାଳିମ୍ବ ଖାଇବା ଦ୍ୱାର ଶରୀରରେ ସଂକ୍ରମଣର ଆଶଙ୍କା ବଢ଼ିଥାଏ ।
  • କୋଷ୍ଟକାଠନ୍ୟ ବା ଗ୍ୟାସ ସମସ୍ୟା ଥିଲେ ଡାଳିମ୍ବ ଠାରୁ ଦୂରେଇ ରୁହନ୍ତୁ। ଏଭଳି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଦ୍ୱାରା ଶରୀରର ହଜମ ପ୍ରକ୍ରିୟା ଆହୁରି ବିଗିଡି ଯାଇପାରେ ।
  • ଯଦି ଆପଣ କୌଣସି ମାନସିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି ଏବଂ ଏଥିପାଇଁ ଔଷଧ ମଧ୍ୟ ଖାଉଛନ୍ତି, ତେବେ ତୁରନ୍ତ ଡାଳିମ୍ବ ଖାଇବା ବନ୍ଦ କରିଦିଅନ୍ତୁ । ଅନ୍ୟଥା ଡାଳିମ୍ବ ଏବଂ ଔଷଧର ମିଶ୍ରଣ ଶରୀରରେ କେମିକାଲ ରିଆକ୍ସନ ସୃଷ୍ଟି କରିପାରେ । ଏଥିସହ ମସ୍ତିସ୍କର ସ୍ନାୟୁ ଉପରେ ମଧ୍ୟ ଏହା ପ୍ରଭାବ ପକାଇପାରେ ।
ଅଧିକ ପ୍ରୋଟିନ୍‌ ଖାଉଛନ୍ତି କି ? ତେବେ ସାବଧାନ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଶରୀର ପାଇଁ ପ୍ରୋଟିନ୍‌ ନିହାତି ଆବଶ୍ୟକ। ଏହା ଶରୀରରେ ମାଂସପେଶୀ ତିଆରି କରିବାରେ ଓ ଏହାକୁ ମରାମତି କରିବାରେ ସାହାଯ୍ୟ କରେ। ସେହିପରି ଏହା ଓଜନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। କିନ୍ତୁ ଆମେ ପ୍ରତିଦିନ ଖାଉଥିବା ଖାଦ୍ୟରେ ପ୍ରୋଟିନ୍‌ର ପରିମାଣ କେତେ ରହୁଛି, ତାହା ଆମେ ଜାଣି ନଥାଉ। ଏଥିପାଇଁ ଅନେକ ସମୟରେ ଆବଶ୍ୟକତାଠାରୁ ଅଧିକ ପ୍ରୋଟିନ୍‌ ଖାଇଦେଉ। ତେବେ ଆପଣ ଜାଣିଛନ୍ତି, ଆବଶ୍ୟକତାଠାରୁ ଅଧିକ ପ୍ରୋଟିନ୍‌ ଖାଇଲେ ଅନ୍ୟାନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ସହିତ କ୍ୟାନସର୍‌ ହେବାର ଆଶଙ୍କା ବି ରହିଛି। ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ଖାଦ୍ୟରେ ଯେତେ ଅଧିକ ପ୍ରୋଟିନ୍‌ ରହିଛି ସେଗୁଡ଼ିକ ଅଧିକ ଖରାପ ବା ସେଗୁଡ଼ିକୁ ଅଧିକ ଖାଇଲେ କ୍ୟାନସର ହେବାର ଅଧିକ ଆଶଙ୍କା ରହିଛି। ମାଂସ ବା ମାଂସ ଜାତୀୟ ଖାଦ୍ୟରେ ଅଧିକ ପ୍ରୋଟିନ୍‌ ରହିଥାଏ। ତେଣୁ ଏହାକୁ ଅଧିକ ମାତ୍ରାରେ ଖାଇଲେ କ୍ୟାନସର ହେବାର ଆଶଙ୍କା ବଢ଼ିଯାଏ। ତେଣୁ ପ୍ରୋଟିନ୍ ପାଇଁ କେବଳ ମାଂସ ନଖାଇ ଅନ୍ୟ ଉତ୍ସଗୁଡ଼ିକୁ ମଧ୍ୟ ଖାଇବା ଆବଶ୍ୟକ। ଏହାଦ୍ୱାରା କ୍ୟାନ୍‌ସର ଆଶଙ୍କା କମିଯାଏ। ଗବେଷକଙ୍କ କହିବା ଅନୁସାରେ ମାଂସରେ ଥିବା କାର୍ସିନୋଜେନିକ୍‌ କମ୍ପାଉଣ୍ଡ ଓ ଫ୍ୟାଟ୍‌ ହିଁ କ୍ୟାନସରର କାରଣ ହୋଇଥାଏ। ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ ଅଧିକ ପ୍ରୋଟିନ୍‌ ଖାଇବା ଯୋଗୁଁ କ୍ୟାନ୍‌ସର୍‌ ହେବାର ଆଶଙ୍କା ୪ ପ୍ରତିଶତ ଅଧିକ ବଢ଼ିଯାଏ। କେବଳ ଏତିକି ନୁହେଁ, ମାଂସ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ଡାଇବେଟିସ୍‌ ହେବାର ଆଶଙ୍କା ମଧ୍ୟ ଅଧିକ ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜଣେ ବ୍ୟକ୍ତି ତାଙ୍କ ଦୈନନ୍ଦିନ ଡାଏଟ୍‌ରେ ଓଜନ ଅନୁସାରେ କିଲୋଗ୍ରାମ୍‌ ପିଛା ୦.୮ ଗ୍ରାମ୍‌ର ପ୍ରୋଟିନ୍‌ ଖାଇବା ଉଚିତ୍‌। ଉଦାହରଣ ସ୍ୱାପ ଓଜନ ୫୦ କିଲୋ ହୋଇଥିଲେ ଦିନକୁ ୪୦ ଗ୍ରାମ୍‌ର ପ୍ରୋଟିନ୍‌ ଖାଇବା ଉଚିତ୍। ଏହାଠୁ ଅଧିକ ପ୍ରୋଟିନ୍‌ ଖାଉଥିଲେ କମ୍‌ କରିବା ପାଇଁ ଚେଷ୍ଟା କରନ୍ତୁ। ଏଥିପାଇଁ ମାଂସ ଓ ଦୁଗ୍ଧଜାତୀୟ ଖାଦ୍ୟ କମ୍‌ ଖା’ନ୍ତୁ। କିନ୍ତୁ ମନେ ରଖନ୍ତୁ, ଏସବୁ ଖାଦ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ଆପଣ କୁପୋଷଣର ଶିକାର ହୋଇପାରନ୍ତି। ତେଣୁ ଆବଶ୍ୟକ ପରିମାଣରେ ପ୍ରୋଟିନ୍ ଖାଇବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ।

 

ବାନ୍ତିର ଘରୋଇ ଉପଚାର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ବାନ୍ତି ଲାଗିବା ଏକ ସାଧାରଣ ସମସ୍ୟା। ଘରେ ହେଉ କିମ୍ୱା ବାହାରେ କିଛି ଲୋକଙ୍କର ବାନ୍ତି ସମସ୍ୟା ଦେଖା ଦେଇଥାଏ। ଥରେ ବାନ୍ତି ହେବା ପରେ ପୂରା ଦିନ ଅସୁସ୍ଥ ଅନୁଭବ ହୁଏ ଓ ମନ ମଧ୍ୟ ଖରାପ ରହେ। ତେବେ ଏଥିପାଇଁ ବ୍ୟସ୍ତ ହେବାର କିଛି ନାହିଁ। ବାନ୍ତି ସମସ୍ୟାକୁ ଘରୋଇ ଉପଚାର ମାଧ୍ୟମରେ ଦୂର କରାଯାଇପାରିବ। ତା’ହେଲେ ଆସନ୍ତୁ ଜାଣିବା ଏହାର କିଛି ଘରୋଇ ଉପଚାର ବିଷୟରେ।

ଅଦା – ଅଦାରେ ଏଣ୍ଟିମେଟିକ୍‌ ଗୁଣ ରହିଛି। ଏଣ୍ଟିମେଟିକ୍‌ ଏପରି ଏକ ଗୁଣ ଯାହା ବାନ୍ତି ଓ ମୁଣ୍ଡ ବୁଲାଇବା ସମୟରେ ରକ୍ଷା କରିଥାଏ। ସେଥିପାଇଁ ବାନ୍ତି ଲାଗିବା ସମୟରେ ଅଦା କିମ୍ୱା ଏହାର ଚାହା ପିଅନ୍ତୁ। ଏପରି କଲେ ଆଉ ବାନ୍ତି ଲାଗିବ ନାହିଁ। ବାହାରକୁ ଯିବା ସମୟରେ ନିଜ ସହିତ ଅଦା ସାଙ୍ଗରେ ନିଅନ୍ତୁ। ଯଦି ବାନ୍ତି ହେବା ପରି ଲାଗୁଛି, ତା’ହେଲେ ଏହାକୁ ଅଳ୍ପ ଅଳ୍ପ ଖାଇବା ପାଇଁ ଚେଷ୍ଟା କରନ୍ତୁ।

ଲେମ୍ୱୁ – ଲେମ୍ୱୁରେ ଥିବା ସାଇଟ୍ରିକ୍‌ ଏସିଡ୍‌ ବାନ୍ତି ସମସ୍ୟାକୁ ଦୂର କରିଥାଏ। ଗୋଟିଏ କପ୍‌ରେ ଗରମ ପାଣି ନିଅନ୍ତୁ ଏବଂ ଏଥିରେ ଗୋଟିଏ ଚାମଚ ଲେମ୍ୱୁ ରସ ଏବଂ ଲୁଣ ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ପିଅନ୍ତୁ। ଏହି ମିଶ୍ରଣରେ ଆପଣ ମହୁ ପକାଇ ମଧ୍ୟ ପିଇପାରିବେ। ବାହାରକୁ ଯାତ୍ରା କରିବା ସମୟରେ ଏହାକୁ ପିଇ ଯା’ନ୍ତୁ। ଦେଖିବେ ବେଶ୍ ଉପକାରୀ ସାବ୍ୟସ୍ତ ହେବ।

ଗୁଜୁରାତି – ଗୁଜୁରାତି ବାନ୍ତି ବନ୍ଦ କରିବା ପାଇଁ ସାହଯ୍ୟ କରିଥାଏ। ବାନ୍ତି ଲାଗିବା ସମୟରେ ଗୁଜୁରାତିର ଦୁଇଟି ମଞ୍ଜି ପାଟିରେ ପକାଇ ଧୀରେ ଧୀରେ ଚୋବାନ୍ତୁ। ଏହାଦ୍ୱାରା ବାନ୍ତି ବନ୍ଦ ହୋଇଯାଏ।

ପୁଦିନା ପତ୍ର – ପୁଦିନା ପେଟର ମାଂସପେଶୀକୁ ଆରାମ ଦେଇଥାଏ। ଏହାର ତେଲ ବାନ୍ତି ବନ୍ଦ କରିବା ପାଇଁ ସାହାଯ୍ୟ କରିଥାଏ। ଏଥିପାଇଁ ବାହାରକୁ ଯିବା ସମୟରେ ପୁଦିନା ତେଲର କିଛି ବୁନ୍ଦା ରୁମାଲରେ ପକାଇ ଶୁଙ୍ଘନ୍ତୁ। ଏବା ବ୍ୟତୀତ ଶୁଖିଲା ପୁଦିନା ପତ୍ରକୁ ଗରମ ପାଣିରେ ମିଶାଇ ଚାହା ପ୍ରସ୍ତୁତ କରନ୍ତୁ ଓ ଏଥିରେ ମହୁ ପକାଇ ପିଅନ୍ତୁ। ଦେଖିବେ ବାନ୍ତି ଲାଗୁଥିଲେ, ତାହା ବନ୍ଦ ହୋଇଯିବ। ବାହାରକୁ ଯିବା ପୂର୍ବରୁ ଏହି ମିଶ୍ରଣକୁ ପିଅନ୍ତୁ। ଦେଖିବେ ଆଉ ବାନ୍ତି ଲାଗିବ ନାହିଁ।

ଲବଙ୍ଗ – ଯେତେବେଳେ ବି ଆପଣଙ୍କୁ ଲାଗୁଛି କି ବାନ୍ତି ହେବ ବୋଲି ଅନୁଭବ କରୁଛନ୍ତି, ସେହି ସମୟରେ ଖଣ୍ଡେ ଲବଙ୍ଗକୁ ପାଟିରେ ରଖି ଚୁଚୁମିବାକୁ ଚେଷ୍ଟା କରନ୍ତୁ। ଏପରି କରିବା ଦ୍ୱାରା ବାନ୍ତି ଲାଗିବା ବନ୍ଦ ହୋଇଯିବ।

ପେଟ ସଫା ରଖିବାକୁ ଖା’ନ୍ତୁ ଏହି ପରିବା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଶୀତଦିନିଆ ପରିବା ହେଉଛି ମୂଳା। ଅଧିକାଂଶ ଏହାକୁ କଞ୍ଚା ଖାଇବାକୁ ପସନ୍ଦ କରନ୍ତି। ସେହିପରି ଅନେକ ଏହାକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ପକାଇ ଖାଇବାକୁ ଭଲ ପା’ନ୍ତି। ମୂଳା ବ୍ୟବହାର କରି ଆପଣ ପରଟା ବି କରି ପାରିବେ। ଏହା ଖୁବ୍ ସୁଆଦିଆ ଲାଗେ। ତେବେ ମୂଳା କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ, ଏହା ଆମ ଶରୀରକୁ ସୁସ୍ଥ ରଖିବାରେ ବି ସହାୟତା କରେ। ତା’ହେଲେ ଆସନ୍ତୁ ଜାଣିବା ମୂଳା ଖାଇଲେ କେଉଁ ସବୁ ଫାଇଦା ମିଳିଥାଏ।

୧. ଯଦି ଆପଣଙ୍କୁ ଥଣ୍ଡା ଓ କାଶ ହେଉଛି, ତା’ହେଲେ ଡାଏଟ୍‌ରେ ମୂଳାକୁ ସାମିଲ କରନ୍ତୁ। କାରଣ ମୂଳାରେ ଡି-କଞ୍ଜେଷ୍ଟେଣ୍ଟ କମ୍ପାଉଣ୍ଡ ରହିଛି, ଯାହା ନାକ ଓ ଗଳାକୁ ସଫା ରଖିଥାଏ। ଏଥିଯୋଗୁଁ ବ୍ୟାକ୍ଟେରିଆଙ୍କ ବଂଶବୃଦ୍ଧି ହୋଇ ନ ଥାଏ ଏବଂ ଥଣ୍ଡାକାଶ ଦୂର ହୋଇଥାଏ।

୨. ମୂଳାରେ ପୋଟାସିୟମ୍‌ ରହିଛି। ଏହା ଶରୀରରେ ସୋଡିୟମ୍‌-ପୋଟାସିୟମ୍‌ର ସନ୍ତୁଳନ ରକ୍ଷାକରି ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

୩. ଏଥିରେ ଥିବା ଫାଇବର୍‌ ପେଟକୁ ସଫା ରଖି ଖାଦ୍ୟକୁ ହଜମ କରିବା ପାଇଁ ସାହାଯ୍ୟ କରିଥାଏ।

୪. ମୂଳାରେ ଇନ୍‌ସୁଲିନ୍‌କୁ କଣ୍ଟ୍ରୋଲ୍‌ କରିବା ଗୁଣ ରହିଥିବାରୁ ଏହାଦ୍ୱାରା ସୁଗାରର ସ୍ତର ମଧ୍ୟ ନିୟନ୍ତ୍ରଣ ହୋଇଥାଏ।

୫. ମୂଳାରେ ଡାଇୟୁରୋଟିକ୍ ଗୁଣ ରହିଛି, ଯାହା କିଡ୍‌ନୀରୁ ବିଷାକ୍ତ ପଦାର୍ଥକୁ କାଢ଼ିବାରେ ସାହାଯ୍ୟ କରିଥାଏ।

୬. ଏଥିରେ ଥିବା ଫାଇବର ଯୋଗୁଁ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଉଜ୍ଜ୍ୱଳ ତ୍ୱଚା ପାଇଁ ୫ଟି ଘରୋଇ ଉପାୟ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)-ପ୍ରାୟ ସମସ୍ତେ ଉଜ୍ଜ୍ୱଳ ତ୍ୱଚା ଚାହାନ୍ତି। ସେଥିପାଇଁ ବିଭିନ୍ନ ଉପାୟ ବି ଆପଣାନ୍ତି। ତେବେ ଆଉ କେହି କେହି ସମୟାଭାବରୁ ତ୍ୱଚାର ସେମିତି ଖାସ୍ ଯତ୍ନ ନେଇପାରନ୍ତି ନାହିଁ। ଏପରି କ୍ଷେତ୍ରରେ ଏମିତି କିଛି ଉପାୟ ରହିଛି, ଯେଉଁଥିରେ ଅଧିକ ସମୟ ବ୍ୟୟ କରିବାକୁ ପଡ଼ିବନି ଓ ତ୍ୱଚା ବି ଉଜ୍ଜ୍ୱଳ ରହିବ। ତା’ହେଲେ ଆସନ୍ତୁ ଜାଣିବା ଏଭଳି ଉପାୟ ସଂପର୍କରେ।

ମେଥି- ଶୀତଦିନେ ମେଥି ଖାଇଲେ ଭଲ। ଏଥିରେ ଥିବା ପୋଷକ ତତ୍ତ୍ୱ ଓ ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚାର ମୃତ କୋଷିକାକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ତ୍ୱଚାରୁ ଦାଗ ଓ ରିଙ୍କିଲ୍‌କୁ ଦୂର କରିଥାଏ।

ଅଣ୍ଡା- ତ୍ୱଚାକୁ ହେଲ୍‌ଦି ରଖିବା ପାଇଁ ପ୍ରତିଦିନ ଜଳଖିଆରେ ଗୋଟିଏ ଅଣ୍ଡା ସାମିଲ କରନ୍ତୁ। ଏହା ତ୍ୱଚାର ସେଲ୍‌କୁ ମଜଭୁତ କରେ।

ଆଭୋକାଡୋ- ସ୍କିନ୍‌କୁ ହେଲ୍‌ଦି ରଖିବା ପାଇଁ ଭିଟାମିନ୍‌ ଏବଂ ମିନେରାଲ୍‌ ଜାତୀୟ ଖାଦ୍ୟ ଖାଇବା ଉଚିତ। ଆଭୋକାଡୋରେ ଭିଟାମିନ୍‌ ଏବଂ ମିନେରାଲ୍‌ ଅଂଶ ରହିଥିବାରୁ ଏହାକୁ ଖାଇବା ଦ୍ୱାରା ତ୍ୱଚା ସୁସ୍ଥ ରହିଥାଏ ଏବଂ ତ୍ୱଚାରେ ରହିଥିବା ଦାଗ ମଧ୍ୟ ଧୀରେ ଧୀରେ ଲିଭିବାରେ ଲାଗିଥାଏ।

ଦହି-ଦହିରେ କ୍ୟାଲ୍‌ସିୟମ ରହିଥାଏ ଯାହା ଚେହେରାରେ ରହିଥିବା ସେଲ୍‌କୁ ମଜବୁତ କରିବା ସହ ମୁହଁରୁ କଳା ଦାଗ ମଧ୍ୟ ଦୂର କରିଥାଏ।

ବାଦାମ– ବାଦାମ୍‌ରେ ଭିଟାମିନ୍‌ ରହିଥାଏ, ଯାହା ତ୍ୱରାରେ ନୂଆ ସେଲ୍‌ ଆଣିବାରେ ସାହାଯ୍ୟ କରିଥାଏ।

ପ୍ରାକୃତିକ ଉପାୟରେ କଳା ଓ ଶୁଷ୍କ ଓଠକୁ କୁହନ୍ତୁ ବାଏ ବାଏ ।

ଏଥର ସମ୍ଭାଳ ବ୍ୟୁରୋ (ଭୂବନେଶ୍ଵର)– ସୁନ୍ଦର ଦେଖାଯିବାକୁ ସମସ୍ତେ ପସନ୍ଦ କରନ୍ତି। ଆଉ ସୌନ୍ଦର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ଗୋଲାପି ଓଠ। କିନ୍ତୁ ଯଦି ଆପଣଙ୍କ ଓଠ କଳା ପଡ଼ିଯାଉଛି, ତା’ହେଲେ ଏହା ଆପଣଙ୍କ ଚାନ୍ଦପରି ସୁନ୍ଦର ମୁହଁରେ ଗ୍ରହଣ ଭଳି ଲାଗେ। ବିଶେଷ କରି ଶୀତ ଦିନରେ ଲୋକଙ୍କର ଓଠ ଶୁଖିଲା ଓ କଳା ପଡ଼ିଯାଏ। ତେବେ ଚିନ୍ତା କରିବାର କିଛି ନାହିଁ। ଆମେ କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହା ମାଧ୍ୟମରେ ଆପଣ ଓଠର ପ୍ରାକୃତିକ ଚମକ ଫେରାଇ ଆଣିପାରିବେ।

୧. ଆଲୋଭେରା: ଆଲୋଭେରା ଆପଣଙ୍କ ଓଠକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାରେ ବେଶ୍ ସହାୟକ ହୋଇଥାଏ। କାରଣ ଏଥିରେ ଭିଟାମିନ୍, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଟୋରି ତତ୍ତ୍ୱ ଭରପୂର ପରିମାଣରେ ରହିଛି। ତେଣୁ ଏହାକୁ ଓଠରେ ଲଗାନ୍ତୁ।

୨. ନଡ଼ିଆ ତେଲ: ଶୋଇବା ପୂର୍ବରୁ ବୁନ୍ଦେ ନଡ଼ିଆ ତେଳ ନେଇ ଓଠରେ ଲଗାନ୍ତୁ। କିଛି ଦିନ ଏମିତି କରିବା ଦ୍ୱାରା ଦେଖିବେ ଆପଣଙ୍କ ଓଠର ରଙ୍ଗ ଗୋଲାପି ହୋଇଯିବ।

୩. ମହୁ: ମହୁରେ ପ୍ରଚୁର ପରିମାଣରେ ମଶ୍ଚରାଇଜର ରହିଛି। ଏହାବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ ରହିଛି, ଯାହା ଓଠକୁ ଇନ୍‌ଫେକ୍ସନ୍‌ରୁ ରକ୍ଷା କରିବା ସହ ଏହାକୁ ଶୁଖିଲା ହେବାକୁ କିମ୍ବା କଳା ପଡ଼ିବାକୁ ଦିଏ ନାହିଁ। ତେଣୁ ପ୍ରତିଦିନ ଓଠରେ ମହୁ ଲଗାନ୍ତୁ।

୪. କାକୁଡ଼ି: ଏଥିରେ ମଧ୍ୟ ଅନେକ ଭିଟାମିନ୍‌ ଓ ମିନେରାଲ୍ସ ରହିଛି, ଯାହ ଆପଣଙ୍କ ଓଠକୁ କଳା ହେବରୁ ରକ୍ଷା କରିବ ଓ ଗୋଲାପି କରିବାରେ ସାହାଯ୍ୟ କରିବ। ତା’ ସହିତ ଏହା ଓଠରୁ ଶୁଷ୍କପଣ ଦୂର କରିବ।

୫.ଗ୍ରୀନ୍ ଟି: ଏଥିରେ ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟ ଓ ମିନେରାଲ୍ସ ଭରପୂର ମାତ୍ରାରେ ରହିଛି। ଏଥିରେ ଥିବା ପଲିଫେନଲ୍ସ ଇନ୍‌ଫେକ୍ସନ୍‌କୁ ଦୂର କରିଥାଏ। ଉଷୁମ ପାଣିରେ ଏକ ଗ୍ରୀନ୍‌ ଟି ବ୍ୟାଗ୍‌ ବୁଡ଼ାଇ ଏହାକୁ ଓଠରେ ଧୀରେ ଧୀରେ ଘଷନ୍ତୁ। ଏହା ଦ୍ୱାରା ଓଠ ଶୁଷ୍କ ରହିବ ନାହିଁ ଏବଂ ସବୁବେଳେ ଚମକ ବଜାୟ ରହିବ ଓ ଗୋଲାପି ଦେଖାଯିବ।

କିଛି ଘରୋଇ ସ୍କ୍ରବ୍‌ ମଧ୍ୟ ବ୍ୟବହାର କରିପାରିବେ

୧. କ୍ଷୀର ଓ ହଲଦୀକୁ ଗୋଳାଇ ଓଠରେ ଲଗାନ୍ତୁ। ଏହାକୁ ୨ରୁ ୩ ମିନିଟ୍‌ ଶୁଖିବାକୁ ଛାଡ଼ିଦିଅନ୍ତୁ। ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଧୋଇ ସାରିବା ପରେ ଏକ ଭଲ ଲିପ୍‌ବାମ୍‌ ଲଗାଇବାକୁ ଭୁଲିବେ ନାହିଁ।

୨. ଚିନିରେ କିଛି ଲେମ୍ବୁ ରସ ମିଶାଇ ସ୍କ୍ରବ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ହାଲକା ଭାବେ ଓଠରେ ଘଷନ୍ତୁ। ସପ୍ତାହରେ ଏଭଳି ଦୁଇ ଥର କରନ୍ତୁ। ଦେଖିବେ ଆପଣଙ୍କ ଓଠ ଧୀରେ ଧୀରେ ଗୋଲାପି ଦିଶିବ।

୩. କିଛି ଗୋଲାପ ପାଖୁଡ଼ାକୁ ପାଣିରେ ରାତିସାରା ବତୁରାଇ ରଖନ୍ତୁ। ପରଦିନ ସକାଳେ ଏହି ପାଖୁଡ଼ା ଗୁଡ଼ିକୁ କିଛି କ୍ଷୀର ଦେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ବର୍ତ୍ତମାନ ଏହି ରୋଜ୍‌ ପ୍ୟାକ୍‌କୁ ଓଠରେ ଲଗାନ୍ତୁ। ଆପଣ ଯଦି ଏହି ପ୍ୟାକ୍‌କୁ ଓଠରେ ଲଗାଇ ରାତିସାରା ଛାଡ଼ିଦେବେ, ତା’ହେଲେ ଏହା ଅଧିକ କାମ ଦେବ।

ଓଜନ କମ୍‌ କରିବାର ଅଜବ ଡାଏଟ୍‌ ପ୍ଲାନ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଓଜନ କମ୍‌ କରିବା ପାଇଁ ଆଜିକାଲି ଲୋକମାନେ ବିଭିନ୍ନ ପ୍ରକାରର ଡାଏଟ୍‌ ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି। କିଛି ଲୋକ ସାଧାରଣ ପଦ୍ଧତିରେ ଓଜନ କମ୍‌ କରିବା ପାଇଁ ଚାହୁଁଥିବା ବେଳେ ଆଉ କିଛି ଲୋକ ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ କିଛି ଟ୍ରେଣ୍ଡିଂ ଡାଏଟ୍‌ ପ୍ଲାନ୍‌ ଉପରେ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇପାରେ।  ତା’ହେଲେ ଆସନ୍ତୁ ସେଗୁଡ଼ିକ ଉପରେ ନଜର ପକାଇବା।

ବେବି ଫୁଡ୍‌ ଡାଏଟ୍‌ – ଏହି ଡାଏଟ୍‌ ପ୍ଲାନ୍‌ର ଫାଇଦା ହେଉଛି ଏଥିରୁ କମ୍ କ୍ୟାଲୋରୀ ମିଳେ। ଏହି ଡାଏଟ୍‌ରେ ଲୋକମାନେ ଛୁଆଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଖାଇଥା’ନ୍ତି।

ଜୁସ୍‌ ଡାଏଟ୍‌ – ଏଥିରେ କେବଳ ଫଳ ଓ ପନିପରିବାକୁ ଜୁସ୍ କରି ପିଇବାକୁ ହୁଏ। ସବୁଜ ପନିପରିବାରେ ପ୍ରସ୍ତୁତ ଜୁସ୍‌କୁ ଲୋକମାନେ ଭୋକ ଲାଗିବା ସମୟରେ ପିଅନ୍ତି। ଏଥିସହ ଫଳ ଜୁସ୍‌କୁ ଦିନକୁ ୩-୪ଥର ପିଅନ୍ତି।

ଆଇନା ସାମ୍ନାରେ ଖାଇବା – ଏ ପ୍ରକାର ଡାଏଟ୍‌ ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ଏହି ଡାଏଟ୍‌ କରୁଥିବା ଲୋକମାନେ ଆଇନା ସାମ୍ନାରେ ବସି ଖା’ନ୍ତି। ସେମାନଙ୍କ କହିବା ଅନୁଯାୟୀ, ଆଇନା ସାମ୍ନାରେ ବସି ଖାଇଲେ ଖାଦ୍ୟ ଉପରେ ନିୟନ୍ତ୍ରଣ ଆସିଥାଏ।

ଡାର୍କ ବ୍ଲୁ ରଙ୍ଗ ପ୍ଲେଟ୍‌ରେ ଖାଇବା – କୁହାଯାଏ, ଡାର୍କ ବ୍ଲୁ ରଙ୍ଗର ପ୍ଲେଟ୍‌ରେ ଖାଦ୍ୟ ଖାଇଲେ ଶୀଘ୍ର ଭୋକ ଲାଗେନି। ଏହି ଡାଏଟ୍‌ ଫଲୋ କରୁଥିବା ଲୋକଙ୍କ କହିବା ଅନୁଯାୟୀ, ଲାଇଟ୍‌ କଲର୍‌ର ପ୍ଲେଟ୍‌ ବ୍ୟବହାର କଲେ ଅଧିକ ପରିମାଣରେ ଖାଦ୍ୟ ଖାଇ ହୋଇଯାଏ। କିନ୍ତୁ ଡାର୍କ କଲର୍‌ ପ୍ଲେଟ୍‌ରେ ଖାଦ୍ୟ କମ୍‌ ନେଇଥିଲେ ମଧ୍ୟ ଅଧିକ ଦେଖାଯାଏ। ତେଣୁ ଡାଏଟ କଣ୍ଟ୍ରୋଲ୍‌ରେ ରହେ। 

କମଳାର କରାମତି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): କମଳାରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଓ ଫାଇବର ରହିଛି। ଶୀତଦିନେ ପ୍ରଚୁର କମଳା ମିଳେ। ଆଉ ଏହି ଦିନେ ସମସ୍ତେ କମଳା ଖାଇବା ଉଚିତ୍। କାରଣ ଏହା ଶୀତ ଦିନେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ଦୂର କରିଥାଏ। ତା’ହେଲେ ଆସନ୍ତୁ ଜାଣିବା  ଶୀତ ଦିନେ କମଳା ଖାଇଲେ କେଉଁ କେଉଁ ସମସ୍ୟାରୁ ମୁକ୍ତି ମିଳେ। ତା’ସହିତ ଏହାର ଅନ୍ୟସବୁ ଉପକାରିତା ସମ୍ପର୍କରେ ମଧ୍ୟ ଜାଣନ୍ତୁ।

୧. ଇମ୍ୟୁନୋ ସିଷ୍ଟମ୍‌କୁ ମଜଭୁତ କରିଥାଏ। ଫଳରେ ଥଣ୍ଡା, ଜ୍ୱର ଓ ଭାଇରାଲ୍‌ ଇନ୍‌ଫେକସନ୍‌ ହେବାର ଆଶଙ୍କା କମିଥାଏ।

୨. କମଳାରେ କ୍ୟାଲସିୟମ୍‌ ରହିଛି, ଯାହା ହାଡ଼କୁ ମଜବୁତ୍‌ କରିଥାଏ।

୩. ଶୀତଦିନେ ରକ୍ତଚାପ ଅନିୟନ୍ତ୍ରିତ ହେବାର ଆଶଙ୍କା ଅଧିକ ଥାଏ। କିନ୍ତୁ କମଳାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ୍‌ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

୪. କମଳା ଶରୀରରେ କୋଲେଷ୍ଟେରୋଲ୍ କମ୍‌ କରିଥାଏ।

୫. ଏକ ଗବେଷଣା ଅନୁସାରେ ପ୍ରତିଦିନ କମଳା ଖାଇଲେ କିଡ୍‌ନୀରେ ଷ୍ଟୋନ୍‌ ହେବାର ଆଶଙ୍କା କମ୍ ହୋଇଥାଏ। ଏହା ସହିତ କିଡ୍‌ନୀରେ ଫ୍ୟାଟ୍‌ ମଧ୍ୟ ଜମା ହୋଇ ନଥାଏ।

୬. ଶୀତଦିନେ ପେଟ ଖରାପ ହେବାର ଆଶଙ୍କା ଅଧିକ ରହିଥାଏ। ଏହାକୁ ଭଲ କରିବା ପାଇଁ କମଳା ଲାଭଦାୟକ ହୋଇଥାଏ। ଏଥିରେ ଥିବା ଫାଇବର୍‌ ଖାଦ୍ୟକୁ ହଜମ କରି ପେଟ ସଫା ରଖିଥାଏ।

୭. କମଳାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଫ୍ଲାବୋନୋଏଡ୍‌ ସ୍ମୃତିଶକ୍ତିକୁ ପ୍ରଖର କରିବା ସହିତ ନିଦ୍ରାଜନିତ ସମସ୍ୟା ଦୂର କରିଥାଏ।

୮. ଯଦି ଆପଣଙ୍କର ତ୍ୱଚାଜନିତ କୌଣସି ସମସ୍ୟା ରହିଛି, ତେବେ କମଳା ନିଶ୍ଚିନ୍ତ ଖା’ନ୍ତୁ। କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାକୁ ଉଜ୍ଜ୍ୱଳ କରି ବ୍ରଣ ସମସ୍ୟା ଦୂର କରିଥାଏ।

ଡାଇବେଟିସ୍‌ ପାଇଁ କିଛି ଆୟୁର୍ବେଦିକ ଟିପ୍ସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଡାଇବେଟିସ୍‌ ହେଲେ ରୋଗୀ ଶରୀରରେ ଇନସୁଲିନ୍‌ ଉତ୍ପାଦନ କମ୍‌ ହୋଇଥାଏ। ତେଣୁ ରୋଗୀକୁ ମେଡିସିନ୍ କିମ୍ୱା ଇଞ୍ଜେକସନ୍‌ ଆକାରରେ ଇନସୁଲିନ୍‌ ନେବାକୁ ପଡ଼ିଥାଏ। ଏପରିକି ରୋଗୀ ଶରୀରରେ ଆବନର୍ମାଲ୍‌ ମେଟାବୋଲିଜିମ୍‌ କାର୍ବୋହାଇଡ୍ରେଟ୍‌ ବୃଦ୍ଧି ପାଇବାରୁ ସୁଗାର ବଢ଼ିଥାଏ। ତେବେ କେବଳ ମେଡିସିନ୍‌ ନୁହେଁ, ଆପଣ ଚାହିଁଲେ ଆୟୁର୍ବେଦିକ ଉପାୟରେ ମଧ୍ୟ ସୁଗାରକୁ ନିୟନ୍ତ୍ରଣ କରିପାରିବେ। ସେଥିପାଇଁ ଆସନ୍ତୁ ଜାଣିବା ଆୟୁର୍ବେଦର କିଛି ଟିପ୍ସ।

୧. ନିଜର ଦୈନନ୍ଦିନ ଖାଦ୍ୟରେ କଲରାକୁ ସାମିଲ କରନ୍ତୁ। କଲରାକୁ ଆପଣ ଜୁସ୍‌ ଆକାରରେ ମଧ୍ୟ ପିଇପାରିବେ। ପ୍ରତିଦିନ ୨୦ ଏମ୍‌ଏଲ୍‌ର କଲରା ଜୁସ୍‌ ପିଇଲେ ସୁଗାର ନିୟନ୍ତ୍ରଣ ହୋଇଥାଏ।

୨. ଡାଲଚିନି ଏକ ମସଲା ହୋଇଥିଲେ ମଧ୍ୟ ଏହା ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଡାଇବେଟିସ୍‌ ରୋଗୀ ଏହାକୁ ସାଲାଡ୍‌ କିମ୍ୱା ତରକାରୀରେ ପକାଇ ଖାଆନ୍ତୁ।

୩. ସେହିପରି ଡାଇବେଟିସ୍‌ ପାଇଁ ମେଥିକୁ ସୁପରଫୁଡ୍‌ ବୋଲି କୁହାଯାଏ। ରାତିରେ ଗରମ ପାଣିରେ ମେଥିକୁ ବତୁରାଇ ରଖନ୍ତୁ। ଏହାପରେ ସକାଳେ ଖାଲିପେଟରେ ସେହି ମେଥି ପାଣିକୁ ପିଅନ୍ତୁ।

୪. ଅଁଳା କେବଳ ଡାଇବେଟିସ୍‌ ପାଇଁ ନୁହେଁ, ତ୍ୱଚା ଓ କେଶ ପାଇଁ ମଧ୍ୟ ଭଲ। ଏହା ଶରୀରରେ ମେଟାବୋଲିଜିମ୍‌କୁ ସୁସ୍ଥ ରଖିଥାଏ। ଏଥିରେ ଥିବା କ୍ରୋମିୟମ୍‌ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରଣ କରିଥାଏ। ତେଣୁ ଡାଇବେଟିସ୍‌ ରୋଗୀ ପ୍ରତିଦିନ ଅଁଳା ଜୁସ୍‌ ପିଅନ୍ତୁ।

୫. ଆୟୁର୍ବେଦିକ ଗଛ ଗିଲୋଇରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରି ଫ୍ରି-ରାଡିକାଲ୍‌ ସହିତ ଲଢ଼େଇ କରିଥାଏ। ଡାଇବେଟିସ୍‌ ରୋଗୀ ପ୍ରତିଦିନ ଗିଲୋଇ ଖାଇଲେ, ପାନକ୍ରିୟାଜ୍‌ରେ ବିଟା ସେଲ୍‌ର ଉତ୍ପାଦନ ବୃଦ୍ଧି ହୋଇଥାଏ। ଯାହା ଯୋଗୁ ଶରୀରରେ ଇନସୁଲିନ୍‌ ଉତ୍ପାଦନ ହେବା ସହିତ ସୁଗାର ନିୟନ୍ତ୍ରିତ ରହିଥାଏ।

୬. ଅନ୍ୟ ଏକ ଆୟୁର୍ବେଦିକ ଟିପ୍ସ ହେଉଛି ପ୍ରତିଦିନ ତମ୍ୱା ପାତ୍ରରେ ପାଣି ପିଅନ୍ତୁ। ତମ୍ୱା ପାତ୍ରରେ ପାଣି ପିଇଲେ ଶରୀରର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ।

୭. ପ୍ରତିଦିନ ବ୍ୟାୟାମ କରିନପାରୁଛନ୍ତି ଯଦି ଡାଇବେଟିସ୍‌ ରୋଗୀ ଅତି କମ୍‌ରେ ଦିନକୁ ୩୦ ମିନିଟ୍‌ ଚାଲିବାକୁ ଚେଷ୍ଟା କରନ୍ତୁ।

ମହୁ ଖାଆନ୍ତୁ, ଏସବୁ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ସାଧାରଣତଃ ଶୀତ ଦିନେ ଅଧିକାଂଶ ଲୋକଙ୍କୁ ଥଣ୍ଡା ଓ କାଶ ଆଦି ହୋଇଥାଏ। ଯଦି ଆପଣ ବି ଏମିତି ସମସ୍ୟାରେ ପଡ଼ୁଛନ୍ତି, ତା’ହେଲେ ମହୁ ଖା’ନ୍ତୁ। କାରଣ ମହୁରେ ଥିବା ଔଷଧୀୟ ଗୁଣ ଥଣ୍ଡା ଓ କାଶ ଭଳି ସମସ୍ୟାରୁ ଆରାମ ଦିଏ। ତେବେ ଏଥିପାଇଁ ଏହାକୁ କେମିତି ଖାଇବାକୁ ହେବ, ତାହା ବି ଜାଣିବା ଜରୁରୀ। ତା’ହେଲେ ଆସନ୍ତୁ ଜାଣିବା ମହୁକୁ କେମିତି ଖାଇବେ। ଏହା ସହିତ ଆପଣ ଖାଉଥିବା ମହୁ ଅସଲି ନା ନକଲି କେମିତି ପରୀକ୍ଷା କରିବେ, ସେ ବିଷୟରେ ବି ଜାଣି ନିଅନ୍ତୁ।

୧. ଶୀତଦିନେ ଥଣ୍ଡା ଜିନିଷ ଖାଇଲେ ଗଳାରେ ଇନ୍‌ଫେକ୍ସନ୍‌ ହୋଇଥାଏ। ଏହି ସମୟରେ ହାଲ୍‌କା ଗରମ ପାଣିରେ ମହୁ ଓ ଲେମ୍ୱୁ ମିଶାଇ ପିଇଲେ, ଗଳା ଠିକ୍‌ ହୋଇଯାଏ।

୨. ଶୀତଦିନେ ଜର, ଥଣ୍ଡା, ନାକ ନଫିଟିବା ଓ କାଶକୁ ଠିକ୍‌ କରିବା ପାଇଁ ମହୁ ରାମବାଣ ପରି କାର୍ଯ୍ୟ କରିଥାଏ। ଏଥିପାଇଁ ଅଦାରସରେ ମହୁ ମିଶାଇ ପିଅନ୍ତୁ। ଏ ସବୁ ସମସ୍ୟା ଦୂର ହୋଇଯିବ।

୩. ମହୁକୁ ଚାଟି ଖାଇଲେ ମଧ୍ୟ ଥଣ୍ଡା ଓ କାଶ ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ। ଦିନକୁ ଏହିପରି ଦୁଇରୁ ତିନିଥର ମହୁକୁ ଖାଇଲେ କାଶ ବନ୍ଦ ହୋଇଯାଏ। ଆପଣ ଚାହିଁଲେ ଡାଲଚିନି ପାଉଡର୍‌ରେ ବି ମହୁ ମିଶାଇ ଖାଇପାରିବେ। ଏହା ବି ବେଶ୍ ଫାଇଦା ଦେଇଥାଏ।

୪. ଗୋଟିଏ କପ୍‌ ଗରମ ପାଣିରେ ୧ ଚାମଚ ମହୁ ମିଶାଇ ପିଇଲେ ଦିନସାରା ଶରୀରକୁ ଏନର୍ଜି ମିଳିଥାଏ।

ମହୁ ଅସଲି ନା ନକଲି

ଯଦି ମହୁ ଅସଲି କିମ୍ୱା ନକଲି ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ଗ୍ଲାସ୍‌ରେ ଅଳ୍ପ ପାଣି ନେଇ ସେଥିରେ ଟିକେ ଭିନେଗାର ପକାଇ ଗୋଳାଇ ଦିଅନ୍ତୁ। ତା’ପରେ ଏଥିରେ ମହୁ ପକାନ୍ତୁ। ଯଦି ମହୁ ପକାଇବା ପରେ ଏହି ମିଶ୍ରଣରୁ ଫେଣ ବାହାରିଲା, ତା’ହେଲେ ଜାଣିବେ ମହୁ ଶୁଦ୍ଧ ନୁହେଁ। ଏହା ଅପମିଶ୍ରିତ। ତେଣୁ ଉକ୍ତ ମହୁକୁ ବ୍ୟବହାର କରନ୍ତୁ ନାହିଁ।