‘୧୦ % କର୍ମଚାରୀଙ୍କୁ ନେଇ ନୁହେଁ,ଆବଶ୍ୟକତାକୁ ଦେଖି ଅଫିସ୍ ଚଳାଇବେ ବିଭାଗ’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଜୁନ୍ ୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହେବାପରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ ଅଫିସଗୁଡ଼ିକ ଚଳାଇବାକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ସରକାରୀ ଅଫିସଗୁଡ଼ିକ ୧୦ପ୍ରତିଶତରୁ କମ୍ କର୍ମଚାରୀରେ କାର୍ଯ୍ୟ କରିବା ଅବା ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବା ନିମନ୍ତେ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଅଫିସ୍ କିଭଳି ଚାଲିବ ସେ ନେଇ ପ୍ରଶାସନିକ ବିଭାଗଗୁଡ଼ିକ ନିଷ୍ପତ୍ତି ନେବେ। କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ମାମଲା, ବିଭାଗର କାର୍ଯ୍ୟଚାପ ବିଶେଷକରି ଜରୁରୀ କାମକୁ ଦେଖି ସବଅର୍ଡିନେଟ୍ ଓ କ୍ଷେତ୍ରସ୍ତରୀୟ ଅଫିସ୍ କିଭଳି ଚାଲିବ ସେ ସମ୍ପର୍କରେ ସମ୍ପୃକ୍ତ ପ୍ରଶାସନିକ ବିଭାଗ ନିଷ୍ପତ୍ତି ନେବ। ଯେଉଁ ଅଫିସର ଓ କର୍ମଚାରୀଙ୍କୁ ରୋଷ୍ଟର ଡ୍ୟୁଟି ମିଳିନଥିବ ସେମାନେ ଘରୁ ରହି କାମ କରିବେ। ସବୁବେଳେ ହେଡକ୍ୱାର୍ଟରରେ ଉପଲବ୍ଧ ହେବ ଓ ଟେଲିଫୋନ୍ ମାଧ୍ୟମରେ ସୂଚନା ପାଇବା ମାତ୍ରେ ଅଫିସ୍ ଆସି କାମ କରିବେ। ସୂଚନାଯୋଗ୍ୟ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ଏପ୍ରିଲ ୨୯ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ବିଭାଗଗୁଡ଼ିକ ନିଜ ଅଫିସ୍ କିଭଳି ଚାଲିବ ସେ ନେଇ ଆବଶ୍ୟକ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଥିଲା। କିନ୍ତୁ ଅଫିସରେ କର୍ମଚାରୀ ସଂଖ୍ୟା ୫୦ ପ୍ରତିଶତରୁ କମ୍ ରହିବ ଓ ଅତି ଜରୁରୀ ସ୍ଥିତିରେ ସ୍ୱଳ୍ପ କର୍ମଚାରୀଙ୍କୁ ନେଇ କାମ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଆଜି ଏସଆରସିଙ୍କ ନିର୍ଦ୍ଦେଶପରେ ସାଧାରଣ ପ୍ରଶାସନ ବିଭାଗ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚଳାଇବା ପାଇଁ ଅନୁମତି ଦେବା ପରିବର୍ତ୍ତେ ବିଭାଗଗୁଡ଼ିକ ଉପରେ ସ୍ଥିତିକୁ ଚାହିଁ ନିଷ୍ପତ୍ତି ନେବାକୁ କହିଛି।

Leave a Reply

Your email address will not be published. Required fields are marked *