ବାତ୍ୟା ତଉକତେର ଆଖି ଥିଲା କେତେ ଭୟଙ୍କର? କହିଲା ଭାରତୀୟ ନୌସେନା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –  ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଅତ୍ୟନ୍ତ ଭୟଙ୍କର ସାମୁଦ୍ରିକ ଝଡ଼ ତଉକତେ ଏବେ ଦୁର୍ବଳ ହେବାରେ ଲାଗିଛି। ଦୁର୍ବଳ ହେବା ପୂର୍ବରୁ ଏହା ଗୁଜରାଟ ଓ ମହାରାଷ୍ଟ୍ର ସମେତ ଏକାଧିକ ରାଜ୍ୟରେ ଭୟଙ୍କର ତାଣ୍ଡବ ରଚିଛି। ତଉକତେ ୱେଷ୍ଟର୍ଣ୍ଣ ଉପକୂଳରେ ତାଣ୍ଡବ ରଚିବା ବେଳେ ସମୁଦ୍ର ମଧ୍ୟରେ barges, oil rigs ଓ ଅନ୍ୟାନ୍ୟ ନୌକାରେ ଥିବା କିଛି ଲୋକ ଫସି ଯାଇଥିଲେ। ସେମାନଙ୍କୁ ଭାରତୀୟ ନୌସେନାର ବୀର ଯବାନମାନେ ଉଦ୍ଧାର କରିଥିଲେ। ଅଶାନ୍ତ ସମୁଦ୍ର, ଭୟଙ୍କର ପବନ ଓ ପ୍ରବଳ ବର୍ଷା ମଧ୍ୟରେ ଯବାନମାନେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ। ସମୁଦ୍ର ଏତେ ଅଶାନ୍ତ ଥିଲା ଯେ ଦୁଇଟି ଡଙ୍ଗା ମଧ୍ୟ ବୁଡ଼ି ଯାଇଥିଲା। ଏଥିରେ ଥିବା ୧୮୮ ଜଣଙ୍କୁ ନୌସେନା ଉଦ୍ଧାର କରିଥିବା ବେଳେ ୯୩ ଜଣଙ୍କ ପତ୍ତା ଏଯାଏ ମିଳିନି। ସେମାନଙ୍କୁ ଠାବ କରିବା ପାଇଁ ଅପରେସନ ଜାରି ରହିଛି। ଏସବୁ ଭିତରେ ତଉକତେକୁ ପୂରା ପାଖରୁ ସାମ୍ନା କରିଥିବା ଭାରତୀୟ ନୌସନା ଏହାର ଭୟଙ୍କର ଚିତ୍ର ସମ୍ପର୍କରରେ ସୂଚନା ଦେଇଛି। ଝଡ଼ ଯୋଗୁ ସମୁଦ୍ର ମଧ୍ୟରେ ଢେଉ ପ୍ରାୟ ୨୩ ଫୁଟ ଉପରକୁ ଉଠୁଥିଲା। ସେହିପରି ୦.୫ କିମି ଯାଏ ରାସ୍ତା ହିଁ ଦେଖାଯାଉଥିଲା। ଏହା ସତ୍ତ୍ୱେ ଯବାନମାନେ ଉଦ୍ଧାର କାର୍ଯ୍ୟ କରିଥିଲେ। ସୋମବାର ସନ୍ଧ୍ୟାରେ ତଉକତେ ଗୋଟିଏ ବାରେଜ ପି-୩୦୫କୁ ସୁମଦ୍ରରେ ବୁଡ଼ାଇ ଦେଇଥିଲା। ସେହିପରି ଆଉ ଗୋଟିଏକୁ ଅଧା ଓଲଟାଇ ଦେଇଥିଲା। ଏଥିରେ ପ୍ରାୟ ୪୧୦ ଜଣ କର୍ମଚାରୀ ଥିଲେ। ଖବର ପାଇ ଜାହାଜରେ ଯବାନମାନେ ଆଗୁ ବଢ଼ିଥିଲେ। ଏ ସମ୍ପର୍କରେ କମାଣ୍ଡର ଏକେ ଝା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ବାତ୍ୟାର ଆଖି ଠିକ୍‌ ମୁମ୍ବାଇର ପଶ୍ଚିମରେ ରହିଥିଲା। ଏହାକୁ ଖାତିର ନ କରି ଆମ ଜାହାଜ ଆଗକୁ ବଢ଼ିଲା। ଜାହାଜ ଆଗକୁ ବଢ଼ିବା ବେଳେ ଢେଉର ଉଚ୍ଚତା ୫ରୁ ୭ ମିଟର ଥିଲା। ପବନର ଘଣ୍ଟାପ୍ରତି ବେଗ ପ୍ରାୟ ୧୦୦ରୁ ୧୨୦ କିମି ରହିଥିଲା। ପ୍ରବଳ ବର୍ଷ ହେଉଥିବା ବେଳେ ଆଗକୁ କିଛି ବି ଦେଖାଯାଉ ନଥିଲା। ମାତ୍ର ୦.୫ କିମି ଆଗକୁ ରାସ୍ତା ଦେଖାଯାଉଥିଲା। ସମୁଦ୍ରର ଭୟଙ୍କର ରୂପକୁ ସାମ୍ନା କରି ଆଗକୁ ବଢ଼ିବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା। ସବୁ କିଛିର ମୁକାବିଲା କରି ବୁଡ଼ି ଯାଇଥିବା ପି-୩୦୫ ଓ ଅନ୍ୟ ଡଙ୍ଗାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଯବାନମାନେ ଲାଇଫ ଜ୍ୟାକେଟ୍ ପିନ୍ଧି ସମୁଦ୍ରକୁ ଡେଇଁଥିଲେ ଓ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।”

Leave a Reply

Your email address will not be published. Required fields are marked *