ଲଟେରୀ ମାଧ୍ୟମରେ ମିଳିବ ମଦ ଦୋକାନ ଲାଇସେନ୍ସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ମଦ ଲାଇସେନ୍ସ ନିୟମ ବଦଳି ଯାଇଛି। ଆଉ ହେବନି ଲାଇସେନ୍ସର ନବୀକରଣ। ଏବେ ଲଟେରୀ ମାଧ୍ୟମରେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ମିଳିବ। ଏ ନେଇ ଅବକାରୀ ବିଭାଗ ନୂଆ ନିର୍ଦ୍ଦେଶାନାମା ଜାରି କରିଛି। ତେବେ ଏହି ନୂଆ ନିର୍ଦ୍ଦେଶାନାମ ଦ୍ୱାରା ଏବେ ମଦ ବ୍ୟବସାୟୀ ଚିନ୍ତାରେ ପଡ଼ିଯାଇଛନ୍ତି। ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ, ଲଟେରୀ ମାଧ୍ୟମରେ ଲାଇସେନ୍ସ ପାଇବା ପରେ ଏହାର ବୈଧତା ୫ ବର୍ଷ ରହିବ। ତେବେ ନୂଆ ନିୟମ ଆସିବା ପରେ ପୁରୁଣା ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ ହେବ। ନୂଆ ଲାଇସେନ୍ସ ପାଇବାକୁ ହେଲେ ଲଟେରି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ। ଏଥିପାଇଁ ଅବକାରୀ ବିଭାଗ ୱେବସାଇଟକୁ ଯାଇ ଆଧାର, ପ୍ୟାନ୍ କାର୍ଡ, ଆୟକର ପ୍ରମାଣପତ୍ର ଓ ଏକ ଲକ୍ଷ ଟଙ୍କା ଜମା କରି ଅନଲାଇନ୍ ଜରିଆରେ ଆବେଦନ କରିପାରିବେ। ତେବେ ଲଟେରିରେ ନାଁ ନଉଠିଲେ ଏକ ଲକ୍ଷ ଟଙ୍କା ଫେରସ୍ତ ହେବନାହିଁ। କିନ୍ତୁ ଯେଉଁମାନଙ୍କ ନାଁ ଉଠିବ, ସେମାନଙ୍କୁ ୬ ଲକ୍ଷ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ପଡ଼ିବ। ଏହାଦ୍ୱାରା ୧୫ ବର୍ଷ ଧରି ମଦ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀ ଓ ସେଠାରେ କାମ କରୁଥିବା କର୍ମଚାରୀ ପ୍ରଭାବିତ ହେବେ ବୋଲି ମଦ ବ୍ୟବସାୟୀ ସଂଘ କହିଛି। ସେହିପରି କରୋନା ପାଇଁ ସର୍ବନିମ୍ନ ଗ୍ୟାରେଣ୍ଟି କୋଟା ପୂରଣ ହୋଇନଥିବାରୁ ବର୍ତ୍ତମାନର ଅଧିକାଂଶ ବ୍ୟବସାୟୀ ଏହି ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ। ଏହାସହ ବାହାର ରାଜ୍ୟର ବ୍ୟବସାୟୀଙ୍କ ଦୌରାତ୍ମ୍ୟ ବଢ଼ିବ ବୋଲି ସଂଘ ଆଶଙ୍କା କରିଛି। ଅନ୍ୟପକ୍ଷରେ ଅବକାରୀ ବିଭାଗ ସଚିବ କହିଛନ୍ତି, ‘ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ନିୟମରେ ପରିବର୍ତ୍ତନର ଆବଶ୍ୟକତା ଥିଲା। ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡିକର ଲାଇସେନ୍ସ ଫି’ ୨୦ ପ୍ରତିଶତ ଓ ୫ ପ୍ରତିଶତ ସର୍ବନିମ୍ନ ଗ୍ୟାରେଣ୍ଟି କୋଟା ବୃଦ୍ଧି କରାଯାଇଛି। ଅପରପକ୍ଷରେ ଅବକାରୀ ବିଭାଗର ନୂଆ ନିର୍ଦ୍ଦେଶାନାମାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ବିରୋଧୀ ବିଜେପି ଓ କଂଗ୍ରେସ ୫ବର୍ଷିଆ ଲାଇସେନ୍ସ ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ନିଜ ଲୋକଙ୍କୁ ଲାଇସେନ୍ସ ଦେଇ ରାଜସ୍ୱ ବୃଦ୍ଧି କରିବା ଏହାପଛର ଉଦ୍ଦେଶ୍ୟ ବୋଲି ବିଜେପି କହିଛି। ସେହିପରି କଂଗ୍ରେସ କହିଛି ଏଥିରେ ପାତର ଅନ୍ତର ନୀତି ପ୍ରତିଫଳିତ ହେବ। କିନ୍ତୁ ବିଜେଡି କହିଛି, ଅସଙ୍ଗତି ରହିବ ନାହିଁ ଓ ପୂରା ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିବ।

 

Leave a Reply

Your email address will not be published. Required fields are marked *