ଓଡ଼ିଶା ହେବ ଇସ୍ପାତ‌ର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଆର୍ସେଲର ମିତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତଲ ଓ ସିଇଓ ଆଦିତ୍ୟ ମିତଲଙ୍କ ସହିତ ଆଲୋଚନା କରିଛନ୍ତି। ଓଡ଼ିଶାରେ ଇସ୍ପାତ ଉତ୍ପାଦନ, ଖଣି କ୍ଷେତ୍ରର ଅଭିବୃଦ୍ଧି ଓ କମ୍ପାନୀର ସଂପ୍ରସାରଣ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ବିଶେଷ ଭାବରେ ଓଡ଼ିଶାକୁ ଇସ୍ପାତର ପେଣ୍ଠସ୍ଥଳିରେ ପରିଣତ କରିବା ଓ ଏଥିରେ ଆର୍ସେଲର ମିତଲର ଭୂମିକା କ’ଣ ରହିବ ସେ ନେଇ ବୈଠକରେ ଚର୍ଚ୍ଚା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ଆଜିର ବୈଠକରେ ଅଗ୍ରଣୀ ଇସ୍ପାତ ଉତ୍ପାଦନ କମ୍ପାନୀ ଆର୍ସେଲର ମିତଲର ମୁଖ୍ୟଙ୍କ ସହ ଶ୍ରୀ ପ୍ରଧାନ ତୈଳ, ଗ୍ୟାସ, ଇସ୍ପାତ‍, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ର ଉପରେ ଆଲୋଚନା କରିଥିଲେ। ବିଶେଷ ଭାବରେ ନୂତନ ଉଦ୍ଭାବନ ମାଧ୍ୟମରେ କିପରି ତୈଳ, ଗ୍ୟାସ, ଇସ୍ପାତ‍, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ରକୁ ଅଧିକ ମଜବୁତ‍, ଦକ୍ଷତାସମ୍ପନ୍ନ ଏବଂ ବୈଶ୍ୱିକ ପ୍ରତିଯୋଗିତାମୂଳକ କରିହେବ ସେ ନେଇ ଆଲୋଚନା ହୋଇଥିଲା।ଶ୍ରୀ ପ୍ରଧାନ କହିଛନ୍ତି-“୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ କେବଳ ଓଡ଼ିଶାରେ ୧୦୦ ମିଲିଟନ ଟନ ଇସ୍ପାତ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ଖଣି ଓ ଇସ୍ପାତ ଉତ୍ପାଦନର ଅଭିବୃଦ୍ଧି ନେଇ ଚର୍ଚ୍ଚା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନ ଓ ଆତ୍ମନିର୍ଭର ଭାରତରେ ଓଡ଼ିଶାରେ ଥିବା ଧାତୁ ଏବଂ ଖଣି କ୍ଷେତ୍ରର ଭୂମିକା କ’ଣ ରହିବ ତଥା ଆତ୍ମନିର୍ଭର ଭାରତରେ ଓଡ଼ିଶାର ଏହି କ୍ଷେତ୍ରର ବ୍ୟାପକ ଯୋଗଦାନ କଣ ରହିବ ସେ ବିଷୟରେ ଚର୍ଚ୍ଚା ହୋଇଥିଲା।” ସେ କହିଛନ୍ତି-“ଆଲୋଚନା କାଳରେ ଘରୋଇ ଇସ୍ପାତ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଉନ୍ନତମାନର ଟେକ୍ନୋଲୋଜି ଓ ଇସ୍ପାତ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ସହ ଘରୋଇ ଇସ୍ପାତକୁ ବୃଦ୍ଧି କରିବା ଉପରେ ମତପ୍ରକାଶ ପାଇଥିଲା।”

 

Leave a Reply

Your email address will not be published. Required fields are marked *