ପଛକୁ ହଟିବା ପାଇଁ ଚୀନକୁ ଭାରତ ର ଚରମ ବାଣୀ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଲଦାଖର ଏଲଏସିରେ ଦୀର୍ଘ ୯ ମାସ ହେବ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏଲଏସିରେ ଉଭୟ ଦେଶର ଯବନା ମୁହାଁମୁହିଁ ହୋଇଛନ୍ତି। ଏହାରି ଭିତରେ ପ୍ରାୟ ଦେଢ଼ ମାସ ପରେ ଉତ୍ତେଜନାକୁ କମ୍ କରିବା ଲାଗି ରବିବାର ଉଭୟ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ବସିଥିଲା। ସୀମାରେ ଶାନ୍ତି ପାଇଁ ୯ମ ଥର ପାଇଁ ଆୟୋଜିତ ହୋଇଥିବା ଏହି ବୈଠକ ଗତକାଲି ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟା ୩୦ରେ  ଶେଷ ହୋଇଛି। ଦୁଇ ପକ୍ଷଙ୍କ ମଧ୍ୟରେ  ଦୀର୍ଘ୧୫ ଘଣ୍ଟା ଧରି ମାରାଥନ ବୈଠକ ପରେ ଭାରତ ଚୀନକୁ ଚରମ ବାଣୀ ଶୁଣାଇଛି। ସୀମରୁ ଚୀନ ସେନା ପଛକୁ ହଟିଲେ ଯାଇ ଶାନ୍ତି ସମ୍ଭବ ବୋଲି ଭାରତ  ରୋକଠୋକ କହିଛି। ପୂର୍ବ ଲଦାଖରେ ଥିବା ସମସ୍ତ ବିବାଦସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ନିମନ୍ତେ ରବିବାର ଦିନ ଭାରତ ପୁଣି ଥରେ ଚୀନ୍‌କୁ କହିଛି। ଏହି ବୈଠକ ପୂର୍ବ ଲଦାଖରେ ଚୀନର ମୋଲ୍ଡୋରେ ଆୟୋଜିତ ହୋଇଥିଲା।

ସୂତ୍ରାନୁସାରେ, ବୈଠକରେ ଭାରତ କହିଥିଲା ଯେ, ଉଭୟ ଦେଶ ଉତ୍ତେଜନା ହ୍ରାସ ପାଇଁ ପ୍ରୟାସ କରିବା ଉଚିତ । ଏକତରଫା ଭାବେ କୌଣସି ନିଷ୍ପତ୍ତି ନିଆଯାଇପାରିବ ନୁହେଁ । ଏପ୍ରିଲ ୨୦୨୦ ପୂର୍ବରୁ ଯେଉଁଭଳି ଏଲଏସିରେ ସ୍ଥିତି ଥିଲା ତାହା ଫେରି ଆସୁ ବୋଲି ଭାରତ ଜୋର୍ ଦେଇଛି । ତେବେ ଏହାପୂର୍ବରୁ ନଭେମ୍ବର ୬ ତାରିଖରେ ଉଭୟ ଦେଶ ମଧ୍ୟରେ  ଆଲୋଚନା କରିଥିଲେ । ସୀମା ବିବାଦକୁ ନେଇ ପୂର୍ବରୁ ୮ଥର ହେବ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇସାରିଲାଣି। ତଥାପି ଉତେଜନା ବାବଦରେ କୌଣସି ନିସ୍କର୍ସ ବାହାରି ପାରିନାହିଁ । ସୀମାରେ ଅକ୍ତିଆର କରିଥିବା କୌଣସି ସ୍ଥାନ ଛାଡ଼ିବାକୁ ଦୁଇ ପକ୍ଷ ରାଜି ହେଉନାହାନ୍ତି। ଏହି ବିବାଦ ଅଳ୍ପକେ ତୁଟିବା ଭଳି ଜଣାପଡୁନାହିଁ। କିନ୍ତୁ, ଏହା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବାରୁ ସମାଧାନର ବାଟ ନବାହାରିବା ପର୍ଯ୍ୟନ୍ତ ଆଲୋଚନା ଚାଲୁ ରହିବ ବୋଲି ସେମାନଙ୍କ ମଧ୍ୟରୁ ଜଣେ ଅଧିକାରୀ କହିଛନ୍ତି।ସୂଚନାଯୋଗ୍ୟ, ଗତ ବର୍ଷ ମେ ୫ ତାରିଖରୁ ଉଭୟ ଦେଶର ସୈନିକ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ପ୍ରତିକୂଳ ପାଗ ସତ୍ତ୍ୱେ ଲଦାଖରେ ୫୦ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଛି । ଯବାନମାନେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ଉଭୟ ଦେଶ ପୂର୍ବ ଲଦାଖ ସୀମାରେ ନିଜ ନିଜର ସେନା ବଢ଼ାଇବା ସହ ଭାରି ହତିଆର ମୁତୟନ କରିଛନ୍ତି। ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ଭାରତ ଆର୍ଟିଲେରୀ ଗନ୍, ଟ୍ୟାଙ୍କ୍ ମୁତୟନ କରିଛି ।

Leave a Reply

Your email address will not be published. Required fields are marked *