ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲା କୁ ନେଇ କ୍ଷୋଭ ପ୍ରକାଶ କଲେ ଲୋକାୟୁକ୍ତ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗ ମାମଲାରେ ରାଜ୍ୟ ସରକାର ସଂପୂର୍ଣ୍ଣ ତଥ୍ୟ ଦେଇ ନପାରିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଲୋକାୟୁକ୍ତ। ଏ ନେଇ ସୂଚନା ଦେଇଛନ୍ତି ଆବେଦନକାରୀ ସୁଦର୍ଶନ ଦାସ ଏବଂ ତାଙ୍କ ଓକିଲ ସୁଶାନ୍ତ ପାଢ଼ୀ। ଏହି ମାମଲାରେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ପାଇଁ ଲୋକାୟୁକ୍ତ କହିଥିଲେ। ତେବେ ମୁଖ୍ୟ ଶାସନ ସଚିବ ଏକ ଚିଠି ମାଧ୍ୟମରେ ତାଙ୍କର ଉତ୍ତର ରଖିଥିଲେ। କୋଭିଡ୍ ମହାମାରୀ ସମୟରେ କେଉଁ କେଉଁ ଅଧିକାରୀଙ୍କୁ କଣ ଦାୟିତ୍ୱ ଦିଆଯାଇଥିଲା, ସେସବୁର ଉତ୍ତର ଚିଠି ମାଧ୍ୟମରେ ରଖିଥିଲେ। ତେବେ ହେମନ୍ତ ଶର୍ମାଙ୍କୁ ନିଜ ଦାୟିତ୍ୱରୁ କାହିଁକି ଅବ୍ୟାହତି ଦିଆଯାଇଥିଲା, ସେ ସମ୍ପର୍କରେ ମଧ୍ୟ ମୁଖ୍ୟ ଶାସନ ସଚିବ ଉତ୍ତର ରଖିଥିଲେ। ହେମନ୍ତ ଶର୍ମାଙ୍କୁ ନିଜ ଦାୟିତ୍ୱ ସହ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ତେଣୁ ତାଙ୍କ କାର୍ଯ୍ୟଭାର ବଢିବାରୁ ତାଙ୍କୁ ଅବ୍ୟାହତି ଦିଆଯାଇଥିଲା ବୋଲି ଚିଠି ମାଧ୍ୟମରେ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ। ଏପଟେ ସଂପୂର୍ଣ୍ଣ ତଥ୍ୟ ନ ଦେବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଲୋକାୟୁକ୍ତ। ଆଜି ଲୋକାୟୁକ୍ତରେ ପୁଣି ହାଜର ହୋଇଛନ୍ତି ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ। ଯାମିନୀଙ୍କ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା ମଧ୍ୟ ଲୋକାୟୁକ୍ତରେ ହାଜର ହୋଇଛନ୍ତି। ମାମଲାରେ ନିଜ ପକ୍ଷ ରଖିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ଏହା ପୂର୍ବରୁ ମଧ୍ୟ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଥିଲେ ଯାମିନୀ ଷଡ଼ଙ୍ଗୀ ଓ ହେମନ୍ତ ଶର୍ମା। ଆସନ୍ତା ଡିସେମ୍ବର ୭ ରେ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ।

Leave a Reply

Your email address will not be published. Required fields are marked *