ଶାହ କହିଲେ କୌଣସି ପରିସ୍ଥିତିରେ ବି ସିଏଏ ହଟିବନି !

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ) ସଂସଦରେ ପାରିତ ହେବା ପରଠାରୁ ବିରୋଧ ଲାଗି ରହିଛି। ଗତ କିଛି ଦିନରେ ବିରୋଧ ଓ ଆନ୍ଦୋଳନ ସାମାନ୍ୟ ଥମିଛି ସତ, ଏଯାଏ ସମ୍ପୂର୍ଣ୍ଣ ବନ୍ଦ ହୋଇନି। କିନ୍ତୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ସ୍ପଷ୍ଟ କରି ଦେଇଛନ୍ତି କୌଣସି ପରିସ୍ଥିତିରେ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବେ ନାହିଁ। ଏଥି ସହିତ ସରକାର ସିଏଏକୁ ନେଇ ଅଟଳ ରହିଥିବା ଶାହ ସୂଚାଇ ଦେଇଛନ୍ତି। ଆଜି ଲକ୍ଷ୍ନୌଠାରେ ସିଏଏ ସମର୍ଥନରେ ବିଜେପି ଆୟୋଜିତ ଏକ ଶୋଭାଯାତ୍ରାରେ ଯୋଗଦେଇ ଶାହ କହିଥିଲେ, କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ଆଜି ବିରୋଧୀ ଦଳମାନେ ଭୋଟ୍‌ବ୍ୟାଙ୍କ ପଲିଟିକ୍ସ ପାଇଁ ମିଛର ପ୍ରଚାର କରୁଛନ୍ତି। ସୂଚନାଯୋଗ୍ୟ ଯେ, ଗତ କାଲି ଅମିତ ଶାହଙ୍କ ଅନ୍ୟତମ ଅନୁଗତ ତଥା ବରିଷ୍ଠ ନେତା ଜେପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି। ଏହାପରେ ଆଜି ପ୍ରଥମ ଥର ପାଇଁ ଶାହ ଜନସଭାରେ ଯୋଗ ଦେଇଛନ୍ତି। ସେ ଏହି ରାଲିରେ କହିଛନ୍ତି ବିରୋଧୀ ଯେତବେ ବିରୋଧ କରନ୍ତୁ, ସିଏଏ ପ୍ରତ୍ୟାହାର କରିବାର ନାହିଁ। ଶାହ କହିଛନ୍ତି, ୧୦୦ ଥର ଗୋଟିଏ ମିଛକୁ ସତ କହିଲେ ତାହା ସତ ହୋଇଯିବନି। ସିଏଏ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଧର୍ମ ଭିତ୍ତିରେ ନିର୍ଯାତିତ ସଂଖ୍ୟାଲଘୁମାନଙ୍କୁ ନାଗରିକତା ଦେବା ଉଦ୍ଦିଷ୍ଟ। ଏହା କାହାର ନାଗରିକତା ନେବା ଉଦ୍ଦିଷ୍ଟ ନୁହେଁ ବୋଲି ସେ କହିଛନ୍ତି। ଜେଏନ୍‌ୟୁରେ ସ୍ଲୋଗାନ୍‌ ନେଇ ହୋଇଥିବା ଅଭିଯୋଗ ବାବଦରେ ସେ କହିଥିଲେ, ଯେଉଁମାନେ ଏପରି ସ୍ଲୋଗାନ ଦେଉଥିବେ ଏବଂ ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଆହ୍ୱାନ କରୁଥିବେ ସେମାନଙ୍କୁ ଜେଲରେ ପୁରାଇ ଦିଆଯିବ। ସେ ରାହୁଲ ଗାନ୍ଧି, ମମତା ବାନାର୍ଜୀ ଏବଂ ଅଖିଲେଶ ଯାଦବ ଆଦି ବିରୋଧୀ ନେତାଙ୍କୁ ସେ ସିଏଏ ପ୍ରସଙ୍ଗରେ ଖୋଲା ଆଲୋଚନା ପାଇଁ ଆହ୍ୱାନ କରିଥିଲେ। ଏଥିସହ ଏଥିରେ କାହାର ନାଗରିକତା ଯିବାର ଗୋଟିଏ ବି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *