ସିଏଏ ଲାଗୁ କରିବାକୁ କୌଣସି ରାଜ୍ୟ ମନା କରିପାରିବେ ନାହିଁ: କପିଲ ସିବଲ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ନ କରିବା ପାଇଁ ରାଜ୍ୟମାନଙ୍କ ପାଖରେ କୌଣସି ବାଟ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି। ସେ କହିଛନ୍ତି ସଂସଦରେ ପାରିତ ହୋଇଥିବାରୁ ଏହାକୁ ମନା କରି ଅଟକାଇବା ଅସମ୍ଭବ। ଏପରି କରିବା ଅସାମ୍ବିଧାନିକ ବୋଲି ସେ କହିଛନ୍ତି। ଜଣେ ଆଇନଜୀବୀ ଭାବେ ଜଣାଶୁଣା କପିଲ କହିଛନ୍ତି, “ସିଏଏ ପାରିତ ହୋଇଛି ମାନେ କୌଣସି ରାଜ୍ୟ କହିପାରିବେ ନାହିଁ ଯେ ଆମେ ଲାଗୁ କରିବୁ ନାହିଁ। ଏହା ଅସମ୍ଭବ ଏବଂ ଅସାମ୍ବିଧାନିକ। ଏହାକୁ ଆପଣ ବିରୋଧ କରିପାରନ୍ତି, ଏହା ବିରୋଧରେ ବିଧାନସଭାରେ ସଂକଳ୍ପ ପାରିତ କରିପାରନ୍ତି ଏବଂ କେନ୍ଦ୍ରକୁ ସିଏଏ ପ୍ରତ୍ୟାହାର କରିବାକୁ କହିପାରନ୍ତି। କିନ୍ତୁ ସାମ୍ବିଧାନିକ ଭାବେ ଦେଖିଲେ, ମୁଁ ଲାଗୁ କରିବିନି କହିବା କେବଳ ଜଟିଳତା ଆଡ଼କୁ ଟାଣିନେବ। ଏହା ଆହୁରି ସମସ୍ୟା ସୃଷ୍ଟି କରିବ।”ପୂର୍ବରୁ କେରଳ ସରକାର ସିଏଏ ବିରୋଧରେ ବିଧାନସଭାରେ ସଂକଳ୍ପ ପାରିତ କରି ଘୋଷଣା କରିଥିଲେ, ଏହା “ସମ୍ବିଧାନରେ ବର୍ଣ୍ଣିତ ସମାନତା, ସ୍ୱତନ୍ତ୍ରତା ଏବଂ ଧର୍ମନିରପେକ୍ଷତାକୁ ଉଲ୍ଲଂଘନ କରୁଛି।” କୌଣସି ରାଜ୍ୟ ସରକାର ଭାବେ କେରଳ ପ୍ରଥମେ ଏହି ଆଇନକୁ ଚ୍ୟାଲେଞ୍ଜ କରିଥିଲା ଏବଂ ପଞ୍ଜାବ ମଧ୍ୟ କେରଳର ପଥ ଅନୁସରଣ କରିଥିଲା। ଏହା ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟ ମୌଖିକ ଭାବେ ବିରୋଧ କରିଥିଲେ। ତେବେ ଏହାକୁ ନେଇ କପିଲ କହିଛନ୍ତି, ସେମାନେ କହୁଛନ୍ତି ଆମେ ଲାଗୁ କରିବୁ ନାହିଁ। ଏହା ତାହା ସେମାନେ କିପରି କରିବେ କହୁଛନ୍ତି। ସେ କହିଛନ୍ତି, “ଏନ୍‌ପିଆର ଭିତ୍ତିରେ ଏନ୍‌ଆରସି ଆସିବ। ଏନ୍‌ପିଆର ସ୍ଥାନୀୟ ରେଜିଷ୍ଟ୍ରାର ଲାଗୁ କରିବେ। ଏବେ ସ୍ଥାନୀୟ ରେଜିଷ୍ଟ୍ରାର ରାଜ୍ୟସ୍ତରୀୟ ଅଧିକାରୀ ଜଣେ ହିଁ ହେବେ। କୁହାଯାଉଛି ଏହି ଅଧିକାରୀଙ୍କୁ ୟୁନିଅନ୍‌ ଅଫ୍‌ ଇଣ୍ଡିଆ ସହ ଅସହଯୋଗ କରିବାକୁ କୁହାଯିବ। ତାହା ହିଁ କୁହାଯାଉଛି। ସତରେ ଏହା ସମ୍ଭବ କି ନା, ମୁଁ ଜାଣିନି। କିନ୍ତୁ ସମ୍ବିଧାନ ଅନୁଯାୟୀ, ଏହା ସଂସଦରେ ପାରିତ ହୋଇଥିବାରୁ ରାଜ୍ୟ ସରକାରଙ୍କ ପାଇଁ ମୁଁ ଲାଗୁ କରିବି ନାହିଁ କହିବା କଷ୍ଟକର ହେବ।”

Leave a Reply

Your email address will not be published. Required fields are marked *