କଶ୍ମୀର ପଣ୍ଡିତଙ୍କ ହୃଦୟଥରା ଗାଥା ବଖାଣିବ ‘ଶିକାରା’, ଆସିଲା ଟ୍ରେଲର ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ): ଭାରତ ଇତିହାସରେ ଅନ୍ୟତମ ଦୁଃଖଦ ଅଙ୍ଗ କୁହାଯାଉଥିବା କଶ୍ମୀର ପଣ୍ଡିତମାନଙ୍କ ଜମ୍ମୁ-କଶ୍ମୀର ଛାଡ଼ିବା କାହାଣୀ ଆଜିବି ଅଜଣା ହୋଇ ରହିଛି। ବର୍ତ୍ତମାନ କଶ୍ମୀର ପ୍ରସଙ୍ଗ ଚର୍ଚ୍ଚାରେ ଥିବାବେଳେ ପ୍ରସିଦ୍ଧ ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା ଏହାକୁ ନେଇ ଏକ ଫିଲ୍ମ ଆଣିବାକୁ ଯାଉଛନ୍ତି। ୧୯୯୦ ମସିହାରେ କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଆସିବାକୁ ଥିବା ଏହି ଫିଲ୍ମରେ ସେମାନେ ଘର ଛାଡ଼ିବାର କାରଣ ସହ ଜଡ଼ିତ କାହାଣୀ ରହିଥିବା କୁହାଯାଉଛି।

ଏହି ଫିଲ୍ମରେ ଦୁଇ ନବାଗତ ସାଦିଆ ଏବଂ ଆଦିଲ ଖାନ୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ସତ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ବୟାନ କରାଯାଇଛି ୧୯୯୦ ମସିହା ଜାନୁଆରୀରେ କିଭଳି ହଜାର ହଜାର କଶ୍ମିରୀ ପଣ୍ଡିତ କିଭଳି ଭିଟାମାଟି ଛାଡ଼ି ହିନ୍ଦୁ ବହୁଳ ଅନ୍ୟ ଅଞ୍ଚଳ ଆଡ଼କୁ ମୁହାଁଇଥିଲେ।

୨ ମିନିଟ୍‌ ୩୪ ସେକେଣ୍ଡର ଏକ ଟ୍ରେଲର ଆରମ୍ଭରେ ଏକ ରୋମାଣ୍ଟିକ୍‌ ଦୃଶ୍ୟ ରହିଛି। ଏକ ଦମ୍ପତ୍ତି ବେଶ୍‌ ଖୁସିଥିବା ଏହି ଦୃଶ୍ୟରେ ଦେଖାଯାଇଛି। କିନ୍ତୁ ହଠାତ ସବୁକିଛି ବଦଳିଯାଉଛି। ସେମାନେ ବାହାରେ ହୋହଲ୍ଲା ଶୁଣି ଚମକି ପଡ଼ୁଛନ୍ତି। ଦେଖିବାବେଳକୁ ବାହାରେ ନିଆଁ ଏବଂ ଧମକପୂର୍ଣ୍ଣ ଆହ୍ୱାନ। ଏଥିରେ କିଛି ପୁରୁଣା ଭିଡିଓ ଏବଂ ନ୍ୟୁଜ୍‌ କ୍ଲିପ୍‌ ମଧ୍ୟ ଯୋଡ଼ାଯାଇଛି। ଶେଷରେ କଶ୍ମୀର ପଣ୍ଡିତମାନେ ଶରଣାର୍ଥୀ କ୍ୟାମ୍ପରେ ଥିବା ଦେଖିବାକୁ ମିଳୁଛି।

ଆସନ୍ତା ଫେବୃଆରୀ ୭ ତାରିଖରେ ଏହି ଫିଲ୍ମ ରିଲିଜ୍‌ ହେବ। ଏହା ପୂର୍ବରୁ ଡିସେମ୍ବର ୨୦ରେ ଏହାର ମୋସନ୍‌ ପୋଷ୍ଟର ରିଲିଜ୍‌ ହୋଇଥିଲା। ଏହି ଫିଲ୍ମଟି ବିଧୁ ବିନୋଦ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ପ୍ରଯୋଜିତ। ଏହାର ସ୍କ୍ରିନ୍‌ପ୍ଲେ ବିଧୁ ବିନୋଦ ଚୋପ୍ରାଙ୍କ ସହ ରାହୁଲ ପଣ୍ଡିତ ଏବଂ ଅଭିଜାତ ଯୋଷୀ ମିଳିତ ଭାବେ ରଚନା କରିଛନ୍ତି। ଏଆର ରେହମାନ୍‌ ଏବଂ ମ୍ୟୁଜିକାଲ ଗ୍ରୁପ୍‌ କୁତାବ୍‌ ଏ କୃପା ଏହାର ସଂଗୀତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *