ବାରିପଦା ଓ କେନ୍ଦ୍ରାପଡ଼ାରେ ଆଜି ଗଡ଼ିବ ରଥ…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗତକାଲି ପୁରୀରେ ଲକ୍ଷାଧୀକ ଭକ୍ତଙ୍କ ଗହଳିରେ ରଥ ଗଡ଼ି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିବା ବେଳେ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ଗଡ଼ିବ ରଥ । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀର ଗୁଣ୍ଡିଚା ଯାତ୍ରା ଦିନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ତିନି ଠାକୁରଙ୍କ ପହଣ୍ଡି କରା ଯାଇଥାଏ। ପୁରୀ ରଥ ଯାତ୍ରାର ପର ଦୁଇ ଦିନ ଧରି ବାରିପଦାରେ ରଥ ଟଣାଯାଇଥାଏ। ତେଣୁ ବାରିପଦାରେ ଗତକାଲି ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିବା ବେଳେ ଆଜି ହେବ ରଥଟଣା । ଗତକାଲି ପରିଛାଙ୍କ ଦ୍ଵାରା ଛେରାପହଁରା ସେବା ପରେ ତିନି ଠାକୁରଙ୍କ ଗୋଟି ପହଣ୍ଡି କରାଯାଇ ରଥ ଉପରକୁ ଅଣା ଯାଇଥିଲା। ଶହ ଶହ ଭକ୍ତଙ୍କ ଗହଳି ଭିତରେ ରଥାରୂଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ଭକ୍ତମାନେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ମାଉସୀ ମା’ ମନ୍ଦିର ଯାଏଁ ଟାଣି ନେବେ । ଏହାପରେ କେବଳ ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥ ଅଧାବାଟ ଯାଏଁ ଟାଣି ନେବେ । ଆସନ୍ତାକାଲି ପୁଣି ସୁଭଦ୍ରାଙ୍କ ରଥ ଟଣା ହେବ ଏବଂ ପରେ ଜଗନ୍ନାଥଙ୍କ ରଥ ଟଣା ଯିବ । ବାରିପଦାରେ ପୁରୀ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ନେଇଥାନ୍ତି। କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ବାରିପଦାରେ ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ଆୟୋଜିତ ହେଉଛି । ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ମଧ୍ୟ ଆଜି ଅନୁଷ୍ଠିତ ହେବ ରଥଯାତ୍ରା । ରୀତିନୀତି ଅନୁଯାୟୀ ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଛି । ପରମ୍ପରା ଅନୁଯାୟୀ ରଥକୁ କିଛି ବାଟ ଟଣାଯାଇ ଦେବୋତ୍ତର ବିଭାଗ ଓ ରଘୁନାଥଜୀଉ ମଠ ପାଖରେ ବ୍ରହ୍ମତାଳଧ୍ୱଜ ରଥ ଅଟକିଛି । ଆଜି ନୀତିକାନ୍ତି ପରେ ଆରମ୍ଭ ହେବ ରଥଟଣା । ତୁଳସୀକ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ରଥଯାତ୍ରା ନିମନ୍ତେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି।

