ଭିଜିଲାନ୍ସ ଜାଲରେ ପିଆଇଏର ପ୍ରୋଜେକ୍ଟ ଆସୋସିଏଟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର/କନ୍ଧମାଳ)- ପ୍ରତିଦିନ ଭିଜିଲାନ୍ସ ଜାଲ୍‌ରେ ଧରାପଡ଼ୁଛନ୍ତି ସରକାରୀ ବାବୁ। ସେମାନଙ୍କ ଠାରୁ ମିଳୁଛି କୋଟିକୋଟି ଟଙ୍କାର ବେଆଇନ ସମ୍ପତ୍ତି। ଏହିକ୍ରମରେ ଆଜି ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ପିଆଇଏର ଜଣେ ପ୍ରୋଜେକ୍ଟ ଆସୋସିଏଟ। ଏହି ବାବୁ ଜଣଙ୍କ ପୋଖରୀ ଖୋଳା ବିଲ୍‌ କରାଇ ଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିବାରେ ସକ୍ଷମ ହୋଇଛି। ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଲାଞ୍ଚୁଆ ବାବୁ ଜଣଙ୍କ ହେଲେ ନଗେନ୍ଦ୍ରନାଥ ସ୍ୱାଇଁ। ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ନଗେନ୍ଦ୍ରନାଥ ସ୍ୱାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅନ୍ତର୍ଗତ ତୁମୁଡ଼ିବନ୍ଧରେ ପିଆଇଏର ପ୍ରୋଜେକ୍ଟ ଆସୋସିଏଟ ଭାବେ କାମ କରନ୍ତି। ତାଙ୍କୁ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କୁଟାମଗୁଡା ନିକଟରୁ ଭିଜିଲାନ୍ସ ଧରିଛି। ଶ୍ରୀ ସ୍ୱାଇଁ ଦୁପି ଓ ଇଡିପଦର ଗାଁରେ ଚାଷ ପାଇଁ ୪ ଜଣ ଲୋକ ଖୋଳିଥିବା ପୋଖରୀର ବିଲ୍‌ କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ଏଥିପାଇଁ ୫୦ ହଜାର ଟଙ୍କାର ଡିଲ୍‌ ହୋଇଥିଲା। ତେବେ ଜଣେ ବ୍ୟକ୍ତିଙ୍କ ଠାରୁ ଶ୍ରୀ ସ୍ୱାଇଁ ଡିଲ୍‌ ମୁତାବକ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ତାଙ୍କ ଠାରୁ ଲାଞ୍ଚ ପାଇଁ ମିଳିଥିବା ୫୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଘଟଣା ପରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ନଗେନ୍ଦ୍ରନାଥ ସ୍ୱାଇଁଙ୍କ ନାଁରେ ମାମଲା କରାଯାଇଛି। ଏବେ ତାଙ୍କର ବିଭିନ୍ନ ଠିକଣାରେ ରେଡ୍‌ କରାଯାଇଛି। ରେଡ୍‌ ଶେଷ ହେବା ପରେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି।

Leave a Reply

Your email address will not be published. Required fields are marked *