ହାଇକମାଣ୍ଡଙ୍କୁ ସିଦ୍ଧୁଙ୍କ ଚେତାବନୀ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଞ୍ଜାବ କଂଗ୍ରେସରେ ଚାଲିଥିବା ରାଜନୀତି ଜାରି ରହିଛି। ଏହା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ଏହା ମଧ୍ୟରେ କଂଗ୍ରେସ ନେତୃତ୍ୱକୁ ଖୋଲା ଚେତାବନୀ ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଦ୍ଧୁ। ସେ କହିଛନ୍ତି ଯେ ଯଦି ତାଙ୍କୁ ନିଷ୍ପତ୍ତି ନେବାକୁ ଦିଆଯିବ ନାହିଁ, ତା’ହେଲେ ସେ କାହାକୁ ଛାଡ଼ିବେ ନାହିଁ। ସିଦ୍ଧୁ କହିଛନ୍ତି, ‘ମୁଁ ହାଇକମାଣ୍ଡଙ୍କୁ କହି ଦେଇଛି ଯେ ଯଦି ଆପଣ ମୋତେ ନିଷ୍ପତ୍ତି ନେବାକୁ ଦେବେ ନାହିଁ, ତା’ହେଲେ ମୁଁ କାହାକୁ ଛାଡ଼ିବି ନାହିଁ। ମୁଁ ଏକ ସୁଦୃଶ୍ୟ ଘୋଡ଼ା ହୋଇ ରହିବା ପାଇଁ ଚାହେଁ ନାହିଁ।’ ସେ ଆହୁରି କହିଛନ୍ତି, ‘ନିଷ୍ପତ୍ତି ନିଆଯିବା ଦରକାର। ଶିଳ୍ପ ବିନା କୌଣସି ରାଜ୍ୟ ଉନ୍ନତି କରିପାରିବ ନାହିଁ। ଅନ୍ୟ ଦେଶ ଗୁଡ଼ିକ ସହିତ ବ୍ୟବସାୟ ଆରମ୍ଭ କରାଯିବା ଦରକାର। ପଞ୍ଜାବବାସୀ ଏବେ ଆଶାଶୂନ୍ୟ ହୋଇଯାଇଛନ୍ତି। ମାଲବିନ୍ଦର ସିଂହ ମାଲି ଆଜି ସିଦ୍ଧୁଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ଆଉ ତା’ପରେ ସିଦ୍ଧୁ ଏଭଳି ମନ୍ତବ୍ୟ ଦେଇଛନ୍ତି। ମାଲବିନ୍ଦର କଶ୍ମୀରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ତାଙ୍କୁ ଦଳ ଭିତରୁ ବି ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହା ପରେ ତାଙ୍କୁ ପରାମର୍ଶଦାତା ପଦରୁ ବାହାର କରିବାକୁ ସିଦ୍ଧୁଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପକ୍ଷରେ ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ପଞ୍ଜାବ ପ୍ରଭାରୀ ହରିଶ ରାଓ୍ୱତ କହିଛନ୍ତି ଯେ ଦଳର ରାଜ୍ୟ ମୁଖ୍ୟମାନେ ସେମାନଙ୍କର ନିଷ୍ପତ୍ତି ଦଳୀୟ ନୀତି ଓ ସମ୍ବିଧାନ ମଧ୍ୟରେ ରହି ନେଇପାରିବେ। ଯଦି ସେମାନେ ନିଷ୍ପତ୍ତି ନ ନେବେ ଆଉ କିଏ ନେବ। ଏହା ସହିତ ପଞ୍ଜାବର ଦଳୀୟ ନେତାମାନଙ୍କୁ ସେ ଚେତାବନୀ ଦେଇଛନ୍ତି ଯେ ସେମାନେ ଏମିତି କିଛି କାମ ନକରନ୍ତୁ, ଯାହା ଦ୍ୱାରା ଦଳର ଛବି ଖରାପ ହେବ।

Leave a Reply

Your email address will not be published. Required fields are marked *