ଧାରା ୬୬-କ ରଦ୍ଦ କରିଥିବା ବିଚାରପତି ନେଲେ ଅବସର…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ଆର. ଏଫ୍. ନରିମାନ ଆଜି ଅବସର ନେଇଛନ୍ତି। ଜଷ୍ଟିସ ନରିମନ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ରାୟ ଶୁଣାଇଛନ୍ତି। ତନ୍ମଧ୍ୟରୁ ଧାରା ୬୬-କ ରଦ୍ଦ ରାୟ ଅନ୍ୟତମ। ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନ୍ନା ଏହି ଅବସରରେ କହିଛନ୍ତି, ଶ୍ରେୟା ସିଙ୍ଗଲ ମାମଲାରେ ଜଷ୍ଟିସ ନରିମାନଙ୍କ ରାୟ ସବୁଦିନ ପାଇଁ ମନେ ରହିବ। ସେହି ମାମଲାରେ ଆଇଟି ଆକ୍ଟର ଧାରା ୬୬-କ ରଦ୍ଦ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନ ବିଚାରପତି କହିଛନ୍ତି, ଶାୟରା ବାନୋ ମାମଲା ହେଉ ଅବା ଶ୍ରେୟା ସିଙ୍ଗଲ ଭଳି ମାମଲାର ବିଚାର କରିଛନ୍ତି ଜଷ୍ଟିସ ନରିମାନ। ଯାହାକି ଦେଶର ନ୍ୟାୟପାଳିକା ପାଇଁ ଅବିସ୍ମରଣୀୟ ହୋଇ ରହିବ। ଜଷ୍ଟିସ ନରିମାନ ସମସାମୟିକ ନ୍ୟାୟିକ ବ୍ୟବସ୍ଥାର ଅନ୍ୟତମ ପିଲର (ଖମ୍ବ) ଥିଲେ। ସେ ଜଣେ ନୀତିନିୟମ ପ୍ରତି ସଜାଗ ଥିବା ବ୍ୟକ୍ତି। ସେ ନୀତିନିୟମ ଉପରେ ଅଡି ରହୁଥିଲେ।ପ୍ରଧାନ ବିଚାରପତି ଜଷ୍ଟିସ ନରିମାନଙ୍କ ଏକାଡେମିକ୍ ଏବଂ ଆଇନଗତ ଯାତ୍ରା ବିଷୟରେ ବର୍ଣ୍ଣନା କରି କହିଛନ୍ତି, ଜୁଲାଇ ୭, ୨୦୧୪ରେ ବାରରୁ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ ନରିମାନ। ସେ ସିଧାସଳଖ ବିଚାରପତି ହେବା ପୂର୍ବରୁ ପ୍ରାୟ ୩୫ ବର୍ଷ ଧରି ଆଇନ ପ୍ରାକ୍ଟିସ କରିଥିଲେ। ସେ ପ୍ରାୟ ୧୩,୫୬୫ ମାମଲାର ବିଚାର କରିଥିଲେ। କହିରଖୁଛୁ, ଜଷ୍ଟିସ ଆର. ଏଫ. ନରିମାନ ହେଉଛନ୍ତି ପଞ୍ଚମ ବ୍ୟକ୍ତି ଯିଏକି ଆଇନଜୀବୀରୁ ସିଧାସଳଖ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଜଷ୍ଟିସ ନରିମାନଙ୍କୁ ଭାଇ ବୋଲି ସମ୍ବୋଧନ କରି ଜଷ୍ଟିସ ରମନ୍ନା କହିଛନ୍ତି, ନ୍ୟାୟିକ ଅନୁଷ୍ଠାନର ଜଗୁଆଳୀ ସାଜିଥିବା ସିଂହମାନଙ୍କ ମଧ୍ୟରୁ ଆଜି ଜଣକୁ ହରାଉଛି। ପ୍ରଧାନ ବିଚାରପତିଙ୍କ କୋର୍ଟରେ ବିଦାୟ ସମାରୋହ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା।​ ଜଷ୍ଟିସ ନରିମାନଙ୍କୁ ବିଦାୟ ଦେବା ପାଇଁ ଅନେକ ବରିଷ୍ଠ ଓକିଲ ତଥା ଜୁନିଅର ଓକିଲ ଏକାଠି ହୋଇଥିଲେ। ହେଲେ ଜଷ୍ଟିସ ନରିମାନ ଏହି ଅବସରରେ ଗୋଟିଏ ବି ଶବ୍ଦ ମଧ୍ୟ କହି ନଥିଲେ।

Leave a Reply

Your email address will not be published. Required fields are marked *