ନିରଞ୍ଜନଙ୍କ ଫତୱା: ମୁଖପାତ୍ରଙ୍କ ବିନା ଅନ୍ୟ କଂଗ୍ରେସ ନେତାଙ୍କୁ ମିଡିଆ ମନା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟରେ ନିଜର ସାଂଗଠନିକ ଅସ୍ତିତ୍ୱକୁ ନେଇ କଂଗ୍ରେସ ସଂଘର୍ଷ କରୁଥିବାବେଳେ ଓଡ଼ିଶା ପିସିସିି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଦଳର ନେତାମାନଙ୍କ ପାଇଁ ନୂଆ ଫତୱା ଜାରି କରିଛନ୍ତି। ନବନିଯୁକ୍ତ ଓଡ଼ିଶା ପିସିସି ମିଡିଆ କମିଟିର ସଦସ୍ୟ ଓ ପଦାଧିକାରୀମାନଙ୍କୁ ଆଜି ଶ୍ରୀ ପଟ୍ଟନାୟକ ଗୁରୁମନ୍ତ୍ର ଦେବା ଅବସରରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଦଳ ପକ୍ଷରୁ ଜାରି ପ୍ରେସ୍ ସୂଚନା ଅନୁସାରେ, ଆଜି କଂଗ୍ରେସ ଭବନ ପରିସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନବନିଯୁକ୍ତ ପିସିସି ମିଡିଆ କମିଟି ଅଧ୍ୟକ୍ଷ ଓ ଆବାହକଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଯେଉଁମାନେ ଦଳର ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି ସେମାନଙ୍କର ତାଲିକା ରାଜ୍ୟର ଗଣମାଧ୍ୟମକୁ ପ୍ରଦାନ କରିବା ସହିତ ବୈଦ୍ୟୁତିକ ଗଣମାଧ୍ୟମ କେବଳ ସେହି ମୁଖପାତ୍ରଙ୍କ ଛଡ଼ା କଂଗ୍ରେସରୁ ଅନ୍ୟ କାହାରିକୁ ଡାକିପାରିବେ ନାହିଁ କିମ୍ବା ସେମାନେ ମଧ୍ୟ ଗଣମାଧ୍ୟମ ଆଗରେ ଦଳୀୟ କଥା ରଖିପାରିବେ ନାହିଁ। ଅର୍ଥାତ୍ ଏହି ଫତୱା ଜାରି କରି ଶ୍ରୀ ପଟ୍ଟନାୟକ ଉଭୟ କଂଗ୍ରେସ ନେତା ଓ ରାଜ୍ୟର ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାକୁ ନିୟନ୍ତ୍ରଣ କରିବାକୁ ପଛାଇ ନାହାନ୍ତି । ଗଣମାଧ୍ୟମ ସଂସ୍ଥା କାହାକୁ ଡାକିବେ ଅବା ନଡାକିବେ ତାହା ପିସିସି ସଭାପତି ଓ ତାଙ୍କ ଟିମ୍ ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଛି। ଏହାସହିତ ଶ୍ରୀ ପଟ୍ଟନାୟକ ନିଜର ମୁଖପାତ୍ର ଟିମକୁ ଗୁରୁମନ୍ତ୍ର ଦେଇ କହିଛନ୍ତି ଯେ, ଆପଣମାନେ ହେଉଛନ୍ତି କଂଗ୍ରେସ ଦଳର ଆଖି, କାନ ଓ ପାଟି। କଂଗ୍ରେସର ଯୋଜନା,ନୀତି,ଆର୍ଦଶ ଓ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ରାଜ୍ୟ ଓ ଦେଶର ପ୍ରସଙ୍ଗକୁ ଉପଯୁକ୍ତ ଢଙ୍ଗରେ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ସାମନାରେ ମୁଖପାତ୍ରମାନେ ରଖିବେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ କଠୋର ଭାବେ ସମାଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହେବ। ଦଳର ଗଣମାଧ୍ୟମ ବିଭାଗର କର୍ମକର୍ତ୍ତାମାନେ ପ୍ରତ୍ୟେକ ଜିଲ୍ଲାର ଗଣମାଧ୍ୟମ କର୍ମକର୍ତ୍ତା ତଥା ରାଜ୍ୟ ଯୁବ ଓ ଛାତ୍ର ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ କରିବା ସହିତ ସେମାନଙ୍କୁ ଟ୍ରେନିଂ ପ୍ରଶିକ୍ଷଣ ଦେବାକୁ ଶ୍ରୀ ପଟ୍ଟନାୟକ କହିଛନ୍ତି। ରାଜ୍ୟ କଂଗ୍ରେସର ଗଣମାଧ୍ୟମ ବିଭାଗର ମୁଖପାତ୍ର ତଥା ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ, ଆବାହକ, ସଂଯୋଜକ ଓ ସାମାଜିକ ଗଣମାଧ୍ୟମ ବିଭାଗର ମୁଖ୍ୟ, ରାଜ୍ୟ ଯୁବ ଓ ଛାତ୍ର ବିଭାଗର ମୁଖପାତ୍ରମାନଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପିସିସି ମିଡିଆ କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଆବାହକ ସତ୍ୟପ୍ରକାଶ ନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ବିଜୟଲକ୍ଷ୍ମୀ ସାହୁ, ଦେବାଶିଷ ପଟ୍ଟନାୟକ, ମିଡିଆ କମିଟି ସଦସ୍ୟ ମନୋରଞ୍ଜନ ଦାଶ, ମନୋଜ ମହାପାତ୍ର, ଜ୍ଞାନଦେବ ବେଉରା, ସସ୍ମିତା ବେହେରା, ଗୋବିନ୍ଦ ଚନ୍ଦ୍ର ଭୂୟାଁ, ପଦ୍ମାକର ଗୁରୁ, ଅମୀୟ ପାଣ୍ଡବ, ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର, ଦୀପକ ମହାପାତ୍ର, ନଳିନୀ ନାୟକଙ୍କ ସମେତ ରାଜ୍ୟ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *