ଭୁବନେଶ୍ୱରରେ ସେଞ୍ଚୁରୀ ମାରିଲା ପେଟ୍ରୋଲ ଦର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜଧାନୀ ଭୁବନେଶ୍ୱରରେ ସେଞ୍ଚୁରୀ ମାରିଛି ପେଟ୍ରୋଲ ଦର। ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ଶହେ ଟଙ୍କା ଟପିଥିବା ବେଳେ ଆଜି ଭୁବନେଶ୍ୱରରେ ଏହା ଶହେ ଅତିକ୍ରମ କରିଛି। ଏହା ପୂର୍ବରୁ ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଥିଲା। ଆଜି ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୧ ପଇସା ରହିଛି। ସେହିପରି ଡିଜେଲ ଦର ଲିଟର ପିଛା ୯୭.୨୫ ପଇସା ରହିଛି। ସେହିପରି କଟକରେ ମଧ୍ୟ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି। ଏଠାରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୨୭ ପଇସା ରହିଛି। ମାଲକାନଗିରିରେ ପୂର୍ବରୁ ପେଟ୍ରୋଲ ଦର ଶହେ ପାର୍ କରିଥିଲା ବେଳେ ଆଜି ସେଠାରେ ଏହାର ଦର ଲିଟର ପିଛା ୧୦୫ ଟଙ୍କା ୨ ପଇସା ରହିଛି। ସେହିପରି ଡିଜେଲ ଦାମ୍‌ ଲିଟର ପିଛା ୧୦୨ ଟଙ୍କା ୧୦ ପଇସା ରହିଛି। ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କୁ ଏହା ଖୁବ୍ ବାଧୁଛି। ଏନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। କରୋନା ପାଇଁ ଲକ୍‌ଡାଉନ୍‌ ହେଉଥିବା ଯୋଗୁ ଅନେକ ଲୋକଙ୍କ ଆୟ ପ୍ରଭାବିତ ହୋଇଥିବା ବେଳେ ଏହି ସମୟରେ ତୈଳ ଦରରେ ଅହେତୁକ ବୃଦ୍ଧି ସେମାନଙ୍କୁ ଖୁବ୍ ବାଧୁଛି। ଏଥିପାଇଁ ସାଧାରଣ ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ରାଜନୀତି ନ କରି ତୈଳ ଦର ହ୍ରାସ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବାକୁ ସାଧାରଣରେ ଦାବି ହେଉଛି। ତୈଳ ଦର ବଢୁଥିବା ବେଳେ ରାଜ୍ୟରେ ଗୁରୁବାର (ଗତକାଲି) ଠାରୁ ବସ୍ ଭଡ଼ା ମଧ୍ୟ ବଢ଼ିଛି। ଅଟୋମେଟିକ ମେକାନିଜିମ ଆଧାରରେ ବସ ଭଡ଼ା ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ୍‌ର ଭଡ଼ା କିଲୋମିଟର ପିଛା ୪ ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସରେ ୮ ପଇସା ବଢ଼ିଛି। ସେହିଭଳି ସୁପର ପ୍ରିମିୟମ୍‌ ବସ୍‌ର ଭଡ଼ା କିଲୋମିଟର ପିଛା ୧୨ ପଇସା ବୃଦ୍ଧି ହୋଇଛି। ସୂଚନାଯୋଗ୍ୟ, ରାଜ୍ୟର ୨୦ଟି ଜିଲ୍ଲାରେ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଛି। ଗତକାଲି ଠାରୁ ଏହି ସବୁ ଜିଲ୍ଲା ବସ୍‌ ଗଢ଼ିଲାଣି।

Leave a Reply

Your email address will not be published. Required fields are marked *