ଆଇସିସି ଟେଷ୍ଟ ରାଙ୍କିଙ୍ଗ: ସର୍ବୋଚ୍ଚ ସ୍ଥାନରେ ରବୀନ୍ଦ୍ର ଜାଡେଜା..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଭାରତକୁ ହରାଇ ଟେଷ୍ଟ କ୍ରିକେଟର ଚାମ୍ପିୟନ ହୋଇଛି ନ୍ୟୁଜିଲ୍ୟାଣ୍ଡ। ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଟିମ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କୌଣସି ଆଖି ଦୃଶିଆ ପ୍ରଦର୍ଶନ କରି ନଥିଲେ ହେଁ ଆଇସିସି ରାଙ୍କିଙ୍ଗରେ ତାଙ୍କୁ ଫାଇଦା ମିଳିଛି। ଏବେ ସେ ଟେଷ୍ଟ କ୍ରିକେଟର ଅଲରାଉଣ୍ଡର ତାଲିକାରେ ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କୁ ପଛରେ ପକାଇ ସର୍ବୋଚ୍ଚ ସ୍ଥାନ ଦଖଲ କରିଛନ୍ତି। ୨୦୧୭ ଅଗଷ୍ଟ ପରେ ଜାଡେଜା ଏହି ସ୍ଥାନକୁ ପୁଣି କମବ୍ୟାକ କରିଛନ୍ତି। ତାଙ୍କ ପାଖରେ ୩୮୬ ପଏଣ୍ଟ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ହୋଲ୍ଡରଙ୍କ ପଏଣ୍ଟ ସଂଖ୍ୟା ୩୮୪ ରହିଛି। ପୂର୍ବଭଳି ବେନ ଷ୍ଟୋକ୍ସ ୩ନଂ ସ୍ଥାନରେ ରହିଥିବା ବେଳେ ଭାରତର ରବି ଅଶ୍ୱିନ ୪ନଂ ଓ ସାକିବ ଅଲ ହାସନ ୫ନଂ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ଘରୋଇ ୱେଷ୍ଟଇଣ୍ଡିଜକୁ ୨-୦ରେ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କ୍ୱିଣ୍ଟନ ଡି’କକ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦କୁ ଫେରିଛନ୍ତି। ସେ ଏବେ ୭୧୭ ପଏଣ୍ଟ ସହ ୧୦ନଂ ସ୍ଥାନରେ ରହିଛନ୍ତି। ଷ୍ଟିଭ ସ୍ମିଥ, କେନ ୱିଲିୟମସନ ଓ ମାର୍ନସ ଲାବୁଶେନ ଯଥାକ୍ରମେ ୧ରୁ ୩ ମଧ୍ୟରେ ରହିଛନ୍ତି। ବିରାଟ କୋହଲି ୪ନଂରେ, ୫ନଂରେ ଜୋ ରୁଟ, ୬ନଂରେ ଋଷଭ ପନ୍ତ, ୭ନଂରେ ରୋହିତ ଶର୍ମା, ୮ନଂରେ ହେନେରି ନିକୋଲ୍ସ ଓ ୯ନଂରେ ଡେଭିଡ ୱାର୍ଣ୍ଣର ରହିଛନ୍ତି।

Leave a Reply

Your email address will not be published. Required fields are marked *