୩ ଦଶନ୍ଧି ପରେ ଛୋଟ ପରଦାକୁ ଫେରୁଛନ୍ତି ସୀତା…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ୩୦ରୁ ଅଧିକ ବର୍ଷ ତଳେ ସାଗର ପ୍ରଡକ୍ସନ ହାଉସର ପୌରାଣିକ ଧାରାବାହିକ ‘ରାମାୟଣ’ରେ ସୀତା ଚରିତ୍ରରେ ଅଭିନୟ କରି ରାତାରାତି ଷ୍ଟାର ପାଲଟି ଯାଇଥିବା ଦୀପିକା ଚିଖଲିଆ ପୁଣି ଥରେ ଛୋଟ ପରଦାକୁ ଫେରିଛନ୍ତି। ଗତ ବର୍ଷ ଲକ୍‌ଡାଉନ୍‌ ବେଳେ ‘ରାମାୟଣ’ର ପୁନଃପ୍ରସାରଣ କରାଯାଇଥିଲା। ୩୦ରୁ ଅଧିକ ବର୍ଷ ବିତି ଯାଇଥିଲେ ବି ଏହି ଧାରାବାହିକର କ୍ରେଜ୍‌ କମି ନାହିଁ ବୋଲି ଗତ ବର୍ଷ ଏହା ପୁଣି ପ୍ରମାଣିତ ହୋଇଥିଲା। ଦେଶର କୋଟି କୋଟି ଦର୍ଶକ ଏହାକୁ ଦେଖିଥିଲେ। ଆଉ ପୁଣି ଚର୍ଚ୍ଚାର ପରିସରକୁ ଆସିଥିଲେ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା କଳାକାର। ଏମିତିକି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ପୁଣି କ୍ୟାମେରା ସମ୍ମୁଖକୁ ଫେରନ୍ତୁ ବୋଲି ଡିମାଣ୍ଡ କରିଥିଲେ ଦର୍ଶକ।ଦର୍ଶକଙ୍କ ଭଲ ପାଇବାକୁ ଦେଖି ପୁଣି ଥରେ ସାଗର ପ୍ରଡକ୍ସନର ଏକ ପୌରାଣିକ ଧାରାବାହିକ ମାଧ୍ୟମରେ ଛୋଟ ପରଦାକୁ ଏଣ୍ଟ୍ରି ମାରିଛନ୍ତି ଦୀପିକା। ଏହାର ଖୁଲାସା ସେ ନିଜେ କରିଛନ୍ତି। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ମେକ୍‌ଅପ୍‌ ନେଇ କ୍ୟାମେରା ସମ୍ମୁଖରେ ପୋଜ୍‌ ଦେଉଥିବା ଫଟୋ ନିଜେ ଦୀପିକା ସୋଶାଲ ମିଡ଼ିଆରେ ଶେଆର କରିଛନ୍ତି। ଲାଲ ରଙ୍ଗର ଶାଢ଼ୀ ସହ ହେଭି ଜୁଏଲାରୀରେ ଦୀପିକା ଦେବୀ ମା’ ପରି ଦିଶୁଥିବା ବେଳେ ବେଶ୍‌ ସୁନ୍ଦର ଲାଗୁଛନ୍ତି। ଦୀପିକାଙ୍କ ଏହି ଫଟୋକୁ ଫ୍ୟାନ୍‌ମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି l

Leave a Reply

Your email address will not be published. Required fields are marked *