ସାଉଥାମ୍ପଟନରେ ବର୍ଷା ଭିଲେନ୍, ଧୋଇ ଦେଲା ପ୍ରଥମ ଦିନର ଖେଳ…!
ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାତିଲ୍ ହୋଇଛି। ଫାଇନାଲକୁ ନେଇ ଫ୍ୟାନଙ୍କ ମଧ୍ୟରେ ଯେଉଁ ଉତ୍ସାହ ଥିଲା, ବର୍ଷା ତାକୁ ଫିକା କରିଦେଇଛି। ପ୍ରଥମ ଦିବସରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ବର୍ଷା ଏତେ ଜୋରରେ ହୋଇଥିଲା ଯେ ଟସ୍ ପଡ଼ିବା ମଧ୍ୟ ସମ୍ଭବ ହୋଇନାହିଁ। ଯେଉଁ କାରଣରୁ ପ୍ରଥମ ଦିବସ ଖେଳ ବିନା ଟସରେ ବାତିଲ୍ ହୋଇଯାଇଛି। ଏବେ ଦ୍ୱିତୀୟ ଦିବସରେ ଟସ୍ ପଡ଼ିବ ଏବଂ ମ୍ୟାଚ୍ ଆରମ୍ଭ ହେବ । ଭାରତୀୟ ସମୟ ଅନୁସାରେ ଶୁକ୍ରବାର ମ୍ୟାଚ୍ ଦ୍ୱିପହର ୩ଟା ରେ ଆରମ୍ଭ ହେବା ପାଇଁ ଧାର୍ୟ୍ୟ ହୋଇଥିଲା। କିନ୍ତୁ ବର୍ଷା ଯୋଗୁ ଟସ୍ ପଡ଼ିବାରେ ବିଳମ୍ବ ହୋଇଥିଲା । ଅମ୍ପାୟାର ବର୍ଷା ବନ୍ଦ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। କିନ୍ତୁ ବର୍ଷା ରୋକିବାର ନାଁ ନେଉନଥିଲା। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୬ଟା ପରେ ବର୍ଷା ବନ୍ଦ ହୋଇଥିଲା। କିନ୍ତୁ ଓଦା ଆଉଟ୍ ଫିଲ୍ଡ ଓ ଲଗାତର ବର୍ଷା ଯୋଗୁ ଅମ୍ପାୟାର ପ୍ରଥମ ଦିବସର ଖେଳ ବାତିଲ୍ କରିବାକୁ ନିଷ୍ପତ୍ତି ନେଲେ। ମ୍ୟାଚ୍ ଏବେ ଆସନ୍ତାକାଲି ଭାରତୀୟ ସମୟ ଅନୁସାରେ ୩ଟା ଆରମ୍ଭ ହେବ। ପ୍ରଥମ ସେସନ୍ ୩ଟାରୁ ୫ଟା (ଭାରତୀୟ ସମୟ ଅନୁସାରେ), ଦ୍ୱିତୀୟ ସେସନ୍ ୫.୪୦ରୁ ୭.୪୦ ଏବଂ ତୃତୀୟ ସେସନ୍ ୮ଟାରୁ ୧୦.୩୦ ଯାଏ ହେବ। ଯେହେତୁ ଆଜି ପୂରା ଦିନ ଖେଳ ହୋଇପାରିନାହିଁ। ଏଥିପାଇଁ ଆସନ୍ତାକାଲି ଠାରୁ ଆଗାମୀ ପାଞ୍ଚ ଦିନ ୯୮ ଓଭର ଲେଖାଏ ବୋଲିଂ ହେବ। ଆଇସିସି ଖରାପ ପାଗ କାରଣରୁ ନଷ୍ଟ ହୋଇଥିବା ସମୟରେ ଭରଣ ପାଇଁ ରିଜର୍ଭ ଡେ’ ରଖିଛି। ଅର୍ଥାତ୍ ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ଯଦି ପୂରା ପାଞ୍ଚଦିନ ଖେଳ ନହୁଏ, ତାହେଲେ ଅତିରିକ୍ତି ଗୋଟିଏ ଦିନ ମ୍ୟାଚ୍ ପାଇଁ ରଖା ଯାଇଛି। ଏବେ ଏହି ମ୍ୟାଚ୍ ୨୩ ତାରିଖ ଯାଏ ହେବ।

