‘ମୋ ସ୍କୁଲ’କାର୍ଯ୍ୟକ୍ରମରେ ୩୪ହଜାର ସ୍କୁଲ ସାମିଲ, ୧୦୫କୋଟିର ପ୍ରକଳ୍ପକୁ ମଞ୍ଜୁରୀ
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ମୋ ସ୍କୁଲ୍ ଅଭିଯାନ’ରେ ରାଜ୍ୟର ମୋଟ ୩୪ହଜାର ସ୍କୁଲ ସାମିଲ ହୋଇଛନ୍ତି। ପ୍ରାୟ ୫.୨୪ଲକ୍ଷ ପୁରାତନ ଛାତ୍ରଛାତ୍ରୀ ଏବେ ସ୍କୁଲ ସହ ଯୋଡ଼ି ହୋଇଥିବାବେଳେ ରାଜ୍ୟର ୨୩ଟି ଜିଲ୍ଲାର ମୋଟ ୧୦୫କୋଟି ଟଙ୍କାର ପ୍ରକଳ୍ପକୁ ଆଜି ଅନୁମୋଦନ ମିଳିଛି।
ଭର୍ଚୁଆଲ ମୋଡରେ ଆଜି ଅନୁଷ୍ଠିତ ମୋ ସ୍କୁଲ ଅଭିଯାନର ୨୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ରାଜ୍ୟର ୨୩ଟି ଜିଲ୍ଲାର ମୋଟ ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ୧ ମାସ ମଧ୍ୟରେ ୧୭ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ସ୍କୁଲର ବିକାଶ ପାଇଁ ୫ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ୱରରେ ସର୍ବାଧିକ ୨.୨୮ କୋଟି, ଭଦ୍ରକରେ ୩୫ ଲକ୍ଷ ୮୧ ହଜାର, ମୟୁରଭଞ୍ଜରେ ୨୫ ଲକ୍ଷ ୧ ହଜାର, ଜଗତସିଂହପୁରରେ ୨୫ ଲକ୍ଷ ଏବଂ ନୟାଗଡ଼ରେ ୨୧ ଲକ୍ଷ ୮୮ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି।
ଅନ୍ୟପକ୍ଷରେ ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୩୦ କୋଟି ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି।
ବାଲେଶ୍ୱର ଜିଲ୍ଲାରେ ଲଗାତାର ୬ଷ୍ଠ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ବ ର୍ମାନ ସୁଦ୍ଧା ୫ ଲକ୍ଷ ୨୪ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାର ୩୪ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛି।

