ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁଲିସ୍‌ର ଜେରା….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –  ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୁଲିସ ଜେରା କରିଛି। ବେଙ୍ଗଲ ବିଧାନସଭା ନିର୍ବାଚନ ବେଳେ ସେ ଦେଇଥିବା ବିବାଦୀୟ ଭାଷଣ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ୭୧ ବର୍ଷୀୟ ମିଥୁନ ଏପ୍ରିଲ-ମେ’ ମାସରେ ବେଙ୍ଗଲରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ବେଳେ ବିଜେପିର ଷ୍ଟାର ପ୍ରଚାରକ ଥିଲେ। ଏହି ସମୟରେ ସେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ଭାଷଣ ସହ ନିର୍ବାଚନୀ ପରବର୍ତ୍ତୀ ହିଂସାର ଲିଙ୍କ ଥିବା ପୁଲିସ୍‌ ଅଭିଯୋଗ କରିଥିଲା। ଏଥିପାଇଁ ତାଙ୍କ ନାଁରେ ମାମଲା ମଧ୍ୟ କରାଯାଇଛି। ଆଜି ଏହି ମାମଲାରେ ମିଥୁନଙ୍କୁ ପୁଲିସ୍‌ ଭିଡିଓ କନଫରେନ୍ସିଂ ଜରିଆରେ ଜେରା କରିଛି। ଏହାପୂର୍ବରୁ ମିଥୁନ ତାଙ୍କ ନାଁରେ ରୁଜୁ ଏଫଆଇଆରକୁ ରଦ୍ଦ କରିବାକୁ କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ସମୟରେ କୋର୍ଟ ତଦନ୍ତକାରୀ ଅଧିକାରୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ମିଥୁନଙ୍କୁ ଜେରା କରିବାକୁ କହିଥିଲେ। ସେ ପ୍ରଚାର ବେଳେ ଏକଦା କହିଥିଲେ ଯେ “ମାରିବି ଏଠି, ମୃତଦେହ ସିଧା ପଡ଼ିବ ଶ୍ମଶାନରେ।” ଏହାକୁ ନେଇ ତାଙ୍କ ନାଁରେ ପୁଲିସ୍‌ କେସ୍‌ ହୋଇଛି।

Leave a Reply

Your email address will not be published. Required fields are marked *