ଟାଇଗର ଓ ଦିଶାଙ୍କ ବିରୋଧରେ ମାମଲା ରୁଜୁ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ବଲିଉଡ୍‌ ଅଭିନେତା ଟାଇଗର ଶ୍ରୋଫ୍ ଓ ଅଭିନେତ୍ରୀ ଦିଶା ପଟାନୀଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ବାଇ ପୁଲିସ୍। କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ବିନା କାରଣରେ ନିୟମ ଉଲ୍ଲଂଘନ କରି ଉଭୟ ସର୍ବସାଧାରଣ ସ୍ଥାନରେ ବୁଲୁଥିବା ଅଭିଯୋଗ ହୋଇଛି। କଟକଣା କୋହଳ ସମୟ ପରେ ସନ୍ଧ୍ୟାରେ ଟାଇଗର ଓ ଦିଶା ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ ଅଞ୍ଚଳରେ ବୁଲୁଥିବା ବେଳେ ପୁଲିସ୍ ସେମାନଙ୍କୁ ଧରିଥିଲା। ସେମାନେ କେଉଁ କାରଣରୁ ଘରୁ ବାହାରିଛନ୍ତି ବୋଲି ପୁଲିସ୍ ପଚାରିଥିଲା। ତେବେ ସେମାନେ କୌଣସି ସନ୍ତୋଷଜନକ କାରଣ ଦର୍ଶାଇ ପାରି ନଥିଲେ। ତା’ପରେ ପୁଲିସ୍ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁମ୍ବାଇ ପୁଲିସ୍ ପକ୍ଷରୁ ଏହି ଦୁଇ ଷ୍ଟାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ ଟିକେ ନିଆରା ଢଙ୍ଗରେ ପୁଲିସ୍ ଏହି ଟ୍ୱିଟ୍ କରିଛି। ଏଥିରେ ଦୁଇ ଷ୍ଟାରଙ୍କ ନାଁ ଉଲ୍ଲେଖ ନାହିଁ। କିନ୍ତୁ ସେମାନଙ୍କ ଫିଲ୍ମର ନାଁ ବ୍ୟବହାର କରିଛି। ଏହା ସହିତ ବିନା କାରଣରେ ବାହାରକୁ ନ ଆସିବାକୁ ମୁମ୍ବାଇବାସୀଙ୍କୁ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି। ପୁଲିସ୍ ପକ୍ଷରୁ ଲେଖାଯାଇଛି ବିନା କାରଣରେ ବାହାରକୁ ଆସି ‘ହିରୋପନ୍ତି’ ଦେଖାନ୍ତୁ ନାହିଁ, ଯାହା ଆପଣମାନଙ୍କ ସୁରକ୍ଷାକୁ କ୍ଷତି ପହଞ୍ଚାଇପାରେ।

Leave a Reply

Your email address will not be published. Required fields are marked *