୧୯୮୯ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ…!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍  !!!

ଏଥର ସମ୍ଭାଳ (ଗୁଣୁପୁର) – ରାୟଗଡା ଜିଲ୍ଲା ଗୁଣପୁର ସାନ ନଦୀ ଠାରେ ୧୯୮୯ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ଯ ଦଶମ ଶ୍ରେଣୀର ଛାତ୍ର ଏକାଠି ହୋଇ ପିଲା ଦିନର ସ୍ମୁତି ସାଉଁଟି ଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ରାଜେଶ ପାତ୍ର, ବୁଲା ପ୍ରଧାନ, ରଞ୍ଜିତ ପାଢୀ, ଟୁନା ପାଢି, ପ୍ରଦୀପ ପାଢି, ଲୁନା ପାତ୍ର, ଲାଡି ତିରୁମୁଲା, ବାରିକ ଶବର ଙ୍କ ସମେତ ଅନ୍ୟ ୫୦ ରୁ ଉର୍ଦ୍ଧ ଛାତ୍ର ଉପସ୍ଥିତ ରହିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପୂର୍ବରୁ ସ୍ଵର୍ଗତ ବୃଷ କେତୁ ଲିମା ଙ୍କ ଉଦ୍ଦେଶ୍ୟ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ।

ବିଜେପି କହୁଛି , ବିଜେଡିର କଲାକର୍ମ ପାଇଁ ଓଡ଼ିଶାରେ ବଢ଼ିଛି ଦରଦାମ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଦଳକୁ ବଂଚାଇବା ପାଇଁ ଓ ଚର୍ଚ୍ଚାରେ ରହିବା ନିମନ୍ତେ ବିଜେଡି ଏବେ ରାସ୍ତାକୁ ଓହ୍ଲାଇଛି । ବିଜେଡିର  କଲାକର୍ମ ପାଇଁ ରାଜ୍ୟରେ ଏବେ ଦରଦାମ ବୃଦ୍ଧି ପାଇଛି । ବିଜେଡି ଉତ୍ତରାଧିକାରୀ ସୂତ୍ରରେ ଓଡ଼ିଶାକୁ ଦରବୃଦ୍ଧି ଦେଇଯାଇଛି । ଦରଦାମ ବୃଦ୍ଧି ପାଇଁ ବିଜେଡି ନିଜେ ଦାୟୀ ବୋଲି ଭୁଲିଯାଇଛି । ଏବେ  ନିଜର ଅସ୍ତିତ୍ୱ ଲୋପ ପାଇବା ଭୟରେ ବିଜେଡି ଏଭଳି ପ୍ରଳାପ କରୁଛି । ଆଜି ଏଭଳି କିଛି କଡ଼ାଭାଷାରେ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଦଳକୁ ବଂଚାଇବା ପାଇଁ ଓ ଚର୍ଚ୍ଚାରେ ରହିବା ନିମନ୍ତେ ବିଜେଡି ଏବେ ରାସ୍ତାକୁ ଓହ୍ଲାଇଛି । ୬ମାସ ମଧ୍ୟରେ ମୋହନ ମାଝୀଙ୍କ ସରକାର ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରି ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ଓଡ଼ିଶାର ଏହି ବିକାଶକୁ ଦେଖି ବିଜେଡି ଏବେ ଅସହିଷ୍ଣୁ ହୋଇପଡ଼ିଛି । ବିଗତ ୨୪ ବର୍ଷ ଧରି ବିଜେଡି ସରକାର ଯାହା କରି ପାରି ନଥିଲା ମୋହନ ସରକାର ମାତ୍ର ଅଳ୍ପ ଦିନ ମଧ୍ୟରେ ତାହା କରି ଦେଖାଇପାରିଛନ୍ତ । ମୋହନ ସରକାରଙ୍କ ସଫଳତା ଦେଖି ବିଜେଡିର ଚିନ୍ତା ବଢ଼ିଯାଇଛି । ଲୋକଙ୍କ ପାଇଁ ବିଜେପି ସରକାର ଏଭଳି ପ୍ରଗତି କରି ଚାଲିଲେ ବିଜେଡିର  ସତା ଲୋପ ପାଇଯିବ ଭୟରେ ଏବେ ସେମାନେ ପ୍ରଳାପ କରୁଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟା ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କ ରହିଛି । ମାତ୍ର ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ ସମଗ୍ର ଓଡ଼ିଶା ଅପେକ୍ଷା କରିଥିବାବେଳେ ସାରା ବିଶ୍ୱରେ ରାଜ୍ୟର ଛବି ମଳିନ କରିବାକୁ ବିଜେଡି ଏଭଳି ହୀନ ପ୍ରୟାସ କରୁଛି । ବିଜେଡିର ଏଭଳି ଆଭିମୁଖ୍ୟକୁ ବିଜେପି ନିନ୍ଦା କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ବିଜେଡି ସରକାର ସମୟରେ ଆଳୁ ଓ ପିଆଜ ମିଶନ ଫେଲ ହୋଇଥିବାବେଳେ ଅଣ୍ଡା ଓ ମାଛ ଆଦି ରାଜ୍ୟରେ ଉତ୍ପାଦନ କରି ନପାରି ଆନ୍ଧ୍ରରୁ ଅଣାଯାଉଥିଲା । ଏପରିକି ପରିବା ମଧ୍ୟ ରଖି ନପାରି ବାହାରୁ ଆମଦାନୀ କରାଯାଉଥିଲା । ସବୁଠାରୁ ଲଜ୍ଜାର କଥା ହେଉଛି, ବିଜେଡି ଉତରାଧିକାରୀ ସୂତ୍ରରେ ଓଡ଼ିଶାକୁ ଯାହା ଦେଇଛି ଏବେ ସେଥିପାଇଁ ନିଜେ ଆନ୍ଦୋଳନ କରୁଛି । ଦୀର୍ଘବର୍ଷ ଧରି ଶାସନ କରିବା ପରେ ଓଡ଼ିଶାରେ ଦରଦାମ ବୃଦ୍ଧି ହେଲା କାହିଁକି ବୋଲି ବିଜେଡି ନିଜେ ନିଜକୁ ପ୍ରଶ୍ନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବିରଂଚି ତ୍ରିପାଠୀ, ସୁଜିତ ଦାସ, ଉର୍ମିଳା ମହାପାତ୍ର, ତେଜେଶ୍ୱର ପରିଡ଼ା ଓ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟବ୍ୟାପୀ ବିଜେପିର ବଡ଼ ଆୟୋଜନ ; ଓଡ଼ିଶା ଆସିବେ ୫୦ରୁ ଅଧିକ ଦେଶର ପ୍ରବାସୀ ଭାରତୀୟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆସନ୍ତା ୮ତାରିଖରୁ ଆରମ୍ଭ ହେଉଥିବା ୩ଦିନିଆ ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ପ୍ରସ୍ତୁତି ଶେଷପର୍ଯ୍ୟାୟରେ ପହଂଚିଛି । ଏହି ସମାରୋହରେ ପ୍ରାୟ ୫୦ରୁ ଅଧିକ ଦେଶରେ ଥିବା ପ୍ରବାସୀ ଭାରତୀୟ ଯୋଗ ଦେବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରୟାସ ଜାରି ରଖିଥିବାବେଳେ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ବଡ଼ ଆୟୋଜନ ହୋଇଛି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଏହି କାର୍ଯ୍ୟକ୍ରମ ପାଇଁ ଆଜିଠୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଂଚିଛନ୍ତି । ଏହି ପ୍ରବାସୀ ଭାରତୀୟ ଦିବସ ସମାରୋହକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ତାରିଖରେ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦି ୮ ତାରିଖରେ ସନ୍ଧ୍ୟାରେ ଓଡ଼ିଶାରେ ପହଂଚିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେଉଛି । ଏଥର ସମାରୋହରେ ‘ଏକ ବିକଶିତ ଭାରତ ଲାଗି ପ୍ରବାସୀଙ୍କ ଅବଦାନ’ ଶୀର୍ଷକ ବିଷୟବସ୍ତୁ ରହିଛି । ଏହି ସମାରୋହରେ ୫୦ରୁ ଅଧିକ ଦେଶର ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ଯୋଗ ଦେବାକୁ ପଞ୍ଜିକରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ପ୍ରବାସୀ ଭାରତୀୟ ଏକ୍ସପ୍ରେସକୁ ପତାକା ହଲାଇ ଉଦଘାଟନୀ ଯାତ୍ରାର ଶୁଭାରମ୍ଭ କରିବେ । ପ୍ରବାସୀ ଭାରତୀୟମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ସ୍ୱତନ୍ତ୍ର ଟ୍ରେନଟି ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରି ୩ ସପ୍ତାହ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀକୁ ଯାତ୍ରା କରିବ । ପ୍ରବାସୀ ତୀର୍ଥ ଦର୍ଶନ ଯୋଜନାରେ ଏହି ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ ଯାତ୍ରା ଆୟୋଜନ ହୋଇଛି ।ଏହି ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ଦିବସ ସମାରୋହ ଆୟୋଜନ ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି  ଆଣି ଦେଇଥିବା ଏହି ଅପାର ସମ୍ଭାବାନକୁ ବାସ୍ତବ ରୂପ ଦେବାର ସୁଯୋଗ ଆମସମସ୍ତଙ୍କ ପାଖରେ ରହିଛି । ଏଥିପାଇଁ ଓଡ଼ିଶାବାସୀଙ୍କୁ ମିଳିତ ଭାବେ ପ୍ରୟାସ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି । ଏହି ୩ଦିନରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶବିଦେଶର ଅନେକ ମାନ୍ୟଗଣ୍ୟ ଅତିଥି ଆସିବେ । ଅତିଥିମାନଙ୍କ ସ୍ୱାଗତ ଓ ସମ୍ବର୍ଦ୍ଧନା ପାଇଁ ବିଜେପି କର୍ମକର୍ତ୍ତା ପ୍ରସ୍ତୁତ ଅଛନ୍ତି । ରାଜଧାନୀ ସମେତ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ପରିଷ୍କାର କରାଯାଉଛି । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମା ବିଶେଷକରି ଡାକ୍ତରଖାନା, ରେଳ ଷ୍ଟେସନ, ବସଷ୍ଟାଣ୍ଡ,କୋର୍ଟ ପରିସର ଓ ସାଧାରଣ ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ପଦଯାତ୍ରା ଅନୁଷ୍ଠିତ ହେବ । ଏହି ୩ଦିନ ଧରି ଭୁବନେଶ୍ୱରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏ ସମସ୍ତ ସ୍ଥାନକୁ ପରିଦର୍ଶନ ପାଇଁ ଆସୁଥିବା ଅତିଥିମାନଙ୍କୁ ବିଜେପି କର୍ମକର୍ତ୍ତାମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ସମାରୋହକୁ ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୮ତାରିଖ ସନ୍ଧ୍ୟାରେ ଓଡ଼ିଶା ଆସିବେ । ତାଙ୍କୁ ବିମାନବନ୍ଦରରେ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଯୋଗଦେଲେ ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତା। ନାଟକ କରୁଛନ୍ତି କହିଲା ବିଜେପି। ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ କରିଛି ବିଜେଡି। ଦରଦାମ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଦଳ। ବିଜେଡି କହିଛି ଅର୍ଥନୀତି ପରିଚାଳନାରେ ସରକାର ଫେଲ୍। ମୁଦ୍ରାସ୍ଫିତି ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଡିଜେଲ ଦର କମିଥିଲେ ବି ଏଠି ସରକାର କମାଉ ନଥିବା କହିଛି ବିଜେଡି। ସେପଟେ ବିଜେଡିର ଏ ପ୍ରତିବାଦକୁ କାଉଣ୍ଟର କରିଛି ବିଜେପି। ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଏ ଛ’ ମାସରେ ଓଡିଶା ଲକ୍ଷ୍ମୀଛଡା ହୋଇଗଲାଣି। କେନ୍ଦ୍ର ସହଯୋଗରେ ଓଡିଶା ଲକ୍ଷ୍ମୀଛଡା। ଦରଦାମ୍ ବୃଦ୍ଧି ଘଟିଛି। ସେପଟେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ସରକାରୀ ଦଳର ବିଧାୟକ ଓ ସାସଂଦଙ୍କ ପିସି ଆଦାୟକୁ ଦରଦାମ୍ ବୃଦ୍ଧିର ମୁଖ୍ୟ କାରଣ ବୋଲି କହିଛନ୍ତି। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଆଜି ବିଜୁ ଜନତା ଦଳର ଏହି ବିକ୍ଷୋଭ ଦେଖି ବିଜେପି ନେତାମାନେ ଘର କୋଣରେ ବସିଥିବେ। ଏହି ବିଶାଳ ଶୋଭାଯାତ୍ରା ଦେଖି ସେମାନଙ୍କ ଛାତିରେ ଛନକା ପଶିଛି। ଡବଲ ଇଞ୍ଜିନ ଅର୍ଥ ସବୁଥିରେ ଡବଲ। ଆଳୁ ପିଆଜ ରେଟଠୁ ନେଇ ସବୁ ଡବଲ। ସେହିଭଳି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ ଦୁର୍ଭାଗ୍ୟଜନକ ଭାବେ ଆମେ ବିରୋଧୀ ଦଳରେ ଅଛୁ। କିନ୍ତୁ ଗାଁ ଗହଳିରେ ଲୋକେ କହୁଛନ୍ତି ଆମେ ତ ବିଜେଡିକୁ ଭୋଟ ଦେଇଥିଲୁ, କିନ୍ତୁ ବିଜେପି ସରକାର କଲା କେମିତି? ଲୋକେ ଆଗକୁ ଏହାର ଜବାବ ଦେବେ। ଛଅ ମାସ ଭିତରେ କେବଳ ରଙ୍ଗ ବଦଳାଇଛନ୍ତି। ବିଜୁ ବାବୁଙ୍କ ନାଁରେ ଥିବା ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ଡବଲ ଇଞ୍ଜିନ୍ ସରକାର ଦରଦାମ୍ ନିୟନ୍ତ୍ରଣ କରିବାରେ ବିଫଳ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଜେଡିକୁ କଡା କାଉଣ୍ଟର କରିଛନ୍ତି ରାଜ୍ୟ ବିଜପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ। ସେ କହିଛନ୍ତି ଯେ ବିଜେଡି ସରକାର ସମୟରେ ଦରଦାମ ବୃଦ୍ଧିରେ ଓଡ଼ିଶା ଏକ ନମ୍ବର ଥିଲା। ସ୍ଥିତି ଏବେ ଧିରେ ଧିରେ ସୁଧୁରୁଛି। ନିଜର ଅସ୍ଥିତ୍ୱ ବଜାୟ ରଖିବା ପାଇଁ ବିଜେଡି ଆନ୍ଦୋଳନ କରୁଛି ବୋଲି ସେ କହିଛନ୍ତି। ସେପଟେ ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ଗୋଟେ ନାଟକ ବୋଲି କହି ସମାଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ ରାଜ୍ୟରେ ପନିପରିବା ଦର ବହୁତ କମ ଅଛି। ଡାଲି, ତେଲ ଆଦିର ଦର ଦେଶ ତୁଳନାରେ ଓଡିଶାରେ କମ ରହିଛି। ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ନାଟକ ଛଡା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି।

ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡା)- ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ରାୟଗଡ଼ା ରେଳ ମଣ୍ଡଳ ଭବନର ଶିଳାନ୍ୟାସ କରିଛନ୍ତି। ଏହି ରେଳ ଡିଭିଜନର ଶିଳାନ୍ୟାସ ଫଳରେ ଓଡ଼ିଶାରେ ଭିତ୍ତିଭୂମି ଆହୁରି ମଜବୁତ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବହୁ ପ୍ରତୀକ୍ଷିତ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ରେଳ ମଣ୍ଡଳ ଭବନର ଶିଳାନ୍ୟାସ କରିଛନ୍ତି। ଏଥିସହ ନୂଆ ଜାମ୍ମୁ ରେଲୱେ ଡିଭିଜନ ଓ ତେଲେଙ୍ଗାନାର ଚାର୍ଲପାଲି ଟର୍ମିନାଲ ଷ୍ଟେସନ ଭଳି ଏକାଧିକ ରେଲୱେ ପ୍ରୋଜେକ୍ଟର ଉଦଘାଟନ କରିଛନ୍ତି ମୋଦି। ଏହି ଅବସରରେ ମୋଦି କହିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରି ରହିଛି। ଦୀର୍ଘ କିଲୋମିଟର ବ୍ୟାପୀ ସମୁଦ୍ର କୂଳ ବି ରହିଛି। ଓଡ଼ିଶାରେ ଅନ୍ତର୍ଜାତୀୟ ବାଣିଜ୍ୟର ପ୍ରବଳ ସମ୍ଭାବନା ରହିଛି। ଓଡ଼ିଶାରେ ଅନେକ ରେଳ ପ୍ରକଳ୍ପ ଉପରେ କାମ ଚାଲିଛି। ଏଥିରେ ୭୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି। ରାଜ୍ୟରେ ୭ଟି ଗତିଶକ୍ତି କାର୍ଗୋ ଟର୍ମିନାଲର ଆରମ୍ଭ କରାଯାଇଛି। ଯାହା ବ୍ୟାପାର ଏବଂ ଉଦ୍ୟୋଗକୁ ଭରପୁର ସହାୟତା କରୁଛି। ଆଜି ରାୟଗଡ଼ା ରେଳ ଡିଭିଜନର ଶିଳାନ୍ୟାସ ଫଳରେ ଓଡ଼ିଶାରେ ଭିତ୍ତିଭୂମି ଆହୁରି ମଜବୁତ ହେବ। ଓଡ଼ିଶାରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ରୋଜଗାରର ସମ୍ଭାବନା ବୃଦ୍ଧି ପାଇବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଥିବା ଜନଜାତିଙ୍କୁ ଏହାର ଫାଇଦା ମିଳିବ ବୋଲି ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ରାୟଗଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଉପସ୍ଥିତ ରହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ ଡକ୍ଟର କେ.ହରି ବାବୁ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ରହିଥିଲେ। ତେବେ ଗତ ୧୦ ବର୍ଷ ଭିତରେ ରେଲୱେରେ ବିକାଶ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୧୪ ବେଳକୁ ଦେଶରେ କେବଳ ୩୫% ବିଦ୍ୟୁତୀକରଣ ହୋଇଥିଲା। ବର୍ତ୍ତମାନ ଆମ ଦେଶରେ ୧୦୦% ବିଦ୍ୟୁତୀକରଣ ସମ୍ଭବ ହୋଇଛି ବୋଲି ମୋଦି କହିଛନ୍ତି। ୧୦ ବର୍ଷ ଭିତରେ ୩୦ ହଜାର କିମି ରେଲୱେ ଟ୍ରାକ୍‌ ନିର୍ମାଣ ହୋଇଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ଅଣଦେଖା ଭାରତୀୟ କ୍ରିକେଟର କଲେ ବିଶ୍ୱ ରେକର୍ଡ

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ସେ ଲିଷ୍ଟ ଏରେ ଆଉଟ ନ ହୋଇ ସର୍ବାଧିକ ରନ କରିବାର ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି। ଆଜି ସେ ବିଜୟ ହଜାରେ ଟ୍ରଫିରେ ଦମଦାର ଇନିଂସ ଖେଳି ଉତ୍ତର ପ୍ରଦେଶ ବିପକ୍ଷରେ ବିର୍ଦ୍ଦଭାକୁ ୮ ୱିକେଟରେ ବିଜୟ ଭେଟି ଦେଇଛନ୍ତି। ଇତିହାସ ରଚିଛନ୍ତି କରୁଣ ନାଏର। ଏକଦା ଭାରତୀୟ ଟିମରେ ଖେଳୁଥିବା କରୁଣ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୩୦୦ ରନର ଇନିଂସ ଖେଳିଥିଲେ। ସେ ବାରମ୍ବାର ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଭାରତୀୟ ଟିମରେ ତାଙ୍କୁ ଅଣଦେଖା କରାଯାଇଛି। ଏସବୁ ଭିତରେ ଶୁକ୍ରବାର କରୁଣ ବିଶ୍ୱ ରେକର୍ଡ କରିଛନ୍ତି। ସେ ଲିଷ୍ଟ ଏରେ ଆଉଟ ନ ହୋଇ ସର୍ବାଧିକ ରନ କରିବାର ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି। ଆଜି ସେ ବିଜୟ ହଜାରେ ଟ୍ରଫିରେ ଦମଦାର ଇନିଂସ ଖେଳି ଉତ୍ତର ପ୍ରଦେଶ ବିପକ୍ଷରେ ବିର୍ଦ୍ଦଭାକୁ ୮ ୱିକେଟରେ ବିଜୟ ଭେଟି ଦେଇଛନ୍ତି। ଆଜିର ମ୍ୟାଚ୍‌ ବିଜୟୀ ଇନିଂସ ପରେ କରୁଣ ନାଏର ନ୍ୟୁଜିଲ୍ୟାଣ୍ଡର ଜେମ୍ସ ଫ୍ରାଙ୍କଲିନ ୨୦୧୦ରେ କରିଥିବା ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୨୦୧୦ରେ ଫ୍ରାଙ୍କଲିନ ବିନା ଆଉଟରେ ବିଭିନ୍ନ ଲିଷ୍ଟ ଏ ମ୍ୟାଚ୍‌ରେ ସର୍ବାଧିକ ୫୨୭ ରନ କରିଥିଲେ। ହେଲେ କରୁଣ ଆଜି ୧୧୨ ରନ କରି ଆଉଟ ହୋଇଥିଲେ ହେଁ ବିଶ୍ୱ ରେକର୍ଡକୁ ନିଜ ନାଁରେ କରି ଦେଇଛନ୍ତି। ସେ ବିନା ଆଉଟରେ ୫୪୨ ରନ କରିଛନ୍ତି। ଏହାପରେ ଆଜି ଆଉଟ ହୋଇ ନୂଆ ବେଞ୍ଚ ମାର୍କ ସୃଷ୍ଟି କରିଛନ୍ତି। ଏହି ତାଲିକାରେ ଥିବା ଅନ୍ୟ ଖେଳାଳିମାନେ ହେଲେ ଦକ୍ଷିଣ ଆଫ୍ରିକାର ଜୋଶୁଆ ଭାନ ହୀରଡେନ(୫୧୨), ପାକିସ୍ତାନର ଫକର ଜମାନ(୪୫୫) ଓ ତୌଫିକ ଉମର(୪୨୨)। କରୁଣଙ୍କ ଏହା ୪ର୍ଥ ଶତକ ହୋଇଥିବା ବେଳେ ବିଜୟ ହଜାରେ ଟ୍ରଫିରେ ତୃତୀୟ ଟନ୍‌। ଏଥିଯୋଗୁ ଉତ୍ତର ପ୍ରଦେଶର ୩୦୮ ରନର ଟାର୍ଗେଟକୁ ବିର୍ଦ୍ଦଭା ୧୬ ବଲ ପୂର୍ବରୁ ୨ ୱିକେଟ ହରାଇ ହାସଲ କରି ନେଇଛି। କରୁଣ ନାଏର ୧୧୨ ରନର ଇନିଂସ ଖେଳିଥିବା ବେଳେ ୟାଶ ରାଥୋଡ ୧୪୦ ବଲରେ ଅପରାଜିତ ୧୩୮ ରନ କରିଛନ୍ତି। ଉଭୟ ଦ୍ୱିତୀୟ ୱିକେଟ ପାଇଁ ବିଶାଳ ୨୨୮ ରନର ଭାଗିଦାରୀ ମଧ୍ୟ କରିଥିଲେ। ଏହି ବିଜୟ ସହ ଗ୍ରୁପ ଡିର ୧ନଂ ସ୍ଥାନରେ ବିର୍ଦ୍ଦଭା ନିଜ ସ୍ଥାନକୁ ଆହୁରି ମଜବୁତ କରିନେଇଛି। ୫ଟି ମ୍ୟାଚ୍‌ରୁ ୨୦ ପଏଣ୍ଟ ପାଇ ଦଳ ୧ନଂରେ ରହିଥିବା ବେଳେ ୧୪ ପଏଣ୍ଟ ସହ ତାମିଲନାଡୁ ଦ୍ୱିତୀୟରେ ଓ ସମାନ ୧୪ ପଏଣ୍ଟ ସହ ୟୁପି ତୃତୀୟ ସ୍ଥାନରେ ଅଛି।

ପୁଣି ନିରାଶ କଲେ ଭାରତୀୟ ବ୍ୟାଟର;ବଦଳିଲେ କ୍ୟାପ୍ଟେନ,କିନ୍ତୁ ବଦଳିଲାନି ଭାଗ୍ୟ

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୦ ରନ କରିଥିବା ବେଳେ ଶେଷ ଭାଗରେ ଅଧିନାୟକ ବୁମ୍ରା ୨୨ ରନର ଇନିଂସ ଖେଳିବାରୁ ଦଳ ୧୮୫ କରିବାକୁ ସକ୍ଷମ ହୋଇଛି। ପ୍ରଥମେ ପର୍ଥରେ ବ୍ୟାଟର ନିରାଶ କଲେ। କିନ୍ତୁ ବୋଲରଙ୍କ ଦମରେ ଭାରତ ଚମତ୍କାର ଢଙ୍ଗରେ ମ୍ୟାଚ୍‌ ଜିତି ନେଲା। ଏହାପରେ ପିଙ୍କ ବଲ ଟେଷ୍ଟରେ ବ୍ୟାଟର ପୁଣି ହାତ ଟେକି ଦେଲେ। ଭାରତ ୧୦ ୱିକେଟରେ ହାରିଲା। ତୃତୀୟ ଟେଷ୍ଟରେ ମଧ୍ୟ ଭାରତ ହାରିବାର ଯଥେଷ୍ଟ ଆଶଙ୍କା ରହିଥିଲା। କିନ୍ତୁ ବର୍ଷା ଦଳକୁ ବଞ୍ଚାଇ ଦେଲା। ମ୍ୟାଚ୍‌ ଡ୍ରରେ ଶେଷ ହେଲା। ୪ର୍ଥ ଟେଷ୍ଟରେ ପୁଣି ସମାନ ଘଟଣା ଘଟିଲା। ବ୍ୟାଟରଙ୍କ ବିଫଳତା ଯୋଗୁ ଅଷ୍ଟ୍ରେଲିଆ ଡ୍ର ହେବାକୁ ଯାଉଥିବା ମ୍ୟାଚ୍‌କୁ କବଜା କରିଥିଲା। ଏହି ବିଜୟ ସହ କଙ୍ଗାରୁ ଟିମ ବର୍ଡର-ଗାଭାସ୍କର ଟ୍ରଫିରେ ୨-୧ରେ ଆଗୁଆ ହୋଇଗଲା। ୫ମ ତଥା ଶେଷ ଟେଷ୍ଟରେ ଭାରତୀୟ ଟିମ ନିଜର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେଲା। ଯଶପ୍ରୀତ ବୁମ୍ରା କମାଣ ସମ୍ଭାଳିଲେ। କିନ୍ତୁ ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟରମାନେ ପୁଣି ନିରାଶ କରିଛନ୍ତି। ଭାରତୀୟ ଟିମ ପ୍ରଥମ ଇନିଂସରେ ମାତ୍ର ୧୮୫ ରନ କରି ଅଲଆଉଟ ହୋଇଯାଇଛି। ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୦ ରନ କରିଥିବା ବେଳେ ଶେଷ ଭାଗରେ ଅଧିନାୟକ ବୁମ୍ରା ୨୨ ରନର ଇନିଂସ ଖେଳିବାରୁ ଦଳ ୧୮୫ କରିବାକୁ ସକ୍ଷମ ହୋଇଛି। ଅଧିନାୟକ ବଦଳିଥିଲେ ହେଁ ଭାରତୀୟ ଟିମର ଭାଗ୍ୟ ବଦଳି ନାହିଁ। ରୋହିତ ଶର୍ମା ଖରାପ ଫର୍ମ ଦେଇ ଗତି କରୁଥିବାରୁ ଆଜି ସେ ନିଜ ଆଡ଼ୁ ଚୂଡ଼ାନ୍ତ ଏକାଦଶରୁ ଓହରି ଯାଇଥିଲେ। ତାଙ୍କ ବଦଳରେ ଶୁବମନ ଗିଲ ସୁଯୋଗ ପାଇଥିଲେ। କିନ୍ତୁ ସେ ବି ଆଜି କିଛି ଖାସ କରି ନାହାନ୍ତି। ବିରାଟ କୋହଲି ପୁଣିଥରେ ଫେଲ ମାରିଛନ୍ତି। କେଏଲ ରାହୁଲ କେବଳ ୪ ରନ କରିବାକୁ ସକ୍ଷମ ହୋଇଛନ୍ତି। ଭାରତ ପ୍ରଥମ ଇନିଂସରେ ୧୮୫ ରନ କରିବା ପରେ ଅଷ୍ଟ୍ରେଲିଆ ଆଜି ପ୍ରଥମ ଦିନରେ ୩ ଓଭର ବ୍ୟାଟିଂ କରିଛି। ଏହି ୩ ଓଭର ବେଶ ନାଟକୀୟ ରହିଥିଲା। ସାମ କୋନଷ୍ଟାସ ଓ ଯଶପ୍ରୀତ ବୁମ୍ରାଙ୍କ ମଧ୍ୟରେ ବେଶ ଟକ୍କାରି ଟକ୍କରି ହୋଇଛି। ଦିବସର ଶେଷ ବଲରେ ବୁମ୍ରା ଓପନର ଉସମାନ ଖାୱାଜା(୨)ଙ୍କୁ ଆଉଟ କରି ଭାରତୀୟ କ୍ୟାମ୍ପରେ ଖୁସି ଭରି ଦେଇଛନ୍ତି। କୋନଷ୍ଟାସ ୭ ରନ କରି ଅପରାଜିତ ରହିଛନ୍ତି। ଅଷ୍ଟ୍ରେଲିଆ ଷ୍ଟମ୍ପ ଅପସାରଣ ବେଳକୁ ୧ ୱିକେଟ ହରାଇ ୯ ରନ କରିଛି। ସିଡ୍‌ନୀର ଗ୍ରାସୀ ପିଚ୍‌ରେ ଟସ୍‌ ଜିତି ବୁମ୍ରା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଭାରତୀୟ ବ୍ୟାଟରମାନେ ଆଦୌ କମାଲ କରି ପାରି ନଥିଲେ। ରାହୁଲ(୪)ଙ୍କୁ ଆଉଟ କରି ମିଚେଲ ଷ୍ଟାର୍କ ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଏହାପରେ ୧୦ ରନ କରିଥିବା ଯଶସ୍ୱୀ ଜୈସୱାଲଙ୍କୁ ସ୍କଟ ବୋଲାଣ୍ଡ ଆଉଟ କରିଥିଲେ। ବିରାଟ କୋହଲି ପ୍ରଥମ ବଲରେ ଆଉଟ ହେବାର ଆଶଙ୍କା ପ୍ରକାଶ ପାଇଥିଲା। ସ୍ଲିପରେ ଫିଲ୍ଡିଂ କରିଥିବା ଷ୍ଟିଭ ସ୍ମିଥ କ୍ୟାଚ୍‌ ଧରି ଅପିଲ ମଧ୍ୟ କରିଥିଲେ। ହେଲେ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତି ଯୋଗୁ ସେ ବର୍ତ୍ତି ଯାଇଥିଲେ। ଶୁବମନ ଗିଲଙ୍କୁ ସାଥୀ କରି ସେ ଲଞ୍ଚ ଯାଏ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲଞ୍ଚର ଶେଷ ବଲରେ ହିଁ ୨୦ ରନ କରିଥିବା ଗିଲଙ୍କୁ ନାଥନ ଲାୟନ ଆଉଟ କରି ଭାରତକୁ ତୃତୀୟ ଝଟକା ଦେଇଥିଲେ। ଲଞ୍ଚ ପରେ ବିରାଟ ୧୭ ରନ କରି ପୁଣିଥରେ ବୋଲାଣ୍ଡଙ୍କ ଶିକାର ବନିଥିଲେ। ତେବେ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଟି ଯାଏ ଆଉ କୌଣସି ବିପର୍ଯ୍ୟୟ ନ ଘଟାଇ ଦଳୀୟ ସ୍କୋରକୁ ୧୦୭ରେ ପହଞ୍ଚାଇ ଦେଇଥିଲେ। ପନ୍ତ ଟି ପରେ ମଧ୍ୟ ଭଲ ଲୟରେ ଦେଖାଯାଉଥିଲେ। କିନ୍ତୁ ବୋଲାଣ୍ଡଙ୍କୁ ବଡ଼ ଶଟ ମାରିବାକୁ ଯାଇ ସେ ପାଟ କମିନ୍ସଙ୍କ ହାତରେ ଧରାପଡ଼ି ଯାଇଥିଲେ। ପରବର୍ତ୍ତୀ ବଲରେ ନୀତୀଶ କୁମାର ରେଡ୍ଡୀ ତାଙ୍କ ଶିକାର ବନିଥିଲେ। ଦଳୀୟ ସ୍କୋର ୧୩୪ ଥିବା ବେଳେ ରବୀନ୍ଦ୍ର ଜାଡଜା(୨୬) ଓ ୧୪୮ ରନ ଥିବା ବେଳେ ୱାଶିଂଟନ ସୁନ୍ଦର(୧୪) ପ୍ୟାଭିଲିୟନ ଫେରିଥିଲେ। ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ କେବଳ ୩ ରନ କରିବାକୁ ସକ୍ଷମ ହୋଇଥିଲେ।୧୬୮ ରନରେ ଭାରତ ୯ମ ୱିକେଟ ହରାଇଥିଲା। ଏତିକି ବେଳେ ମହମ୍ମଦ ସିରାଜଙ୍କୁ ସାଥୀ କରି ବୁମ୍ରା ଦଳ ପାଇଁ କିଛି ରନ ସଂଗ୍ରହ କରିଥିଲେ। ଶେଷରେ ସେ ୨୨ ରନ କରି କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ। ବୁମ୍ରା ଆଉଟ ହେବା ସହ ଭାରତର ପ୍ରଥମ ଇନିଂସ ୧୮୫ ରନରେ ଅଟକି ଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ବୋଲାଣ୍ଡ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୩ଟି, ପାଟ କମିନ୍ସ ୨ଟି ଓ ନାଥନ ଲାୟନ ଗୋଟିଏ ୱିକେଟ ପାଇଛନ୍ତି।

ଜାଣନ୍ତୁ ପୂରା ରିପୋର୍ଟ – ରୋହିତଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାକୁ କେମିତି ହେଲା ନିଷ୍ପତ୍ତି ?

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଭାରତର ପରବର୍ତ୍ତୀ ଟେଷ୍ଟ ସିରିଜ ପ୍ରାୟ ୫ ମାସ ପରେ ରହିଛି। ତେଣୁ ରୋହିତ ଆଉ ଭାରତ ପାଇଁ ଟେଷ୍ଟ ଖେଳିବାର ଆଶା ନାହିଁ। ସେ ସମ୍ଭବତଃ ମେଲବର୍ଣ୍ଣରେ ନିଜ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳି ସାରିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରୁ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ବାଦ ପଡ଼ିଛନ୍ତି। ଖରାପ ଫର୍ମ ପାଇଁ ତାଙ୍କୁ ବାଦ ଦିଆଯାଇଛି। ହେଲେ ଏହାକୁ ବିଶ୍ରାମର ନାଁ ଦିଆଯାଉଛି। ରୋହିତଙ୍କୁ ଏବେ ୩୭ ବର୍ଷ। ଭାରତର ପରବର୍ତ୍ତୀ ଟେଷ୍ଟ ସିରିଜ ପ୍ରାୟ ୫ ମାସ ପରେ ରହିଛି। ତେଣୁ ରୋହିତ ଆଉ ଭାରତ ପାଇଁ ଟେଷ୍ଟ ଖେଳିବାର ଆଶା ନାହିଁ। ସେ ସମ୍ଭବତଃ ମେଲବର୍ଣ୍ଣରେ ନିଜ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳି ସାରିଛନ୍ତି। ରୋହିତ, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଯେତେବେଳେ ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟରୁ ଅବସର ନେଲେ ସେତେବେଳେ ଭାରତୀୟ କ୍ରିକେଟର ଟ୍ରାଞ୍ଜିସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଏବେ ଟେଷ୍ଟ ସିରିଜ ଅଧାରୁ ରବିଚନ୍ଦ୍ରନ ଅଶ୍ୱିନ ଅବସର ନେବା ଓ ରୋହିତଙ୍କୁ ବିଶ୍ରାମ ଆଳରେ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାର ଅର୍ଥ ଟ୍ରାଞ୍ଜିସନ ପ୍ରକ୍ରିୟା ସର୍ବୋଚ୍ଚ ସ୍ତରରେ ରହିଛି। ରିପୋର୍ଟ ଅନୁସାରେ, ୫ମ ଟେଷ୍ଟର ଶେଷ ଟ୍ରେନିଂ ସେସନରେ ସମସ୍ତେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଉପସ୍ଥିତ ଥିଲେ। ଏହି ସମୟରେ ରୋହିତ ଓ ମୁଖ୍ୟକୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ କୌଣସି ପ୍ରକାରର ତାଳମେଳ ନଥିବା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ବରୁ ରୋହିତ ୫ମ ଟେଷ୍ଟ ଖେଳିବେ ନାହିଁ ବୋଲି ସଙ୍କେତ ମିଳିଥିଲା। କିନ୍ତୁ ଗୁରୁବାର ଅଭ୍ୟାସ ବେଳେ ସବୁ କିଛିର ନିଷ୍ପତ୍ତି ହୋଇଥିଲା। ରୋହିତ ୮ଟି ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ କରିଛନ୍ତି। ତେଣୁ ଗମ୍ଭୀର ତାଙ୍କ ରଣନୀତିରେ ରୋହିତଙ୍କୁ ଆଉ ସାମିଲ କରିବା ମୁଡରେ ନାହାନ୍ତି। ରୋହିତ ମଧ୍ୟ ଅଭ୍ୟାସ ସେସନରେ ବଲକୁ ଠିକ ଭାବେ କନେକ୍ଟ କରିବାରେ ବିଫଳ ହୋଇଥିଲେ। ଟି ଦିଲ୍ଲୀପଙ୍କ ଥ୍ରୋ ଡାଉନକୁ ମିସ କରି ସେ ବୋଲ୍ଡ ମଧ୍ୟ ହୋଇଥିଲେ। ସେ ବଲକୁ ମିଟ କରିବାରେ ବିଳମ୍ବ କରୁଥିବା ତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ଭାବେ ଦେଖାଯାଇଥିଲା। ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ରୋହିତଙ୍କ ସାଇଡ ନେଟ୍ସରେ ନୀତୀଶ କୁମାର ରେଡ୍ଡୀ ଅଭ୍ୟାସ କରୁଥିଲେ। ସେ ବଲକୁ ବ୍ୟାଟରେ ମିଡଲ କରୁଥିବା ରୋହିତ ବଲକୁ ମିସ କରୁଥିଲେ। ମୁଖ୍ୟ କୋଚ ଗମ୍ଭୀର ଯୁବ ତାରକା ନୀତୀଶ କୁମାରଙ୍କ ନେଟ୍ସ ପାଖରେ ଛିଡ଼ା ହୋଇ ତାଙ୍କୁ ସବୁ କିଛି କହୁଥିଲେ। ରୋହିତ ଅଭ୍ୟାସ କରିସାରିବା ପରେ ବୁମ୍ରା ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ଗମ୍ଭର ନେଟ୍ସରେ ଉପସ୍ଥିତ ରହିଥିଲେ। ଏହି ମିଟିଂ ସମୟରେ ରୋହିତ ୫ମ ଟେଷ୍ଟରେ ବିଶ୍ରାମ ନେବେ ବୋଲି ନିଷ୍ପତ୍ତି ହୋଇଥିବା କୁହାଯାଉଛି। ମିଟିଂର ୪୫ରୁ ୧ ଘଣ୍ଟା ପରେ ଅଧିକାଂଶ ଖେଳାଳି ନେଟ ଅଞ୍ଚଳରେ ଲାଗିଥିବା ପ୍ରସ୍ଥାନ ଦ୍ୱାର ଦେଇ ବସ୍‌ ପାଖକୁ ଆସିଥିଲେ। କିନ୍ତୁ ରୋହିତ ଟିମ ସହ ଆସି ନଥିଲେ। ସେ ଅନ୍ୟ ଏକ ଗେଟ୍‌ ପଟେ ବାହାରକୁ ଆସିବା ସହ ବସରେ ବସିଥିଲେ।

ହାଇଦ୍ରାବାଦ ଦଳାଚକଟା ଘଟଣା ରେ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ୪ ଡିସେମ୍ବରରେ ଘଟିଥିବା ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୧୩ ତାରିଖରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ପୁଲିସ। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଏହି ଘଟଣାରେ ଅଭିନେତାଙ୍କୁ ଶୁକ୍ରବାର ଦିନ ହାଇଦ୍ରାବାଦ ନାମପଲ୍ଲି କୋର୍ଟରୁ ନିୟମିତ ଜାମିନ ମିଳିଯାଇଛି। ଡିସେମ୍ବର ୪ରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ମର ପ୍ରିମିୟର ଶୋ’ ବେଳେ ଏହି ଅଘଟଣ ଘଟିଥିଲା। ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ନାବାଳକ ପୁଅ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛି।ଏହି କାର୍ଯ୍ୟକ୍ରମକୁ ଅଲ୍ଲୁ ଅର୍ଜୁନ ଆସିବେ ବୋଲି ଥିଏଟର ପକ୍ଷରୁ କିମ୍ବା ଅଭିନେତାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ କରିଥିଲା ପୁଲିସ। ଏହି କ୍ରମରେ ‘ପୁଷ୍ପାରାଜ’ଙ୍କ ନାଁରେ ମାମଲା ରୁଜୁ କରି ତାଙ୍କୁ ଡିସେମ୍ବର ୧୩ ତାରିଖ ଦିନ ଗିରଫ କରିଥିଲା ହାଇଦ୍ରାବାଦ ପୁଲିସ। ସେହିଦିନ ତାଙ୍କୁ ହାଇଦ୍ରାବାଦ ନାମପଲ୍ଲି କୋର୍ଟରେ ପୁଲିସ ହାଜର କରିଥିବାବେଳେ କୋର୍ଟ ଅଲ୍ଲୁଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଏହାପରେ ସେହିଦିନ ହିଁ ତାଙ୍କୁ ତେଲେଙ୍ଗାନା ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ନିୟମିତ ଜାମିନ ପାଇଁ ନିମ୍ନ ଅଦାଲତ ଯିବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ପାଲଟିଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଥିଲା। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ରାଜ୍ୟ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ଅଲ୍ଲୁଙ୍କୁ ସମାଲୋଚନା କରିଥିଲେ। ପୁଲିସର ଅନୁମତି ନମିଳିବା ସତ୍ତ୍ୱେ ସେଠାରେ ଅଭିନେତା ରୋଡ ଶୋ କରିଥିଲେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଏପଟେ ଦଳାଚକଟା ପରେ ଫିଲ୍ମ ସୁପର ହିଟ୍ ହେଲା ବୋଲି ଅଭିନେତା କହିଥିବା ଅଭିଯୋଗ କରିଥିଲେ ଏଆଇଏମ୍ଆଇଏମ୍ ବିଧାୟକ ଅକବରଉଦ୍ଦିନ ଓୱେସି। ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେପି ତେଲଙ୍ଗାନାର କଂଗ୍ରେସ ସରକାରକୁ ସମାଲୋଚନା କରିଥିବାବେଳେ ଅଲ୍ଲୁଙ୍କ ସମ୍ପର୍କୀୟ ତଥା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଅଭିନେତା ପୱନ କଲ୍ୟାଣ ହାଇଦ୍ରାବାଦ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଥିଲେ।

ସୋଶାଲ ମିଡିଆ ଆକାଉଣ୍ଟ ପାଇଁ ଆବଶ୍ୟକ ପଡ଼ିବ ଅନୁମତି;୧୮ ବର୍ଷରୁ କମ୍ ପିଲାଙ୍କୁ କଟକଣା

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଏ ନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫। ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେଶନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସୋଶାଲ ମିଡିଆ ଆକାଉଣ୍ଟ ଖୋଲିବା କ୍ଷେତ୍ରରେ ଆବଶ୍ୟକ ପଡ଼ିପାରେ ବାପା-ମା’ ବା ଅଭିଭାବକଙ୍କ ଅନୁମତି। ଏ ନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫। ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେଶନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ଅଂଶୀଦାରମାନଙ୍କୁ ସେମାନଙ୍କ ମତାମତ ଆହ୍ବାନ କରାଯାଇଛି। ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତାଙ୍କ ଏକ୍ସ ଆକାଉଣ୍ଟରେ ଏ ନେଇ ସୂଚନା ଦେଇଛନ୍ତି। ଡ୍ରାଫ୍ଟ ଡିପିଡିପି ନିୟମାବଳୀ ସମସ୍ତଙ୍କ ଆଲୋଚନା ପାଇଁ ଖୋଲା ରହିଛି ଏବଂ ସମସ୍ତଙ୍କ ମତ ଆହ୍ବାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ଜନସାଧାରଣ ଏଥିପାଇଁ ଜାନୁଆରୀ ୩ରୁ ଫେବ୍ରୁଆରୀ ୧୮ ତାରିଖ ମଧ୍ୟରେ mygov.in ୱେବସାଇଟ୍ ଜରିଆରେ ନିଜର ମତାମତ ଓ ଅଭିଯୋଗ ରଖିପାରିବେ। ଫେବ୍ରୁଆରୀ ୧୮ ତାରିଖ ପରେ ହିଁ ଏହି ନୂଆ ନିୟମାବଳୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ବା ଡିପିଡିପି ଡ୍ରାଫ୍ଟ ରୁଲରେ ପର୍ସୋନାଲ ଡାଟା ସୁରକ୍ଷା ପାଇଁ କଡ଼ା ନିୟମାବଳୀ ରଖିଛନ୍ତି ସରକାର। ଯେଉଁଥିରେ ବ୍ୟକ୍ତିଗତ ତଥ୍ୟ ଉପରେ ବ୍ୟବହାରକାରୀଙ୍କ ଅଧିକାର, ଡାଟା ଡିଲିଟ୍ କରିବା ଉପରେ ଅଧିକାର, ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ବେଳେ କମ୍ପାନୀକୁ ଉଦେଶ୍ୟ ପଚାରିବା ଏବଂ ଡାଟା ଲିକ୍ ପାଇଁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବା ଭଳି ବ୍ୟବସ୍ଥା ରହିଛି। ଗତ  ଅଗଷ୍ଟ ୨୦୨୩ ସଂସଦର ଅନୁମତି ପାଇଥିଲା।