ମୂଷା ଏବଂ ପୋକ ଖାଇଗଲେ ୪୦୦ କୁଣ୍ଟାଲରୁ ଅଧିକ ଗହମ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼ା)- ରାୟଗଡ଼ା ସହରର ସରକାରୀ ଗୋଦାମରେ ସାଧାରଣ ବଣ୍ଟନ ପାଇଁ ଉଦ୍ଦିଷ୍ଟ ବିପୁଳ ଗହମ ପୋକ ଏବଂ ମୂଷାଙ୍କ ଆକ୍ରମଣରେ ନଷ୍ଟ ହୋଇଯାଇଛି। ଏହି ବିପୁଳ ଖାଦ୍ୟଶସ୍ୟ କ୍ଷତି ପାଇଁ ସ୍ଥାନୀୟ ଲୋକ ଏବଂ ହିତାଧିକାରୀ ପ୍ରଶାସନକୁ ଦାୟୀ କରିଛନ୍ତି। ସୂଚନା ଅନୁଯାୟୀ, ରାୟଗଡ଼ା ସହରର ଯୋଗାଣ ବିଭାଗ ଗୋଦାମରେ ଗଚ୍ଛିତ ଚାରି ଶହ କୁଇଣ୍ଟାଲ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) ଗହମକୁ ମୂଷା ଖାଇଯାଇଛି ଏବଂ ପୋକ ଦ୍ଵାରା ଆକ୍ରାନ୍ତ ହୋଇଛି। ଫଳରେ ସମ୍ପୂର୍ଣ ଷ୍ଟକ୍ ଅକାମୀ ହୋଇଯାଇଛି । ଗୋଦାମରୁ ମିଳିଥିବା ଦୃଶ୍ୟଗୁଡ଼ିକ କହୁଛି ଯେ ସେଠାରେ ଗହମ ଖାଇଯାଇଛି ମୂଷା ଓ ପୋକ। ଗାନ୍ଧୀ ନଗରର ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରର ଗୋଦାମରେ ଏହି ଗହମ ରଖାଯାଇଥିଲା। ଯାହା ଗତ ନଭେମ୍ବରରେ ଜିଲ୍ଲାର ପ୍ରାୟ ୭ ଲକ୍ଷ ୯୭ ହଜାର ଜଣ ହିତାକାରୀଙ୍କ ପାଇଁ ଆସିଥିଲା। କିନ୍ତୁ, ସରକାରୀ ନିର୍ଦ୍ଦେଶ ଆସିବାପରେ ବଣ୍ଟନ ବନ୍ଦ କରି ଦିଆଯାଇଥିଲା। ଫଳସ୍ୱରୂପ, ବହୁ ପରିମାଣର ଗହମ ମାସ ମାସ ଧରି ପଡି ରହିଲା ଗୋଦାମରେ। ଯାହାକୁ ଧୀରେ ଧୀରେ କୀଟ ଏବଂ ମୂଷା ଖାଇଯାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଗତ ନଭେମ୍ବର ମାସରେ ୧ ହଜାର ୧୮୩ କୁଇଣ୍ଟାଲ ଗହମ ଜିଲ୍ଲାକୁ ଆସିଥିଲା। ଏଥିମଧ୍ୟରୁ ୭୪୮.୬୫ କୁଇଣ୍ଟାଲ ଗହମ ବଣ୍ଟନ କରାଯାଇଥିଲା। ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁଁ ଅବଶିଷ୍ଟ ଗହମ ସଂରକ୍ଷଣ ସ୍ଥାନରେ ପଚି ଯାଇଥିଲା। ଫଳରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଠି ପ୍ରଶ୍ନ ଉଠୁଛି ଯେ ଏହିପରି ଅପଚୟକୁ ରୋକିବା ପାଇଁ କାହିଁକି କୌଣସି ନିୟମିତ ଯାଞ୍ଚ କରାଯାଇନଥିଲା। ଲୋକେ ପ୍ରଶାସନକୁ ଦାୟୀ କରୁଛନ୍ତି। ତଥାପି, ସୁରକ୍ଷା ପରିଚାଳନାରେ ଏତେ ଗୁରୁତ୍ୱପୂର୍ଣ ତ୍ରୁଟି କିପରି ନିଯନ୍ତ୍ରଣ କରାଯାଇନଥିଲା ତାହା ତଦନ୍ତସାପେକ୍ଷ। ଗତବର୍ଷ ନଭେମ୍ବରରେ ମାତ୍ର ଦୁଇଦିନ ପାଇଁ ଗହମ ବଣ୍ଟନ ହୋଇଥିଲା। ତେବେ ସରକାରୀ ନିର୍ଦ୍ଦେଶ ପରେ ବଦ କରି ଦିଆଯାଇଥିଲା। ଆସନ୍ତା ମାସରୁ ପୂନଃ ବନ୍ଦ ଥିବା ଗହମ ବଣ୍ଟନ ଆରମ୍ଭ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଯଦି ଶସ୍ୟର ଅବସ୍ଥା ଭଲ ଏବଂ ବ୍ୟବହାରଯୋଗ୍ୟ ବୋଲି ଜଣାପଡେ ତେବେ ହିତାଧିକାରୀଙ୍କୁ ପିଡିଏସ ଗହମ ଦିଆଯିବ ବୋଲି ସୁଲଭ ମୂଲ୍ୟ ଦୋକାନ ସେଲ୍ସମ୍ୟାନ କହୁଛନ୍ତି। ନଚେତ, ଆମେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇବୁ ବୋଲି ସୂଚନା ଦେଇଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ ତଦନ୍ତ ପ୍ରତିଶ୍ରୁତି ଦେବା ସହିତ ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ସାମଲ କହିଛନ୍ତି, ରାଜ୍ୟର ସାଂଗଠନିକ ଓ ଅନ୍ୟାନ୍ୟ କାମ ବିଷୟରେ ଆଲୋଚନା ଲାଗି ନୂଆଦିଲ୍ଲୀ ଯାଇଥିଲେ। ବିଜେପିର ନୂଆ କାର୍ଯ୍ୟକାରିଣୀରେ କିଛି ନୂଆ ଲୋକଙ୍କୁ ନିଆଯିବ ଏବଂ କିଛି ପୁରୁଣା କାର୍ଯ୍ୟକର୍ତ୍ତା ପୂର୍ବ ଭଳି ଦାୟିତ୍ବରେ ରହିବେ। ତେବେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସଂପର୍କରେ ସେ କହିଛନ୍ତି, ଏବେ ସେଭଳି କୌଣସି ସମ୍ଭାବନା ନାହିଁ। ଏନେଇ ନୂଆଦିଲ୍ଲୀରେ କୌଣସି ଆଲୋଚନା ମଧ୍ୟ ହୋଇନାହିଁ। ତେବେ ଠିକ୍ ସମୟରେ ନିଗମ ଅଧ୍ୟକ୍ଷ ପଦବୀ ପୂରଣ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ସାମଲ। ସେ କହିଛନ୍ତି, ବିରୋଧୀଙ୍କ ଅଧିକାର ରହିଛି ଅନାସ୍ଥା ପ୍ରସ୍ତାବ ଆଣିବାର। କଂଗ୍ରେସ ଆଣିବାକୁ ଚାହିଁଲେ ଆଣିବ ଓ ବିଜେଡି ସମର୍ଥନ ଜଣାଇଲେ ଜଣାଇବା। ଆସିଲେ ଆମେ ସାମ୍ନା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ। ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର କରିଛୁ । ସାମ୍ବିଧାନିକ ପଦ୍ଧତିରେ ରାଜ୍ୟ ବିଜେପିରେ ନୂଆ କମିଟି ହେବ । କମିଟି ଗଠନ ପରେ ନୂଆ ଭିଜନ ପ୍ରସ୍ତୁତ ହେବ । ସେହି କମିଟିରେ ପୁରୁଣା ନୂଆ ସମସ୍ତେ ରହିବେ। ରାଜ୍ୟ ବିଜେପିରେ ଆସିବେ ୨୫ ପ୍ରତିଶତ ନୂଆ ମୁହଁ। ଆଜି ଓ କାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକ ରହିଛି। ପ୍ରଭାରୀଙ୍କ ନେତୃତ୍ୱରେ ନିରନ୍ତର ବୈଠକ ହେବ ବିଭିନ୍ନ ବିଷୟକୁ ନେଇ ହେବ ଆଲୋଚନା । ଖୁବ ଶୀଘ୍ର ନିଗମ ପଦବୀ ଗୁଡିକ ପୂରଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସଭାପତି । ମହିଳା ନିର୍ଯାତନା ବିଷୟ ଯାହା ସାମ୍ନାକୁ ଆସିଛି ତାର ସମୀକ୍ଷା କରୁଛୁ। ପ୍ରତିକାର ଓ ଦୃଢ଼ ପଦକ୍ଷେପ ନେଇ ବ୍ୟବସ୍ଥା କରାଯିବ । ଏହା ସହ ବଳଙ୍ଗା ପୀଡ଼ିତାଙ୍କ ପରିବାର ସହ ଭେଟି ନାବାଳିକାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିବା ନେଇ କହିଛନ୍ତି ରାଜ୍ୟ ସଭାପତି । ଏମ୍ସରେ ଡାକ୍ତରମାନଙ୍କ ସହ ଆଲୋଚନା କରିବା ସାଙ୍ଗକୁ ଉନ୍ନତରୁ ଉନ୍ନତତ୍ତର ଚିକିତ୍ସା ପାଇଁ କଥା ହୋଇଥିବା ସେ କହିଛନ୍ତି ସେ। ଡାକ୍ତରମାନେ ନିରନ୍ତର ଚେଷ୍ଟାରେ ଲାଗିଛନ୍ତି ।

ଓଏଏସ୍ ବାବୁଙ୍କୁ ମହଙ୍ଗା ପଡ଼ିଲା କି ବିଜେଡି ପାଇଁ ରାଜନୀତି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ସରକାରୀ ଚାକିରିରେ ଥାଇ ବିଜେଡି ପାଇଁ ରାଜନୀତି କରିବା ମହଙ୍ଗା ପଡ଼ିଛି ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସ୍ୱାମୀ ବରିଷ୍ଠ ଓଏଏସ୍ ରବୀନ୍ଦ୍ର କୁମାର ସେଠୀଙ୍କୁ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସେ ନିୟମିତ ନବୀନ ନିବାସ ଯିବା ଓ ସେଠାରେ ‘ଛାୟା ବ୍ୟକ୍ତିଗତ ସଚିବ’ ଭାବେ କାର୍ଯ୍ୟ କରୁଥିବା ନେଇ ବିଜେଡି ମହଲରେ ଚର୍ଚ୍ଚା ଓ ଗୁଇନ୍ଦା ବିଭାଗର ଖୋଳତାଡ଼ ପରେ ମୋହନ ମାଝୀଙ୍କ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଥିବା ଜଣାପଡ଼ିଛି ।  ଶ୍ରୀ ସେଠୀଙ୍କୁ କୋରାପୁଟସ୍ଥିତ କେବିକେ ଯୁଗ୍ମ ପ୍ରଶାସକ ଭାବେ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୪ତାରିଖ ବିଳମ୍ବିତ ରାତ୍ରିରେ ମୋଟ ୨୯ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ଓଡ଼ିଶା ବନ ଉନ୍ନୟନ ନିଗମରେ ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ ଓଏଏସ୍ ରବୀନ୍ଦ୍ର କୁମାର ସେଠୀଙ୍କୁ କୋରାପୁଟକୁ କେବିକେ ଯୁଗ୍ମ ପ୍ରଶାସକ ଭାବେ ବଦଳି କରାଯାଇଛି ।  ଗତକାଲି ବଦଳି ହୋଇଥିବା ୧୨ଜଣ ଓଏଏସ୍ ଅଫିସରଙ୍କୁ ଗତକାଲି ହିଁ ରିଲିଭ୍ କରାଯାଇ ନୂଆ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ରବୀନ୍ଦ୍ର ସମେତ ମୋଟ ୧୭ଜଣ ଓଏଏସ୍ ଅଫିସରଙ୍କୁ ତୁରନ୍ତ ରିଲିଭ୍ କରିବା ନିମନ୍ତେ ତାଙ୍କର ଉପରିସ୍ଥ ଅଧିକାରୀମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଜେଡି ସୂତ୍ର ଅନୁସାରେ, ଯାଜପୁରର ପୂର୍ବତନ ସାଂସଦଙ୍କ ସ୍ୱାମୀ ରବୀନ୍ଦ୍ର ସେଠୀ ବିଜେଡି ଶାସନ ସମୟରେ ଖୋଲାଖୋଲି ଭାବେ ଦଳୀୟ ବ୍ୟାପାରରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଅଭିଯୋଗ ହେବା ସହ ଗଣମାଧ୍ୟମରେ ବି ଖବର ପ୍ରକାଶିତ ହୋଇଥିଲା । ତେବେ ବିଜେଡି ସରକାରର ପତନ ହେବାପରେ ଶ୍ରୀ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ତାଙ୍କର ବିଜେଡି ପ୍ରୀତି ଯୋଗୁ ସେ ପ୍ରାୟତଃ ସନ୍ଧ୍ୟା ସମୟରେ ନବୀନ ନିବାସ ଯାଉଥିବା ଏବଂ ବିଜେଡି ପାଇଁ କାମ କରୁଥିବାର ଅନେକ ଅଭିଯୋଗ ସରକାରଙ୍କ ନିକଟରେ ପହଂଚୁଥିଲା ବୋଲି ସୂଚନା ମିଳିଛି । ସୂତ୍ର ଅନୁସାରେ, ଶ୍ରୀ ସେଠୀ ପ୍ରତ୍ୟେକ ସନ୍ଧ୍ୟାରେ ଅଧିକାଂଶ ସମୟ ନବୀନ ନିବାସରେ ବିତାଉଥିବାର ପ୍ରମାଣ ସରକାରଙ୍କ ହସ୍ତଗତ ହୋଇଥିଲା । ସେ ଛାୟା ପ୍ରାଇଭେଟ୍ ସେକ୍ରେଟାରୀ ଭାବେ ନବୀନ ନିବାସରୁ ବିଜେଡି ପାଇଁ କାର୍ଯ୍ୟ କରୁଥିବା ନେଇ ଦଳର କିଛି ନେତା ମଧ୍ୟ ଅଭିଯୋଗ କରିଥିଲେ । ଚାକିରିରେ ଥାଇ ଶ୍ରୀ ସେଠୀ କିଭଳି ନିୟମିତ ଭାବେ ବିରୋଧୀ ଦଳ ନେତାଙ୍କ ବାସଭବନକୁ ଯାଉଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ  ଓଏଏସ୍ ସଂଘ ଆନ୍ଦୋଳନକୁ ଅଧିକ ଜଟିଳ କରାଇବାରେ ଶ୍ରୀ ସେଠୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହେବାପରେ ରାଜ୍ୟ ସରକାର କ୍ଷୁବ୍ଧ ହୋଇଥିଲେ । ତାଙ୍କୁ ଭୁବନେଶ୍ୱରରୁ କୋରାପୁଟ ବଦଳି କରିଥିବା ଜଣାପଡ଼ିଛି । ଅବଶ୍ୟ ଶ୍ରୀ ସେଠୀ ନବୀନ ନିବାସ ଯାଉଥିଲେ କି ନାହିଁ ସେ ନେଇ ମିଳିଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିବା ନିମନ୍ତେ ଗୁଇନ୍ଦା ବିଭାଗକୁ ରିପୋର୍ଟ ମାଗିଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

ରାୟଗଡ଼ ଜିଲ୍ଲାପାଳଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ) – ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି l ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କାହଁରଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅନୁବିଭାଗୀୟ ଅଧିକାରୀ ସମ୍ବର୍ଦ୍ଧନା ଦେଇଥିଲେ l ସେହିପରି ସ୍ଥାନୀୟ ପ୍ରଦକ୍ଷିଣ ଗୃହ ସମିଳନୀ କକ୍ଷରେ ରାଜସ୍ବ ଅଧିକାରୀ ମାନଙ୍କ ତରଫରୁ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଅଧ୍ୟକ୍ଷତlରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଶ୍ରୀ ରମେଶ କୁମାର ଜେନା,ଉପଜିଲ୍ଲାପାଳ ରାୟଗଡ,ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ପିଏ ଆଇଟିଡ଼ିଏ ରାୟଗଡ଼, ଜିଲ୍ଲାର ସମସ୍ତ ତହସିଲଦାର ଏବଂ ଅତିରକ୍ତ ତହସିଲଦାର, ଅନ୍ୟାନ୍ୟ ରାଜସ୍ୱ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ଜିଲ୍ଲାପାଳଙ୍କ ରାୟଗଡ ଜିଲାରୁ ବଦଳି ହୋଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନକ୍ଷମ ଶଶକ୍ତି କରଣ ବିଭାଗର ନିର୍ଦେଶକ ହୋଇ ଯାଉଛନ୍ତି ଏବଂ ଶ୍ରୀମତୀ ପଟାୱରୀଙ୍କ ଜିଲ୍ଲାରେ ସ୍ୱଳ୍ପକାଳୀନ ସମୟ ଭିତରେ ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେଉଥିଲେ l

ତାଙ୍କ କାର୍ଯ୍ୟକାଳ ସମୟରେ ଜିଲ୍ଲା ମଣ୍ଡଳ ଶୁଭାରମ୍ଭ , ସ୍ୱାମୀତ୍ୱ ଯୋଜନାରେ ସହାୟତା ବଣ୍ଟନ କାର୍ଯ୍ୟକ୍ରମ କୁ ସୁପରିଚାଳନା, ଆକାଂକ୍ଷା ଜିଲ୍ଲା ସର୍ବକୃଷ୍ଟ ସ୍ଥାନ ପାଇଁ ପୁରସ୍କୃତ ହେଇ ପାରିଥିଲl, ଆଦିମ ଜନଜାତି ଅଧ୍ୟୁଷିତ ସକଟା ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ମାନ୍ୟତା ମିଳିପାରିଛି l ଜିଲ୍ଲାପାଳ ଜିଲ୍ଲାରେ କମ ସମୟ କାର୍ଯ୍ୟ କାଳରେ ତାଙ୍କ କାର୍ଯ୍ୟ ଶୈଳୀ,କାର୍ଯ୍ୟ ପରିଚାଳନା ଓ ଦିଗଦର୍ଶନ ଉପରେ ସମସ୍ତ କର୍ମଚାରୀ ଆଲୋକପlତ କରିଥିଲେ l ଜିଲ୍ଲାପାଳଙ୍କ ପରବର୍ତ୍ତୀ ଜୀବନ ଉତ୍ତରତ୍ତର ଉନ୍ନତି କାମନା କରିଥିଲେ l

ଏଥର ଧରାଯିବ ଫେକ୍ ଜବ କାର୍ଡ ସୂଚନା ଦେଲେ ମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଫେକ ଜବ କାର୍ଡ ଧରିବାକୁ ଆରମ୍ଭ ହେବ ଇକେୱାଇସି | ଜବ କାର୍ଡ ଧାରୀ କରିବେ ଇକେୱାଇସି | ତିନି ମାସ ଭିତରେ ଜବ କାର୍ଡ ଇକେୱାଇସି ନ କଲେ କଟିବ ଜବ କାର୍ଡ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ।  ମନ୍ତ୍ରୀ ରବି ନାରାୟଣ ନାୟକ ଆହୁରି କହିଛନ୍ତି, ସରକାର ବାହାର କରିଛନ୍ତି ଫେକ ଜବ କାର୍ଡ | ଏହାର ଅଧିକାରୀ କିଏ ଥିଲେ, ଅର୍ଥ କିଏ ଆତ୍ମସାତ କରୁଥିଲା ବିଗତ ଦିନରେ ଯିଏ ଶାସନ କରୁଥିଲେ ସିଏ ତାର ଉତ୍ତର ଦେବେ | ସରକାର ବର୍ଷେ ଭିତରେ ୨ ଲକ୍ଷ ନୂଆ ଜବ କାର୍ଡ ଦେଇଛନ୍ତି |

ରକ୍ତ ଦାନ ମହତ ଦାନ – ଶିବ ପ୍ରସାଦ ଦୋରା

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼)ରକ୍ତଦାନ ମହତ ଦାନ ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ଼ ଜିଲ୍ଲା “ସମ୍ବାଦ” ଖବର କାଗଜ ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା। ପିଲାବେଳୁ ଅନ୍ୟର ଦୁଃଖ କଷ୍ଟକୁ ଦେଖି ସମ୍ଭାଳି ପାରନ୍ତି ନାହିଁ ଶ୍ରୀ ଦୋରା। ସମ୍ବାଦ ଦୈନିକ ଖବର କାଗଜରେ ରାୟଗଡ଼ ଜିଲ୍ଲାର ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟରତ ଅଛନ୍ତି ଶିବ ପ୍ରସାଦ ଦୋରା। ଶ୍ରୀ ଦୋରାଙ୍କ ସଙ୍ଘର୍ଷମୟ ଜୀବନର ସେବା ଉଦ୍ଧେଶ୍ୟରେ ରକ୍ତ ଦାନ ମହତ ଦାନ ମନେ କରି, ଯେଉଁଠି ମଧ୍ୟ ରକ୍ତଦାନ ଶିବିର ଆୟୋଜନ ହେଇଥାଏ, ନିଜ ସ୍ଵଇଚ୍ଛାରେ ରକ୍ତଦାନ ଶିବିରରେ ପହଞ୍ଚି ଯାଆନ୍ତି ରକ୍ତ ଦାନ କରିବା ପାଇଁ। ତାଙ୍କର ଏହିଭଳି ମହତ୍ ପଣିଆ ପଛରେ ତାଙ୍କ ନିର୍ମଳ ଭାବମୂର୍ତ୍ତି ଦେଖିବାକୁ ମିଳେ ବୋଲି କହିଛନ୍ତି ଆତ୍ମୀୟ ସ୍ୱଜ୍ଜନ ଏବଂ ସାମ୍ବାଦିକ ବନ୍ଧୁ ମାନେ। ଆଜକୁ ପାଖାପାଖି ୧୦୦ଥରରୁ ଉର୍ଦ୍ଧ ଥର ରକ୍ତ ଦାନ ଶିବିର ଏବଂ ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ରକ୍ତ ଦାନ କରନ୍ତି। ଖାଲି ଏତିକି ନୁହେଁ, ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ନିଜ ଅଞ୍ଚଳର ସମସ୍ୟା ଓ ତାହାର ସମାଧାନ ଏବଂ ଅଞ୍ଚଳର ବିକାସ ଦିଗରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଥାଆନ୍ତି ଶ୍ରୀ ଦୋରା। ଅସହାୟଙ୍କୁ ସହାୟ ହୋଇ ଜିଲ୍ଲା ପ୍ରଶାସନ ଓ ସମାଜକୁ ମାଧ୍ୟମ ହୋଇ ଅଭିଯୋଗ ଶୁଣାଣି ଗୁଡ଼ିକରେ ଦୁଃଖିହାରିଙ୍କୁ ସହଯୋଗ କରନ୍ତି। ନିରାଡମ୍ୱର ଜୀବନ ଓ ନିଃସ୍ଵାର୍ଥପର ସେବାରେ ନିଜକୁ ସାମିଲ କରି ବେଶ୍ ଆନନ୍ଦ ଲାଗେ ବୋଲି କହିଛନ୍ତି ଶ୍ରୀ ଦୋରା।

ଏହିଭଳି ବ୍ୟକ୍ତି ବିଶେଷଙ୍କୁ ନିଜ ଗହଣରେ ପାଇ ଜିଲ୍ଳାର ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ବହୁତ୍ ପ୍ରଶଂସା କରିବା ଦେଖିବାକୁ ମିଳୁଛି। ରାଜ୍ୟର ପ୍ରମୁଖ ଖବର କାଗଜ “ସମ୍ବାଦ” ଜିଲ୍ଲା ପ୍ରତିନିଧି ଭାବରେ ବେଶ୍ ଜଣାଶୁଣା ଶ୍ରୀ ଦୋରାଙ୍କ ଅନ୍ୟନାମ ‘ବୁବୁ’ ଦୋରା ନାମରେ ସମସ୍ତେ ଜାଣନ୍ତି। ସରକାରି କାର୍ଯକ୍ରମର ପ୍ରଚାର୍ ପ୍ରସାର ଏବଂ ରାୟଗଡ଼ ଜିଲ୍ଲାର ସମସ୍ତ ଖବର ଆମ ନଜରକୁ ଆଣି ଉତ୍ତମ କାର୍ଯ୍ଯ ଦକ୍ଷତା ସମ୍ପାଦନ କରନ୍ତି ବୋଲି କହିଛନ୍ତି ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଭୂରି ଭୂରି ପ୍ରଶଂସା କରିବା ସହ ଧନ୍ୟବାଦ୍ ଜଣାଇଛନ୍ତି। ସେହିଭଳି ଗ୍ରନ୍ଥାକର ଡମ୍ବରୁଧର ପଣ୍ଡା କହିଛନ୍ତି ଯେ, ସାମ୍ବାଦିକତା ଏକ ପ୍ରକାର ସେବା ଭାବରେ ଆପଣେଇଵା ହିଁ ପ୍ରକୃତ ସେବା। ଆଗକୁ ଏହିଭଳି ସେବା ମନବୃତ୍ତି ଜାରି ରହୁ ଏହି ସେବା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଶ୍ରୋତ ହେଉ ବୋଲି କହିଛନ୍ତି ଶ୍ରୀ ପଣ୍ଡା।

ପାଣ୍ଡିଆନଙ୍କ ଜିଦ୍ ଆଗରେ ବିଜେଡି ନେତା ଙ୍କ କର୍ତ୍ତବ୍ୟ ଫସର ଫାଟିଲା ; ନେତା ହେଁ ହେଲେ ଅଣନିଃଶ୍ୱାସୀ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଓ ୨୪ବର୍ଷର ଶାସନର ଅନ୍ତ ସତ୍ତ୍ୱେ ଦଳ ପୁଣିଥରେ କ୍ରିୟାଶୀଳ ହୋଇ ଲକ୍ଷଲକ୍ଷ କର୍ମୀଙ୍କ ପାଖକୁ ଯିବା ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହ ଦେଖାଉନାହିଁ। ଏପରିକି ବିଗତ ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ମଧ୍ୟ କୈଣସି ଗୋଟିଏ ବି ପ୍ରସଙ୍ଗରେ ଦଳ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ନିଜର କର୍ମୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଉତ୍ସାହ ବୃଦ୍ଧି ଭଳି ପଦକ୍ଷେପ ନେଇପାରିନି। ବିଜେଡିର ସାଙ୍ଗଠନିକ ବ୍ୟାପାରରେ ଭିକେ ପାଣ୍ଡିଆନ୍ ନାହାଁନ୍ତି ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବାରମ୍ବାର ସଫେଇ ଦେଉଛନ୍ତି। ପାଣ୍ଡିଆନ୍ ମଧ୍ୟ ଦଳର କୈଣସି ନେତାଙ୍କୁ ସିଧାସଳଖ ଭେଟ ବି କରୁନାହାନ୍ତି। କିନ୍ତୁ ତାଙ୍କ ବିନା ନିର୍ଦ୍ଦେଶରେ ଦଳରେ ପତ୍ରଟିଏ ବି ହଲିପାରୁନି। ଆଉ ଦଳ ଓ ସଂଗଠନରେ ଏପରି ସ୍ଥିତିକୁ ଦେଖି ଅଧିକାଂଶ ଆଗଧାଡି଼ର ନେତାମାନେ ନିଜକୁ ଅଣନିଃଶ୍ବାସୀ ଅନୁଭବ କରୁଥିଲେ ଅନ୍ୟ ବିକଳ୍ପ ନପାଇ ପାଣ୍ଡିଆନଙ୍କ ଛାୟା ଇକୋସିଷ୍ଟମରେ ମୋଡ଼ିମକଚି ହୋଇ ରହିବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି। ଏପରିକି ପାଣ୍ଡିଆନଙ୍କ ଜିଦ୍ ଆଗରେ ବିଜେଡି କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଛି। ବୟସାଧିକ ଯୋଗୁଁ ସଂଗଠନ ପରିଚାଳନାରେ ନବୀନଙ୍କ ଅନାଗ୍ରହ ଓ ଅପାରଗତା, ପାଣ୍ଡିଆନଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା ହିଁ ପରୋକ୍ଷରେ ବିଜେଡି ନେତାମାନଙ୍କୁ ପାଣ୍ଡିଆନଙ୍କ ହାକିମାତି ସ୍ବୀକାର ପାଇଁ ଏକରକମ ବିବଶ କରିଦେଇଥିବା ଦଳୀୟ ମହଲରେ ଚର୍ଚ୍ଚା। ବିଜେଡି ସୂତ୍ର ଅନୁସାରେ, ଦଳର ଆଗଧାଡି଼ର ନେତ୍ରୀମାନଙ୍କ ତୀବ୍ର ବିରୋଧ ସତ୍ତ୍ଵେ ପାଣ୍ଡିଆନଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇ ବିଜେଡି ଗୁରୁବାର ଭୁବନେଶ୍ବରରେ ଓ ଶୁକ୍ରବାର ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଛି। ଗୁରୁବାର ଶଙ୍ଖ ଭବନରେ ବିଜେଡିର ଅସ୍ଥାୟୀ ମୁଖିଆ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଦଳର ଆଗଧାଡି଼ର ନେତ୍ରୀମାନେ ସିଧାସଳଖ ଏହି ପ୍ରାୟୋଜିତ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ। ବିଜେପିରୁ ଆମଦାନୀ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ କାହିଁକି ଏତେ ଗୁରୁତ୍ୱ ଦିଆଯାଉଛି ଓ ଅନ୍ୟ ପ୍ରମୁଖ ନେତ୍ରୀମାନଙ୍କ କ୍ଷେତ୍ରରେ ଦଳ ଚୁପ୍ ଥିବାବେଳେ ଲେଖାଶ୍ରୀଙ୍କ ପାଇଁ ମାତ୍ରାଧିକ କାର୍ଯ୍ୟକ୍ରମ ଉଚିତ୍ ନୁହେଁ ବୋଲି ଉକ୍ତ ବୈଠକରେ ଦଳୀୟ ନେତ୍ରୀମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଲେଖାଶ୍ରୀଙ୍କ ପ୍ରତି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ ଥାନାରେ ଦଳ ପକ୍ଷରୁ ଦୁଇ ଦୁଇଟି ଏତଲା ଓ ରାଜ୍ୟ ମହିଳା କମିଶନରେ ମାମଲା ହୋଇସାରିଛି। ଦଳ ମଧ୍ୟ କ୍ରମାଗତ ଭାବରେ ଏହି ମନ୍ତବ୍ୟକୁ ନିନ୍ଦା କରି ବିଧାୟକଙ୍କ ଗିରଫଦାରୀ ଓ କ୍ଷମା ପ୍ରାର୍ଥନା ଦାବି କରିସାରିଛି। ଆଇନଗତ ଲଢେଇ ଏବେ ଜାରି ରହିଛି। ତେଣୁ ଯଦି ଦଳ ଚାହୁଁଛି, ତାହେଲେ ବିଗତ କିଛି ମାସ ମଧ୍ୟରେ ରାଜ୍ୟରେ ବଢୁଥିବା ମହିଳା ହିଂସା ବିରୁଦ୍ଧରେ ଆନ୍ଦୋଳନ କରାଯାଉ ବୋଲି ଅଧିକାଂଶ ନେତ୍ରୀ ପ୍ରସ୍ତାବ ଦେଇଥିଲେ। ଦେବୀ ମଧ୍ୟ ନେତ୍ରୀମାନଙ୍କ ବିରୋଧ ଦେଖି ବ୍ୟାକଫୁଟକୁ ଯାଇଥିଲେ। ମାତ୍ର ପାଣ୍ଡିଆନଙ୍କ ଜିଦ୍ ଓ କଡ଼ା ଆଭିମୁଖ୍ୟ ଦେଖି କେବଳ ଲେଖାଶ୍ରୀଙ୍କ ପ୍ରସଙ୍ଗରେ ଦଳର ଆଗଧାଡି଼ର ନେତ୍ରୀମାନଙ୍କୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଗଲା। ଅନିଚ୍ଛା ସତ୍ତ୍ବେ ଦଳର ହାତଗଣତି ନେତ୍ରୀ ଭୁବନେଶ୍ୱରରେ ବିକ୍ଷୋଭରେ ସାମିଲ ହେଲେ ଓ ଅଧିକାଂଶ ଅନୁପସ୍ଥିତ ରହିଲେ। ଅନୁରୂପ ଭାବେ ପାଣ୍ଡିଆନଙ୍କ ଚାପ ଓ ଜିଦ୍ ଯୋଗୁଁ ଗତ ୭ ତାରିଖରେ ମଧ୍ୟ ବାଲେଶ୍ବରରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି କରିଥିଲା। ବିଜେଡି ନେତା ପ୍ରତାପ ଜେନା ନିଜର ତୋଷାମଦିଆ ନୀତି ଓ ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵର ଜିଲ୍ଲାର ଦଳୀୟ ବିଧାୟକ ଓ ପରାଜିତ ବିଧାୟକ ପ୍ରାର୍ଥୀ ଏବଂ ଜିଲ୍ଲା ସଭାପତି ଉପସ୍ଥିତ ଥିଲେ। ତେବେ ପ୍ରତାପଙ୍କ ବୈଠକରେ ବସ୍ତା ବିଧାୟିକା ସୁବାସିନୀ ଜେନା ଓ ତାଙ୍କ ସ୍ବାମୀ ରବୀନ୍ଦ୍ର ଜେନା ଉପସ୍ଥିତ ଥିଲେ ମଧ୍ୟ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରହିଥିଲେ। ବିଜେଡି ସୂତ୍ର ଅନୁସାରେ, ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଓ ୨୪ବର୍ଷର ଶାସନର ଅନ୍ତ ସତ୍ତ୍ୱେ ଦଳ ପୁଣିଥରେ କ୍ରିୟାଶୀଳ ହୋଇ ଲକ୍ଷଲକ୍ଷ କର୍ମୀଙ୍କ ପାଖକୁ ଯିବା ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହ ଦେଖାଉନାହିଁ। ଏପରିକି ବିଗତ ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ମଧ୍ୟ କୈଣସି ଗୋଟିଏ ବି ପ୍ରସଙ୍ଗରେ ଦଳ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ନିଜର କର୍ମୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଉତ୍ସାହ ବୃଦ୍ଧି ଭଳି ପଦକ୍ଷେପ ନେଇପାରିନି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ସବୁ ଜିଲ୍ଲାକୁ ଗସ୍ତ ହେଉ କି ଜିଲ୍ଲାର ଆଗଧାଡି଼ର ନେତାମାନଙ୍କୁ ମଧ୍ୟ ଭେଟିନାହାନ୍ତି। ବିଜେଡି ପରାଜୟର ମୁଖ୍ୟ ସୂତ୍ରଧର ଦଳର ଅଘୋଷିତ ସର୍ବେସର୍ବା ପାଣ୍ଡିଆନ ବି କାହାରିକୁ ଭେଟୁ ନଥିବାବେଳେ ତାଙ୍କ ଖାସ୍ ଅନୁଗତ ପ୍ରଣବ ପ୍ରକାଶ ଦାସ(ବବି) ଏବେ ପୁଣିଥରେ ନିଜର ପୁରୁଣା ଫର୍ମକୁ ( ଦଳ କ୍ଷମତାରେ ଥିବାବେଳେ ଅହଙ୍କାର ଓ ଔଦ୍ଧତ୍ୟ) ଫେରିଛନ୍ତି । ଦଳରେ ପାଣ୍ଡିଆନଙ୍କ ହାକିମାତି ଆରମ୍ଭ ହେବା ସହ ବବିଙ୍କ ମାମଲାତି ବି ପୁଣିଥରେ ଫେରିଛି। ଯଦିଓ ଦଳର ଅସ୍ଥାୟୀ ମୁଖିଆ ଭାବେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ପୁଣିଥରେ ଦାୟିତ୍ବ ମିଳିଛି, କିନ୍ତୁ ସେ ଦଳୀୟ ସାଂଗଠନିକ ପ୍ରସଙ୍ଗରେ ପାଣ୍ଡିଆନ-ବବିଙ୍କ ବିନା ନିର୍ଦ୍ଦେଶରେ କିଛି କରିବାର ସାହାସ ଜୁଟାଇ ପାରିନାହାନ୍ତି। ନବୀନଙ୍କ ଅସୁସ୍ଥତା ଓ ନିର୍ଭରଶୀଳତା, ବରିଷ୍ଠ ନେତାମାନଙ୍କ ନୀରବତା,  ଦେବୀଙ୍କ ଚାଟୁକାରିତା, ଅଢ଼େଇ ଦଶନ୍ଧି ପରେ ପୁନଃଗଠିତ ଦଳର ରାଜନୀତିକ ବ୍ୟାପାର କମିଟି (ପିଏସି)ର ଅକର୍ମଣ୍ୟତାର  ଫାଇଦା ଉଠାଇ  ପାଣ୍ଡିଆନ ପ୍ରଚ୍ଛଦପଟରେ ରହି ନିଜ ଢଙ୍ଗରେ ବିଜେଡିକୁ ପରିଚାଳନା କରିବାରେ ଲାଗିଛନ୍ତି। ବିଜେଡି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ମଧ୍ୟ ପାଣ୍ଡିଆନଙ୍କ ନିଜସ୍ଵ ଆତ୍ମରକ୍ଷା ରଣନୀତି ପାଇଁ ଦଳ ଧୀରେ ଧୀରେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ-ସମସ୍ୟାରୁ ଦୂରେଇ ଯିବାରେ ଲାଗିଛି। ବିଜେଡିର ବିଗତ ବର୍ଷେ ଧରି ଏଭଳି ନୀତି-ନୈତିକତାବିହୀନ ଆଭିମୁଖ୍ୟ ମଧ୍ୟ ରାଜ୍ୟରେ କଂଗ୍ରେସକୁ ବଳ ଗୋଟାଇବାରେ ସହାୟକ ହୋଇଛି ଓ ତଥା ଦଳ ଲୋକଙ୍କ ସମସ୍ୟା ସହ ଜଡ଼ିତ ରହି ସେମାନଙ୍କ ଆସ୍ଥାଭାଜନ ହେବାରେ ଲାଗିଛି।

 

୧୭ରେ ବନ୍ଦ ରହିବା ସାରା ଓଡ଼ିଶା ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୈାମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ। ଏହାକୁ ବାମ ଦଳ ସମେତ ଅନ୍ୟ ବିରୋଧୀ ଦଳ ସମର୍ଥନ କରିଛନ୍ତି। ବିଦ୍ୟାଳୟ, କଲେଜ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ ଏ ସରକାର ଶାସନକଳକୁ ଚଳାଇବାରେ ଅସମର୍ଥ। ତେଣୁ ସେମାନେ ଓହରି ଯାଆନ୍ତୁ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ଏହି ଘଟଣା ପାଇଁ ରାଜ୍ୟ ସରକାର ଦାୟୀ। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। କଂଗ୍ରେସ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ।କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ଆତ୍ମହତ୍ୟା ନୁହେଁ। ଏହା ବ୍ୟବସ୍ଥା ଦ୍ବାରା ଏକ ସଂଗଠିତ ହତ୍ୟାକାଣ୍ଡ। ଯୈାନ ଶୋଷଣ ବିରୁଦ୍ଧରେ ସାହାସୀ ଝିଅଟି ସ୍ଵର ଉଠାଇଥିଲା। କିନ୍ତୁ ତାକୁ ଚପାଇ ଦେବାକୁ ଚେଷ୍ଟା କରାଯାଇଥିଲା। ତାଙ୍କୁ ଅପମାନିତ କରାଯାଇଥିଲା। ଅଧ୍ୟାପକଙ୍କ ବିରୋଧରେ ମାନସିକ ନିର୍ଯାତନା ଆଣି ଗତ ଶନିବାର ଆତ୍ମାହୁତି ଉଦ୍ୟମ କରି ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିବା ଛାତ୍ରୀ ସୈାମ୍ୟାଶ୍ରୀ (୨୦) ସୋମବାର ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଆଜି ଭୋଗରାଇର ପଳାସିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ  !!!

ଏଥର ସମ୍ଭାଳ(ଗୁଣପୁର)- ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରିନ୍ସିପାଲ ଡଃ. କାହ୍ନୁଚରଣ ଚରଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଯାଇଛି । ଗୁଣପୁର ବନ ବିଭାଗ ଆନୁକୂଲ୍ଯରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ଗୁଣପୁର ବନ ବିଭାଗର ରେଞ୍ଜର ଯୋଗ ଦେଇ ଛାତ୍ରଛାତ୍ରୀ ବୃକ୍ଷ ରୋପଣ କରିବାପାଇଁ ଉଚ୍ଚାଇତ କରିଥିଲେ । ଅନୁଷ୍ଠାନର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଯଥା ବି.ଫାର୍ମାସି, ଡି.ଫାର୍ମାସି,ନର୍ସିଂ ଓ ଡି.ଏମ.ଏଲ.ଟି ଆଦି ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ବାର ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ପି.ଭି.କୋଟେଶ୍ୱର ରାଓଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଜୀବ ପଣ୍ଡା ପରିଚାଳନା କରିଥିଲେ । ଏହିପରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବାରୁ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଅଭିନନ୍ଦନ ଜଣାଇଥିଲେ ଓ ସମସ୍ତଙ୍କୁ ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି ନିଜ ବାର୍ତ୍ତା ମାଧ୍ୟମରେ କହିଥିଲେ ।