ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ପ୍ରତିକ୍ରିୟା ରଖିଲେ କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ମଣ ବାଗ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର ) – ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଭିତରେ କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ମଣ ବାଗ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ ଗଣାମାଧ୍ୟମରେ ନିଜର ମତ ବ୍ୟକ୍ତ କରି କହିଛନ୍ତି, ‘‘ରାଜ୍ୟ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଯେଉଁ କାର୍ଯ୍ୟ ହେବ ତାହା ମୁଁ ଜାଣେ। ଏନେଇ ସରକାର ମଧ୍ୟ ଅବଗତ ଅଛନ୍ତି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବୈଠକ ପରେ ନିଷ୍ପତ୍ତି ନିଆଯିବ। ସେ ନିଷ୍ପତ୍ତକୁ ସମସ୍ତେ ଗ୍ରହଣ କରିବେ। ମୋ ନାଁ ଚର୍ଚ୍ଚା ହେଉ ଥାଇପାରେ । ହେଲେ ମୁଁ ସେଭଳି କିଛି ଜାଣିନି। ସେ ଆଶା ମୋର ନୁହେଁ; ଆଶା କଣ୍ଟାବାଞ୍ଜି ବାସୀଙ୍କର। ତାହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ଵ; ସେ କିଭଳି ଚଳାଇବେ। ବିଧାୟକ ଭାବେ ଯେଉଁ କାର୍ଯ୍ୟ କରିବା କଥା ଆମେ କାର୍ଯ୍ୟ କରିଚାଲିଛୁ । ପୂର୍ବରୁ ସଭାପତି ମୋତେ ରିପୋର୍ଟ୍ କାର୍ଡ ମାଗିଥିଲେ। ମୁଁ ସଭାପତିଙ୍କୁ ରିପୋର୍ଟ କାର୍ଡ ଦେଇଛି। ଆମ କାର୍ଯ୍ୟ ଗଣମାଧ୍ୟମଠାରୁ ସାମାଜିକ ଗଣମାଧ୍ୟମ ସବୁଠାରେ ଦେଖାଯାଉଛି।

ପରଲୋକରେ ମଧୁସ୍ମିତା…!

ଏଥର ସମ୍ଭାଳ ବ୍ୟୁରୋ(ମାଲକାନଗିରି)- ଆଦର୍ଶ ଶିକ୍ଷୟିତ୍ରୀ, ଛାତ୍ର ବତ୍ସଳା ଜନନୀ, ସମାଜ ସେବୀ, ସୁଗୃହିଣୀ ବରିଷ୍ଠ କବି, କରୁଣାକର ମଲିକ ଙ୍କ ଧର୍ମପତ୍ନୀ ମଧୁସ୍ମିତା ମଲିକଙ୍କ ଗତ ୧୫ ତାରିଖରେ ଅକାଳ ବିୟୋଗରେ ସମଗ୍ର ଶିକ୍ଷକ ସମାଜରେ ଏକ ଶୋକରେଳ ଛାୟା ଖେଳିଯାଇଛି। ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲାରୁ ସ୍ବାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଉପାନ୍ତ ମାଲକାନଗିରି ଜିଲ୍ଲାର ତାର୍ଲାକୋଟା ଭଳି ଆଦିବାସୀ ଗ୍ରାମରେ ରହି ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୦୬ ମସିହାରୁ ପ୍ରଥମେ ଶିକ୍ଷାସହାୟିକା ଓ ପରବର୍ତ୍ତୀ ୨୦୧୭ ମସିହାରୁ ନିୟମିତ ସହକାରୀ ଶିକ୍ଷୟିତ୍ରୀ ଭାବେ ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିଲେ।ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ, ସୁଗୃହିଣୀ, ପତିବ୍ରତା ନାରୀ ଓ ଛାତ୍ର ବତ୍ସଳା ମାଆ ଥିଲେ। ଯାହାଙ୍କ ଉଦ୍ଦେଶ୍ୟରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଖୋର୍ଦ୍ଧା, ଭୁବନେଶ୍ୱର, ବ୍ୟାସକବି ଫକୀରମୋହନ ସାହିତ୍ୟ ସଂସଦ, ବାଲେଶ୍ଵର,ତାର୍ଲାକୋଟା ପଞ୍ଚାୟତ ଶିକ୍ଷକ ସମୂହ ଶୋକସଭା ଆୟୋଜନ କରି ସାରିଛନ୍ତି।ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ତାଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି। ଯେଉଁ କାର୍ଯ୍ୟ କ୍ରମଗୁଡିକରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଫେସର ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ସ୍ତମ୍ଭକାର ରବି ଦାସ, ଚକ୍ରଧର ତ୍ରିପାଠୀ, ପଦ୍ମନାଭ ତ୍ରିପାଠୀ, ପ୍ରତିଷ୍ଠାତା ବଳରାମ ତରାଇ, ଡଃ ରଜନୀ ରଞ୍ଜନ ଦାଶ, ସମ୍ପାଦିକା ସରସ୍ବତୀ ନାୟକ ପ୍ରମୁଖ ଶତାଧିକ ଶୁଭାକାଙ୍କ୍ଷୀ ଯୋଗ ଦେଇ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ତାଙ୍କ ନିଜ ଗ୍ରାମ କେନ୍ଦ୍ରାପଡ଼ା ଜିଲ୍ଲାର ନରଣପୁର ରେ ଏକାଦଶ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ” ସ୍ମୃତିରେ ମଧୁସ୍ମିତା ” ନାମକ ଏକ ସ୍ମରଣିକା ଉନ୍ମୋଚନ ହୋଇଯାଇଛି। ଅନୁଷ୍ଠାନ ତରଫରୁ ଏକ ସ୍ମୃତି ସଭା ଆୟୋଜନ କରାଯାଇ ତାଙ୍କ ସ୍ମୃତି ଚାରଣ କରିବା ସହ ପରିବାର , ଜ୍ଞାତି କୁଟୁମ୍ବ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ସ୍ମୃତି ଚାରଣ ସଭାରେ ପ୍ରତିଷ୍ଠାନର ସଭାପତି ଚକ୍ରଧର ତ୍ରିପାଠୀ, ପଥପ୍ରଦର୍ଶକ ପଦ୍ମନାଭ ତ୍ରିପାଠୀ, ପ୍ରତିଷ୍ଠାତା ବଳରାମ ତରାଇ, ସମ୍ପାଦିକା ସରସ୍ବତୀ ନାୟକ, ଉପଦେଷ୍ଟା ନୀରୋଦ ଚନ୍ଦ୍ର ଜେନା, ପ୍ରମୋଦ କୁମାର ତ୍ରିପାଠୀ , ସନ୍ତୋଷ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ।

ଉନ୍ନୟନ କାମ ଦେଖି ଖୁସି ହେଲେ କେନ୍ଦ୍ରୀୟ ଅଧିକାରୀ ବ୍ଲକ ପ୍ରଶାସନକୁ ଜଣାଇଲେ ଧନ୍ୟବାଦ…!

!!! କଳାହାଣ୍ଡି ରୁ ମୋନଜ କୁମାର ସିଂ ଙ୍କ ରିପୋର୍ଟ  !!! 

ଏଥର ସମ୍ଭାଳ(ଭବାନୀପାଟଣା)- ଦିଲ୍ଲୀରୁ ଓଡିଶା ଗସ୍ତରେ ଆସିଥିବା ଦୁଇ ଜଣ ଉଚ୍ଚ ପଦାଧିକାରୀ କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ଫଟକାମାଲ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଜିଲା ପ୍ରଶାସନଙ୍କ ନେତୃବରେ ଜାତୀୟ ସ୍ତରୀୟ ପର୍ଯ୍ୟବେକ୍ଷକ ଦଳର ମିନିଷ୍ଟ୍ରି ଅଫ ରୁରାଲ ଡେଭଲପ ବିଭାଗର ଡେପୁଟି ଡ଼ାଇରେକ୍ଟର ରଜତ ବର୍ମା, କୋରଡ଼ିନେଟର ପ୍ରମୋଦ ବର୍ମା ଶନିବାର ପରିଦର୍ଶନ କରିଥିଲେ। ପ୍ରଥମେ ଫଟକାମାଲ ଗ୍ରାମସ୍ଥିତ ହାଇସ୍କୁଲ, ଗୋଷ୍ଠୀ ଶୌଚାଳୟ ପରିଦର୍ଶନ କରିବା ସହ ନିକଟସ୍ଥ ଚେକ ଡ୍ୟାମ ପରିଦର୍ଶନ କରିଥିଲେ। ଫଟକାମାଲ ଗ୍ରାମର ଦୁଲ୍ଲାରି ଜାଲଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଖି ଅଧିକାରୀଗଣ ଖୁସି ହୋଇ ବ୍ଳକ ପ୍ରଶାସନ କର୍ମଚାରୀଙ୍କୁ ଧନ୍ୟବାଦ ଦେଇ ଥିଲେ। ଫଟକାମାଲ ଗ୍ରାମପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ହେଲା ସୁଭଦ୍ରା ଯୋଜନା, ବୁଢ଼ାବୁଢ଼ୀ ଭର୍ତ୍ତା,ମରେଗା ଯୋଜନା, ପୋଖରୀ, ଆବାସ ଯୋଜନା ଦେଖି ଅଧିକାରୀ ଖୁସି ହୋଇଥିଲେ। ଫଟକାମାଲ ଗ୍ରାମ ପଞ୍ଚାୟତରେ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ ବିଷୟ ରେ ସମୀକ୍ଷା କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଯନ୍ତ୍ରୀ ଜଳେଶ୍ବର ନାଏକ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ଜିଲା ଅଧିକାରୀ ଭାବେ ଡିପିସି ତ୍ରିଲୋଚନ ବାରିକ,ଡ଼ିଏସଏ ଶଶାଙ୍ଖ ଶେଖର ଭୋଇଙ୍କ ସମେତ କେସିଙ୍ଗା ବ୍ଳକର ବିଆରସି ନମିତା ପ୍ରଧାନ, ଡିପିସି ପ୍ରତିମା ସାହୁଙ୍କ ସମେତ ବ୍ଳକ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ। ଜେଇ ସୁବାଷ ନାଏକ ଏହି ସବୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବର୍ଷା ହେଉଥିବାରୁ କେସିଙ୍ଗା ବ୍ଳକର ସିରଜାପାଲି ଗ୍ରାମ ପଞ୍ଚାୟତ ବାତିଲ କରି ଅଧିକାରୀଗଣ ଭବାନୀପାଟଣା ଫେରିଯାଇଥିଲେ।

ମୂଷା ଏବଂ ପୋକ ଖାଇଗଲେ ୪୦୦ କୁଣ୍ଟାଲରୁ ଅଧିକ ଗହମ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼ା)- ରାୟଗଡ଼ା ସହରର ସରକାରୀ ଗୋଦାମରେ ସାଧାରଣ ବଣ୍ଟନ ପାଇଁ ଉଦ୍ଦିଷ୍ଟ ବିପୁଳ ଗହମ ପୋକ ଏବଂ ମୂଷାଙ୍କ ଆକ୍ରମଣରେ ନଷ୍ଟ ହୋଇଯାଇଛି। ଏହି ବିପୁଳ ଖାଦ୍ୟଶସ୍ୟ କ୍ଷତି ପାଇଁ ସ୍ଥାନୀୟ ଲୋକ ଏବଂ ହିତାଧିକାରୀ ପ୍ରଶାସନକୁ ଦାୟୀ କରିଛନ୍ତି। ସୂଚନା ଅନୁଯାୟୀ, ରାୟଗଡ଼ା ସହରର ଯୋଗାଣ ବିଭାଗ ଗୋଦାମରେ ଗଚ୍ଛିତ ଚାରି ଶହ କୁଇଣ୍ଟାଲ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) ଗହମକୁ ମୂଷା ଖାଇଯାଇଛି ଏବଂ ପୋକ ଦ୍ଵାରା ଆକ୍ରାନ୍ତ ହୋଇଛି। ଫଳରେ ସମ୍ପୂର୍ଣ ଷ୍ଟକ୍ ଅକାମୀ ହୋଇଯାଇଛି । ଗୋଦାମରୁ ମିଳିଥିବା ଦୃଶ୍ୟଗୁଡ଼ିକ କହୁଛି ଯେ ସେଠାରେ ଗହମ ଖାଇଯାଇଛି ମୂଷା ଓ ପୋକ। ଗାନ୍ଧୀ ନଗରର ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରର ଗୋଦାମରେ ଏହି ଗହମ ରଖାଯାଇଥିଲା। ଯାହା ଗତ ନଭେମ୍ବରରେ ଜିଲ୍ଲାର ପ୍ରାୟ ୭ ଲକ୍ଷ ୯୭ ହଜାର ଜଣ ହିତାକାରୀଙ୍କ ପାଇଁ ଆସିଥିଲା। କିନ୍ତୁ, ସରକାରୀ ନିର୍ଦ୍ଦେଶ ଆସିବାପରେ ବଣ୍ଟନ ବନ୍ଦ କରି ଦିଆଯାଇଥିଲା। ଫଳସ୍ୱରୂପ, ବହୁ ପରିମାଣର ଗହମ ମାସ ମାସ ଧରି ପଡି ରହିଲା ଗୋଦାମରେ। ଯାହାକୁ ଧୀରେ ଧୀରେ କୀଟ ଏବଂ ମୂଷା ଖାଇଯାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଗତ ନଭେମ୍ବର ମାସରେ ୧ ହଜାର ୧୮୩ କୁଇଣ୍ଟାଲ ଗହମ ଜିଲ୍ଲାକୁ ଆସିଥିଲା। ଏଥିମଧ୍ୟରୁ ୭୪୮.୬୫ କୁଇଣ୍ଟାଲ ଗହମ ବଣ୍ଟନ କରାଯାଇଥିଲା। ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁଁ ଅବଶିଷ୍ଟ ଗହମ ସଂରକ୍ଷଣ ସ୍ଥାନରେ ପଚି ଯାଇଥିଲା। ଫଳରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଠି ପ୍ରଶ୍ନ ଉଠୁଛି ଯେ ଏହିପରି ଅପଚୟକୁ ରୋକିବା ପାଇଁ କାହିଁକି କୌଣସି ନିୟମିତ ଯାଞ୍ଚ କରାଯାଇନଥିଲା। ଲୋକେ ପ୍ରଶାସନକୁ ଦାୟୀ କରୁଛନ୍ତି। ତଥାପି, ସୁରକ୍ଷା ପରିଚାଳନାରେ ଏତେ ଗୁରୁତ୍ୱପୂର୍ଣ ତ୍ରୁଟି କିପରି ନିଯନ୍ତ୍ରଣ କରାଯାଇନଥିଲା ତାହା ତଦନ୍ତସାପେକ୍ଷ। ଗତବର୍ଷ ନଭେମ୍ବରରେ ମାତ୍ର ଦୁଇଦିନ ପାଇଁ ଗହମ ବଣ୍ଟନ ହୋଇଥିଲା। ତେବେ ସରକାରୀ ନିର୍ଦ୍ଦେଶ ପରେ ବଦ କରି ଦିଆଯାଇଥିଲା। ଆସନ୍ତା ମାସରୁ ପୂନଃ ବନ୍ଦ ଥିବା ଗହମ ବଣ୍ଟନ ଆରମ୍ଭ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଯଦି ଶସ୍ୟର ଅବସ୍ଥା ଭଲ ଏବଂ ବ୍ୟବହାରଯୋଗ୍ୟ ବୋଲି ଜଣାପଡେ ତେବେ ହିତାଧିକାରୀଙ୍କୁ ପିଡିଏସ ଗହମ ଦିଆଯିବ ବୋଲି ସୁଲଭ ମୂଲ୍ୟ ଦୋକାନ ସେଲ୍ସମ୍ୟାନ କହୁଛନ୍ତି। ନଚେତ, ଆମେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇବୁ ବୋଲି ସୂଚନା ଦେଇଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ ତଦନ୍ତ ପ୍ରତିଶ୍ରୁତି ଦେବା ସହିତ ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ସାମଲ କହିଛନ୍ତି, ରାଜ୍ୟର ସାଂଗଠନିକ ଓ ଅନ୍ୟାନ୍ୟ କାମ ବିଷୟରେ ଆଲୋଚନା ଲାଗି ନୂଆଦିଲ୍ଲୀ ଯାଇଥିଲେ। ବିଜେପିର ନୂଆ କାର୍ଯ୍ୟକାରିଣୀରେ କିଛି ନୂଆ ଲୋକଙ୍କୁ ନିଆଯିବ ଏବଂ କିଛି ପୁରୁଣା କାର୍ଯ୍ୟକର୍ତ୍ତା ପୂର୍ବ ଭଳି ଦାୟିତ୍ବରେ ରହିବେ। ତେବେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସଂପର୍କରେ ସେ କହିଛନ୍ତି, ଏବେ ସେଭଳି କୌଣସି ସମ୍ଭାବନା ନାହିଁ। ଏନେଇ ନୂଆଦିଲ୍ଲୀରେ କୌଣସି ଆଲୋଚନା ମଧ୍ୟ ହୋଇନାହିଁ। ତେବେ ଠିକ୍ ସମୟରେ ନିଗମ ଅଧ୍ୟକ୍ଷ ପଦବୀ ପୂରଣ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ସାମଲ। ସେ କହିଛନ୍ତି, ବିରୋଧୀଙ୍କ ଅଧିକାର ରହିଛି ଅନାସ୍ଥା ପ୍ରସ୍ତାବ ଆଣିବାର। କଂଗ୍ରେସ ଆଣିବାକୁ ଚାହିଁଲେ ଆଣିବ ଓ ବିଜେଡି ସମର୍ଥନ ଜଣାଇଲେ ଜଣାଇବା। ଆସିଲେ ଆମେ ସାମ୍ନା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ। ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର କରିଛୁ । ସାମ୍ବିଧାନିକ ପଦ୍ଧତିରେ ରାଜ୍ୟ ବିଜେପିରେ ନୂଆ କମିଟି ହେବ । କମିଟି ଗଠନ ପରେ ନୂଆ ଭିଜନ ପ୍ରସ୍ତୁତ ହେବ । ସେହି କମିଟିରେ ପୁରୁଣା ନୂଆ ସମସ୍ତେ ରହିବେ। ରାଜ୍ୟ ବିଜେପିରେ ଆସିବେ ୨୫ ପ୍ରତିଶତ ନୂଆ ମୁହଁ। ଆଜି ଓ କାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକ ରହିଛି। ପ୍ରଭାରୀଙ୍କ ନେତୃତ୍ୱରେ ନିରନ୍ତର ବୈଠକ ହେବ ବିଭିନ୍ନ ବିଷୟକୁ ନେଇ ହେବ ଆଲୋଚନା । ଖୁବ ଶୀଘ୍ର ନିଗମ ପଦବୀ ଗୁଡିକ ପୂରଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସଭାପତି । ମହିଳା ନିର୍ଯାତନା ବିଷୟ ଯାହା ସାମ୍ନାକୁ ଆସିଛି ତାର ସମୀକ୍ଷା କରୁଛୁ। ପ୍ରତିକାର ଓ ଦୃଢ଼ ପଦକ୍ଷେପ ନେଇ ବ୍ୟବସ୍ଥା କରାଯିବ । ଏହା ସହ ବଳଙ୍ଗା ପୀଡ଼ିତାଙ୍କ ପରିବାର ସହ ଭେଟି ନାବାଳିକାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିବା ନେଇ କହିଛନ୍ତି ରାଜ୍ୟ ସଭାପତି । ଏମ୍ସରେ ଡାକ୍ତରମାନଙ୍କ ସହ ଆଲୋଚନା କରିବା ସାଙ୍ଗକୁ ଉନ୍ନତରୁ ଉନ୍ନତତ୍ତର ଚିକିତ୍ସା ପାଇଁ କଥା ହୋଇଥିବା ସେ କହିଛନ୍ତି ସେ। ଡାକ୍ତରମାନେ ନିରନ୍ତର ଚେଷ୍ଟାରେ ଲାଗିଛନ୍ତି ।

ଓଏଏସ୍ ବାବୁଙ୍କୁ ମହଙ୍ଗା ପଡ଼ିଲା କି ବିଜେଡି ପାଇଁ ରାଜନୀତି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ସରକାରୀ ଚାକିରିରେ ଥାଇ ବିଜେଡି ପାଇଁ ରାଜନୀତି କରିବା ମହଙ୍ଗା ପଡ଼ିଛି ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସ୍ୱାମୀ ବରିଷ୍ଠ ଓଏଏସ୍ ରବୀନ୍ଦ୍ର କୁମାର ସେଠୀଙ୍କୁ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସେ ନିୟମିତ ନବୀନ ନିବାସ ଯିବା ଓ ସେଠାରେ ‘ଛାୟା ବ୍ୟକ୍ତିଗତ ସଚିବ’ ଭାବେ କାର୍ଯ୍ୟ କରୁଥିବା ନେଇ ବିଜେଡି ମହଲରେ ଚର୍ଚ୍ଚା ଓ ଗୁଇନ୍ଦା ବିଭାଗର ଖୋଳତାଡ଼ ପରେ ମୋହନ ମାଝୀଙ୍କ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଥିବା ଜଣାପଡ଼ିଛି ।  ଶ୍ରୀ ସେଠୀଙ୍କୁ କୋରାପୁଟସ୍ଥିତ କେବିକେ ଯୁଗ୍ମ ପ୍ରଶାସକ ଭାବେ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୪ତାରିଖ ବିଳମ୍ବିତ ରାତ୍ରିରେ ମୋଟ ୨୯ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ଓଡ଼ିଶା ବନ ଉନ୍ନୟନ ନିଗମରେ ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ ଓଏଏସ୍ ରବୀନ୍ଦ୍ର କୁମାର ସେଠୀଙ୍କୁ କୋରାପୁଟକୁ କେବିକେ ଯୁଗ୍ମ ପ୍ରଶାସକ ଭାବେ ବଦଳି କରାଯାଇଛି ।  ଗତକାଲି ବଦଳି ହୋଇଥିବା ୧୨ଜଣ ଓଏଏସ୍ ଅଫିସରଙ୍କୁ ଗତକାଲି ହିଁ ରିଲିଭ୍ କରାଯାଇ ନୂଆ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ରବୀନ୍ଦ୍ର ସମେତ ମୋଟ ୧୭ଜଣ ଓଏଏସ୍ ଅଫିସରଙ୍କୁ ତୁରନ୍ତ ରିଲିଭ୍ କରିବା ନିମନ୍ତେ ତାଙ୍କର ଉପରିସ୍ଥ ଅଧିକାରୀମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଜେଡି ସୂତ୍ର ଅନୁସାରେ, ଯାଜପୁରର ପୂର୍ବତନ ସାଂସଦଙ୍କ ସ୍ୱାମୀ ରବୀନ୍ଦ୍ର ସେଠୀ ବିଜେଡି ଶାସନ ସମୟରେ ଖୋଲାଖୋଲି ଭାବେ ଦଳୀୟ ବ୍ୟାପାରରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଅଭିଯୋଗ ହେବା ସହ ଗଣମାଧ୍ୟମରେ ବି ଖବର ପ୍ରକାଶିତ ହୋଇଥିଲା । ତେବେ ବିଜେଡି ସରକାରର ପତନ ହେବାପରେ ଶ୍ରୀ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ତାଙ୍କର ବିଜେଡି ପ୍ରୀତି ଯୋଗୁ ସେ ପ୍ରାୟତଃ ସନ୍ଧ୍ୟା ସମୟରେ ନବୀନ ନିବାସ ଯାଉଥିବା ଏବଂ ବିଜେଡି ପାଇଁ କାମ କରୁଥିବାର ଅନେକ ଅଭିଯୋଗ ସରକାରଙ୍କ ନିକଟରେ ପହଂଚୁଥିଲା ବୋଲି ସୂଚନା ମିଳିଛି । ସୂତ୍ର ଅନୁସାରେ, ଶ୍ରୀ ସେଠୀ ପ୍ରତ୍ୟେକ ସନ୍ଧ୍ୟାରେ ଅଧିକାଂଶ ସମୟ ନବୀନ ନିବାସରେ ବିତାଉଥିବାର ପ୍ରମାଣ ସରକାରଙ୍କ ହସ୍ତଗତ ହୋଇଥିଲା । ସେ ଛାୟା ପ୍ରାଇଭେଟ୍ ସେକ୍ରେଟାରୀ ଭାବେ ନବୀନ ନିବାସରୁ ବିଜେଡି ପାଇଁ କାର୍ଯ୍ୟ କରୁଥିବା ନେଇ ଦଳର କିଛି ନେତା ମଧ୍ୟ ଅଭିଯୋଗ କରିଥିଲେ । ଚାକିରିରେ ଥାଇ ଶ୍ରୀ ସେଠୀ କିଭଳି ନିୟମିତ ଭାବେ ବିରୋଧୀ ଦଳ ନେତାଙ୍କ ବାସଭବନକୁ ଯାଉଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ  ଓଏଏସ୍ ସଂଘ ଆନ୍ଦୋଳନକୁ ଅଧିକ ଜଟିଳ କରାଇବାରେ ଶ୍ରୀ ସେଠୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହେବାପରେ ରାଜ୍ୟ ସରକାର କ୍ଷୁବ୍ଧ ହୋଇଥିଲେ । ତାଙ୍କୁ ଭୁବନେଶ୍ୱରରୁ କୋରାପୁଟ ବଦଳି କରିଥିବା ଜଣାପଡ଼ିଛି । ଅବଶ୍ୟ ଶ୍ରୀ ସେଠୀ ନବୀନ ନିବାସ ଯାଉଥିଲେ କି ନାହିଁ ସେ ନେଇ ମିଳିଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିବା ନିମନ୍ତେ ଗୁଇନ୍ଦା ବିଭାଗକୁ ରିପୋର୍ଟ ମାଗିଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।