ପାଣ୍ଡିଆନଙ୍କ ଜିଦ୍ ଆଗରେ ବିଜେଡି ନେତା ଙ୍କ କର୍ତ୍ତବ୍ୟ ଫସର ଫାଟିଲା ; ନେତା ହେଁ ହେଲେ ଅଣନିଃଶ୍ୱାସୀ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଓ ୨୪ବର୍ଷର ଶାସନର ଅନ୍ତ ସତ୍ତ୍ୱେ ଦଳ ପୁଣିଥରେ କ୍ରିୟାଶୀଳ ହୋଇ ଲକ୍ଷଲକ୍ଷ କର୍ମୀଙ୍କ ପାଖକୁ ଯିବା ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହ ଦେଖାଉନାହିଁ। ଏପରିକି ବିଗତ ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ମଧ୍ୟ କୈଣସି ଗୋଟିଏ ବି ପ୍ରସଙ୍ଗରେ ଦଳ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ନିଜର କର୍ମୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଉତ୍ସାହ ବୃଦ୍ଧି ଭଳି ପଦକ୍ଷେପ ନେଇପାରିନି। ବିଜେଡିର ସାଙ୍ଗଠନିକ ବ୍ୟାପାରରେ ଭିକେ ପାଣ୍ଡିଆନ୍ ନାହାଁନ୍ତି ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବାରମ୍ବାର ସଫେଇ ଦେଉଛନ୍ତି। ପାଣ୍ଡିଆନ୍ ମଧ୍ୟ ଦଳର କୈଣସି ନେତାଙ୍କୁ ସିଧାସଳଖ ଭେଟ ବି କରୁନାହାନ୍ତି। କିନ୍ତୁ ତାଙ୍କ ବିନା ନିର୍ଦ୍ଦେଶରେ ଦଳରେ ପତ୍ରଟିଏ ବି ହଲିପାରୁନି। ଆଉ ଦଳ ଓ ସଂଗଠନରେ ଏପରି ସ୍ଥିତିକୁ ଦେଖି ଅଧିକାଂଶ ଆଗଧାଡି଼ର ନେତାମାନେ ନିଜକୁ ଅଣନିଃଶ୍ବାସୀ ଅନୁଭବ କରୁଥିଲେ ଅନ୍ୟ ବିକଳ୍ପ ନପାଇ ପାଣ୍ଡିଆନଙ୍କ ଛାୟା ଇକୋସିଷ୍ଟମରେ ମୋଡ଼ିମକଚି ହୋଇ ରହିବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି। ଏପରିକି ପାଣ୍ଡିଆନଙ୍କ ଜିଦ୍ ଆଗରେ ବିଜେଡି କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଛି। ବୟସାଧିକ ଯୋଗୁଁ ସଂଗଠନ ପରିଚାଳନାରେ ନବୀନଙ୍କ ଅନାଗ୍ରହ ଓ ଅପାରଗତା, ପାଣ୍ଡିଆନଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା ହିଁ ପରୋକ୍ଷରେ ବିଜେଡି ନେତାମାନଙ୍କୁ ପାଣ୍ଡିଆନଙ୍କ ହାକିମାତି ସ୍ବୀକାର ପାଇଁ ଏକରକମ ବିବଶ କରିଦେଇଥିବା ଦଳୀୟ ମହଲରେ ଚର୍ଚ୍ଚା। ବିଜେଡି ସୂତ୍ର ଅନୁସାରେ, ଦଳର ଆଗଧାଡି଼ର ନେତ୍ରୀମାନଙ୍କ ତୀବ୍ର ବିରୋଧ ସତ୍ତ୍ଵେ ପାଣ୍ଡିଆନଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇ ବିଜେଡି ଗୁରୁବାର ଭୁବନେଶ୍ବରରେ ଓ ଶୁକ୍ରବାର ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଛି। ଗୁରୁବାର ଶଙ୍ଖ ଭବନରେ ବିଜେଡିର ଅସ୍ଥାୟୀ ମୁଖିଆ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଦଳର ଆଗଧାଡି଼ର ନେତ୍ରୀମାନେ ସିଧାସଳଖ ଏହି ପ୍ରାୟୋଜିତ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ। ବିଜେପିରୁ ଆମଦାନୀ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ କାହିଁକି ଏତେ ଗୁରୁତ୍ୱ ଦିଆଯାଉଛି ଓ ଅନ୍ୟ ପ୍ରମୁଖ ନେତ୍ରୀମାନଙ୍କ କ୍ଷେତ୍ରରେ ଦଳ ଚୁପ୍ ଥିବାବେଳେ ଲେଖାଶ୍ରୀଙ୍କ ପାଇଁ ମାତ୍ରାଧିକ କାର୍ଯ୍ୟକ୍ରମ ଉଚିତ୍ ନୁହେଁ ବୋଲି ଉକ୍ତ ବୈଠକରେ ଦଳୀୟ ନେତ୍ରୀମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଲେଖାଶ୍ରୀଙ୍କ ପ୍ରତି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ ଥାନାରେ ଦଳ ପକ୍ଷରୁ ଦୁଇ ଦୁଇଟି ଏତଲା ଓ ରାଜ୍ୟ ମହିଳା କମିଶନରେ ମାମଲା ହୋଇସାରିଛି। ଦଳ ମଧ୍ୟ କ୍ରମାଗତ ଭାବରେ ଏହି ମନ୍ତବ୍ୟକୁ ନିନ୍ଦା କରି ବିଧାୟକଙ୍କ ଗିରଫଦାରୀ ଓ କ୍ଷମା ପ୍ରାର୍ଥନା ଦାବି କରିସାରିଛି। ଆଇନଗତ ଲଢେଇ ଏବେ ଜାରି ରହିଛି। ତେଣୁ ଯଦି ଦଳ ଚାହୁଁଛି, ତାହେଲେ ବିଗତ କିଛି ମାସ ମଧ୍ୟରେ ରାଜ୍ୟରେ ବଢୁଥିବା ମହିଳା ହିଂସା ବିରୁଦ୍ଧରେ ଆନ୍ଦୋଳନ କରାଯାଉ ବୋଲି ଅଧିକାଂଶ ନେତ୍ରୀ ପ୍ରସ୍ତାବ ଦେଇଥିଲେ। ଦେବୀ ମଧ୍ୟ ନେତ୍ରୀମାନଙ୍କ ବିରୋଧ ଦେଖି ବ୍ୟାକଫୁଟକୁ ଯାଇଥିଲେ। ମାତ୍ର ପାଣ୍ଡିଆନଙ୍କ ଜିଦ୍ ଓ କଡ଼ା ଆଭିମୁଖ୍ୟ ଦେଖି କେବଳ ଲେଖାଶ୍ରୀଙ୍କ ପ୍ରସଙ୍ଗରେ ଦଳର ଆଗଧାଡି଼ର ନେତ୍ରୀମାନଙ୍କୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଗଲା। ଅନିଚ୍ଛା ସତ୍ତ୍ବେ ଦଳର ହାତଗଣତି ନେତ୍ରୀ ଭୁବନେଶ୍ୱରରେ ବିକ୍ଷୋଭରେ ସାମିଲ ହେଲେ ଓ ଅଧିକାଂଶ ଅନୁପସ୍ଥିତ ରହିଲେ। ଅନୁରୂପ ଭାବେ ପାଣ୍ଡିଆନଙ୍କ ଚାପ ଓ ଜିଦ୍ ଯୋଗୁଁ ଗତ ୭ ତାରିଖରେ ମଧ୍ୟ ବାଲେଶ୍ବରରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି କରିଥିଲା। ବିଜେଡି ନେତା ପ୍ରତାପ ଜେନା ନିଜର ତୋଷାମଦିଆ ନୀତି ଓ ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵର ଜିଲ୍ଲାର ଦଳୀୟ ବିଧାୟକ ଓ ପରାଜିତ ବିଧାୟକ ପ୍ରାର୍ଥୀ ଏବଂ ଜିଲ୍ଲା ସଭାପତି ଉପସ୍ଥିତ ଥିଲେ। ତେବେ ପ୍ରତାପଙ୍କ ବୈଠକରେ ବସ୍ତା ବିଧାୟିକା ସୁବାସିନୀ ଜେନା ଓ ତାଙ୍କ ସ୍ବାମୀ ରବୀନ୍ଦ୍ର ଜେନା ଉପସ୍ଥିତ ଥିଲେ ମଧ୍ୟ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରହିଥିଲେ। ବିଜେଡି ସୂତ୍ର ଅନୁସାରେ, ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଓ ୨୪ବର୍ଷର ଶାସନର ଅନ୍ତ ସତ୍ତ୍ୱେ ଦଳ ପୁଣିଥରେ କ୍ରିୟାଶୀଳ ହୋଇ ଲକ୍ଷଲକ୍ଷ କର୍ମୀଙ୍କ ପାଖକୁ ଯିବା ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହ ଦେଖାଉନାହିଁ। ଏପରିକି ବିଗତ ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ମଧ୍ୟ କୈଣସି ଗୋଟିଏ ବି ପ୍ରସଙ୍ଗରେ ଦଳ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ନିଜର କର୍ମୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଉତ୍ସାହ ବୃଦ୍ଧି ଭଳି ପଦକ୍ଷେପ ନେଇପାରିନି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ସବୁ ଜିଲ୍ଲାକୁ ଗସ୍ତ ହେଉ କି ଜିଲ୍ଲାର ଆଗଧାଡି଼ର ନେତାମାନଙ୍କୁ ମଧ୍ୟ ଭେଟିନାହାନ୍ତି। ବିଜେଡି ପରାଜୟର ମୁଖ୍ୟ ସୂତ୍ରଧର ଦଳର ଅଘୋଷିତ ସର୍ବେସର୍ବା ପାଣ୍ଡିଆନ ବି କାହାରିକୁ ଭେଟୁ ନଥିବାବେଳେ ତାଙ୍କ ଖାସ୍ ଅନୁଗତ ପ୍ରଣବ ପ୍ରକାଶ ଦାସ(ବବି) ଏବେ ପୁଣିଥରେ ନିଜର ପୁରୁଣା ଫର୍ମକୁ ( ଦଳ କ୍ଷମତାରେ ଥିବାବେଳେ ଅହଙ୍କାର ଓ ଔଦ୍ଧତ୍ୟ) ଫେରିଛନ୍ତି । ଦଳରେ ପାଣ୍ଡିଆନଙ୍କ ହାକିମାତି ଆରମ୍ଭ ହେବା ସହ ବବିଙ୍କ ମାମଲାତି ବି ପୁଣିଥରେ ଫେରିଛି। ଯଦିଓ ଦଳର ଅସ୍ଥାୟୀ ମୁଖିଆ ଭାବେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ପୁଣିଥରେ ଦାୟିତ୍ବ ମିଳିଛି, କିନ୍ତୁ ସେ ଦଳୀୟ ସାଂଗଠନିକ ପ୍ରସଙ୍ଗରେ ପାଣ୍ଡିଆନ-ବବିଙ୍କ ବିନା ନିର୍ଦ୍ଦେଶରେ କିଛି କରିବାର ସାହାସ ଜୁଟାଇ ପାରିନାହାନ୍ତି। ନବୀନଙ୍କ ଅସୁସ୍ଥତା ଓ ନିର୍ଭରଶୀଳତା, ବରିଷ୍ଠ ନେତାମାନଙ୍କ ନୀରବତା,  ଦେବୀଙ୍କ ଚାଟୁକାରିତା, ଅଢ଼େଇ ଦଶନ୍ଧି ପରେ ପୁନଃଗଠିତ ଦଳର ରାଜନୀତିକ ବ୍ୟାପାର କମିଟି (ପିଏସି)ର ଅକର୍ମଣ୍ୟତାର  ଫାଇଦା ଉଠାଇ  ପାଣ୍ଡିଆନ ପ୍ରଚ୍ଛଦପଟରେ ରହି ନିଜ ଢଙ୍ଗରେ ବିଜେଡିକୁ ପରିଚାଳନା କରିବାରେ ଲାଗିଛନ୍ତି। ବିଜେଡି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ମଧ୍ୟ ପାଣ୍ଡିଆନଙ୍କ ନିଜସ୍ଵ ଆତ୍ମରକ୍ଷା ରଣନୀତି ପାଇଁ ଦଳ ଧୀରେ ଧୀରେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ-ସମସ୍ୟାରୁ ଦୂରେଇ ଯିବାରେ ଲାଗିଛି। ବିଜେଡିର ବିଗତ ବର୍ଷେ ଧରି ଏଭଳି ନୀତି-ନୈତିକତାବିହୀନ ଆଭିମୁଖ୍ୟ ମଧ୍ୟ ରାଜ୍ୟରେ କଂଗ୍ରେସକୁ ବଳ ଗୋଟାଇବାରେ ସହାୟକ ହୋଇଛି ଓ ତଥା ଦଳ ଲୋକଙ୍କ ସମସ୍ୟା ସହ ଜଡ଼ିତ ରହି ସେମାନଙ୍କ ଆସ୍ଥାଭାଜନ ହେବାରେ ଲାଗିଛି।

 

୧୭ରେ ବନ୍ଦ ରହିବା ସାରା ଓଡ଼ିଶା ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୈାମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ। ଏହାକୁ ବାମ ଦଳ ସମେତ ଅନ୍ୟ ବିରୋଧୀ ଦଳ ସମର୍ଥନ କରିଛନ୍ତି। ବିଦ୍ୟାଳୟ, କଲେଜ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ ଏ ସରକାର ଶାସନକଳକୁ ଚଳାଇବାରେ ଅସମର୍ଥ। ତେଣୁ ସେମାନେ ଓହରି ଯାଆନ୍ତୁ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ଏହି ଘଟଣା ପାଇଁ ରାଜ୍ୟ ସରକାର ଦାୟୀ। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। କଂଗ୍ରେସ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ।କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ଆତ୍ମହତ୍ୟା ନୁହେଁ। ଏହା ବ୍ୟବସ୍ଥା ଦ୍ବାରା ଏକ ସଂଗଠିତ ହତ୍ୟାକାଣ୍ଡ। ଯୈାନ ଶୋଷଣ ବିରୁଦ୍ଧରେ ସାହାସୀ ଝିଅଟି ସ୍ଵର ଉଠାଇଥିଲା। କିନ୍ତୁ ତାକୁ ଚପାଇ ଦେବାକୁ ଚେଷ୍ଟା କରାଯାଇଥିଲା। ତାଙ୍କୁ ଅପମାନିତ କରାଯାଇଥିଲା। ଅଧ୍ୟାପକଙ୍କ ବିରୋଧରେ ମାନସିକ ନିର୍ଯାତନା ଆଣି ଗତ ଶନିବାର ଆତ୍ମାହୁତି ଉଦ୍ୟମ କରି ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିବା ଛାତ୍ରୀ ସୈାମ୍ୟାଶ୍ରୀ (୨୦) ସୋମବାର ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଆଜି ଭୋଗରାଇର ପଳାସିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।