କ୍ୟୁଣ୍ଟାଲରେ ୧୦ ରୁ ୧୨ କେଜି ଧାନ କଟନୀ ଛଟ୍‌ନୀ ମିଲରଙ୍କ ମନମାନି, ମଣ୍ଡିରୁ ଉଠୁନି ଧାନ ଏସମସ୍ୟା ସମାଧାନ ପାଇଁ ସମାଜବାଦୀ ପାର୍ଟିର ଦାବି …!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା) –  କ୍ୟୁଣ୍ଟାଲରେ ୧୦ ରୁ ୧୨ କେଜି ଧାନ କଟନୀ ଛଟ୍‌ନି ମିଲରଙ୍କ ମନମାନି, ମଣ୍ଡିରୁ ଉଠୁନି ଧାନ ଏମିତି ଅନେକ ସମସ୍ୟା ନେଇ ଚାଷୀମାନେ ଏବେ ନାହିଁ ନଥିବା ଅସୁବିଧାରେ ଅଛନ୍ତି । ବିଶେଷ କରି ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ପଶ୍ଚିମାଞ୍ଚଳର ଚାଷୀଙ୍କୁ ହତାଶ କରିଛି ସରକାରଙ୍କ ଆଭିମୁଖ୍ୟ । ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ସଭାପତି ଶିବ ହାତୀ ଯାଦବ I ଧାନର ଅଭାବୀ ବିକ୍ରୀକୁ ନେଇ ସେ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ ଖରିଫ ଧାନ ବିକ୍ରିରେ ଚାଷୀ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ; ମିଲରମାନେ କ୍ରିଣ୍ଟାଲ ପିଛା ୮ କେଜି ପର୍ଯ୍ୟନ୍ତ ଧାନ କାଟି କ୍ରୟ କରିଥିବା ନେଇ ଚାଷୀ ଅଭିଯୋଗ କରିଥିଲେ । ଏହାକୁ ନେଇ ରାଜ୍ୟ ତମାମ୍ ଅସନ୍ତୋଷ ବଢ଼ିଥିଲା, ବିଧାନସଭା ସଭା କମ୍ପିଥିଲା, ଚାଷୀମାନେ ରାସ୍ତାରେ ଧାରଣା ଦେଇଥିଲେ । ଆଶା କରାଯାଉଥିଲା ଯେ, ରବି ଧାନ କ୍ରୟ ବେଳକୁ ହୁଏତ ଏହି ସମସ୍ୟା ଦେଖା ଦେବ ନାହିଁ । ମାତ୍ର ବର୍ତ୍ତମାନ ରବି ଧାନ ବିକ୍ରି ସମୟରେ ଚାଷୀଙ୍କ କଷ୍ଟ ଖରିଫକୁ ବଳି ଯାଇଛି। ସେତେବେଳେ ମିଲର ୮ କିଲୋ କଟନି ଛଟନି କରୁଥିଲେ, ଏବେ ତାହା ୧୨ କିଲୋରେ ପହଞ୍ଚିଛି । ୧୨ କିଲୋ ନ କାଟିଲେ ମିଲର ଧାନ କିଣୁ ନାହାନ୍ତି ଫଳରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ରବି ଧାନ ପଡ଼ି ରହିଛି । ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇ ଯାଇଥିବା ଯୋଗୁଁ ଅନେକ ମଣ୍ଡିରେ ପଡି ରହିଥିବା ଧାନରୁ ଗଜା ହେବା ବି ଦେଖାଗଲାଣି । ଏହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ରବି ଧାନ ବିକ୍ରି ଅବଧି ଆଉ ମାତ୍ର ୧୦ ଦିନ ରହିଛି ହେଲେ ଅଧାରୁ ଅଧିକ ଜିଲ୍ଲାରୁ ଏପର୍ଯ୍ୟନ୍ତ ଉଠିନି ଧାନ । ବର୍ଷା ଯୋଗୁଁ ଓଦା ଧାନକୁ ଚାଷୀ ଶୁଖାଇ ବାଧ୍ଯ ହୋଇ ଶାଗ ମାଛ ଦରରେ ଏବେ ଦଲାଲ୍‌କୁ ବିକ୍ରି କରିବାକୁ ବାଧ୍ୟ ହେଉଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ କଳାହାଣ୍ଡି,ନୂଆପଡା, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାରେ ଏଭଳି ସ୍ଥିତି ଦେଖାଦେଇଛି। ଏହା ଉପରେ ସରକାର ଦୃଢ଼ ପଦକ୍ଷେପ ନେବା ପରିବର୍ତ୍ତେ ନିଜର ଆତ୍ମ ପ୍ରଚାର ପାଇଁ ବର୍ଷ ପୂର୍ତି ଉତ୍ସବ କାର୍ଯ୍ୟକ୍ରମରେ ମାତିଛନ୍ତି। ରବି ଧାନ କ୍ରୟ ପାଇଁ ରାଜ୍ୟରେ ମଣ୍ଡି ବ୍ୟବସ୍ଥା ଚାଲୁ ହୋଇଥିବାବେଳେ ଧାନ କିଣାବିକା ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଏହି କାରଣରୁ ଅନ୍ୟ କୌଣସି ଉପାୟ ନପାଇ ଚାଷୀ ଖୋଲା ବଜାରରେ କ୍ୟୁଣ୍ଟାଲ ପିଛା ମାତ୍ର ୧୫୦୦ରୁ ୨୦୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି । ରାଜ୍ୟ ସରକାର ଯେତେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେଇଥିଲେ, ସେଥିରୁ ପାଖାପାଖି ୧୦ ରୁ ୨୦ ପ୍ରତିଶତ ଚାଷୀଙ୍କ ଟୋକନ୍ ବାତିଲ ହୋଇ ସାରିଲାଣି। ମଣ୍ଡି ଏବଂ ମିଲର ମାନଙ୍କ ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ମିଲର୍ସମାନେ ନିଜ ଇଚ୍ଛା ମୁତାବକ ମଣ୍ଡିରୁ ଧାନ ଉଠାଉଛନ୍ତି । ପ୍ରତି କ୍ୟୁଣ୍ଟାଲରେ ୧୦ ରୁ ୧୨ କେଜି ଧାନ କଟନି ଛଟ୍‌ନି କରୁଛନ୍ତି । ଧାନ ସରକାର କିଣୁଛନ୍ତି ନା ମିଲର୍ସ କିଣୁଛନ୍ତି ବୋଲି ଚାଷୀଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ହୋଇଛି। ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଅଧିକ ଧାନ ଚାଷ କରିଥିଲେ । ସମବାୟରେ ମଣ୍ଡି ପଞ୍ଜିକରଣ ବେଳେ ଏହି ତଥ୍ୟ ମଧ୍ୟ ଦେଇଥିଲେ । ମାତ୍ର ସରକାରଙ୍କୁ କିନ୍ତୁ ଟୋକନ୍ ଯୋଗାଇବାବେଳେ କମ୍ ପରିମାଣରେ ଧାନ କିଣିବା ପାଇଁ ସେଥିରେ ଉଲ୍ଲେଖ ରହିଛି । ଏହି ଚାଷୀମାନେ ବିଶେଷକରି ଛତିଶଗଡ଼ ଓ ବାହାର ରାଜ୍ୟରୁ ଆସୁଥିବା ବେପାରୀମାନଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏଥିରେ ମୂଳ ଟଙ୍କା ବି ଉଠୁନି ବୋଲି ଶିବ ହାତୀ ଅଭିଯୋଗ କରିଛନ୍ତି। କଳାହାଣ୍ଡି, ବରଗଡ, ବଲାଙ୍ଗୀର, ସୋନପୁର ଆଦି ବହୁ ଜିଲ୍ଲାରେ ଏହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଖରିଫ୍ ଠାରୁ ରବି ପର୍ଯ୍ୟନ୍ତ ଚାଷୀମାନଙ୍କ ଧାନ ବିକ୍ରି ମୁଖ୍ୟ ସମସ୍ୟା ଭାବେ ଠିଆ ହୋଇଛି । ଆରମ୍ଭରୁ ଚାଷୀ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ରାଜ୍ୟରେ କୃଷି ସମାବେଶ କାହା ପାଇଁ ବୋଲି ସରକାରଙ୍କୁ ଶିବ ହାତୀ ପ୍ରଶ୍ନ କରିଛନ୍ତି । ସରକାର ଚାଷୀଙ୍କ ସମସ୍ୟାକୁ ଗମ୍ଭୀରତାର ସହିତ ବିଚାର କରି ତୁରନ୍ତ ସମାଧାନ କରିବାକୁ ସେ ଦାବି କରିଛନ୍ତି ।

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍‌ଯାପିତ….!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା) – ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିଅମ ଭବାନୀପାଟଣା ଠାରେ ଦୀର୍ଘ ନଅ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ ହୋଇଯାଇଛି । ପ୍ରତିଦିନ ସନ୍ଧ୍ୟାରେ ସାଧାରଣ ସଭା, ବିଭିନ୍ନ ବିଭାଗୀୟ ଯୋଗ୍ୟ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଡି.ଡି. ପ୍ଲାନିଂ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜୀବୁନ ନିଶା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲାଞ୍ଜିଗଡ ଶଙ୍କର ପାତ୍ର, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଶିଶୁ ସୁରକ୍ଷା ୟୁନିଟ୍ ପ୍ରୋଗ୍ରାମ ଅଧିକାରୀ ଅଂଶୁମାନ ବାବୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ମେଳାରେ ୬୮ ଟି ଷ୍ଟଲ ସ୍ଥାନ ପାଇଥିଲା ସେଥି ମଧ୍ୟରୁ ମିଶନ ଶକ୍ତି ରୁ ପାରମ୍ପରିକ ଖାଦ୍ୟ ପାଇଁ ୨୫ ଗୋଟି, ଆମ୍ବ ପ୍ରଦର୍ଶନୀ ପାଇଁ ୧୦, ସ୍ବୟଂ ସହାୟକ ଗୋଷ୍ଠୀ ର ୧୨ ଏବଂ ବିଭିନ୍ନ ବିଭାଗୀୟ ପ୍ରଦର୍ଶନୀ ଷ୍ଟଲ ୧୩ ଗୋଟି ଏବଂ ପୋଲିସ, ଅଗ୍ନିଶମ ଇତ୍ୟାଦି ୮ ଗୋଟି ରହିଥିଲା । ଏହି ଜିଲ୍ଲାସ୍ତରୀୟ ବିକାଶ ମେଳାରେ ୧୭ ଲକ୍ଷ ୬୬ ହଜାର ୬୬୮ ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡିଛି ଏଥିରେ କଳାହାଣ୍ଡି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷି ଉତ୍ପାଦକ ସଂଗଠନ ଗୁଡିକ ଉପକୃତ ହୋଇଥିଲ । ବିଶେଷ କରି ସୁଭଦ୍ରା ପାରମ୍ପରିକ ଖାଦ୍ୟ ମେଳାରେ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବିକାଶ ମେଳା ଏକ ଅଭିନବ ପ୍ରୟାସ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଅବସରରେ ନୂତନ ସରକାରଙ୍କ ଏକ ବର୍ଷ ଭିତରେ କାର୍ଯ୍ୟକାରୀ ହେଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଚେତନନତା ବାର୍ତ୍ତା ପ୍ରସାର ପ୍ରଚାର ନିମନ୍ତେ ଜିଲ୍ଲାର ୧୩ ଗୋଟି ବ୍ଲକରେ ବିକାଶ ବାହନ ପରିଭ୍ରମଣ କରିଥିଲା । ଜିଲାସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ୨୧୪୨ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାର ୱାର୍କ ଅର୍ଡର ଦିଆଯାଇଥିବା ବେଳେ ୧୩୪୦ ଜଣଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା ସେହିପରି ୪୭୩୦ ଜଣ ହିତାଧିକାରୀଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜବ କାର୍ଡ, ୧୦୪୭ ଜଣଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା ବେଳେ ୧୯୪୨ ଜଣ ହିତାଧିକାରୀଙ୍କୁ ସିଏମ କିଶାନ ଓ ୧୩୦୭ ଜଣଙ୍କୁ ପିଏମ କିଶାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ୭୩୭୮ ଜଣଙ୍କୁ ବାୟୋ ବନ୍ଦନା ଯୋଜନା କାର୍ଡ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୬୪ ଟି ବ୍ୟକ୍ତିଗତ ଏବଂ ୭୮ ଟି ସାମୁହିକ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା । ଜିଲ୍ଲାରେ “ଏକ୍ ପେଡ୍ ମା କେ ନାମ୍” ରେ ୮୯୯୭ ଗୋଟି ଚାରା ଗଛ ମଧ୍ୟ ରୋପଣ କରାଯାଇଥିଲା । ୧୪୭୮ ଜଣ ନୂତନ ପେନସନ ହିତାଧିକାରୀଙ୍କୁ ପେନସନ ପ୍ରଦାନ କରାଯାଇଥିଲା, ଓ ୪୬୨ ଗୋଟି ଜନ୍ ଧନ୍ ଆକାଉଣ୍ଟ ଖୋଲାଯାଇଥିଲା , ୩୫୩୧ ଜଣଙ୍କର ଆଧାର କାର୍ଡ ଏନରୋଲମେଣ୍ଟ କରାଯାଇଥିଲା, ୧୯୨୫ ଟି ଇ-କେ.ୱାଇ.ସି. କରାଯାଇଥିବା ବେଳେ ୪୮୭ ଜଣଙ୍କୁ ଶ୍ରମିକ କାର୍ଡ, ୪୦୩ ଜଣଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ୧୮୫ ଜଣଙ୍କୁ କିଶାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଥିଲା । ଉଦଯାପନି ସାଂସ୍କୃତିକ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ …!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା) –  କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି । କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ଶ୍ରମିକ ନିରାକରଣ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିଶୁ ଶ୍ରମିକ ନିରାକରଣ ନେଇ ବିଭିନ୍ନ ଆଇନ୍ ଓ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନତା କରାଯିବା ସହ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯିବ । ହୋଟେଲ, ଠିକାଦାର, ଦୋକାନୀ, କାରଖାନା, ଶିଳ୍ପ, ବୋଲି ଯେ କୌଣସି ଘରୋଇ ମାଲିକ ଶିଶୁ ଶ୍ରମିକ ମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରନ୍ତି ସେ ବିଷୟରେ ଏହି ରଥ ବିଭିନ୍ନ ସ୍ଥାନରେ ପରିକ୍ରମା କରି ଜନସାଧାରଣଙ୍କ ନିକଟରେ ସଚେତନତା କରାଯିବ। ଶିଶୁ ଶ୍ରମିକ ଉଚ୍ଛେଦ ନୀତିର ଉଲଙ୍ଘନ କଲେ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ମଧ୍ୟ ଅବଗତ କରାଯାଇଅଛି । ଏବଂ ୧୪ ବର୍ଷରୁ କମ୍ ପିଲାଙ୍କୁ କାମରେ ଲଗାଇବା, ୧୫ ରୁ ୧୮ ବର୍ଷ କିଶୋର ମାନଙ୍କୁ ବିପଦ ସଙ୍କୁଳ ବୃତ୍ତା କାର୍ଯ୍ୟରେ ନିଯୁକ୍ତ କରିବା ଘଟଣା ଦୃଷ୍ଟି ଗୋଚର ହେଲେ ତୁରନ୍ତ ଜିଲ୍ଲା ଶ୍ରମ ଅଧୂକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧୂକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରି ପାରିବେ କିମ୍ବା ନିଶୁକ୍ଳ ଶ୍ରମିକ ସହାୟତା ହେଲ୍ସ ଲାଇନ୍ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ଼ ଲାଇନ୍ ନମ୍ବର ୧୦୯୮ ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ବିଭିନ୍ନ ସମୟରେ ପ୍ରଶାସନ ତରଫରୁ ଧରପଗଡ଼ କରାଯାଇ ମଧ୍ୟ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଥଇଥାନ ବ୍ୟବସ୍ଥା ସହ ପାଠପଢ଼ା ଓ ଅନ୍ୟାନ୍ୟ ଦାୟିତ୍ଵ ସରକାରଙ୍କ ତରଫରୁ ବହନ କରାଯାଉଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ଶେଖର ମହାପାତ୍ର , ଜିଲ୍ଲା ଶ୍ରମ ଅଧୂକାରୀ ଶ୍ରୀ ଜିତମ ମାଝୀ , ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧୂକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ଅଭ୍ୟାସ ମକଡ୍ରିଲ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲାର ୪ ଗୋଟି ବନ୍ୟା ଆଶ୍ରୟସ୍ଥଳୀ ଠାରେ ଅଭ୍ୟାସ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଳଖଣ୍ଡି, କଲମପୁର ବ୍ଲକ ଅନ୍ତର୍ଗତ ବାଲିଗୁଡା, ଜୟପାଟଣା ବ୍ଲକ ଅନ୍ତର୍ଗତ ରସଡୁମେର ଏବଂ ଜୁନାଗଡ ବ୍ଲକ ଅନ୍ତର୍ଗତ କୁଟେନ ଗାଁ ଠାରେ ସମସ୍ତ ଗ୍ରାମବାସୀ, ପଂଚାୟତ ରାଜ ସଂସ୍ଥାର ସଦସ୍ୟ/ସଦସ୍ୟା , ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଅନ୍ତର୍ଭୁକ୍ତ କରି ଏହି ଅଭ୍ୟାସ ମକଡ୍ରିଲ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବେଲଖଣ୍ଡି ସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ ଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ ଅଧ୍ୟକ୍ଷତା କରି ବନ୍ୟା ସମୟରେ ଗୋଷ୍ଠୀର ଭୂମିକା ଓ ମକଡ୍ରିଲର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଭାବରେ ଡି. ଜି. ଏମ୍. ଓସଡାମା ଜୟଜଗତ ସାହୁ ଉପସ୍ଥିତ ରହି ଗୋଷ୍ଠୀ ସ୍ତରରେ ବିପର୍ଯ୍ୟୟ ଯୋଦ୍ଧା ତିଆରି କରି ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଗୋଷ୍ଠୀ କିପରି ଶାସକ୍ତ ହେବ ସେହି ଉପରେ ମତପୋଷଣ କରିଥିଲେ । ପଂଚାୟତ ସମିତି କେସିଙ୍ଗା ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦାନ କରି ବନ୍ୟା ସମୟରେ ଗୋଷ୍ଠୀର ଭୂମିକା ଓ ବନ୍ୟା ମୁକାବିଲା ଉପରେ ଗୁରୁତ୍ବାରୋପ କରିଥିଲେ । ଏହି ଅଭ୍ୟାସ ମକଡ୍ରିଲ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କେସିଙ୍ଗା ଜନ୍ମେଜୟ ସ୍ଵାଇଁ, ତହସିଲଦାର କେସିଙ୍ଗା ପ୍ରଶାନ୍ତି ପ୍ରଧାନ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୌଦାମିନୀ ମାଝୀ ଉପସ୍ଥିତ ରହି ଅଭ୍ୟାସ ମକଡ୍ରିଲର ନିରୀକ୍ଷଣ କରିଥିଲେ । ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ ବନ୍ୟା ସମୟରେ ଆଶ୍ରୟସ୍ଥଳୀର ଭୂମିକା ଓ ସୁବିଧା ସୁଯୋଗ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଅଗ୍ନିଶମ ବାହିନୀ କେସିଙ୍ଗା ଏହି ମକଡ୍ରିଲ ସମ୍ବନ୍ଧୀୟ ସମସ୍ତ କୌଶଳ ପ୍ରଦର୍ଶନ କରିଥିଲେ ।

ଜିଲ୍ଲା, ବ୍ଲକ ଓ ସହରାଞ୍ଚଳ ସ୍ତରୀୟ ଟେବୁଲ ଟପ୍ କାର୍ମଶାଳା ଅନୁଷ୍ଠିତ …!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ(ଭବାନୀପାଟଣା) – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କଳାହାଣ୍ଡିଙ୍କ ଆନୁକୂଲ୍ୟରେ ସାମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ କାର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ରାଜ୍ୟସ୍ତରରୁ ପର୍ଯ୍ୟବେକ୍ଷକ ଭାବରେ ଜୟ ଜଗତ ସାହୁ, ଡି.ଜି.ଏମ୍. ଓସଡାମା ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନା ଉପରେ ଓସଡାମା ର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଟେବୁଲ ଟପ୍ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା ଜିଲ୍ଲାରେ ସାମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ସଜାଗ ଓ ପ୍ରସ୍ତୁତ ହୋଇ ରହିବା ସହ ଉତ୍ତମ ସମନ୍ଵୟ ରଖି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ବିପର୍ଯ୍ୟୟ ସମୟରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ନିଜ ନିଜ ବିଭାଗର ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି, ବିପର୍ଯ୍ୟୟ ପୂର୍ବବର୍ତ୍ତୀ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହି କିପରି ଲୋକଙ୍କର ଧନ ଜୀବନ ର ସୁରକ୍ଷା କରିବେ ଓ କ୍ଷୟକ୍ଷତି ହ୍ରାସ କରିପାରିବେ ସେ ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ଏହି ଟେବୁଲ ଟପ୍ କର୍ମଶାଳାରେ ଜିଲ୍ଲାର ସମସ୍ତ ବିଭାଗ, ଅଗ୍ନିଶମ ବାହିନୀର ଅଧିକାରୀମାନେ ଉପସ୍ଥିତ ରହି ସମ୍ଭାବ୍ୟ ବିପର୍ଯ୍ୟୟ ର କିପରି ମୁକାବିଲା କରିବେ ସେ ଦିଗରେ ନିଜ ନିଜ ବିଭାଗର ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ସେହିପରି ଆଜି ଅପରାହ୍ନରେ ଜିଲାର ସମସ୍ତ ୧୩ ଗୋଟି ବ୍ଲକ ଓ ୪ ଗୋଟି ସହରାଞ୍ଚଳରେ ଏହି ଟେବୁଲ ଟପ୍ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ତା. ୧୯.୦୫.୨୦୨୫ ରିଖ ଦିନ ଜିଲ୍ଲାର ୪ ଗୋଟି ବନ୍ୟା ଆଶ୍ରୟ ସ୍ଥଳୀରେ ଟେବୁଲ ଟପ୍ ଓ ମକ୍ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଟେବୁଲ ଟପ୍ କାର୍ଯ୍ୟକ୍ରମ ଓ ମକ୍ ଡ୍ରିଲ ସୁପରିଚାଳନା ର ତଦାରଖ କରିବା ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ଵ ଜିଲ୍ଲାପାଳ କଳାହାଣ୍ଡି ଙ୍କ ଦ୍ୱାରା ପ୍ରଦାନ କରାଯାଇଅଛି ।

ମାଣ୍ଡେଲ ଓ ରାକ୍ସି ପଞ୍ଚାୟତରେ ବିକାଶ ବାହାନକୁ ସ୍ଵାଗତ….!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ(ଭବାନୀପାଟଣା) – ଓଡ଼ିଶାରେ ବିଜେପି ସରକାର ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ‘ବର୍ଷ ଏକ ଉପଲବ୍ଧି ଅନେକ’ ବାର୍ତ୍ତା ନେଇ ବିକାଶ ବାହନ ସଚେତନତା ରଥ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକରେ ଘୁରୁଛି। ଏହି କ୍ରମରେ ବୁଧବାର ଏହି ରଥକୁ ମାଣ୍ଡେଲ ଓ ରାକ୍ସି ପଞ୍ଚାୟତରେ ପୃଥକ ପୃଥକ ଭାବେ ଭବ୍ୟ ସ୍ବାଗତ କରାଯାଇଛି। ମାଣ୍ଡେଲରେ ଭାରପ୍ରାପ୍ତ ସରପଞ୍ଚ ସୁଧାଙ୍ଗନା ନାଏକଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ ଯୋଗଦେଇ ରାଜ୍ୟ ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଉପଲବ୍ଧିର ଅନେକ ବିଷୟ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିପିଡିଓ ରବି ନାଏକ, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଦିବଂଗତ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ସୁପୁତ୍ର ପ୍ରସୁନ କୁମାର ଜାଲ (ରଞ୍ଜନ), ଓ୍ବାର୍ଡ ସଭ୍ୟ ମାର୍କଣ୍ଡ ଜାଲ, ଶିକ୍ଷାବିତ ରାମ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ନରହରି ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷାବିତ ସରତ ଚନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିଲେ। ମାଣ୍ଡେଲ ଏଡିଇଓ ସବିତା ଦାସ, ବାସବ ମହାନନ୍ଦ, ମୁକୁନ୍ଦ ମାହାର ପ୍ରମୁଖ ସହଯୋଗ କରିଥିଲେ। ସେହିପରି ରାକ୍ସି ପଞ୍ଚାୟତରେ ସରପଞ୍ଚ ଯେମନ୍ତ ପୋଢଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଭୀମକେଲା ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ଗଉଡ, ଜିପିଡିଓ ରବି ନାଏକ, ସିଡିପିଓ ଅଞ୍ଜଳି ପଟ୍ଟନାୟକ, ରାକ୍ସି ସମିତି ସଭ୍ୟ ଚୁମନ ଭୋଇ, ନାଏବ ସରପଞ୍ଚ କୁନ୍ତି ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ରାକ୍ସି ପିଇଓ ସହଶ୍ରାଂଶୁ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷାବିତ ମନୋଜ କୁମାର ଭୋଇ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ପଞ୍ଚାୟତର ହିତାଧିକାରୀମାନଙ୍କୁ ଜବ୍ କାର୍ଡ, ସାମାଜିକ ନିରାପତ୍ତା ଭତ୍ତା, ହୁଇଲ ଚେୟାର, ଅନ୍ତୋଦୟ ଗୃହ, ରାସନ କାର୍ଡ ଆଦି ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଏଡିଇଓ ଭଗବତ ପ୍ରସାଦ ସାହୁ, ଯୋଗାଣ ସହାୟକ ଚୈତନ୍ୟ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ବନ ବିଭାଗ, କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ ଆଦି ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସମେତ ପଞ୍ଚାୟତ ଅଞ୍ଚଳର ଅନେକ ପୁରୁଷ ଏବଂ ମହିଳା ଉପସ୍ଥିତ ଥିଲେ।

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ …!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ(ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ (ସା.) ତନ୍ମୟ କୁମାର ଦରୱାନ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ସମସ୍ତଙ୍କୁ ସ୍ବାଗତ ଜଣାଇ ବୈଠକରେ ଆଲୋଚ୍ୟ କାର୍ଯ୍ୟସୂଚୀ ଆଲୋଚନା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାସ୍ତରୀୟ କମିଟି ବୈଠକରେ ସମ୍ପୃକ୍ତ କିଛି ଅଧିକାରୀଙ୍କ ଅନୁପସ୍ତିତି ରହିଥିବାରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ଏହାର କାର୍ଯ୍ୟକାରିତା କୁ ନେଇ ବୈଠକରେ କ୍ଷୋଭ ପ୍ରକାଶ କରିବା ସହିତ ଆଗାମୀ ଦିନର ବୈଠକରେ ଚୂଡ଼ାନ୍ତ ନିଷ୍ପତି ଅନୁଯାୟୀ ସଡ଼କ ସୁରକ୍ଷା ଜୀବନ ରକ୍ଷା ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜର ଦାୟିତ୍ଵ ସୁଚାରୁରୂପେ ଅଧିକ ଯତ୍ନବାନ୍ ହୋଇ ତୁଲାଇବା ପାଇ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । କଳାହାଣ୍ଡି ଜିଲ୍ଲା ଏମ.ଭି. ରାଜସ୍ଵ ଆଦାୟରେ ପ୍ରୋଗ୍ରେସିଭ୍ ହାରରେ ଗତ ଦୁଇ ମାସ ଧରି ଟ୍ ୯.୦୫ କୋଟି ଧାର୍ଯ୍ୟ ଥିଲା ବେଳେ ୮.୪୦ କୋଟି ସଂଗ୍ରହ କରି କଳାହାଣ୍ଡି ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିବା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସାମନ୍ତରାୟ ସୂଚନା ଦେଇଥିଲେ । ହାତୀବ୍ରିଜ୍କୁ ସଂଯୋଗ କରୁଥିବା ବାସୁଗୁଡ଼ା ରାସ୍ତାର ଗାଡୱାଲ୍ ନଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟୁଛି। ସେହିପରି ଜୟପାଟଣା ରୁ ସସ ତୁଗୁଡା ନବରଙ୍ଗପୁର କୁ ସଂଯୋଗ କରୁଥିବା ରାସ୍ତା ଟୁଲୁଘାଟି ରାସ୍ତାର ଗାଡ଼ୱାଲ ନଥିବାରୁ ବହୁ ସମୟରେ ଦୁର୍ଘଟଣାର ଶୀକାର ହୋଇ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଜୟପାଟଣା ଠାରୁ ପରୁଆଗୁଡ଼ା ରାସ୍ତା, ତେମରା ଠାରୁ ବଡ଼ ଚେରର୍ଗାଁ, ବଡକୁଟୁରୁ ଠାରୁ ପାତ୍ରବସା ରାସ୍ତା, ଫର୍ଲିଝରଣ ଠାରୁ ଜାଖମ୍, ଗଡିସାଲ ଠାରୁ ଲାଞ୍ଜିଗଡ, ମୂଷପଳି ଠାରୁ ଚାରବାହାଲ, ଜୁନାଗଡ଼ ଠାରୁ ରାସ୍ତା, କଦଳୀ ଘାଟି ଲାଞ୍ଜିଗଡ ରାସ୍ତାର ଅବସ୍ଥା ବହୁତ୍ ଖରାପ ଥିବାରୁ ବିଭିନ୍ନ ସମୟରେ ଯତ୍ରୀଙ୍କର ଦୁର୍ଘଟଣା ଘଟି ମୃତ୍ୟୁମୁଖରେ ପଡୁଛନ୍ତି । ଏହି ସବୁ ରାସ୍ତାର ଆବଶ୍ୟକ ମରାମତି, ଗାଡ଼ୱାଲ ର ନିର୍ମାଣ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଜାତୀୟ ରାଜପଥ ବିଭାଗୀୟ ଅଧିକାରୀ ବଳଦିଆମାଲ ଛକ ଠାରୁ କେସିଙ୍ଗା ପଯ୍ୟନ୍ତ ସୌର ଶକ୍ତି ଚାଳିତ ଆଲୋକିତ କରଣ ନିମନ୍ତେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦେଇଥିବା ପ୍ରସ୍ତାବର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ବଳଦିଆମାଲ ଛକ ଠାରୁ କେସିଙ୍ଗା ମଧ୍ୟରେ ୮୦% ସଡ଼କ ଦୁର୍ଘଟଣା ଘଟୁଥିବା ଆଞ୍ଚଳିକ ପରିବହନ ଅଧିକାରୀ ଦେଇଥିଲେ ତେଣୁ ଜାତୀୟରାଜପଥ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହିତ ନେଇ ଆବଶ୍ୟକ ସୌର ଶକ୍ତି ଚାଳିତ ଆଲୋକିତ କରଣ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି । କଲମପୁର ରୁ ଥୁଆମୂଲ୍ ରାମପୁର, ଜୟପାଟଣା ରୁ ମହୁଲପାଟଣା ରାସ୍ତା ର ଆବଶ୍ୟକ ମରାମତି ତୁରନ୍ତ କରିବା ପାଇଁ ଅତିରିକ୍ତ ଜିଲାପାଳଶ୍ରୀ ଦରୱାନ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଜିଲ୍ଲା ଆଂଚଳିକ ପରିବହ ବିଭାଗୀୟ କାର୍ଯ୍ୟ ର ଅଗ୍ରଗତି, ସଡ଼କ ସୁରକ୍ଷା, ଦୁର୍ଘଟଣା ଜନିତ ମୃତ୍ୟୁ, ଟ୍ରାଫିକ ସମସ୍ୟା, ବେପରୁଆ ଗାଡି ଚାଳକଙ୍କ ପାଇଁ ଦଣ୍ଡ ବିଧାନ, ସଡ଼କ ସୁରକ୍ଷା ନିୟମକୁ କଡାକଡି ପାଳନ ଦିଗରେ ସଚେତନତା କାର୍ଯକ୍ରମ ଇତ୍ୟାଦି ସମ୍ପର୍କରେ ଆଲୋଚନା କରଯାଇଥିଲା । ଏଥିରେ କମିଟିର ସଦସ୍ୟ , ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ଜିଲ୍ଲା ବେସରକାରୀ ବସ୍ ଏସୋଷିଏସନ୍ ର ସଭାପତୀ ପ୍ରବୋଧ କୁମାର ରଥ, ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗୀୟ ଅଧିକାରୀ, ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

କଳାହାଣ୍ଡି ଜିଲ୍ଲା ରେଳଯାତ୍ରୀ ସଂଘ ସାଧାରଣ ବୈଠକ …!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ(ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲା ରେଳ ଯାତ୍ରୀ ସଂଘ ର ସାଧାରଣ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସାଧାରଣ ସମ୍ପାଦକ ଡମ୍ବରୁଧର ଭୋଇ ପୂର୍ବ ବୈଠକର ବିବରଣୀ ପଠନ ପରେ ତାକୁ ଦୃଢ଼ୀକରଣ କରାଯାଇଥିଲା । ଉକ୍ତ ବୈଠକରେ ଡ. ହେମାସାଗର ସାହା କେସିଙ୍ଗା ରେଳ ଷ୍ଟେସନ ର ବିଭିନ୍ନ ସମସ୍ୟା ଉତ୍ଥାପନ କରିଥିଲେ ।କେସିଙ୍ଗା ରେଳ ଷ୍ଟେସନ ରେ ସମସ୍ତ ଦୃତ ଗାମୀ ଟ୍ରେନ ମାତ୍ର ୨ମିନିଟ ରହଣୀ କରୁଛି ଫଳରେ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ବିଶେଷ କରି ବୃଦ୍ଧ ବୃଦ୍ଧା ବିକଳାଙ୍ଗ ଓ ମହିଳା ମାନେ ଟ୍ରେନ କମ ସମୟ ରହଣି ହେଉଥିବାରୁ ଟ୍ରେନ ରୁ ଓହ୍ଲାଇ ପାରୁନାହାନ୍ତି ସେଥିପାଇଁ ୨ମିନିଟ ରହଣି ପରିବର୍ତ୍ତେ ୫ମିନିଟ କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ ,ମାଲ ଗୋଦାମ ରେ ସଦାବେଳେ ସିମେଣ୍ଟ ଚାଉଳ ଗହମ ତଥା ଅନ୍ୟ ସାମଗ୍ରୀ ଲୋଡ ଅନ ଲୋଡ ହେଲେ ସେଠାରେ ଲାଇଟ୍ ର ସୁ ବ୍ୟବସ୍ଥା ନାହିଁ କି ପିଇବା ପାଣି ମଧ୍ୟ ନାହିଁ ଫଳରେ କାର୍ଯ୍ୟରତ ହେମାଳ ଓ କର୍ମଚାରୀ ମାନେ ଶୋଷ ମେଣ୍ଟାଇ ନ ପାରି ହଇରାଣ ହରକତ ହେଉଛନ୍ତି। ରେଳ ବିଭାଗ ଲୋଡ ଅନଲୋଡ ସମୟ କେବଳ ୯ଘଣ୍ଟା ଦେଇଛନ୍ତି ତା ଠାରୁ ଅଧିକ ସମୟ ଲାଗିଲେ ଡେମ୍ରେଜ୍ ଦେବାକୁ ପଡ଼ୁଛି ତା ର ସମୟ ସୀମା ସଂଶୋଧନ ପାଇଁ ସଂଘ ପକ୍ଷ ରୁ ଦାବି କରାଯାଇଥିଲା । ଏପରିକି ମାଲ ଗୋଦାମରେ ରେଲୱେ ପୋଲିସ ନ ଥିବାରୁ ଚୋରି ଡକାୟତି ଭୟ ରହିଛି ସେଥିପାଇଁ ଟ୍ରାନ୍ସପୋର୍ଟ କଣ୍ଟାକ୍ତର ନିଜ ପଇସାରେ ଚୌକିଦାର ରଖି କାର୍ଯ୍ୟ ସମ୍ପାଦନ କରୁଛନ୍ତି ଯେତେବେଳେ ଯାତ୍ରୀବାହୀ ଦ୍ରୁତଗାମୀ ଡାଉନ୍ ଟ୍ରେନ ମାନ ଆସେ ସେତେବେଳେ ୪ନମ୍ବର ପ୍ଲାଟ ଫ୍ରମ୍ ରେ ନ ଆସି ୨ ନମ୍ବର ଓ ୩ନମ୍ବର ପ୍ଲାଟଫ୍ରମ ରେ ଆସୁଥିବାରୁ ଯାତ୍ରୀ ମାନେ ହଇରାଣ ହେଉଛନ୍ତି ଏଥିରେ ବିଶେଷ କରି ବୃଦ୍ଧ ବୃଦ୍ଧା ବିକଳାଙ୍ଗ ମାନେ ସିଡି ଚଢ଼ି ନ ପାରି ହଇରାଣ ହେଉଛନ୍ତି ସେଥିପାଇଁ ସମସ୍ତ ଯାତ୍ରୀବାହି ଡାଉନ୍ ଟ୍ରେନ ୪ନମ୍ବର ରେ ଆସୁ ଓ ଅଫ ଗାଡ଼ି ୧ନମ୍ବର ପ୍ଳା ଟ୍ ଫ୍ରମ୍ ରେ ଆସିବା ପାଇଁ ଡି ଆର ଏମ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଖ୍ୟ ପରାମର୍ଶ ଦାତା ଡ ହେମ ସାଗର ସା ହା ଙ୍କୁ କ୍ଷମତା ଅର୍ପଣ କରାଗଲା । ଏପରିକି କେସିଙ୍ଗା ରେଲ ଷ୍ଟେସନ ପ୍ଲଟ ଫ୍ରମ ରେ ପାନୀୟ ଜଳ ଓ ପଙ୍ଖା ର ବ୍ୟବସ୍ଥା ନ ଥିବାରୁ ଯାତ୍ରୀ ମାନେ ହଇରାଣ ହେଉଛନ୍ତି । ସେହିପରି କାଣ୍ଡେଲ ରୋଡ ରେଳ ଷ୍ଟେସନ ର ପ୍ଲାଟ ଫ୍ର ମ ମାନଙ୍କରେ ଲାଇଟ ଓ ପଙ୍ଖା ନ ଥିବାରୁ ଯାତ୍ରୀ ମାନେ ଘୋର ଅସୁବିଧା ଭୋଗୁଛନ୍ତି ।ଏପରି କି ଶୌଚାଳୟ ଦୀର୍ଘ ଦିନରୁ ଅକାମି ହୋଇ ପଡ଼ି ରହି ଥିବାରୁ ବିଭାଗୀୟ ଅଧିକାରୀ ମାନଙ୍କ ଠାରେ ଅଭିଯୋଗ କଲେ ସୁଦ୍ଧା କର୍ଣ୍ଣପାତ କରୁନ ଥିବାରୁ କ୍ଷଭ ପ୍ରକାଶ ପାଇଥିଲା। ଏପରି କି କାଣ୍ଡେଲ ରୋଡ ରେଳ ଷ୍ଟେସନ ରେ ତପସ୍ଵିନୀ ଏକ୍ସପ୍ରେସ ରହଣି ପାଇଁ ଦାବି କରାଯାଇଥିଲା । ଇସ୍ପାତ ଟ୍ରେନ ସପ୍ତାହରେ ଦୁଇ ଦିନ ରାୟଗଡ଼ା କୋରାପୁଟ ଭାୟା ଟିଟିଲାଗଡ ଦେଇ ଚଳାଇବା,ଧର୍ମଗଡ ରୁ କେସିଙ୍ଗା ଦେଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।ଏହା ଜେଡ୍ ଆର ୟୁ ସି ସି ବୈଠକ ରେ ଉପସ୍ଥାପନା କରିବାପାଇଁ ମୁଖ୍ୟ ପରାମର୍ଶ ଦାତା ଡ ହେମସାଗର ସାହା ଙ୍କୁ କ୍ଷମତା ଅର୍ପଣ କରାଗଲା । ରେଳ ବିଭାଗ ର ବିଭିନ୍ନ ସମସ୍ୟା ଗୁଡ଼ିକୁ କଳାହାଣ୍ଡି ଜିଲ୍ଲାର ଦୁଇ ଜଣ ସାଂସଦ ଙ୍କୁ ଅବଗତ କରି ତାର ସମାଧାନ ପାଇଁ ଗୁହାରୀ କରିଥିଲେ ସୁଦ୍ଧା ଆନ୍ତରିକ ଅଭାବ ଯୋଗୁଁ କେହି କର୍ଣ୍ଣପାତ କରୁନାହାନ୍ତି ।ଶେଷରେ ସଭାପତି ସୁଭାଷ ଜୈନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ପରାମର୍ଶ ଦାତା ରାମକୁମାର୍ ଜୈନ, ଆନନ୍ଦ ଅଗ୍ରୱାଲ, ଯୁଗଳ କିଶୋର ଦୀପ,ରମାକାନ୍ତ ଜେନା,ରଞ୍ଜନ ବେହେରା,ବେଣୁଧର ମହଲା, ସୁରେଶ ଅଗ୍ରୱାଲ,ବିନୋଦ ଅଗ୍ରୱାଲ,ଜୟ ଭଗବାନ ଜୈନ, ସଦା ମାଝୀପ୍ରମୁଖ ଉପସ୍ଥିତ ଥିଲେ।

ସଂସ୍କାର ଭାରତୀ କଳାହାଣ୍ଡି ଓ ମାରବାଡି ଯୁବ ମଞ୍ଚ ଜାଗୃତି ଶାଖା ଦ୍ୟାରା ଅନୁଷ୍ଚିଠିତ ଜିଲ୍ଲାସ୍ତରୀୟ ଚିତ୍ରକଳା କର୍ମଶାଳା ଉଦଯାପିତ …!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ(ଭବାନୀପାଟଣା) – ସଂସ୍କାର ଭାରତୀ କଳାହାଣ୍ଡି ଓ ମାରବାଡି ଯୁବ ମଞ୍ଚ ଜାଗୃତି ଶାଖା ଅନୁକୂଲ୍ୟରେ ୭ ଦିନିଆ (୧୦ରୁ ୧୬ ଜୁନ) ଭାରତୀୟ କଳା ଦର୍ଶନ ଉପରେ ଶିଶୁ ଓ ମହିଳାମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନ ଭବାନୀପାଟଣାଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ କ୍ଷୀରସିନ୍ଧୁ ଭୋଇ ଚିତ୍ରଶିଳ୍ପୀ ତଥା ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ଚିତ୍ରକଳା ସଂଯୋଜକ ଓ ସଭ୍ୟା ଶ୍ରୀମତୀ ଭାରତୀ ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ୨୫ ଜଣ ଶିଶୁ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜସ୍ଵ ଚିତ୍ର ଅଙ୍କନ କରିଥିଲେ । କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ଅଧ୍ୟକ୍ଷ ଶ୍ରୀ ହରେକୃଷ୍ଣ ଭୋଇ ଉପସ୍ଥିତ ସୃଜନ ମଣ୍ଡଳୀକୁ ସଂସ୍କାର ଭାରତୀର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଅନ୍ୟାନ୍ୟ ଅତିଥି ବିଶିଷ୍ଠ ଶିକ୍ଷାବିତ ଡ଼. ଉମେଶ ଚନ୍ଦ୍ର ଶତପଥି ସମସ୍ତ ପ୍ରତିଯୋଗୀମାନଙ୍କ ଚିତ୍ର ଅଙ୍କନକୁ ଭୁୟସୀ ପ୍ରସଂଶା କରିଥିଲେ। କଳାହାଣ୍ଡି ତହସିଲଦାର ଶ୍ରୀମତୀ ଶୁଭସ୍ମିତା ମିଶ୍ର ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ଅନ୍ୟତମ ଅତିଥି ତଥା ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ମହାମନ୍ତ୍ରୀ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ଆଗାମୀ ଦିନରେ ସଂସ୍କାର ଭାରତୀ ଏପରି କାର୍ଯ୍ୟକ୍ରମର ନିଶ୍ଚିତ ସ୍ଥାପନ କରିବ ବୋଲି ମତ ପୋଷଣ କରିଥିଲେ। ବର୍ଷିୟାନ ଚିତ୍ରଶିଳ୍ପୀ ଶ୍ରୀ ଅକ୍ଷୟ କୁମାର ପଟ୍ଟନାଏକ ସମସ୍ତ ଚିତ୍ରଶିଳ୍ପୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ମାରବାଡି ଯୁବ ମଞ୍ଚର ସଭାପତି ଶୈଳେଶ କୁମାର ଓ ଜାଗୃତି ଶାଖାର ସମ୍ପାଦକ ଶ୍ରୀମତୀ ଜ୍ୟୋତି ଅଗ୍ରୱାଲ ଓ ମାରୱାଡି ମହିଳା ମଞ୍ଚର ସଭାନେତ୍ରୀ ଶ୍ରୀମତୀ ରାକ୍ଷୀ ଶର୍ମା ଏପରି କାର୍ଯ୍ୟକ୍ରମ ସଂଯୋଜନା ପାଇଁ ସଂସ୍କାର ଭାରତୀକୁ ଧନ୍ୟବାଦ ପ୍ରଦାନ କରିଥିଲେ । ସଂସ୍କାର ଭାରତୀ ପ୍ରାନ୍ତ ସଂଯୋଜକ ଶ୍ରୀମତୀ ଜ୍ୟୋତି ରାଣୀ ଦାସ, ପ୍ରାନ୍ତ ରଙ୍ଗୋଲି ସଂଯୋଜିକା ଶ୍ରୀମତୀ ସଂଯୁକ୍ତା ସା, ଜିଲ୍ଲା ନାଟ୍ୟ ପ୍ରମୁଖ ଆଲୋକ କୁମାର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ;ସ୍ଵଜଳ ଧାରା ଓ ୫ ସୌରାଚାଳିତ ନଳକୂଅ ର ଶୁଭାରମ୍ଭ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡା)- ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ ସହଯୋଗୀ କମ୍ପାନୀ ପକ୍ଷରୁ ଦୁଇଗୋଟି ସ୍ଵଜଳ ପ୍ରକଳ୍ପ ଓ ପାଞ୍ଚଗୋଟି ସୌରାଚାଳିତ ନଳକୂପ ଉଦ୍ଘାଟିତ ହୋଉଯାଇଛି । ଉତ୍କଳ ଆଲୁମିନା ଖଣି ମୁଖ୍ୟ ବିଜୟ ଚୌହାନ ସମେତ କାରଖାନା ସିଏସଆର ବିଭାଗ କର୍ମକର୍ତା କାଶୀପୁର ବ୍ଲକ କୋଡ଼ିପାରି ପଂଚାୟତ କାଳିଆ ଚାଁଚେରା ଓ ରୟାଲଘାଟି ଗାଁରେ ଉପସ୍ଥିତ ରହି ଜଳ ଯୋଗାଣ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଦୀର୍ଘ ଦଶନ୍ଧିରୁ ଗ୍ରାମବାସୀ ଶୁଦ୍ଧ ପାନୀୟ ଜଳ ନପାଇ ସ୍ଥାନୀୟ ଝରଣା ଓ ନାଳ ପାଣି ଉପରେ ନିର୍ଭରଶୀଳ ଥିଲେ । ପାନୀୟ ଜଳ ନମିଳିବାରୁ ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ସମୟରେ ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ଜଳ ବାହକ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଳୟରେ ଭର୍ତି ହୋଇ ମର୍ତ୍ୟୁ ସହ ସଂଗ୍ରାମ କରିଥାନ୍ତି । ସମ୍ପ୍ରତି ସମସ୍ୟା ଦୀର୍ଘଦିନରୁ ଚାଲିଥିବା ବେଳେ ଉତ୍କଳ ଆଲୁମିନା ତରଫରୁ ଗ୍ରାମବାସୀଙ୍କ ଏହି ସମସ୍ୟା ସମାଧାନ ନିମନ୍ତେ ଆଗକୁ ଆସି ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ ଉକ୍ତ ଦୁଇଟି ଗ୍ରାମରେ ଲୋକଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ ଦୁଇଗୋଟି ସ୍ଵଜଳ ଧାରା କାର୍ଯ୍ୟକ୍ଷମ କରାଯଇଛି ।

ସେହିପରି ଗ୍ରାମବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଞ୍ଚ ଗୋଟି ସୌରାଚାଳିତ ନଳକୂଅ କାର୍ଯ୍ୟକ୍ଷମ କରାଯାଇଛି । ଉତ୍କଳ ଆଲୁମିନା ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି । କମ୍ପାନୀର ଏଭଳି ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ଗାଁ ଲୋକେ ପ୍ରଶଂସା କରୁଥିବାବେଳେ ସ୍ଥାନୀୟ ବାସିନ୍ଦା ମାଳିଆ ମାଝୀ କହିଛନ୍ତି, ଗାଁରେ ଲୋକେ ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ନାହିଁନଥିବା କଷ୍ଟ ସ୍ୱୀକାର କରୁଥିଲେ । ବର୍ଷ ଦିନେ ପ୍ରାକୃତିକ ଜଳ ଉତ୍ସ ଦୂଷିତ ହୋଇଥିବାରୁ ବିଶୁଦ୍ଧ ପାନୀୟ ଜଳ ପାଇଁ ଗାଁ ଲୋକେ ସମସ୍ୟାରେ ଜର୍ଜରିତ ହୋଇଥିଲେ । ଉତ୍କଳ ଆଲୁମିନା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିଥିବାରୁ ଗାଁ ଲୋକେ ପ୍ରଥମ ଥର ସୁଦ୍ଧ ପାନୀୟ ଜଳ ବ୍ୟବହାର କରିବେ ବୋଲି ଶ୍ରୀ ମାଝି ପ୍ରକାଶ କରିବା ସହ ଉତ୍କଳ ଆଲୁମିନା କତୃପକ୍ଷ ଙ୍କୁ ଧନ୍ୟବାଦ ଜଣେଇ ଥିବା ଶୁଣିବାକୁ ମିଳିଛି ।