ଶରଦ ପାୱାର କହିଲେ କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା “ଇଣ୍ଡିଆ ମେଣ୍ଟ “….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କେବଳ ଜାତୀୟ(ଲୋକସଭା) ନିର୍ବାଚନ ପାଇଁ ଗଠନ ହୋଇଥିଲା ‘ଇଣ୍ଡିଆ’ ମେଣ୍ଟ। ଏଭଳି କହିଛନ୍ତି ବିରୋଧୀ ମେଣ୍ଟର ବରିଷ୍ଠ ସଦସ୍ୟ ଶରଦ ପାୱାର। ଲୋକସଭାରେ ବିଜେପିକୁ ମାତ ଦେବା ପାଇଁ ଗଠନ ହୋଇଥିବା ବିରୋଧୀ ମେଣ୍ଟରେ ସବୁକିଛି ଠିକ ଚାଲିନଥିବା ଚର୍ଚ୍ଚା ଜୋର ଧରିଥିବାବେଳେ ଶରଦ ପାୱାରଙ୍କ ଏଭଳି ପ୍ରତିକ୍ରିୟା ଜାତୀୟ ରାଜନୀତିକୁ ସରଗରମ କରିଛି। ଶରଦ ପାୱାର କହିଛନ୍ତି ଯେ ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଇଣ୍ଡିଆ ମେଣ୍ଟରେ କୌଣସି ଆଲୋଚନା ହୋଇନଥିଲା। ତେବେ ଆମେ ସମସ୍ତେ ଆଗାମୀ ୧୦ ଦିନ ଭିତରେ ଏକାଠି ହେବୁ ଏବଂ ଆଞ୍ଚଳିକ ନିର୍ବାଚନ ବିଷୟରେ ଆଲୋଚନା କରିବୁ ବୋଲି କହିଛନ୍ତି ଶରଦ ପାୱାର। ଦିଲ୍ଲୀରେ ଆପ୍ ଓ କଂଗ୍ରେସ ପରସ୍ପର ବିରୋଧରେ ଲଢ଼ିବା ବିଷୟରେ ପାୱାର କହିଛନ୍ତି ଯେ, କେବଳ ଜାତୀୟ(ଲୋକସଭା) ନିର୍ବାଚନ ପାଇଁ ଗଠନ ହୋଇଥିଲା ‘ଇଣ୍ଡିଆ’ ମେଣ୍ଟ। ଦିଲ୍ଲୀ ହେଉଛି ଅରବିନ୍ଦ କେଜ୍ରିୱାଲଙ୍କ ଗଡ଼। ସେଠାରେ ଲୋକ ତାଙ୍କୁ ଦୁଇଥର ବହୁମତ ଦେଇଛନ୍ତି। ତେଣୁ ଯଦି ସେଠାରେ ସେ ଆତ୍ମବିଶ୍ୱାସର ସହ ଏକା ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି, ଏହା ବହୁତ ଭଲ। ଉଲ୍ଲେଖ ଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ‘ଇଣ୍ଡିଆ’ ମେଣ୍ଟର ଦୁଇ ସହଯୋଗୀ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇବା ପରେ ମେଣ୍ଟରେ ସବୁକିଛି ଠିକ ନଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାପରେ ସମାଜବାଦୀ ପାର୍ଟି, ଟିଏମସି ଓ ଶିବସେନା (ଉଦ୍ଧବ ଗୋଷ୍ଠୀ) କଂଗ୍ରେସକୁ ଏକ ପାଖିଆ କରି ଆପକୁ ସମର୍ଥନ ଘୋଷଣା କରିଛନ୍ତି। ଅନ୍ୟପଟେ ନିକଟରେ ମହାରାଷ୍ଟ୍ରରେ ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ଭଳି ଆଞ୍ଚଳିକ ନିର୍ବାଚନରେ ଉଦ୍ଧବ ଠାକରେଙ୍କ ଶିବସେନା ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ଏପଟେ ଦିଲ୍ଲୀରେ ରାହୁଲ ଗାନ୍ଧି ଓ ଅରବିନ୍ଦ କେଜ୍ରିୱାଲ ପରସ୍ପରକୁ ଜୋରଦାର ଟାର୍ଗେଟ ଜାରି ରଖିଛନ୍ତି। ଯାହା ଇଣ୍ଡିଆ ମେଣ୍ଟର ଅସ୍ଥିତ୍ୱକୁ ନେଇ ପ୍ରଶ୍ନ ଉଠାଇଛି।

 

ପାର୍ଟି ଧୀରେ ଧୀରେ ବନ୍ଦ ହୋଇଗଲାଣି,ଏବେ ଚଲେଇବେ ହୋଟେଲ କହି ବିଜେଡି କୁ କଟାକ୍ଷ କରିଲେ ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପାର୍ଟି ଦୋକାନ ବନ୍ଦ ହୋଇଗଲା। ଏବେ ହୋଟେଲ ଚଲେଇବେ, ଆଉ କ’ଣ କରିବେ। ଏଡେ ବଡ଼ ପ୍ରୋପ୍ରର୍ଟିକୁ କୌଣସି କାମରେ ତ ଲଗାଇବେ। ପାର୍ଟି ଧୀରେ ଧୀରେ ବନ୍ଦ ହୋଇଗଲାଣି। ପାର୍ଟିର କାମ ଆଉ କିଛି ନାହିଁ। ତେଣୁ ସେମାନେ ସେଟାକୁ ହୋଟେଲରେ ପରିଣତ କରି ଦେଲେ। କ’ଣ ହୋଇଗଲା ସେଠୁ? ବିଚରାମାନଙ୍କୁ ଧନ୍ୟବାଦ। ଯଦି ଭଲ ଖାଦ୍ୟ ଦେଉଥିବେ ତା’ହେଲେ ଖାଇଯିବା ବୋଲି କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର।

ସାହୁ ଭାଉଜ ଓ ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା ଙ୍କୁ ମନା ଖଣ୍ଡଗିରି ଯାତ୍ରା ମଞ୍ଚ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଖଣ୍ଡଗିରି ଯାତ୍ରା ମଞ୍ଚରେ ହେବନି ଅଶ୍ଳୀଳ ନୃତ୍ୟ। ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା। ଆଜି ପୁଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ହୋଇଛି ଏଭଳି ନିଷ୍ପତ୍ତି। ତେବେ ସମୟ କହିବ ଏହି ନିଷ୍ପତ୍ତିକୁ ଯାତ୍ରା ଅନୁଷ୍ଠାନ ମାନିବ ନା ପ୍ରତି ଥର ପରି ଏଥର ହେବ ନଙ୍ଗଳା ନୃଶ୍ୟ। ମାଘ ସପ୍ତମୀରୁ ଆରମ୍ଭ ହେବାକୁ ଯାଉଛି ଯାତ୍ରା ମହାକୁମ୍ଭ। ରଙ୍ଗୀନ ଆଲୋକ ମାଳାରେ ଝଲସିବ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ପାଦଦେଶ। ଆଉ ଖଳନାୟକଙ୍କ ଗୁରୁଗମ୍ଭୀର ଡାଇଲଗରେ ପ୍ରକମ୍ପିତ ହେବ ପରିବେଶ। ହେଲେ ଗତ କିଛି ବର୍ଷ ହେଲା ଅଶ୍ଲୀଳ ନୃତ୍ୟକୁ ନେଇ ବଦନାମ ହୋଇଛି ଯାତ୍ରା ମହାକୁମ୍ଭ ଓ ଯାତ୍ରା। ସରକାରଙ୍କ ବାରମ୍ୱାର ତାଗିଦ୍‌ ସତ୍ତ୍ୱେ ଝାଇଁମରା ଡ୍ୟାନ୍ସ ହେଉଛି। ଯାହାକୁ ନେଇ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ତେବେ ଏଥର କଠୋର ହୋଇଛନ୍ତି ସରକାର। ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ। ସେମାନଙ୍କୁ ଏଥର ମଞ୍ଚରେ ଡ୍ୟାନ୍ସ କରିବାକୁ ସୁଯୋଗ ଦିଆଯିବ ନାହିଁ। ଶୃଙ୍ଖଳିତ ଯାତ୍ରା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏଥର ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ୧୨ଟି ଯାତ୍ରା ପାର୍ଟିଭାଗ ନେବେ।

ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ସ୍ଥାନ ପାଇଛି …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲା ଫୁଲବାଣୀର ଦାନି ଭିକ୍ଷୁକ ତୁଳା ମାଉସୀ। ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ଫୋଟ ଚିତ୍ରକୁ ସ୍ଥାନୀୟ ଅଞ୍ଚଳରେ ଢେର୍‌ ଚର୍ଚ୍ଚା ହେଉଛି। କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠା ଅର୍ଥାତ ଜାନୁଆରୀ ମାସ ପେଜରେ ତାଙ୍କର ଫଟୋ ରହିଛି। ଏହି କ୍ୟାଲେଣ୍ଡରକୁ ଗତ ୬ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ଯାହାକୁ ନେଇ ଦାନି ଭିକ୍ଷୁକ ତୁଳା ମାଉସୀ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ତାଙ୍କୁ ଏଥିପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି। କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସେ ଏବେ ମଧ୍ୟ ମନ୍ଦିରରେ ବସି ଭିକ୍ଷା ମାଗୁଛନ୍ତି ଓ ଫୁଲବାଣୀରେ ଏକ ଭିକାରୀ ଆଶ୍ରମ ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସୂଚନାରୁ ପ୍ରକାଶ, ଭିକ୍ଷୁକ ତୁଳା ମାଉସୀ ଭିକ ମାଗି ଜୀବନ ବ୍ୟାପୀ ଯାହା ସଂଚୟ କରିଥିଲେ, ସେଥିରୁ ଏକ ଲକ୍ଷ ଟଙ୍କା ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ। ତାଙ୍କର ଏହି ମହାନତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଫୁଲବାଣୀ ଗସ୍ତରେ ଆସିଥିଲେ, ସେହି ସମୟରେ ଭରା ସଭାରେ ତୁଳା ମାଉସୀଙ୍କୁ ମଞ୍ଚକୁ ଡାକି ମୁଣ୍ଡିଆ ମାରି ପ୍ରଣାମ କରିଥିଲେ। ଏପରିକି ତାଙ୍କୁ ସମ୍ମାନିତ କରିଥିଲେ। ସେହି ସମୟରେ ତୁଳା ମାଉସୀଙ୍କୁ ମଞ୍ଚକୁ ନେବାରେ ସହଯୋଗ କରିଥିଲେ ବିଜେପିର ବରିଷ୍ଠ ନେତା ରମେଶ ଚନ୍ଦ୍ର ମହାନ୍ତି।

ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ ; ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିପାରେ କ୍ଷୀର। ପିଲାଙ୍କୁ ପୋଷଣ ଓ ପ୍ରୋଟିନ୍‌ ଯୋଗାଇବାକୁ ରାଜ୍ୟ ସରକାର ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିନିମନ୍ତେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହାକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ ହେଉଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ରାଷ୍ଟ୍ରପତିଙ୍କ ଜିଲ୍ଲା ମୟୁରଭଞ୍ଜର ରାଇରଙ୍ଗପୁରରେ ପାଇଲଟ ପ୍ରୋଜେକ୍ଟ ଭାବେ ଏହାର ଶୁଭାରମ୍ଭ କରାଯାଇଛି। ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ ୨ଶହ ଗ୍ରାମ ଲେଖାଏଁ ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବା କାର୍ଯ୍ୟକ୍ରମର ଗତକାଲି ଶୁଭାରମ୍ଭ ହୋଇଛି । ପରେ ଏହା ସବୁ ସ୍କୁଲରେ ଲାଗୁ କରାଇବାପାଇଁ ସରକାର ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏନେଇ ମନ୍ତ୍ରୀ କହିଛନ୍ତି, ଗତକାଲି ଗିଫ୍ଟ ମିଲ୍କ ଦେବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପିଲାଙ୍କୁ ପୋ଼ଷଣ ଓ ପ୍ରୋଟିନ ଯୋଗାଇବାକୁ ଏପରି ପଦକ୍ଷେପ ନିଆଯାଇଛି। ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି। ଆଗକୁ ସମଗ୍ର ରାଜ୍ୟରେ ମଧ୍ୟାହ୍ନ ଭୋଜନରେ ବି କ୍ଷୀର ସାମିଲ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି। ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ୨ଶହ ମିଲିଲିଟର ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ସରକାର ଯୋଜନା କରୁଥିବା ମନ୍ତ୍ରୀ କହିଛନ୍ତି। ମୁଖ୍ୟତଃ ଗ୍ରାମାଞ୍ଚଳ ପିଲା ଉପଯୁକ୍ତ ପୋଷଣ ପାଇ ପାରୁନ ଥିବାରୁ ସେମାନଙ୍କର ଠିକ୍‌ ଭାବେ ବିକାଶ ହେଉନି ତଥା ସେମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ମଧ୍ୟାହ୍ନ ଭୋଜନରେ ବି ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଉଥିବା ନେଇ ସବୁବେଳେ ଅଭିଯୋଗ ହୋଇ ଆସୁଥିଲା। ପୂର୍ବ ସରକାର ଅମଳରେ ଏଥିରେ କୌଣସି ସୁଧାର ଆସି ନ ଥିବା ବେଳେ ନୂଆ ସରକାର ଆସିବା ପରେ ଏଥିପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ମଧ୍ୟାହ୍ନ ଖର୍ଚ୍ଚ ୭ଟଙ୍କା ୬୪ ପଇସା କରିଛନ୍ତି। ପୂର୍ବରୁ ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ଏହି ଖର୍ଚ୍ଚ ୫ ଟଙ୍କା ୯୦ ପଇସା ଥିଲା। ସେହିପରି ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୮ ଟଙ୍କା ୮୨ ପଇସା ଥିଲା । ତେବେ ଖୁବ୍‌ ଶୀଘ୍ର ମଧ୍ୟାହ୍ନ ଭୋଜନରେ କ୍ଷୀର ସାମିଲ ହେବା ଖବର ଶୁଣି ଅଭିଭାବକ ତଥା ପିଲାମାନେ ଖୁବ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି।

ପ୍ରତି ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର।। ଏହାଦ୍ୱାରା ଲୋକମାନେ ପୂର୍ଣ୍ଣାଙ୍ଗ ଚିକିତ୍ସା ପାଇପାରିବେ। ଦିଲ୍ଲୀରୁ ଫେରି ଆଜି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏତେ ବଡ଼ ଯୋଜନାରୁ ପୂର୍ବରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ ରଖାଯାଇଥିଲା ଏବେ ସେମାନଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆୟୁଷ୍କାନ ଆରୋଗ୍ୟ ମନ୍ଦିରରେ ANMଙ୍କ ସହ ହେଲଥ୍ ୱାର୍କର ରହିବେ। ଏଥିରେ ଯୋଗ ଶିକ୍ଷକ ମଧ୍ୟ ରହିବେ, ପୂର୍ଣ୍ଣ ଭିତ୍ତିଭୂମି ବି ରହିବ। ଏହାଦ୍ୱାରା ଲୋକମାନେ ପୂର୍ଣ୍ଣାଙ୍ଗ ଚିକିତ୍ସା ପାଇପାରିବେ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା ସରକାରଙ୍କର ଆୟୁଷ୍ମାନ ଭାରତ ପାଇଁ MOU ସ୍ୱାକ୍ଷର ହୋଇଥିଲା। ଏହି ଯୋଜନାରେ କୋଟିଏ ୩ ଲକ୍ଷ ଲୋକ ସାମିଲ ହେବେ। ବିଶେଷ ଭାବେ ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ନିରନ୍ତର ଚିକିତ୍ସା ସୁବିଧା ପାଇବେ। ସାରା ଦେଶରେ ୩୦ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ। ଆୟୁଷ୍ମାନ ଭାରତରେ ପୁରୁଷଙ୍କୁ ୫ ଓ ମହିଳାଙ୍କୁ ୧୦ ଲକ୍ଷର ଚିକିତ୍ସା ସୁବିଧା ମିଳିବ। ପୂର୍ବରୁ ଏତେ ବଡ଼ ଯୋଜନାରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ ରଖାଯାଇଥିଲା। ପୁର୍ବ ସରକାରର ହୀନମାନ୍ୟତା କାରଣରୁ ଏହା ଲାଗୁ ହେଉ ନଥିଲା, ତାହା ଆମ ସରକାର ଲାଗୁ କରିଛନ୍ତି। ଓଡ଼ିଶାର ଲୋକମାନଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀର ବିଜ୍ଞାନ ଭବନରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା  ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଅଶ୍ୱିନ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ନୂଆ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

 

୧୯୮୯ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ…!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍  !!!

ଏଥର ସମ୍ଭାଳ (ଗୁଣୁପୁର) – ରାୟଗଡା ଜିଲ୍ଲା ଗୁଣପୁର ସାନ ନଦୀ ଠାରେ ୧୯୮୯ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ଯ ଦଶମ ଶ୍ରେଣୀର ଛାତ୍ର ଏକାଠି ହୋଇ ପିଲା ଦିନର ସ୍ମୁତି ସାଉଁଟି ଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ରାଜେଶ ପାତ୍ର, ବୁଲା ପ୍ରଧାନ, ରଞ୍ଜିତ ପାଢୀ, ଟୁନା ପାଢି, ପ୍ରଦୀପ ପାଢି, ଲୁନା ପାତ୍ର, ଲାଡି ତିରୁମୁଲା, ବାରିକ ଶବର ଙ୍କ ସମେତ ଅନ୍ୟ ୫୦ ରୁ ଉର୍ଦ୍ଧ ଛାତ୍ର ଉପସ୍ଥିତ ରହିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପୂର୍ବରୁ ସ୍ଵର୍ଗତ ବୃଷ କେତୁ ଲିମା ଙ୍କ ଉଦ୍ଦେଶ୍ୟ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ।