ବିଜେପି କହୁଛି , ବିଜେଡିର କଲାକର୍ମ ପାଇଁ ଓଡ଼ିଶାରେ ବଢ଼ିଛି ଦରଦାମ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଦଳକୁ ବଂଚାଇବା ପାଇଁ ଓ ଚର୍ଚ୍ଚାରେ ରହିବା ନିମନ୍ତେ ବିଜେଡି ଏବେ ରାସ୍ତାକୁ ଓହ୍ଲାଇଛି । ବିଜେଡିର  କଲାକର୍ମ ପାଇଁ ରାଜ୍ୟରେ ଏବେ ଦରଦାମ ବୃଦ୍ଧି ପାଇଛି । ବିଜେଡି ଉତ୍ତରାଧିକାରୀ ସୂତ୍ରରେ ଓଡ଼ିଶାକୁ ଦରବୃଦ୍ଧି ଦେଇଯାଇଛି । ଦରଦାମ ବୃଦ୍ଧି ପାଇଁ ବିଜେଡି ନିଜେ ଦାୟୀ ବୋଲି ଭୁଲିଯାଇଛି । ଏବେ  ନିଜର ଅସ୍ତିତ୍ୱ ଲୋପ ପାଇବା ଭୟରେ ବିଜେଡି ଏଭଳି ପ୍ରଳାପ କରୁଛି । ଆଜି ଏଭଳି କିଛି କଡ଼ାଭାଷାରେ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଦଳକୁ ବଂଚାଇବା ପାଇଁ ଓ ଚର୍ଚ୍ଚାରେ ରହିବା ନିମନ୍ତେ ବିଜେଡି ଏବେ ରାସ୍ତାକୁ ଓହ୍ଲାଇଛି । ୬ମାସ ମଧ୍ୟରେ ମୋହନ ମାଝୀଙ୍କ ସରକାର ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରି ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ଓଡ଼ିଶାର ଏହି ବିକାଶକୁ ଦେଖି ବିଜେଡି ଏବେ ଅସହିଷ୍ଣୁ ହୋଇପଡ଼ିଛି । ବିଗତ ୨୪ ବର୍ଷ ଧରି ବିଜେଡି ସରକାର ଯାହା କରି ପାରି ନଥିଲା ମୋହନ ସରକାର ମାତ୍ର ଅଳ୍ପ ଦିନ ମଧ୍ୟରେ ତାହା କରି ଦେଖାଇପାରିଛନ୍ତ । ମୋହନ ସରକାରଙ୍କ ସଫଳତା ଦେଖି ବିଜେଡିର ଚିନ୍ତା ବଢ଼ିଯାଇଛି । ଲୋକଙ୍କ ପାଇଁ ବିଜେପି ସରକାର ଏଭଳି ପ୍ରଗତି କରି ଚାଲିଲେ ବିଜେଡିର  ସତା ଲୋପ ପାଇଯିବ ଭୟରେ ଏବେ ସେମାନେ ପ୍ରଳାପ କରୁଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟା ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କ ରହିଛି । ମାତ୍ର ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ ସମଗ୍ର ଓଡ଼ିଶା ଅପେକ୍ଷା କରିଥିବାବେଳେ ସାରା ବିଶ୍ୱରେ ରାଜ୍ୟର ଛବି ମଳିନ କରିବାକୁ ବିଜେଡି ଏଭଳି ହୀନ ପ୍ରୟାସ କରୁଛି । ବିଜେଡିର ଏଭଳି ଆଭିମୁଖ୍ୟକୁ ବିଜେପି ନିନ୍ଦା କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ବିଜେଡି ସରକାର ସମୟରେ ଆଳୁ ଓ ପିଆଜ ମିଶନ ଫେଲ ହୋଇଥିବାବେଳେ ଅଣ୍ଡା ଓ ମାଛ ଆଦି ରାଜ୍ୟରେ ଉତ୍ପାଦନ କରି ନପାରି ଆନ୍ଧ୍ରରୁ ଅଣାଯାଉଥିଲା । ଏପରିକି ପରିବା ମଧ୍ୟ ରଖି ନପାରି ବାହାରୁ ଆମଦାନୀ କରାଯାଉଥିଲା । ସବୁଠାରୁ ଲଜ୍ଜାର କଥା ହେଉଛି, ବିଜେଡି ଉତରାଧିକାରୀ ସୂତ୍ରରେ ଓଡ଼ିଶାକୁ ଯାହା ଦେଇଛି ଏବେ ସେଥିପାଇଁ ନିଜେ ଆନ୍ଦୋଳନ କରୁଛି । ଦୀର୍ଘବର୍ଷ ଧରି ଶାସନ କରିବା ପରେ ଓଡ଼ିଶାରେ ଦରଦାମ ବୃଦ୍ଧି ହେଲା କାହିଁକି ବୋଲି ବିଜେଡି ନିଜେ ନିଜକୁ ପ୍ରଶ୍ନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବିରଂଚି ତ୍ରିପାଠୀ, ସୁଜିତ ଦାସ, ଉର୍ମିଳା ମହାପାତ୍ର, ତେଜେଶ୍ୱର ପରିଡ଼ା ଓ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟବ୍ୟାପୀ ବିଜେପିର ବଡ଼ ଆୟୋଜନ ; ଓଡ଼ିଶା ଆସିବେ ୫୦ରୁ ଅଧିକ ଦେଶର ପ୍ରବାସୀ ଭାରତୀୟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆସନ୍ତା ୮ତାରିଖରୁ ଆରମ୍ଭ ହେଉଥିବା ୩ଦିନିଆ ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ପ୍ରସ୍ତୁତି ଶେଷପର୍ଯ୍ୟାୟରେ ପହଂଚିଛି । ଏହି ସମାରୋହରେ ପ୍ରାୟ ୫୦ରୁ ଅଧିକ ଦେଶରେ ଥିବା ପ୍ରବାସୀ ଭାରତୀୟ ଯୋଗ ଦେବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରୟାସ ଜାରି ରଖିଥିବାବେଳେ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ବଡ଼ ଆୟୋଜନ ହୋଇଛି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଏହି କାର୍ଯ୍ୟକ୍ରମ ପାଇଁ ଆଜିଠୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଂଚିଛନ୍ତି । ଏହି ପ୍ରବାସୀ ଭାରତୀୟ ଦିବସ ସମାରୋହକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ତାରିଖରେ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦି ୮ ତାରିଖରେ ସନ୍ଧ୍ୟାରେ ଓଡ଼ିଶାରେ ପହଂଚିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେଉଛି । ଏଥର ସମାରୋହରେ ‘ଏକ ବିକଶିତ ଭାରତ ଲାଗି ପ୍ରବାସୀଙ୍କ ଅବଦାନ’ ଶୀର୍ଷକ ବିଷୟବସ୍ତୁ ରହିଛି । ଏହି ସମାରୋହରେ ୫୦ରୁ ଅଧିକ ଦେଶର ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ଯୋଗ ଦେବାକୁ ପଞ୍ଜିକରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ପ୍ରବାସୀ ଭାରତୀୟ ଏକ୍ସପ୍ରେସକୁ ପତାକା ହଲାଇ ଉଦଘାଟନୀ ଯାତ୍ରାର ଶୁଭାରମ୍ଭ କରିବେ । ପ୍ରବାସୀ ଭାରତୀୟମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ସ୍ୱତନ୍ତ୍ର ଟ୍ରେନଟି ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରି ୩ ସପ୍ତାହ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀକୁ ଯାତ୍ରା କରିବ । ପ୍ରବାସୀ ତୀର୍ଥ ଦର୍ଶନ ଯୋଜନାରେ ଏହି ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ ଯାତ୍ରା ଆୟୋଜନ ହୋଇଛି ।ଏହି ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ଦିବସ ସମାରୋହ ଆୟୋଜନ ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି  ଆଣି ଦେଇଥିବା ଏହି ଅପାର ସମ୍ଭାବାନକୁ ବାସ୍ତବ ରୂପ ଦେବାର ସୁଯୋଗ ଆମସମସ୍ତଙ୍କ ପାଖରେ ରହିଛି । ଏଥିପାଇଁ ଓଡ଼ିଶାବାସୀଙ୍କୁ ମିଳିତ ଭାବେ ପ୍ରୟାସ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି । ଏହି ୩ଦିନରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶବିଦେଶର ଅନେକ ମାନ୍ୟଗଣ୍ୟ ଅତିଥି ଆସିବେ । ଅତିଥିମାନଙ୍କ ସ୍ୱାଗତ ଓ ସମ୍ବର୍ଦ୍ଧନା ପାଇଁ ବିଜେପି କର୍ମକର୍ତ୍ତା ପ୍ରସ୍ତୁତ ଅଛନ୍ତି । ରାଜଧାନୀ ସମେତ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ପରିଷ୍କାର କରାଯାଉଛି । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମା ବିଶେଷକରି ଡାକ୍ତରଖାନା, ରେଳ ଷ୍ଟେସନ, ବସଷ୍ଟାଣ୍ଡ,କୋର୍ଟ ପରିସର ଓ ସାଧାରଣ ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ପଦଯାତ୍ରା ଅନୁଷ୍ଠିତ ହେବ । ଏହି ୩ଦିନ ଧରି ଭୁବନେଶ୍ୱରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏ ସମସ୍ତ ସ୍ଥାନକୁ ପରିଦର୍ଶନ ପାଇଁ ଆସୁଥିବା ଅତିଥିମାନଙ୍କୁ ବିଜେପି କର୍ମକର୍ତ୍ତାମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ସମାରୋହକୁ ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୮ତାରିଖ ସନ୍ଧ୍ୟାରେ ଓଡ଼ିଶା ଆସିବେ । ତାଙ୍କୁ ବିମାନବନ୍ଦରରେ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଯୋଗଦେଲେ ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତା। ନାଟକ କରୁଛନ୍ତି କହିଲା ବିଜେପି। ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ କରିଛି ବିଜେଡି। ଦରଦାମ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଦଳ। ବିଜେଡି କହିଛି ଅର୍ଥନୀତି ପରିଚାଳନାରେ ସରକାର ଫେଲ୍। ମୁଦ୍ରାସ୍ଫିତି ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଡିଜେଲ ଦର କମିଥିଲେ ବି ଏଠି ସରକାର କମାଉ ନଥିବା କହିଛି ବିଜେଡି। ସେପଟେ ବିଜେଡିର ଏ ପ୍ରତିବାଦକୁ କାଉଣ୍ଟର କରିଛି ବିଜେପି। ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଏ ଛ’ ମାସରେ ଓଡିଶା ଲକ୍ଷ୍ମୀଛଡା ହୋଇଗଲାଣି। କେନ୍ଦ୍ର ସହଯୋଗରେ ଓଡିଶା ଲକ୍ଷ୍ମୀଛଡା। ଦରଦାମ୍ ବୃଦ୍ଧି ଘଟିଛି। ସେପଟେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ସରକାରୀ ଦଳର ବିଧାୟକ ଓ ସାସଂଦଙ୍କ ପିସି ଆଦାୟକୁ ଦରଦାମ୍ ବୃଦ୍ଧିର ମୁଖ୍ୟ କାରଣ ବୋଲି କହିଛନ୍ତି। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଆଜି ବିଜୁ ଜନତା ଦଳର ଏହି ବିକ୍ଷୋଭ ଦେଖି ବିଜେପି ନେତାମାନେ ଘର କୋଣରେ ବସିଥିବେ। ଏହି ବିଶାଳ ଶୋଭାଯାତ୍ରା ଦେଖି ସେମାନଙ୍କ ଛାତିରେ ଛନକା ପଶିଛି। ଡବଲ ଇଞ୍ଜିନ ଅର୍ଥ ସବୁଥିରେ ଡବଲ। ଆଳୁ ପିଆଜ ରେଟଠୁ ନେଇ ସବୁ ଡବଲ। ସେହିଭଳି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ ଦୁର୍ଭାଗ୍ୟଜନକ ଭାବେ ଆମେ ବିରୋଧୀ ଦଳରେ ଅଛୁ। କିନ୍ତୁ ଗାଁ ଗହଳିରେ ଲୋକେ କହୁଛନ୍ତି ଆମେ ତ ବିଜେଡିକୁ ଭୋଟ ଦେଇଥିଲୁ, କିନ୍ତୁ ବିଜେପି ସରକାର କଲା କେମିତି? ଲୋକେ ଆଗକୁ ଏହାର ଜବାବ ଦେବେ। ଛଅ ମାସ ଭିତରେ କେବଳ ରଙ୍ଗ ବଦଳାଇଛନ୍ତି। ବିଜୁ ବାବୁଙ୍କ ନାଁରେ ଥିବା ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ଡବଲ ଇଞ୍ଜିନ୍ ସରକାର ଦରଦାମ୍ ନିୟନ୍ତ୍ରଣ କରିବାରେ ବିଫଳ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଜେଡିକୁ କଡା କାଉଣ୍ଟର କରିଛନ୍ତି ରାଜ୍ୟ ବିଜପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ। ସେ କହିଛନ୍ତି ଯେ ବିଜେଡି ସରକାର ସମୟରେ ଦରଦାମ ବୃଦ୍ଧିରେ ଓଡ଼ିଶା ଏକ ନମ୍ବର ଥିଲା। ସ୍ଥିତି ଏବେ ଧିରେ ଧିରେ ସୁଧୁରୁଛି। ନିଜର ଅସ୍ଥିତ୍ୱ ବଜାୟ ରଖିବା ପାଇଁ ବିଜେଡି ଆନ୍ଦୋଳନ କରୁଛି ବୋଲି ସେ କହିଛନ୍ତି। ସେପଟେ ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ଗୋଟେ ନାଟକ ବୋଲି କହି ସମାଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ ରାଜ୍ୟରେ ପନିପରିବା ଦର ବହୁତ କମ ଅଛି। ଡାଲି, ତେଲ ଆଦିର ଦର ଦେଶ ତୁଳନାରେ ଓଡିଶାରେ କମ ରହିଛି। ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ନାଟକ ଛଡା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି।

ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡା)- ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ରାୟଗଡ଼ା ରେଳ ମଣ୍ଡଳ ଭବନର ଶିଳାନ୍ୟାସ କରିଛନ୍ତି। ଏହି ରେଳ ଡିଭିଜନର ଶିଳାନ୍ୟାସ ଫଳରେ ଓଡ଼ିଶାରେ ଭିତ୍ତିଭୂମି ଆହୁରି ମଜବୁତ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବହୁ ପ୍ରତୀକ୍ଷିତ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ରେଳ ମଣ୍ଡଳ ଭବନର ଶିଳାନ୍ୟାସ କରିଛନ୍ତି। ଏଥିସହ ନୂଆ ଜାମ୍ମୁ ରେଲୱେ ଡିଭିଜନ ଓ ତେଲେଙ୍ଗାନାର ଚାର୍ଲପାଲି ଟର୍ମିନାଲ ଷ୍ଟେସନ ଭଳି ଏକାଧିକ ରେଲୱେ ପ୍ରୋଜେକ୍ଟର ଉଦଘାଟନ କରିଛନ୍ତି ମୋଦି। ଏହି ଅବସରରେ ମୋଦି କହିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରି ରହିଛି। ଦୀର୍ଘ କିଲୋମିଟର ବ୍ୟାପୀ ସମୁଦ୍ର କୂଳ ବି ରହିଛି। ଓଡ଼ିଶାରେ ଅନ୍ତର୍ଜାତୀୟ ବାଣିଜ୍ୟର ପ୍ରବଳ ସମ୍ଭାବନା ରହିଛି। ଓଡ଼ିଶାରେ ଅନେକ ରେଳ ପ୍ରକଳ୍ପ ଉପରେ କାମ ଚାଲିଛି। ଏଥିରେ ୭୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି। ରାଜ୍ୟରେ ୭ଟି ଗତିଶକ୍ତି କାର୍ଗୋ ଟର୍ମିନାଲର ଆରମ୍ଭ କରାଯାଇଛି। ଯାହା ବ୍ୟାପାର ଏବଂ ଉଦ୍ୟୋଗକୁ ଭରପୁର ସହାୟତା କରୁଛି। ଆଜି ରାୟଗଡ଼ା ରେଳ ଡିଭିଜନର ଶିଳାନ୍ୟାସ ଫଳରେ ଓଡ଼ିଶାରେ ଭିତ୍ତିଭୂମି ଆହୁରି ମଜବୁତ ହେବ। ଓଡ଼ିଶାରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ରୋଜଗାରର ସମ୍ଭାବନା ବୃଦ୍ଧି ପାଇବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଥିବା ଜନଜାତିଙ୍କୁ ଏହାର ଫାଇଦା ମିଳିବ ବୋଲି ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ରାୟଗଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଉପସ୍ଥିତ ରହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ ଡକ୍ଟର କେ.ହରି ବାବୁ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ରହିଥିଲେ। ତେବେ ଗତ ୧୦ ବର୍ଷ ଭିତରେ ରେଲୱେରେ ବିକାଶ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୧୪ ବେଳକୁ ଦେଶରେ କେବଳ ୩୫% ବିଦ୍ୟୁତୀକରଣ ହୋଇଥିଲା। ବର୍ତ୍ତମାନ ଆମ ଦେଶରେ ୧୦୦% ବିଦ୍ୟୁତୀକରଣ ସମ୍ଭବ ହୋଇଛି ବୋଲି ମୋଦି କହିଛନ୍ତି। ୧୦ ବର୍ଷ ଭିତରେ ୩୦ ହଜାର କିମି ରେଲୱେ ଟ୍ରାକ୍‌ ନିର୍ମାଣ ହୋଇଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।