ପ୍ରାକୃତିକ ଦୁର୍ବିପାକରେ ସାମିଲ ହେଲା ‘ଅଦିନିଆ ବର୍ଷା’ ; କ୍ଷତିପୂରଣ ପାଇବେ ୬.୬୬ଲକ୍ଷ ଚାଷୀ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର) – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ‘କୃଷି ଓଡ଼ିଶା କନକ୍ଲେଭ-୨୦୨୫’କୁ ଉଦଘାଟନ କରି କହିଛନ୍ତି ଯେ, ଗତମାସରେ ଅଦିନିଆ ବର୍ଷାରେ ଯେଉଁ ଚାଷୀମାନଙ୍କର ୩୩ପ୍ରତିଶତରୁ ଅଧିକ ଫସଲ କ୍ଷୟକ୍ଷତି ହୋଇଛି ସେମାନଙ୍କୁ ରାଜ୍ୟ ସରକାରଙ୍କ ରିଲିଫ କୋଡ୍ ପ୍ରାବଧାନ ଆଧାରରେ ସହାୟତା ପ୍ରଦାନ କରାଯିବ । ରାଜ୍ୟ ସରକାର ‘ଅଦିନିଆ ବର୍ଷା’କୁ ରାଜ୍ୟ ପ୍ରାକୃତିକ ଦୁର୍ବିର୍ପାକ ଭାବେ ଘୋଷଣା କରିଛନ୍ତି । ଗତମାସରେ ଅଦିନିଆ ବର୍ଷରେ ବ୍ୟାପକ ଫସଲ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ୧୬ଟି ଜିଲ୍ଲାର ପ୍ରାୟ ୬ଲକ୍ଷ ୬୬ହଜାର ୭୨୦ଜଣ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ଜଣାପଡ଼ିଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ‘କୃଷି ଓଡ଼ିଶା କନକ୍ଲେଭ-୨୦୨୫’କୁ ଉଦଘାଟନ କରି କହିଛନ୍ତି ଯେ, ଗତମାସରେ ଅଦିନିଆ ବର୍ଷାରେ ଯେଉଁ ଚାଷୀମାନଙ୍କର ୩୩ପ୍ରତିଶତରୁ ଅଧିକ ଫସଲ କ୍ଷୟକ୍ଷତି ହୋଇଛି ସେମାନଙ୍କୁ ରାଜ୍ୟ ସରକାରଙ୍କ ରିଲିଫ କୋଡ୍ ପ୍ରାବଧାନ ଆଧାରରେ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ)ରୁ ୨୯୧କୋଟି ୫୯ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଜିଲ୍ଲାପାଳମାନଙ୍କ ରିପୋର୍ଟ ଅନୁସାରେ ଗତ ଡିସେମ୍ବର ୨୦ରୁ ୨୮ତାରିଖ ମଧ୍ୟରେ ହୋଇଥିବା ଅଦିନିଆ ବର୍ଷାରେ ୧୬ଟି ଜିଲ୍ଲାର ୬ଲକ୍ଷ ୬୬ହଜାର ୭୨୦ଜଣ ଚାଷୀଙ୍କର ୨ଲକ୍ଷ ୨୬ହଜାର ୭୯୧ ହେକ୍ଟର ଚାଷଜମିରେ ୩୩ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବ୍ୟତୀତ ଯେଉଁ ଚାଷୀମାନେ କପା ଓ ପନିପରିବା ଚାଷ କରିଛନ୍ତି ଓ ଭାଗ ଚାଷୀ ସେମାନଙ୍କୁ ମଧ୍ୟ ସହାୟତା ଦେବାକୁ ସରକାର ପଦକ୍ଷେପ ନେଇଛନ୍ତି । ଚାଷୀମାନେ କ୍ଷତିପୂରଣ ଆକାରରେ ଏହି ୨୯୧.୫୯କୋଟି ଟଙ୍କାର ଆର୍ଥିକ ସହାୟତା ପାଇବେ । ସେହିପରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ୨ଲକ୍ଷ ୬୧ହଜାର ଚାଷୀଙ୍କ ଆବେଦନ ସରକାରଙ୍କ ହସ୍ତଗତ ହୋଇଛି ।ବୀମାଭୁକ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜିଠାରୁ ଡିବିଟି ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରାଯାଉଛି । ସବୁ ବୀମାଭୁକ୍ତ ଚାଷୀମାନଙ୍କୁ ଆବେଦନ କରିବାର ସୁଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇ ଏହି ଆବେଦନ ସମୟକୁ ୩ଦିନ ବୃଦ୍ଧି କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଚଳିତ ରିଲିଫ କୋଡ୍ ପ୍ରାବଧାନ ଆଧାରରେ ‘ ପ୍ରାକୃତିକ ଦୁର୍ବିପାକ’ ତାଲିକାରେ ଅଦିନିଆ ବର୍ଷା ସାମିଲ ନଥିଲା । କିନ୍ତୁ ରାଜ୍ୟର ଚାଷୀମାନଙ୍କ ବ୍ୟାପକ ଫସଲ କ୍ଷତି ଓ ସେମାନଙ୍କର ଦାବିକୁ ଦୃଷ୍ଟିରେ ରଖି  ରାଜ୍ୟ ସରକାର ସେମାନଙ୍କୁ ଏସଡିଆରଏଫ ପାଣ୍ଠିରୁ ଆବଶ୍ୟକ ପରିମାଣର କ୍ଷତିପୂରଣ ପ୍ରଦାନ କରିବା ପାଇଁ ‘ଅଦିନିଆ ବର୍ଷା’କୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଏହି ଅଦିନିଆ ବର୍ଷା କ୍ଷୟକ୍ଷତି ସ୍ଥିତିର ଅନୁଧ୍ୟାନ ପାଇଁ ମନ୍ତ୍ରୀମାନଙ୍କୁ ୧୬ଟି ଜିଲ୍ଲାକୁ ପଠାଯାଇଥିଲା । ଜିଲ୍ଲାପାଳମାନଙ୍କୁ ମଧ୍ୟ ଏହି କ୍ଷୟକ୍ଷତି ରିପୋର୍ଟ ମଗାଯାଇଥିଲା । ସେସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀମାନଙ୍କ ସହ ସରକାର ସବୁସମୟରେ ଅଛନ୍ତି ଓ ରହିବେ । ଇନପୁଟ ସବସିଡି ସହିତ ଆଉ କେଉଁ ପ୍ରକାରର ସହାୟତା ପ୍ରଦାନ କରାଯାଇ ପାରିବ ସେ ଦିଗରେ ରାଜ୍ୟ ସରକାର ବିଚାର କରୁଛନ୍ତି । ସମୃଦ୍ଧ କୃଷକ ଯୋଜନାରେ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ଟଙ୍କା ଉପରେ ୮୦୦ଟଙ୍କାର ଅତିରିକ୍ତ ଇନପୁଟ ସହାୟତା ଦିଆଯାଉଛି । ଏବେସୁଦ୍ଧା ୨ଲକ୍ଷ ୯୩ହଜାର ଚାଷୀଙ୍କୁ ପ୍ରାୟ ୩ହଜାର କୋଟି ଟଙ୍କାରୁ ଅଧିକ ସର୍ବନିମ୍ନ ସହାୟତା ମୂଲ୍ୟ(ଏମଏସପି) ଓ ୧ହଜାର କୋଟି ଟଙ୍କାର ଇନପୁଟ ସହାୟତା ପ୍ରଦାନ କରାଯାଇ ସାରିଛି । ସେହିପରି ସିଏମ କିଷାନ ଯୋଜନାରେ ୪୫ଲକ୍ଷ ୫୭ହଜାର ୭୩୩ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୩୯୩୦୩ଜଣ ଭୂମିହୀନ ଚାଷୀ ପରିବାରକୁ ରବି ଫଲସ ପାଇଁ ୯୨୫କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରାଯାଇଛି । ଗତ ଅକ୍ଟୋବର ମାସ ୫ତାରିଖରେ ପିଏମ କିଷାନ ଯୋଜନାର ୧୮ତମ କିସ୍ତିରେ ରାଜ୍ୟର ୩୧ଲକ୍ଷ ୫୧ହଜାର ଚାଷୀ ଉପକୃତ ହୋଇଛନ୍ତି । ଏହି ଯୋଜନାରେ ଅଧିକ ଚାଷୀଙ୍କୁ ଯୋଡ଼ିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇ ପ୍ରାୟ ୩.୬୨ଲକ୍ଷ ଚାଷୀଙ୍କୁ ସାମିଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

ଅର୍ଥ ବିଭାଗ ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର) – ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପାଇଁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ସଂସ୍ଥାଠୁ ମତାମତ ଲୋଡ଼ିଛି ଅର୍ଥ ବିଭାଗ । ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ଏହି ମତାମତ ପଠାଇ ରାଜ୍ୟ ସରକାରଙ୍କ ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବାକୁ ବିଭାଗ ଅନୁରୋଧ କରିଛି । ଅର୍ଥ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ । ଏଥିରେ ସର୍ବାଧିକ ୫୦୦ଶବ୍ଦରେ ରାଜସ୍ୱ, ବ୍ୟୟ ଓ ଅନ୍ୟାନ୍ୟ ଭଳି ୩ଟି ବର୍ଗରେ ନିଜର ମତାମତ ଦେଇହେବ । ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀମାନେ ନିଜର ପରାମର୍ଶଗୁଡ଼ିକୁ ଇ-ମେଲ୍ ଦ୍ୱାରା odisha.budget@gov.in ଠିକଣାରେ ପଠାଇପାରିବେ । ସେହିପରି ବଜେଟ୍ ସମ୍ବନ୍ଧୀୟ ମତାମତକୁ ହ୍ୱାଟସଅପ୍ ନମ୍ବର-୯୪୩୮୧୬୧୧୧୧ ଓ ଅର୍ଥ ବିଭାଗର ସୋସିଆଲ ମିଡିଆ ଆକାଉଣ୍ଟ(ଏକ୍ସ,ଫେସବୁକ, ଇନଷ୍ଟାଗ୍ରାମ) ଦ୍ୱାରା ମଧ୍ୟ ପଠାଇପାରିବେ । ସୂଚନାଯୋଗ୍ୟ, ୨୦୨୪-୨୫ ଆର୍ଥିକବର୍ଷରେ ରାଜ୍ୟର ମୋହନ ମାଝୀ ସରକାର ୨.୬୫ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ ।୨୦୨୫-୨୬ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଆସନ୍ତା ଫେବୃୟାରୀ ଶେଷ ସପ୍ତାହରେ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି ।

ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଏଥର ସମ୍ଭାଳ ବ୍ୟୁରୋ(ବରଗଡ଼) –ଆଜିଠୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ମହାରାଜ କଂସଙ୍କ ରାଜୁତି । ବରଗଡ଼ ପାଲଟି ଯିବ ମଥୁରା ନଗରୀ , ଅମ୍ବାପାଲି ପାଲଟିଯିବ ଗୋପପୁର ଏବଂ ଚିର ପ୍ରବାହିତ ଜୀରାନଦୀ ପାଲଟିଯିବ ଯମୁନା ନଦୀ । ଆବାଳ ବୃଦ୍ଧବନିତା ପାଲଟିଯିବେ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର । ଧନୁଯାତ୍ରା ପାଇଁ ସାରା ବରଗଡ଼ ସହର ଚଳଚଞ୍ଚଳ ହୋଇପଡ଼ିଛି। ଶାନ୍ତିଶୃଙ୍ଖଳାକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପୁଲିସ ପ୍ରଶାସନ । ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି ସହ ୨୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୫୦ ଅଫିସରଙ୍କୁ ମୁତୟନ କରାଯାଇଛି।