ସେଦିନ ଥିଲା ସାଢେ ଏଗାର ଆଜି ସାଢେ ଦଶ ;ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଝୁଲୁଛି ତାଲା ?

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – ଗତ ଏଗାର ତାରିଖ ଦିନ ଠିକ ୧୧.୩୦ ମିନିଟ୍ ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଭୁକ୍ତ ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ତାଲା ଝୁଲିଥିଲା | ଖବର ପ୍ରସାରଣ ର ଠିକ ଚାରି ଦିନ ପରେ ମଧ୍ୟ ସାଢେ ଦଶ ସମୟରେ ଝୁଲୁଛି ତାଲା । ଯାହା ଫଳରେ ପ୍ରଭାବିତ ହେଉଛି ତହସିଲ କାର୍ଯ୍ୟ ଏଵଂ ହଇରାଣ ହେଉଛନ୍ତି ଅନେକ ମହିଳା ଓ ପୁରୁଷ | ସ୍ଥାନୀୟ କୋଦଳା ତହସିଲଦାର ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରେ କହିଛନ୍ତି ଯେ ସରକାରି କାର୍ଯ୍ୟାଳୟ ନିର୍ଦ୍ଧାରିତ ସମୟ ଦଶ ଟା ରେ ଖୋଲିବା କଥା କିନ୍ତୁ କାହିଁକି ଖୋଲା ଯାଇନାହିଁ ସେ ଅନୁସନ୍ଧାନ କରିବେ | ହେଲେ ଏଠି ପ୍ରଶ୍ନ ଉଠୁଛି ତହସିଲଦାର ଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଷଣ୍ଢମୂଳ ରାଜସ୍ବ ନିରୀକ୍ଷକ କଣ ଅଧିକାରୀ ଙ୍କ ଠାରୁ ଉର୍ଦ୍ଧରେ କି? ନା ଅନ୍ୟ କାହାର ଆଶୀର୍ବାଦ ରହିଛି, ଯାହା କି ତଦନ୍ତ ସାପେକ୍ଷ | ଏହି କାର୍ଯ୍ୟାଳୟ ଉପରେ ସ୍ଥାନୀୟ ଅଞ୍ଚଳରୁ ଶହ ଶହ ଲୋକ ଜମିଜମା ସମ୍ବଦ୍ଧିୟ କାର୍ଯ୍ୟ ପାଇଁ ନିର୍ଭର କରୁଥିବା ବେଳେ ଏଠିକାର କର୍ମଚାରୀ ଙ୍କ ମନ ମୁଖୀ କାର୍ଯ୍ୟ କଳାପ କୁ ନେଇ ପ୍ରଶ୍ନ ଉଠୁଛି | ଯଦି ରାଜସ୍ୱ ନିରୀକ୍ଷକ ମହୋଦୟ କୌଣସି ଫିଲ୍ଡ କାର୍ଯ୍ୟ କିମ୍ବା ଅଫିସ କାର୍ଯ୍ୟରେ ଯାଇଛନ୍ତି ତାହା ହେଲେ କାର୍ଯ୍ୟାଳୟ ରେ ଅନ୍ୟମାନେ ଉପସ୍ଥିତ ଥାନ୍ତେ। ନତୁବା ସୂଚନା ଫଳକ ରେ କାର୍ଯ୍ୟକ୍ରମ ବିଷୟ ନେଇ ଲିପିବଦ୍ଧ କରିଥାନ୍ତେ । ଏସବୁ ରେ କିନ୍ତୁ ବାରମ୍ବାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।କାର୍ଯ୍ୟାଳୟ ର ମୁଖ୍ୟ ଫାଟକ ରେ ତାଲା ଝୁଲୁ ଥିଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ମଧ୍ୟ ଦେଖା ନାହିଁ । କିନ୍ତୁ ସରକାରୀ ଦପ୍ତର ରୁ ମୋଟା ଅଙ୍କର ଦରମା ପାଉଥିବା ବାବୁଙ୍କ ଏହା ମନମାନି ନା ବେଖାତିର ମନୋଭାବ ଯାହାକୁ ନେଇ ତାତିଲେଣି ସାଧାରଣ ଲୋକେ | ପୂର୍ବରୁ ଏ ନେଇ ଖବର ପ୍ରସାରଣ କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଟାନ ଅଭାବରୁ ଏମିତି ଘଟୁଥିବା ସାଧାରଣରେ ଆଲୋଚନା ହେଉଛି | ତେବେ ବାରମ୍ବାର ଖବର ପ୍ରସାରଣ ପରେ କଣ ପଦକ୍ଷେପ ନେଉଛନ୍ତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତାହା ଦେଖିବାକୁ ବାକି ରହିଲା ?

ସ୍ଵାଧିନ ଗୋଷ୍ଠୀ ଉପରେ ସମସ୍ତଙ୍କ ନଜର – ବିଜେଡିକୁ ଅନ୍ତଃକନ୍ଦଳ ବାଧକ,ନୂଆ ପ୍ରାର୍ଥୀ ସନ୍ଧାନରେ କଂଗ୍ରେସ;ବିଜେପି ପାଇଁ ପ୍ରାର୍ଥୀ ସଙ୍କଟ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ଭିତରେ କସରତ ଆରମ୍ଭ ହୋଇଗଲାଣି । କେଉଁ ଦଳରୁ କିଏ ପ୍ରାର୍ଥୀହବ, କିଏ ଦଳବଦଳ କରିବ ଓ କାହାର ରଣନିତି କଣହବ ଏବେଠାରୁ ନେତାଙ୍କ ମଧ୍ଯରେ ଅଙ୍କକଷା ମଧ୍ୟ ଆରମ୍ଭ ହୋଇ ଯାଇଥିବା ଦେଖିବାକୁ ମିଳିଛି। ହେଲେ ପୁର୍ବ ସବୁଥର ଠାରୁ ଏଥର ନିର୍ବାଚନ ଯେ ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ସମ୍ପୁର୍ଣ୍ଣ ରୂପେ ଭିନ୍ନ ହେବ ତାହା ଏବେଠାରୁ ଜଳଜଳ ହୋଇ ଦେଖାଗଲାଣି। କାରଣ ବିଜେଡିକୁ ବାଦ୍ ଦେଲେ ସବୁଦଳ ନିର୍ବାଚନ ପାଇଁ ଏକ ପ୍ରକାର ଅପ୍ରସ୍ତୁତ ଭାବେ ରହିଥିବା ବେଳେ ବିଜେଡି ଭିତରେ ଗୋଷ୍ଠୀ ବିବାଦ ଉଗ୍ରରୁପ ନେଇଥିବାରୁ ତାହା ସେମାନଙ୍କ ପାଇଁ କାଳହବ ବୋଲି ରାଜନୈତିକ ମହଲରେ ଏବେଠାରୁ ଚର୍ଚ୍ଚା ଚାଲିଛି। ଏସବୁ ମଧ୍ୟରେ ବିଜେଡିରୁ ଦୁରେଇବା ପରେ ଗତ ୨୦୧୯ ପରଠାରୁ ଚାରିବର୍ଷ ଧରି ଅନ୍ଯ କୌଣସି ଦଳକୁ ନଯାଇ ଏକ ସ୍ବାଧିନ ଗୋଷ୍ଠୀ ଗଠନ କରି ଗୋଟିଏ ପରେ ଗୋଟିଏ ନିର୍ବାଚନରେ ସଫଳତା ଗୋଟେଇଥିବା ଶିବ ଗୌଡ ଗୋଷ୍ଠୀ ଙ୍କ ଉପରେ ସମସ୍ତଙ୍କ ନଜର କେନ୍ଦ୍ରିଭୁତ ହୋଇଛି। ଏହି ଗୋଷ୍ଠୀ ର ଗୁଣପୁର ନିର୍ବାଚନ ମଣ୍ଡଳୀ ର ଗୁଣପୁର ବ୍ଲକ ଓ ଗୁଣପୁର ପୌର ପରିଷଦ ରେ ଅଧିକ ପ୍ରଭାବ ରହିଥିବା ବେଳେ ଅନ୍ଯ ବ୍ଲକ ମାନଙ୍କରେ ମଧ୍ୟ କିଛି ପରିମାଣ ରେ ପ୍ରଭାବ ରହିଛି। ତେଣୁ ସବୁଦଳ ତାଙ୍କୁ ନବାକୁ ଚେଷ୍ଟା ଜାରି ରଖିଥିବା ଦେଖିବାକୁ ମିଳୁଛି। ଅନ୍ଯପକ୍ଷେ ଏହି ଗୋଷ୍ଠୀ ବିଜେଡି ର ଭାସ୍କର ରାଓ ଗୋଷ୍ଠୀସହ ଭଲ ସମ୍ପର୍କ ରେ ରହୁଥିଲେ ମଧ୍ୟ ସୁଧିର ଦାସ ଗୋଷ୍ଠୀ କଡାକଡି ଭାବେ ଗୌଡ ଗୋଷ୍ଠୀ କୁ ବିରୋଧ କରୁଥିବା ଦେଖିବାକୁ ମିଳୁଛି। ତେଣୁ ଗୌଡଙ୍କ ସ୍ବାଧୀନ ଗୋଷ୍ଠୀ ଯେଉଁ ଆଡକୁ ଢଳିବେ ସେହି ପ୍ରାର୍ଥୀ ଙ୍କ ଏହି ନିର୍ବାଚନମଣ୍ଡଳୀ ରେ ପଲାଭାରି ରହିପାରେ। ଏହି ନିର୍ବାଚନମଣ୍ଡଳୀ ରେ କଂଗ୍ରେସ ର ପକେଟ୍ ଭୋଟ ରହି ଆସିଛି। ଗତ ତିନି ଦଶନ୍ଧି ଧରି କଂଗ୍ରେସ ଏହି ନିର୍ବାଚନମଣ୍ଡଳୀ ରେ ୪୦ ପ୍ରତିଶତ ଭୋଟକୁ ନିଜ କବଜା ରେ ରଖି ଆସିଛି। ୨୦୦୦ ମସିହାରେ ମୋଟ ପୁଲିଂ ୮୪୩୫୪ ରୁ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ରାମମୁର୍ତ୍ତି ଗମାଙ୍ଗ ୫୧୧୩୨ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ର ଭାଗିରଥି ଗମାଙ୍ଗ ୨୧୩୪୧ ଭୋଟ ପାଇଥିଲେ। ୨୦୦୪ରେ କଂଗ୍ରେସ ର ହେମାବତୀ ଗମାଙ୍ଗ ୪୧୧୧୧ ଖଣ୍ଡ ଭୋଟପାଇ ବିଜୟୀ ହୋଇଥିବା ବେଳେ ମେଣ୍ଟପ୍ରାର୍ଥୀ ରାମମୁର୍ତ୍ତି ଗମାଙ୍ଗ ୨୧୨୦୩ ଓ ବିଦ୍ରୋହୀ ପ୍ରାର୍ଥୀ ଭାବେ ଅଶ୍ବିନୀ ଗମାଙ୍ଗ ୧୬୭୪୮ ଖଣ୍ଡ ଭୋଟ ପାଇଥିଲେ। ୨୦୦୯ ରେ ବିଜେଡି ର ରାମମୁର୍ତ୍ତି ମୁଟ୍ଟିକା ୪୧୬୮୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ର ଶିଶିର ଗମାଙ୍ଗ ଙ୍କ ସପକ୍ଷରେ ୨୨୯୩୮ ଖଣ୍ଡ ଭୋଟ ପଡିଥିଲା। ୨୦୧୪ରେ ବିଜେଡିର ତ୍ରିନାଥ ଗମାଙ୍ଗ ୫୯୫୨୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ର ପୁରୁଷୋତ୍ତମ ଗମାଙ୍ଗ ୫୨୧୪୧ ଖଣ୍ଡ ଭୋଟ ପାଇଥିଲେ। ୨୦୧୯ ରେ
ମୋଟ ୧୪୩୮୨୮ ପୁଲିଂ ରୁ ବିଜେଡିର ରଘୁନାଥ ଗମାଙ୍ଗ ୪୮୮୩୯ ଖଣ୍ଡ ଭୋଟପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ର ପୁରୁଷୋତ୍ତମ ଗମାଙ୍ଗ ୪୨୫୬୯ ଖଣ୍ଡ ଭୋଟ ପାଇଥିଲେ ଓ ବିଦ୍ରୋହୀ ବିଜେଡି ଗୋଷ୍ଠୀ ର ତ୍ରିନାଥ ଗମାଙ୍ଗ ସ୍ବାଧୀନ ପ୍ରାର୍ଥୀ ହୋଇ ୨୬୩୨୧ ଖଣ୍ଡ ଭୋଟ ପାଇଥିଲେ। ତେଣୁ କଂଗ୍ରେସ ସବୁବେଳେ ଏଠି ଭଲ ପରିସ୍ଥିତି ରେ ଥିଲେ ମଧ୍ୟ ଅଳ୍ପ ବ୍ଯବଧାନରେ ହାରଜିତ୍ ଲାଗି ରହିଥାଏ। ୨୦୧୯ରେ ସ୍ବାଧୀନ ଭାବେ ତ୍ରିନାଥ ଗମାଙ୍ଗ ପାଇଥିବା ଭୋଟରୁ ସିଂହଭାଗ ଶିବ ଗୌଡଙ୍କ ର ବୋଲି କୁହାଯାଉଛି । ତ୍ରିନାଥ ଏବେ ପୁଣି ବିଜେଡିରେ ମିଶିଥିଲେ ମଧ୍ୟ ଶିବ ଗୌଡ ପାଞ୍ଚବର୍ଷ ଧରି ଭିନ୍ନ ଗୋଷ୍ଠୀ କରି ନିଜର ପ୍ରଭାବ ରଖି ଆସିଛନ୍ତି। ପଞ୍ଚାୟତ ନିର୍ବାଚନ ରେ ଗୁଣପୁର ବ୍ଲକ ତାଙ୍କ ସପକ୍ଷରେ ଯାଇଥିବା ବେଳେ ଦୁଇଟି ଜିଲ୍ଲା ପରିଷଦ କ୍ଷେତ୍ରରେ ଗୌଡ ଗୋଷ୍ଠୀ କଂଗ୍ରେସ କୁ ସମର୍ଥନ ଦେଇ ବିଜେଡିକୁ ପରାସ୍ତ କରିବାରେ ସଫଳ ହୋଇଥିଲେ। ପୌର ପରିଷଦ ରେ ମଧ୍ୟ ଏକ ପାଖିଆ ଭାବେ ଏହି ଗୋଷ୍ଠୀ ଅଧ୍ଯକ୍ଷା ଉପାଧ୍ୟକ୍ଷ ସମେତ ୧୯ଟି ଓ୍ବାର୍ଡ ରୁ ୧୨ଟି କାଉନସିଲର ଜିତି ନିଜର ପ୍ରଭାବ ଦେଖେଇଥିଲେ। ବିଭିନ୍ନ ସମବାୟ ନିର୍ବାଚନ ରେ ମଧ୍ୟ ଏହି ଗୋଷ୍ଠୀ ହିଁ ସଫଳତା ପାଇଥିଲା। ଏଣୁ ଏଥର ଏହି ଗୋଷ୍ଠୀ କଂଗ୍ରେସ ସହ ଜଦି ସନ୍ଧି କରିଦିଏ ତାହେଲେ ବିଜେଡି ପାଇଁ ବିପଦ ଆଣିବ ବୋଲି ଷ୍ପଷ୍ଟ ଚିତ୍ର ଏବେଠାରୁ ଦେଖା ଗଲାଣି। କାରଣ ରାମନାଗୁଡା ରେ ଏବେ କଂଗ୍ରେସ ର ବ୍ଲକ ଅଧ୍ଯକ୍ଷ ରହିଥିବା ବେଳେ ଗୁଡାରି, ଚନ୍ଦ୍ରପୁର ଓ ପଦ୍ମପୁର ରେ ମଧ୍ୟ କଂଗ୍ରେସ ର ଅଧିକ ସଂଖ୍ଯାରେ ଭୋଟର ଅଛନ୍ତି। ତେବେ କଂଗ୍ରେସ ର କିଏ ପ୍ରାର୍ଥୀ ହବ ତାକୁନେଇ ଟଣା ଓଟରା ଲାଗି ରହିଛି। ଦଳର ପୁରୁଖା ନେତା ତଥା ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ ଦୌଡରେ ରହିଥିବା ବେଳେ ଯୁବନେତା ସତ୍ଯଜିତ୍ ଗମାଙ୍ଗ ଓ ଅବିନାଶ ଗମାଙ୍ଗ ନୂଆକରି ବାହାରି ଏଇ ଦୌଡରେ ଅଛନ୍ତି। ବିଜେଡିର ରଘୁନାଥ ଗମାଙ୍ଗ ଗତ ପାଞ୍ଚ ବର୍ଷରେ ଲୋକ ପ୍ରିୟତା ଓ ଜନ ସମ୍ପର୍କ ବିଶେଷ ବଢେଇପାରି ନଥିଲେ ମଧ୍ୟ ଦୁର୍ନୀତିର ଛିଟା ତାଙ୍କ ଦେହରେ ଲାଗିନି। ହେଲେ ଡାକ୍ତରଖାନା ମାନଙ୍କରେ ଡାକ୍ତର ଅଭାବ, ବଡନାଳ ଜଳସେଚନ ପ୍ରକଳ୍ପ ପ୍ରତି ଅବହେଳା ଓ ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ନହେବା, ଗୁଣପୁର ଜିଲ୍ଲା ମାନ୍ଯତା ଦାବିକୁ ଅଣଦେଖା କରିବା ଇତ୍ଯାଦି ସମେତ କେତେକ ଆଞ୍ଚଳିକ ପ୍ରସଙ୍ଗରେ ବିଧାୟକ ଙ୍କ ପ୍ରତି ଜନ ଅସନ୍ତୋଷ ରହିଥିବା ପରିଲକ୍ଷିତ ହୁଏ। ଏଥର କିନ୍ତୁ ବିଜେଡିର ରଘୁନାଥ ଗମାଙ୍ଗ ଙ୍କ ସହ ତ୍ରିନାଥ ଗମାଙ୍ଗ ଓ ଅଶ୍ବିନୀ ଗମାଙ୍ଗଙ୍କ କେତେକ ନୂଆ ପାର୍ଥୀ ମଧ୍ୟ ବିଜେଡି ଟିକଟ୍ ଦୌଡରେ ଅଛନ୍ତି। କାଳେ ମହିଳାଙ୍କ ଭାଗରେ ଏହି ଆସନ୍ନ ପଡିପାରେ ବୋଲି ଭାବି ଏବେଠାରୁ ବିଜେଡି ନେତାମାନେ ମହିଳା ପ୍ରାର୍ଥୀ ଖୋଜିବା କାମରେ ମଧ୍ୟ ଲାଗିଥିବା ଦେଖାଯାଇଛି। ଏହି ନିର୍ବାଚନମଣ୍ଡଳୀ ରେ ବିଜେପି ଅବସ୍ଥା କିନ୍ତୁ ଶୋଚନୀୟ ହୋଇପଡ଼ିଛି। ନା ଏବେସୁଦ୍ଧା ଦଳର କିଏ ପ୍ରାର୍ଥୀ ଅଛି ନା କୌଣସି ନେତା ତୃଣମୂଳସ୍ତରରେ ଅଛନ୍ତି। ଖାଲି ଗୋଟିଏ ସାଇନ୍ ବୋର୍ଡ ପାର୍ଟି ଭଳି ରହିଛି। ୨୦୦୦ ମସିହା ଠାରୁ କ୍ରମାଗତ ଭାବେ ଦଳର ଭୋଟ ପ୍ରତିଶତ ଖସିଆସି ଏବେ ପ୍ରାର୍ଥୀ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି। ୨୦୦୦ ମସିହାରେ ମେଣ୍ଟ ପ୍ରାର୍ଥୀ ଭାବେ ବିଜେପି ପ୍ରାର୍ଥୀ ଏଠାରେ ୫୧୧୩୨ ପାଇଥିବା ବେଳେ ୨୦୦୪ ରେ ୨୧୨୦୩, ୨୦୦୯ରେ ୧୨୪୪୧, ୨୦୧୪ରେ ୧୫୫୯୬, ୨୦୧୯ରେ ୧୬୪୯୧ ଖଣ୍ଡ ଭୋଟ ପାଇ ତଳମୁହାଁ ହୋଇପଡିଛି । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଅନେକ ସ୍ଥାନରେ ପ୍ରାର୍ଥୀ ଦେଇପାରି ନଥିବା ବେଳେ ଫଳାଫଳ ମଧ୍ୟ ଶୂନ ହୋଇଥିଲା। କୌଠି ବି ଖାତ ଖୋଲିପାରି ନଥିଲା। ବିଜେପିରେ ଡଃ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ ମିଶିବା ପରେ ବହୁ ପୁରୁଖା ନେତା ଦଳରୁ ଦୁରେଇ ଯାଇଥିଲେ। ଏବେ କିନ୍ତୁ ଗମାଙ୍ଗ ଙ୍କ ଗୋଷ୍ଠୀ ଆଉ ବିଜେପିରେ ନାହାନ୍ତି । ତେଣୁ ବିଜେପିର ଏଠି ଏକ ପ୍ରକାର ଭାଡି ଖାଲି ହୋଇଯାଇଛି। ହେଲେ ଗମାଙ୍ଗ ଙ୍କ ପରିବାର ମଧ୍ଯ କଂଗ୍ରେସ ଆଡକୂ ମୁହାଁଉଥିବାର ଖବର ଆସୁଛି । ତେବେ ଏହି ନିର୍ବାଚନମଣ୍ଡଳୀ ରେ ଗମାଙ୍ଗ ଙ୍କ ବିଶେଷ ପ୍ରଭାବ ନଥିବା କାରଣରୁ ସ୍ଥାନୀୟ କଂଗ୍ରେସିଆ ମାନେ ସେତେଟା ଗୁରୁତ୍ବ ଦେଉନଥିବା ଦେଖିବାକୁ ମିଳୁଛି।

ମନ୍ଥର ଗତିରେ ଚାଲିଛି ବାଇପାସ ନବିକରଣ କାର୍ଯ୍ୟ ,ସରୁନି ପୁର୍ତ୍ତ ବିଭାଗ ଜମି ଚିହ୍ନଟ ପ୍ରକ୍ରିୟା;ହୋଇ ପାରୁନି ଗଛକଟା,ବିଦ୍ଯୁତ ଖୁଣ୍ଟ ଓ ପାଣି ପାଇପ୍ ସ୍ଥାନାନ୍ତର…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ଆନୁସଙ୍ଗିକ କାର୍ଯ୍ୟ ସରୁନଥିବାରୁ ଆଗେଇ ପାରୁନି ଗୁଣପୁର ବାଇପାସ୍ ରାସ୍ତାର ନବି କରଣ କାର୍ଯ୍ୟ। ୯ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ଯୋଜନା ରହିଥିବା ବେଳେ ଚୁକ୍ତି ସ୍ବାକ୍ଷର ର ଦୁଇମାସ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଆଶାନୁରୁପକ ଭାବେ ଆଗେଇ ପାରୁନି। ଏଯାଏଁ ପୁର୍ତ୍ତ ବିଭାଗର ଜମି ଚିହ୍ନଟ ପ୍ରକ୍ରିୟା ସମ୍ପୁର୍ଣ୍ଣ ହୋଇନଥିବା ବେଳେ ଯେତିକି ବି ହୋଇଛି ସେଥିରେ ବ୍ଯାପକ ତୃଟି ରହିଥିବା ଅଭିଯୋଗ ଆସିଛି। ଅପରପକ୍ଷେ ରାସ୍ତା ଦୁଇ କଡର ଗଛକଟା ସହ ବିଦ୍ଯୁତ ଖୁଣ୍ଟ ଓ ପାଣି ପାଇପ୍ ସ୍ଥାନାନ୍ତର କାର୍ଯ୍ଯ ମଧ୍ୟ ଏଯାଏଁ ଆରମ୍ଭ ହୋଇନି। ଯାହା ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ପାରୁନି। ବାଇପାସ୍ ଛକଠାରୁ ପୁରୁଣା ଗୁଣପୁର ଦେଇ ବିକ୍ରମଛକ ଯାଏଁ ୩.୮ କିମି ରାସ୍ତା ରେ ବର୍ଦ୍ଧିତ ଟ୍ରାଫିକକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ଚାରି ଥାକିଆ ପାଇଁ ୧୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ଟେଣ୍ଡର ଆହ୍ବାନ ହୋଇଥିଲା। ଆନ୍ଧ୍ରର ବିଆରସି କମ୍ପାନି ଏହି କାର୍ଯ୍ୟ ପାଇବା ପରେ ଗତ ଦୁଇମାସ ତଳେ ପୁର୍ତ୍ତ ବିଭାଗ ସହ ୧୧ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର ମଧ୍ୟ ହୋଇ ସାରିଲାଣି । କାର୍ଯ୍ୟ ଆରମ୍ଭ କରିବା ପାଇଁ କେତେକ ସ୍ଥାନରେ ମାଟିକାମ ଓ ଡ୍ରେନ୍ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥିଲେ ମଧ୍ୟ ବିଶେଷ ଆଗକୁ ଯାଇପାରୁନି ଏହି ନିର୍ମାଣ କାର୍ଯ୍ୟ।

ଏହି ରାସ୍ତାର ବିକ୍ରମପୁର ଛକରୁ ପୁରୁଣା ଗୁଣପୁର ଯାଏଁ ପୁର୍ତ୍ତ ଜମି ଚିହ୍ନଟ ପ୍ରକ୍ରିୟା ସରିଥିଲେ ମଧ୍ୟ ପୁରୁଣା ଗୁଣପୁର ଛକରୁ ବାଇପାସ ଯାଏଁ ସରିନି। ଯାହାବି ସରିଛି ସେଥିରେ ଅନେକ ତୃଟି ରହିଥିବା ଅଭିଯୋଗ ହୋଇଛି। ପୁର୍ତ୍ତ ବିଭାଗର ନିଜଶ୍ବ ନଥିପତ୍ର ଆବଶ୍ଯକୀୟ ଅନୁସାରେ ନଥିବା ବେଳେ ରାଜଶ୍ବ ଓ ପୌର ବିଭାଗ ଦ୍ବାରା ଚିହ୍ନଟ ପ୍ରକ୍ରିୟା ହୋଇ ଥିବାରୁ କେଉଁଠି ଓସାରିଆ ତ ଆଉ କେଉଁଠି ଅଣ ଓସାରିଆ କରି ଚିହ୍ନଟ ହୋଇଛି। ଏମିତିକି ଜଭରଦଖଲ ଉଛେଦ କ୍ଷେତ୍ରରେ ମଧ୍ୟ କେତେକଙ୍କୁ ଅଣଦେଖା କରିବା ଉଦେଶ୍ୟରେ ଚିହ୍ନଟ ରେ ଜାଣିସୁଣି ତୃଟି କରା ଯାଇଥିବା ଅଭିଯୋଗ ହୋଇଛି। ସେହିପରି ରାସ୍ତାର ଦୁଇ ପାର୍ଶ୍ବରେ ମାଟି ଭରି କରିବା ପାଇଁ ଦୁଇମାସ ହେଲା ତହସିଲରେ ସଂପୃକ୍ତ ଠିକା କମ୍ପାନି ଦ୍ବାରା ଆବେଦନ କରାଯାଇଥିଲେ ମଧ୍ୟ ଅନୁମତି ମିଳିନଥିବା ଠିକା କମ୍ପାନି କର୍ତ୍ତୁପକ୍ଷ କହିଛନ୍ତି। ଗଛକଟା ପାଇଁ ରାଜଶ୍ବ ବାବଦରେ ୯ ଲକ୍ଷ ଟଙ୍କା ଜଙ୍ଗଲ ନିଗମ କୁ ପୁର୍ତ୍ତ ବିଭାଗ ପୈଠ କରିଥିବା ବେଳେ ଗଛକଟା ର ବ୍ଯୟ ଅଟକଳ ଏଯାଏଁ ଚୁଡାନ୍ତ ହୋଇନଥିବା ଜଣାପଡିଛି। ସେହିପରି ବିଦ୍ଯୁତ ଖୁଣ୍ଟ ଟାଟା କମ୍ପାନୀ ଦ୍ବାରା ସ୍ଥାନାନ୍ତର କରାଗଲେ ଅଧିକ ବ୍ଯୟ ହବାକୁ ଥିବାରୁ ୬% ଅର୍ଥ ଟାଟା କମ୍ପାନୀ କୁ ପୈଠ କରି ପୁର୍ତ୍ତ ବିଭାଗ ନିଜେ ଏହି ଖୁଣ୍ଟ ଗୁଡିକୁ ସ୍ଥାନାନ୍ତର ପାଇଁ ଯୋଜନା ରଖିଛି। ଯାହାକି ଏଯାଏଁ ଆରମ୍ଭ ହୋଇନି । ପାଣି ପାଇପ୍ ଗୁଡାକ ସ୍ଥାନାନ୍ତର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନି। ଏସବୁ ସରିବା ପରେ ଯାଇ ଏହି ୩.୮ କିମି ରାସ୍ତାରେ ଦୁଇପଟେ ୪ଫୁଟର ନାଳ ସହ ୧୫ ମିଟର ଓସାର ରାସ୍ତା, ଏକ ହଜାର ମିଟର ଓ୍ବାଲ, ମଝିରେ ଗୋଟିଏ ମିଟରର ଡିଭାଇଡର ଇତ୍ଯାଦି ନିର୍ମାଣ ହବ । ଏଣୁ ଏହି କାର୍ଯ୍ୟ ଆଉ ୭ ମାସ ମଧ୍ୟରେ ସରିବା ନେଇ ଅନିଶ୍ଚିତତା ଦେଖା ଦେଇଛି। ବିଶେଷ କରି ବିଭାଗ ମାନଙ୍କ ମଧ୍ୟରେ ସମନ୍ବୟ ଅଭାବ କାରଣରୁ ଏସବୁ ସମସ୍ଯା ହୋଇଛି। ଏହାବାଦ୍ ପୁରୁଣା ଗୁଣପୁର ଓ ବଳରାମ ନଗର ବାଇପାସ ଛକର ମଧ୍ୟ ନବିକରଣ ପାଇଁ ୩କୋଟି ଟଙ୍କାର ଟେଣ୍ଡର ସରି କାର୍ଯ୍ଯାଦେଶ ଦିଆ ସରିଥିବା ବେଳେ ମତିଲାଲନଗର ଓ ପୁରୁଣାଗୁଣପୁର ଛକ ମଝିରେ ହଳଦିଆ ନାଳ ଉପରେ ଆଉଏକ ନୂଆ ସେତୁ ନିର୍ମାଣ ପାଇଁ ୪କୋଟି ଟଙ୍କାର ଟେଣ୍ଡର ସରିଛି। ଚାରି ଥାକିଆ ରାସ୍ତା ସହ ସମାନ୍ତରାଳ ଭାବେ ଏସବୁ କାର୍ଯ୍ଯ ମଧ୍ୟ ଚାଲିବ। ଏଣୁ ଏହି ରାସ୍ତାର ଆନୁସଙ୍ଗିକ କାର୍ଯ୍ୟ ସରିବା ରେ ବିଳମ୍ବ ହେଉଥିବାରୁ ଅନ୍ଯ ସବୁ କାମ ମଧ୍ୟ ବିଳମ୍ବ ହେଉଛି। ଏଣୁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ବିଭିନ୍ନ ବିଭାଗ ମଧ୍ୟରୁ କିଭଳି ସମନ୍ଵୟ ରହିବ ଓ ନିର୍ମାଣ କାର୍ଯ୍ଯ କିଭଳି ଶିଘ୍ର ହବ ସେ ଦିଗରେ ପଦକ୍ଷେପ ନବା ଜରୁରୀ ହୋଇ ପଡିଛି। ଏ ସମ୍ପର୍କରେ ପୁର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଜନ୍ତ୍ରୀ ରବି କୁମାର ସର୍ମା ଙ୍କୁ ପଚାରିବାରୁ ସେ କହିଛନ୍ତି ଗଛକଟା ପାଇଁ ନଥିପତ୍ର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁଣ୍ଟ ସ୍ଥାନାନ୍ତର କାର୍ଯ୍ୟ ମଧ୍ୟ ଅତିଶିଘ୍ର ଆରମ୍ଭ ହବ। ପାଣି ପାଇପ୍ କମ୍ ସ୍ଥାନରେ ଥିଲେମଧ୍ଯ ସେମାନଙ୍କ ଠାରୁ ଆବଶ୍ୟକିୟ ସହଯୋଗ ମିଳୁନି। ତଥାପି ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିବ।

ଅଯୋଧ୍ୟା ରେ ପ୍ରଭୂ ରାମ ଙ୍କ ପ୍ରତିଷ୍ଠା କୁ ନେଇ ଗୁଣୁପୁର ଚଳଚଞ୍ଚଳ ଅକ୍ଷତ କଳସ କୁ ନେଇ ଆଲୋଚନା…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ରାୟଗଡା ଜିଲ୍ଲା ର ସଦର ଗୁଣୁପୁର ରେ ଅଯୋଧ୍ୟା ରେ ପ୍ରଭୂ ଶ୍ରୀରାମ ଙ୍କ ଭଵ୍ୟ ମନ୍ଦିର ର ପ୍ରତିଷ୍ଠା କୁ ନେଇ ଏକ ବୈଠକ ଶ୍ରୀରାମ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ବରିଷ୍ଠ ସଂଯୋଜକ ସାରଙ୍ଗ ନାଗବଂଶ ଗୋପାଳ ଦେବ ପାତ୍ର ଭାରତୀୟ ଜନତା ପାର୍ଟ ରୁ ପ୍ରମୋଦ କୁମାର ସାହୁ ୱାଇ ଗଣପତି ଶ୍ରୀନିବାସ ସ୍ୱାଇଁ ଗୁଣୁପୁର ପୌର ପରିଷଦ ଉପାଧକ୍ଷ ଶିବ ଗୌଡ଼ ଅକ୍ଷୟ ଦାସ ପ୍ରମୁଖ । ଯୋଗ ଦେଇ ଅଯୋଧ୍ୟା ରୁ ଆସିଥିବା ଅକ୍ଷତ କଳସ କିପରି ସହର ର ସମସ୍ତ ଘରେ ପହଁଚି ପାରିବ, ଚଳିତ 24 ତାରିଖ ରେ ଗୁଣୁପୁର ଶ୍ରୀରାମ ମନ୍ଦିର ରେ ହୋମ ଯଜ୍ଞ ସହ ପ୍ରସାଦ ସେବନ ଏବଂ ଆସନ୍ତା 22 ଜାନୁଆରୀ ରେ ଅଯୋଧ୍ୟା ରେ ପ୍ରଭୂ ଶ୍ରୀରାମ ଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି ସହର ଭଵ୍ୟ ରାମମୟ କରିବା ସହ ସେହି ଦିନ ସହର ରେ ମାଂସ ମାଛ ବିକ୍ରି ନ କରିବା ପାଇଁ ଉପଜିଲ୍ଲାପାଳ ଏବଂ ପୌର ପରିଷଦ ର କାର୍ଯ୍ୟନିର୍ବାହ ଅଧିକାରୀ ଜଣାଇବା ଇତ୍ୟାଦି ଉପରେ ଆଲୋଚନା କରାଯାଇ ଥିଲା । ବୈଠକ ରେ ୱାର୍ଡ ର ସମସ୍ତ ପୌର ପ୍ରତିନିଧି ଏବଂ ବ୍ଲକ ର ସମସ୍ତ ବ୍ଲକ ପ୍ରତିନିଧି ଙ୍କୁ ସାମିଲ କରିବା ପାଇଁ ଆଲୋଚନା କରାଯାଉଥିଲା । ବୈଠକ ରେ ପରିଚାଳନା ଉମା ଦାସ ଏବଂ ଅମର ସାହୁ କରିଥିଲେ ।

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ କ୍ରୀଡା ଉତ୍ସବ ପାଳିତ …!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ କ୍ରୀଡା ଉତ୍ସବର ଶୁଭାରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ସମ୍ମାନୀତ ଅତିଥି ରୂପେ ପାରଳାଖେମୁଣ୍ଡି ୧୫ ନଂ ଓ୍ବାର୍ଡ କାଉନସିଲର ଶ୍ରୀଯୁକ୍ତ ସୁରଜିତ ତ୍ରିପାଠୀ ଯୋଗ ଦେଇଥିଲେ। ଆୟୋଜିତ ଉତ୍ସବରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଅଧ୍ୟକ୍ଷତା କରିବା ସହ ତାଙ୍କ ବକ୍ତବ୍ୟରେ ଛାତ୍ରୀମାନଙ୍କ ପାଇଁ ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ନିର୍ମଳା ସେଠୀ କ୍ରୀଡାର ଉପକାରିତା ଉପରେ ନିଜ ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ସୁରଜିତ ତ୍ରିପାଠୀ ଛାତ୍ରଛାତ୍ରୀଙ୍କ କଲ୍ୟାଣ ନିମିତ୍ତ ସରକାରୀ କାର୍ଯ୍ୟକ୍ରମ ଆଦିର ଗୁରୁତ୍ବ ଦର୍ଶାଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ କ୍ରୀଡା ବିଭାଗର ମୁଖ୍ୟ ଡଃ ମହେନ୍ଦ୍ର ରଇତ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ଦିନର କାର୍ଯ୍ୟକ୍ରମରେ ୨୫୦ ଜଣରୁ ଉର୍ଦ୍ଧ୍ୱ ଦୌଡ଼ , ପୁଟିଙ୍ଗ ସଟ୍ , ଡିସକସ୍ ଥ୍ରୋ , ଲଙ୍ଗ ଜମ୍ପ୍ , ହାଇ ଜମ୍ପ୍ ଆଦି ଖେଳର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ବିଭାଗ ଅଧ୍ୟାପକ ଡଃ ବାଗ୍ମୀ ରଂଜନ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି କ୍ରୀଡା ପ୍ରତିଯୋଗିତାର ଦ୍ୱିତୀୟ ଦିବସର କ୍ରୀଡା ପ୍ରଶିକ୍ଷିକା ଶ୍ରୀମତି ବିଜୟ ଲକ୍ଷ୍ମୀ ପଣ୍ଡା , କ୍ରୀଡା ବିଭାଗର ମୁଖ୍ୟ ଡଃ ମହେନ୍ଦ୍ର ରଇତ , ଡଃ ବାଗ୍ମୀ ରଂଜନ , ତ୍ରିଲୋଚନ ବାରିକ , ବି.ରଜନୀ , ସଂଯୁକ୍ତା ପାତ୍ର , ନୋଡାଲ୍ ଅଫିସର ଶ୍ରୀମତି ସୋଫିଆ ମଣ୍ଡଳ ଆଦିଙ୍କ ତତ୍ତ୍ଵାବଧାନରେ ୩୦୦ ଜଣରୁ ଉର୍ଦ୍ଧ୍ୱ ଛାତ୍ରୀ ମାନେ ୨୦୦ମି.ଦୌଡ଼ , ରିଲେ ରେସ୍ , କବାଡ଼ି , ଖୋ-ଖୋ ଆଦି ପ୍ରତିଯୋଗିତାରେ ରେ ଅଂଶ ଗ୍ରହଣ କରିଥିଲେ।

ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମୀନକେତନ ସ୍ନାତକ ମହାବିଦ୍ୟାଳୟ , ଗୁରାଣ୍ଡି ରେ ଆଜି ଉଦ୍ ଘାଟନ ହେଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ , ଗୁରୁ ଶ୍ରୀ ରଘୁନାଥ ପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଯୁବପିଢ଼ି ମାନକୁ କଳା , ସଂସ୍କୃତିର ମୁଖ୍ୟ ଆଭିମୁଖ୍ୟ ବିଷୟ ରେ ନିଜର ମତ ପ୍ରକାଶ କରିଥିଲେ ଏବଂ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ କଳା ସଂସ୍କୃତି କ୍ଷେତ୍ରରେ ବିପୁଳ ପରିମାଣରେ ଅଂଶ ଗ୍ରହଣ କରି ନିଜର ପାରଦର୍ଶିତା କୁ ପ୍ରଦର୍ଶନ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ବୋଲି ନିଜର ଅଭିଭାଷଣ ରେ ମତ ରଖିଥିଲେ। ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଜି.ନାଗେଶ୍ୱର ରାଓ ଛାତ୍ର , ଛାତ୍ରୀ ମାନଙ୍କୁ କଳା , ସଂସ୍କୃତି , କ୍ରୀଡା ପ୍ରତି ଥିବା ଗୁରୁତ୍ୱ ବର୍ଣ୍ଣନା କରିଥିଲେ ଯାହା ଦ୍ୱାରା ଶରୀର ସୁସ୍ଥ ରହିବ କଥା ବି ଛାତ୍ର ଛାତ୍ରୀ ମାନଙ୍କୁ କହି ନିଜର ଅଭିଭାଷଣ ରଖିଥିଲେ। ନୋଡାଲ ଅଫିସର ତଥା ରାଜନୀତି ବିଜ୍ଞାନ ର ଅଧ୍ୟାପକ ପ୍ରତ୍ୟେକ ମାନବ କଳା ସଂସ୍କୃତିର ଅଂଶବିଶେଷ। ପ୍ରତ୍ୟେକର ପ୍ରତିଭା ରହିଛି ଲୁକାୟିତ ଅବସ୍ଥାରେ ସେହି ପ୍ରତିଭା କୁ ପ୍ରଦର୍ଶନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ପ୍ରତିଧ୍ୱନ୍ଦିତା ସୁବର୍ଣ୍ଣ ସୁଯୋଗ। ସୁନିତା ବେହେରା ଇତିହାସ ବିଭାଗ ର ଅଧ୍ୟାପିକା ଅତିଥି ପରିଚୟ ଦେଇଥିବା ବେଳେ , ଇଂରାଜୀ ବିଭାଗ ର ଅଧ୍ୟାପିକା ମିନାକ୍ଷୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅର୍ଥନୀତି ବିଭାଗ ର ଅଧ୍ୟାପକ ଲମ୍ଭୋଦର ରାଉତ ଉକ୍ତ କାର୍ଯ୍ୟକ୍ରମ ରେ ବିପୁଳ ପରିମାଣ ରେ ଯୋଗଦେବାପାଇଁ ଛାତ୍ର ଛାତ୍ରୀ ଙ୍କୁ ଅନୁରୋଧ କରିଥିଲେ। ତେଲୁଗୁ ଅଧ୍ୟାପକ ଭାନୁଶ୍ରୀ ଉକ୍ତ କାର୍ଯ୍ୟକ୍ରମ ପ୍ରତି ଛାତ୍ର ଛାତ୍ରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହାବିଦ୍ୟାଳୟ ର ଅନନ୍ୟ ସମସ୍ତେ ଅଧ୍ୟାପକ , ଅଧ୍ୟାପିକା , ସମସ୍ତ କର୍ମଚାରୀ , ବିପୁଳ ଛାତ୍ର , ଛାତ୍ରୀ ଯୋଗଦେଇଥିଲେ। ବହୁତ ଛାତ୍ର ଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ପାଇଁ କାର୍ମଶାଳା…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୂଲ୍ୟରେ ବୁଧବାର ଜିଲ୍ଲା ପରିଷଦ ସମ୍ମିଳନୀ ସଭା ଗୃହରେ ଗ୍ରାମ୍ୟସ୍ତରୀୟ ବିର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନେଇ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ମାଝୀ , ଡିଆଇବି ଶ୍ରୀ ଶ୍ରୀନିବାସ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ବିପର୍ଯ୍ୟୟ କାର୍ଯ୍ୟକ୍ରମ ଅଧିକାରୀ (ଓଏସଡିଏମଏ)ଶ୍ରୀ ପ୍ରଦୋଷ କୁମାର ଶତପଥୀ କର୍ମଶାଳା ପରିଚାଳନା କରିଥିଲେ।
ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି କର୍ମଶାଳାରେ ବିର୍ଯ୍ୟୟର ମୂଲ୍ୟାଙ୍କନ , ପରିସ୍ଥିତି ବିଶ୍ଲେଷଣ , ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ , ସ୍ଥାନାନ୍ତର ପ୍ରକ୍ରିୟା ଏବଂ ସମ୍ପ୍ରଦାୟର ଯୋଗଦାନ କୌଶଳ ଉପରେ ଆଲୋଚନା କରାଯାଇଥିଲା । ବିପର୍ଯ୍ୟୟ ପରିସ୍ଥିତିରେ ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ଦଳ ଯଥା ପ୍ରାରମ୍ଭିକ ଚେତାବନୀ ଏବଂ ପ୍ରସାରଣ ଦଳ , ନିରାପତ୍ତା , ସନ୍ଧାନ ଏବଂ ଉଦ୍ଧାରକାରୀ ଦଳ , ଡାକ୍ତରୀ ଏବଂ ପ୍ରଥମ ସହାୟତା ଦଳ , ଆଶ୍ରୟସ୍ଥଳ ପରିଚାଳନା ଦଳ , ଜଳ ଏବଂ ପରିମଳ ଦଳ , ରିଲିଫ ଏବଂ ସମନ୍ବୟ ଦଳ , ଶବ ନିଷ୍କାସନ ଦଳ , ଟ୍ରମା କାଉନସେଲିଂ ଦଳ , କ୍ଷତି ଏବଂ କ୍ଷତି ଆକଳନ ଦଳର କାର୍ଯ୍ୟକାରିତା ଉପରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅଂଶଗ୍ରହଣକାରୀମାନଙ୍କୁ ନିଜ ନିଜ ଗ୍ରାମ ଅନୁଯାୟୀ ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହି ବୈଠକରେ ବିଭିନ୍ନ ବ୍ଲକର ଅଧ୍ୟକ୍ଷ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସ୍ୱେଚ୍ଛାସେବା ସଙ୍ଗଠନର ପ୍ରତିନିଧି ଓ ବିଭାଗୀୟ ପଦାଧୀକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ମାଝୀ ଧନ୍ୟବାଦ ଦେଇଥିଲେ।

ଗଜପତି ଉତ୍ସବ -୨୦୨୩ ସାଂସ୍କୃତିକ କମିଟି ର ଚୁଡାନ୍ତ ବୈଠକ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ତା ୧୯.୧୨.୨୦୨୩ ରିଖ ରେ ଅନୁଷ୍ଠିତ ହେବାକୁ ଥିବା ଗଜପତି ଉତ୍ସବ ୨୦୨୩ ସାଂସ୍କୃତିକ କମିଟି ର ଚୁଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ୫ ଦିନ ଧରି ହେବାକୁ ଥିବା ଗଜପତି ଉତ୍ସବରେ ପ୍ରଥମ ଦିନରୁ ଶେଷ ଦିନ ଧରି ହେବାକୁ ଥିବା ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଯାଇଛି। ପ୍ରଥମ ଦିନରୁ ଶେଷ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଅନୁଷ୍ଠାନ ଠାରୁ ଆରମ୍ଭ କରି ବ୍ଲକ ତଥା ଓଡ଼ିଶା ରୁ ୧୦ ଜିଲ୍ଲା ଏବଂ ରାଜ୍ୟ ର ବାହାରୁ ଆସୁଥିବା ସାଂସ୍କୃତିକ ଅନୁଷ୍ଠାନ ଯଥା ପଶ୍ଚିମବଙ୍ଗ ର ଛଉ ନୃତ୍ୟ , ଆସାମ ର ବିହୁ , ଉତ୍ତର ପ୍ରଦେଶ ର ଲୋକ ନୃତ୍ୟ , ମହାରାଷ୍ଟ୍ର ଓ ରଜ୍ୟସ୍ଥାନ ର ଲୋକନୃତ୍ୟ ଚଳିତ ଗଜପତି ଉତ୍ସବରେ ଯେମିତି ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହେବ ଏହାର ଚୁଡାନ୍ତ ନିଷ୍ପତ୍ତି ନିଆଯାଇଛି। ଗୁରୁ ରଘୁନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ କମିଟିର ସମସ୍ତ ସଦସ୍ୟ ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଅରୁଣ ତ୍ରିପାଠୀ , ନୃସିଂହ ଚରଣ ପଟ୍ଟନାୟକ , ଆଦର୍ଶ ଦାସ , ହରିହର ପଟ୍ଟନାୟକ , ମୋନଜ ପାଢ଼ୀ , ଶୁଭ୍ରାଂଶୁ ପଟ୍ଟନାୟକ , ଗଣେଶ ରାଜୁ , କୃଷ୍ଣ ବେହେରା ଇତ୍ୟାଦି ଉପସ୍ଥିତ ଥିଲେ।