ରାୟଗଡ଼ା ଜିଲ୍ଲାରେ ଆସନ୍ତା ୨୫ ରୁ ଗଡିବ ଲକ୍ଷ୍ମୀ ବସ୍…!

!!! ରାୟଗଡ ଜିଲ୍ଲା ବିଷମକଟକ ରୁ ମାନସ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ଼ା)- ରାୟଗଡ଼ା ଜିଲ୍ଲାରେ ଆସନ୍ତା ୨୫ ରୁ ଗଡିବ ଲକ୍ଷ୍ମୀ ବସ୍। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ଯାୟ ରେ ପହଞ୍ଚିଛି। ଜିଲ୍ଲାର ୧୧ଟି ବ୍ଲକ୍ ରେ ଆସନ୍ତା ୨୫ ତାରିଖରେ ଲକ୍ଷ୍ମୀ ବସ୍ ଗଡିବା ନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ବଧା ଦେବୀ ସିଂ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୧୧ ଟି ବ୍ଲକ୍ ରେ ମୋଟ ୨୯୮ ବସ୍ ରହଣୀ ସ୍ଥଳ ରହିଥିବା ବେଳେ ଆସନ୍ତା ୨୫ରେ ମୁଖ୍ଯମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ ହେବ ଲକ୍ଷ୍ମୀ ବସ୍। ଏବଂ ସମସ୍ତ ରହଣୀ ସ୍ଥଳରେ ବସ୍ ଅଟକିବା ସହ ଜନସାଧାରଣଙ୍କ ଯାତାୟାତ ରେ ସମ୍ପୂର୍ଣ୍ଣ ସହଯୋଗ କରାଯିବ। ପଞ୍ଚାୟତ ସ୍ତରକୁ ଆସୁଥିବା ଯାତ୍ରୀ ଏବଂ କଲେଜରେ ପଢୁଥିବା ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ। ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭକୁ ଜନସାଧାରଣ ଓ ଛାତ୍ରଛାତ୍ରୀ ମାନେ ଖାସ୍ କରି ଅପେକ୍ଷା କରି ରହିଛନ୍ତି।

୨୦ ବର୍ଷ ପରେ ପୁଣି ଥରେ ବିଶ୍ବକପ୍‌ ଫାଇନାଲ୍‌ରେ ଦୁଇ ମହାଶକ୍ତି ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ‌…!

!!!  ରାୟଗଡ଼ା ଜିଲ୍ଲା ବିଷମକଟକ ରୁ ମାନସ ମହାନ୍ତି ଙ୍କ ରିପୋର୍ଟ୍  !!! 

ଏଥର ସମ୍ଭାଳ(ବିଷମକଟକ) – ୨୦ ବର୍ଷ ପରେ ପୁଣି ଥରେ ବିଶ୍ବକପ୍‌ ଫାଇନାଲ୍‌ରେ ଦୁଇ ମହାଶକ୍ତି ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ‌ହେଇଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅପରାହ୍ଣ ୨ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେଇଛି। ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ଅପରାଜେୟ ଥିବା ଭାରତ ସବୁଠୁ ଅଧିକ ପସନ୍ଦର ଦଳ ହୋଇଥିଲା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଦୁଇ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଆଉ ପଛକୁ ଚାହି ନାହିଁ। କିନ୍ତୁ ଭାରତ ଏବେ ଯେଉଁ ଲୟ ଦେଇ ଗତି କରୁଛି, ଏହି ଦଳକୁ ରୋକିବା ଅଷ୍ଟ୍ରେଲିଆ ପାଇଁ ସହଜ ହେବ ନାହିଁ। ଗତ ୧୨ ବର୍ଷ ମଧ୍ୟରେ ଭାରତ ଏକାଧିକ ଥର ‌ଆଇସିସି ଇଭେଣ୍ଟ୍‌ର ସେମିଫାଇନାଲ୍ କିମ୍ବା ଫାଇନାଲ୍ ପର୍ଯ୍ୟନ୍ତ ଆସିଥିଲେ ବି ଟ୍ରଫି ଧରିବାରେ ବିଫଳ ହୋଇଛି। ଏବେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା ନ କରିବାକୁ ଦଳ ପୂରା ଶକ୍ତି ଲଗାଇ ଦେଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆକୁ ‌ଦୁର୍ବଳ ଭାବିବା ମଧ୍ୟ ବୋକାମି ହୋଇପାରେ। ଏହି ଦଳ ୭ଥର ବିଶ୍ବକପ୍‌ ଫାଇନାଲ୍‌କୁ ଆସିଥିଲା ବେଳେ ୫ଥର ବିଜେତା ହୋଇଛି। ତେଣୁ ଦ୍ବିତୀୟ ସ୍ଥାନରେ ରହିବା ଏହି ଦଳକୁ ଅଧିକ ପସନ୍ଦ ନୁହେଁ। ଏହାକୁ ଦେଖିଲେ ଆଜି ହେଉଛି ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉ ଥିବା ଏହି ମହାମୁକାବିଲା ଦୁର୍ଗୀ ର ଯୁବ ଗୋଷ୍ଠୀ ପାଇଁ ଅନେକ ରୋମାଞ୍ଚ ଆଣିଦେଇଛି। ସମ୍ପୂର୍ଣ୍ଣ ମ୍ୟାଚ୍ କୁ ଉପଭୋଗ କରିବା ପାଇଁ ଦୁର୍ଗୀ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପ୍ରଜେକ୍ଟର୍ ଲଗାଇ ଧୁମ୍ ଧାମ୍ ର ସହିତ ଖେଳ ଦେଖୁଛନ୍ତି। ଏହା ସହିତ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ତଥା ବିଜୁ ସ୍ବାସ୍ଥ୍ଯ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାସ୍ ନିଜ ସୋସିଆଲ୍ ମିଡିଆ ମାଧ୍ଯମରେ ଟିମ୍ ଇଣ୍ଡିଆକୁ ସୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଗୁଣପୁର ରେ କଂଗ୍ରେସ ଶିବିର ଚଳଚଞ୍ଚଳ,ଗୁଡାରିରେ ଚାଲିଛି ଘରେ ଘରେ କଂଗ୍ରେସ;ଦଳବଳ ଘେନି ଟିକଟ୍ ପାଇଁ ଆବେଦନ କଲେ ସତ୍ୟଜିତ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୁଣପୁର ନିର୍ବାଚନମଣ୍ଡଳୀ ରେ କଂଗ୍ରେସ ଶିବିର ହଠାତ୍ ଚଳଚଞ୍ଚଳ ହୋଇ ଉଠିଛି। କଂଗ୍ରେସ ର ବିଭିନ୍ନ ଆଶାୟୀ ପ୍ରାର୍ଥୀଙ୍କ ସମେତ ନେତାମାନେ ଏବେ ତୃଣମୂଳସ୍ତରରେ ସଙ୍ଗଠନ ସଜାଡିବା କାର୍ଯ୍ଯରେ ଲାଗି ପଡିଛନ୍ତି। ଗୁଡାରି ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ପିସିସି ସଭ୍ୟ ତଥା ବରିଷ୍ଠ ନେତା ରଘୁପାତ୍ର ଓ ବ୍ଲକ ସଭାପତି ଭାସ୍କର ଜାଗାରାଙ୍ଗା ଘରେ ଘରେ କଂଗ୍ରେସ କାର୍ଯ୍ଯକ୍ରମ କରୁଥିବାର ଦେଖା ଯାଉଛି। ଯୁବନେତା ତଥା ଜିଲ୍ଲା ସଭାପତି ବିଜୟ ଗମାଙ୍ଗ ଙ୍କ ପୁଅ ଅବିନାଶ ଗମାଙ୍ଗ ଏହି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ର ଆଶାୟୀ ପ୍ରାର୍ଥି ହୋଇ ଉଭା ହବାପରେ ସ୍ଥାନୀୟ ଅଞ୍ଚଳରେ କଂଗ୍ରେସ ର ବିଭିନ୍ନ କାର୍ଯ୍ଯକ୍ରମ କୁ ତ୍ବରାନ୍ବିତ କରି ଯୁବ ସଙ୍ଗଠନ ସଜାଡିବା କାର୍ଯ୍ଯରେ ଲାଗି ପଡିଥିବା ଦେଖା ଯାଉଛି। ଦଳର ସଭା ସମିତି ଶୋଭାଯାତ୍ରା ବିକ୍ଷୋଭ ସବୁଠି ବିଜୟ ଓ ତାଙ୍କ ପୁଅଙ୍କୁ ସକ୍ରିୟ ଭୁମିକା ରେ ଦେଖିବାକୁ ମିଳୁଛି। ଅନ୍ଯପକ୍ଷେ ଗୁଡାରିରେ ସଙ୍ଗଠନକୁ ସକ୍ରିୟ କରିଥିବା ଭାସ୍କର ଜାଗାରାଙ୍ଗା ଗତ ଦୁଇଦିନ ତଳେ ତାଙ୍କ ସମର୍ଥକ ମାନଙ୍କ ସହ ଆସି ଜିଲ୍ଲା ସଭାପତି ବିଜୟ ଙ୍କ ନିକଟରେ ଦଳିୟ ଟିକଟ୍ ପାଇଁ ଆବେଦନ କରିଥିଲେ। ଗତକାଲି ଚନ୍ଦ୍ରପୁର ବ୍ଲକରେ ଆଉଜଣେ ଆଶାୟୀ ପ୍ରାର୍ଥୀ ସତ୍ଯଜିତ୍ ଗମାଙ୍ଗ କର୍ମି ସମ୍ମିଳନୀ କରି ବିଜେଡିରୁ କେତେକ ପ୍ରମୁଖ କର୍ମି ଓ ନେତାଙ୍କୁ କଂଗ୍ରେସ ରେ ମିଶାଇବା ପରେ ଆଜି ସେ କଂଗ୍ରେସ ଟିକଟ୍ ପାଇଁ ଗୁଣପୁର ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଜିଲ୍ଲା ସଭାପତି ଙ୍କ ନିକଟରେ ଆବେଦନ କରିଛନ୍ତି। ଏହି ଆବେଦନ ବେଳେ ପଦ୍ମପୁର ବ୍ଲକ ସଭାପତି ସାହେବ ଶବର ଓ ଗୁଣୁପୁର ସାଂସଦ ପ୍ରତିନିଧି ଦିବସ ରାଇକା,ପୁଟାସିଂ ସମିତି ସଭ୍ୟ ସୁଲେମାନ ଗମାଙ୍ଗ, ଏଲଏମଡି କର୍ଡିନେଟର ତରଣୀ ଶତପଥୀ,ରଂଜିତ ଗଣ୍ଟା ଓ ସହଯୋଗୀ,ଗୁଡ଼ାରୀ ସାଂସଦ ପ୍ରତିନିଧି ପେଦିନା ରମେଶ,ଜିଲ୍ଲା କମିଟି ସମ୍ପାଦକ ଚନ୍ଦ୍ରପୁରର ମୁରାରୀ ଦଣ୍ଡସେନା , ଜିଲ୍ଲା କାର୍ଯ୍ଯ ନିର୍ବାହୀ ସଦଶ୍ଯ ରାମନାଗୁଡ଼ାର ରଂଜିତ ନାୟକ ବେହେରାଙ୍କ ସମେତ ବୁଗା ଶବର, ମାଝୀ ଶବର, ନବୀନ ଲିମା ଏବଂ ପାଞ୍ଚଟି ବ୍ଲକର ଶତାଧିକ ସମର୍ଥିତ କଂଗ୍ରେସ କର୍ମୀଙ୍କ ଉପସ୍ଥିତରେ ଏହି ଆବେଦନ କରିଥିଲେ। ପ୍ରତିଦିନ କଂଗ୍ରେସ ର ବିଭିନ୍ନ ବ୍ଲକର ପଞ୍ଚାୟତ ସ୍ତରରେ ନେତାମାନେ ଜନ ସମ୍ପର୍କ ସ୍ଥାପନ କାର୍ଯ୍ଯକ୍ରମ କରୁଥିବାର ମଧ୍ୟ ଦେଖା ଯାଉଛି। ଗତବର୍ଷ ଦଳିୟ କାର୍ଯ୍ଯକ୍ରମ ଗୁଡାକରେ ହାତ ଗଣତି କର୍ମିଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିବା ବେଳେ ହଠାତ୍ ଦଳରେ ଏକାଧିକ ଯୁବନେତା ଆଶାୟୀ ପ୍ରାର୍ଥୀ ଭାବରେ ବାହାରି ସଙ୍ଗଠନକୁ ସଜାଡିବା କାର୍ଯ୍ୟରେ ଲାଗି ପଡିଥିବାର ଦେଖାଯିବା ସହ ପୁରୁଣା କଂଗ୍ରେସିଆ ନେତା ଓ କର୍ମି ମାନଙ୍କ ସକ୍ରିୟତା ଦେଖିବାକୁ ମିଳୁଛି। ଯାହାକି ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି ।

ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୁଣପୁରଠାରେ ଓଡ଼ିଶା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଗୁଣପୁର ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗୋ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମର ଅନ୍ୟଦୁଇ ସମ୍ମାନନୀୟ ଅତିଥି ରୂପେ ଅତିରିକ୍ତ ତହସିଲଦାର, ଗୁଣପୁର ଶ୍ରୀ ଅଂଶୁମାନ ପରିଡ଼ା ଓ ଗୁଣପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ ଯୋଗଦେଇ ଯୁକ୍ତ ଦୁଇ ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧ ଉଦ୍‌ବୋଧନ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ କିପରି ହୋଇପାରିବ ସେ ଉପରେ ଅତିରିକ୍ତ ତହସିଲଦାର ପ୍ରକାଶ କରିଥିବାବେଳେ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସଡ଼କ ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଫିସର ଅମିୟ ରଞ୍ଜନ ମହାନ୍ତି ବିଭିନ୍ନ କାର୍ଯ୍ୟକ୍ରମ ଯଥା – ଖେଳ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ପ୍ରାଧ୍ୟାପକ ଡକ୍ଟର ଜୱାହର ଲାଲ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଜଗନ୍ନାଥ ଦୀପ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ଓ ବିଜେଡି ର ରାଜ୍ଯ ଯୁବ ଉପସଭାପତି ବିଷ୍ଣୁ ପଣ୍ଡା ଓରଫ ପିଙ୍କୁ ପଣ୍ଡା ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ସରକାର ଙ୍କ ପକ୍ଷରୁ ଲୋକାଭିମୁଖ କରାଯାଇଥିବା କାର୍ଯ୍ୟକ୍ରମ ର ଭରପୁର ଫାଇଦା ଉଠାଇ ସହ ନିଜ ପ୍ରତିଭା ପଦର୍ଶନ କରିବା ନିମନ୍ତେ ଆହ୍ଵାନ ଦେଇଥିଲେ । ଆଜି ପ୍ରଥମ ଦିନର କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା ନିମନ୍ତେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଏକ ରାଲୀ ଅନୁଷ୍ଠିତ ହୋଇଥିଲା । ଏହା ସହିତ ତର୍କ, କବିତାବୃତ୍ତି, ଓ ପ୍ରବନ୍ଧ ପ୍ରତିଯୋଗିତା , ଚେସ ଓ କ୍ୟାରୋମ ଖେଳ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ମହାବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଅଧ୍ୟକ୍ଷ, ନୋଡାଲ ଅଧିକାରୀ, ଜାତୀୟ ସେବା ଯୋଜନା ଓ ଏନ୍. ସି. ସି ର ଅଧିକାରୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ଏହି ଉପଲକ୍ଷେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାୟ ପରିସର ପ୍ଲାଷ୍ଟିକ ମୁକ୍ତ ଘୋଷଣା କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ସଫଳ କରିବା ରେ ଅଂଶୁମାନ ପଟ୍ଟନାୟକ, ଲିପ୍ସା ରାଣୀ ରାଉଳ, ହଡ଼ିପା ଲୋକେଶ, ର. ଦେବିପ୍ରସାଦ, ତନୁଜା ଉର୍ଲକା, ଅଞ୍ଜୁ ପ୍ରଧାନ, ଗିଫ୍ଟ ପ୍ରିନ୍ସ ଖାରା ଇତ୍ୟାଦି ସହଯୋଗ କରିଥିଲେ।

ନାଗ ଚତୁର୍ଥୀ(ସର୍ପ)ଦେବତାଙ୍କ ପୂଜା ଦକ୍ଷିଣ ଓଡିଶାରେ ପ୍ରସିଦ୍ଧ …!

!!! ରାୟଗଡ଼ ଜିଲ୍ଲା ବିଷମକଟକ ରୁ ମାନସ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବିଷମକଟକ)- ଦେବ,ଗନ୍ଧର୍ବ, ଯକ୍ଷ ଛଡା ନାଗ ଉପାସନା ଏକ ଆଦିମ ସଂସ୍କୃତି ର ପରିଚାୟକ। ଦକ୍ଷିଣ ଓଡିଶାରେ ନାଗ ଚତୁର୍ଥୀ କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ନାଗ(ସର୍ପ)ଦେବତାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ। ଏହି ପୂଜାର ମୁଖ୍ୟ ବିଧି ହେଲା ହୁଙ୍କା ପୂଜା। ଏହି ପର୍ବରେ ନାରୀମାନେ ଏକତ୍ରିତ ହୋଇ ହୁଙ୍କା ଥିବା ସ୍ଥାନରେ ତଥା ହୁଙ୍କାର କିଛି ଅଂଶକୁ ଆଣି ଚଉଁରା ମୂଳେ ରଖି, ନାଗ-ନାଗୁଣିଙ୍କ ତମ୍ବାର ମୂର୍ତ୍ତି ରଖି, ଚିତା ପକାଇ ସିନ୍ଦୁରଦେଇ ଫୁଲରେ ସଜାଇ,ସବୁ ପ୍ରକାରର ପୂଜା ସାମଗ୍ରୀ ଯଥା ଧୂପ ଦୀପ ନଡ଼ିଆ,କଦଳୀ,ଗୁଡ଼,ଚାଉଳ ଚୁନା, ଆଖୁ ଓ ଅନ୍ୟାନ୍ୟ ଫଳ ମୂଳ ଦେଇ ପୂଜା କରିଥାନ୍ତି । କେଉଁ କେଉଁ ସ୍ଥାନରେ କ୍ଷୀର ଓ ଅଣ୍ଡା ମଧ୍ୟ ନାଗ ଦେବତାଙ୍କ ସନ୍ତୁଷ୍ଠି ଉଦେଶ୍ୟରେ ଅର୍ପଣ କରାଯାଏ। ବିଶ୍ୱାସ ରହିଛି ଏହି ଦିନ ବିଳା ମାଟି କାନରେ ଦେଲେ କର୍ଣ୍ଣ ଜନିତ ରୋଗ ଦୂର ହୁଏ ଏଵଂ ସର୍ପ ଦଶଂନର ଭୟ ରହେ ନାହିଁ। ପରିବାର ତଥା ବିଶେଷ କରି ସନ୍ତାନମାନଙ୍କ ମଙ୍ଗଳ କାମନା କରି ଏହି ପୂଜା ପାଳନ କରାଯାଇଥାଏ। ଆଜିର ଏହି ପବିତ୍ର ଦିନରେ ଦୁର୍ଗୀ ସ୍ଥିତ ଲଳିତ ଗୌରାଙ୍ଗ ମନ୍ଦିର ପାଖରେ ଥିବା ସତ୍ଯସାଇ ମନ୍ଦିରରେ ଏକ ଗୋଧି ଦେଖିବାକୁ ମିଳିଥିଲା। ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗିଥିଲା। କୁହାଯାଏ ଯେ ଆଜିର ଏହି ପବିତ୍ର ଦିନରେ ଗୋଧି କିମ୍ବା ସର୍ପ ଦର୍ଶନ କରିବା ସୌଭାଗ୍ଯ ଅଟେ।

ରାୟଗଡା ଜିଲ୍ଳାରେ ଡିସେମ୍ବର ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି …!

!!! ରାୟଗଡ଼ ଜିଲ୍ଲା ବିଷମକଟକ ରୁ ମାନସ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବିଷମକଟକ)- ଆସନ୍ତା ଡିସେମ୍ବର ମାସ ୨୦ ତାରିଖରୁ ରାୟଗଡା ଜିଲ୍ଳାରେ ଖୋଲିବ ଧାନ ମଣ୍ଡି । ଏ ନେଇ ଆଜି ଜିଲ୍ଳାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଅତିରିକ୍ତ ଜିଲ୍ଳାପାଳ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି,କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି,ଗୁଣପୁର ଉପଜିଲ୍ଳାପାଳ ଲଲିତ କୁମାର କହଁର,ରାୟଗଡା ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ର ଦେବୀ,ମୁଖ୍ୟ ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ୱାଇଁ,ଖାଦ୍ୟ ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ସମେତ ଚାଷୀ ପ୍ରତିନିଧି,ମିଲର୍ସ,ସମବାୟ ସମିତି ସଂପାଦକ,ଏମପିସିଏସ୍ ଅଧିକାରୀ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଚଳିତ ବର୍ଷ ୪୨ଗୋଟି ମଣ୍ଡିରେ ଚାଷୀମାନେ ଯେପରି ଧାନ ବିକ୍ରିୟ ସମୟରେ କୈାଣସି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ମନ୍ତ୍ରୀ ଶ୍ରୀ ସାରକା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଚାଷୀଙ୍କ ସୁବିିଧା ନିମନ୍ତେ ସରକାରଙ୍କ ସମସ୍ତ ନିୟମକୁ ପାଳନ କରାଯାଉଛି ବୋଲି ଜିଲ୍ଳା ମୁଖ୍ୟ ଖାଦ୍ୟ ଯୋଗାଣ ଅଧିକାରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । କିନ୍ତୁ ଚାଷୀମାନେ ପ୍ରତିବର୍ଷ ମଣ୍ଡିରେ ଧାନ ବିକ୍ରୟ ସମୟରେ ଅନେକ ଆନୁସାଙ୍ଗିକ ବ୍ୟବସ୍ଥା ଉପଲବ୍ଧ ନ ଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀ ପ୍ରତିନିଧି ମାଲିକର୍ଜୁନ ପ୍ରକାଶ କରିଛନ୍ତି ।

ଦୃଷ୍ଟି ଆଢୁଆଳରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି;ଉଚିତ ସମ୍ମାନ ର ଅଭାବ ହେଉଥିବା ଅଭିଯୋଗ ଆଣିଛି ଗୁଣପୁର ଉନ୍ନୟନ ଯୁବ ସଂଗଠନ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ସହର ମଧ୍ୟରେ ଥିବା ସର୍ଵ ପୁରାତନ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସହରିକରଣ ର ସୁଅ ଦୃଷ୍ଟି ଆଢୁଆଳରେ ରହିଯାଇଛି । ୧୯୮୦ ମସିହା ପୂର୍ବରୁ ଗୁଣପୁର ରେ ଅବସ୍ଥାପିତ ହୋଇଥିଲା ହାତ ରେ ଲାଠି ଓ ଭାଗବତ ଗୀତା ଧରି ଦଣ୍ଡାୟମାନ ହୋଇଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି । କୁହାଯାଏ ସେହି ସମୟରେ ପ୍ରତିମୂର୍ତ୍ତି ସ୍ଥାପନ କଷ୍ଠବ୍ୟାପାର ହେଉଥିବା ବେଳେ ବହୁ କଷ୍ଟରେ କିଛି ଭଦ୍ରବ୍ୟକ୍ତି ପୁରୁଣା ତହସିଲ କାର୍ଯ୍ୟଳୟ ନିକଟରେ ତତ୍କାଳୀନ ବଂଶଧାରା ସାହିତ୍ୟ ସମାଜ ନିକଟରେ ସ୍ଥ।ପିତ ହୋଇଥିଲା ଏହି ପ୍ରତିମୂର୍ତ୍ତି । କିନ୍ତୁ ୧୯୮୦ ର ପ୍ରଳୟଙ୍କରୀ ବନ୍ୟା ପରେ ସବୁ ଧୋଇ ହୋଇ ଯାଇଥିଲେ ମଧ୍ୟ ପ୍ରତିମୂର୍ତ୍ତି ଟି ରହିଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରତିମୂର୍ତ୍ତି କୁ ସେତେବେଳେ ର ବସ ଷ୍ଟାଣ୍ଡ ବର୍ତ୍ତମାନ ର ପୁରୁଣା ବସ ଷ୍ଟାଣ୍ଡ ରେ ଅବସ୍ଥାପିତ କରାଗଲା । ସମୟ କ୍ରମେ ସହରିକରଣ ବୃଦ୍ଧି ଫଳରେ ବସ ଷ୍ଟାଣ୍ଡ ରେ ବ୍ୟବସାୟ ର ବୃଦ୍ଧି ଓ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ନିକଟରେ ଗୋଟିଏ ଦେବୀ ମା ଙ୍କ ଆକସ୍ମିକ ମନ୍ଦିର ଯୋଗୁଁ ପ୍ରତିମୂର୍ତ୍ତି ଟି ଜନସାଧାରଣ ଙ୍କ ଦୃଷ୍ଟି ଆଢୁଆଳରେ ରହୁଛି । ପୌରପରିଷଦ ତରଫରୁ କୌଣସି ବିଶେଷ ମୁହୂର୍ତ୍ତରେ ଗାନ୍ଧୀ ଜୟନ୍ତୀ, ଅଗଷ୍ଟ ପନ୍ଦର, ଜାନୁଆରୀ ଛବିଶି କିମ୍ବା ଵିଶେଷ ସଭା ସମିତି ରେ ମନେ ପଡୁଛି ଏହି ପ୍ରତିମୂର୍ତ୍ତି ଚାରିପାଖରେ ସଫା ସୁତରା କରିବା ଦେଖାଯାଉଛି । ଆବଶ୍ୟକୀୟ ଆଲୋକ ଓ ସୌନ୍ଦର୍ଯ୍ୟ କରଣ ର ଅଭାବ ତଥା ଚାରିପାଖରେ ବ୍ୟବସାୟି ମାନଙ୍କ ଭିଡ଼, ଧାର୍ମିକ ସ୍ଥଳୀ ଯୋଗୁଁ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି କୁ ଉଚିତ ସମ୍ମାନ ର ଅଭାବ ହେଉଥିବା ଅଭିଯୋଗ ଆଣିଛି ଗୁଣପୁର ଉନ୍ନୟନ ଯୁବ ସଂଗଠନ । ତେଣୁ ଏହି ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ର ଚତୁର୍ପାଶ୍ୱ ରେ ଜବରଦଖଲ ହଟାଇ ସୌନ୍ଦର୍ଯ୍ୟ କରଣ କରିବାକୁ ଦାବୀ କରାଯାଇଛି ।

ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା ନେଇ ଅସନ୍ତୋଷ;ଜିଲ୍ଲାପାଳଙ୍କୁ ଭେଟି ଦେଲେ ସ୍ମାରକପତ୍ର…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକର ପଞ୍ଚାୟତ ସ୍ତରରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ପ୍ରସ୍ତାବକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଆଜି ଜିଲ୍ଲାପାଳଙ୍କୁ ଭେଟି ଲେଖି ଜଣାଇବା ସହ ବିଶୃତ ଭାବେ ଆଲୋଚନା କରିଛନ୍ତି ବହୁ ସରପଞ୍ଚ ଓ ସମିତିସଭ୍ୟ ମାନେ । ପଞ୍ଚାୟତ ସମିତି ଅଧ୍ଯକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ଜିଲ୍ଲା ପରିଷଦ ସଭ୍ୟ ଇଜାନ ଗମାଙ୍ଗ ଓ କୁନୀ ନିମାଲା ଙ୍କ ନେତୃତ୍ବରେ ଆଜି ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ସ୍ବଧାଦେବ ସିଂ ଙ୍କୁ ଭେଟି ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପଞ୍ଚାୟତ ସ୍ତରରେ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା କରି ବିଭିନ୍ନ ପ୍ରକଳ୍ପ ମଞ୍ଜୁର ହୋଇଥିବା ଅଭିଯୋଗ କରିଛନ୍ତି। ଭିତ୍ତିଭୂମି ନଥିବା ଓ ପୁର୍ବରୁ ଅନ୍ଯ ଅନୁଦାନରେ ପ୍ରକଳ୍ପ ହୋଇ ସାରିଥିବା ସ୍ଥାନ ମାନଙ୍କରେ ଏବେ ପୁଣି ପ୍ରକଳ୍ପ ଗୁଡିକ ମଞ୍ଜୁର ହୋଇଛି। ପଲ୍ଲିସଭା ଗ୍ରାମସଭା କରାନଯାଇ କେତେକ ଖଳ ପ୍ରକୃତିର ଲୋକ ଏଭଳି ଚଞ୍ଚକତା କରିଥିବାରୁ ଏହାଦ୍ବାରା ପଞ୍ଚାୟତ ର ବିକାଶ ହବା ବଦଳରେ ବିଭ୍ରାଟ ଅଧିକ ଦେଖା ଦେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତୃଣମୂଳସ୍ତରର ବାସ୍ତବତାକୁ ନଜରକୁ ନେଇ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ମାନେ ଯେଉଁ ସବୁ ପ୍ରସ୍ତାବ ଦେଇଥିଲେ ସେଥିରୁ ଗୋଟିଏ ବି କାର୍ଯ୍ଯକାରୀ ହୋଇନଥିବା ସେମାନେ କହିଥିଲେ। ପଞ୍ଚାୟତ ପ୍ରତିନିଧି ମାନଙ୍କ ସମସ୍ତ ଅଭିଯୋଗ ସୁଣିବା ପରେ ଏହି ସମସ୍ଯାକୁ ଜିଲ୍ଲାପାଳ ନିଜେ ବୁଝିବେ ବୋଲି ପ୍ରତିଶ୍ରୁତି ଦବାସହ କୌ ପଞ୍ଚାୟତ ରେ କଣ ପ୍ରକଳ୍ପ ହବା ଜରୁରୀ ସେନେଇ ପ୍ରସ୍ତାବ ଦବାକୁ ଉପସ୍ଥିତ ପ୍ରତିନିଧି ମାନଙ୍କୁ ସେ କହିଥିଲେ। ଏହି ସମସ୍ଯା ନେଇ ଗୁଣପୁର ବିଡିଓ ସହ ମଧ୍ୟ ଆଲୋଚନା କରିବେ ବୋଲି ଜିଲ୍ଲାପାଳ କହିଥିବା ଉପସ୍ଥିତ ପ୍ରତିନିଧି ମାନେ ସୂଚନା ଦେଇଛନ୍ତି। ଏହି ଆଲୋଚନା ବେଳେ ଘନାନ୍ତ୍ରୀ ସରପଞ୍ଚ ନିଳକଣ୍ଠ ଶବର, ଭିମପୁର ସମିତିସଭ୍ୟ ଅନାମ ଶବର, ଡମ୍ବସରା ସରପଞ୍ଚ ସନ୍ତୋଷୀ ଶବର, ବାଘଶଳା ସରପଞ୍ଚ କମଳା ଶବର, ସମିତିସଭ୍ୟା ନାଗେଶ୍ବରୀ ଶବର, ଚାଲକମ୍ବା ସରପଞ୍ଚ ପ୍ରଭାତୀ ଶବର, ସିରିଝୋଲି ସମିତିସଭ୍ୟା ନିଳାବତୀ ଶବର, ଗଟଳପଦର ସରପଞ୍ଚ ମାଣ୍ଡାଙ୍ଗୀ ଶ୍ରୀମତି, ଗାଦିଆଖଳା ସମିତିସଭ୍ୟା ଅନୁ ମାଣ୍ଡାଙ୍ଗୀ, ସରପଞ୍ଚ ରବି ଶବର, ରେଗେଡା ସମିତିସଭ୍ୟା ବାସନ୍ତି କଲକା, କୁଲୁସିଂ ସମିତିସଭ୍ୟା ତାମନି ଗମାଙ୍ଗ, ଜଲତାର ସମିତିସଭ୍ୟ ଜଗଦିଶ ଶବର, ଟଲଣା ସରପଞ୍ଚ ସନ୍ତୋଷି ଶବର, ପୁଟାସିଂ ସମିତିସଭ୍ୟା ସଲମନ ଗମାଙ୍ଗ, ଶଗଡା ସମିତିସଭ୍ୟ ମଜିଂତ ଶବର, ଆବଡା ସମିତିସଭ୍ୟ ଇଶ୍ର ଶବର, ଭିମପୁର ସରପଞ୍ଚ ଚକ୍ର ଶବର ପ୍ରମୁଖ ଉପସ୍ତିତ ଥିଲେ।

ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା କାଣ୍ଡର ଗୁମର ଫିଟିବ କେବେ ?

!!! ରାୟଗଡ଼ା ରୁ ପି.ଦିଲ୍ଲୀପ କୁମାରଙ୍କ ସହ ନାମଦେବ ମାଣ୍ଡଙ୍ଗୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା) – ରାୟଗଡା ସଦର ମହକୁମା ତୁମ୍ବିଗୁଡ଼ାର ସ୍ୱର୍ଗୀୟ.ଭାଗୀରଥି ମାଣ୍ଡାଙ୍ଗି ବିଜେଡି ଦଳର ତୃଙ୍ଗ ନେତା ତଥା ବିଜେଡ଼ି ଦଳର ୧୯ ନମ୍ବର ୱାର୍ଡର କାଉନସିଲର ହତ୍ୟାକାଣ୍ଡ ଘଟଣାକୁ ୧୩ ବର୍ଷ ବିତି ଲାଣି।ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାରେ ଫେଲ୍ ମାରିଛି ପୁଲିସ ଓ କ୍ରାଇମବ୍ରାଞ୍ଚ।ଆଜି ନ୍ୟାୟ ପାଇଁ ଆଦିବାସୀ ମହାସଂଘ ଗର୍ଜି ଉଠିଥିଲା। କୋଣ ଅନୁକୋଣ ରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ନେତା,ଭାଇ ଓ ଭଉଣୀ ମାନେ ଏକତ୍ରିତ ହୋଇ ଏକ ବିଶାଳ ପଦଯାତ୍ରା କରି ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ।ଆଦିବାସୀ ମହାସଂଘର ସଭାପତି ଆପଲ ସ୍ଵାମୀ କାଡ୍ରାକା,ଆବାହକ ବସନ୍ତ କୁମାର ଉଲ୍କାକା ଓ ସାଧାରଣ ସମ୍ପାଦକ ଜଗନ୍ନାଥ ମାଣ୍ଡାଙ୍ଗି ଆଦିବାସୀ ନେତ୍ରି ଶ୍ରୀମତୀ ମଞ୍ଜୁଳା ମିନିଆକା କହିଛନ୍ତି କି ଯେ,୨୦୧୦ ଡିସେମ୍ବର ୧୫ରେ ଭାଗୀରଥି ନିଖୋଜ ଥିଲେ।କିଛିଦିନ ପରେ ଆନ୍ଧ୍ରପ୍ରଦେଶର ଝଞ୍ଜାବତି ନଦୀ କୂଳରେ ତାଙ୍କ ଶବ ଉଦ୍ଧାର ହୋଇଥିଲା। ଏହି ହତ୍ୟାକାଣ୍ଡ ରେ ଶାସକ ବିଜେଡି ଦଳର ପୁର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ହାତ ରହିଥିବା ଅଭିଯୋଗ ହୋଇଛି ।ଏହି ଘଟଣାର ତଦନ୍ତ ପାଇଁ ପ୍ରଥମେ ରାୟଗଡା ଥାନା ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ଏହାର୍ ତଦନ୍ତ କରିଥିଲା ।କିନ୍ତୁ ରାଜ୍ୟ ସରକାର ଓ ଏନ.ଭାସ୍କର ରାଓଙ୍କ ଚାପରେ ତଦନ୍ତକୁ ଚାପି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି।ଯଥାଶୀଘ୍ର ଭାଗୀରଥି ଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହେବ ବୋଲି ପୋଲିସ ଡିଜି ଆମକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆଜିଯାଏଁ ଏହାର କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି କହିଥିଲେ।ଭାଗୀରଥିଙ୍କ ମୃତ୍ୟୁ ସହ ଜଡ଼ିତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଗିରଫ କରିବା ନିମନ୍ତେ ଏକ ଦାବୀ ପତ୍ର ରାୟଗଡ଼ା ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦିଆଯାଇଛି।ପୂର୍ବତନ ରାଜ୍ୟ ସଭା ସାଂସଦ ଏନ.ଭାସ୍କର ରାଓ ଏହି ଘଟଣାରେ ସଂପୃକ୍ତ ଥିବାରୁ ଭାସ୍କର ରାଓଙ୍କୁ ଯଥା ଶୀଘ୍ର ଗିରଫ କରିବା ନିମନ୍ତେ ଆଦିବାସୀ ମହା ସଂଘ ଦାବୀ କରିଛି।ଏକ ମାସ ମଧ୍ୟରେ ଯଦି ଭାଗିରଥୀଙ୍କ ହତ୍ୟା କାରିଙ୍କୁ ଗିରଫ ନ କରିଲେ ଓ ତାଙ୍କର ପରିବାର ଲୋକଙ୍କୁ ଉଚିତ ନ୍ୟାୟ ନ ମିଳିଲେ ପୁଣୀ ଆଦିବାସୀ ମହସଂଘ ଏକ ବଡ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେବ ବୋଲି ମହାସଂଘ ପକ୍ଷରୁ ଡାକରା ଦିଆଯାଇଛି ।ଏହି ଘଟଣା ବଡ଼ ରୂପ ନେବା ଆଗରୁ ପୋଲିସ ବିଭାଗ ତତ୍ପର ହେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି।

୬ ବର୍ଷରେ ବଦଳିଲେ ୬ ନିର୍ବାହୀ ଅଧିକାରୀ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ନୂଆକରି ଗୁଣପୁର ପୌର ପରିଷଦ ର ନିର୍ବାହୀ ଅଧିକାରୀ ଦାୟିତ୍ବ ନେଇଛନ୍ତି ସ୍ବସ୍ତିକ ଜମାଦାର। ଜଣେ ଦକ୍ଷ ଓ କାମିକିଆ ଭାବେ ଏହି ଯୁବ ଅଧିକାରୀ ଙ୍କ ବେସ୍ ସୁନାମ ରହିଥିବା କୁହାଯାଏ। ମଙ୍ଗଳବାର ଶ୍ରୀ ଜମାଦାର ଏଠାରେ ଦାୟିତ୍ବ ଗ୍ରହଣ କରିବା ପରେ ଏଠାରେ କାର୍ଯ୍ଯରତ ନିର୍ବାହୀ ଅଧିକାରୀ ସତ୍ଯ ସମ୍ପୁର୍ଣ୍ଣା ରାଉତ ରିଲିଭ୍ ହୋଇଛନ୍ତି। ଏହାପରେ ଆଜିଠାରୁ ପୌରାଞ୍ଚଳରେ ନିଜ କାର୍ଯ୍ଯ ଆରମ୍ଭ କରିଛନ୍ତି ଏହି ନୂଆ ଅଧିକାରୀ। ହେଲେ ରାଜନୈତିକ ବିବାଦ ପାଇଁ ସବୁବେଳେ ଅଫିସର ମାନେ ହଇରାଣ ହୋଇ ଆସୁଥିବା ଏହି ୧୯ ଓ୍ବାର୍ଡ ବିଶିଷ୍ଟ ଏହି ପୌର ପରିଷଦ ରେ ସ୍ଥିରତା ଆଣିବା ଓ ପୌରାଞ୍ଚଳର ସୁପରିଚାଳନା କରିବା ଏବେ ଏହି ନୂଆ ଅଧିକାରୀ ଙ୍କ ପାଇଁ ନୂଆ ଚ୍ଯାଲେଞ୍ଜ୍ ହୋଇ ଛିଡା ହୋଇଛି। ୫୦ ହଜାର ଲୋକ ବସବାସ କରୁଥିବା ଏହି ସହରଟି ହେଉଛି ଗୋଟିଏ ଉପଖଣ୍ଡ ର ସଦର ମହକୁମା। ଏଠାରେ ଚାରୋଟି କୋର୍ଟ, କଚେରୀ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସଡିପିଓ ଙ୍କ କାର୍ଯ୍ୟାଳୟ ଓ ଉପଖଣ୍ଡ ଡାକ୍ତରଖାନା ରହିଛି। ଏଠାକୁ ଦୈନନ୍ଦିନ ନେତା ମନ୍ତ୍ରୀ ଓ ଭିଭିଆଇପିଙ୍କ ଆତଯାତ ହୁଏ। ବଂଶଧାରା ନଦୀର ଦୁଇ ପାର୍ଶ୍ବକୁ ନେଇ ଗଠିତ ଏହି ସହର। ଏଣୁ ଏଠାକାର ପରିମଳ ସଫେଇ ଠାରୁ ଆରମ୍ଭ କରି ଆଲୋକ, ପାଣି, ରାସ୍ତାଘାଟ ର ଉନ୍ନତି ସମେତ ଲୋକଙ୍କ ମୌଳିକ ସୁବିଧା ଉପରେ ଧ୍ଯାନ ଦବା ଜରୁରୀ ଏଠି । କିନ୍ତୁ ପୌର ପରିଷଦ ରେ ସବୁବେଳେ ଅସ୍ଥିରତା ଯୋଗୁଁ ସବୁ ନିର୍ବାହୀ ଅଧିକାରୀ ଭଲଭାବେ କାମ କରିବା ପୁର୍ବରୁ ଏଠାରୁ ତାଙ୍କୁ ହଟାଇ ଦିଆଯାଉଥିବା ନଜର ରହି ଆସିଛି।

ବିଶେଷ କରି ଶାସକ ଦଳର ଜୈନକ ନେତା ଏହି ସହରରେ ନିଜର ପତିଆରା ବଢାଇବା ପାଇଁ ଲମ୍ବା ସମୟ ଧରି ପୌର ପରିଷଦ ରେ ଅସ୍ଥିରତା ଶୃଷି କରି ଆସୁଥିବା ବେଳେ ବାରମ୍ବାର ଅନାସ୍ଥା କରାଇବା, ନିର୍ବାହୀ ଅଧିକାରୀ ମାନଙ୍କୁ ବଦଳି କରାଇବା ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସୁଛି । ଯାହା ଫଳରେ ସହରରେ ଜନ ଅଶାନ୍ତି ଶୃଷ୍ଟି ହୋଇ ଶାସକ ଦଳର ଭୋଟ ପ୍ରଭାବିତ ହବାସହ ପୌର ପରିଷଦ ରେ ମଧ୍ୟ ଅସ୍ଥିରତା ଦେଖା ଦେଉଛି। ଏଣୁ ଏବେ ନୂଆକରି ଆସିଥିବା ଏହି ଅଧିକାରୀ ଏସବୁ ପରିସ୍ଥିତିକୁ କିଭଳି ମୁକାବିଲା କରି ସହରର ବିକାଶ ଉପରେ ଧ୍ଯାନ ଦେବେ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି। ଏଠାରେ ଲଗାତର ଭାବରେ ବିଜେଡି ର ପରିଷଦ ଗଠନ ହୋଇ ଆସୁଥିଲେ ହେଁ ଏଥର ପୌର ପରିଷଦ ରେ ପ୍ରଥମ କରି ସିଧା ନିର୍ବାଚନ ହେଲା ଓ ସ୍ବାଧିନ ଗୋଷ୍ଠୀ ହାତକୁ ପରିଷଦ ଗଲା। ଲମ୍ବା ସମୟର କଂଗ୍ରେସ ରାଜ୍ କୁ ହଟାଇ ପ୍ରଥମ କରି ଅଷ୍ମିତା ବାଉରୀ ଏହି ପରିଷଦ ର ଅଧ୍ଯକ୍ଷା ହୋଇଥିଲେ ମଧ୍ୟ ତାଙ୍କୁ ମଧ୍ୟ ଅନାସ୍ଥାକୁ ସାମ୍ନା କରିବାକୁ ପଡିଥିଲା। ତାପରେ ବିଜେଡିର ଶିବ ପ୍ରଶାଦ ଗୌଡ ଅଧ୍ଯକ୍ଷ ହୋଇ ପୁରା ପାଞ୍ଚବର୍ଷ ରହିଥିଲେ। ତାପରେ ବିଜେଡିର କବିତା ଶବର ଅଧ୍ଯକ୍ଷା ହୋଇଥିଲେ ହେଁ ତାଙ୍କୁ ମଧ୍ୟ ଅନାସ୍ଥାର ସାମ୍ନା କରିବାକୁ ପଡିଥିଲା। ସେହିପରି ଗତ ୨୦୧୬ ରେ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ର ଏଠାରୁ ବଦଳି ହୋଇ ଯିବାପରେ ଚରଣ ବେହେରା, ରାମକୃଷ୍ଣ ସାହୁ, ଭାବଗ୍ରାହୀ ସାହୁ, ଉମା ପ୍ରଶାଦ ଦାସ, ସତ୍ଯ ସମ୍ପୁର୍ଣ୍ଣା ରାଉତ, ପ୍ରଭାତୀ ଝୋଡିଆଙ୍କ ଭଳି ୬ ବର୍ଷରେ ୬ଜଣ ନିର୍ବାହୀ ଅଧିକାରୀ ବଦଳିଲେଣି। ଜଣେ ଅଧିକାରୀ ଅଫିସ ସହ ଯୋଡିହବା, ସହରକୁ ଚିହ୍ନିବା, ଲୋକଙ୍କ ସହ ମିଶିବା ଓ ନିଜ ତରିକାରେ ଉନ୍ନୟନ କାର୍ଯ୍ଯକୁ ଆଗକୁ ବଢାଇବା ବେଳକୁ ତାଙ୍କୁ ବଦଳି କରାଯାଉଛି। ଜଣେ ଶାସକ ଦଳର ନେତାଙ୍କ ଦ୍ବାରା ଏଭଳି ବିଭ୍ରାଟ ଦେଖା ଦେଉଥିବା ପ୍ରଚାର ପରେ ଗତ ପୌର ନିର୍ବାଚନରେ ସମସ୍ତ ଚେଷ୍ଟା ପରେବି ଏଠାରେ ଲୋକ ଶାସକ ଦଳପ୍ରତି ବିମୁଖ ହୋଇ ସ୍ବାଧିନ ଗୋଷ୍ଠୀ ପ୍ରତି ଭରଶା ଜୁଟାଇଥିଲେ। ସେହି ସ୍ବାଧିନ ଗୋଷ୍ଠୀ ମଧ୍ୟ ବିଜେଡି ଦଳର ହୋଇଥିବାରୁ ରାଜ୍ଯ ନେତୃବର୍ଗଙ୍କ ତାଙ୍କପ୍ରତି ଶୂଭଦୃଷ୍ଟି ରହିଥିବା କୁହାଯାଉଛି। ଏପଟେ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ପୌର ପରିଷଦ ପାଇଁ ଅନୁକୂଳ ମନୋଭାବ ନେଇ କାମ କରୁଥିବା ଦେଖାଯାଉଛି। ଯାହା ଫଳରେ ରାଜ୍ଯ ସରକାରଙ୍କ ପକ୍ଷରୁ ଏହି ପୌର ପରିଷଦ କୁ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ ହୋଇ ସହରରେ ବିକାଶ କାର୍ଯ୍ଯ ଧୃତ ଗତିରେ ଚାଲିଛି। ଏଭଳି ସ୍ଥିତିରେ ପୁଣି ଏବେ ନିର୍ବାହୀ ଅଧିକାରୀ ବଦଳି ହୋଇଛନ୍ତି। ଉତ୍ସାହର ସହ କାମ କରୁଥିବା ଅଧିକାରୀ ମାନଙ୍କୁ ରାଜନୈତିକ କଳିରୁ ଟାର୍ଗେଟ କରାଯାଇ ବଦଳି କରାଯାଉ ଥିବାରୁ ଏଠାକୁ ନୂଆ ଅଧିକାରୀ ମାନେ ଆସିବାକୁ ଇଛା ପ୍ରକାଶ କରୁନାହାନ୍ତି। ଫଳରେ ସରକାରଙ୍କ ଠାରୁ ଅନୁଦାନ ଆସୁଥିଲେ ମଧ୍ୟ ବିକାଶ ଧାରାରେ ପ୍ରତିବନ୍ଧକ ଶୃଷ୍ଟି ହେଉଛି। ଏବେ ନୂଆକରି ପୌର ପରିଷଦ ରେ ନିର୍ବାହୀ ଅଧିକାରୀ ଦାୟିତ୍ବ ନେଇଥିବା ଅଧିକାରୀ ଜଣଙ୍କ ମଧ୍ୟ ଏଠାକୁ ଆସିବାକୁ ଇଛା ପ୍ରକାଶ ନକରି ଅନ୍ଯତ୍ର ଯିବାକୁ ଚାହୁଁଥିଲେ ମଧ୍ୟ ସରକାର ଙ୍କ କଡା ନିର୍ଦ୍ଧେଶ ନାମା ପରେ ତତ୍କାଳ ଆସି ଦାୟିତ୍ବ ନେଇଥିଲେ। ଏଣୁ ଏଭଳି ସ୍ଥିତିରେ ଏହି ପୌର ପରିଷଦ ରେ କିଭଳି ସ୍ଥିରତା ଆସିବ ଓ ବିକାଶ କାର୍ଯ୍ଯ କିଭଳି ତ୍ବରାନ୍ବିତ ହବ ତା ଉପରେ ସମସ୍ତଙ୍କ ନଜର ରହିଛି।