୬ ବର୍ଷରେ ବଦଳିଲେ ୬ ନିର୍ବାହୀ ଅଧିକାରୀ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ନୂଆକରି ଗୁଣପୁର ପୌର ପରିଷଦ ର ନିର୍ବାହୀ ଅଧିକାରୀ ଦାୟିତ୍ବ ନେଇଛନ୍ତି ସ୍ବସ୍ତିକ ଜମାଦାର। ଜଣେ ଦକ୍ଷ ଓ କାମିକିଆ ଭାବେ ଏହି ଯୁବ ଅଧିକାରୀ ଙ୍କ ବେସ୍ ସୁନାମ ରହିଥିବା କୁହାଯାଏ। ମଙ୍ଗଳବାର ଶ୍ରୀ ଜମାଦାର ଏଠାରେ ଦାୟିତ୍ବ ଗ୍ରହଣ କରିବା ପରେ ଏଠାରେ କାର୍ଯ୍ଯରତ ନିର୍ବାହୀ ଅଧିକାରୀ ସତ୍ଯ ସମ୍ପୁର୍ଣ୍ଣା ରାଉତ ରିଲିଭ୍ ହୋଇଛନ୍ତି। ଏହାପରେ ଆଜିଠାରୁ ପୌରାଞ୍ଚଳରେ ନିଜ କାର୍ଯ୍ଯ ଆରମ୍ଭ କରିଛନ୍ତି ଏହି ନୂଆ ଅଧିକାରୀ। ହେଲେ ରାଜନୈତିକ ବିବାଦ ପାଇଁ ସବୁବେଳେ ଅଫିସର ମାନେ ହଇରାଣ ହୋଇ ଆସୁଥିବା ଏହି ୧୯ ଓ୍ବାର୍ଡ ବିଶିଷ୍ଟ ଏହି ପୌର ପରିଷଦ ରେ ସ୍ଥିରତା ଆଣିବା ଓ ପୌରାଞ୍ଚଳର ସୁପରିଚାଳନା କରିବା ଏବେ ଏହି ନୂଆ ଅଧିକାରୀ ଙ୍କ ପାଇଁ ନୂଆ ଚ୍ଯାଲେଞ୍ଜ୍ ହୋଇ ଛିଡା ହୋଇଛି। ୫୦ ହଜାର ଲୋକ ବସବାସ କରୁଥିବା ଏହି ସହରଟି ହେଉଛି ଗୋଟିଏ ଉପଖଣ୍ଡ ର ସଦର ମହକୁମା। ଏଠାରେ ଚାରୋଟି କୋର୍ଟ, କଚେରୀ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସଡିପିଓ ଙ୍କ କାର୍ଯ୍ୟାଳୟ ଓ ଉପଖଣ୍ଡ ଡାକ୍ତରଖାନା ରହିଛି। ଏଠାକୁ ଦୈନନ୍ଦିନ ନେତା ମନ୍ତ୍ରୀ ଓ ଭିଭିଆଇପିଙ୍କ ଆତଯାତ ହୁଏ। ବଂଶଧାରା ନଦୀର ଦୁଇ ପାର୍ଶ୍ବକୁ ନେଇ ଗଠିତ ଏହି ସହର। ଏଣୁ ଏଠାକାର ପରିମଳ ସଫେଇ ଠାରୁ ଆରମ୍ଭ କରି ଆଲୋକ, ପାଣି, ରାସ୍ତାଘାଟ ର ଉନ୍ନତି ସମେତ ଲୋକଙ୍କ ମୌଳିକ ସୁବିଧା ଉପରେ ଧ୍ଯାନ ଦବା ଜରୁରୀ ଏଠି । କିନ୍ତୁ ପୌର ପରିଷଦ ରେ ସବୁବେଳେ ଅସ୍ଥିରତା ଯୋଗୁଁ ସବୁ ନିର୍ବାହୀ ଅଧିକାରୀ ଭଲଭାବେ କାମ କରିବା ପୁର୍ବରୁ ଏଠାରୁ ତାଙ୍କୁ ହଟାଇ ଦିଆଯାଉଥିବା ନଜର ରହି ଆସିଛି।

ବିଶେଷ କରି ଶାସକ ଦଳର ଜୈନକ ନେତା ଏହି ସହରରେ ନିଜର ପତିଆରା ବଢାଇବା ପାଇଁ ଲମ୍ବା ସମୟ ଧରି ପୌର ପରିଷଦ ରେ ଅସ୍ଥିରତା ଶୃଷି କରି ଆସୁଥିବା ବେଳେ ବାରମ୍ବାର ଅନାସ୍ଥା କରାଇବା, ନିର୍ବାହୀ ଅଧିକାରୀ ମାନଙ୍କୁ ବଦଳି କରାଇବା ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସୁଛି । ଯାହା ଫଳରେ ସହରରେ ଜନ ଅଶାନ୍ତି ଶୃଷ୍ଟି ହୋଇ ଶାସକ ଦଳର ଭୋଟ ପ୍ରଭାବିତ ହବାସହ ପୌର ପରିଷଦ ରେ ମଧ୍ୟ ଅସ୍ଥିରତା ଦେଖା ଦେଉଛି। ଏଣୁ ଏବେ ନୂଆକରି ଆସିଥିବା ଏହି ଅଧିକାରୀ ଏସବୁ ପରିସ୍ଥିତିକୁ କିଭଳି ମୁକାବିଲା କରି ସହରର ବିକାଶ ଉପରେ ଧ୍ଯାନ ଦେବେ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି। ଏଠାରେ ଲଗାତର ଭାବରେ ବିଜେଡି ର ପରିଷଦ ଗଠନ ହୋଇ ଆସୁଥିଲେ ହେଁ ଏଥର ପୌର ପରିଷଦ ରେ ପ୍ରଥମ କରି ସିଧା ନିର୍ବାଚନ ହେଲା ଓ ସ୍ବାଧିନ ଗୋଷ୍ଠୀ ହାତକୁ ପରିଷଦ ଗଲା। ଲମ୍ବା ସମୟର କଂଗ୍ରେସ ରାଜ୍ କୁ ହଟାଇ ପ୍ରଥମ କରି ଅଷ୍ମିତା ବାଉରୀ ଏହି ପରିଷଦ ର ଅଧ୍ଯକ୍ଷା ହୋଇଥିଲେ ମଧ୍ୟ ତାଙ୍କୁ ମଧ୍ୟ ଅନାସ୍ଥାକୁ ସାମ୍ନା କରିବାକୁ ପଡିଥିଲା। ତାପରେ ବିଜେଡିର ଶିବ ପ୍ରଶାଦ ଗୌଡ ଅଧ୍ଯକ୍ଷ ହୋଇ ପୁରା ପାଞ୍ଚବର୍ଷ ରହିଥିଲେ। ତାପରେ ବିଜେଡିର କବିତା ଶବର ଅଧ୍ଯକ୍ଷା ହୋଇଥିଲେ ହେଁ ତାଙ୍କୁ ମଧ୍ୟ ଅନାସ୍ଥାର ସାମ୍ନା କରିବାକୁ ପଡିଥିଲା। ସେହିପରି ଗତ ୨୦୧୬ ରେ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ର ଏଠାରୁ ବଦଳି ହୋଇ ଯିବାପରେ ଚରଣ ବେହେରା, ରାମକୃଷ୍ଣ ସାହୁ, ଭାବଗ୍ରାହୀ ସାହୁ, ଉମା ପ୍ରଶାଦ ଦାସ, ସତ୍ଯ ସମ୍ପୁର୍ଣ୍ଣା ରାଉତ, ପ୍ରଭାତୀ ଝୋଡିଆଙ୍କ ଭଳି ୬ ବର୍ଷରେ ୬ଜଣ ନିର୍ବାହୀ ଅଧିକାରୀ ବଦଳିଲେଣି। ଜଣେ ଅଧିକାରୀ ଅଫିସ ସହ ଯୋଡିହବା, ସହରକୁ ଚିହ୍ନିବା, ଲୋକଙ୍କ ସହ ମିଶିବା ଓ ନିଜ ତରିକାରେ ଉନ୍ନୟନ କାର୍ଯ୍ଯକୁ ଆଗକୁ ବଢାଇବା ବେଳକୁ ତାଙ୍କୁ ବଦଳି କରାଯାଉଛି। ଜଣେ ଶାସକ ଦଳର ନେତାଙ୍କ ଦ୍ବାରା ଏଭଳି ବିଭ୍ରାଟ ଦେଖା ଦେଉଥିବା ପ୍ରଚାର ପରେ ଗତ ପୌର ନିର୍ବାଚନରେ ସମସ୍ତ ଚେଷ୍ଟା ପରେବି ଏଠାରେ ଲୋକ ଶାସକ ଦଳପ୍ରତି ବିମୁଖ ହୋଇ ସ୍ବାଧିନ ଗୋଷ୍ଠୀ ପ୍ରତି ଭରଶା ଜୁଟାଇଥିଲେ। ସେହି ସ୍ବାଧିନ ଗୋଷ୍ଠୀ ମଧ୍ୟ ବିଜେଡି ଦଳର ହୋଇଥିବାରୁ ରାଜ୍ଯ ନେତୃବର୍ଗଙ୍କ ତାଙ୍କପ୍ରତି ଶୂଭଦୃଷ୍ଟି ରହିଥିବା କୁହାଯାଉଛି। ଏପଟେ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ପୌର ପରିଷଦ ପାଇଁ ଅନୁକୂଳ ମନୋଭାବ ନେଇ କାମ କରୁଥିବା ଦେଖାଯାଉଛି। ଯାହା ଫଳରେ ରାଜ୍ଯ ସରକାରଙ୍କ ପକ୍ଷରୁ ଏହି ପୌର ପରିଷଦ କୁ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ ହୋଇ ସହରରେ ବିକାଶ କାର୍ଯ୍ଯ ଧୃତ ଗତିରେ ଚାଲିଛି। ଏଭଳି ସ୍ଥିତିରେ ପୁଣି ଏବେ ନିର୍ବାହୀ ଅଧିକାରୀ ବଦଳି ହୋଇଛନ୍ତି। ଉତ୍ସାହର ସହ କାମ କରୁଥିବା ଅଧିକାରୀ ମାନଙ୍କୁ ରାଜନୈତିକ କଳିରୁ ଟାର୍ଗେଟ କରାଯାଇ ବଦଳି କରାଯାଉ ଥିବାରୁ ଏଠାକୁ ନୂଆ ଅଧିକାରୀ ମାନେ ଆସିବାକୁ ଇଛା ପ୍ରକାଶ କରୁନାହାନ୍ତି। ଫଳରେ ସରକାରଙ୍କ ଠାରୁ ଅନୁଦାନ ଆସୁଥିଲେ ମଧ୍ୟ ବିକାଶ ଧାରାରେ ପ୍ରତିବନ୍ଧକ ଶୃଷ୍ଟି ହେଉଛି। ଏବେ ନୂଆକରି ପୌର ପରିଷଦ ରେ ନିର୍ବାହୀ ଅଧିକାରୀ ଦାୟିତ୍ବ ନେଇଥିବା ଅଧିକାରୀ ଜଣଙ୍କ ମଧ୍ୟ ଏଠାକୁ ଆସିବାକୁ ଇଛା ପ୍ରକାଶ ନକରି ଅନ୍ଯତ୍ର ଯିବାକୁ ଚାହୁଁଥିଲେ ମଧ୍ୟ ସରକାର ଙ୍କ କଡା ନିର୍ଦ୍ଧେଶ ନାମା ପରେ ତତ୍କାଳ ଆସି ଦାୟିତ୍ବ ନେଇଥିଲେ। ଏଣୁ ଏଭଳି ସ୍ଥିତିରେ ଏହି ପୌର ପରିଷଦ ରେ କିଭଳି ସ୍ଥିରତା ଆସିବ ଓ ବିକାଶ କାର୍ଯ୍ଯ କିଭଳି ତ୍ବରାନ୍ବିତ ହବ ତା ଉପରେ ସମସ୍ତଙ୍କ ନଜର ରହିଛି।

ଗୁଣପୁର ଡାକ୍ତରଖାନାରେ ପୁଣି ଡାକ୍ତର ମରୁଡି; ବ୍ୟାହତ ହବ ରୋଗୀ ସେବା …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ନୂଆକରି ଗୁଣପୁର ଉପଖଣ୍ଡ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଚାରିଜଣ ଅଭିଜ୍ଞ ଡାକ୍ତର ଦୁଇମାସ ଡ୍ଯୁଟି କରିବା ପରେ ଏବେ ବିଭିନ୍ନ କାରଣ ପାଇଁ ଅନ୍ଯତ୍ର ବଦଳି କରିଛନ୍ତି ରାଜ୍ୟ ସରକାର। ଏମାନଙ୍କ ବଦଳରେ ଏଠି ନୂଆ ଡାକ୍ତର କାହାକୁ ନିଯୁକ୍ତି ମଧ୍ୟ ଦିଆଯାଇ ନାହିଁ। ଫଳରେ ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନାରେ ପୁଣି ପୁର୍ବ ଅବସ୍ଥା ଦେଖାଦେବା ସହ ଡାକ୍ତର ମରୁଡି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଯାହା ଫଳରେ କି ସବୁବେଳେ ରୋଗିଙ୍କ ଭିଡ ଲାଗି ରହୁଥିବା ଏହି ଡାକ୍ତରଖାନାରେ ରୋଗୀସେବା ବ୍ଯାହାତ ହବା ର ସମ୍ଭବନା ତିଆରି ହେଲାଣି। ଦୈନନ୍ଦିନ ଏଠି ୧୫୦ ରୁ ୨୦୦ ରୋଗି ଆଉଟ୍ ଡୋରରେ ଚିକିତ୍ସିତ ହୁଅନ୍ତି । ସେଥିରୁ କେବଳ ସ୍ତ୍ରୀ ରୋଗ ବିଭାଗରେ ୨୦ ରୁ ୩୦ ରୋଗି । ମାସକୁ ୩୦୦ ଟି ଅଲଟ୍ରାସାଉଣ୍ଡ୍ ହେଉଛି। ପାଖାପାଖି ୨୦୦ ଟି ପ୍ରଶବ ସାଙ୍ଗକୁ ୫୦ଟି ଅସ୍ତ୍ରୋପଚାର ରେ ପ୍ରସବ ହେଉଛି। ପାଥୋଲୋଜି ଲେବ୍, ଏକ୍ସରେ, ରକ୍ତ ଭଣ୍ଡାର ଯେଉଁଠି ଦେଖିଲେ ଦିନ ତମାମ ରୋଗିଙ୍କ ଭିଡ ଦେଖାଦିଏ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା ରେ ସବୁବେଳେ ଡାକ୍ତର ଅଭାବ ସମସ୍ଯା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇ ପାରୁନି। ନୂଆ ଡାକ୍ତର ନିଯୁକ୍ତି ହେଲେ ଏହାର ଶ୍ରେୟ ନବାକୁ ରାଜନୈତିକ ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହୁଛି ହେଲେ ସ୍ଥାୟୀ ସମାଧାନ ର ବାଟ ବାହାର କରିବାକୁ କେହି ଆଗକୁ ଆସୁ ନାହାନ୍ତି । ଏକ ପ୍ରକାର ଭଗବାନ୍ ଭରସାରେ ଚାଲିଛି ଏତେବଡ ଡାକ୍ତରଖାନା। ଚାରିଜଣ ଡାକ୍ତରଙ୍କ ବଦଳି ପରେ ଏବେ ପରିସ୍ଥିତି ଏମିତି ହେଲାଣି ଯେ ଏବେ ବଳକା ଥିବା ଡାକ୍ତର ମାନେ ମଧ୍ୟ ଅଧିକ କାର୍ଯ୍ଯଭାର ସମ୍ଭାଳି ନପାରି ବାହାରକୁ ଯିବାକୁ ଗୋଡ କାଢିଲେଣି। ଫଳରେ ଆଉ ମାସକ ମଧ୍ୟରେ ଏହି ଡାକ୍ତରଖାନା ରେ ହାତ ଗଣତି ଜଣେ କି ଦୁଇଜଣ ଡାକ୍ତର ହିଁ ବଳିବେ ବୋଲି ଆଲୋଚନା ଆରମ୍ଭ ହେଲାଣି । ଦୈନନ୍ଦିନ ଏଠି ରୋଗିଙ୍କ ସଂଖ୍ୟା ଯୌଭଳି ବଢି ଚାଲିଛି ସେହି ତୁଳନାରେ ଡାକ୍ତର ଦିଆ ଯାଉନି। ଜଣେ ଡାକ୍ତରଙ୍କୁ ମାସରେ ୮ଥର ନାଇଟ୍ ଡ୍ଯୁଟି କରିବାକୁ ପଡୁଥିବା ବେଳେ ଏହାବାଦ୍ ଦିନର ଡ୍ଯୁଟି, ଆଉଟ୍ ଡୋର ଡ୍ଯୁଟି, ବିଭିନ୍ନ ଓ୍ବାର୍ଡ ରେ ରାଉଣ୍ଡ ଭଳି ଅନ୍ଯାନ୍ଯ କାର୍ଯ୍ଯ ମଧ୍ୟ କରିବାକୁ ପଡୁଛି। ଏହି ଉପଖଣ୍ଡ ଡାକ୍ତରଖାନାରେ ସର୍ବମୋଟ ୧୮ ଟି ଡାକ୍ତର ପଦବି ରହିଛି। ହେଲେ ସେଥି ମଧ୍ୟରୁ ସ୍ଥାୟୀ ଓ ଡେପୁଟେସନ ମିସାଇ ମୋଟ ୧୧ଜଣ ଡାକ୍ତର ହିଁ ଏଠି ଅଛନ୍ତି ଏବେ । ଏଠି ପାଞ୍ଚଜଣ ଏଲଟି.ଆର.ଏମ.ଓ ପୋଷ୍ଟ ରହିଛି। ଯୌଥିରେ ଜୁନିଅର କ୍ଲାସ ୧ ଡାକ୍ତର ମାନେ ନିଯୁକ୍ତି ହୋଇଥାନ୍ତି। ୧୦ଟି ସିନିୟର ମେଡିକାଲ ଅଫିସର ପଦବୀ ରହିଛି। ଜୁନିଅର ଡାକ୍ତର ପଦବି ଦୁଇଟି ରହିଛି ଓ ଗୋଟିଏ ମେଡିକାଲ ସୁପରିଟେଣ୍ଡେଣ୍ଟ ପଦବି ରହିଛି। ଏହା ବାବଦରେ ଏଠି ଜଣେ ମେଡିକାଲ ସୁପରିଟେଣ୍ଡେଣ୍ଟ ଙ୍କ ସମେତ ମାତ୍ର ୧୦ ଜଣ ଡାକ୍ତର ଅଛନ୍ତି। ଯେଉଁ ମାନଙ୍କ ମଧ୍ୟରୁ ଅନେକ ଚାପଗ୍ରସ୍ତ ହୋଇ ଏହି ମାସ ଶେଷସୁଦ୍ଧା ଗୁଣପୁର ଛାଡୁଥିବା ସୂଚନା ଆସି ପହଞ୍ଚିଛି। ଏବେ ନୂଆକରି ନିଯୁକ୍ତି ପାଇଥିବା ଭେଷଜ ବିଶେଷଜ୍ଞ ଡଃ. ଜିତେନ୍ଦ୍ର କୁମାର ପାଣିଗ୍ରାହୀ, ନିସ୍ତେଜକ ବିଶେଷଜ୍ଞ ଡଃ ସିଓ୍ବାଙ୍ଗି ମାହୋତୋ ଓ ଅଶ୍ତିସଲ୍ଯ ବିଶେଷଜ୍ଞ ଡଃ. ଅଭିଶେଖ ମିଶ୍ରଙ୍କୁ ଅଧିକ ଅଧ୍ୟୟନ ପାଇଁ ବ୍ରହ୍ମପୁର ଏମକେସିଜି କୁ ବଦଳି ହୋଇଥିବା ବେଳେ ଅସ୍ତ୍ରୋପଚାର ବିଶେଷଜ୍ଞ ଡଃ. ସମରେନ୍ଦ୍ର ଶତପଥିଙ୍କୁ ବୁର୍ଲା ବଦଳି ହୋଇଛି। ଏହାପରେ ସର୍ଜରୀ ପାଇଁ ଥିବା ଆଉଜଣେ ବିଶେଷଜ୍ଞ ଜଣଙ୍କ ଡଃ ରମେଶ ସାହୁ ମେଡିକାଲ ସୁପରିଟେଣ୍ଡେଣ୍ଟ ଦାୟିତ୍ବ ରେ ଅଛନ୍ତି ଏଣୁ ତାଙ୍କ ପକ୍ଷରେ ରୋଗି ଚିକିତ୍ସା ସମ୍ଭବ ହେଉନଥିଲେ ମଧ୍ୟ ଆଉଟ୍ ଡୋର୍ ରେ ରୋଗିଭିଡ ଓ ଡାକ୍ତର ଅଭାବକୁ ଦେଖି ସେ ଅନେକ ସମୟରେ ଆଉଟ୍ ଡୋର୍ ରେ ବସି ରୋଗି ଚିକିତ୍ସା କରୁଥିବା ଦେଖାଯାଏ। ଏହାପରେ ସ୍ତ୍ରୀରୋଗ ର ଦୁଇ ବିଶେଷଜ୍ଞ ଡଃ. ସନ୍ଦିପ ସ୍ବାଇଁ, ଡଃ. ପ୍ରଦିପ କୁମାର ପଣ୍ଡାଙ୍କ ସମେତ ଆଉ ୬ଜଣ ଡାକ୍ତର ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଏମବିବିଏସ ଡାକ୍ତରଙ୍କ ବାହାଘର ପାଇଁ ସେ ଅତିଶିଘ୍ର ଚାଲିଯାଉ ଥିବା ବେଳେ ଦୁଇଦିନ ତଳେ ନିଯୁକ୍ତି ପାଇଥିବା ଆଉଜଣେ ଡାକ୍ତର ମଧ୍ୟ ଏଠାରୁ ଅନ୍ଯତ୍ର ଚାଲିଯିବେ ବୋଲି ସୂଚନା ପହଞ୍ଚିଛି। ଯାହା ଫଳରେ ଅତିଶିଘ୍ର ହାତ ଗଣତି ଡାକ୍ତରଙ୍କୁ ନେଇ ଏହି ଡାକ୍ତରଖାନା ଚାଲିବ। ଦୈନନ୍ଦିନ ଶତାଧିକ ରୋଗୀ ଚିକିତ୍ସା ହେଉଥିବା ସ୍ଥାନରେ ଏଭଳି ଡାକ୍ତର ମରୁଡି ଦେଖାଦେଇ ଥିବା ବେଳେ ଷ୍ଟାଫନର୍ସ ୧୩ଟି, ଏକ୍ସରେ ଟେକ୍ନିସିଆନ ଗୋଟିଏ, ଲେବ୍ ଟେକ୍ନିସିଆନ୍ ୨ଜଣ ଖାଲି ଅଛନ୍ତି। ସେମାନଙ୍କ ଭିତରେ ହିଁ ନାଇଟ୍ ଡ୍ଯୁଟି, ଡେ ଡ୍ଯୁଟି, ଲେବର ରୁମ୍ ଡ୍ଯୁଟି, ଓ୍ବାର୍ଡ ଡ୍ଯୁଟି, ଓଟି ଡ୍ଯୁଟି ସବୁ ବଣ୍ଟା ଯାଉଛି। ମାନେ ରାତି ଓ ଦିନକୁ ଦୁଇଭାଗ କଲେ ସବୁ ସମୟରେ ମାତ୍ର ୮ଜଣ ଷ୍ଟାଫନର୍ସ ଦ୍ବାରା ଏଠିକା ଚିକିତ୍ସା ବ୍ଯବସ୍ଥା ଚାଲିଛି । ଅନେକ ସମୟରେ ଡାକ୍ତର କେହି ନଥିବେ, ଷ୍ଟାଫନର୍ସ ଅନ୍ଯ ରୋଗିଙ୍କ ନିକଟରେ ଥିବେ ଏପଟେ ରୋଗିର ଛଟପଟ ଅବସ୍ଥାରେ ତାଙ୍କ ସହିତ ଥିବା ଲୋକର ଆକୁଳ ମିନତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଟିକେ ଇଞ୍ଜେକସନ୍ ଟିଏ ଦବାପାଇଁ କିମ୍ବା ବିପି ଦେଖିବାକୁ ହେଉକି, ସାଲାଇନ୍ ପାଇପ୍ ବାହାର କରିବାକୁ ଲୋକେ ଧାଁ ଦୌଡ ହେଉଥିଲେ ମଧ୍ୟ କେହି ନଥିବେ। ପ୍ରଶବ ପାଇଁ ଜନ୍ତ୍ରଣା ରେ ଛଟପଟ ହେଉଥିଲେ ମଧ୍ୟ ଦାୟିତ୍ବ ରେ ଥିବା ଜଣେ ଡାକ୍ତର ଅନ୍ଯ ରୋଗିଙ୍କ ପ୍ରଶବରେ ବ୍ଯସ୍ତଥିଲେ ଆଉକିଛି ଉପାୟ ନାହିଁ। ସେମିତି ପଡିଥିବା କଥା। ଏତେ ସଙ୍ଗିନ ଅବସ୍ଥା ସତ୍ବେ ଏଠିର ଅବସ୍ଥା ପ୍ରତି କୌଣସି ଲୋକ ପ୍ରତିନିଧି, ନେତା, ଅଫିସର କେହି ମଧ୍ୟ ମୁଣ୍ଡ ଖେଳାଉ ନାହାନ୍ତି। ଏଣୁ ଏଭଳି ଏକ ସଙ୍ଗିନ ସମସ୍ଯା ପ୍ରତି ଜିଲ୍ଲା ପ୍ରଶାସନ ନଜର ଦବାକୁ ଦାବି ହେଉଛି।