ଗୁଣୁପୁର ମହା ବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ପାଳିତ ; ୨୨ୟୁନିଟ୍ ରକ୍ତ ସଂଗୃହୀତ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣୁପୁର) – ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ନଂ ୧ ଓ ୨ ଦ୍ବାରା ଆଜି ଗୁଣପୁର ରକ୍ତ ଭଣ୍ଡାରଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଶଶୀ ଭୂଷଣ ମହାନ୍ତି ଉଦ୍ଘାଟନ କରିଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରି ସୁଶ୍ରୀ ଦେବୀଶ୍ରୀ ମହାପାତ୍ର ଏହି ଶିବିରକୁ ପରିଚାଳନା କରିଥିଲେ। ଏହି ଶିବିରରେ ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା | ରକ୍ତ ଭଣ୍ଡାରର ଡଃ ଅଶ୍ଵିନୀ ଦାସ, ଲ୍ୟାବ ଟେକ୍ନିସିଆନ ସୁରୁଚିରାଣୀ ପ।ତ୍ର ଓ ଚନ୍ଦ୍ର ଶେଖର ପାତ୍ର ଉପସ୍ଥିତ ରହି ଜାତୀୟସେବା ଯୋଜନାର ସ୍ୱେଚ୍ଛାସେବୀଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଜାତୀୟ ସେବା ଯୋଜନାର ଉପଦେଷ୍ଟା ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ଓ ଅଧ୍ୟାପକ ତାମିଲା ପାରାସେଟ ଉପସ୍ଥିତ ରହି ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ । ରାହୁଲ,ପ୍ରଭାକର, ବିଷ୍ନୁ,ଦୀନେଶ,ସାଗର, ସମୀର,ରଞ୍ଜନ,ରୋହିତ୍ ରଞ୍ଜନ,ରାଜା,ଶେଖର,ହେମନ୍ତ,ନିରଞ୍ଜନ,ଧର୍ମେନ୍ଦ୍ର,କୃଷ୍ଣ,ରବୀନ୍ଦ୍ର,ସଂଗ୍ରେସ,ପ୍ରମୁଖ ରକ୍ତ ଦାନ କରିଥିଲେ।

ଡମ୍ବସରା ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଡମ୍ବସରା ରେ “ସହଭାଗୀ ରୂପେ ଅଭିଭାବକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦଳେଇ, ଗୁଣପୁର ଆଇଟିଡିଏ ର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ , ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଗଙ୍ଗାଧର ବେହେରା , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଗୁଣପୁର ,ଶ୍ରୀଯୁକ୍ତ ସ୍ୟାମଘନ ଭୁୟାଁ ମଙ୍ଗଳ ଶିକ୍ଷାଧୀଶ, ରାୟଗଡ଼ା , ସମାଜସେବୀ ସୁଶ୍ରୀ ରାଜେଶ୍ଵରୀ ଦଳାଇ ଓ ସମାଜସେବୀ ତଥା ଓକିଲ ରମେଶ ଚନ୍ଦ୍ର ଲିମା, ଶ୍ରୀ ଲକ୍ଷ୍ମୀକାନ୍ତ ସେନାପତି ଓ ଶ୍ରୀ ବିଜୟ ସେନାପତି, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସନ୍ତୋଷି ଶବର ଓ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ସେମ ଗମଙ୍ଗୋ ପ୍ରମୁଖ ମଞ୍ଚାସୀନ ଥିଲେ। ନୋଡାଲ ଅଫିସର ଶ୍ରୀ ବେହେରା କାର୍ଯକ୍ରମର ଉଦ୍ଦେଶ୍ୟ ଓ ହଷ୍ଟେଲରେ ରହି ପଢୁଥିବା ଛାତ୍ରୀମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ସୁବିଧା ଉପରେ ଆଲୋକପାତ କରିଥିଲେ।ମୁଖ୍ୟ ଅତିଥି ଛାତ୍ରୀ ମାନଙ୍କ ଶିକ୍ଷାର ଉନ୍ନତି ନିମନ୍ତେ ପିତାମାତା ଓ ଅଭିଭାବକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

ଓକିଲ ତଥା ସମାଜସେବୀ ରମେଶ ଲିମା ନିଜ ବକ୍ତବ୍ୟରେ ଶିକ୍ଷା ଆଇନ୍ ସମ୍ବନ୍ଧରେ କହିବା ସହ ପିତାମାତା ପିଲାମାନଙ୍କୁ ଶିକ୍ଷାରୁ ବଞ୍ଚିତ କଲେ ଆଇନରେ ଦଣ୍ଡ ବିଧାନ ଅଛି ବୋଲି କହିଥିଲେ। ଆଉ ମଧ୍ୟ ସରକାରଙ୍କ ଦ୍ଵାରା ମାଗଣା ଡାକ୍ତରୀ ଓ ଇଞ୍ଜିିନିୟରିଙ୍ଗ୍ ପାଠ ପଢିବା ପାଇଁ ସୁବିଧା ଅଛି ବୋଲି କହିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଭରତ ଭୂଷଣ ବିଶ୍ଵାଳ ଯୋଗ ଦେଇ ଛାତ୍ରୀମାନଙ୍କୁ ହଷ୍ଟେଲରେ ରହଣି କାଳରେ ଖେଳକୁଦ ଓ ନାଚଗୀତ ସହ ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିବା ସଙ୍ଗେ ସଙ୍ଗେ ଭଲ ପାଠ ପଢିବାକୁ ପରାମର୍ଶ ଦେଇଥିଲେ।ସେ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ “ସମୃଦ୍ଧ ଓଡିଶା” ଗୀତର ଶୁଭ ଉନ୍ମୋଚନ କରିଥିଲେ।କାର୍ଯକ୍ରମ କୁ ଶିକ୍ଷକ ମନୋଜ କୁମାର ତୁଳ ପରିଚାଳନା କରିଥିଲେ ଓ ଶିକ୍ଷକ ସୁନିଲ କୁମାର ଗୌଡ ଧନ୍ୟବାଦ୍ ଦେଇଥିଲେ।ପରିଶେଷରେ ଛାତ୍ରୀମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା ଓ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ଅନ୍ୱେଷା ଛାତ୍ରୀ ନିବାସରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଵିକ୍ରମପୁର ଅନ୍ୱେଷା ଛାତ୍ରୀ ନିବାସ ଠାରେ ଆଜି ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ଆନୁକୁଲ୍ୟରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ଵାଳ ଯୋଗଦେଇ ଅଭିଭାବକ ମାନଙ୍କୁ ସେମାନଙ୍କର ଦାୟିତ୍ୱ ସମ୍ବନ୍ଧରେ କହିଥିଲେ । ପିଲାଟିକୁ ଛାତ୍ରୀ ନିବାସରେ ଛାଡିଦେଲେ ପିତାମାତା ମାନଙ୍କ ଦାୟିତ୍ୱ ସରିଯାଏ ନାହଁ , ପିଲାଙ୍କ ବିକାଶରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଯେତିକି ଦାୟିତ୍ଵ ରହିଛି ଅଭିଭାବକ ମାନଙ୍କର ମଧ୍ୟ ସେତିକି ଦାୟିତ୍ଵ ରହିଲେ ହଁ ଛାତ୍ରଛାତ୍ରୀ ମାନଙ୍କ ବିକାଶ ସମ୍ଭବ ହୋଇପାରିଵ ତେଣୁ ଅଭିଭାବକ ମାନଙ୍କ ସହଯୋଗ କାମନା କରିଥିଲେ ।

 

ଏକଲବ୍ୟ ସ୍କୁଲର ପ୍ରଧାନଶିକ୍ଷକ ଅନନ୍ତ କୁମାର ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଏହି ଅନ୍ୱେଷା ଯୋଜନାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଯୋଜନା ଦ୍ଵାରା ଉପାନ୍ତ ଅଞ୍ଚଳର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ପିଲାମାନେ ବିନା ମୂଲ୍ୟରେ ବିଭିନ୍ନ ବେସରକାରୀ ସ୍କୁଲରେ ସି ବି ଏ ସି ପାଠ ପଢ଼ିବାର ସୁଯୋଗ ପାଇପାରୁଛନ୍ତି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଗୁଣପୁର ବ୍ଲକ ଏକାଉଣ୍ଟ୍ ଅଫିସର ଉମାକାନ୍ତ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମାଳତୀପୁର ସେବା ଆଶ୍ରମର ପ୍ରଧାନ ଶିକ୍ଷକ ମୋହନ କର୍ମେରିକ ଯୋଗ ଦେଇଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ଏମ୍ ପାୱାର ପବ୍ଲିକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପି ଶାନ୍ତି, ଅନ୍ୱେଷା ଛାତ୍ରୀ ନିବାସର ସୁପରିଟେଣ୍ଡେଣ୍ଟ ସିଲା ଶ୍ରୀନିବାସ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଗୁଣପୁର ନିର୍ବାଚନମଣ୍ଡଳୀ ରେ ୨୨୩ ଗାଁକୁ ନାହିଁ ରାସ୍ତା;୩୮ ପଞ୍ଚାୟତ ର ୧୧ ହଜାର ଲୋକେ ପ୍ରଭାବିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗାଁ ରାସ୍ତାକୁ ନେଇ ଆସିଛି ଆଶ୍ଚର୍ଯ୍ୟଜନକ ଚିତ୍ର। ପଞ୍ଚାୟତ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତି, ଆଇଟିଡିଏ, ଗ୍ରାମ୍ଯ ନିର୍ମାଣ ଭଳି ଏକାଧିକ ବିଭାଗ ଗାଁ ରାସ୍ତା ଗୁଡିକ ରିତିମତ ତିଆରି କରି ଚାଲିବା ପରେ ମଧ୍ୟ ଆହୁରି ଶତାଧିକ ଗାଁ କୁ ରାସ୍ତା ନାହିଁ। ଏହି ଚିତ୍ର ହେଉଛି ରାୟଗଡା ଜିଲ୍ଲା ଗୁଣପୁର ନିର୍ବାଚନମଣ୍ଡଳୀ ର ବିଭିନ୍ନ ଦୁର୍ଗମ ଇଲାକାର। ଏଭଳି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେଉଁଠି ଏକାଧିକବାର ରାସ୍ତା ହେଉଥିବା ଦେଖାଯାଉଛି ତ ଆଉ କେଉଁଠି ରାସ୍ତା ଉପରେ ରାସ୍ତା ହେଉଥିବା ଅଭିଯୋଗ ଆସୁଛି। ତାପରେ ବି ନିର୍ବାଚନମଣ୍ଡଳୀ ର ସବୁ ଗାଁ କୁ ରାସ୍ତା ନଥିବା ଭଳି ଗୁରୁତର ଖବର ଆସିକି ପହଞ୍ଚିଛି। ଆଉ କେତେକ ଅଞ୍ଚଳରେ ରାସ୍ତା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବ କାରଣରୁ ମରଣଯନ୍ତା ପାଲଟିଛି। ଏମିତି ଏକ ରାସ୍ତା ହେଲା ଗୁଣପୁର ବ୍ଲକ ଅନ୍ତର୍ଗତ ଘନାନ୍ତ୍ରୀ ପଞ୍ଚାୟତର ତରାମାଳ ଠାରୁ ଗଙ୍ଗାପୁର ରାସ୍ତା। ଏହାର ଅବସ୍ଥା ଶୋଚନୀୟ ହୋଇଥିବାରୁ ତିନୋଟି ପଞ୍ଚାୟତବାସୀ ଏଥିରେ ପ୍ରଭାବିତ ହେଉଥିବା ବେଳେ ଏହି ପାଞ୍ଚ କିଲୋମିଟର ମୁଖ୍ୟ ରାସ୍ତା ଏବେ ଅଞ୍ଚଳବାସୀଙ୍କ ପାଇଁ କାଳ ସାଜିଛି । ପ୍ରତିଦିନ ଏହି ରାସ୍ତାରେ ଛୋଟବଡ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ଶତାଧିକ ଛାତ୍ର ଛାତ୍ରୀ ପ୍ରତିଦିନ ଏହି ରାସ୍ତାଦେଇ ସ୍କୁଲ ଯିବାଆସିବା କରିଥାନ୍ତି ।

ବର୍ଷା ହୋଇଗଲେ ଏ ରାସ୍ତା ଦେଇ ସ୍କୁଲ ଯିବା ସମ୍ଭବ ହେଉନାହିଁ। ଏପରିକି ଆମ୍ବୁଲାନ୍ସ ମଧ୍ୟ ଠିକଭାବେ ଗ୍ରାମରେ ପହଞ୍ଚି ପାରୁନାହିଁ ‌। ଏ ଅଞ୍ଚଳର ଜନସାଧାରଣ ପ୍ରଶାସନ ଠାରୁ ଆରମ୍ଭ କରି ନେତା , ମନ୍ତ୍ରୀ ସମସ୍ତଙ୍କୁ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ଏକ ଠିକା ସଂସ୍ଥା ରିତିମତ ଟିପର ସାହାଯ୍ୟରେ ବେଆଇନ ଭାବେ ଦିନ ରାତି ଏହି ରାସ୍ତା ଦେଇ ପଥର , ମେଟାଲ , ଚିପସ୍ ଚାଲାଣ କରୁଥିବାରୁ ରାସ୍ତାର ଅବସ୍ଥା ଏପରି ଶୋଚନୀୟ ହୋଇପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଭଳି ସବୁ ବ୍ଲକରେ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇ ପଡିଥିବା ଏକାଧିକ ରାସ୍ତା ରହିଛି। ସେପଟେ ମୋଟେ ରାସ୍ତା ନଥିବା ଅଞ୍ଚଳ ମଧ୍ୟ କିଛି କମ୍ ନୁହେଁ। ଅନୁସନ୍ଧାନ ରୁ ମିଳିଥିବା ତଥ୍ୟ ମୁତାବକ ଗୁଣପୁର ନିର୍ବାଚନମଣ୍ଡଳୀ ର ଗୁଡାରୀ ବ୍ଲକର ୭ଟି ପଞ୍ଚାୟତ, ଚନ୍ଦ୍ରପୁର ବ୍ଲକର ୮ଟି ପଞ୍ଚାୟତ, ପଦ୍ମପୁର ବ୍ଲକର ୮ଟି ପଞ୍ଚାୟତ, ଗୁଣପୁର ବ୍ଲକର ୯ଟି ପଞ୍ଚାୟତ ଓ ରାମନାଗୁଡା ବ୍ଲକର ୯ଟି ପଞ୍ଚାୟତ ର ୨୨୩ଟି ଗାଁ କୁ ପକ୍କା ରାସ୍ତା ନାହିଁ। କେଉଁଠି ପାଦଚଲା ରାସ୍ତା ଅଛିତ ଆଉ କେଉଁ ଗାଁ କୁ ମୋଟେ ରାସ୍ତା ନାହିଁ। ଏଥିପାଇଁ ପ୍ରାୟ ୧୧ ହଜାରରୁ ଉର୍ଦ୍ଧ ଲୋକେ ପ୍ରଭାବିତ ହେଉଥିବା ଜଣାପଡ଼ିଛି। ଏସବୁ ଗାଁ ପାଇଁ ୭୫୨.୬୦ କିମି ରାସ୍ତା ନିର୍ମାଣ ହବା ଆବଶ୍ୟକ ରହିଛି। ତେବେ ସରକାର ଙ୍କ ନିକଟରେ ଏନେଇ ଖବର ପହଞ୍ଚିବା ପରେ ଏହାକୁ ୫ଟି ବିଭାଗ ଗୁରୁତର ଭାବେ ନେଇଥିବା ଜଣାପଡିଛି। ଏହି ୭୫୨ କିମି ରାସ୍ତା ନିର୍ମାଣ କରି ସବୁ ଗାଁ ଅପହଞ୍ଚ ମୁକ୍ତ କରିବାକୁ ଯୋଜନା ଆରମ୍ଭ ହୋଇଥିବା ଜଣାପଡିଛି। ଅନ୍ଯପକ୍ଷେ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇ ପଡିଥିବା ଗୁଣପୁର ଅଞ୍ଚଳର ତରାମାଳ ଗଙ୍ଗାପୁର ରାସ୍ତା ସମେତ ଚାରୋଟି ରାସ୍ତାର ମରାମତି ପାଇଁ ୨୬ ଲକ୍ଷ ଟଙ୍କାର ଟେଣ୍ଡର ପ୍ରକ୍ରିୟା ଚାଲିଥିବା ବିଭାଗୀୟ ସୁତ୍ରରୁ ଜଣାଯାଇଛି।