ପୁଟାସିଂ ଅଞ୍ଚଳ ଉନ୍ନୟନ ପରିଷଦର ବୈଠକ ; ଲାଞ୍ଜିଆ ସୌରାଙ୍କ ୭ଟି ପଞ୍ଚାୟତକୁ ନିଶାମୁକ୍ତ ଅଞ୍ଚଳ ଘୋଷଣା ଦାବି…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ବିରଳ ଜନଜାତି ଲାଞ୍ଜିଆ ସୌରା ମାନେ ବସବାସ କରୁଥିବା ୭ଟି ପଞ୍ଚାୟତ ଗୁଡିକୁ ନିଶାମୁକ୍ତ ଅଞ୍ଚଳ ଘୋଷଣା କରିବା ଦାବିରେ ଆଜି ଏକିଠି ହୋଇଥିଲେ ଏହି ପ୍ରଜାତିର ସୌରା ମାନେ। ବହୁବର୍ଷ ହେଲା ଗୁଣପୁର ବ୍ଲକର ଜଲତାର, ଟଲଣା, ପୁଟାସିଂ, ଶଗଡା, ଆବଡା, ଚିନ୍ନାସାରି ଓ କୁଲୁସିଂ ପଞ୍ଚାୟତ ରେ ଲାଞ୍ଜିଆ ମାନେ ନିଶାଦ୍ରବ୍ଯକୁ ବର୍ଜନ କରିଛନ୍ତି। ବିଶେଷ କରି ଏଥିପାଇଁ ସ୍ଥାନୀୟ ଅଞ୍ଚଳର ମହିଳା ମାନେ ଏହାର ନେତୃତ୍ବ ନେଇ ସଚେତନତା ଜାରି ରଖିଛନ୍ତି। ଏ ସମ୍ପର୍କରେ ଏକ ବିଶୃତ ରିପୋର୍ଟ ଗତ ୧୨ ତାରିଖରେ ପ୍ରମେୟ ରେ ଲାଞ୍ଜିଆ ଅଞ୍ଚଳରେ ନିଶାକୁ ‘ନା’ ଶିର୍ଷକରେ ଖଭର ପ୍ରକାଶ ପାଇଥିଲା। ଏହାପରେ ଏହି ଆଦିମ ଜନଜାତି ମାନେ ନିଶାମୁକ୍ତ ଅଞ୍ଚଳ ଘୋଷଣା କରିବାକୁ ଦାବି। ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ଅଞ୍ଚଳ ଉନ୍ନୟନ ପରିଷଦ ର ସାଧାରଣ ବୈଠକରେ ଏହି ଦାବିକୁ ଯୋର କରାଯାଇଛି । ବ୍ଲକର ଭୀମପୁର ପଞ୍ଚାୟତ ଅଧିନସ୍ଥ ଦୀନବନ୍ଧୁପୁର ଠାରେ ଆୟୋଜିତ ବୈଠକରେ ୧୪ ଗୋଟି ଦାବି ସମ୍ପର୍କରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା। ନିଶାମୁକ୍ତ ଅଞ୍ଚଳ ଦାବି ସମେତ ଗୁଡିକ ଗୁଣପୁର ବ୍ଲକର ୯ଟି ପଞ୍ଚାୟତକୁ ନେଇ ନୂତନ ପଞ୍ଚାୟତ ଗଠନ, ଚାଲକମ୍ବା ଗ୍ରାମ ସ୍ଥିତ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଭୟା ଭୀମପୁର ପଞ୍ଚାୟତ ଦେଇ ପଡୋଶୀ ଗଜପତି ଜିଲ୍ଲା ପର୍ଯ୍ୟନ୍ତ ପ୍ରଶସ୍ତି କରଣ ରାସ୍ତା ନିର୍ମାଣ କରାଯିବା, ଡମ୍ବସରା ସ୍ଥିତଯୁକ୍ତ ୨ ମହାବିଦ୍ୟାଳୟ ନବନିର୍ମିତ ହଷ୍ଟେଲ ପ୍ରଚଳନ କରିବା, ପୁଟାସିଂ ଠାରେ ଯୁକ୍ତ ୨ କଲେଜ ସ୍ଥାପନ ଏବଂ ମେଡ଼ିକାଲ ପରିସରରେ ଶବ ବ୍ୟବଛେଦ ଗୃହକରିବା ସହ ରାଷ୍ଟ୍ରାୟତ ବ୍ୟାଙ୍କ ସ୍ଥାପନ କରିବା, ଭୀମପୁର ଓ ଟିଟିମିରି ଗ୍ରାମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା, ଜଳତାର ପଞ୍ଚାୟତ ରେ ଥିବା ରାଜସ୍ୱ କାର୍ଯ୍ୟାଳୟକୁ ୩ଭାଗ ରେ ବିଭକ୍ତ କରିବା, ଅପହଞ୍ଚ ଇଲାକାରେ ମୋବାଇଲ ନେଟୱର୍କ ସ୍ଥାପନ କରିବା, ଚାଷୀଙ୍କ ସୁବିଧା ନିମନ୍ତେ ଗୁଣପୁର ଲ୍ୟାମ୍ପ କୁ ୨ ଭାଗ କରିବା , କରାଯିବା ଆଦି ବିଷୟ ଗୁଡିକ ଉପରେ ଆଲୋଚନା କରାଯାଇଥିଲା। ଦାବି ସମୂହ ଗୁଡିକୁ ବହୁବାର ବ୍ଲକ ପ୍ରଶାସନ ଠାରୁ ଜିଲ୍ଲାପଲଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଉକ୍ତ ବୈଠକରେ ପରିଷଦର ସଭାପତି ମାଥ୍ୟୁ ଦଳବେହେରା, ସମ୍ପାଦକ ଇନାନ ଶବର, ଜିଲା ପରିଷଦ ସଭ୍ୟ ଇଗାନ ଗମାଙ୍ଗ, ପୂର୍ବତନ ଜିଲାପରିଷଦ ସଭ୍ୟା ଲକ୍ଷ୍ମୀ ଶବର, ଦାମୋଦର ଶବର ଙ୍କ ସମେତ ପରିଷଦର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ଗୁଣପୁରରେ ମାଟିମୁର୍ତ୍ତି ପଟର ଚାହିଦା ବଢିଲା…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ଗୁଣପୁର ସହରରେ ଏଥର ଶତାଧିକ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହେଉ ଥିବାରୁ ସହର ଏବେ ଉତ୍ସବ ମୂଖର । ସ୍ଥାନୀୟ ଶାନ୍ତି ନଗରରେ ଘୋଡା ଟାଣୁଥିବା ରଥ ଉପରେ ଠାକୁର ବସିଥିବା ମୁ୍ର୍ତ୍ତି ପୂଜା ପାଉଥିବା ବେଳେ ନିଳାଦ୍ରୀ ବିହାରରେ ମଧ୍ୟ ବହୁବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଗଣେଶ ପୂଜା ଏଥର ମହାଆଡମ୍ବର ସହକାରେ ଅନୁଷ୍ଠିତ ହେଉଛି। ଜେଜେ ଛକରେ ବିଭିନ୍ନ ଦେବାଦେବୀ ଗଣେଶଙ୍କୁ ଅସ୍ତ୍ର ଦେଉଥିବା ଭଳି ସଜେଇ ଗଣେଶଙ୍କ ମୂର୍ତ୍ତି ତିଆରି ହୋଇଛି। ଏଠାରେ ପ୍ରତେକ ବର୍ଷ ଏହି ପୂଜା ଶୃଙ୍ଖଳିତ ଢଙ୍ଗରେ ହୋଇ ଆସୁଛି। ଗୁଡଲା ସନ୍ତୋଷ, ରେଗୁଲାର ସମ୍ପଦ, ଟୁକୁନା ପୂଜାରୀ ପ୍ରମୁଖଙ୍କ ଦ୍ବାରା ପରିଚାଳିତ ହେଉଛି ଏହି ପୂଜା। ଏହିପରି ପାଲିଆ ଢେପରେ ପ୍ରତେକ ବର୍ଷ ଭଳି ଏଥର ମଧ୍ଯ ଭି. ଗୌରୀ ଶଙ୍କର ରାଓ, କୈଳାସ ମଣ୍ଡଳ, ବବଲୁ ପାଣିଗ୍ରାହୀ, ଜି. ରାଜ୍, ସୋନ୍ତଷ ଗୌଡ, ମନୁ ମିଶ୍ର ପ୍ରମୁଖ ପରିଚାଳନା କରି ଗଣେଶ ପୂଜା କରୁଛନ୍ତି। ଗ୍ରାମଦେବୀ ମାଙ୍କ ଛକରେ ୧୧ ବର୍ଷ ଧରି ଚାଲିଥିବା ଗଣେଶ ପୂଜା ଏଥର ୧୨ ବର୍ଷରେ ପହଞ୍ଚିଛି। ଏଥର ଏଠାରେ ଚାନ୍ଦ ପାଳ, ସନ୍ଦିପ ପାଣିଗ୍ରାହୀ, ସୁନୀଲ ପାତ୍ର, ଗାନ୍ଧୀ, ରେମନ ବର୍ଦ୍ଧନ, ଶ୍ରଦ୍ଧା ପଣ୍ଡା, ଗେମ୍ବେଲି ସାବରିସ, ପ୍ରିତମ ମାଝୀ ଓ ଶିବ ସାହୁ ପ୍ରମୁଖ ୧୨ ତମ ପୂଜା ପାଳନ କରୁଛନ୍ତି। ବିରାଟ ହାତୀ ମୁଣ୍ଡ ସମ୍ମୁଖରେ ଠାକୁର ପୂଜା ପାଉଛନ୍ତି। ଯାହାକି ଆକର୍ଷଣୀୟ ହୋଇଛି। ସେହିପରି ବାକିଟି ସାହି, ପାଇକ ସାହି, ବ୍ରାହ୍ମଣ ସାହି, ପୁରୁଣା ବସଷ୍ଟାଣ୍ଡ, ପୁରୁଣା ବଜାର, ଜୈଲପେଟା, କୁମୁଟି ସାହି, ବେବର୍ତ୍ତା ସାହି, କଟିକା ସାହି, କରଣ ସାହି, ପୁରୁଣା ଗୁଣପୁର, ମତିଲାଲନଗର ଇତ୍ଯାଦି ସ୍ଥାନରେ ଗଣେଶ ପୂଜା ପାଉଛନ୍ତି। ବାଉରୀ ସାହିରେ ଏକାଧିକ ସ୍ଥାନରେ ମଧ୍ୟ ପୂଜା ପାଉଛନ୍ତି। ତେବେ ଏଥର ପ୍ଲାଷ୍ଟର ପେରିସ ରେ ତିଆରି ମୁ୍ର୍ତ୍ତି ଠାରୁ ମାଟିମୁର୍ତ୍ତି ରେ ତିଆରି ମୃନମୟୀ ମୁ୍ର୍ତ୍ତି ଅଧିକ ସଂଖ୍ଯାରେ ପୂଜା ପାଉଥିବା ଦେଖିବାକୁ ମିଳିଛି। ଲୋକେ ମାଟି ମୁ୍ର୍ତ୍ତି କୁ ଅଧିକ ପସନ୍ଦ କରିଥିବା ବେଳେ ପ୍ଲାଷ୍ଟର ପେରିସ ତିଆରି ମୁ୍ର୍ତ୍ତି ପରିବେଶ ପାଇଁ ହାନିକାରକ ହୋଇଥିବା ଓ ପାଣିରେ ମିଳେଉନଥିବାରୁ ମାଟିମୁର୍ତ୍ତି କାରିଗରଙ୍କ ଚାହିଦା ଅଧିକ ଦେଖିବାକୁ ମିଳିଛି ।