ଜୟପୁର ଠାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ।

!!! ଜୟପୁର ରୁ ପ୍ରବୀର ପାତ୍ର ଙ୍କ ରିପୋର୍ଟ୍  !!!

 ଏଥର ସମ୍ଭାଳ (ଜୟପୁର) – କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ଏବଂ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ଼ ଙ୍କ ଦ୍ୱାରା ମିଳିତ ଆନୁକୂଲ୍ୟରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଜୟପୁର ସହର ସ୍ଥିତ ପଞ୍ଚାନନ ମନ୍ଦିର ନିକଟରେ କୋରାପୁଟ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ର ସଦସ୍ୟ ଓ ଜୟପୁର ପୌରପାଳିକା ର ସମସ୍ତ ଅଧିକାରୀ ଏବଂ ସ୍ୱଚ୍ଛ ସାଥି ମାନେ ଏକତ୍ରିତ ହୋଇ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଥମେ ଶପଥ ପାଠ ଗ୍ରହଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପୌର ନିର୍ବାହୀ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର କୁମାର ମହାନ୍ତି,ପୌର ଉପାଧ୍ୟାକ୍ଷା ବି ସୁନିତା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ ପାଢ଼ୀ,ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ଶ୍ରୀ ଦିତେଶ ବିଶ୍ୱାଳ ଏବଂ ଜୟପୁର ପୌରପାକିକାର ସମସ୍ତ ୱାର୍ଡ କାଉନସିଲର ଏବଂ ସମସ୍ତ କର୍ମଚାରୀଙ୍କ ସମେତ ସମସ୍ତ ସ୍ୱଚ୍ଛ ସାଥି ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ଶ୍ରୀ ଦିତେଶ ବିଶ୍ୱାଳ ଉପସ୍ଥିତ ଥିବା ସମସ୍ତ ଜୟପୁର ପୌରପାଳିକା ସଦସ୍ୟ ମାନଙ୍କୁ କହିଥିଲେ ଯେ ଭାରତର ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ମିଶନ୍ ଲାଇଫ୍ ୨୦୨୨ ରୁ ୨୦୨୭ ମଧ୍ୟରେ ପରିବେଶର ସୁରକ୍ଷା ତଥା ସଂରକ୍ଷଣ ପାଇଁ ବ୍ୟକ୍ତିଗତ ତଥା ସାମୂହିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତି କମରେ ଏକ ବିଲିୟନ ଭାରତୀୟ ଏବଂ ଅନ୍ୟ ବିଶ୍ୱର ନାଗରିକଙ୍କୁ ଏକତ୍ରିତ କରିବାର ଉଦ୍ଦେଶ୍ୟ ସହିତ ଡିଜାଇନ୍ କରାଯାଇଛି। ଭାରତ ବର୍ଷରେ ସମସ୍ତ ଗ୍ରାମ ଏବଂ ସହରାଞ୍ଚଳର ଅତି କମରେ ୮୦ ପ୍ରତିଶତ ଲୋକମାନଙ୍କୁ ୨୦୨୮ସୁଦ୍ଧା ପରିବେଶ ଅନୁକୂଳ ହେବାକୁ ଲକ୍ଷ୍ୟ ରଖିଛନ୍ତି, ଏହା ଭାରତ ଏବଂ ଜାତିସଙ୍ଘର ମିଳିତ ଭାବେ ବିଶ୍ୱର କଲ୍ୟାଣ ନିମନ୍ତେ ଡିଜାଇନ କରାଯାଇଛି । ପରିବେଶ ସୁରକ୍ଷା ହିଁ ଜୀବନ ରକ୍ଷା ଏହି ମନ୍ତ୍ର ମାଧ୍ୟମରେ ସାରା ଭାରତ ଏବଂ ବିଶ୍ୱବାସୀଙ୍କୁ ଆହ୍ୱାନ ଦିଆଯାଇଛି । ବିଶ୍ୱର କଲ୍ୟାଣ ର ଏକମାତ୍ର ଉପାୟ ହେଉଛି ପରିବେଶର ସୁରକ୍ଷା ଏବଂ ପ୍ରକୃତିର ରକ୍ଷା ଏହାକୁ ଆଧାର କରି ପ୍ରଧାନମନ୍ତ୍ରୀ ମୋଦି ଙ୍କ ଏହା ବିଶ୍ୱବାସୀଙ୍କୁ ଏକ ସଚେତନର ବାର୍ତ୍ତା ଯାହା ନିଜେ ନିୟୋଜିତ ହେବା ସହ ନିଜ ମିତ୍ର ଏବଂ ବନ୍ଧୁ ବର୍ଗଙ୍କୁ ସାମିଲ କରାଇ ବିଶ୍ୱ କଲ୍ୟାଣ ମିଶନ ଲାଇଫ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ସନ୍ଦେଶ । ଏହା ଆଧାରରେ ଆଜି ଜୟପୁର ପଞ୍ଚାନନ ମନ୍ଦିର ନିକଟରେ ଥିବା ଚିକିଟି ନାଳ ରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଜୟପୁର ପୌର ନିର୍ବାହୀ ଅଧିକାରୀ , ଅନୁପ୍ରାଣିତ ହୋଇ ନିଜେ ପ୍ଲାଷ୍ଟିକ ବ୍ୟର୍ଯ୍ୟବସ୍ତୁ ନାଳରୁ ବାହାର କରିବା ସହ ଓ ଅନ୍ୟାନ୍ୟ ପୌର କର୍ମଚାରୀ ମାନେ ମଧ୍ୟ ନିୟୋଜିତ ହୋଇଥିଲେ ।

ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲେଖିବା ନେଇ ବୈଠକ ଅନୁଷ୍ଠିତ । 

ଏଥର ସମ୍ଭାଳ ବ୍ୟୁରୋ ଗୁଣପୁର : – ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲେଖିବା ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ପଞ୍ଜୀକରଣ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁର ଅଧ୍ୟକ୍ଷତା କରିଥିବା ବେଳେ ରାୟଗଡ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଗୋପାଳ କୃଷ୍ଣ ମଙ୍ଗରାଜ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ଗୁଣପୁର ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ଗୁଣପୁର ସହକାରୀ ଶ୍ରମ ଅଧିକାରୀ ସୁଶ୍ରୀ ସ୍ଵାତୀଲଗ୍ନା ପାତ୍ର ମଞ୍ଚାସୀନ ଥିଲେ । ରାୟଗଡ ସଦର ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ରଇତ ପ୍ରତ୍ୟେକ ବାଣିଜ୍ୟିକ ଅନୁଷ୍ଠାନ ଅନ ଲାଇନ ମାଧ୍ୟମରେ ନିଜ ନିଜର ଅନୁଷ୍ଠାନକୁ ଶ୍ରମ ବିଭାଗ ଅଧୀନରେ ପଞ୍ଜିକୃତ କରିବା ନିମନ୍ତେ ଅନୁରୋଧ କରିଥିଲେ । ତହସିଲଦାର ସମସ୍ତ ଅନୁଷ୍ଠାନ ଗୁଡିକରେ ଓଡ଼ିଆ ନାମ ଫଳକ ସୁନ୍ଦର ଓ ନିର୍ଭୁଲ ଭାବେ ଲେଖିବା ନିମନ୍ତେ ଅନୁରୋଧ କରିଥିଲେ । ଆଇନଜୀବୀ ଇନ୍ଦ୍ରାକ୍ଷୀ ଦାଶ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରି ଲୋକ ସଚେତନତା କରିବା ନିମନ୍ତେ ଅନୁରୋଧ କରିଥିଲେ । ଉପ ଜିଲ୍ଲାପାଳ କହିଥିଲେ ଯେ ଉତ୍କଳ ଦିବସ ପୂର୍ବରୁ ପ୍ରଶାସନ ତରଫରୁ ପ୍ରତି ଦୋକାନକୁ ବୁଲି ଓଡ଼ିଆ ନାମ ଫଳକ ଲେଖିବା ନିମନ୍ତେ ଅନୁରୋଧ କରାଯାଇଥିଲା , ତାହା କିଛି ମାତ୍ରା ରେ ଲେଖା ହୋଇଛି ଓ ଯେଉଁ ମାନେ ଲେଖି ନାହାନ୍ତି ସେମାନଙ୍କୁ ସ୍ୱଳ୍ପ ଦିନର ସୂଚନା ଦେଇ ଆବଶ୍ୟକ ଜରିମାନା କରାଯିବ । ବିଭାଗ ତରଫରୁ ଚଢ଼ାଉ ହେଲେ ପ୍ରଥମ ଥର ପାଇଁ ୫୦୦୦/- ଓ ଦୁଇ ରୁ ଅଧିକଥର ହେଲେ ୨୫,୦୦୦/- ପର୍ଯ୍ୟନ୍ତ ଜରିମାନା କରାଯାଇ ପାରିବ । ଆଜିର ଏହି ବୈଠକରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏଲ ସନ୍ତୋଷ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା, ମିଲ ମାଲିକ ସଂଘ ସଭାପତି ଶ୍ରୀଧର , ସମ୍ପାଦକ ପଙ୍କଜ ପାଣିଗ୍ରାହୀ , ଜୁଏଲର ସଂଘ ସଭାପତି, ବଣିକ ସଂଘ, ମୋଟର ଚାଳକ ସଂଘ, ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ମୁଖ୍ୟ ଉପସ୍ଥିତ ଥିଲେ ।

ଉଚ୍ଚ କତୃପକ୍ଷଙ୍କୁ ଗୁହାରି କଲେ ବି ଶୁଣିବାକୁ ନାରାଜ ଅଧିକାରୀ ; ପାଣି ପାଇଁ ଡହଳ ବିକଳ କୁଲୁସିଂ ଗ୍ରାମବାସୀ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) :- ଦୁର୍ଗମ ମାଳଭୂମି ରେ ଜଳ ଯନ୍ତ୍ରଣା | ଗୋଟେ ପଟେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଅନ୍ୟପକ୍ଷରେ ଲୋକଙ୍କୁ ପାନୀୟ ଜଳ ଟୋପେ ସୁବିଧାରେ ମିଳି ନ ପାରିବା ଆଜିର ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ କୁଲୁସିଂ ପଞ୍ଚାୟତ ର ଗାଇଲୁଙ୍ଗ, ଆବସିଂ, ବସିଡା ଓ ତଡ଼ରଙ୍ଗ ପ୍ରଭୃତି ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳର ସମସ୍ୟା ଦେଖାଯାଇଛି । ଏହି ଚାରି ଖଣ୍ଡ ଗ୍ରାମରେ ପ୍ରାୟ ଏକ ହଜାର ପାଖାପାଖୁ ଲୋକ ବସବାସ କରୁଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳ ଯାତନା ଆହୁରି ଜନଜୀବ କୁ ପ୍ରଭାବିତ କରିଛି । ବାରମ୍ବାର ସମସ୍ୟା ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ଏଯାଏଁ ସମସ୍ୟା ର ସମାଧାନ ହୋଇ ପାରିନାହିଁ । ଫଳରେ ଗ୍ରାମଠାରୁ ଦୁଇ କିଲୋମିଟର ଦୂରରେ ଥିବା ପାହାଡ଼ି ଝରଣା , କିମ୍ବା ବିଲରେ ଜମି ରହିଥିବା ଅପରିଷ୍କାର ପାଣି ବ୍ୟବହାର କରି ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

 

ଆଜି ବାଧ୍ୟ ହୋଇ ଏହି ଚାରି ଖଣ୍ଡ ଗ୍ରାମର ଲୋକେ ହାଣ୍ଡି ବାଲଟି,ଗରା ଧରି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ଜଳ ଯୋଗାଣ ବ୍ୟବସ୍ଥା ଗ୍ରହଣ କରାନଗଲେ ସରକାର ବିରୋଧୀ ଆନ୍ଦୋଳନ ଆରମ୍ଭ କରିବୁ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏଭଳି ପ୍ରତିବାଦ ପରେ ବିଭାଗୀୟ ଅଧିକାରୀ ମାନେ ଉକ୍ତ ଅଞ୍ଚଳକୁ ଗସ୍ତ କରିଥିବା ଜଣାପଡିଛି।

ଗୁଣପୁର ବନଖଣ୍ଡ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଆଜି ରାୟଗଡ଼ ଜିଲ୍ଲା ଗୁଣପୁର ସ୍ଥାନୀୟ ନଗର ବାଟିକା ଠାରେ ଓଡ଼ିଶା ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟ ରେ ଗୁଣପୁର ବନାଞ୍ଚଳ ପକ୍ଷରୁ ବିଶ୍ଵ ପରିବେଶ ଦିବସ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲଳିତ କହଁର , ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧକ୍ଷା ଶ୍ରୀମତୀ ମମତା ଗୌଡ, ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ, ତହସିଲଦାର ଗୁଣପୁର ଶ୍ରୀ ଶରତ ଚନ୍ଦ୍ର ନାୟକ, ନିମନ୍ତ୍ରିତ ଅଟିଥି ଭାବେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସତ୍ୟ ସମ୍ପୂର୍ଣ୍ଣ ରାଉତ , ଗୁଣପୁର ରେଞ୍ଜ ଅଫିସର ଶ୍ରୀ ଅଶୋକ କୁମାର ବେହେରା , ଗୁଣପୁର ବନଖଣ୍ଡ ଅଧିକାରୀ ଶ୍ରୀ ନୀଳମାଧବ ପାଢ଼ୀ ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ରହିଥିଲେ । ଆଜି ର ଦିବସ ରେ ପ୍ଲାଷ୍ଟିକ ବର୍ଜନ କରିବା ସହ ଶପଥ ନେବା ଯେ ସମାଜ କୁ ପ୍ଲାଷ୍ଟିକ ମୁକ୍ତ କରି ଗଛ ଲଗାଇ ଏକ ସୁସ୍ଥ ପରିବେଶ ଗଠନ କରିବା ନିମନ୍ତେ ଅତିଥି ମାନେ ଜନସାଧାରଣ ଙ୍କୁ ଉପଦେଶ ଦେଇଥିଲେ ।

ନଗର ବାଟିକା ଠାରେ ଥିବା ଏକ ପୋଖୋରୀ ର ପୁନରୁଦ୍ଧାର କରି ସେଠାରେ ବୃକ୍ଷ ରୋପଣ କରିବା ସହ ଏକ ଉତ୍ତମ ମାନ ର ବୋଟିଂ ପାର୍କ ର ନିର୍ମାଣ କରିବା ନିମନ୍ତେ ବନ ବିଭାଗ ଚେଷ୍ଟା ଜାରୀ ରଖିଥିବା ସୂଚନା ଦେଇଛନ୍ତି ।

ଚତୁର୍ଥ ଦିନ ରେ ଅମଲା ଙ୍କ ଅନଶନ ; ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ଉପଖଣ୍ଡ ର ସମସ୍ତ ଅମଲା ଜୁନ୍ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟି ରେ ଯାଇଛନ୍ତି । କନିଷ୍ଠ ସହାୟକ ଙ୍କ ପ୍ରବେଶିକା ଦରମା ହାର ୪୨୦୦ ଟଙ୍କା ଗ୍ରେଡ୍ ପେ ଦାବୀ ପୂରଣ ନହେବା ରୁ ଅମଲା ମାନେ ଏହି ପଦକ୍ଷେପ ନେଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ରାଜସ୍ବ , ଆଇ ଟି ଡି ଏ , ଆଇ ସି ଡ଼ି ଏସ୍ , ଗ୍ରାମ୍ୟ ଉନ୍ନୟନ ଓ ଜଳ ସେଚନ ବିଭାଗ ର ସମସ୍ତ ଅମଲା ଏଥିରେ ସାମିଲ ହେବା ସହ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଛନ୍ତି । ଅମଲା ମାନେ ଧାରଣା ଦେଉଥିବା ରୁ ସମସ୍ତ ସରକାରୀ ଦପ୍ତର ରେ କାର୍ଯ୍ୟ ଠପ୍ ହୋଇଥିବା ବେଳେ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

ଅମଲା ମିଳିତ ସଂଘ ଜିଲ୍ଲା ସଭାପତି କହିଛନ୍ତି ଯେ ଦୀର୍ଘ ୬ ବର୍ଷ ହେବ ଉକ୍ତ ଦାବୀ ହେଉଥିଲେ ହେଁ ସରକାର ଏହି ଦାବୀ ପୂରଣ ରେ ବିଫଳ ହୋଇଛନ୍ତି । ଯଦି ସରକାର ଆମ ଦାବୀ କୁ ମାନି ନେଇ ଆମକୁ ଗ୍ରେଡ ପେ ରେ ବୃଦ୍ଧି କରାଯିବ ବୋଲି ନୋଟିଫିକେଶନ ବାହାର କରି ଗଣମାଧ୍ୟମ ରେ ପ୍ରେସ ବିବୃତି ଦିୟନ୍ତି ତେବେ ଆନ୍ଦୋଳନ ରୁ ଓହ୍ଲାଇ ସରକାରୀ କାର୍ଯ୍ୟ ରେ ପୂର୍ବ ଭଳି ସହଯୋାଗ କରାଯିବ । ଆଜି ର ଉକ୍ତ ଆନ୍ଦୋଳନ ରେ ମିଳିତ ଅମଲା ମଞ୍ଚ ଜିଲ୍ଲା ଶାଖା ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ପାଢୀ , ଆବାହକ ଶ୍ରୀ ଚିତ୍ତ ରଂଜନ ମହାପାତ୍ର , ଜିଲ୍ଲା ଅମଲା ସଂଘ ସମ୍ପାଦକ ଶ୍ରୀ ଗୋପୀନାଥ ରାଉତ , ରାଜସ୍ବ ଅମଲା ସଂଘ ସମ୍ପାଦକ ଶ୍ରୀ ସନ୍ତୋଷ ନିମଲା , ଜିଲ୍ଲା ସଂଘ ସଦସ୍ୟ ଶ୍ରୀ ମାନସ ସାହୁ , ଶ୍ରୀ ରଂଜିତ ମେଲେକା, ଉପଖଣ୍ଡ ସଦସ୍ୟ ଶ୍ରୀ ଅଜୟ ନାହାକ , ବସନ୍ତ ବେହେରା , ପ୍ୟାରୀ ମୋହନ ପାଣିଗ୍ରାହୀ , ଭି ଶ୍ରୀନୁ, ଶ୍ରୀମତୀ ରଂଜିତା କାର୍ଜି , ଶ୍ରୀମତୀ ସଂତୋଷି ବାଉରୀ ଙ୍କ ସମେତ ଅନ୍ୟ ଅମଲା ମାନେ ଉପସ୍ଥିତ ରହିଥିଲେ ।

ପୌର ପରିଷଦ ପକ୍ଷରୁ ୧୬ ଟି ସ୍ଥାନରେ ଲାଗିବ ୧୧୬ ଟି ସିସି ଟିଭି ; ୬ ଟି ଗାଡ଼ି ର ଶୁଭ ଉଦ୍ଘାଟନ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ଗୁଣପୁର ପୌରାଞ୍ଚଳ ରେ ଲାଗିବ ସିସି ଟିଭି କ୍ୟାମେରା l ଏଥିଲାଗି ଶୁକ୍ରବାର ଶୁଭ ଦିଆଯାଇଛି l ଗ୍ରାମ ଦେବୀ ମନ୍ଦିର ଛକ ଠାରେ ପୌରାଧ୍ୟକ୍ଷ ଶ୍ରୀମତୀ ମମତା ଗୌଡ, ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ ଏବଂ ନିର୍ବାହୀ ଅଧିକାରୀ ଡ଼. ସତ୍ୟ ସଂପୂର୍ଣ୍ଣା ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ସହରର ଗୁଣପୁର କଲେଜ ନିକଟ, ଏସ୍. ବି. ଆଇ ମୁଖ୍ୟ ଶାଖା, ଶାନ୍ତି ନଗର୍ ଛକ, ନୂତନ ବସ ଷ୍ଟାଣ୍ଡ, ରେଳ ଷ୍ଟେସନ ରାସ୍ତା, ମେଡିକାଲ୍ ଛକ, ହଳଦିଆ ନାଳ ନିକଟ, ପୌର ପରିଷଦ ଓ ଗ୍ରାମଦେବୀ ଠାକୁରାଣୀ ମନ୍ଦିର ଛକ, ପୁରୁଣା ବସ ଷ୍ଟାଣ୍ଡ, କଟିକା ସାହି ଛକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛକ, ପୁରୁଣା ଗୁଣପୁର ଛକ, ଏସ୍. ପି ଗୁଡା ଛକ, ବିକ୍ରମପୁର୍ ଛକ, ଏପରି ସହରର ୧୬ ଟି ସ୍ଥାନରେ ୧୧୬ ଟି ସିସି ଟିଭି ଲାଗିବ l ଏଥିଲାଗି ୪୬ ଲକ୍ଷ ୯୫ ହଜାର ୭୦୦ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି l ଏହି ଟେଣ୍ଡର ଟି ଭୁବନେଶ୍ଵର ର ଏସ୍. ଏନ୍ ଏଣ୍ଟରପ୍ରାଇ ନାମକ ଏକ ଘୋରୋଇ ସଂସ୍ଥା କୁ ମିଳିଛି।ସନ୍ଧ୍ୟାରେ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଗ୍ରାମ ଦେବୀ ମନ୍ଦିର ର ପୂଜକ ଙ୍କ ଦ୍ଵାରା ପୂଜାଅର୍ଚ୍ଚନା ପରେ ପୌର ଅଧ୍ୟକ୍ଷା ସବୁଜ ପତାକା ଦେଖାଇ ଅଳିଆ ସଂଗ୍ରହ ବିଓଭି ଓ ମଶା ମରା ଧୂଆଁ ଗାଡ଼ି ର ଶୁଭାରମ୍ଭ କରି ଉଦ୍ଘାଟନ କରିଥିଲେ । ପଞ୍ଚଦଶ କମିଶନ ଯୋଜନା ରେ ଅଳିଆ ଉଠାଇବା ୬ ଗୋଟି ଗାଡି ପାଇଁ ୭୨ ଲକ୍ଷ ୪୪ ହଜାର ଏବଂ ମଶାମରା ମେସିନ୍ ଗାଡି ପାଇଁ ୧୫ ଲକ୍ଷ ୩୯ ହଜାର ଟଙ୍କା ବ୍ୟୟ ହୋଇଛି । ପ୍ରତ୍ୟେକ ୱାର୍ଡ କୁ ସଫା ସୁତୁରା ରଖିବା ନିମନ୍ତେ ପୌର ଅଧ୍ୟକ୍ଷା ଙ୍କ ଏଭଳି ପଦକ୍ଷେପ କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।