ପ୍ରତିଶୋଧପରାଣୟ ହୋଇଛନ୍ତି ରାଜ୍ୟ ସରକାର ଓ ପୁଲିସ: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟ ସରକାର ଅଗଣତାନ୍ତ୍ରିକ ଓ ସ୍ୱେଚ୍ଛାଚାରୀ ଶାସନର ପରମ୍ପରା ସୃଷ୍ଟି କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାକୁ ଚାପି ଦେବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ରାଜ୍ୟର ପୁଲିସ ଓ ସରକାର ଉଭୟ ଏବେ ପ୍ରତିଶୋଧପରାୟଣ ହୋଇପଡ଼ିଛନ୍ତି । ତେଣୁ ଶାସନ ବ୍ୟବସ୍ଥାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଜରୁରୀ ହୋଇ ପଡ଼ିଛି ବୋଲି ବିଜେପି ଦାବି କରିଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ କରିବା ସହ ତାଙ୍କର ହସ୍ତକ୍ଷେପ ଦାବି କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଶିଥିଳତା ଓ ଆନ୍ଦୋଳନକାରୀ ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ପୁଲିସର ଜୁଲମ୍ ଓଡ଼ିଶାର ଜନମାନସକୁ ବିଚଳିତ କରିଛି । ରାଜ୍ୟରେ ଶାସନ କେମିତି ଚାଲୁଛି ଓ କିଏ ଚଲାଉଛି ତାହା ଜଣାପଡୁନାହିଁ । ଆନ୍ଦୋଳନକାରୀ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ପୁଲିସ ଅମାନୁଷିକ ଅତ୍ୟାଚାର କରିବା ସହ ମିଛ ଦଫା ଲଗାଇ ଜେଲରେ ଭର୍ତ୍ତି କରିଛିି । ଏଭଳି ପରିସ୍ଥିତିରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡିଛି ଏବଂ ତାଙ୍କୁ ହସ୍ତକ୍ଷେପ କରିବା ପାଇଁ ଆଜି ଅନୁରୋଧ କରିଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।ସେ କହିଛନ୍ତି ଯେ, ଗତ କିଛି ଦିନ ତଳେ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ପୁଲିସ ଏଏସ୍‌ଆଇ ହତ୍ୟା କରିବା ଭଳି ସଙ୍ଗୀନ ଘଟଣା ଓଡ଼ିଶାର ଜନମାନସକୁ ସ୍ତମ୍ଭୀଭୂତ କରିଥିଲା । ଏହି ଘଟଣା ରାଜ୍ୟବାସୀଙ୍କ ମନରେ ପୁଲିସ ପ୍ରଶାସନ ଏବଂ ଆତ୍ମ ସୁରକ୍ଷା ପ୍ରତି ଏକ ଭୟର ବାତାବରଣ ସୃଷ୍ଟି କରିବା ସହ ମନ୍ତ୍ରୀଙ୍କ ହତ୍ୟା ମାମଲାରେ ତଦନ୍ତ ଯେଭଳି ଦିଗହରା ହୋଇଛି, ତାହା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ଏହି ହତ୍ୟା ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରୁଛନ୍ତି । ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିଜେପି ପକ୍ଷରୁ ବାରମ୍ବାର ଦାବି କରିବା ସତ୍ୱେ ସରକାର ଏଥିପ୍ରତି ଭୃକ୍ଷେପ ନକରି ଏ ପରିପ୍ରେକ୍ଷୀରେ ଚାଲିଥିବା ଆନ୍ଦୋଳନକୁ ଦମନ କରିବା ପାଇଁ ପୁଲିସ ସହାୟତାରେ ନିରୀହ ଆନ୍ଦୋଳନକାରୀ, ରାଜନୈତିକ କାର୍ଯ୍ୟକର୍ତାଙ୍କ ଉପରେ ଅତ୍ୟାଚାର କରିବା ଅତ୍ୟନ୍ତ ନିନ୍ଦନୀୟ । ପୁଲିସ ପ୍ରତିଶୋଧ ପରାୟଣ ହୋଇ ମହିଳା କାର୍ଯ୍ୟକର୍ତାଙ୍କୁ ଅସଦାଚରଣ କରିବା ସହ ଆନ୍ଦୋଳନକାରୀଙ୍କ ବିରୋଧରେ ମିଛ ଦଫା ଲଗାଇ ବେଆଇନ ଭାବେ ସେମାନଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରୁଛନ୍ତି । ସରକାର ଏବଂ ପୁଲିସ ପ୍ରତିଶୋଧ ପରାୟଣ ହେବାରୁ ନିବୃତ ରୁହନ୍ତୁ।ଗତ କିଛିବର୍ଷ ଧରି ଲଗାତାର ଭାବରେ ରାଜ୍ୟରେ ହତ୍ୟା, ଲୁଟ, ଦୁଷ୍କର୍ମ ଓ ନାରୀ ନିର୍ଯାତନା ବଢ଼ୁଥିବା କାରଣରୁ ସମାଜର ପ୍ରତ୍ୟେକ ବର୍ଗ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।  ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଚରମ ବିଫଳତାକୁ ରୋକିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ବିଧାୟକ ଦଳ ତରଫରୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ପ୍ରତିନିଧି ଦଳରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ଜୟନ୍ତ ଷଡଙ୍ଗୀ, ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କ ସମେତ ବିଜେପିର ରାଜ୍ୟ କର୍ମକର୍ତ୍ତାମାନେ ମଧ୍ୟ ସାମିଲ ଥିଲେ ।

ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମିର ହେବ ଡିଜିଟାଇଜେସନ, ଖର୍ଚ୍ଚ ହେବ ୧୧ କୋଟି …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଓଡ଼ିଶାରେ ରହିଥିବା ୩୫ ହଜାର ଏକର ଜମିର ହେବ ଡିଜିଟାଇଜେସନ। ଏଥିପାଇଁ ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ବେୟକୁ ଆଇନ ବିଭାଗ ମଞ୍ଜୁରୀ ଦେଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା। ସେ କହିଛନ୍ତି, ମହାପ୍ରଭୁଙ୍କ ନାମରେ ଥିବା ଜମିର ଡିଜିଟାଇଜେସନ ହୋଇପାରିଲେ ଭୂଲେଖ ଭଳି ମହାପ୍ରଭୁଙ୍କ ଜମି ଚିହ୍ନଟ ସହଜ ହୋଇପାରିବ। ଲୋକେ ଅନ୍‌ଲାଇନ୍ ଜରିଆରେ ମହାପ୍ରଭୁଙ୍କ ଜମି ଭୋଗଦଖଲ ବାବଦ ରାଜସ୍ୱ ପୈଠ କରିପାରିବେ। ଏବେ କର୍ମଚାରୀ ଅଭାବରରୁ ମହାପ୍ରଭୁଙ୍କ ଜମିର ରାଜଭାଗ ବା ରାଜସ୍ୱ ଠିକ୍ ଭାବେ ଆଦାୟ ହୋଇପାରୁନି। ଖୁବ୍‌ ଶୀଘ୍ର ଲୋକଙ୍କ ଇ-ପାଉତି କାଟିବାର ସୁବିଧା ମିଳିବ। ଆସନ୍ତା ମାର୍ଚ୍ଚ ୧୭ତାରିଖରେ ପ୍ରି-ବଜେଟ ବୈଠକରେ ଏବାବଦରେ ବିସ୍ତୃତ ଭାବରେ ନିଷ୍ପତ୍ତି ହୋଇ ଚଳିତ ବର୍ଷ ବଜେଟରେ ଉପସ୍ଥାପିତ ହେବ। ଆସନ୍ତା ୧୭ ଫାଇନାନ୍‌ସ କମିଟି ବୈଠରେ ଡିଜିଟାଇଜେସନ ଅଫ ଲ୍ୟାଣ୍ଡ ରେକର୍ଡ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ଜମି ରାଜ୍ୟ ସରକାରଙ୍କ ଭୂଲେଖ ଭଳି ଏକତ୍ରିତ ହେବ। ଡିଜିଟାଇଜେସନ ପାଇଁ ୧୧କୋଟି ୪୦ଲକ୍ଷ ଧାର୍ଯ୍ୟ କରାଯାଇଛି। ଓରସାକ୍ ଏହି ଡିଜିଟାଜେସନ କାମ କରିବ। ଆସନ୍ତା ବର୍ଷ ବଜେଟରେ ଏହି ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ମିଳିବ। ମହାପ୍ରଭୁଙ୍କ ନାମରେ ରାଜ୍ୟରେ ମୋଟ ୩୫ହଜାର ଏକର ଜମି ରହିଥିବାବେଳେ ଏଥିମଧ୍ୟରୁ ଖୋର୍ଦ୍ଧା ଓ ପୁରୀରେ ୨୦ହଜାର ଏକର ଜମି ରହିଛି। ଚଳିତ ଆର୍ଥିକ ବର୍ଷ ମହାପ୍ରଭୁଙ୍କ ନାମରେ ପୁରୀ, ଖୋର୍ଦ୍ଧା ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ଥିବା ୨୦୭୫ ଏକର ଜମିର ପଟ୍ଟା ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଆସିସାରିଛି। ନୂଆ ଶ୍ରୀଜଗନ୍ନାଥ ଜମି ପରିଚାଳନା ନିୟମ ଲ୍ୟାଣ୍ଡ କମିଟିରେ ମଞ୍ଜୁରୀ ପାଇସାରିଛି। ଏହା ଆସନ୍ତା ପରିଚାଳନା କମିଟିରେ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ। ଏହା ମଞ୍ଜୁରୀ ପାଇଗଲା ପରେ ଶ୍ରୀଜଗନ୍ନାଥ ଜମି ବିକ୍ରି ସହଜ ହୋଇଯିବ। ଜିଲ୍ଲାପାଳମାନେ ଏବାବଦରେ ନିଷ୍ପତ୍ତି ନେଇପାରିବେ। ଫଳରେ ଜମି ବିକ୍ରି ଟଙ୍କା ବଢ଼ିବ ଓ କର୍ପସ ପାଣ୍ଠି ବୃଦ୍ଧି ପାଇବ। ଏବେ ଶ୍ରୀମନ୍ଦିର ପ୍ରଶାସନ କର୍ପସ ଫଣ୍ଡରେ ୩୫୭ କୋଟି ଟଙ୍କା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି। ସେହିପରି ଦିବ୍ୟାଙ୍ଗ ମାନଙ୍କୁ ଉତ୍ତର ଦ୍ୱାର ବାଟେ ନେଇ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ବିଷୟରେ ସେ ସୂଚନା ଦେଇଛନ୍ତି। ଯୋଜନା ଅନୁମୋଦନ ପାଇଲେ ଉତ୍ତର ଦ୍ୱାର ଠାରେ ଦିବ୍ୟାଙ୍ଗମାନେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ କାମ କରୁଥିବା ବୋଝିଆମାନେ କାନ୍ଧରେ ବାହୁଙ୍ଗି କରି ସେମାନଙ୍କୁ ଭିତରକୁ ନେଇ ଜଗନ୍ନାଥ ଦର୍ଶନ କରାଇବେ। ଏଥିନିମନ୍ତେ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରାଯିବ। ଏନେଇ ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ସରିଛି ବୋଲି ସେ କହିଛନ୍ତି।

ସମୀକ୍ଷା ବୈଠକରେ ଜାତୀୟ ଏସଟି କମିଶନ ଖପ୍ପା ; ଡିଏମଏଫ ପାଣ୍ଠିର ହିସାବ ଦିଅ, ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ କର..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ଅନୁସୂଚିତ ଜନଜାତିଙ୍କ ଅଧିକାର, ସୁରକ୍ଷା ଓ କଲ୍ୟାଣ ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାରେ ବିଫଳ ହୋଇଥିବାରୁ ଜାତୀୟ ଅନୁସୂଚିିତ ଜନଜାତି(ଏସଟି) କମିଶନ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହିତ ଡିଏମଏଫ ପାଣ୍ଠି ଖର୍ଚ୍ଚ, ପେଷା ନିୟମ ପ୍ରଣୟନ, ଆଦିବାସୀଙ୍କୁ ମୌଳିକ ସୁବିଧାସୁଯୋଗରୁ ବଂଚିତ କରାଯିବା, ରାଜ୍ୟର ୨୩% ଆଦିବାସୀଙ୍କ ପାଇଁ ନୂଆ ବିଭାଗ ଆଦି ସମ୍ପର୍କରେ ମାସକ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ କମିଶନ ଆଜି ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ଏସଟି କମିଶନ ଅଧ୍ୟକ୍ଷ ହର୍ଷ ଚୌହ୍ୱାନଙ୍କ ନେତୃତ୍ୱରେ କମିଶନଙ୍କ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ସହ ଜନଜାତିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ସମେତ ସ୍ୱାସ୍ଥ୍ୟ, ଶିକ୍ଷା, ନିଯୁକ୍ତି, ପୁନଃ ଥଇଥାନ ଓ ମୌଳିକ ସୁବିଧା ଆଦି ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକ କରିଥିଲେ । କମିଶନ ସଦସ୍ୟ ଅନନ୍ତ ନାୟକ, ସଚିବ ଅଳକା ତିୱାରୀ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ରୂପାରୋଶନ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ରାଜ୍ୟରେ ଆଦିବାସୀଙ୍କ ସାମାଜିକ ଓ ଅର୍ଥନୀତିକ ବିକାଶ, ସେମାନଙ୍କର ସାମ୍ବିଧାନିକ ଅଧିକାର ଓ ସୁରକ୍ଷା ଆଦିର ସମୀକ୍ଷା କରିଥିଲେ ।ସମୀକ୍ଷା ବୈଠକ ପରେ କମିଶନ ତୁରନ୍ତ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ଅନ୍ୟତ୍ର ଖର୍ଚ୍ଚ କରାଯିବାକୁ ପରାମର୍ଶ ଦେବା ସହ ଆଦିବାସୀଙ୍କ ପାଇଁ ବିଭିନ୍ନ ସ୍କିମରେ ଆସୁଥିବା ଅର୍ଥର ସୁବିନିଯୋଗ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଯେଉଁ ସବୁ ପ୍ରକଳ୍ପ ଯୋଗୁ ଆଦିବାସୀମାନେ ବିସ୍ଥାପିତ ହୋଇଛନ୍ତି ସେମାନଙ୍କୁ ଦୀର୍ଘଦିନ ଧରି ଥଇଥାନ  କରାନଯିବା, ବିଶେଷକରି କେନ୍ଦୁଝର ଜିଲ୍ଲାରେ ଶିଳ୍ପ, ଜଳସେଚନ ଓ ଅନ୍ୟ ବିକାଶମୂଳକ ପ୍ରକଳ୍ପ ପାଇଁ ଆଦିବାସୀମାନେ ବିସ୍ଥାପିତ ହୋଇଥିବା, ଆଦିବାସୀବହୁଳ ଅଂଚଳରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଅଭାବ, ସ୍ୱାସ୍ଥ୍ୟ ଭିତ୍ତିଭୂମି ନଥିବା ଏବଂ ବିଶେଷକରି ଆବାସିକ ସ୍କୁଲଗୁଡ଼ିକରେ ପୁଅ ଓ ଝିଅମାନେ ଅମାନବୀୟ ଓ ଦୟନୀୟ ପରିସ୍ଥିତିରେ ରହୁଥିବା ସମ୍ପର୍କରେ କମିଶନ ଆଜିର ବୈଠକରେ ରାଜ୍ୟ ସରକାରଙ୍କୁ ସୂଚାଇ ଦେଇଛନ୍ତି । ରାଜ୍ୟରେ ପ୍ରାୟ ୨୩ ପ୍ରତିଶତ ଆଦିବାସୀ ଲୋକ ରହୁଥିଲେ ମଧ୍ୟ ସରକାର ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗଟିଏ କରିନାହାନ୍ତି । ଯେଉଁଥିପାଇଁ କମିଶନ ଯେତେବେଳେ କିଛି ତଥ୍ୟ ମାଗୁଛନ୍ତି ତାହା ସଠିକ୍ ସମୟରେ ଠିକ୍ ଢ଼ଙ୍ଗରେ ମିଳିପାରୁନି । ରାଜ୍ୟରେ ପେଷା ଆଇନକୁ କାର୍ଯ୍ୟକାରୀ କରାଯାଇପାରୁନି । ପେଷା ନିୟମାବଳୀ ତୁରନ୍ତ କାର୍ଯ୍ୟକାରୀ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି । ଏହାସହିତ ବହୁସଂଖ୍ୟାରେ ଜଙ୍ଗଲ ଜମି ଅଧିକାର ଆବେଦନକୁ ସରକାର ଖାରଜ କରିଥିବା କମିଶନ ଜାଣିବାକୁ ପାଇଛନ୍ତି । ଯେଉଁ ଅଧିକାରୀ ଓ ବ୍ୟକ୍ତିମାନେ ଜାଲ୍ ଆଦିବାସୀ ଜାତି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି  ଅବା ନେଇଛନ୍ତି ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି ।ରାଜ୍ୟରେ ଡିଏମଏଫ ପାଣ୍ଠି ଖର୍ଚ୍ଚକୁ ନେଇ ସ୍ଥାନୀୟ ଅଧିକାରୀ ଓ ଲୋକମାନେ ଆବଶ୍ୟକ ପରିମାଣର ସଚେତନ ନଥିବାରୁ ସରକାର ଏହାକୁ ମନମୁଖୀ ଖର୍ଚ୍ଚ କରୁଛନ୍ତି । ଡିଏମଏଫ(ଜିଲ୍ଲା ଖଣିଜ ପାଣ୍ଠି)କୁ ଅନ୍ୟତ୍ର ଖର୍ଚ୍ଚ କରାଯିବାକୁ ନେଇ କମିଶନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଦିବାସୀ ଅଚଂଳରେ ଜଳ,ରାସ୍ତା, ବିଦ୍ୟୁତ ଭଳି ମୌଳିକ ସୁବିଧା ନଥିବା, ସରକାରୀ ଉଦ୍ୟୋଗରେ ଆଦିବାସୀଙ୍କୁ ନିଯୁକ୍ତି ମିଳୁନଥିବା ଓ ଆବଶ୍ୟକ ପରିମାଣର ଟେଲିଫୋନ୍ ଯୋଗାଯୋଗ ବ୍ୟବସ୍ଥା ନଥିବା ନେଇ କମିଶନ କ୍ଷୁବ୍ଧ ହୋଇଛନ୍ତି । କମିଶନ ଅଧ୍ୟକ୍ଷ ଶ୍ରୀ ଚୌହ୍ୱାନ ଆସନ୍ତା ମାସକ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ ମୁଖ୍ୟ ସଚିବ ଶ୍ରୀ ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ରିପୋର୍ଟ ମିଳିବା ପରେ ହିଁ କମିଶନ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରି ଉଭୟ ରାଷ୍ଟ୍ରପତି ଓ ସଂସଦକୁ ପଠାଇବେ ବୋଲି ସୂଚନା ଦେଇଛନ୍ତି ।

ପିଏ॰ଆଇ॰ଟି॰ଡି॰ଏ ଙ୍କ ରାମନାଗୁଡା ବ୍ଲକ କ୍ଷେତ୍ର ପରିଦର୍ଶନ…!

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା)- ରାୟଗଡା ଜିଲ୍ଲା ରାମନାଗୁଡା ପଂଚାୟତ ସମିତି କାର୍ଯ୍ୟାଳୟ ସଦ୍ଦ୍ଭାବନା ଗୃହରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଙ୍କ ଅଧ୍ୟକ୍ଷତାରେ ଗୁଣୁପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସିକା ଶ୍ରୀମତୀ ଶାନ୍ତିଲତା ପ୍ରଧାନଙ୍କ ଦ୍ବାରା ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ ,ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ରାମନାଗୁଡା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ଗୁଣୁପୁର ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ,ଆଇଟିଡିଏ ପ୍ରୋଗ୍ରାମ ଅଫିସର,ରାୟଗଡା ଆଦିବାସୀ ଉନ୍ନୟନ ପରିଷଦ ସଦସ୍ୟ ରାମାରାଓ ପାଲାକା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ରାମନାଗୁଡା ବ୍ଲକ୍ ର ସମସ୍ତ କର୍ମଚାରୀ ଓ କ୍ଷେତ୍ର କର୍ମଚାରୀ ଯୋଗ ଦେଇଥିଲେ । ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ସମସ୍ତଙ୍କ ପରିଚୟ ପ୍ରଦାନ କରିବା ପରେ ଆଇଟିଡିଏ ଏବଂ ଆଦିବାସୀ ଉନ୍ନୟନ ପରିଷଦ ର ଉଦ୍ଦେଶ୍ୟ ସମ୍ଵନ୍ଧରେ ଆଲୋକପାତ କରିଥିଲେ । ଏହାପରେ ଆଇଟିଡିଏ ପିଏ ଶ୍ରୀମତୀ ପ୍ରଧାନ ସମସ୍ତ ବିଭାଗ ସମନ୍ବୟତା ରକ୍ଷା ପୂର୍ବକ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବାକୁ ଅନୁରୋଧ କରିଥିଲେ । ସେହିପରି ରାମନାଗୁଡା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜୟଶ୍ରୀ ବିଷୋୟୀ ରାମନାଗୁଡା ବ୍ଲକ୍ ସ୍ତରରେ ଅନୁସୂଚିତ ଜାତି ତଥା ଜନଜାତି ଙ୍କ ପାଇଁ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ ।

ମିଶନ ଶକ୍ତି ବିପିଏମ ଯସ୍ମୀନ ମୁଟିକା ଏ ଦିଗରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ଭୂମିକା ସମ୍ବନ୍ଧ ରେ ଆଲୋଚନା କରିଥିଲେ। ଉନ୍ନୟନ ମୂଳକ କାର୍ଯ୍ଯ ସମ୍ପାଦନ ର ପ୍ରକ୍ରିୟା ରେ ଆସୁଥିବା ସମସ୍ଯା ଓ ସମାଧାନ ଉପରେ ବିଚାର କରାଗଲା । ରାମନାଗୁଡା ବ୍ଲକ୍ ର ସର୍ବାଙ୍ଗୀନ ଉନ୍ନତି ତଥା ସାମାଜିକ, ସାଂସ୍କୃତିକ ତଥା ଆର୍ଥିକ ବିକାଶ ପାଇଁ ସର୍ବଦା ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବାକୁ ମଞ୍ଚାସୀନ ଥିବା ସମସ୍ତ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ସଭା ଶେଷରେ ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରତାପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଆଇଟିଡିଏ ପିଏ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ , ରାମନାଗୁଡା‌ ବ୍ଲକର ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ବିଭିନ୍ନ ବିଦ୍ୟାଳୟ କୁ ପରିଦର୍ଶନ ରେ ଗସ୍ତ କରି ବିଦ୍ୟାଳୟ ର ଆନୁଷଙ୍ଗିକ ବ୍ୟବସ୍ଥା ,ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା ର ଗୁଣାତ୍ମକ ବିଷୟରେ ପିଲାଙ୍କୁ ପଚାରି ବୁଝିବା ସହିତ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ ର କାର୍ଯ୍ୟ ତଦାରଖ କରି ବିଭିନ୍ନ ଅଞ୍ଚଳ ର କ୍ଷେତ୍ର ପରିଦର୍ଶନ କରିଥିଲେ । ପିଏଆଇଟିଡିଏ ଙ୍କ ଏହି ପରିଦର୍ଶନ ସମୟରେ ବ୍ଲକ୍ ର ସମସ୍ତ କର୍ମକର୍ତ୍ତା ଙ୍କ ସମେତ ଅନ୍ୟାନ୍ୟ ବିଭାଗ ର ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

ସାମ୍ଵାଦିକ ଆକ୍ରମଣକାରୀ ଅଭିଯୁକ୍ତ ଙ୍କୁ ଗିରଫ ଦାଵୀ…!

ଏଥର ସମ୍ଭାଳ ବ୍ୟୁରୋ (ରାଜନଗର)- କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ମେରାଇନ ଥାନା ଅଧିନ ଦେଉଳସାହିରେ ତା ୨୭.୨.୦୨୩ ରିଖ ଦିନ ଲୋକଙ୍କ ଠାରୁ ଅଭିଯୋଗ ପାଇ ଖବର ସଂଗ୍ରହ କରିଥିବା ଉତ୍କଳମେଲର ସାମ୍ବାଦିକ ଶ୍ରୀ ସର୍ବେଶ୍ବର ପ୍ରଧାନ ଓ ତାଙ୍କ ସ୍ତ୍ରୀକୁ ମରଣାତ୍ମକ ଆକ୍ରମଣ ହୋଇଥିଲା। ଘଟଣାର ପାଞ୍ଚଦିନ ଵିତି ଯାଇଥିଲେ ମଧ୍ୟ ଦୁର୍ଵୁତ ଖୁଲମ ଖୋଲା ଵୁଲୁଥିଲେ ଵି ପୋଲିସ୍ ସେମାନଙ୍କୁ ଗିରଫ କରିଵାକୁ ଆନ୍ତରିକତା ନଥିବା ଦେଖା ଦେଇଛି।ସେମାନଙ୍କୁ ଗିରଫ ଦାଵୀରେ ରାଜନଗର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ତାଳଚୁଆ ମେରାଇନ୍ ଥାନା ଅଧିକାରୀ ଶ୍ରୀ ଅନାମ ଚରଣ ନାୟକଙ୍କୁ ଗତକାଲି ସାକ୍ଷାତ କରି ଦାଵୀପତ୍ର ଦେଇଛନ୍ତି। ସୂଚନା ଯୋଗ୍ୟ ଗ୍ରାମ୍ୟ ଉନ୍ନୟନ ଵିଭାଗ ପକ୍ଷରୁ ଅନନ୍ତକେଶରୀ ମୌଜାଠାରୁ ଦେଉଳସାହି ପର୍ଯ୍ୟନ୍ତ ଗାର୍ଡ ୱାଲ ନିର୍ମାଣ କରାଯାଉଛି।ସେଠାରେ ଫଳକ ନଥିବାକୁ ଠିକାଦାର କିମ୍ବା ଵିଭାଗୀୟ ଯନ୍ତ୍ରୀ କାର୍ଯ୍ୟ ତଦାରଖ କରନ୍ତି ନାହିଁ । ଏହି କାର୍ଯ୍ୟ ଟି ମିସ୍ତ୍ରୀ ଓ ଲେଵରଙ୍କ ଦ୍ବାରା ହେଉଥିଲା।ସେହି କାର୍ଯ୍ୟ ଏତେ ନିମ୍ନମାନର ହୋଇଥିଲା ଯାହାକି ୫ଦିନରେ ଫାଟି ଆଁ ହୋଇଥିଲା।ଏହାକୁ ନେଇ ସ୍ଥାନୀୟ ସାମ୍ବାଦିକ ଶ୍ରୀପ୍ରଧାନ ଖବର କରିବାକୁ ଫଟୋ ଉଠାଇଥିଲେ । ସେତେବେଳେ ଠିକାଦାରଙ୍କ ଗୁଣ୍ଡା ତଥା ଦଲାଲମାନେ ଖର ନକରିବାକୁ ଧମକ ଦେଇଥିଲେ।ସନ୍ଧ୍ୟାରେ ସାମ୍ବାଦିକ ଦେଉଳ ସାହିଵଜାରକୁ ଯାଉଥିବା ଵାଟରୁ ସ୍ଥାନୀୟ ଜିଆର ଏସ୍ ଙ୍କ ସ୍ବାମୀ ଓ ସ୍କୁଲକୁ ଯାଉନଥିବା ଜଣେ ଶିକ୍ଷକଙ୍କ ସମେତ ଦଶଜଣ ଵ୍ୟକ୍ତି ଟେକି ନେଇ ମରଣାତ୍ମକ ଆକ୍ରମଣ କରିଥିଲେ। ସେତେଵେଳେ ତାଙ୍କ ସ୍ତ୍ରୀ ସ୍ବାମିକୁ ରକ୍ଷା କରିବାକୁ ଯାଇ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ସେନେଇ ସାମ୍ଵାଦିକଙ୍କ ସ୍ତ୍ରୀ ଦଶଜଣ ଅଭିଯୁକ୍ତଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାନଯାଇ ଓଲଟି ସାମ୍ବାଦିକଙ୍କ ନାମରେ କେଶ୍ କରାଯାଇଛି ।ଏହାର ପ୍ରତିବାଦ କରି ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କୁ ଯଥା ଶୀଘ୍ର ଗିରଫ କରାଯିବା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବା ନିମନ୍ତେ ଦାବୀ ହେଉଛି ।

ଡିଆରଏମ ଙ୍କ ଗୁଣପୁର ଗସ୍ତ ; କଥା ପାଣି ର ଗାର …!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ନୌପଡା-ଗୁଣପୁର ରେଳ ଲାଇନ୍ ରେ ଘଣ୍ଟାକୁ ଏବେ ୪୫ ରୁ ୫୦ ବେଗରେ ଟ୍ରେନ୍ ଯାତାୟତ କରୁଥିବା ବେଳେ ଏହାକୁ ୧୦୦ କୁ ବଢାଇବା ଯୋଜନା ରହିଛି। ରେଳ ଲାଇନ୍ ର ବେଗ ବଢିଲେ ହିଁ ଅଧିକ ଟ୍ରେନ୍ ଯାତାୟତ କରି ପାରିବ। ଏହି ୯୦ କିମି ରାସ୍ତାରେ ୬୦ ଟି ଲେବଲ୍ କ୍ରସିଂ ଥିବାବେଳେ ଏହା ମଧ୍ୟ କମାଯିବ। ଏମିତି ସବୁ କହିଛନ୍ତି ଆଜି ଗୁଣପୁର ଗସ୍ତରେ ଆସିଥିବା ବିଶାଖାପାଟଣା ଡିଭିଜନ ଡିଆରଏମ ଅନୁପ ଶତପଥି । ଏହି ଲାଇନ୍ କୁ ଅମୃତ ଭାରତ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଦ୍ଵାରା ଏହି ଲାଇନ୍ ର ଓ ଷ୍ଟେସନ ର ବିକାଶ ହବ ବୋଲି ସେ କହିଛନ୍ତି। ଏବେ ପାରଳାଖେମୁଣ୍ଡି, କାଶୀନଗର ଓ ଗୁଣପୁର ଷ୍ଟେସନର ଅନେକ ଉନ୍ନତି ଘଟିଛି। ଏବେ ଷ୍ଟେସନ ଉଚ୍ଚତା କାର୍ଯ୍ୟ ସରିଛି। ଏହାର ପୁର୍ଣ୍ଣାଙ୍ଗ କାର୍ଯ୍ୟ ସରିବା ପରେ ଦ୍ବିତୀୟ ପ୍ଲାଟଫର୍ମ କଥା ଚିନ୍ତା କରାଯିବ ବୋଲି ସେ କହିଛନ୍ତି। ଏସବୁ ସମେତ ମେମୁ ଟ୍ରେନ୍ ର ସଫେଇ, ମୁଖ୍ଯଦ୍ବାର, ପାନୀୟ ଜଳର ସୁବିଧା ଇତ୍ଯାଦି କାର୍ଯ୍ଯ ଉପରେ ମଧ୍ୟ ଅଧିକ ଧ୍ଯାନ ଦିଆଯାଉଛି ବୋଲି ସେ କହିଥିଲେ। ସୀମାନ୍ତ ରେଳ ଉପଭୋକ୍ତା ସୁରକ୍ଷା ମଞ୍ଚ ପକ୍ଷରୁ ଦିଆ ଯାଇଥିବା ଉପଭୋକ୍ତାଙ୍କ ସମସ୍ୟା ପ୍ରତି ଶତପଥୀ ମହାଶୟ ଧ୍ୟାନ ଦେଇନାହାଁନ୍ତି । କେବଳ ରେଳ ଲାଇନ୍ ପ୍ରସସ୍ତି କରଣ ଏବଂ ପ୍ଲାଟଫର୍ମ ଉନ୍ନତୀ କରଣ ଦିଗରେ ଏହାଙ୍କ ଧ୍ୟାନ ସୀମିତ ରହିଛି ବୋଲି ଅଭିଯୋଗ ଉଠିଛି। ନିଜର ଗସ୍ତକୁ ଲୋକ ଦେଖାଣିଆ କରି ଖବର କାଗଜରେ ପ୍ରସାର ନିମନ୍ତେ ନିଜ ଜୟଗାନ କରୁଥିବା କିଛି ମୁଷ୍ଟିମେୟ ଚାଟୁ କାର ଙ୍କୁ ନିଜ ଗସ୍ତ ଖବର ଦେଇ ଫୋଟ ପୋଜ ଦେଇ ନିଜର ଟି ଆର୍ ପି ବଢ଼ାଇବା ବ୍ୟତୀତ ବର୍ତ୍ତମାନ୍ ସୁଦ୍ଧା ରେଳ ଯାତ୍ରୀ ଏବଂ ରେଳ ଉପଭୋକ୍ତା ଙ୍କ ସମସ୍ୟାର ସମାଧାନ ପାଇଁ କଣ ପଦକ୍ଷେପ ନେଇଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏହାକୁ ନେଇ ବୁଦ୍ଧିଜୀବୀ କହିଲେଣି, “କିହେବ ଶୁଆ ପୋଷିଲେ – ରାମ ନାମ ନବୋଲିଲେ”। ଦେହିବାକୁ ରହିଲା ରେଳ ଡବା ରେ ରିତିମତ ପାଣି ରହିବ କେବେ,ରୀତିମତ ସଫା ହେବ କେବେ,ମୁଖ୍ୟ ଫାଟକ ନିକଟରୁ ତିନି ଚକିଆ ଯାନ ହଟି ଏକ ସୁରକ୍ଷିତ ପ୍ରଶସ୍ତ ସ୍ଥାନରେ ପାର୍କିଂ ର ବ୍ୟବସ୍ଥା କରାଯାଇ ଯାତ୍ରୀ ମାନେ ଯିବା ଆସିବାର ସୁବିଧା କରାଯିବ କେବେ ।

ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଲୋକସେବା ଦିବସ ପାଳିତ….!

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା)- ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି ସଭାଗୃହ ଠାରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଙ୍କ ସଭାପତିତ୍ବ ରେ ପଞ୍ଚାୟତ‌ ସମିତି ସ୍ତରୀୟ ଲୋକସେବା ଦିବସ ପାଳିତ ହୋଇଯାଇଛି ।ଏଥିରେ ଲୋକ ପ୍ରତିନିଧି , ସରପଞ୍ଚ,ସମିତି ସଭ୍ୟ,ଗଣମାଧ୍ଯମ , ବିଭିନ୍ନ ବିଭାଗର ବ୍ଲକ୍ ସ୍ତରୀୟ ଅଧିକାରୀ, ପଞ୍ଚାୟତ ସମିତି କାର୍ଯ୍ୟାଳୟ କର୍ମଚାରୀ,କ୍ଷେତ୍ର କର୍ମଚାରୀ ଙ୍କ ସମେତ ସାଧାରଣ ବର୍ଗ ଲୋକ ଯୋଗ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତି ଝୋଡିଆ ପ୍ରବାଦ‌ ପୁରୂଷ ଙ୍କ‌ ଫୋଗ ଚିତ୍ର ନିକଟରେ ରେ ଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର, ମିଶନ ଶକ୍ତି ବିପିଏମ ଯସ୍ମୀନ ମୁଟିକା, ଶିଶୁ ବିକାଶ ଯୋଜନା ମଣ୍ଡଳ ପରିଦର୍ଶିକା ସାବିତ୍ରୀ ନାୟକ, ଯୋଗାଣ ନିରୀକ୍ଷକ ସିପ୍ରା ସାମଲ, ପ୍ରମୁଖ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପି ଦିବାକର ରାଓ ,ରମାକାନ୍ତ ମାଣ୍ଡାଙ୍ଗି,ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଦୀପ୍ତିରାଣୀ ମୁନି ,ପଞ୍ଚାୟତ ରାଜ ବିଭାଗ କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ଲୋକସେବା ଦିବସ ର ଆଭିମୂଖ୍ଯ, ସରକାର ଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକ ପାତ କରିବା ସହ ପ୍ରବାଦ ପୁରୁଷ ସ୍ବର୍ଗତ ଶ୍ରୀ ବିଜୁ ପଟ୍ଟନାୟକ ଙ୍କ ଦୁଃସାହସିକ ଓ ଜନ କଲ୍ୟାଣ କାର୍ଯ୍ଯ ସମ୍ବନ୍ଧରେ ସ୍ମୃତି ଚାରଣ କରିଥିବା ବେଳେ ସହକାରୀ ଯନ୍ତ୍ରୀ ଶ୍ରୀ ମିଶ୍ର ଭୂମିପୁତ୍ର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ଏହାପରେ ସରପଞ୍ଚ,ସମିତି ସଭ୍ଯ ଏବଂ ବିଭାଗୀୟ ଅଧିକାରୀ ମାନେ ନିଜର ବିଭାଗ ମାଧ୍ଯମରେ କ୍ରିୟାଶୀଳ ଉନ୍ନୟନ ମୂଳକ କାର୍ଯ୍ଯ ସମ୍ବନ୍ଧରେ ସଭା କୁ ଅବଗତ କରାଇଥିଲେ ।ବିଗତ ଦିନ ମାନଙ୍କରେ ନିଜ ପଦବୀ ର ସଦୁପଯୋଗ କରି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇ ଉତ୍ସର୍ଗୀକୃତ ସେବା କରି ଜନମାନସରେ ଉଦାହରଣ ସୃଷ୍ଟି କରି ଜନ ହୀତକର‌ କାର୍ଯ୍ଯର ଉଲ୍ଲେଖନୀୟ ଅବଦାନ ପାଇଁ ଯୋଗ୍ୟ ଲୋକ ପ୍ରତିନିଧି , ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ର ସଂଯୋଜନା ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରଭାତ କୁମାର ମିଶ୍ର କରିଥିଲେ ।ସଭା ଶେଷରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ଙ୍କ ଦ୍ଵାରା ସଭା ର ପରିସମାପ୍ତି ଘୋଷଣା
କରାଯାଇଥିଲା ।

ଓଡ଼ିଶାର ବର ପୁତ୍ର ସ୍ଵର୍ଗତ॰ ବିଜୁ ବାବୁଙ୍କ ୧୦୭ ତ୍ତମ ଜୟନ୍ତୀ ପାଳନ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣୁପୁର)- ଗୁଣୁପୁର ବିଜୁ ଜନତା ଦଳ ପକ୍ଷରୁ ଗୁଣପୁର ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୭ ତମ ଜୟନ୍ତୀ ପାଳିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରେ ଥିବା ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ବିଜୁ ପଟ୍ଟନାୟକ ଙ୍କ ଓଡିଶା ପ୍ରତି ଅବଦାନ ଓ ତାଙ୍କ ଜୀବନୀ କଥା ନେତା ଏବଂ କର୍ମୀ ମାନେ ସ୍ମୃତି ଚାରଣ କରିଥିଲେ । ଏହା ପରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ କୁ ଯାଇ ରୋଗୀ ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ଏବଂ ଗୁଣୁପୁର ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରୁ ଏକ ସାଇକେଲ ଶୋଭାଯାତ୍ରା ରେ ବାହାରି ଗୁଣପୁର ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲା ବିଜେଡି ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ର ଉପଦେଷ୍ଟା ସୁଧୀର କୁମାର ଦାସ ଙ୍କ ଆହ୍ଵାନ କ୍ରମେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରାୟଗଡା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ବିଷ୍ନୁ ପଣ୍ଡା(ପିଙ୍କୁ ପଣ୍ଡା) , ଗୁଣୁପୁର ନଗର ସଭାପତି ରାମ ପଣ୍ଡା, ଗୁଣୁପୁର ବ୍ଲକ ସଭାପତି ବାସା ଶତପଥୀ, ବିଜେଡି ନେତା ରାଜେନ୍ଦ୍ର ପ୍ରସାଦ ସାହୁ, ସାନ୍ତୁ ପଟନାୟକ, ମୁନା ପାଣି, ଅଶ୍ୱିନୀ ଗମାଙ୍ଗ, ଏସ୍ ବାବା ପ୍ରସାଦ ପ୍ରମୁଖ ସହଯୋଗ କରିଥିଲେ।

ଲାଇନ୍ ମେନ୍ ଓ ଟାଟା ର ପ୍ରତିଷ୍ଠା ଦିବସ ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣୁପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଟିପି.ଏସ୍.ଓ.ଡି.ଏଲ୍ ଅଫିସ ଠାରେ ଲାଇନ୍ ମେନ୍ ଦିବସ ଏବଂ ଟାଟା କମ୍ପାନୀର ପ୍ରତିଷ୍ଠା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଦ୍ୟୁତ୍ ବିଭାଗ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ରାଓ ଯୋଗ ଦେଇ ଅଫିସ ପ୍ରାଙ୍ଗଣ ରେ ବିଭାଗୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ବିଦ୍ୟୁତ୍ ବିଭାଗୀୟ ସମସ୍ତ ଲାଇନ୍ ମେନ୍ ମାନଙ୍କୁ ନେଇ ସ୍ଥାନୀୟ ଲକ୍ଷ୍ମୀନୃସିଂହ କଲ୍ୟାଣ ମଣ୍ଡପ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଏହି ସଭାରେ ବିଦ୍ୟୁତ୍ ବିଭାଗ ର ସର୍ଵ ଶ୍ରୀ ଗୁଣପୁର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ରାଓ, ଗୁଣପୁର ଏସଡିଓ ଚିତ୍ତ ରଞ୍ଜନ ଜେନା, ଗୁମୁଡା ଏସଡିଓ କେଶବ ଗାନ୍ଧୀ, ରାମନାଗୁଡା କନିଷ୍ଠ ଯନ୍ତ୍ରୀ ସମ୍ବିତ ସାମଲ, ଗୁଣପୁର କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ପଟ୍ଟନାୟକ ଓ ହେମନ୍ତ କୁମାର ସାହୁ, ଗୁମୁଡା କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଛଟେଈ ଏବଂ ଗ୍ରେଡ୍ – ଏ ଲାଇନ ମେନ ଅଜିତ କୁମାର ପଣ୍ଡା, ପ୍ରଦୀପ କୁମାର ପାଢ଼ୀ ଏବଂ ରମା କାନ୍ତ ମିଶ୍ର ଅତିଥି ଭାବେ ଯୋଗ ଦେଇ ଲାଇନ୍ ମେନ୍ ମାନଙ୍କ ସମସ୍ୟା ଓ କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା କରିଥିଲେ । ସଭା କାର୍ଯ୍ୟ ପ୍ରାରମ୍ଭରେ ସୁରକ୍ଷା ଅଧିକାରୀ ପ୍ରୀତମ କୁମାର ସାହୁ ସ୍ୱାଗତ୍ ଭାଷଣ ଦେବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ l ଶେଷରେ ଏହି ଦିଗରେ ଉତ୍ତମ କାର୍ଯ୍ୟ ସମ୍ପାଦନା କରିଥିବା ତିନି ଜଣ ଲାଇନ୍ ମେନ୍ ମାନଙ୍କୁ ସମ୍ମାନୀତ କରା ଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୁ ଏ.ଏମ୍.ସି ୧୧ କେଭି ସେଫ୍ଟି ଅଫିସର ଦିବ୍ୟଜ୍ୟୋତି ପରିଡା, ଭୂବାନନ୍ଦ ବେହେରା, ଏମ୍. ଏମ୍. ଜି ସେଫ୍ଟି ଅଫିସର ରିଷଭ୍ କୁମାର ଏବଂ ଏମ୍.ଏମ୍.ଜି ଡି. ଏମ୍ ବିଶ୍ଵ ରଞ୍ଜନ ବିଶ୍ବାସ ପରିଚାଳନା କରି ସାଫଲ୍ୟ ମଣ୍ଡିତ କରିଥିଲେ l

କାହା ଇସାରରେ ଅଚଳ ନଳକୂପ ଫାଇଲରେ ହେଲା ସଚଳ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- କୃଷି ର ଉନ୍ନତି ଓ ଚାଷୀ ଙ୍କ ଆୟ ଦ୍ଵିଗୁଣିତ କରିବା ନେଇ ସରକାର ଯୋଜନା କରୁଛନ୍ତି । ହେଲେ ଯୋଜନା ଯୋଜନା ବାଟରେ ରହି ଯାଉଛି । ଏମିତି ଅଭିଯୋଗ କରିଛନ୍ତି ରାୟଗଡା ଜିଲା ଗୁଣପୁର ବ୍ଲକ ସାମ୍ପିନି ଗ୍ରାମ ର ଚାଷୀ । ଏଠାରେ ସରକାର ଚାଷୀ ଙ୍କ ପାଇଁ ଗଭୀର ନଳ କୂପ ଖନନ କରିଥିଲେ । ହେଲେ ଗୋଟିଏ ବର୍ଷ ପରେ ଆଉ ପାଣି ଆସିନଥିଲା । ୪୫ ରୁ ଉର୍ଧ ଗଭୀର ନଳକୁପ ଅଚଳ ହୋଇପଡିଥିବା ବେଳେ ଉଠାଜଳସେଚନ ବିଭାଗ କାଗଜକଲମରେ ସଚଳ ବୋଲି ଦର୍ଶାଇଥିବା ଅଭିଯୋଗ ହେଉଛି। ଜମି ରେ ଅଛି ପାଣି ପ୍ରକଳ୍ପ । ଶୁଖିଲା ପଡିଛି ଜମି । ଇଏ ହେଉଛି ରାୟଗଡା ଜିଲା ଗୁଣପୁର ବ୍ଲକ ସାମ୍ପିନି ଗ୍ରାମ ଜମି ର ଦୃଶ୍ୟ । ଉଠା ଜଳସେଚନ ପକ୍ଷରୁ ୨୦୧୧ ମସିହାରୁ ସରକାରି ରେକର୍ଡ ଅନୁଯାୟୀ ଗୁଣପୁର ର ବିଭିନ୍ନ ସ୍ଥାନରେ ୨୫୨ ଗଭୀର ନଳକୁପ ବର୍ତମାନ ସୁଦ୍ଦା ଖନନ ହୋଇଛି। ୨୦୧୩ ମସିହାରେ ସାମ୍ପିନି ଗ୍ରାମାଞ୍ଚଳର ବିଭିନ୍ନ ଚାଷି ଙ୍କ ଚାଷଜମିର ୬୨ ଗଭୀର ନଳକୁପ ଖୋଳାହୋଇଥିଲା । ସେହି ସମୟରେ ଉଦ୍ଘାଟନ କରିଥିଲେ ସେତେବେଳର ମୁଖ୍ୟ ସାଚନ ସଚିବ। ଉଦ୍ଘାଟନ ପରଠୁ ଖୋଳାହୋଇଥିବାି ୬୨ ଟି ପ୍ରକଳ୍ପ ରୁ ମାତ୍ର ୪ ଟି ପ୍ରକଳ୍ପ ଚାଲୁଥିବା ଚାଷି ପକ୍ଷରୁ ଜଣାପଡିଛି। ଉଠାଜଳସେଚନ ବିଭାଗର ସୁଚନା ମୁତାବକ ଗଭୀର ନଳକୂପ ଖୋଳା ସମୟରେ ୧୦ ଅଚଳ ହୋଇଥିଲା ବଳକା ୫୨ ରୁ ମାତ୍ର ୪ ଟି ପ୍ରକଳ୍ପ ଚାଲୁ ଥିବା ବେଳେ ଆଉ ସବୁ ପ୍ରକଳ୍ପ ଅଚଳ ହୋଇପଡ଼ିଛି ।

ବର୍ତମାନ କୋଉ ଗଭୀର ନଳକୂପରେ ମଟର ଜାମ୍ ହୋଇ ରହିଛି ତ କେଉଁଠି ନଳକୂପ ପାଇପ୍ ଦବି ଯାଇଛି। କେଉଁଠି ବିଦ୍ୟୁତ୍ ସଂଯୋଗ କଟିଛି ତ କେଉଁଠି ଯାନ୍ତ୍ରିକ ତ୍ରୁଟି ରହିଛି ଏଭଳି ପଡିରହିଛି ଏହି ଗଭୀରନଳକୂପ। ଉଠାଜଳସେଚନ ରେ ରେକର୍ଡ ରେ କିନ୍ତୁ ସମସ୍ତ ନଳକୁପ ସଚଳ ହୋଇ ଚାଲୁ ରହିଥିବା ରେକର୍ଡ ଥିବା ଜଣାପଡିଛି କିନ୍ତୁ ବାସ୍ତବ ଚିତ୍ର ପୁରା ଅଲଗା। ଚାଷି ଙ୍କ କାମରେ ଏହି ନଳକୁପ ଆସୁନାହିଁ ଯାହାକି ଖରାଟିଆ ଚାଷ ମଧ୍ୟ ଚାଷି କରିପାରୁନାହାଁନ୍ତି। ୫ ହେକ୍ଟର ଚାଷ ପାଇିଁ ଗୋଟିଏ ଗୋଟିଏ ନଳକୂପ ପିଛା ୩ ଲକ୍ଷ ଟଙ୍କା ଅଟକଳ ରଖି ଖର୍ଚ ହୋଇଥିବା ଜଣାପଡିଛି। ବିଭାଗିୟ ଅଧାକାରି ନଜର କୁ ନେବା ପାଇିଁ ଦାବି କରୁଥିବା ବେଳେ ଚାଷୀ ଅସନ୍ତୋଷ ଦେଖା ଦେଇଛି । ବହୁବାର ଅଚଳ ନଳ କୂପ କୁ ସଚଳ କରାଇବା ପାଇଁ ବିଭାଗ କାର୍ଯ୍ୟାଳୟ କୁ ଯାଇ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନଥିବା କୁହାଯାଇଛି । ଲକ୍ଷ୍ୟଧାର୍ଯ୍ୟ ଏବେ ଲକ୍ଷ୍ୟ ରେ ରହି ଯାଇଚି । କାହା ଇସାରରେ ଅଚଳ ନଳକୂପ ଫାଇଲରେ ହେଲା ସଚଳ ଏହାର ବିଧିବଦ୍ଧ ତଦନ୍ତ ଦାବୀ ହେଉଛି । ଏହି ବିଭାଗରେ ଦୀର୍ଘ ବର୍ଷ ଧରି ଗୁଣପୁର ଭଳି ଗୋଟିଏ ସ୍ଥାନରେ ଏସ୍ଟିମେଟର ଭାବେ କାର୍ଯ୍ୟ କରି ଆସୁଥିବା ବାବୁ ଙ୍କ ଆଡେ ଏହାର ଇସରା ସୂଚାଉଛି । ବାବୁ ଏଥର ସମ୍ଭାଳ ..!