ପ୍ରାୟ ୫ଲକ୍ଷ ଟଙ୍କା ର ନିଷା ଦ୍ରବ୍ୟ ଜବତ କଲା ପଦ୍ମପୁର ପୋଲିସ …!

ଏଥର ସମ୍ଭାଳ ବ୍ୟୁରୋ (ବରଗଡ)- ବରଗଡ଼ ଜିଲ୍ଲା ପଦ୍ମପୁର ର ପୋଲିସ ଙ୍କୁ ମେଳିଛି ବଡ ସଫଳତା । ଫିଲ୍ମ ଷ୍ଟାଇଲ ରେ ଚୋରା ଚାଲାଣ ହେଉଥିବା ବେଳେ ପଦ୍ମପୁର ପୋଲିସ ପାଖା ପାଖି ୫ ଲକ୍ଷ ଟଙ୍କା ର ନିଷା ଦ୍ରବ୍ୟ ଚାଲାଣ ସମୟରେ ଧରିଛି । ଗତ ୧୨ ତାରିଖ ଦିନ ସନ୍ଧ୍ୟାରେ ଓଡି-୧୭-ଭି-୮୬୮୭ ନମ୍ବର ଥିବା ପିକଅଫ ରେ କଟକ ରୁ ବରଗଡ ର ଏକ ବୁକ ଏଜଏନ୍ସି କୁ ନୋଟ ବୁକ ନେବା ବାହାନା ରେ ଅବୈଧ ଭାବରେ ଏସ୍କପ ସିରଫ ଏବଂ ପେଣ୍ଟାଜୋସିନ ମେଡିସିନ ଚାଲାଣ ବେଳେ ପଦ୍ମପୁର ଗାଇସିଲେଟ ରାସ୍ତା ରେ ଏହି ପିକପକୁ ପଦ୍ମପୁର ପୋଲିସ ଧରିଛି । ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ ଙ୍କ ସୁଚନା ଅନୁଯାୟି ନୋଟବୁକ ପେଟି ପଛ ରେ ୨୫୬୦ ଟି ସିରଫ ବୋତଲ ଏବଂ ୬୦୦୦ଟି ପେଣ୍ଟାଜୋସିନ ମେଡିସିନ ଜାହାର ମୁଲ୍ୟ ପାଖା ପାଖି ୫ଲକ୍ଷ ୨୦ହଜାର ଟଙ୍କା ହବା ଅନୁମାନ କରାଯାଇଛି । ନୋଟବୁକ ପେଟି ପଛରେ ଲୁଚେଇ ନିଶା କାରବାର ପାଇଁ ଚାଲାଣ କରୁଥିବା ବେଳେ ଖବର ପାଇ ପଦ୍ମପୁର ଗାଇସିଲେଟ ରାସ୍ତା ଠାରେ ପିକଅଫ କୁ ଜବତ କରିବା ସହ ପଦ୍ମପୁର ର ଗୁନନିଧି ସାହୁ ଏବଂ ଅତାବିରା ର ଭୃଗପତି ଭୂଏ ଙ୍କୁ ଅଟକ ରଖି ତଦନ୍ତ କରୁଛି ।

ଏହି ଚାଲାଣ ର ମାଷ୍ଟର ମାଇଣ୍ଡ ପଦ୍ମପୁର ର ରାକେଶ ନାଏକ ଏବଂ ଫକିର ଖାନ ବୋଲି। ଅନୁମାନ କରି ତାଙ୍କୁ ମଧ୍ୟ ଧରିଛି । ପଦ୍ମପୁର ଥାନା କେସ ନମ୍ବର ୭୩ ତା.୧୨.୦୩.୨୦୨୩ ୟୁ/ଏସ ୨୧(ସି)/୨୫/୨୯ ଏନ.ଡି.ପି.ଏସ ଏକ୍ଟ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ସହ ନିଶା ଦ୍ରବ୍ୟ କାରବାର ରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ କେଉଁ ଠାରୁ ସେମାନେ ଟଙ୍କା ଆଣୁଥିଲେ ତାହା ଉପରେ ତଦନ୍ତ ଚଳାଇଥିବା ପଦ୍ମପୁର ପୋଲିସ ପକ୍ଷରୁ କୁହା ଯାଇଛି ।

ପରିବେଶ ସୁରକ୍ଷା ପଦ ଯାତ୍ରାରେ କର୍ଣ୍ଣାଟକର କ୍ରୀଷ୍ଣା…!

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା)- ଯେତେ ଚିନ୍ତା ଆଲୋଚନା କରିଲେ ମଧ୍ୟ ପରିବେଶ ର ସୁରକ୍ଷା ହୋଇ ପାରୁନି । ଦିନକୁ ଦିନ ବିଶ୍ୱ ଅସନ୍ତୁଳିତ ହେବାରେ ଲାଗିଛି । ଏହାର ସୁରକ୍ଷା ନିହାତି ଆବଶ୍ୟକ ହୋଇ ପଡିଛି । ଏହା ସହିତ ମଣିଷ ବଞ୍ଚିବା ପାଇଁ ଖାଦ୍ୟ ସହିତ ଯୋଗ ଜରୁରୀ ।ଚିନ୍ତା ଓ ରୋଗ ରୁ ମୁକ୍ତି ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଯୋଗ କରିବା ଆବଶ୍ୟକ । ଏହା କହିଛନ୍ତି କର୍ଣ୍ଣାଟକ ରାଜ୍ୟ ମହୀଶୂର ବାସିନ୍ଦା ୨୯ ବର୍ଷୀୟ କ୍ରୀଷ୍ଣା ନାୟକ ।ପରିବେଶ ସୁରକ୍ଷା ଓ ଯୋଗ କୁ ସେ ବ୍ରତ ଭାବେ ପାଳନ କରିଛନ୍ତି ।ଏପରି ବାର୍ତ୍ତା ନେଇ ଲୋକ ଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଲାଗି ପଡିଛନ୍ତି । ୨୦୨୨ ମସିହା ଅକ୍ଟୋବର ମାସ ୧୬ ତାରିଖ ରୁ ସେ କର୍ଣ୍ଣାଟକ ରାଜ୍ୟ ରୁ ନିଜ ପଦ ଯାତ୍ରା ଆରମ୍ଭ କରିଥିଲେ । ଏ ଭିତରେ କର୍ଣ୍ଣାଟକ, କେରଳ,ମହାରାଷ୍ଟ୍ର, ତାମିଲନାଡୁ,ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ,ଛତିଶଗଡ଼ ଅତିକ୍ରମ କରି ଆସି ପହଞ୍ଚିଛନ୍ତି ଓଡ଼ିଶା ରେ ସେହିପରି ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର ,କୋରାପୁଟ, ରାୟଗଡା ଜିଲ୍ଲା ଦେଇ ସୋମବାର ଦିନ ରାମନାଗୁଡା ରେ ପହଁଚି ଥିଲେ ।ସେ ବର୍ତମାନ ସୁଦ୍ଧା ଅତିକ୍ରମ କରି ସାରିଲେଣି ୪ ହଜାର ରୁ ଉର୍ଦ୍ଧ୍ବ କି. ମି। ଏହାପରେ ଶ୍ରୀ କ୍ରିଷ୍ଣା ଗଜପତି ଜିଲ୍ଲାର ଅଡ଼ବା, ମୋହନା ପାର କରି ଗଂଜାମ ଜିଲ୍ଲା ଅତିକ୍ରମ କରି ପୁରୀ ପର୍ଯ୍ୟନ୍ତ ପଦଯାତ୍ରା ରେ ଯାଇ ଜଗନ୍ନାଥ ଙ୍କ ଦର୍ଶନ କରି ସେଠାରୁ ପଶ୍ଚିମବଙ୍ଗ ,ପଣ୍ଡିଚେରୀ ପଦଯାତ୍ରା ମାଧ୍ୟମରେ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଉକ୍ତ ଯୁବକ କହିଛନ୍ତି । ତାଙ୍କର ଏହି ପଦଯାତ୍ରା ୨୦୨୪ ମସିହା ଡିସେମ୍ବର ମାସରେ ଶେଷ ହେବା କୁ କ୍ରୀଷ୍ଣା ଲକ୍ଷ୍ୟ ରଖିଥିବା କହିଛନ୍ତି । ମୋଟ ୨୦ ହଜାର କିଲୋମିଟର ଅତିକ୍ରମ କରି ୨୮ ଟି ରାଜ୍ୟ ରେ ସଚେତନତା ସୃଷ୍ଟି କରିବା ତାଙ୍କ ଲକ୍ଷ୍ୟ । ଏହି ପଦଯାତ୍ରା ସମୟରେ ବାଟ ରେ ଯେଉଁଠି ସ୍କୁଲ କଲେଜ ପଡୁଛି ସେଇଠି ଅଟକି ପିଲାଙ୍କୁ ପରିବେଶ ସୁରକ୍ଷା ଓ ଯୋଗ ସମ୍ପର୍କରେ ବୁଝାଉଛନ୍ତି । ଦୈନିକ ୨୦ ରୁ ୩୫କିଲୋମିଟର ଚାଲିବା ସହ ଛାତ୍ର ଛାତ୍ରୀ ଙ୍କୁ ଭେଟି ପରିବେଶ ସୁରକ୍ଷା ଦିଗରେ ଅଧିକ ସଚେତନତା ସୃଷ୍ଟି କରୁଛନ୍ତି ।ଛାତ୍ର ଛାତ୍ରୀ ମାନେ ସଚେତନ ହେଲେ ସମାଜ ରେ ଏହି ବାର୍ତ୍ତା ବାଣ୍ଟିବେ । ଏହି ପଦଯାତ୍ରା ବେଳେ ମଠ, ମନ୍ଦିର ,ଧର୍ମଶାଳା କିମ୍ବା ଥାନା ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କ ରେ ରାତ୍ରି ଯାପନ କରୁଛନ୍ତି । ରାୟଗଡା ଜିଲ୍ଲା ର ରାମନାଗୁଡା ବ୍ଲକ ସଦର ମହକୁମା ରେ ପହଁଚି ଏକ ସୁନ୍ଦର ବାର୍ତ୍ତା ଲୋକ ଙ୍କୁ ବାଣ୍ଟିଥିଲେ ।ଏମିତି ଏକ ସୁନ୍ଦର ଭାବେ କିଛି ଭିନ୍ନତା ନେଇ ନିଆରା ଢଙ୍ଗରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବାରୁ ତାଙ୍କୁ ବୁଦ୍ଧିଜୀବୀ ମହଲରେ ସାଧୁବାଦ ଜ୍ଞାପନ କରାଯାଇଛି ।

ସ୍ୱାମୀ ନିଖୋଜ ନେଇ ଥାନାରେ ଅଭିଯୋଗ…!

 !!! ବଲାଙ୍ଗୀର ରୁ ଜିତେଶ କୁମାର୍ ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର)- ଦୀର୍ଘ ୧୪ ଦିନ ହେଲା ନିଖୋଜ ଅଛନ୍ତି ସ୍ୱାମୀ । ସ୍ୱାମୀଙ୍କୁ ଖୋଜିବା ପାଇଁ ବଲାଙ୍ଗିରରୁ କଟକ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ସ୍ତ୍ରୀ । ତଥାପି ସ୍ୱାମୀଙ୍କୁ ଏଯାଏଁ ପାଇନାହାନ୍ତି । ୧୪ ଦିନ ବିତି ଯାଇଥିଲେ ମଧ୍ୟ ହାର ମାନିନାହାନ୍ତି ସ୍ତ୍ରୀ ଯାଜ୍ଞସେନୀ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ କୃଷି ବିଭାଗର ଆସିଷ୍ଟାଣ୍ଟ ଟେକ୍ନୋଲୋଜି ଆସିଷ୍ଟାଣ୍ଟ ଭାବରେ କାମ କରୁଥିବା ଦେବେନ୍ଦ୍ରନାଥ ଘଡ଼େଇଙ୍କୁ ତାଙ୍କ ପତ୍ନୀ ଯାଜ୍ଞସେନୀ ୧୪ ଦିନ ହେଲା ନ ପାଇ ପାଗଳପ୍ରାୟ ହୋଇଗଲେଣି । ଦେବେନ୍ଦ୍ରନାଥ କଟକ ଜିଲ୍ଲା ନେମାଳ ଥାନା ଓରତି ଗାଁର ମୂଳ ବାସିନ୍ଦା । ୫ ବର୍ଷ ତଳେ ବଲାଙ୍ଗିର ସହର ମାଲପଡ଼ାର ଯାଜ୍ଞସେନୀଙ୍କୁ ସେ ବିବାହ କରିଥିଲେ । ତାଙ୍କର ତିନି ବର୍ଷର ଝିଅ ଟିଏ ମଧ୍ୟ ଅଛି । ଉଭୟ ବଲାଙ୍ଗିର ସହର ତେଲିଗୋଠପଡ଼ାରେ ଗୋଟିଏ ଭଡ଼ା ଘରେ ରହୁଥିଲେ । ସବୁ କିଛି ଠିକଠାକ ଚାଲିଥିଲା । ହେଲେ ଗତ ଫେବୃଆରୀ ୨୬ରେ ଘଟିଥିଲା ଅଘଟଣ । ଦେବେନ୍ଦ୍ରନାଇ ନିଜ ଗାଁ କଟକ ଓରତିକୁ ଯାଇଥିବା ବେଳେ ସେଠାରୁ ଆଉ ଫେରି ନାହାନ୍ତି । ସେବେଠାରୁ ତାଙ୍କର ଖୋଜଖୋଜ ଖବର ନାହିଁ । ସ୍ୱାମୀ ନିଖୋଜ ହେବା ପରେ ସ୍ତ୍ରୀ ଯାଜ୍ଞସେନୀ ତାଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ବଲାଙ୍ଗିର ଠାରୁ ଆରମ୍ଭ କରି କଟକ ଯାଏଁ ସମସ୍ତ ଥାନାରେ ସେ ସ୍ୱାମୀଙ୍କୁ ଖୋଜି ଆଣିବାକୁ ଲିଖିତ ଭାବେ ଅନୁରୋଧ କରିବା ସହ ନିବେଦନ କରିଛନ୍ତି ।

କ୍ୟାନ୍ସର ସଚତେନତା ପଦଯାତ୍ରା ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର)- ସତ୍ୟନଗର ଲେଡିଜ୍ ଫୋରମ୍ ଓ ସ୍ପର୍ଶ ହସ୍ପିଟାଲ୍ ମିଳିତ ସହଯୋଗ ରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ଏକ କ୍ୟାନ୍ସର ସଚତେନତା ପଦଯାତ୍ରା ଆୟୋଜନ କରାଯାଇଥିଲା । ପଦଯାତ୍ରା ସ୍ପର୍ଶ ହସ୍ପିଟାଲ୍ ଠାରୁ ବାହାରି ରୂପାଲି ଛକ ଦେଇ ସ୍ପର୍ଶ ହସ୍ପିଟାଲ୍ ଠାରେ ପହଞ୍ଚି ଥିଲା । ପଦଯାତ୍ରାକୁ ସ୍ପର୍ଶ ହସ୍ପିଟାଲର ଚେୟାରମେନ ଶ୍ରୀ ପ୍ରିୟବ୍ରତ ଧୀର ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।

 

ଏହି ପଦଯାତ୍ରାରେ ଅନୁନ୍ୟ ଶହେ ଜଣ ମହିଳା ତଥା ଫୋରମ୍ ର ସଦସ୍ୟ,ସ୍ପର୍ଶ ହସ୍ପିଟାଲର କର୍ମଚାରୀ, ଡ଼ାକ୍ତର, ନିମନ୍ତ୍ରିତ ଅତିଥି ମାନେ ଯୋଗଦେଇଥିଲେ। ସ୍ପର୍ଶ ହସ୍ପିଟାଲର ବରିଷ୍ଠ ଡ଼ାକ୍ତର ଶ୍ୱେତପା ବିଶ୍ୱାସ ଓ ଫୋରମର ସମ୍ପାଦିକା ଅନୁରାଧା ଦାଶ ପଦଯାତ୍ରାର ନେତୃତ୍ୱ ନେଇଥିଲେ। ସର୍ବଶେଷରେ ହସ୍ପିଟାଲର ସମ୍ମିଳନୀ କକ୍ଷରେ କ୍ୟାନ୍ସର ରୋଗର ନିରାକରଣ ଓ ସଚତେନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଜମି- ଜଳ- ଜଙ୍ଗଲ ଅଧିକାର ପାଇଁ ଆଦିବାସୀ ମେଳି…!

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା)-ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ପଞ୍ଚାୟତ ର ତାମିଲଗୁଡା ଠାରେ ସି ପି ଆଇ (ଏମଏଲ) ଲିବରେସନ ସମ୍ପାଦକ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱରେ ଏକ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ରାମନାଗୁଡା ବ୍ଲକ ର ଅନେକ ଅଞ୍ଚଳରେ ପୁର୍ବ ପୁରୁଷ ରୁ ଆଦିବାସୀ ମାନେ ଡଗଂର – ପାହାଡ଼ ଖୋଳି ସମତଳ କରି ଚାଷ ବାଷ କରୁଛନ୍ତି। ଉକ୍ତ ଜମି ପାଇଁ ଆଦିବାସୀ ମାନେ ଅନେକ ବର୍ଷ ଧରି ଆନ୍ଦୋଳନ କରିଆସୁଛନ୍ତି ପରନ୍ତୁ ଆଦିବାସୀ ମାନେ ଉକ୍ତ ଜମି ର ପଟା ପାଇପାରୁନାହାନ୍ତି । ଏହି ସମସ୍ୟା ର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଆଦିବାସୀ ନେତା ମାନେ ଅଭିଯୋଗ ଉଠାଇଛନ୍ତି । ରାମନାଗୁଡା ବ୍ଲକ ରେ ଆଦିବାସୀ ମାନଙ୍କ ଜମି ଗୁଡ଼ିକୁ ଆନ୍ଧ୍ର ପ୍ରଦେଶ ର ଜମି ମାଲିକ ମାନେ ବେନାମୀ ଭାବେ ସରକାର କଳକୁ ହାତ କରି ନେଇଛନ୍ତି। ବର୍ତ୍ତମାନ୍ ସୁଦ୍ଧା ଅନେକ ଜମି ଆଦିବାସୀ ମାନଙ୍କ ଦଖଲ ରେ ରହିଛି। ଆଦିବାସୀଙ୍କ ଅଧିନରେ ରହିଥିବା ଏହି ଜମି ଗୁଡ଼ିକର ତୁରନ୍ତ ପଟ୍ଟା ପ୍ରଦାନ କରାଯାଉ । ଏହାବ୍ୟତୀତ ଗୋଗୁପାଡୁ ପଞ୍ଚାୟତ ର ଲାଉଗୁଡ଼ା ଗ୍ରାମର ଏରିଆ ଭିତରେ ଆନ୍ଧ୍ର ପ୍ରଦେଶ କିଛି ଲୋକ ଓଡିଶା ଜମି ହଡପ କରିଛନ୍ତି ।

ଏହାକୁ ବହାର କରି ଲାଉଗୁଡ଼ା ଗାଁ ର ଆଦିବାସୀ ମାନକଂ ମଧ୍ୟରେ ପଟା ବଣ୍ଟନ କରାଯାଉ,ଗୋଗୁପାଡୁ ପଞ୍ଚାୟତ ର କାଟିକି ରେ ଆନ୍ଧ୍ର ଜମିଦାର ମାନେ ଆଦିବାସୀ ମାନଙ୍କ ଭୋଗ ଦଖଲ କରିଥିବା ଜମିକୁ ବେଆଇନ ରେଜେଷ୍ଟ୍ରି କରି ହଡପ କରିବା ଜମି କ୍ରାଇମବ୍ରାଞ୍ଚ ତଦନ୍ତ କରି ଆଦିବାସୀ ମାନଙ୍କ ମଧ୍ୟରେ ଉକ୍ତ ଜମି ଆଦିବାସୀ ମାନଙ୍କୁ ଦିଆଯାଉ ,ସମସ୍ତ ପଞ୍ଚାୟତ ରେ ଜଗଂଲ ଜମି ଘରଡିହ ପଟା ପ୍ରଦାନ କରାଯାଉ, ସମସ୍ତ ଜବ କାର୍ଡ ଧାରି ଙ୍କୁ ମନରେଗା କାମ ୨୦୦ ଦିନ କାମ ଦୈନିକ ୬୦୦ ଟଙ୍କା ମଜୁରୀ ଦିଆଯାଉ।,ଗୋଗୁପାଚୁ ପଞ୍ଚାୟତ ର କେରାଣ୍ଡି ଗୁଡା ବ୍ରିଜ ଅତି ଶୀଘ୍ର କରାଯାଉ,ରାମନାଗୁଡା ବ୍ଲକ ରେ ଜବ କାର୍ଡ ଧାରି ମାନକଂ ଖାତା କୁ ଠିକାଦାର ମାନେ ପୋଷ୍ଟାଲ ଓ ଅନାନ୍ୟ ବ୍ଯାଙ୍କ ଗୁପ୍ତ ଖାତା କରି ଟକାଂ ଠକୁଛନ୍ତି। ଏହା ତଦନ୍ତ କରି ଦୋଷୀ ମାନକଂ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ଏଭଳି କିଛି ଦାବୀ ଏହି ବୈଠକ ରେ ପାରିତ୍ କରାଯାଇ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯାଇଛି ।ଏହି ଦାବୀ ଗୁଡ଼ିକ କାର୍ଯ୍ୟକାରୀ କରାନଗଲେ ଆଗାମୀ ମାର୍ଚ ୨୩ ତାରିଖ ଠାରୁ ରାମନାଗୁଡା ବ୍ଲକ ଓ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧାରଣା ବସିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇ ଥିବା ସୂଚନା ଦିଆ ଯାଇଛି ।

ଅସାଧୁ ବ୍ୟବସାୟୀ କୋଲଡ୍ରିଙ୍ଗସ ରେ ନିଶା ମିକ୍ସ କରି ବିକ୍ରି କରୁଛନ୍ତି…!

!!! ବଲାଙ୍ଗୀର ରୁ ଜିତେଶ କୁମାର୍ ଶତପଥି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) – କଫ ସିରପ ଓ ନିଶା ଟେବଲେଟ ହେଲାଣି ଯୁବ ପୀଢ଼ିଙ୍କ ପାଇଁ କାଳ | ଲାଲ ରଙ୍ଗ କୋଲଡ୍ରିଙ୍ଗସ ରେ ଏସବୁକୁ ମିକ୍ସ କରି କିଛି ଅସାଧୁ ଦୋକାନୀ ବିକ୍ରି କରୁ ଥିବା ଅଭିଯୋଗ ହେଉଛି । ଧିରେ ଧିରେ ନିଶା ବ୍ୟାପାରି ବେଶୀ ଲାଭ କରିବା ପାଇଁ ଏଭଳି ନୂତନ ବ୍ୟବସାୟ ଆରମ୍ଭ କରିଲେଣି । ମଦ ପିଇଲେ ବାସ୍ନା ହେଲେ ଲୋକ ଜାଣୁଥିିଲେ ଯେ ମଦ ପିଉଛି ବୋଲି । ମଦର ଦର ମଧ୍ୟ୍ୟ ବୃଦ୍ଧି ଯୋଗୁଁ ଅନ୍ୟ ନିଶା ଯାହାକି କମ ଦରରେ ଉପଲବ୍ଧ ଅଛି ସେହି ନିଶା ବଜାରରେ ଏବେ ଜୋରରେ ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି।, ଯାହାର ଫଳ ସ୍ୱରୂପ ନିଶା ଟେବଲେଟ ଗୋଟାକୁ ୩୦ ରୁ ୪୦ ଟଙ୍କା, କଫ ସିରଫ ବୋତଲ ପିଛା ୨୦୦ରୁ ୨୫୦ ଇଞ୍ଜେକସନ୧୦୦ରୁ ୧୫୦, ଟଙ୍କା ଦେଲେ ମିଳୁଛି | ବଲାଙ୍ଗୀର ପୋଲିସ କପସିରପ ଓ ଗଞ୍ଜେଇ ଧରୁଥିବା ବେଳେ ଅସାଧୁ ଦୋକାନୀ ବେପାରର ଢଙ୍ଗ ବଦଳାଇ ଦେଇଛନ୍ତି | ନିଶା କବଳରେ ବହୁତ ସ୍କୁଲ ପିଲା ମାନେ ଓ ଲୋକମାନେ ଛନ୍ଦି ହୋଇସାରିଲେଣି ।ଏବେ ସହରରେ ବେଶୀ ଯୁବପୀଢ଼ି ହିଁ ଏହି ନିଶା କବଳରେ ଫଶୀ ରହିଛନ୍ତି, ଯଦ୍ୱାରା ନିଶା କରିବା ଚକ୍କରରେ ନିଜର ସ୍ବାସ୍ଥ୍ୟ ସହ ନିଜର ଭବିଷ୍ୟତକୁ ଅନ୍ଧାରକୁ ଠେଲି ନେଉଛନ୍ତି।ସହଜରେ ଏବଂ ଶସ୍ତାରେ ଏହି ଜିନିଷ ମିଳି ଯାଉଥିବାରୁ ଲୋକେ ଆଉ ବେଶୀ ପଇସା ଦେଇ ମଦ ନ କିଣି ଏହି କମ ଦାମିକିଆ ଜିନିଷ ବି ଭରପୁର ନିଶା ଦେବାରେ ସକ୍ଷମ ସେଥିପାଇଁ ବହୁ ଯୁବପିଢି ଅନ୍ୟ ଲୋକଙ୍କୁ ଦେଖି ଏ ଦିଗକୁ ମାଡି ଯାଉଛନ୍ତି। ବିଡି, ସିଗାରେଟ ରେ ସୀମିତ ରହୁଥିବା ଯୁବ ପିଢ଼ି ଏବେ ଏହି ନିଶାରେ ଅଭ୍ୟସ୍ଥ ହେବାର ଦେଖିବାକୁ ମିଳୁଛି। ଯେହେତୁ ଏହି ନିଶା ସେବନ କଲେ ଦୁର୍ଗନ୍ଧ ହେଉନିକି ବାସ୍ନା ହେଉନି ସେଥିପାଇଁ ଘର ଲୋକବି ଜାଣି ପାରୁ ନାହାଁନ୍ତି । ଅଭିଭାବକ ଏ ଦିଗରେ ସଜାଗ ନହେଲେ ଆଗକୁ କଣ ହେବ କିଏ କହିପାରିବ। ପ୍ରଶାସନ ଏହି ଅସାଧୁ ବେପାରୀ ଙ୍କୁ ଉପରେ ଅତି ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଯୁବ ପିଢ଼ିଙ୍କ ଭବିଷ୍ୟତ ଠିକ ହେବ ନାହିଁ ବୋଲି ବିଭିନ୍ନ ମହାଲରେ ଚର୍ଚ୍ଚା ଚାଲିଛି | ସ୍ଥାନୀୟ ପ୍ରଶାସନ ଏଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି ।

ମାର୍ଚ୍ଚ ୯ରେ ଧାରଣା ଦେବେ ୫ ହଜାର ବିଦ୍ୟୁତ କର୍ମଚାରୀ, କାମ ଅନୁଯାୟୀ ଦରମା ପାଉନଥିବା ଅଭିଯୋଗ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଟାଟା ଅଧୀନରେ ଥିବା ବିଦ୍ୟୁତ ବିଭାଗ ସେସୁରେ ୧୨ ହଜାରରୁ ଅଧିକ ଆଉଟସୋସିଂ କର୍ମଚାରୀ କାମ କରୁଛନ୍ତି । କାମ ଅନୁଯାୟୀ ଦରମା ପାଉନଥିବା ଅଭିଯୋଗ ଆଣିଛି ନିଶୂଳ ଓଡ଼ିଶା ବିଦ୍ୟୁତ ମଜ୍ଦୁର ମହାସଂଘ । ଏନେଇ ଆସନ୍ତା ୯ରେ ଟାଟା ପାୱାର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆଉସିଂ କର୍ମଚାରୀମାନେ ଧାରଣାଦେବେ ବୋଲି ସଂଘର ସାଧାରଣ ସମ୍ପାଦକ ସତ୍ୟବ୍ରତ ପଣ୍ଡା ସୂଚନା ଦେଇଛନ୍ତି । ତାଙ୍କ କହିବା ଆଉସିଂ ଅନୁଯାୟୀ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ନିଜ କର୍ମକ୍ଷେତ୍ରରେ ବିଭିନ୍ନ ବିପଦଜନକ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି । ହେଲେ ସେମାନଙ୍କ କାମ ଅନୁଯାୟୀ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଦରମା ଦିଆଯାଉ ନାହିଁ । ଫଳରେ ସେମାନେ ବିଭିନ୍ନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ସଂଘ ପକ୍ଷରୁ ଟାଟା ପାୱାରର ପରିଚାଳନା ସଦସ୍ୟଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା । ଆଲୋଚନା ପାଇଁ ଟାଟା ପାୱାର ରାଜି ନହେବାରୁ ୯ ତାରିଖରେ ଧାରଣା ଦେବା ପାଇଁ ସଂଘ ନୋଟିସ୍ ମଧ୍ୟ ଦେଇଥିଲା । ହେଲେ ଟାଟା ପାୱାର ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିଲା ନାହିଁ । ତେଣୁ ଆସନ୍ତା ୯ରେ ୫ ହଜାରରୁ ଅଧିକ କର୍ମଚାରୀ ରାଜଧାନୀସ୍ଥିତ ପାୱାର ହାଉସ କଲୋନୀଠାରେ ଥିବା ଟାଟା ପାୱାର ମୁଖ୍ୟ କାର୍ଯ୍ୟାଳୟ ସମ୍ମାନା ରେ
ଧାରଣା ଦେବେ ।

ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ସିସିଟିଭି ଜଗିବ ମାଟ୍ରିକ୍ ପରୀକ୍ଷା କପି …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପରୀକ୍ଷା ସେଣ୍ଟର ଗୁଡ଼ିକୁ ସ୍କ୍ୱାଡ୍ ଅଚାନକ ଗସ୍ତ କରିବେ। ଯାହାର ଗାତିବିଧି ସମ୍ପର୍କରେ କେହି ପୂର୍ବ ସୂଚନା ପାଇବେନି। ସେହିପରି ପରୀକ୍ଷାରେ ସ୍ୱଚ୍ଛତା ରକ୍ଷା ନିମନ୍ତେ ଅଧିକାଂଶ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ଆସନ୍ତା ମାର୍ଚ୍ଚ ୧୦ରୁ ମାଟ୍ରିକ ସମେଟିଭ-୨ ପରୀକ୍ଷା। ତେଣୁ ଏବେଠାରୁ ପ୍ରଶ୍ନପତ୍ର ପ୍ରତିଜିଲ୍ଲାର ହବରେ ପହଞ୍ଚି ସାରିଛି। ଜିଲ୍ଲା ପ୍ରଶାସନ ସହ ବି ସହଯୋଗ ପାଇଁ ଆଲୋଚନା ହୋଇଛି। ପ୍ରଶ୍ନପତ୍ର ହବରୁ ପରୀକ୍ଷା କେନ୍ଦ୍ର ଯାଏଁ ପ୍ରଶ୍ନପତ୍ର ନେବାକୁ ସ୍ୱତନ୍ତ୍ର ଲୋକଙ୍କୁ ଦାୟିତ୍ୱ ଦିଆଯାଇଛି।ଗ୍ରୀଷ୍ମର ପ୍ରକୋପକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳା ସହ ପରୀକ୍ଷା ହେବ। ଏହା ଶେଷ ପରୀକ୍ଷା ନୁହେଁ, ବରଂ ପିଲାମାନଙ୍କ ପ୍ରଥମ ପରୀକ୍ଷା। ତେଣୁ ଛାତ୍ରଛାତ୍ରୀମାନେ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ବୋଲି ଶ୍ରୀ ଦାଶ କହିଛନ୍ତି। ଅନ୍ୟପଟେ ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ଼ ପକ୍ଷରୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ମାଟ୍ରିକ ପରୀକ୍ଷାକୁ ନିର୍ଭୁଲ ଓ ସୁରୁଖୁରୁରେ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଛି ବୋର୍ଡ। ଚଳିତ ଥର ୫ ଲକ୍ଷ ୩୨ ହଜାର ୬୦୩ ଜଣ ପରୀକ୍ଷାର୍ଥୀ ଫର୍ମଫିଲପ କରିଥିବା ବେଳେ ୩୦୩୧ ଗୋଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ୩୧୬ ଗୋଟି ନୋଡାଲ ସେଣ୍ଟର କରାଯାଇଥିବାବେଳେ ସେଥି ମଧ୍ୟରୁ ୨୨ ଗୋଟି ପୁଲିସ ଷ୍ଟେସନରେ ଏହି ନୋଡ଼ାଲ ସେଣ୍ଟର ହୋଇଛି।  କନ୍ଧମାଳର ୭, କୋରାପୁଟର ୫, ମାଲକାନାଗିରିର ୧୦ ଥାନାକୁ ନୋଡ଼ାଲ ସେଣ୍ଟର କରାଯାଇଛି। ଛାତ୍ରଛାତ୍ରୀମାନେ ବୋର୍ଡ଼ ୱେବସାଇଟ ଏବଂ ସ୍କୁଲରୁ ଆଡମିର୍ଟ କାଡ ନେଇପାରିବେ। ସେହିପରି କପି ରୋକିବା ପାଇଁ ବିଭିନ୍ନ ସ୍ତରରେ ସ୍କ୍ୱାଡ୍ କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ସେଣ୍ଟର ସୁପରିଟେଣ୍ଡେଣ୍ଟମାନଙ୍କ ପାଖରେ ପରୀକ୍ଷକମାନେ ମୋବାଇଲ ରଖିବେ ବୋଲି ବୋର୍ଡ଼ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି। ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା ସକାଳ ୮ଟା ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ଶେଷ ହେବ। କେବଳ ଗଣିତ ପରୀକ୍ଷା ଦିନ ୧୫ ମିନିଟ ସମୟ ଅଧିକ ଦିଆଯିବ। ପରୀକ୍ଷା ସମୟରେ ବିଦ୍ୟୁତ କାଟ୍ ହେବ ନାହିଁ ବୋଲି ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି।ପରୀକ୍ଷା ଶେଷ ପରେ ୫୬ ମୂଲ୍ୟାଙ୍କନ କେନ୍ଦ୍ରରେ ମୂଲ୍ୟାଙ୍କନ କରାଯିବାକୁ ଥିବାବେଳେ ନୂଆ ଢାଞ୍ଚାରେ ଫଳ ପ୍ରକାଶ ପାଇବ। ଏସଏ-୧ରୁ ୪୦ ପ୍ରତିଶତ, ଏସଏ-୨ରୁ ୪୦ ପ୍ରତିଶତ, ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ମାର୍କ ମିଶି ଫଳ ପ୍ରକାଶ କରାଯିବ। ସେହିପରି ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ମଧ୍ୟ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ବବିଙ୍କ ଟ୍ୱିଟ୍ : ଅଶୋକ ଦାସଙ୍କ କଥା ମନେ ପକାଇ ବର୍ଷିଲେ ସୂର୍ଯ୍ୟବଂଶୀ ଓ ମହାଲିଙ୍ଗ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତାବ୍ୟକ୍ତ କରିଥିବାବେଳେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଟ୍ୱିଟ୍ କରି ଓଡ଼ିଶା ଆସି ଧର୍ମେନ୍ଦ୍ର ହିଂସା ପାଇଁ ତାଙ୍କ ଦଳର ନେତାମାନଙ୍କୁ ଉତ୍ସାହିତ କରିବା ଭଳି କଥା କହୁଥିବା ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ସୂରଜ ସୂର୍ଯ୍ୟବଂଶୀ କଡ଼ା ଭାଷାରେ ଟ୍ୱିଟ୍ କରି ବବିଙ୍କୁ ଜବାବ ଦେଇଛନ୍ତି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ମୂଳ ବିଷୟରେ ଉତ୍ତର ନରଖି ରାଜ୍ୟର ଯୁବ ସମାଜକୁ ଭ୍ରମିତ କରୁଛନ୍ତି । ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ଚିନ୍ତାଜନକ ଥିବା ବେଳେ ଯାଜପୁରର ନଗଡା ଏହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଟ୍ୱିଟ୍ କରି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି । ସେହିପରି ଶାସକ ଦଳର ୪୦ ଜଣ ବିଧାୟକ ଓ ମନ୍ତ୍ରୀମାନଙ୍କ ନାଁରେ ଅପରାଧିକ ମାମଲା ନେଇ ଶ୍ରୀ ଦାସ ଚୁପ୍ କାହିଁକି ବୋଲି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରଶ୍ନ କରିଛନ୍ତି । ଶ୍ରୀ ମହାଲିଙ୍ଗ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ “ବାବୁ, ଆମ ବକ୍ତବ୍ୟକୁ ଆପଣ ଠିକ ଭାବେ ଶୁଣିନଥିଲା ଭଳି ମନେହେଉଛି । ଯେଉଁ ସମ୍ବେଦନଶୀଳ କଥା ଉଠିଛି, ତାର ଉତ୍ତର ନରଖି ଆପଣ କଥାକୁ ବୁଲେଇ ରାଜ୍ୟର ଯୁବ ସମାଜକୁ ଭ୍ରମିତ କରୁଛନ୍ତି । ରାଜ୍ୟରେ ମହିଳା, ଗର୍ଭବତୀ ମହିଳା, ବାଳିକା, ନବଜାତ ଶିଶୁ ତଥା ଅନାହାର ଏବଂ ଅପପୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଇଥିଲା । ତାକୁ ନିଜ ସୁବିଧା ଅନୁସାରେ ଏଡାଇ ଦେବା ପାଇଁ ଆପଣ ଚତୁରତାର ସହ ପ୍ରୟାସ କରିଛନ୍ତି । ଆପଣଙ୍କ ଜିଲ୍ଲା ଯାଜପୁରର ନଗଡ଼ା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ବବି ବାବୁ ଦିନରେ ଲଣ୍ଠନ ଦେଖାଇବାର ଚେଷ୍ଟା କରୁଛନ୍ତି । ରାଜନୀତିରେ ହାରିବା ଜିତିବା ଲାଗି ରହେ । ଗତ ୨୦୧୯ ନିର୍ବାଚନରେ ଦିଲ୍ଲୀର ଚାବିକାଠି ରଖିବା ଦମ୍ଭ ଦେଖାଇ ୨୧ ରୁ ୨୧ ଲୋକସଭା ଆସନ ହାତେଇବା ପାଇଁ ପ୍ରଚାର କରିଥିଲେ । କିନ୍ତୁ ଭୋଟରମାନେ ବିଜେପିକୁ ୮ଟି ଲୋକସଭା ଆସନରେ ଜିତାଇଥିଲେ । ବିଜେପି ୨୦୧୯ ନିର୍ବାଚନରେ ୯୧ ଲକ୍ଷ ୨୯ ହଜାର ୭୭୩ ଖଣ୍ଡ ଭୋଟ ପାଇଥିଲା ବୋଲି ସେ ବବିଙ୍କୁ ମନେ ପକାଇ ଦେଇଛନ୍ତି । ବବିଙ୍କ ବାପା ମଧ୍ୟ ଶେଷ ନିର୍ବାଚନ କିପରି ଭାବରେ ହାରିଥିଲେ ତାହା ତାଙ୍କର ମନେ ଥିବ ବୋଲି ମହାଲିଙ୍ଗ କହିଛନ୍ତି । ଗତକାଲି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀକୁ ବିଜୁ ଜନତା ଦଳ ଧୂମଧାମରେ ପାଳନ କଲା । ସେ ମଧ୍ୟ ୧୯୭୧ ମସିହାରେ ଗୋଟିଏ ଥର ୫ଟି ଯାଗାରେ ନିର୍ବାଚନ ଲଢି ହାରିଥିଲେ । ତାଙ୍କ ପ୍ରତି କ’ଣ ଜନସମର୍ଥନ ନଥିଲା ନା ସେ ଲୋକପ୍ରିୟ ନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଟ୍ୱିଟ୍ କରି କହିଛନ୍ତି ଯେ ବବି ଭାଇ, ଆପଣଙ୍କ ପିତା ଅଶୋକ ଦାସ ଛାତ୍ରାବସ୍ଥାରେ ରାଜନୀତିକୁ ଆସିଥିଲାବେଳେ ତାଙ୍କ ବିରୁଦ୍ଧରେ ମଧ୍ୟ ସେତେବେଳର ସରକାର ଅନେକ ସଙ୍ଗୀନ ଅପରାଧିକ ମାମଲା ରୁଜୁ କରିଥିଲା । ତା’ମାନେ ସେ କ’ଣ ଅପରାଧି ହୋଇଯାଇଥିଲେ ? ଏ ବିଷୟରେ ଆପଣ ଘରର ଗୁରୁଜନମାନଙ୍କୁ ପଚାରି ବୁଝିଲେ ଉଚିତ୍ ହେବ । ଆପଣ ଏବଂ ଆପଣଙ୍କ ମୁଖ୍ୟମନ୍ତ୍ରୀ ରାଜନୈତିକ ସଂଘର୍ଷ ବିନା କ୍ଷମତାକୁ ଉପଭୋଗ କରୁଛନ୍ତି । ଆପଣ ମୂଳ କଥାର ଉତ୍ତର ନଦେଇ ଯେଉଁ କଥା ଗୁଡ଼ିକ କହିଛନ୍ତି ଓଡ଼ିଶାବାସୀ ତା’ର ସତ୍ୟତା ଭଲ ଭାବେ ଜାଣିଛନ୍ତି । ଆମର ବିରୋଧୀ ଦଳର ନେତା, ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କୁ ଆପଣଙ୍କ ସରକାର ମିଛ କେସରେ ଫସାଇ ଅପରାଧୀ କହୁଛନ୍ତି । ଆଉ ଆପଣଙ୍କ ଦଳର ୪୦ ଜଣ ବିଧାୟକ ଓ ମନ୍ତ୍ରୀମାନଙ୍କ ନାଁରେ ହତ୍ୟା, ଧର୍ଷଣ, ଡକାୟତି, ଅପହରଣ ଭଳି ସଙ୍ଗୀନ ଅପରାଧୀକ ମାମଲା ରହିଛି । ଏହା ଉପରେ ଆପଣ କିଛି କହୁନାହାନ୍ତି କାହିଁକି ବୋଲି ସେ ଟ୍ୱିଟ୍ କରି ବବିଙ୍କୁ ପ୍ରଶ୍ନ କରିଛନ୍ତି ।

ମହିଳା ଦିବସ ସପ୍ତାହ ସମାରୋହ ; ଅଫିସରଙ୍କୁ କୋଳେଇଲେ, ନେତ୍ରୀମାନଙ୍କୁ ଦୂରେଇଲେ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆସନ୍ତା ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ରାଜ୍ୟରେ ମହିଳା ସଶକ୍ତିକରଣ ଅଭିଯାନରେ ୭୦ଲକ୍ଷରୁ ଅଧିକ ମହିଳା ସାମିଲ ହୋଇଥିବାର ବାହାବା ନେଉଥିବା ଶାସକ ବିଜେଡି ନିଜର ନିର୍ବାଚନୀ ଏଜେଣ୍ଡାରେ ମହିଳାଙ୍କୁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗରେ ଲଢ଼େଇ ଜାରି ରଖିଥିବା କହୁଛି । ମହିଳାମାନେ ରାଜନୀତିକୁ ଆସି ନେତୃତ୍ୱ ନିଅନ୍ତୁ ବୋଲି ଦମ୍ଭୋକ୍ତି ଦେଖାଉଛି । କିନ୍ତୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ସରକାରୀ କାର୍ଯ୍ୟକ୍ରମରେ ମହିଳାଙ୍କ ସହ ଜଡ଼ିତ ବିଭିନ୍ନ ପଦପଦବୀର ନେତୃତ୍ୱ ନେଉଥିବା ନେତ୍ରୀମାନଙ୍କୁ ଅଣଦେଖା କରିବାକୁ ବିଜେଡି ସରକାର ପଛାଇ ନାହିଁ । ଆନ୍ତର୍ଜାତିକ ମହିଳା ଦିବସରେ ନିଜର ଦଳୀୟ ନେତ୍ରୀମାନଙ୍କୁ ଅଣଦେଖା ଓ ଅପମାନିତ କରି ସରକାରୀ ଅଫିସରମାନଙ୍କୁ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ରାଜ୍ୟସ୍ତରୀୟ ସମାରୋହ ପାଳନ କରିଛି । ଯାହାକି ବିଜେଡିର ଦୋମୁହାଁ ନୀତିକୁ ପଦାରେ ପକାଇଛି । ନିଜ ସରକାରରେ ବିଭିନ୍ନ ସରକାରୀ ପଦପଦବୀରେ ଥିବା ନିଜ ଦଳର ନେତ୍ରୀମାନଙ୍କୁ ଅଣଦେଖା କରୁଥିବା ବିଜେଡି ଏବେ ସରକାରୀ ଅଫିସରଙ୍କୁ କୋଳେଇ ବସିଛି । ଆଉ ଗଣମାଧ୍ୟମ ଓ ସଭାସମିତିରେ ମହିଳା ସଶକ୍ତିକରଣର ଲମ୍ବାଚଉଡ଼ା ଭାଷଣ ଦେବାକୁ ବିଜେଡି ନେତା-ମନ୍ତ୍ରୀ ପଛାଉ ନଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନସ୍ଥିତ କନଭେନସନ ସେଂଟରଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଶୁକ୍ରବାର ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିପାଇଁ ଆୟୋଜିତ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମହିଳା ସଶକ୍ତିକରଣ ଆଜି କେବଳ ଗୋଟିଏ ସ୍ଲୋଗାନ ନୁହେଁ । ଏହା ଆଜି ଏକ ବାସ୍ତବତା । ଓଡ଼ିଶାର ମା’ମାନେ ଆଜି ରୂପାନ୍ତରର ସାରଥୀ ହୋଇଛନ୍ତି । ୭୦ଲକ୍ଷ ମା’ମାନଙ୍କର ବିଶାଳ ସଂଗଠନ ଆଜି ଏସଏଚଜିରୁ ଏସଏମଇ ହେବାକୁ ଯାଉଛି । ମା’ମାନେ ଉଦ୍ୟୋଗୀ ହେବାକୁ ଯାତ୍ରା ଆରମ୍ଭ କରିଛନ୍ତି । ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସହିତ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ସେହିପରି ଆଜି ମିଶନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନ ଗଣମାଧ୍ୟମକୁ ସୂଚନା  ଦେଇ କହିଥିଲେ ଯେ, ସଶକ୍ତିକରଣ ହେଉଛି ସମ୍ପୂର୍ଣ୍ଣ ପ୍ରକ୍ରିୟା । ମହିଳାମାନଙ୍କୁ ନେତୃତ୍ୱ ନେବାର ପ୍ଲାଟଫର୍ମ ଦେଉଛି ମିଶନ ଶକ୍ତି । ଗତ ପଂଚାୟତ ନିର୍ବାଚନରେ ପ୍ରାୟ ୬୦ ପ୍ରତିଶତ ମହିଳା ନିଜ ବଳରେ ଛିଡ଼ା ହୋଇ ଆସିଛନ୍ତି । ୨୧ଟି ଜିଲ୍ଲା ପରିଷଦ ସଭାପତି ହେଉଛନ୍ତି ମହିଳା । ତେଣୁ ମହିଳାମାନେ ଆସି ଯଦି ରାଜନୀତିରେ ଭାଗ ନେଉଛନ୍ତି ସେଥିପାଇଁ ସେମାନଙ୍କୁ ସମାଲୋଚନା କରିବା କଥା ନୁହେଁ । ଏହା ସେମାନଙ୍କର ପସନ୍ଦ ଓ ଅଧିକାର ମଧ୍ୟ ବୋଲି ସେ କହିଥିଲେ। ଏବେ ପ୍ରଶ୍ନ ଉଠୁଛି, ଯଦି ମହିଳାମାନେ ଆଗକୁ ଆସି ନେତୃତ୍ୱ ନିଅନ୍ତୁ ବୋଲି ରାଜ୍ୟ ସରକାର ଚାହୁଁଛନ୍ତି ତା’ହେଲେ ସାର୍ବଜନୀନ କାର୍ଯ୍ୟକ୍ରମରେ ସେହି ମହିଳାମାନଙ୍କୁ ସମ୍ମାନ ଦେବାରେ ସମସ୍ୟା ରହୁଛି କେଉଁଠି? ଆନ୍ତର୍ଜାତିକ ମହିଳା ଦିବସର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ସଭାମଂଚରେ ମହିଳା କମିଶନ ଅଧ୍ୟକ୍ଷା, ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା, ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭଳି ସରକାରୀ ପଦପଦବୀରେ ଥିବା ଦଳୀୟ ନେତ୍ରୀମାନଙ୍କୁ ଦେଖିବାକୁ ମିଳୁଥିଲା । କିନ୍ତୁ ଚଳିତଥର ମୁଖ୍ୟମନ୍ତ୍ରୀଙ୍କ ସହ କେବଳ ବିଭାଗୀୟ ମନ୍ତ୍ରୀଙ୍କୁ ବାଦ୍ ଦେଲେ ସଭା ମଂଚରେ ସମସ୍ତେ ସରକାରୀ ପଦାଧିକାରୀମାନେ ହିଁ ରହିଥିଲେ । କେହି ଜଣେ ବି ରାଜନୀତି ସହ ଜଡ଼ିତ ଥିବା ନେତ୍ରୀ(ସରକାରୀ ପଦବୀରେ ଥିବା) ମଂଚରେ ମୁଖ୍ୟମନ୍ତ୍ରୀଙ୍କ ସହ ନଥିଲେ। ମହିଳା ଓ ଶିଶୁବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ଉପଦେଷ୍ଟାମାନଙ୍କୁ ବି ସଭାମଂଚରେ ଦେଖିବାକୁ ମିଳିନଥିଲା । ମହିଳା ଓ ଶିଶୁବିକାଶ ବିଭାଗର କାର୍ଯ୍ୟକ୍ରମରେ ବିଭାଗୀୟ ଉପଦେଷ୍ଟା ସୁମିତ୍ରା ଜେନା, ସଂଯୁକ୍ତା ମହାନ୍ତି ଓ ସବିତା ମହାନ୍ତିଙ୍କ ସମେତ ମିଶନଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଓ ଗୀତା ବସ୍ତିଆଙ୍କୁ ମଂଚରେ ନଥିଲେ । ସେହିପରି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ସମବାୟ ବିକାଶ ନିଗମ ଅଧ୍ୟକ୍ଷା ସ୍ୱାଧୀନବାଳା ଦାସ ଓ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା କଲ୍ୟାଣୀ ନାୟକ ପ୍ରମୁଖ ବିଜେଡି ଦଳ ସହ ଜଡ଼ିତ। ଏସବୁ ନେତ୍ରୀମାନେ ସରକାରୀ ପଦପଦବୀରେ ଅଛନ୍ତି । ଯଦି ବିଜେଡି ସରକାର ଏହି ନେତ୍ରୀମାନଙ୍କୁ ଉପଯୁକ୍ତ ସମ୍ମାନ ସରକାରୀ ପ୍ଲାଟଫର୍ମରେ ଦେଇପାରୁନାହାନ୍ତି ତା’ହେଲେ ଅନ୍ୟ ସାଧାରଣ ମହିଳାଙ୍କୁ କିଭଳି ସମ୍ମାନ ଦେଉଥିବେ ତାହା ସହଜେ ଅନୁମେୟ । କେବଳ ନିର୍ବାଚନ ଆସିଲେ ମହିଳା ସଶକ୍ତିକରଣ ଓ ଲୋଭନୀୟ ପ୍ୟାକେଜ ଘୋଷଣା କରି ସେମାନଙ୍କ ଭୋଟ ହାତେଉଥିବା ବିଜେଡି ପରବର୍ତ୍ତୀ ସମୟରେ ସେହି ମହିଳାଙ୍କୁ ଅସମ୍ମାନିତ କରିବାକୁ ପଛାଉ ନଥିବା ବିଭାଗୀୟ ରାଜ୍ୟସ୍ତରୀୟ ସମାରୋହରୁ ଜଣାପଡ଼ିଛି ।