ମଣ୍ଡଳ ସ୍ତରୀୟ ପୋଷଣ ପାଖଡା ପକ୍ଷ ପାଳିତ ।

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) : -ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସମନ୍ୱିତ ଶିଶୁ ବିକାଶ ଯୋଜନା ଦ୍ୱାରା ପରିଚାଳିତ ହେଉଥିବାରାମନାଗୁଡା ,ଗୋଗୁପାଡୁ, କୁଜେନ୍ଦ୍ରୀ, ଗୁମୁଡ଼ା ଆଦି ଚାରୋଟି ମଣ୍ଡଳ ରେ ବ୍ଲକ ଅଧିନସ୍ତ ସମସ୍ତ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ମଣ୍ଡଳ ସ୍ତରୀୟ ପୋଷଣ ପାଖଡା ପକ୍ଷ ପାଳନ କରାଯାଇଛି, ଏଥିରେ ମଣ୍ଡଳ ପରିଦର୍ଶିକା ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାରୋଟି କେନ୍ଦ୍ର ରେ ଗର୍ଭବତୀ ମହିଳା ଓ ପ୍ରସୂତି ମହିଳାଙ୍କ ମାନସିକ ବିକାଶ ୭ମାସ ରୁ ୬ ବର୍ଷ ଶିଶୁ ମାନଙ୍କ ମାନସିକ ବିକାଶ କରିବା ଲକ୍ଷ୍ୟ ରେ ରାଜ୍ୟ ସରକାରଙ୍କ ର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ପୋଷଣ ପାଖଡା କାର୍ଯ୍ୟକ୍ରମ ସଫଳ ରୂପାୟନ କରିବା ପାଇଁ ପ୍ରଥମେ ମଣ୍ଡଳ ସ୍ତରୀୟ ରେ ଗର୍ଭବତୀ, ପ୍ରସୂତି ଏବଂ କିଶୋରୀ ବାଳିକା ମାନଙ୍କୁ ନେଇ ରାମନାଗୁଡା ବ୍ଲକ ର ଚାରୋଟି ସେକ୍ଟର ରେ ପୋଷଣ ପାଖଡା ପକ୍ଷ ପାଳିତ ହୋଇଥିଲା ,ଅଙ୍ଗନବାଡି କର୍ମୀ ,ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ କିଶୋରୀ ବାଳିକା ମାନଙ୍କୁ ନେଇ ବିଭିନ୍ନ ପ୍ରକାର ସ୍ଲୋଗାନ ମାଧ୍ୟମରେ ଏକ ସଚେତନତା ରାଲି ର ଆୟୋଜନ କରାଯାଇଥିଲା , ରାଲି ମାଧ୍ୟମରେ କେନ୍ଦ୍ର ରେ ପହଞ୍ଚି ପୃଷ୍ଟିସାର, ସ୍ବେତସାର, ସ୍ନେହସାର,ଲୌହସାର ଜନିତ ଖାଦ୍ୟ ଗୁଡିକ ପ୍ରସ୍ତୁତ କରି ପ୍ରଦର୍ଶନ କରାଯାଇଥିଲା, ଏଥିରେ ମଣ୍ଡଳ ସ୍ତରୀୟ ସମସ୍ତ ଅଙ୍ଗନବାଡି କର୍ମୀ କିଶୋରୀ ବାଳିକା ,ଗର୍ଭବତୀ ଓ ପ୍ରସୂତି ମହିଳା ମାନେ ଯୋଗ ଦେଇ ପ୍ରଦର୍ଶିତ ହୋଇଥିବା ଖାଦ୍ୟ ସାମଗ୍ରୀର ଉପକାରୀତା ବିଷୟରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶାନ୍ତିଲତା ରଥ , ରାମନାଗୁଡା ମଣ୍ଡଳ ପରିଦର୍ଶିକା ସୁବୁଦ୍ଧି ଶବର ,କୁଜେନ୍ଦ୍ରୀ ମଣ୍ଡଳ ପରିଦର୍ଶିକା ଲଙ୍କେଶ୍ୱରୀ ପଟ୍ଟନାୟକ,, ଗୋଗୁପାଡୁ ମଣ୍ଡଳ ପରିଦର୍ଶିକା ସାବିତ୍ରୀ ନାୟକ, ଗୁମୁଡ଼ା ମଣ୍ଡଳ ପରିଦର୍ଶିକା ପଦ୍ମିନୀ ବଡ଼କୁମ୍ବାର ପ୍ରମୁଖ ଉପସ୍ଥିତ ଥିବା କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କୁ ବୁଝାଇଥିଲେ ,ଉକ୍ତ କାର୍ଯ୍ୟକ୍ରମ ମାର୍ଚ୍ଚ ମାସ ୩୧ ତାରିଖ ଠାରୁ ଆରମ୍ଭ ହୋଇ ଏପ୍ରିଲ ମାସ ୦୩ ତାରିଖ ପର୍ଯ୍ୟନ୍ତ ପ୍ରକଳ୍ପ ଅଧୀନସ୍ତ ସମସ୍ତ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଏହି ଭଳି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମ ସମସ୍ତ ଅଙ୍ଗନବାଡି କର୍ମୀ ପରିଚାଳନା କରିଥିବା ବେଳେ କିଶୋରୀ ବାଳିକା ମାନେ ସହଯୋଗ କରିଥିଲେ ।

 

କୁନି ପ୍ରବଚକ ଙ୍କୁ ସମ୍ଭର୍ଦ୍ଧନା ।

ଏଥର ସମ୍ଭାଳ ବ୍ୟୁରୋ (କେନ୍ଦ୍ରାପଡ଼ା) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ମା ବାସନ୍ତୀ ଦୁର୍ଗା ଙ୍କ ପବିତ୍ର ଅଷ୍ଟମୀ ପୂଜା ହଜାର ହଜାର ଭକ୍ତ ନକ୍ସମାଗମରେ ମହା ଆଡମ୍ବର ରେ ଆୟୋଜନ ହୋଇଥିଲା।ଏହି ଅବସର ରେ ଓଡ଼ିଶା ର ପୁର ପଲ୍ଲୀରେ ଜଣାଶୁଣା କୁନି ପ୍ରବଚକ ଶ୍ରୀ କେଶବ ଚନ୍ଦ୍ର ଦୂତିକୃଷ୍ଣ ଙ୍କ ଆଲୋଚିତ ହରିକଥା ଭକ୍ତି ଭାବ ଅଞ୍ଚଳ କୁ ହରିମୟ କରିଥିଲା। ଏହି କୁନି ହରିକଥା ପ୍ରବଚକ ଙ୍କୁ ଦେଖିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଜଗନ୍ନାଥପୁର ଗ୍ରାମରେ ନାହିଁ ଥିବା ଭିଡ ଦେଖିବାକୁ ମିଳିଥିଲା। ଏହି ହରି କଥା ଆଲୋଚନା କରୁଥିବା ସମୟ ରେ ଯେତେବେଳେ ଦୂତିକୃଷ୍ଣ ଦୁଇ ଆଖି ବନ୍ଦ କରି ଯେତେବେଳେ ପ୍ରଭୁ ଙ୍କୁ ଲୟ କରି ବାର୍ତ୍ତା ପ୍ରଦାନ କରୁଥିଲେ ସେହି ସମୟ ଅତୀବ ମନୋରମ ଓ ହରି ଭଜନ ର ସାର ମର୍ମ କୁ ଭକ୍ତ ଙ୍କ ମଧ୍ୟରେ ବାଣ୍ଟି ଦେବା ଭଳି ମନେ ହେଉଥିବା ଭକ୍ତ ବୃନ୍ଦ ବଖାଣିବା ସହ ଯାହା ନିଜେ ଦେଖିଲେ ବିଶ୍ୱାସ ହେବ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି ।ସେହି ବିସ୍ମୟ କୁନି ପ୍ରବଚକ ଙ୍କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁଷ୍ପ ମାଲ୍ୟ,ଉତ୍ତରୀୟ ଓ କେନ୍ଦ୍ରାପଡା ର ଆରାଧ୍ୟ ଶ୍ରୀ ସିଦ୍ଧ ବଳଦେବଜୀଉ ଏକ ଫଟୋ ଚିତ୍ର ଦେଇ ସମ୍ଭର୍ଦ୍ଧନା କରାଯାଇଥିଲା । ଏହି ଦେବତୂଲ୍ୟ କାର୍ଯ୍ୟ ରେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କ ସମେତ ରଶ୍ମିରଞ୍ଜନ ବାରିକ ,କେଦାର ସ୍ବାଇଁ, କାଳଦୀ ମଲିକ , ବିଭୁ ପ୍ରସାଦ ସାହୁ, ଗଗନ ଆଚାର୍ଯ୍ୟ, ଓ ଚନ୍ଦନ ରାଉତରାୟ ପ୍ରମୁଖ ଯୋଗ ଦେଇ କୁନି ପ୍ରବାଚକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ନକଲି ସାର୍ଟିଫିକେଟ କାରବାର ଘଟଣା ରେ ୧୯ ଗିରଫ ।

!!! ବଲାଙ୍ଗୀର ରୁ ଜିତେଶ କୁମାର୍ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବଲାଙ୍ଗୀର : ନକଲି ସାର୍ଟିଫିକେଟ ଓ ମାର୍କସିଟ କାରବାରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ନକଲି ସାର୍ଟିଫିକେଟ ଓ ମାର୍କସିଟ କାରବାରରେ ସମ୍ପୃକ୍ତ ୧୯ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ଥାନା ପୁଲିସ। ସମଗ୍ର ଦେଶର ୪୧ଟି ସ୍କୁଲ ଓ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ ହୋଇଥିବା ଜାଲ ସାର୍ଟିଫିକେଟ ଓ ମାର୍କସିଟ ଜବତ କରାଯାଇଛି। ବିଭିନ୍ନ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ ନକଲି ରବର ଷ୍ଟାମ୍ପ, ତହସିଲଦାର ଓ ଜଏଣ୍ଟ ଡାଇରେକ୍ଟର ପ୍ରଭୃତି ୨୭ ଜଣ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନାମରେ ନକଲି ରବର ଷ୍ଟାମ୍ପ, ବହୁ ସଂଖ୍ୟକ କମ୍ପ୍ୟୁଟର, ହାର୍ଡଡିସ୍କ ଓ ମୋବାଇଲ୍‌ ଜବତ ହୋଇଥିବା ସୂଚନା ମିଳିଛି।

ଆଜି ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର କହିଛନ୍ତି, ଗଣମାଧ୍ୟମରେ ଖବର ପ୍ରସାରଣ ଓ ଏନେଇ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଖୋଳତାଡ଼ ଆରମ୍ଭ ହୋଇଥିଲା। ବଲାଙ୍ଗୀର ପୁଲିସର ସ୍ୱତନ୍ତ୍ର ଟିମ ଏହି ମାମଲାର ତଦନ୍ତ କରୁଛି। ଦୁଇଦିନ ତଳେ ଏନେଇ ମାମଲା ରୁଜୁ ହୋଇଛି। ତଦନ୍ତ କରିବା ବେଳେ ‘ରିଲାଏନ୍ସ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଟ’ରେ ଚଢ଼ଉ କରାଯାଇଥିଲା। ଏଠାରୁ ପ୍ରାୟ ୫ ହଜାର ନକଲି ସାର୍ଟିଫିକେଟ ମିଳିଥିଲା। ଅଭିଯୁକ୍ତମାନେ ଗୋଟିଏ ସାର୍ଟିଫିକେଟ ଦେଢ଼ ଲକ୍ଷରୁ ୨ ଲକ୍ଷରେ ବିକ୍ରି କରୁଥିଲେ। ପ୍ରାୟ ୮ ବର୍ଷ ହେବ ଏହି ରାକେଟ ଚାଲୁଥିଲା। ନକଲି ସାର୍ଟିଫିକେଟ ଜାରି କରିବା ପୂର୍ବରୁ ଅଭିଯୁକ୍ତମାନେ ସମ୍ପୃକ୍ତ ସ୍କୁଲ ଓ ବିଶ୍ୱବିଦ୍ୟାଳୟର କର୍ମଚାରୀଙ୍କ ସହ ଲିଙ୍କ ରଖି ତାଙ୍କ ଠାରୁ ମିଳୁଥିବା ଗୁପ୍ତ ବିବାରଣୀ ଅଧାରରେ ନକଲି ରବର ଷ୍ଟାମ୍ପ, ଅବିକଳ ଲୋଗ, ଦସ୍ତଖତ ପ୍ରଭୃତି ପ୍ରସ୍ତୁତ ହେଉଥିଲା।

ଚଢ଼ଉରେ ଅନେକ ଡାଏରୀ ମଧ୍ୟ ମିଳିଛି, ଯାହା ଭିତରେ କୋଟିକୋଟି ଟଙ୍କା କାରବାରର ହିସାବ ରହିଛି। ଏମ୍‌ସିଏଲ୍ ନାମରେ ଜାରି ୮୧ ଲକ୍ଷଙ୍କାର ଏକ ବାଉନ୍ସ ଚେକ୍ ମଧ୍ୟ ମିଳିଛି। ଏମ୍‌ସିଏଲ୍‌ରେ କିଛି ଯୁବକଙ୍କୁ ନକଲି ସାର୍ଟିଫିକେଟ ଜରିଆରେ ଚାକିରି ଦେବାକୁ ଏହି ଟଙ୍କା କାରବାର ହେବାର ଥିଲା। ତେବେ ଏହି ଘଟଣାରେ ୧୯ ଜଣ ଗିରଫ ହୋଇଥିବାବେଳେ ଘଟଣାର ତଦନ୍ତ ଚାଲିଥିବାରୁ ଆହୁରି ଗିରଫ ହେବା ଆଶଙ୍କା ରହିଛି ବୋଲି ଏସ୍‌ପି ନୀତିନ କୁଶଲକର କହିଛନ୍ତି।

ରାମନାଗୁଡା ଲ୍ୟାମ୍ପସ ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ।  

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ରାମନାଗୁଡା :- ରାୟଗଡ଼ା ଜିଲ୍ଲା ରାମନାଗୁଡା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଲ୍ୟାମ୍ପସ ସଭାପତି ଗଣପତି ନିମାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ, ଗୁଣୁପୁର କେସିସି ବ୍ୟାଙ୍କ ଶାଖା ପରିଚାଳକ ହରିଶ୍ଚନ୍ଦ୍ର ବାନାଗାଡି , ଏଆରସିଏସ ଟି. ଶବର ପ୍ରମୁଖ ଉପସ୍ଥିତ ଥିଲେ।ଏହି ସାଧାରଣ ସଭାରେବୈଠକରେ ପ୍ରାରମ୍ଭରେ ପୂର୍ବ ସାଧାରଣ ବୈଠକର ବିବରଣୀ ପାଠ କରାଯାଇଥିଲା।ସେହିପରି ସମିତିର ୨୦୨୧-୨୨ ବର୍ଷର ଖର୍ଚ୍ଚଦାବି ଉପସ୍ଥାପନ କରାଯାଇଥିବା ବେଳେ ଆର୍ଥିକବର୍ଷ ୨୦୨୩-୨୪ ନିମନ୍ତେବଜେଟ ପାଠ କରାଯାଇଥିଲା । ଚଳିତବର୍ଷ ୨୦୨୩-୨୪ପାଇଁ ଆର୍ଥିକ ବଜେଟ ଆଗତ ହୋଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ ପରିଚାଳନା କରିଥିବା ବେଳେ ରମେଶ ମାଣ୍ଡାଙ୍ଗି, ଏଲ.ସନ୍ତୋଷ କୁମାର, ଏ.ସନ୍ତୋଷ କୁମାର, ସୁରେଶ ନିମାଲା ସହଯୋଗ କରିଥିଲେ।

ଝୋଡ଼ିଆ ଙ୍କ କଥା ପାଣିର ଗାର , ସ୍ୱପ୍ନରେ ଆଲୋକୀକରଣ ବ୍ୟବସ୍ଥା ।

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ରାମନାଗୁଡା – ଦୀର୍ଘଦିନ ଧରି ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ର ମୁଖ୍ୟ ରାସ୍ତା କଡ଼ରେ ଆଲୋକୀକରଣ ର ବ୍ୟବସ୍ଥା କରିବାର ନାଁ ଗନ୍ଧ ଧରୁନି ରାମନାଗୁଡା ବ୍ଲକ ପ୍ରଶାସନ । ରାୟଗଡା ଜିଲ୍ଲା ରାମନାଗୁଡା ରେ ସଦର ର ବିଭିନ୍ନ ସାହି, ଗଳି ତଥା ମୁଖ୍ୟ ରାସ୍ତାରେ ସୂର୍ଯ୍ୟାସ୍ତ ପରେ ଅନ୍ଧାର ରେ ବୁଡ଼ି ଯାଉଛି , ସୂଚନାଯୋଗ୍ୟ ଯେ ଗୁଣୁପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟିକା ହେମାବତୀ ଗମାଙ୍ଗ ଙ୍କ କରକମଳ ରେ ଷ୍ଟ୍ରିଟ ଲାଇଟ ର ବ୍ୟବସ୍ଥା କରାଯାଇଥିଲା କିନ୍ତୁ ସେଇଟା ମଧ୍ୟ ଦୀର୍ଘ ଏକ ବର୍ଷ ପରେ ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ଲାଇଟ ଗୁଡିକ ନଷ୍ଟ ହୋଇ ଯାଇଥିବା ବେଳେ କିଛି ଦିନ ତଳେ ଶାସକ ଦଳ ପକ୍ଷରୁ ଷ୍ଟ୍ରିଟ ଲାଇଟ ଲଗା ଯାଇଥିଲା ଠିକ ସେହିପରି ସେଇଟା ମଧ୍ୟ ରକ୍ଷଣାବେକ୍ଷଣ ନିମନ୍ତେ ପଞ୍ଚାୟତ କିମ୍ବା ଅନ୍ୟ କୌଣସି ସଂସ୍ଥା ହସ୍ତକ୍ଷେପ କରିନଥିବାରୁ ତାହାର ମଧ୍ୟ ଅବସ୍ଥା ସେମିତି ହୋଇଯାଇଥିଲା । ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ, ମୁଖ୍ୟ ବଜାର ଛକରେ ହାଇମାକ୍ସ୍ ଲାଇଟ ଲଗାଯାଇଛି । କିନ୍ତୁ ଦୁର୍ଭାଗ୍ଯ ର ବିଷୟ ମୁଖ୍ୟ ରାସ୍ତାର ତାମ୍ପରଗୁଡା ଛକ, ଦେଉଳା ରାସ୍ତା ଛକ, ଷ୍ଟେଟ ବ୍ୟାଙ୍କ ଏଟିଏମ୍ ନିକଟ, ମୁଖ୍ୟ ବଜାର, ଖୀଲାପଦର ଛକ ସମେତ ବିଭିନ୍ନ ସାହି ଓ ଗଳି ମାନଙ୍କ ରେ ଅନ୍ଧାର ରାଜୁତି କରୁଛି । ସନ୍ଧ୍ୟା ହେବା ମାତ୍ରେ ମହିଳା ଏବଂ ଛୋଟ ଛୋଟ ଶିଶୁ ମାନେ ଘରୁ ବାହାରକୁ ବାହାରିବା ନିମନ୍ତେ ସୁରକ୍ଷା ମନେ କରୁ ନାହାନ୍ତି । ସେହିପରି ଛାତ୍ର ଛାତ୍ରୀ ଟିଉସନ ଯିବା ଆସିବା କରିବା ପାଇଁ ନିରାପଦ ମନେ କରୁ ନାହାନ୍ତି ।ଏହି ସମସ୍ୟା ସମ୍ପର୍କରେ ଅବଗତ ହୋଇ ରାମନାଗୁଡା ସହର କୁ ଅନ୍ଧାର ମୁକ୍ତ କରିବା ନିମନ୍ତେ କିଛି ଦିନ ତଳେ କୋରାପୁଟ ସାଂସଦ ମାନ୍ୟବର ସପ୍ତଗିରି ଉଲାକା ତାଙ୍କ ନିଜସ୍ୱ ପାଣ୍ଠି ରୁ ସୋଲାର ଲାଇଟ ର ବ୍ୟବସ୍ଥା କରି ଅନ୍ଧାରୁଆ ସ୍ଥାନ ମାନଙ୍କ ରେ ଆଲୋକୀକରଣ କରିଥିବା ବେଳେ ଏହି ଉପରଲିଖିତ ବିଷୟ ଗୁଡିକ ନେଇ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା ।ଉକ୍ତ ଘଟଣା କୁ ନେଇ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଜାନୁଆରୀ ମାସରେ ରାଜ୍ୟ ସେକ୍ଟର ଯୋଜନା ବିଜୁ କେବିକେ ମାଧ୍ୟମରେ କାର୍ଯ୍ୟ କରିବା ନେଇ ଜିଲ୍ଲା କାର୍ଯ୍ୟାଳୟ ଅନୁମୋଦନ ପାଇଁ ପ୍ରସ୍ତାବ ଦିଆଯାଇଛି । ତାହା ଆସିଲେ ସମ୍ପୃକ୍ତ ସ୍ଥାନ ମାନଙ୍କ ରେ ବ୍ୟବସ୍ଥା କରି ଦିଆଯିବ ବୋଲି କହିଥିଲେ କିନ୍ତୁ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆଙ୍କୁ ଦୃଷ୍ଟି ଆକର୍ଷଣ କରି ଏକ ମାସ ବିତିଯାଇଥିଲେ ମଧ୍ୟ ତାଙ୍କରି କଥା ପାଣିର ଗାର ସଦୃଶ ମନେ ହେଉଛି। ଏହି ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ କେତେ ତତ୍ପରତା ଦେଖାଉଛି ତାହା ଆଗାମୀ ଦିନରେ ସମୟ କହିବ । ତେବେ ବ୍ଲକ ପ୍ରଶାସନ ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେହିପରି ସଦର ର ସମସ୍ତ ସ୍ଥାନ ମାନଙ୍କ ରେ ଷ୍ଟ୍ରିଟ ଲାଇଟ ର ବ୍ୟବସ୍ଥା କରି ଆଲୋକୀକରଣ ନିମନ୍ତେ ସାଧାରଣ ରେ ଦାବି ହେଉଛି ।

ଉପ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ରାମନାଗୁଡା :- ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ର ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ଲକ୍ କର୍ମଚାରୀ ଙ୍କ‌ ଉପସ୍ଥିତି ରେ ନିର୍ବାଚନ ପରିଚାଳନା ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତଙ୍କୁ ସ୍ବାଗତ କରିବା ସହ ରାଜ୍ଯ ନିର୍ବାଚନ କମିଶନଙ୍କ ଦ୍ବାରା ନିର୍ଦ୍ଧାରିତ ପାରିଖିତି ଗ୍ରାମ ପଞ୍ଚାୟତ ନିର୍ବାଚନ ର କାର୍ଯ୍ୟକ୍ରମ ତଥା ଆଚରଣ ବିଧି ସମ୍ବନ୍ଧରେ ପ୍ରାଞ୍ଜଳ ଭାବରେ ସମସ୍ତଙ୍କୁ ଅବଗତ କରାଇ ନିର୍ବାଚନ ଆଚରଣ ବିଧି କୁ ପାଳନ କରିବାକୁ ତଥା ନିର୍ବାଚନ ର ସୁପରିଚାଳନା ପାଇଁ ସମସ୍ତଙ୍କ ସକ୍ରୀୟ ସହଯୋଗ ଲୋଡ଼ିଥିଲେ। ସବୁ ବିଭାଗୀୟ ଅଧିକାରୀ ଏ ଦିଗରେ ନିଜର କର୍ମଚାରୀ ମାନେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଭା ଶେଷରେ ବିଭାଗ ଅଧିକାରୀ ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରି ବୈଠକ ସାଙ୍ଗ କରାଯାଇଥିଲା ।

ଦୁର୍ନୀତି ବିରୋଧରେ ପ୍ରହାର ପରେ ସବୁ ଦୁର୍ନୀତିଖୋର ଗୋଟିଏ ମଞ୍ଚରେ – ମୋଦି

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦିଲ୍ଲୀ ବିଜେପିର କାର୍ଯ୍ୟାଳୟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ପରୋକ୍ଷରେ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଆଉ କିଭଳି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ସବୁ ଦୁର୍ନୀତିଖୋର ଗୋଟିଏ ମଞ୍ଚରେ ଏକାଠି ହେଉଛନ୍ତି ତା’ରା ଉଦାହରଣ ଦେଇ କଂଗ୍ରେସକୁ ସମର୍ଥନ କରି ସୋମବାର ବିଳମ୍ବିତ ରାତିରେ ବିରୋଧୀ ଦଳର ବୈଠକକୁ ସେ କଟାକ୍ଷ କରିଛନ୍ତି। ରାହୁଲ ଗାନ୍ଧୀ ସାଂସଦ ଭାବେ ଅଯୋଗ୍ୟ ଘୋଷିତ ହେବା ପରେ ମୋଦି ପରୋକ୍ଷରେ କହିଛନ୍ତି, କିଛି ବ୍ୟକ୍ତି କୋର୍ଟଙ୍କ ରାୟକୁ ବି ପ୍ରଶ୍ନ ଉଠାଇବାକୁ ଛାଡୁନାହାନ୍ତି। ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ଦଣ୍ଡିତ ହୋଇ ସାଂସଦ ପଦ ହରାଇଛନ୍ତି। ଏହପରେ କଂଗ୍ରେସଠୁ ଦୂରେଇ ରହୁଥିବା ଦଳ ଟିଏମସି, ଆମ୍ ଆଦମୀ ପାର୍ଟି, ବିଆରଏସ ଭଳି ଦଳ ମଧ୍ୟ ରାହୁଲ ସାଂସଦ ପଦ ହରାଇବାକୁ ସମାଲୋଚନା କରିଛନ୍ତି। ଆଉ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଯୋଗ ଦେଇଥିଲା। ଏହାକୁ ନେଇ ଏବେ ମୋଦି କହିଛନ୍ତି, ସବୁ ଦୁର୍ନୀତିଖୋର ଏବେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ସେ କହିଛନ୍ତି, କଂଗ୍ରେସ ଶାସନ କାଳରେ କିଛି ଲୋକ ବ୍ୟାଙ୍କଗୁଡ଼ିକୁ ଲୁଟ କରିଥିଲେ। ଆଜି ବିଜେପି ସରକାର ଏହି ଲୋକଙ୍କର ପ୍ରାୟ ୨୦ ହଜାର କୋଟି ଟଙ୍କା ସମ୍ପତ୍ତି ଜବତ କରିଛି। ବିଜେପିକୁ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ବିରୋଧରେ ଲଢିବାକୁ ପଡ଼ିବ। ଦେଶ ପାଇଁ ଲଢେଇ କରିବ ଏବଂ ଦେଶ ବାହାରେ ଥିବା ଶକ୍ତି ବିରୋଧରେ ଲଢିବ ବୋଲି ସେ କହିଛନ୍ତି। ୧୯୮୪ରେ ବିଜେପିର କେବଳ ୨ ସାଂସଦ ଥିଲେ କିନ୍ତୁ ଏଥିରେ ହତାଶ ନହୋଇ ଆଗେଇ ଚାଲିଛୁ। ଯାହାର ପରିଣାମ ୨୦୧୯ରେ ବିଜେପି ୩୦୩ଟି ଆସନରେ ଏକାକୀ ନିର୍ବାଚନ ଜିତିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ନେତାମାନେ ଏକଦା କହୁଥିଲେ ଯେ ସେମାନେ ଜନ ସଂଘକୁ ଫିଙ୍ଗି ଦେବେ। ଆଜିର କଂଗ୍ରେସ କହୁଛି, ମୋଦି, ଆପଣଙ୍କର କବର ଖୋଳାଯିବ। ଜନସଂଘ ଏବଂ ବିଜେପିକୁ ଧ୍ୱଂସ କରିବାକୁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ସେମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଆଜି ବିଜେପି କେବଳ ଦୁନିଆର ସବୁଠୁ ବଡ ଦଳ ନୁହେଁ, ବରଂ ବିଜେପି ହେଉଛି ଭାରତର ସବୁଠୁ ଭବିଷ୍ୟତବାଦୀ ଦଳ। ଆମର କେବଳ ଗୋଟିଏ ଲକ୍ଷ୍ୟ ଅଛି। ଭବିଷ୍ୟତର ଏକ ଆଧୁନିକ ଏବଂ ବିକଶିତ ଭାରତ ଗଠନ କରିବା। ବିଜେପି କେବଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଏବଂ ଜିତିବାରେ ସୀମିତ ନୁହେଁ। ବିଜେପି ହେଉଛି ଏକ ବ୍ୟବସ୍ଥା, ବିଜେପି ହେଉଛି ଏକ ଧାରଣା, ବିଜେପି ହେଉଛି ଏକ ସଂଗଠନ, ବିଜେପି ହେଉଛି ଏକ ଆନ୍ଦୋଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗାଁକୁ ଯାଇପାରିଲାନି ଆମ୍ୱୁଲାନ୍ସ, ଖଟିଆରେ ଆସିଲେ ପ୍ରସୂତୀ…!

ଏଥର ସମ୍ଭାଳ ବ୍ୟୁରୋ(ଗଜପତି)- ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ତେଣୁ ଯାଇପାରିଲା ନାହିଁ ଆମ୍ୱୁଲାନ୍ସ। ପରିବାର ଲୋକେ ବାଧ୍ୟ ହୋଇ ଖଟିଆରେ ପ୍ରସୂତିଙ୍କୁ ୪ କିମି ବୋହି ନେଲେ। ଜନନୀ ଯନ୍ତ୍ରଣାର ଏପରି କରୁଣ ଚିତ୍ର ଆସିଛି ଗଜପତି ଜିଲ୍ଲାରୁ। ନୂଆଗଡ୍‌ ବ୍ଲକ୍‌ ସର୍ଗିସାହି ଗାଁର ଦାନିଏଲ୍‌ ରଇତଙ୍କ ସ୍ତ୍ରୀ ମିନାକ୍ଷୀ ସୋମବାର ଗର୍ଭ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ମେଡ଼ିକାଲ୍‌ ନେବା ପାଇଁ ପରିବାର ଲୋକେ ସଙ୍ଗେ ସଙ୍ଗେ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଠିକ୍‌ ସମୟରେ ଆମ୍ୱୁଲାନ୍ସ ଆସିଥିଲା। ହେଲେ ଗାଁରେ ଯାଇପାରିଲା ନାହିଁ। ଗାଁଠାରୁ ପ୍ରାୟ ୪ କିମି ଦୂରରେ ଅଟକିଲା ଆମ୍ୱୁଲାନ୍ସ। ରାସ୍ତା ଖରାପ ଯୋଗୁ ଗାଁ ଆମ୍ୱୁଲାନ୍ସ ଯାଇପାରିଲା ନାହିଁ। ତେଣୁ ଗାଁ ଲୋକେ ମିନାକ୍ଷୀଙ୍କୁ ଖଟିଆରେ ୪ କିମି ବୋହି ନେଇଥିଲେ। ପରେ ତାଙ୍କୁ ସେଠାରୁ ଆମ୍ବୁଲାନ୍ସରେ ନିଆଯାଇ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ମେଡ଼ିକାଲ୍‌ରେ ଚିକିତ୍ସା ପରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି। ପ୍ରସବ ପରେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। ଆଜି ସେମାନେ ଘରକୁ ଫେରିଛନ୍ତି। ଫେରିବା ସମୟରେ ସେ ପୁଣି ୪ କିମି ଖଟିଆରେ ଗାଁକୁ ଫେରିଛନ୍ତି। ସୂଚନାରୁ ପ୍ରକାଶ, ଗାଁକୁ ଯିବା ପାଇଁ ରାସ୍ତାକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଗାଁ ଲୋକେ ଏନେଇ ବହୁବାର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି। ମାତ୍ର ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଯେଉଁଥିପାଇଁ ଗାଁ ଲୋକେ ଏପରି ଯନ୍ତ୍ରଣା ଭୋଗୁଛନ୍ତି।

ରତ୍ନଭଣ୍ଡାରରେ ରତ୍ନ ଅଛି ତ, ପ୍ରଶ୍ନ କଲେ ବିଜୟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଶଙ୍ଖ ମୋର ଗର୍ବ’ ଅଭିଯାନକୁ ବିଭିନ୍ନ ମହଲରୁ ସମାଲୋଚନା ହେବାପରେ ବିଜେଡି ପକ୍ଷରୁ ଆଜିଠୁ ‘ଜୟ ଜଗନ୍ନାଥ’ ସ୍ଲୋଗାନକୁ ନେଇ ନୂଆ ଅଭିଯାନ ଆରମ୍ଭ ହୋଇଛି । ତେବେ ବିଜେଡିର ଏହି ସ୍ଲୋଗାନକୁ ଉଭୟ ବିଜେପି ଓ କଂଗ୍ରେସ ତୀବ୍ର ସମାଲୋଚନା କରିଥିବାବେଳେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ଶାଣିତ ଢଙ୍ଗରେ ସମାଲୋଚନା କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରରେ ରତ୍ନ ଅଛି ତ ବୋଲି ବିଜୟ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବାକୁ ନେଇ ବେଶ୍ ଗୁରୁତ୍ୱ ଦିଆଯାଉଛି । ୨୦୧୦-୧୩ ମସିହା ପର୍ଯ୍ୟନ୍ତ ମୁଖ୍ୟ ସଚିବ ଭାବେ ଶ୍ରୀ ପଟ୍ଟନାୟକ କାର୍ଯ୍ୟ କରିଥିବାରୁ ତାଙ୍କର ଏଭଳି ଆଶଙ୍କା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେଡିର ‘ଜୟ ଜଗନ୍ନାଥ’ ସ୍ଲୋଗାନ ଅଭିଯାନକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଠାକୁରଙ୍କ ବନ୍ଦନା କରିବାରେ ଅସୁବିଧା ନାହିଁ । କିନ୍ତୁ ଧର୍ମକୁ ନେଇ ରାଜନୀତି ଅନାବଶ୍ୟକ । ବିଜେପି ମାଇଲେଜ୍ ନେଇଯିବା ଭୟରେ ବିଜେଡିର ‘ଜୟ ଜଗନ୍ନାଥ’ ସ୍ଲୋଗାନ । କଂଗ୍ରେସ ଏସବରୁ ଊର୍ଦ୍ଧ୍ୱରେ ରହିଛି ଓ କଂଗ୍ରେସ ସବୁ ଧର୍ମକୁ ସମ୍ମାନ ଦିଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ରତ୍ନ ଅଛି କି ନାହିଁ ତାହା ଜଣାପଡ଼ିଲାନି । ରତ୍ନଭଣ୍ଡାରର ଚାବିକୁ ନେଇ ସମସ୍ତେ ଅନ୍ଧାରରେ ଅଛନ୍ତି । ବ୍ରହ୍ମ ବିଭ୍ରାଟ ଲୁଚେଇବାକୁ ଉଦ୍ୟମ ହେଉଛି । ସେଥିରେ ବି ସ୍ପଷ୍ଟତା ଆସିବା ଦରକାର । ସେହିପରି କଂଗ୍ରେସ ବିଧାୟକ ସିଏସ ରାଜନ ଏକ୍କା କହିଛନ୍ତି ଯେ, ଭଗବାନଙ୍କ ଭିତରେ ଭେଦଭାବ ସୃଷ୍ଟି କରାଯାଉଛି । କିଏ ଜୟ ଶ୍ରୀରାମ କହିଲା କିଏ ଜୟ ଜଗନ୍ନାଥ କହିଲାଣି । ନିର୍ବାଚନ ଆସୁଥିବାରୁ ଏଭଳି ଟ୍ରେଣ୍ଡ ଆରମ୍ଭ ହୋଇଛି । ପରାଜୟ ଆଗକୁ ଆସୁଛି, ସେଥିପାଇଁ ଡର ପଶିଯାଇଛି । ଆମେ ସମସ୍ତେ ଭାରତବାସୀ ଓ ଓଡ଼ିଶାବାସୀ । ମୁଁ ଜଣେ ଖ୍ରୀଷ୍ଟିୟାନ, ମୁଁ କିଛି ଭେଦଭାବ କରେନି । ଆରମ୍ଭରୁ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହୁଛୁ । ଅନ୍ୟପକ୍ଷରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କଟାକ୍ଷ କରିବା ଅର୍ଥ ସମଗ୍ର ଓଡ଼ିଆଙ୍କ ସ୍ୱାଭିମାନକୁ ନିନ୍ଦା କରିବା । ଜୟ ଜଗନ୍ନାଥ କହିବା ହେଉଛି ଏକତା ଓ ସମନ୍ୱୟର ପରିଚୟ । ବିଜେଡି ଏହା କହୁନି, ଓଡ଼ିଶାବାସୀ କହୁଛନ୍ତି । ଓଡ଼ିଶାବାସୀଙ୍କ ସ୍ୱର ଭାବେ ବିଜେଡି ପରିଚିତ ହେଉଛି ।

ମହାନଦୀ ବିବାଦ – ଗୃହ କମିଟିର ରିପୋର୍ଟ ମାଗି ବର୍ଷିଲେ ବିଜେପି ଓ କଂଗ୍ରେସ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମହାନଦୀ ଜଳ ବିବାଦକୁ ପ୍ରସଙ୍ଗ କରି ଗତ ୩ଦିନ ତଳେ ବିଧାନସଭାରେ ହଟ୍ଟଗୋଳ କରିଥିବା ଶାସକ ବିଜେଡିକୁ ଉଭୟ ବିଜେପି ଓ କଂଗ୍ରେସ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ମହାନଦୀ ଜଳ ବିବାଦକୁ ନେଇ ଗଠିତ ୨ଟି ଗୃହ କମିଟିର ସ୍ଥିତି କ’ଣ ଏବେ ତାହା କେଉଁ ଅବସ୍ଥାରେ ରହିଛି ଓ ମହାନଦୀ ଜଳ ବିବାଦକୁ ନେଇ ବିସ୍ତୃତ ତଥ୍ୟ ରାଜ୍ୟ ସରକାର ଦିଅନ୍ତୁ ବୋଲି ଦୁଇଦଳ ଦାବି କରିଛନ୍ତି । ଏହାସହିତ ମହାନଦୀ ଜଳ ବିବାଦର ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହି ଜାପାନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିବାରୁ କଂଗ୍ରେସ ମଧ୍ୟ ଆପତ୍ତି ଉଠାଇଛି । ଆଜି ବିଧାନସଭାରେ ଶୂନ୍ୟକାଳରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ, ୨୦୧୭ ଡିସେମ୍ବର ୭ତାରିଖରେ ତତକାଳୀନ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ହୋଇଥିବା ଗୃହ କମିଟି ଓ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ଏକ କମିଟିର ବୈଠକ କେବେ ବସିଥିଲା । ଆଉ କମିଟି କ’ଣ ସବୁ ପ୍ରସ୍ତାବ ଦେଇଛନ୍ତି । ଟ୍ରିବ୍ୟୁନାଲରେ ରାଜ୍ୟର ପକ୍ଷ ରଖିବା ପାଇଁ ରାଜ୍ୟ ସରକାର ୫ଜଣ ବରିଷ୍ଠ ଓକିଲ ନିୟୋଜିତ କରିଛନ୍ତି । ସେମାନଙ୍କ ଫି’ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । ଏସବୁର ପୂର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାର ଗୃହରେ ଉପସ୍ଥାପନ କରନ୍ତୁ । ଜଳସମ୍ପଦ ମନ୍ତ୍ରୀ ଏନେଇ ଗୃହକୁ ଅବଗତ କରାଇବାକୁ ସେ ଦାବି କରିଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସ୍ୱର ମିଳାଇ କହିଥିଲେ ଯେ, ଦୁଇଟି ଗୃହ କମିଟିର ବୈଠକ ଥରୁଟିଏ ବସିନି । ବିରୋଧୀ ଦଳ ନେତା ଏ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆମେ ତତ୍ପର ଥିବା ଏଥିରୁ ସ୍ପଷ୍ଟ । ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ବି ଉତ୍ସାହିତ କିନ୍ତୁ ତାଙ୍କର ହସ୍ତକ୍ଷେପ ବି ହେଉନାହିଁ । ମହାନଦୀ ଜଳ ବିବାଦ ଉପରେ ଆଲୋଚନା ପାଇଁ ସ୍ୱତନ୍ତ୍ର ମୋସନ୍ ଦେଇଛି, ଯାହାକୁ ବାଚସ୍ପତି ଗ୍ରହଣ କରିଛନ୍ତି ଓ ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବା ପରେ ଏହି ଆଲୋଚନା କରାଯିବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଆସନ୍ତା ୩ତାରିଖରୁ ଜାପାନ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଆଲୋଚନା ହେଲେ ତା’ର ଗୁରୁତ୍ୱ କ’ଣ ରହିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କର ଗସ୍ତକୁ ସ୍ଥଗିତ ରଖି ୬ତାରିଖ ପରେ ଗଲେ ଭଲ ହେବ । ମହାନଦୀ ଜଳ ବିବାଦ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଲେ ଭଲ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ୩ଦିନ ତଳେ ଗୃହରେ ବିଜେଡି ବିଧାୟକମାନେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇ ଉଦବେଗ ବ୍ୟକ୍ତ କରିଥିଲେ । କିନ୍ତୁ ସେମାନଙ୍କ ଏହି ଚାଲ୍ ଆଜି ଓଲଟା ପଡ଼ିଛି । ମହାନଦୀ ଜଳବିବାଦକୁ ନେଇ ଗଠିତ ୨ଟି ଗୃହ କମିଟିର ସ୍ଥିତି କ’ଣ ବୋଲି ବିରୋଧୀ ଦଳ ଦ୍ୱାରା ଦାବି ହେବା ପରେ ବିଜେଡି ବ୍ୟାକଫୁଟକୁ ଚାଲିଯାଇଛି ।