ଜନଗହଳି ରେ ସମ୍ପୂର୍ଣ୍ଣ ହେଲା ଗଦଗଦା ଯାତ୍ରା ।

!!! ରାମନାଗୁଡା ରୁ ସୁଭାଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପେଣକାମ ପଞ୍ଚାୟତ ସ୍ଥିତ ଆଦିବାସୀ ଅଧ୍ୟୁଷିତ ତାମିଙ୍ଗି ନିକଟ ଝରଣା ର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗଦଗଦା । ଏହି ଜିଲା ର ପ୍ରକୃତିର ସମ୍ଭାର ମଧ୍ୟରୁ ଗଦଗଦା ଅନ୍ୟତମ।ସୁଗନ୍ଧ ସଭାରାଜିରେ ଭରପୁର।ଏହି ଜଳପ୍ରପାତ ବେଶ ମନମୁଗ୍ଧକର।ଗଦଗଦ ହୋଇ ଏଠାରେ ଝରଣା ପାଣି ବହୁଥିବାରୁ ଏହାର ନାମ ଗଦଗଦା ହୋଇଛି,।ଏହାକୁ ଉତ୍ତର ଗଙ୍ଗା ବୋଲି ମଧ୍ୟ କହିଥାନ୍ତି କାରଣ ଏହି ଝରଣା ର ପାଣି ଉତ୍ତର ଦିଗକୁ ପ୍ରବାହିତ ହେଉଥିବାରୁ ଏପରି ନାମକରଣ ହୋଇଛି ବୋଲି ସ୍ଥାନୀୟ ବାସୀ ମତବ୍ୟକ୍ତ କରନ୍ତି ।

ଝରଣା ର ମଧ୍ୟ ଭାଗ ପଥର ଗୁମ୍ଫାରେ ପୂଜାପାଉଛନ୍ତି ନୀଳକଣ୍ଠ ମହାଦେବ।ପ୍ରତ୍ୟେକ ବର୍ଷ ମାଘ ମାସ ପୂର୍ଣ୍ଣିମା ତିଥିରେ ଏଠାରେ ବଡ଼ ଯାତ୍ରା ଅନୁଷ୍ଠିତ ହୋଇଥାଏ ।ପ୍ରଭୁ ନୀଳକଣ୍ଠେଶ୍ୱର ଙ୍କ ବିକ୍ରମପୁର ର ମାଳି ସମ୍ପ୍ରଦାୟର ଲୋକମାନେ ବହୁପୁରାତନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା କରି ଆସୁଛନ୍ତି, । ବହୁ ଦୂରଦୁରାନ୍ତ ରୁ ଏଠାକୁ ଭକ୍ତ ଆସିଥାନ୍ତି।ଓଡ଼ିଶା ସମେତ ପଡୋଶୀ ଆନ୍ଧ୍ରପ୍ରଦେଶ ରୁ ବହୁ ଭକ୍ତ ଏହି ସ୍ଥାନ କୁ ଆସି ମୁଣ୍ଡନ ହୋଇଥାନ୍ତି। ବିଶ୍ୱାସ ରହିଛି ଏଠାରେ ଦେବ ଦେବ ମହାଦେବ ଙ୍କୁ ମାନସିକ କରିବା ଦ୍ୱାରା ନିସନ୍ତାନ ଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ।ମାନସିକ ପୂର୍ଣ୍ଣ ମଧ୍ୟ ହୋଇଥାଏ। ହେଲେ ବିଡ଼ମ୍ବନାର ବିଷୟ ଭିତ୍ତିଭୂମି ଅଭାବ ରୁ ଲୋକ ଲୋଚନକୁ ଆସିପାରୁନାହିଁ ଏହି ସ୍ଥାନ। ଆଦିବାସୀ ଇଲାକା ରେ ଲୁକ୍କାୟିତ ଭାବେ ରହିଥିଲେ ମଧ୍ୟ ଏହିସ୍ଥାନର ସୌନ୍ଦର୍ଯ୍ୟ ପ୍ରକୃତି ପ୍ରେମୀଙ୍କୁ ଟାଣି ଆଣୁଛି। ଏହି ସ୍ଥାନ କୁ ଯିବାକୁ ହେଲେ ୩୨୬ ନମ୍ବର ଜାତୀୟ ରାଜପଥ ଠାରୁ ୪ କିମି ଦୂରତା ଅତିକ୍ରମ କରି ଯିବାକୁ ପଡ଼ିଥାଏ ଯେହେତୁ ମୁଖ୍ୟ ରାସ୍ତା ଠାରୁ ଦୂର ରେ ଥିବା ରୁ ଲୋକେ ଜାଣିପାରନ୍ତି ନାହିଁ।ଦିନକୁ ଦିନ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲେ ମଧ୍ୟ ଏଠାକାର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ହେଉଛି । ଏଠାରେ ବିକାଶ ର ଚିହ୍ନ ବର୍ଣ୍ଣ ନଥିବା ଦେଖିବାକୁ ମିଳିଥିବା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଙ୍କ ଅମଳ ରେ ସେହି ସ୍ଥାନ କୁ ଯିବା ପାଇଁ ପାହାଚ ନିର୍ମାଣ କରାଯାଇଥିଲା କିନ୍ତୁ ତାହା ଭାଙ୍ଗିବାକୁ ବସିଲାଣି ।ଯାତ୍ରା ରେ ଭଳିକି ଭଳି ଜିନିଷ ବିକ୍ରି କରିବା ନିମନ୍ତେ ବ୍ୟବସାୟୀ ମାନେ ଏଠାକୁ ଆସି ଭଲ ବ୍ୟବସାୟ କରିଥାନ୍ତି ।ଆଦିବାସୀ ଇଲାକାରେ ରହିଥିବା ଏହିସ୍ଥାନର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଗଲେ ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଥାନ୍ତା । ଲୋକଙ୍କ ଭିଡ଼ କୁ ନଜର ରେ ରଖି ରାମନାଗୁଡା ଥାନା ଅଧିକାରୀ ସୁଶ୍ରୀ ସୁନିତା ବେହେରା ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।

ପୋଲିସ ଓ ଅବକାରୀ ବିଭାଗ ନିଦ ଭାଙ୍ଗିବ କେବେ ।

ଏଥର ସମ୍ଭାଳ ଗୁଣୁପୁର : କିଛି ବର୍ଷ ଧରି ସ୍ଥାନୀୟ ଗୁଣପୁର ରେଳଷ୍ଟେସନ ଛକ ନିକଟସ୍ଥ ମୁଖ୍ୟ ରାସ୍ତା ର ଗୋଟିଏ ବେସରକାରୀ ବିଦ୍ୟାଳୟ ନିକଟରେ ବେଆଇନ ଦେଶୀ ମଦ ଦୋକାନ ରହିଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ସ୍ଥାନୀୟ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହା କୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଆଉ କେବେ ଏମାନଙ୍କ ନିଦ ଭାଙ୍ଗିବ ? ବିଦ୍ୟାଳୟ ନିକଟ ରେ ଦୋକାନ ଏଭଳି ଦୋକାନ ଟିଏ ରହିବା ଦ୍ୱାରା ବିଦ୍ୟାର୍ଥୀ ଙ୍କ ଉପରେ ଏହାର କୁପ୍ରଭାବ ପଡିବା ସମ୍ଭାବନାକୁ ଦୂରେଇ ଦିଆଯାଇନପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଆଶଙ୍କା ସୃଷ୍ଟି ହୋଇଛି ।ସ୍ଥାନୀୟ ଗୁଣପୁର ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୋଲିସ ବିଭାଗ ଏବଂ ପେଟ୍ରୋଲିଂ ବୃନ୍ଦ ଙ୍କ ଦୃଷ୍ଟିକୁ ଏହି ମୁଖ୍ୟ ରାସ୍ତାରେ ରହିଥିବା ବେଆଇନ ଦେଶୀ ମଦ ଦୋକାନ ଅବଗତ ନ ହେବା ବହୁ ଚିନ୍ତାର ବିଷୟ ବୋଲି କୁହାଯାଉଛି । ଜୈ ନିକ ସାମ୍ବାଦିକ ଏହି ବିଷୟରେ ବାରମ୍ବାର ଅଭିଯୋଗ କରିବାରୁ ତାଙ୍କ ବିରୋଧରେ ମିଥ୍ୟା କେସ କରି ଜୀବନ ବର୍ବାଦ କରିଦେବା ପାଇଁ ମଧ୍ୟ ଧମକ ମିଳିଥିବା କଥା ଶୁଣିବାକୁ ମିଳିଛି ।ଏପରିକି ଗୁଣପୁର ଆଦର୍ଶ ଥାନା ରେ କିଛି ବର୍ଷ ଧରି ବିନା ଅନୁସନ୍ଧାନ ରେ ସାମ୍ବାଦିକ ଙ୍କ ଉପରେ ପୋଲିସ ମିଥ୍ୟା କେସ ରୁଜୁ କରୁଥିବା କଥା ଉଠୁଛି । ଏହାକୁ ନେଇ ବିଭାଗ ପ୍ରତି ଅଙ୍ଗୁଳି ଉଠୁଥିବା ସହ ସଂପୃକ୍ତ ବିଭାଗ ସହ ବେଆଇନ କାର୍ଯ୍ୟକରୁଥିବା ଲୋକଙ୍କ କୋମଳ ମଧୁଚନ୍ଦ୍ରିକା ରହିଥିବା ଅଭିଯୋଗ ଆସିଛି ।ସ୍ଥାନୀୟ ଗୁଣପୁର ଆଦର୍ଶ ପୋଲିସ ଥାନା ରେ କେସ ଏବଂ କାଉଣ୍ଟର କେସ ରେ ଗୋଟିଏ ର ଚାର୍ଜ ସିଟ ଦେଇ ସାମ୍ବାଦିକଙ୍କ ଚାର୍ଜସିଟ ବର୍ଷବର୍ଷ ଧରି ନ ଦେବା ପଛରେ ସାମ୍ବାଦିକଙ୍କୁ ହଇରାଣ କରିବା ଉଦ୍ଧେଶ୍ୟ ରହିଥିବା ସ୍ପଷ୍ଟ ପ୍ରତିପାଦିତ ହୋଇଛି ବୋଲି କୁହାଯାଇଛି । ଏଥିପ୍ରତି ଉପଖଣ୍ଡ ଏବଂ ଜିଲ୍ଲା କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି ।

ହିନ୍ଦୁ ସମ୍ମିଳନୀରେ ଡାକରା ସ୍ବଧର୍ମକୁ ଫେରି ଆସ ।

ଏଥର ସମ୍ଭାଳ ବ୍ୟୁରୋ (ମୁନିଗୁଡ଼ା) : ରାୟଗଡ ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ସ୍ଥ ଲକ୍ଷ୍ମୀପୂଜା ପଡିଆ ଠାରେ ଆୟୋଜିତ ବିଶାଳ ହିନ୍ଦୁ ସମ୍ମିଳନୀ କୁ ଉଦବୋଧନ କରି ପୁରୀ ଗୋବର୍ଦ୍ଧନ ପୀଠର ପିଠାଧୀଶ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ହିନ୍ଦୁ ଧର୍ମର ସୁରକ୍ଷା ଓ ସମୃଦ୍ଧ ହିନ୍ଦୁ ରାଷ୍ଟ୍ର ଗଠନ ନିମନ୍ତେ ଶଙ୍ଖ ନାଦ କରି ଧର୍ମାନ୍ଧିକରଣ ହୋଇଥିବା ପରିବାର ଙ୍କୁ ସ୍ଵଧର୍ମ କୁ ଫେରି ଆସିବାକୁ ଡକରା ଦେଇଛନ୍ତି । ଜଗତ ଗୁରୁ ମୁନିଗୁଡ଼ା ଠାରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳ ବାସୀ ଏବଂ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଭିନ୍ନ ହିନ୍ଦୁ ଧର୍ମ ସଂଗଠନ ପକ୍ଷରୁ ଗୁରୁଙ୍କୁ ଶଙ୍ଖ, ହୁଳହୁଳି,ଘଣ୍ଟ ଓ ହରିବୋଲ ମଧ୍ୟରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଧର୍ମ ସଭାରେ ପହଞ୍ଚିବା ବେଳେ ତାଙ୍କ ସହିତ ମିନଝୁଲା ଜନକଲ୍ୟାଣ ଆଶ୍ରମ,ଦେବଗିରୀ ଆଶ୍ରମ,ମହେନ୍ଦ୍ରଗିରି ଆଶ୍ରମ ଏବଂ ଆଦିତ୍ୟ ବାହିନୀ ର ମୁଖ୍ୟ ପୁରଧା ତପସ୍ୱୀ କ୍ରିୟା ଯୋଗୀ ଗଣ ମଞ୍ଚକୁ ଆସିଥିଲେ । ବେଦମନ୍ତ୍ର ଉଚ୍ଚାରଣ ପରେ ଗୋବର୍ଦ୍ଧନ ପୀଠର ବ୍ରହ୍ମଚାରୀ ଶ୍ରୀ ହୃଷୀକେଶ ମହାରାଜ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ ।ମଞ୍ଚାଷିନ ଅତିଥି ବୃନ୍ଦ ହିନ୍ଦୁ ଧର୍ମର ସୁରକ୍ଷା,ହିନ୍ଦୁ ରାଷ୍ଟ୍ରର ଆବଶ୍ୟକତା ଓ ଧର୍ମାନ୍ତିକରଣ ବିରୁଦ୍ଧରେ ମତ ବ୍ୟକ୍ତ କରିଥିଲେ। । ପରମ ପୂଜ୍ୟ ଶ୍ରୀ ସରସ୍ଵତୀ ମହାରାଜ ଗୁରୁ ପରମ୍ପରା ର ପ୍ରତୀକ ବିରୁଡ଼ା ପାଠ କରି ଶଙ୍କରାଚାର୍ଯ୍ୟ ପରମ୍ପରାର ସମସ୍ତ ଗୁରୁଙ୍କୁ ନମନ କରିଥିଲେ । କଳି ଯୁଗରେ ସଂଘ ରେ ଶକ୍ତି ବିଦ୍ୟମାନ ଏଣୁ ହିନ୍ଦୁ ମାନେ ସଂଗଠିତ ହୋଇ ନିଜ ଧର୍ମର ସୁରକ୍ଷା,ସମୃଦ୍ଧି ଓ ସୁଦ୍ଧତା ରକ୍ଷା ପାଇଁ ଅନ୍ତତଃ ପକ୍ଷେ ଏକ ଘଣ୍ଟା ସମୟ ଦେବାକୁ ଆହ୍ବାନ ଦେଇଥିଲେ ।ହିନ୍ଦୁ ମାନେ ବିଧର୍ମୀ ନହୋଇ ନିଜ ଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ନିମନ୍ତ୍ରିତ ଅତିଥି ବୃନ୍ଦ ସମବେତ ଜନତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ସ୍ଵାଗତ କମିଟିର ସଭାପତି ମୀନକେତନ ଷଡ଼ଙ୍ଗୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ହିନ୍ଦୁ ରାଷ୍ଟ୍ର ଧର୍ମ ସଭାରେ ସହସ୍ରାଧିକ ହିନ୍ଦୁପ୍ରେମୀ ଜନତା ଯୋଗ ଦେଇଥିଲେ ।

ପଞ୍ଚାୟତ ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ ।

!!! ରାମନାଗୁଡା ରୁ ସୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଂଚାୟତ ସ୍ଥିତ ବାଟପୁଲିସି ଠାରେ ପଞ୍ଚାୟତ ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।କ୍ରୀଡା ଉତ୍ସବ କୁ ନିମନ୍ତ୍ରିତ ହୋଇଥିବା ଅତିଥି ଙ୍କୁ ଗାଁ ଶେଷ ମୁଣ୍ଡରେ ସମ୍ବର୍ଦ୍ଧନା କରାଯାଇ ଷ୍ଟାଡିୟମ ନିକଟକୁ ପାଛୋଟି ନିଆଯାଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବିଜେଡି ଜିଲ୍ଲା ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ ଯୋଗ ଦେଇଥିଲେ । ସେହିପରି ସ୍ୱତନ୍ତ୍ର ଅତିଥି ଭାବରେ ସୁଣ୍ଡିଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା, ସମିତି ସଭ୍ୟ କମଳ ଲୋଚନ ମୁଟିକା ,ସମାଜସେବୀ ବାତ୍ରୀ ମାଣ୍ଡାଙ୍ଗି ଯୋଗ ଦେଇଥିଲେ । ଏହି ପଞ୍ଚାୟତ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଟି ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏଥିରେ ବେଷ୍ଟ ହିଟେର, ବେଷ୍ଟ ନେଟର, ବେଷ୍ଟ ଖେଳାଳି ଭାବେ ବିବେଚିତ ଖେଳାଳି ଙ୍କ ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା ଖେଳାଳି ଟିମ କୁ ମଧ୍ୟ ପୁରସ୍କୃତ କରାଯିବା ନେଇ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ।ଏହି କାର୍ଯ୍ୟକ୍ରମ କୁ ସମୀର, ତ୍ରିପତି, ବୁଲା ପ୍ରମୁଖ ପରିଚାଳନା କରିଥିବା ବେଳେ କ୍ରୀଡା ପ୍ରେମୀଗ୍ରାମବାସୀ ପରିଚାଳନା ରେ ସହଯୋଗ କରିଥିଲେ।

ଦମ୍ପତ୍ତି ଙ୍କୁ ପୋଷ୍ୟ ସନ୍ତାନ ଦେଲେ ଜିଲ୍ଲାପାଳ ।

  !!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ୍ଟଯୋଶୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୪ ଏବଂ ୩୫ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରା FCଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ତାମିଲନାଡ଼ୁ ଓ କର୍ଣ୍ଣାଟକ ରାଜ୍ୟର ଦୁଇଟି ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ପିତାମାତା ଦ୍ବାରା ଅବହେଳିତ ହୋଇ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲାରୁ ଗୋଟିଏ କନ୍ୟା ସନ୍ତାନ ଉଦ୍ଧାର ହୋଇଥିଲା ବେଳେ ଅନ୍ୟ ଜଣେ କନ୍ୟା ଲାଳନ ପାଳନ କରିବାରେ ଅକ୍ଷମ ନିଜ ମା’ ଦ୍ବାରା ସମର୍ପିତ ହୋଇଥିଲା। ଉପରୋକ୍ତ ଦୁଇ ଶିଶୁକନ୍ୟାଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିସାନ ସାଲୋମ ଠାରେ ରଖାଯିବା ସହ ସେମାନଙ୍କର ପୋଷ୍ୟ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା। ପରବର୍ତ୍ତୀ ମୁହୁର୍ତ୍ତରେ ଦୁଇ ଶିଶୁଙ୍କୁ ଶିଶୁ ମଙ୍ଗଳ ସମିତି , ଗଜପତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ। ଯାହାଦ୍ବାରା ଶିଶୁମାନେ ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ , ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ବର୍ଷ ବର୍ଷ ଧରି ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ଦୁଇ ଦମ୍ପତ୍ତି ଶାରିରୀକ ଭାବେ ଶିଶୁମାନଙ୍କୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ , ଗଜପତି ପ୍ରସ୍ତୁତ କରିଥିଲେ। ସମସ୍ତ ଦସ୍ତାବିଜ କୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଗୁରୁବାର ଦିନ ଶିଶୁମାନଙ୍କୁ ତାମିଲନାଡ଼ୁ ଓ କର୍ଣ୍ଣାଟକ ରାଜ୍ୟର ଦମ୍ପତ୍ତି ମାନଙ୍କୁ ଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା।

ଏହି ଦୁଇ ଶିଶୁ କନ୍ୟାରତ୍ନ ହୋଇଥିଲା ବେଳେ ସେଥିମଧ୍ୟରୁ ଜଣଙ୍କର ବୟସ ୫ ବର୍ଷ ଓ ଅନ୍ୟଜଣଙ୍କ ବୟସ ୫ ମାସ ହୋଇଥିଲା। ଶିଶୁମାନଙ୍କୁ ପାଇ ଦମ୍ପତ୍ତି ମାନେ ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।

ହସ୍ତାନ୍ତର ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରୀପାଠୀ , ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ସୁଜାତା ପଟ୍ଟନାୟକ ଓ ସୁଶ୍ରୀ ମମତା ଶତପଥୀ , ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ମହେନ୍ଦ୍ରଗିରି ମହାଶିବରାତ୍ରୀ ପାଇଁ ପ୍ରସ୍ତୁତ ବୈଠକ ।

 !!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ୍ଟ ଯୋଶୀ ଙ୍କ ରିପୋର୍ଟ !!!

 

ଏଥର ସମ୍ଭାଳ ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ ଶିଖରରେ ଥିବା ମାତା କୁନ୍ତୀ , ଯୁଧିଷ୍ଠିର ଓ ଭୀମ ମନ୍ଦିରରେ ଚଳିତ ବର୍ଷ ମହାଶିବ ରାତ୍ରୀ ଧୁମ୍ ଧାମରେ ପାଳନ କରାଯିବ। ନେଇ ସ୍ଥିର କରାଯାଇଛି ।ଏଥି ନିମନ୍ତେ ଗୁରୁବାର ଦିନ ସନ୍ଧ୍ୟାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୬ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଶିବରାତ୍ରୀ ଅନୁଷ୍ଠିତ ହେବ ଏଥିପାଇଁ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରଯାଇଥିଲା। ମହେନ୍ଦ୍ରଗିରି ମହାଶିବରାତ୍ରି ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ପ୍ରବଳ ଜନସମାଗମ ହେବାକୁ ଆଖିରେ ରଖି ଭକ୍ତମାନେ ଯିବା ଆସିବା ରାସ୍ତାର ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯିବ। ,ରାସ୍ତାର ମରାମତି ପାଇଁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ୧୦ ଟଙ୍କାର ସୁଲଭ ଦରରେ ପ୍ରସାଦ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି। ମହେନ୍ଦ୍ରଗିରି ଶିଖର ମଧ୍ୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ଯୋଗାଇଦିଆଯିବ। ପର୍ବତ ଶିଖରରେ ଯାନବାହାନ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ , ଦୁଇ ଚକିଆ ପାଇଁ ୫୦ , ତିନି ଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ଚାରି ଚକିଆ ଯାନ ପାଇଁ ୩୦୦ଟଙ୍କା ଧାର୍ଯ୍ୟ କରାଯାଇଛି।

ସେହିପରି କୁନ୍ତୀ ମନ୍ଦିର , ଯୁଧିଷ୍ଟିର ମନ୍ଦିର , ଭୀମ ମନ୍ଦିର ଦର୍ଶନ ପାଇଁ ପ୍ରତି ମନ୍ଦିର ପିଛା ୨୦ ଟଙ୍କା ରଖାଯାଇଛି। ମହେନ୍ଦ୍ରଗିରି ମହାଶିବ ରାତ୍ରୀ ୧୬ ତାରିଖ ଠାରୁ ତା ୧୮ତାରିଖ ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିବେ। ଏହାପରେ ୧୭ ତାରିଖ ରାତିରେ ମହାଦୀପ ଉଠିବା ନେଇ ଆଲୋଚନା କରାଯାଇଛି। ପ୍ରବଳ ଜନସମାଗମ ଦୃଷ୍ଟିକୁ ରଖି ପୋଲିସ୍ ଫୋର୍ସ ସୁରକ୍ଷା ପାଇଁ ନିୟୋଜିତ ରହିବେ। ବିଦ୍ୟୁତ୍ ବିଭାଗୀୟ ଅଧିକାରୀମାନେ ୨୪ ଘଣ୍ଟା ବିଦ୍ୟୁତ୍ ଚାଲୁରଖିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବା ସହ

ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହିବା, ସେହିପରି ଚିକିତ୍ସା ପାଇଁ ମେଡିକାଲ୍ ଟିମ୍ ନିୟୋଜିତ ରହିବା ସହିତ ଔଷଧ ସାମଗ୍ରୀ ରଖି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବୈଠକରେ ଗଜପତି ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର , ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଶ୍ରୀ ପ୍ରଦୀପ କୁମାର ନାୟକ, ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ପିଏ. ଆଇଟିଡିଏ ଶ୍ରୀ ଫାଲଗୁନି ମାଝୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର , ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀ ରାମକୃଷ୍ଣ ପତି , ତହସିଲଦାର ପାରଳାଖେମୁଣ୍ଡି ଶ୍ରୀ ନାରାୟଣ ବେହେରା , ତହସିଲଦାର ରାୟଗଡ଼ ଶ୍ରୀମତୀ ନିଲାବତି ଆଚାର୍ଯ୍ୟ , ରାୟଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ରାଜ ରଞ୍ଜିତ ବଲ , ରାୟଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକଙ୍କ ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।

 !!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ନୂତନ ପରିବହନ ନିଗମ କଡ଼ାକଡ଼ି ହେବାପରେ ସଡ଼କ ଦୁର୍ଘଟଣା ପରିପାଣକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ନୂତନ ପରିବହନ ନିୟମ କଡ଼ାକଡ଼ି କରାଯାଇ ମୁଖ୍ୟତଃ ମଦ୍ୟପାନ କରି ଗାଡ଼ି ଚାଳନା କଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଲୋଚନା ହୋଇଥିଲା। ଯାନବାହାନ ଗୁଡ଼ିକୁ ଅଧିକ ତନିଖି କରିବା ସହ ଦୁର୍ଘଟଣା ସଂଖ୍ୟା ଯେପରି କମ୍ କରାଯାଇ ପାରିବ ସେ ଉପରେ ମଧ୍ୟ ଦୃଷ୍ଟି ନିକ୍ଷେପ କରାଇବାକୁ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।

ସଡ଼କରେ ସୁରକ୍ଷିତ ଯାତ୍ରା ପାଇଁ ସାଧାରଣ ଲୋକଙ୍କୁ ଏବଂ ଯାନବାହାନ ଚାଳକମାନଙ୍କୁ କିପରି ଆହୁରି ଅଧିକ ସଚେତତା କରାଯାଇପାରିବ ଏବଂ ସେ ଦିଗରେ କିପରି କାର୍ଯ୍ୟ କରାଯିବ ତା’ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଯାତ୍ରା ସମୟରେ ହେଲମେଟ୍ ପିନ୍ଧିବା , ସିଟ୍‌ବେଲଟ୍ ପିନ୍ଧିବା , ମଦ୍ୟପାନ କରି ଗାଡ଼ି ନ ଚଳାଇବା , ଗାଡ଼ିଚାଳନା ବେଳେ ମୋବାଇଲ ବ୍ୟବହାର ନ କରିବା , ଦ୍ରୁତ ବେଗରେ ଗାଡ଼ି ନଚଳାଇବା ଆଦି ଦିଗରେ ସମସ୍ତେ ପୂର୍ଣ୍ଣ ସଚେତନ ଓ ନିୟମ ମାନି ଚଳିଲେ ସଡ଼କ ସୁରକ୍ଷା ଅଭିଯାନ ସଫଳ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ମଧ୍ୟ ଗାଡ଼ି ସମ୍ବନ୍ଧୀୟ ବିଭିନ୍ନ କାଗଜପତ୍ର କିପରି ସଠିକ୍ ଭାବେ କମ୍ ସମୟରେ ପ୍ରଦାନ କରାଯିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।

ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ପ୍ରଦୀପ କୁମାର ନାୟକ , ପାରଳାଖେମୁଣ୍ଡି ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀ ରାମକୃଷ୍ଣ ପତି ,ଉପଖଣ୍ଡ ପୋଲିସ୍ ଅଧିକାରୀ ଅର୍.ଉଦୟଗିରି ଶ୍ରୀ ଦିଲ୍ଲୀପ କୁମାର ନାୟକ , ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସାନ୍ତୁନ କୁମାର ପରିଡ଼ା ପ୍ରମୁଖଙ୍କ ସହ ପାରଳାଖେମୁଣ୍ଡି ଘୋରେଇ ବସ୍ ମାଲିକ ସଂଘ ସଭାପତି ଓ ସେକରେଟାରୀ ଏବଂ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବାର୍ଷିକ ଉତ୍ସବ ।

 !!! ଗୁଡାରି ରୁ ନୀଳାଦ୍ରି ବେହେରାଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ଗୁଡାରି : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଅନୁଷ୍ଠାନର ଦ୍ୱାବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସର୍ମିତା ଶବର,ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସୁଧାକର ଗୌଡ , ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦେଓ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସଂଘ ବୌଦ୍ଧିକ ପ୍ରମୁଖ ଶ୍ରୀଯୁକ୍ତ ପ୍ରଭାତ କୁମାର ମହପାତ୍ର ମଞ୍ଚାଷିନ ହୋଇଥିଲେ । ପ୍ରଥମତଃ ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ଜଗନ୍ନାଥ୍ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଧୂପ ଅର୍ପଣ କରାଯାଇ ସଭାକାର୍ଯ୍ୟ ପ୍ରାରମ୍ଭ କରାଯାଇଥିଲା ।ବିଦ୍ୟାର୍ଥୀଙ୍କ ଦ୍ୱାରା ଫୁଲତୋଡ଼ା ଦେଇ ମଞ୍ଚାସିନ ଅତିଥି ମାନଙ୍କୁ ସ୍ଵାଗତ କରାଯାଇ ଦୈବୀ ପ୍ରାର୍ଥନା ଓ ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ପ୍ରଥମତଃ ବାର୍ଷିକ ବିବରଣୀ ପଠନ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦିଲୀପ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ଶିକ୍ଷାର ମହତ୍ତ୍ଵକୁ ବଜାୟ ରଖିବା ଏବଂ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି ସୁଚିନ୍ତନ୍ କରିବା ପାଇଁ ଉପଦେଶ ବକ୍ତବ୍ୟ ମାଧ୍ୟମରେ ଜିଲ୍ଲା ସଂଘ ବୌଦ୍ଧିକ ପ୍ରମୁଖ ଶ୍ରୀଯୁକ୍ତ ପ୍ରଭାତ କୁମାର ମହପାତ୍ର ଉଦ୍ ବୋଧନ ଦେଇଥଲେ । ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଗୌଡ ଛାତ୍ର ଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷା ଦାନ ଦେବା ନିମନ୍ତେ ଗୁରୁଜୀ ଗୁରୁମା ମାନଙ୍କୁ ଉପଦେଶ ଦେi ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁ ଜନଙ୍କ ପ୍ରତି ଭକ୍ତି ରଖିବା, ସରକାରଙ୍କ ନିୟମକୁ ମାନି ଚଳିବାପାଇଁ ବୁଝାଇ ଥିଲେ । ମଞ୍ଚାଷୀନ ଅତିଥି ବିଦ୍ୟାଳୟର ଉନ୍ନତି କରିବା ନିମନ୍ତେ ବକ୍ତବ୍ୟ ମାଧ୍ୟମରେ ଶପଥ ନେଇ ଶିକ୍ଷାର ମୂଲ୍ୟାୟନ ନିମନ୍ତେ ଆମ୍ଭେ ପ୍ରୟାସ କରିବୁ ବୋଲି କହିଥିଲେ । ପରିଶେଷରେ କୁନି କୁନି ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରିଥିଲେ । ଏହି ଉତ୍ସବରେ ଗୁଣୁପୁର ସଙ୍କୁଳର ସାତଟି ଶିଶୁ ମନ୍ଦୀରରୁ ଆସୁଥିବା ଗୁରୁଜୀ ଗୁରୁମା ମାନେ ଆସିଥିଲେ । ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକୁ ସଫଳ ରୂପାୟନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

ପାଲୁପାଇ ବିଦ୍ୟାଳୟ ରେ ବାର୍ଷିକ ମହୋତ୍ସବ 

 !!! ରାମନାଗୁଡା ରୁ ସୁଭାଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ରାମନାଗୁଡା : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଞ୍ଚାୟତ ସ୍ଥିତ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପାଲୁପାଇ ଠାରେ ବାର୍ଷିକ ମହୋତ୍ସବ ଆୟୋଜିତ ହୋଇଯାଇଛି ।ଏହି ବାର୍ଷିକ ଉତ୍ସବ କୁ ନିମନ୍ତ୍ରିତ ହୋଇଥିବା ଅତିଥି ଙ୍କୁ ବିଦ୍ୟାଳୟ ର ବାଳିକା ମାନଙ୍କ ଦ୍ୱାରା ପାଛୋଟି ନିଆଯାଇଥିଲା ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ମହାପାତ୍ର ପୌରହିତ ରେ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ମୁଖ୍ୟବକ୍ତା ଭାବରେ ବିଭାଗ ର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ୟାମଘନ ଭୂୟାଁ ଯୋଗ ଦେଇଥିଲେ ସେହିପରି ସମ୍ମାନିତ ଅତିଥି ଭାବେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜୟଶ୍ରୀ ବିଷୋୟୀ, ସମାଜସେବୀତଥା ବରିଷ୍ଠ ନେତା ଗଗନ ବିହାରୀ ଆଚାର୍ଯ୍ୟ , ଡଃ.ବୋମାଲି କାନ୍ତାରାଓ, ସୁଣ୍ଡିଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା, ସମିତି ସଭ୍ୟ କମଳ ଲୋଚନ ମୁଟିକା, ଚିନ୍ନା କଣ୍ଡାଗରୀ,ବ୍ଲକ ଶିକ୍ଷା ଅଧିକାରୀ ସୃଜନ ମଲ୍ଲିକ, ଗୁଲୁଣ୍ଠି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚକ୍ରପାଣି ରତ୍ନାଲୁ, ଉକାମ୍ବା ପଞ୍ଚାୟତ ରାଇଗୁଡା ୱାର୍ଡ ସଭ୍ୟ ତଥା ଯୁବ ସମାଜସେବୀ ବିଦ୍ୟାଧର ଶବର ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନନ୍ତ କଣ୍ଡାଗରୀ ପ୍ରମୁଖ ମଞ୍ଚାସୀନ ରହି ପ୍ରଥମେ ବିଘ୍ନ ବିନାଶକ ଗଣେଶ ତୈଳଚିତ୍ର ଓ ଜଗନ୍ନାଥ ଙ୍କ ପାଖରେ ଦୀପ ପ୍ରଜ୍ଜ୍ୱଳନ କରିବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ମହାପାତ୍ର ବିବରଣୀ ପାଠ କରିବା ସହ ବିଦ୍ୟାଳୟ ର ଆବଶ୍ୟକତା କୁ ଅତିଥି ଙ୍କ ଗହଣରେ ଉପସ୍ଥାପନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଗମାଙ୍ଗ ଉପସ୍ଥିତ ଥିବା ବିଦ୍ୟାର୍ଥୀ ମାନଙ୍କୁ ସମାଜ ରେ ଶିକ୍ଷା ର ଗୁରୁତ୍ୱ କେତେ ବହନ କରେ ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ସେହିପରି ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିବା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ମଲ୍ଲିକ ଶିକ୍ଷା ର ଉପକାରୀତା ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଶିକ୍ଷା କୁ କିପରି ଭାବରେ ଗ୍ରହଣ କରିବା ଓ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ଗୁଡିକ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ର ଉନ୍ନତି ନିମନ୍ତେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ବିଦ୍ୟାଳୟ ରେ ଯେଉଁ ସମସ୍ତ ଆବଶ୍ୟକତା ରହିଛି ସେ ସବୁ ପର୍ଯ୍ୟାୟ କ୍ରମେ ଖୁବଶୀଘ୍ର ପୂରଣ କରାଯିବ ବୋଲି ସେ ସମ୍ପର୍କରେ ବିସ୍ତୃତ ଭାବେ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ବାଳିକା ମାନଙ୍କୁ କହିଥିଲେ ।ସମ୍ମାନିତ ଅତିଥି ସ୍ଥାନୀୟ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ମୁଟିକା ଓ ସରପଞ୍ଚ ଶ୍ରୀ କାଡ୍ରାକା ବାଳିକା ମାନଙ୍କୁ କେବଳ ବଡ଼ ମଣିଷ ହେଲେ ହେବ ନାହିଁ ଭଲ ମଣିଷ ହେବା ନିହାତି ଆବଶ୍ୟକ ସେଇଟା ଶିକ୍ଷା ର ବିକାଶ ଘଟିଲେ ହିଁ ସମ୍ଭବ ହୋଇ ପାରିବ ବୋଲି କହିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ଲୋକନୃତ୍ୟ ,ଆଧୁନିକ, ଓଡିଶୀ ନୃତ୍ୟ,ସଙ୍ଗୀତ, ନାଟକ ପରିବେଷଣ ଏବଂ ବିଭିନ୍ନ ପ୍ରକାର କ୍ରୀଡା କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା କୃତି ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ମହୋତ୍ସବ ରେ ଯୋଗ ଦେଇଥିବା ଗଣମାଧ୍ୟମ ପ୍ରତିନିଧି ଶିବ ପ୍ରସାଦ ବ୍ରହ୍ମା, ଶୁଭଜିତ ପଟ୍ଟନାୟକ, ଅମୂଲ୍ୟ ନିଶାଙ୍କ ଙ୍କୁ ବିଦ୍ୟାଳୟ ପକ୍ଷରୁ ଅତିଥି ଙ୍କ ଦ୍ଵାରା ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ବିଦ୍ୟାଳୟର ଶିକ୍ଷୟିତ୍ରୀ ଆୟୀସୁର୍ଯ୍ୟା ମହାନ୍ତି ଙ୍କୁ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଫିମେଲ କୋରିଓଗ୍ରାଫର ଭାବେ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ରେ ଶ୍ରେଷ୍ଠତ୍ଵ ଆଣି ବିଦ୍ୟାଳୟ କୁ ଗର୍ବିତ କରିଥିବାରୁ ସୁନାଝିଅ ତନୁଶ୍ରୀ କଣ୍ଡାଗରୀ ଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଶେଷରେ ସହକାରୀ ଶିକ୍ଷୟିତ୍ରୀ ସୁଭାସିନୀ ସାମଲ କବିତା ପାଠ ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ଶିକ୍ଷକ ଶଙ୍କର ନାଗ ମଞ୍ଚ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ  କରିଥିବା ବେଳେ ପରିଚାଳନା ରେ ଶିକ୍ଷକ ବି. ରାଜେଶ , ଶିକ୍ଷୟିତ୍ରୀ ଐଶ୍ଵର୍ଯ୍ୟା ମହାନ୍ତି, ସୁନତି ପଣ୍ଡା ,ସସ୍ମିତା ଶବର ,ଶୈଳଜା ପାତ୍ର,ସୁଜାତା ଉଲ୍ଲାକା ,ସସ୍ମିରେଖା ସୁନ୍ଦରାୟ ,ବାସନ୍ତୀ ମଞ୍ଜରୀ ଆଚାରୀ ପ୍ରମୁଖ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ରାମନାଗୁଡା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ।

!!! ରାମନାଗୁଡା ରୁ ସୁଭାଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) – : ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ତୃତୀୟ ପଞ୍ଚାୟତ ସମିତି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ,ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଜାନକୀ ନିମାଲା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ସାଂସଦ ପ୍ରତିନିଧି ଗାର୍ଜନା ପ୍ରସାଦ ରାଓ, ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର ପ୍ରମୁଖ ଯୋଗଦେଇ ମଞ୍ଚାସୀନ ହୋଇଥିଲେ । ପ୍ରାରମ୍ଭରେ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ସ୍ୱାଗତ ଜଣାଇବା ସହ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ବିଭିନ୍ନ ବିଭାଗର ଅ ଧିକାରୀ, କର୍ମଚାରୀ ମାନଙ୍କ ସମେତ ୧୨ ଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ବୈଠକ ରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଜାତିର ପିତା ମହାତ୍ମା ଗାନ୍ଧୀ ଏହି ଦିନରେ ସହିଦ ହେଇଥିବାରୁ ତାଙ୍କୁ ସ୍ମରଣ କରି ଫୋଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସହିଦ ଦିବସ ପାଳନ କରାଯାଇଥିଲା । ସେହିପରି ଜାନୁଆରୀ ମାସ ୨୮ ତାରିଖ ରେ ଓଡ଼ିଶା ର ଦିବଂଗତ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନଵ କିଶୋର ଦାସ ଙ୍କ ପୋଲିସ ଏଏସଆଇ ଗୋପାଳ ଦାସ ଙ୍କ ଗୁଳି ମାଡ଼ ରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ସମୟରେ ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲରେ ଅକାଳ ବିୟୋଗ ହୋଇଥିବାରୁ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଉକ୍ତ ବୈଠକରେ ଗୃହ ନିର୍ମାଣ, ମହିଳା ଓ ଶିଶୁ ବିକାଶ ବିଭାଗ, ପାନୀୟ ଜଳ ଓ ପରିମଳ ବିଭାଗ ର ସମ୍ପର୍କରେ ଆଲୋଚନା କରାଯାଇ ସମସ୍ୟା ସମାଧାନ ଉପରେ ଅଧିକାରୀ ଙ୍କ ଦ୍ଵାରା ଆଲୋକପାତ କରାଯାଇଥିଲା । ବାଲ୍ୟ ବିବାହ ନିରାକରଣ ନିମନ୍ତେ ସଚେତନତା ସୃଷ୍ଟି କରାଯିବାକୁ ଶିଶୁ ବିକାଶ ଯୋଜନା ଅଧିକାରୀ ଶାନ୍ତିଲତା ରଥ ବିଶେଷ ଭାବେ ଆଲୋଚନା କରିଥିବା ବେଳେ ଅନ୍ୟାନ୍ୟ ବିଭାଗ ର କର୍ମଚାରୀ ମାନଙ୍କ ଦ୍ୱାରା କ୍ଷେତ୍ର ସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବୈଠକ ଶେଷରେ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।