ବାଲ୍ୟବିବାହ ମୁକ୍ତ ଘୋଷଣା ହେଲା ଗଜପତି ଜିଲ୍ଲା ….!

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ବାତୀ ଏସ୍. କୁମାର ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଉପସ୍ଥିତିରେ ରେ ଗଜପତି ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଆଜି ସୁଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ୧୪୯ ଟି ଗ୍ରାମ ପଞ୍ଚାୟତ, ୧୫୩୪ଟି ରାଜସ୍ବ ଗ୍ରାମ, ୧୭୬ ଟି ପଡ଼ା କୁ ବାଲ୍ୟବିବାହ ମୁକ୍ତ ଘୋଷଣା କରିବା ସହ ଜିଲ୍ଲାରେ ଥିବା ପାରଳାଖେମୁଣ୍ଡି ପୌରପାଳିକା ର ୨୬ ଗୋଟି ୱାର୍ଡ଼ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡ଼କୁ ମଧ୍ୟ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ପ୍ରାୟ ଦେଢ଼ବର୍ଷ ତଳେ ହାତକୁ ନେଇଥିଲା ଯାହାକି ୭ଟି ପର୍ଯ୍ୟାୟରେ ଯଥା ୭ଟି ଜିଲ୍ଲା ସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ହୋଇଥିବା ନିଷ୍ପତ୍ତି କ୍ରମେ ଜିଲ୍ଲାରେ ଥିବା ସମସ୍ତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାରେ ଜିଲ୍ଲା ପ୍ରଶାସନ ତରଫରୁ ନେଇଥିବା ପ୍ରମୁଖ କାର୍ଯଗୁଡିକ ମଧ୍ୟରେ ଜିଲ୍ଲାର ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ ପ୍ରତିଜ୍ଞା ଦ୍ବାରା ଝିଅ ମାନଙ୍କୁ ବାଲ୍ୟବିବାହ ପରି କୁପ୍ରଥାକୁ ଦୁରେଇବା।ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ନିୟମିତ କରିବା।ପଞ୍ଚାୟତ ରାଜ ଅନୁଷ୍ଠାନର ପ୍ରତିନିଧି ମାନଙ୍କୁ ଏହି କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିବା।ଜିଲ୍ଲାରେ ବସବାସ କରୁଥିବା ବିଭିନ୍ନ ଧର୍ମ, ଜାତି ଏବଂ ସମାଜର ନେତୃବୃନ୍ଦଙ୍କୁ ବାଲ୍ୟବିବାହକୁ ଦୂର କରିବା ପାଇଁ ପ୍ରବର୍ତ୍ତାଇବା। ବିଭିନ୍ନ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ବାଲ୍ୟବିବାହ ବିରୁଦ୍ଧରେ ଶପଥ ପାଠ କରାଇବା।ବାଲ୍ୟ ବିବାହ ବିରୁଦ୍ଧରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରିବା ଭଳି କାର୍ଯ୍ୟକ୍ରମ ରହିଛି ।ଅନୁଷ୍ଠିତ ସପ୍ତମ ପର୍ଯ୍ୟାୟରେ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିକୁ ବାଲ୍ୟବିବାହ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିଲା। ଜିଲ୍ଲାକୁ ବାଲ୍ୟବିବାହରୁ ଦୁରେଇ ରଖିବା ପାଇଁ ସପ୍ତମ ପର୍ଯ୍ୟାୟ ବୈଠକରେ ଆଗାମୀ ଦିନରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା। ଆଦ୍ବିକା କାର୍ଯ୍ୟକ୍ରମକୁ ପ୍ରାପ୍ତବୟସ୍କ ଝିଅ ମାନଙ୍କ ପାଖରେ ପହଞ୍ଚାଇବା।ବାହାଘର ଠିକ୍ ହେବା ପୂର୍ବରୁ ଖବର ସଂଗ୍ରହ କରିବା। ଅଙ୍ଗନୱାଡ଼ି କେନ୍ଦ୍ରରେ ଝିଅ ମାନଙ୍କର ବୟସ ଗଣତି କରିବା ଭଳି କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସ୍ଥିର କରାଯାଇଛି।

ବିଷମକଟକ ବିଜେଡି ପକ୍ଷରୁ ଧାରଣା …!

!!! ବିଷମକଟକ ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବିଷମକଟକ)- ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ ହ୍ରାସ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ଯୋଗୁ 5 କିଲୋ ଚାଉଳ କାଟ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଷମ କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷମ କଟକ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଦାଶିବ ନାୟକ ଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ଧାରଣା ରେ ବିଷମ କଟକ ବ୍ଲକ ସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ପଟ୍ଟନାୟକ , ରାଜ୍ୟ ବିଜୁ ଯୁବ ଜନତା ଦଳ ସମ୍ପାଦକ ଶ୍ରୀଯୁକ୍ତ ଜୋତି ପ୍ରସାଦ ସାହୁ , ବିଜୁ ଯୁବ ଜନତା ଦଳ ଉପ ସଭାପତି ସିବା ଡେ଼ଶୀଟ , ଅଶ୍ୱିନ କୁମାର ସେଠୀ ,ଗୋପାଳ ପଟ୍ଟନାୟକ , ନାନୁ ପଣ୍ଡା , ବିପିନ ସାହୁ , ଚନ୍ଦ୍ର କାନ୍ତ ପାଲକା , ପ୍ରମୋଦ ଭାତ୍ରା, ଅଶ୍ୱିନ ପାଲକା, ଚିନା ଙ୍କ ସମେତ ବିଜୁ ଜନତା ଦଳ ସମସ୍ତ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁର ରାଜନୀତିକୁ ପୁଣି ଫେରିବେ କି ସିଦ୍ଧାନ୍ତ ; ୪ ବର୍ଷ ପରେ ଅଚାନକ ଆର୍ବିଭାବକୁ ନେଇ ବିଜେଡି ଶିବିରରେ ବଢିଲା ଚର୍ଚ୍ଚା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବ୍ରହ୍ମପୁର ରାଜନୀତିକୁ ପୁଣି ଫେରିବେ କି ସିଦ୍ଧାନ୍ତ ମହାପାତ୍ର? ୨୦୨୪ ପାଇଁ ଏବେଠୁ ପ୍ରସ୍ତୁତ ହେଲେଣି କି ବ୍ରହ୍ମପୁରର ପୂର୍ବତନ ସାଂସଦ? ବ୍ରହ୍ମପୁରରେ ଦଳୀୟ କର୍ମୀଙ୍କ ସହ ସିଦ୍ଧାନ୍ତଙ୍କ ଆଲୋଚନା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୧୯ ନିର୍ବାଚନର ୪ ବର୍ଷ ପରେ ବ୍ରହ୍ମପୁରରେ ପୁଣିଥରେ ସିଦ୍ଧାନ୍ତଙ୍କ ଆର୍ବିଭାବ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ୨୦୨୪ ନିର୍ବାଚନର ବର୍ଷେ ପୂର୍ବରୁ ସିଦ୍ଧାନ୍ତଙ୍କ ଏଭଳି ଅଚାନକ ଗଞ୍ଜାମ ଗସ୍ତ ବିଜେଡି ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି । ଗଞ୍ଜାମ ଗସ୍ତରେ ଯାଇ ଛତ୍ରପୁର,ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦଳର ସାଙ୍ଗଠନିକ ସ୍ଥିତି କେମିତି ରହିଛି ସେ ବାବଦରେ ସିଦ୍ଧାନ୍ତ ଆଲୋଚନା କରିଥିବା ନେଇ ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡିରୁ ଗ୍ରୀନ୍ ସିଗନାଲ ମିଳିବା ପରେ ପୁଣିଥରେ ବ୍ରହ୍ମପୁର ରାଜନୀତିକୁ କମବ୍ୟାକ କରିଛନ୍ତି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବିଦା ହେବା ପରେ ବ୍ରହ୍ମପୁର ରାଜନୀତିରେ ଏବେ ଗୋଳମାଳିଆ ସ୍ଥିତି ସୃଷ୍ଟି ହୋଇଛି । ସିଦ୍ଧାନ୍ତଙ୍କ ଜରିଆରେ ଏହାର ଭରଣା କରିବାକୁ ବିଜେଡି ପୁଣି ଅଣ୍ଟା ଭିଡୁଥିବା ସୂଚନା ମିଳିଛି । ଯେହେତୁ ସିଦ୍ଧାନ୍ତ ମହାପାତ୍ର ପୂର୍ବରୁ ୨ ଥର ବ୍ରହ୍ମପୁରର ସାଂସଦ ରହି ସାରିଛନ୍ତି ତେଣୁ ଗୋପାଳପୁର, ଛତ୍ରପୁର ଭଳି ନିର୍ବାଚନମଣ୍ଡଳୀରେ ଏବେ ବି ତାଙ୍କର ପୁରୁଣା ସହଯୋଗୀ ଓ ସଙ୍ଗଠନ ରହିଛି । ଯାହାକୁ ପୁଣିଥରେ ସକ୍ରିୟ କରିବାକୁ ସିଦ୍ଧାନ୍ତଙ୍କ ଏହି ଅଚାନକ ବ୍ରହ୍ମପୁର ଗସ୍ତ ବୋଲି ସୂଚନା ମିଳିଛି । ବିଜେଡି ଅନ୍ଦରମହଲରୁ ମିଳିଥିବା ଖବର ଅନୁଯାୟୀ, ପ୍ରଦୀପ ପାଣିଗ୍ରାହୀଙ୍କୁ ଚେକ୍ ଦେବାକୁ ଗୋପାଳପୁରରୁ ସିଦ୍ଧାନ୍ତଙ୍କୁ ମୈଦାନକୁ ଓହ୍ଳାଇବାକୁ ପ୍ରସ୍ତୁତ ହେଉଛି ବିଜେଡି । ୨ଥର ସାଂସଦ ରହିଥିବା ସିଦ୍ଧାନ୍ତଙ୍କର ପୂର୍ବରୁ ଗୋପାଳପୁରରେ ଯଥେଷ୍ଟ ଦବଦବା ରହିଥିଲା । ଯାହାର ଫାଇଦା ପୁଣିଥରେ ନେବାକୁ ବିଜେଡି ପାଗ ଭିଡୁଥିବା ସୂଚନା ମିଳିଛି । ସବୁଠୁ ବଡ କଥା ହେଲା, ଗଞ୍ଜାମ ଗସ୍ତରେ ଆସିବା ପଛର କାରଣ କହିଛନ୍ତି ସିଦ୍ଧାନ୍ତ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସେ କାର୍ଯ୍ୟ କରୁଥିବା କହିଛନ୍ତି ପୂର୍ବତନ ସାଂସଦ । ଯାହା ଗଞ୍ଜାମ ବିଜେଡି ରାଜନୀତିକୁ ପୁଣିଥରେ ସରଗରମ କରିଛି । ଏନେଇ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି, ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସିଦ୍ଧାନ୍ତ ଆସିଥିଲେ । ବିଜେଡିରେ ଯେହେତୁ ସେ ଅଛନ୍ତି ତେଣୁ ଆସିଲେ ସଙ୍ଗଠନ ଆହୁରି ଦୃଢ ହେବ । ୨୦୦୯, ୨୦୧୪ ଲଗାତାର ୨ ଥର ବିଜେଡି ଟିକେଟରୁ ବ୍ରହ୍ମପୁରରୁ ସାଂସଦ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର । କିନ୍ତୁ ୨୦୧୯ରେ କଂଗ୍ରେସରୁ ଆସିଥିବା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଟିକେଟ ଦେଇଥିଲା । ଟିକେଟ ପାଇନଥିଲେ ମଧ୍ୟ ଦଳ ବିରୋଧରେ ବିଷୋଦଗାର କରିନଥିଲେ ସିଦ୍ଧାନ୍ତ । ବରଂ ବ୍ରହ୍ମପୁର ରାଜନୀତିରୁ ନିଜକୁ ଏକପ୍ରକାର ଦୂରେଇ ରଖିଥିଲେ ସିଦ୍ଧାନ୍ତ । ଏପରିକି ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ସିଦ୍ଧାନ୍ତଙ୍କ ଅନୁପସ୍ଥିତି ଦର୍ଶାଉଥିଲା ଯେ, ପ୍ରତ୍ୟକ୍ଷ ରାଜନୀତିରୁ ସେ ଯେମିତି ମୁହଁ ମୋଡି ନେଇଛନ୍ତି । ପରେ ସିଦ୍ଧାନ୍ତଙ୍କୁ ପରଦା ଉପରେ ଦେଖିବାକୁ ମିଳିଥିଲା । କିନ୍ତୁ ୨୦୨୪ ନିର୍ବାଚନକୁ ଆଉ ମାତ୍ର ବର୍ଷେ ସମୟ ଥିବା ବେଳେ ସିଦ୍ଧାନ୍ତଙ୍କୁ ପୁଣିଥରେ ବିଜେଡି କ୍ୟାମ୍ପରେ ଦେଖିବାକୁ ମିଳିଛି । ଯାହା ଗଞ୍ଜାମ ରାଜନୀତିକୁ ରୋଚକ କରିଛି ।

ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ – ଧର୍ମେନ୍ଦ୍ର ପ୍ରଧାନ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସ୍କୁଲ ଶିକ୍ଷାକୁ ମଜଭୂତ୍ କରିବା ପାଇଁ ଭୁବନେଶ୍ୱର ଠାରେ ଗୁରୁବାର ଅନୁଷ୍ଠିତ ଦୁଇଦିନିଆ ଷ୍ଟାର୍ସ(ଷ୍ଟ୍ରେନ୍ଦେନିଂ ଟିଚିଂ-ଲର୍ଣ୍ଣିଂ- ଆଣ୍ଡ୍ ରେଜଲ୍ଟ ଫର୍ ଷ୍ଟେଟ୍ସ)ର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକରେ ସ୍କୁଲ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍କୁଲ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ସେ କହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ବୈଠକର ପ୍ରଥମ ଦିନରେ ‘ଷ୍ଟାର୍ସ’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ୬ଟି ରାଜ୍ୟ ଯଥା ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ଯୋଜନାର ରୂପରେଖ ଏବଂ ଅଗ୍ରଗତିର ସମୀକ୍ଷା କରାଯାଇଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଆଧାରରେ ଶିକ୍ଷା କ୍ଷେତ୍ରକୁ ମଜଭୂତ୍ କରିବା ଦିଗରେ ଉପସ୍ଥିତ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି)ର ଅଧ୍ୟାପକ ମାନଙ୍କୁ ଆହ୍ୱାନ କରିଥିଲେ । ଅଭିନବ ପଦ୍ଧତିରେ ଶିକ୍ଷା ଦାନ କରିବା ସହ ପାଠପଢାରେ ପ୍ରଯୁକ୍ତିବିଦ୍ୟାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ରାଷ୍ଟ୍ରୀୟ ପାଠ୍ୟକ୍ରମ ରୂପରେଖ (ଏନସିଏଫ) ହେଉଛି ଜାତୀୟ ଶିକ୍ଷା ନୀତିର ଅସ୍ମିତା । ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଶିକ୍ଷାରେ କ୍ରୀଡା ତଥା ଖେଳ ଆଧାରିତ ପାଠପଢା ଉପରେ ଗୁରୁତ୍ୱ ଦିଆଯାଇଛି । ଜାତୀୟ ଶିକ୍ଷା ନୀତି ଲାଗୁ କରିବା ଏବଂ ପିଏମ ଶ୍ରୀ ଯୋଜନାରେ ଯୋଡି ହେବା ପାଇଁ ସେ ରାଜ୍ୟ ଗୁଡିକୁ ଆହ୍ୱାନ କରିଛନ୍ତି । ବୈଠକ ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିବାରେ ‘ଷ୍ଟାର୍ସ’ କାର୍ଯ୍ୟକ୍ରମର ବହୁତ ବଡ ଭୂମିକା ରହିଛି । ସମଗ୍ର ଶିକ୍ଷା ଅଭିଯାନ ସହ ‘ଷ୍ଟାର୍ସ’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ୬ଟି ରାଜ୍ୟରେ ପ୍ରାୟ ୫ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି । ଏହା କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନା । ଏଥିରେ ଓ୍ୱାର୍ଲଡ ବ୍ୟାଙ୍କର ୬୫ ପ୍ରତିଶତ ଯୋଗଦାନ ଥିବାବେଳେ ଉପରୋକ୍ତ ୬ଟି ରାଜ୍ୟର ୩୫ ପ୍ରତିଶତ ଅର୍ଥ ଯୋଗଦାନ ଅଛି । ବିଶେଷ ଭାବରେ ଶିକ୍ଷକ ମାନଙ୍କର ଦକ୍ଷତା ବୃଦ୍ଧି ‘ଷ୍ଟାର୍ସ’ ପ୍ରକଳ୍ପର ଉଦ୍ଦେଶ୍ୟ । ଏହି ମର୍ମରେ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକରେ ୬ଟି ରାଜ୍ୟ, ଓ୍ୱାଲ୍ଡ ବ୍ୟାଙ୍କର ଅଧିକାରୀଙ୍କ ସହ ଆଗାମୀ ଦିନରେ ଶିକ୍ଷକଙ୍କ କାପାସିଟି ବଲଡିଂରେ କ’ଣ ସବୁ ଦିଗ ରହିବା ଦରକାର ସେ ଦିଗରେ ଆଲୋଚନା ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବଜେଟରେ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ମଜଭୂତ୍ କରିବା ଦିଗରେ ଗୁରୁତ୍ୱ ଦେଇଛନ୍ତି । ଏକବିଂଶ ଶତାବ୍ଦୀରେ ଭାରତ ଜ୍ଞାନ ଆଧାରିତ ଅର୍ଥନୀତି କଳ୍ପନା କରୁଛି । ଆଜି ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଉଭା ହେଉଥିବା ଅର୍ଥନୀତି ପାଇଁ ମଡେଲ ହୋଇଛି । ବିଶେଷ ଭାବରେ ଭାରତ ଯେତେବେଳେ ଜି-୨୦ର ଅଧ୍ୟକ୍ଷତାର ଦାୟିତ୍ୱରେ ଅଛି, ସେହି ସମୟରେ ‘ଷ୍ଟାର୍ସ’ ମଡେଲ ସ୍କୁଲ ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଉପାଦେୟ ହେବ ।ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କେନ୍ଦ୍ର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ, ରାଜ୍ୟ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ବରିଷ୍ଠ ଅଧିକାରୀ, ଏନସିଇଆରଟି ଏବଂ ଓ୍ୱାଲ୍ଡ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ ।

ବିରୋଧ ଦଳ ନେତାଙ୍କ ବିରୋଧରେ ବିଜୁ ମହିଳା ଜନତା ଦଳର ପ୍ରତିବାଦ ଓ ବିକ୍ଷୋଭ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗତକାଲି ବିରୋଧଦଳ ନେତା ଜୟନାରାୟଣ ମିଶ୍ର ଜଣେ କର୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ସର୍ବ ସମ୍ମୁଖରେ ମାଡ ଓ ର୍ଦୁବ୍ୟବହାର ପ୍ରତିବାଦରେ ବିଜୁ ମହିଳା ଜନତା ଦଳର ହଜାର ହଜାର ସମର୍ଥକ ଆଜି ଲୋୟର ପିଏମଜି ଛକରେ ପ୍ରତିବାଦ ସମାବେଶ ସହିତ ଜୟନାରାୟଣ ମିଶ୍ରଙ୍କ କୁଶପୂତଳିକା ଦାହ କରିଥିଲେ । ଜୟ ନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧ ଏବଂ ରାସ୍ତା ଉପରେ ଖଣ୍ଡା ବୁଲାଇ ହିଂସା ସୃଷ୍ଟି କରି ଅନ୍ୟକୁ ଭୟଭିତ କରନ୍ତି ବୋଲି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ନିଜର ମତ ରଖୁଥିଲେ । ପୂର୍ବରୁ ବିଜେପିର କେନ୍ଦ୍ର ମନ୍ତ୍ରୀ, ବିଶେଶ୍ଵର ଟୁଡୁ ସରକାରୀ ଅଫିସରଙ୍କୁ ମାଡ ମାରି ହାତ ଭାଙ୍ଗିବା, ବିଧାୟକ ସୁବାଷ ପାଣିଗ୍ରାହୀ ଆଦିବାସୀ ବିଡିଓଙ୍କୁ ମାଡ ମାରିବା ଏବଂ ସାଂସଦ ଜୁଏଲ ଓରାମ ନିଜ ଦଳର ମହିଳା ନେତ୍ରୀଙ୍କୁ ର୍ଦୁବ୍ୟବହାର କରିବା ବିଜେପି ଦଳର ନୀତି ଦିନିଆ ଅଭ୍ୟାସ ବୋଲି ରାଜ୍ୟସଭା ସାଂସଦ, ଶ୍ରୀମତୀ ସୁଲୋତା ଦେଓ ନିଜର ଅଭିଭାଷଣ ରଖୁଥିଲେ ।

ଆଜିର ଏହି ବିକ୍ଷୋଭ ସମାବେଶରେ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର, ସୁମିତ୍ରା ଜେନା, ମିରା ପରିଡା, ଗୀତା ବସ୍ତିଆ, ସନ୍ଧ୍ୟା ବିଶ୍ଵାଳ, କସ୍ତୁରୀ ମହାପାତ୍ର, ଲୋପାମୂଦ୍ର ବକ୍ସିପାତ୍ର, ଇପ୍‌ସିତା ସାହୁ, ଲୋରା ମହାପାତ୍ର, ଜ୍ୟୋତ୍ସ୍ନା ପରିଡା, ବିଜୟଲକ୍ଷ୍ମୀ ମହାପାତ୍ର, ସୋଫିଆ ଆଲାମ, ସଂଯୁକ୍ତା ମହଲ, ଅପୂର୍ବା ଅପରୂପା, ବାସନ୍ତୀ ମହାପାତ୍ର, ସଂଜୁକ୍ତା ମହାନ୍ତିଙ୍କ ସମେତ ପ୍ରତ୍ୟେକ ୱାର୍ଡର ମହିଳା କର୍ପୋରେଟର, ପୂର୍ବତନ କର୍ପୋରେଟର, ଜିଲ୍ଲା ମହିଳା ସାଂଗଠନିକ ପଦାଧିକାରୀ, ସ୍ଵୟଂସହାୟକ ଗୋଷ୍ଠୀର ମାଆ ମାନେ ଯୋଗଦେଇ ଏହି ବିକ୍ଷୋଭ ସମାବେଶକୁ ସଫଳ କରିବା ସହିତ ଜୟ ନାରାୟଣ ମିଶ୍ରଙ୍କ କୁଶ ପୂତଳିକା ଦାହ କରାଯାଇଥିଲା । ଆଗାମୀ ଦିନରେ ଯଦି ବିଜେପି ଜୟ ନାରାୟଣ ମିଶ୍ରଙ୍କୁ ବହିଷ୍କାର ନକରେ କିମ୍ବା ପୋଲିସ ଏଭଳି ଅଭ୍ୟାତଗତ ଅପରାଧ୍ୟଙ୍କୁ ଗିରଫ ନକରେ ତେବେ ବିଜୁ ମହିଳା ଜନତା ଦଳ ତରଫରୁ ଏ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବା ସହିତ ବିଜେପିର ନେତାଙ୍କୁ ସବୁ କ୍ଷେତ୍ରରେ ଏବଂ ସବୁ ଜାଗାରେ ବିରୋଧ କରାଯିବା ପାଇଁ ମହିଳାମାନେ ଚେତାବନୀ ଦେଇଥିଲେ ।

ରାମନାଗୁଡା ର ଛାତ୍ରୀ ରାଜ୍ୟରେ ପ୍ରଥମ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଓଡ଼ିଶା ସରକାରଙ୍କର ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ହାକାଥନ ଓଡ଼ିଶାପ୍ରେନ୍ୟୁୟର ପ୍ରତିଯୋଗିତା ସ୍ଥାନୀୟ IIIT କଲେଜ ପରିସରରେ ତା ୧୬ ଏବଂ ୧୭ ଫେବୃଆରୀ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ୯୭ ଟି ପ୍ରକଳ୍ପ ମନୋନୀତ ହୋଇ ରାଜ୍ୟ ସ୍ତରରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାମନାଗୁଡାର ଏକାଦଶ ଶ୍ରେଣୀର ଛାତ୍ରୀ ପାୟଲ ପ୍ରଧାନ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ରାୟଗଡା ଜିଲ୍ଲା ପାଇଁ ଗୌରବ ଆଣିବା ସହିତ ଅତିଥି ମାନଙ୍କ ଗହଣରେ ଉଚ୍ଚ ପ୍ରଶଂସିତ ହୋଇପାରିଥିଲେ। ତାଙ୍କଦ୍ୱାରା ପ୍ରସ୍ତୁତ ମୋବାଇଲ ଆପ ‘ସାଥୀ’ SHG ମହିଳା ମାନଙ୍କୁ MDM ସମ୍ପର୍କିତ କାର୍ଯ୍ୟକଳାପରେ ସାହାଯ୍ୟ କରି ସେମାନଙ୍କୁ ଅତ୍ୟଧିକ କାର୍ଯ୍ୟ ଚାପରୁ ମୁକ୍ତି ଦେବାର ପ୍ରୟାସ କରୁଥିବା ପାୟଲ ବର୍ଣନା କରିଛନ୍ତି । ଏହି ସଫଳତା ପାଇଁ ଛାତ୍ରୀ ପାୟଲ ପ୍ରଧାନ ଏବଂ ମାର୍ଗ ଦର୍ଶକ ଶିକ୍ଷକ ଶ୍ରୀ ଆଶୁତୋଷ ପାତ୍ରଙ୍କୁ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସିଲଭେସ୍ତର ସୋରେଙ୍ଗ ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ପୁରସ୍କାର ସ୍ୱରୂପ ନଗଦ ପଚାଶ ହଜାର ଟଙ୍କା ଏବଂ ଟ୍ରଫି ପ୍ରଦାନ କରାଯାଇଛି। ପାୟଲ ଭବିଷ୍ୟତ ରେ ଜଣେ ଵୈଜ୍ଞାନିକ ହେବାର ଲକ୍ଷ ରଖିଥିବା ପ୍ରକାଶ କରିଛନ୍ତି।