ମାଣ୍ଡିଆ ମଣ୍ଡି ଉଦଘାଟିତ …!

!!! ଗଜପତିରୁ ସନ୍ତୋଷ କୁମାର ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ମାଣ୍ଡିଆ ଚାଷ ଓ ଚାଷୀଙ୍କୁ ପ୍ରୋଛାହିତ କରିବା ଏବଂ ଉତ୍ପାଦିତ ମାଣ୍ଡିଆ ର ଉଚିତ ମୂଲ୍ୟ ଦେବା ଉଦ୍ଧେଶ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିଃ ମାଧ୍ୟମରେ ଚଳିତ ଖରିଫ ଋତୁରେ ଗୁମ୍ମା ବ୍ଲକର ପାଇକ ସାହି ପରିସରରେ ଥିବା ଲ୍ୟାମ୍ପ ର ଗୋଦାମ ଗୃହ ରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି | ଟିଡ଼ିସିସି ଶାଖା ପରିଚାଳକଙ୍କ ଦ୍ୱାରା ଏହି ମଣ୍ଡି ଉଦଘାଟିତ ହୋଇଥିଲା । ବିଭିନ୍ନ ପଂଚାୟତରୁ ୩୦ ଜଣ ଚାଷୀ ଉପସ୍ଥିତ ଥିଲେ | ମଣ୍ଡିରେ ୧୧ ଜଣ ଚାଷୀ ୧୨୫.୬୯ କୁଇଣ୍ଟାଲ ମାଣ୍ଡିଆ ବିକ୍ରି କରିଥିଲେ ଏବଂ ଚାଷୀ କ୍ୟୁଣ୍ଟାଲ ପିଛା ୩୫୭୮ ଟଙ୍କା ପାଇବାରେ ସକ୍ଷମ ହୋଇଥିଲେ | ଏହି କାର୍ଯ୍ୟକ୍ରମରେ ଉଜ୍ଜାଲା କୃଷକ ଉତ୍ପାଦନ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହିବା ସହ ସିସିଡ଼ି ମିଲେଟ ମିଶନ ଗୁମ୍ମା ବ୍ଲକର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ |

ଉଦଯାପିତ ହେଲା ସେବା ଶିବିର  ।

ଏଥର ସମ୍ଭାଳ ବ୍ୟୁରୋ (ପାଇକମାଳ) –  ବରଗଡ ଜିଲା ପାଇକମାଳ ବ୍ଲକ ଜର୍ଜଗଡ଼ ଠାରେ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ ୭ ଦିନିଆଁ ଏନ ଏନ ଏସ ଶିବିର ଉଦଯାପିତ ହୋଇଯାଇଛି | ଉଦଯାପନୀ ଉତ୍ସବ ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ସଭା କାର୍ଯ୍ୟ କ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା କେ.ଟି ରାଉତରାୟ ସଭାପତିତ୍ୱ କରିଥିବା ବେଳେ ଜର୍ଜଗଡ଼ ଗ୍ରାମର ନିମାଇ ନନ୍ଦ ହୋତା, ବଡ ଶତପଥି, ବିଭୁତି ମୁଣ୍ଡ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସେବାବ୍ରତୀ ବିଦ୍ୟାର୍ଥୀ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ | ଡାକ୍ତର ଯଶୋବନ୍ତ ସାହୁ ଙ୍କ ତତ୍ବାଧାନରେ ପଚାଷ ଜଣ ସେବା ବିଦ୍ୟାର୍ଥୀ ସତ ଦିନ ଧରି ବିଭିନ୍ନ ସ୍ଥାନରେ ସଫେଇ, ମାଗଣା ମଧୁମେହ ପରୀକ୍ଷା, ସଡ଼କ ସୁରକ୍ଷା, ନିରାପତ୍ତା ରାଲି , ନିଶା ନିବାରଣ ପାଇଁ ପଥପ୍ରାନ୍ତ ନାଟକ, ରକ୍ତ ପରୀକ୍ଷା ସହ ଜର୍ଜଗଡ଼ ରେ ଘର ଘର ବୁଲି ସୁସ୍ଥ ଓ ନିରୋଗ ରହିବାପାଇଁ ସଚେତନ କରାଇଥିଲେ ।ସଭାରେ ଡାକ୍ତର ଅଭିରାମ ଠାକୁର ଙ୍କ ସମେତ ଜଗବନ୍ଧୁ ମିଶ୍ର , ସୁରେନ୍ଦ୍ର ପଟେଲ, କାମିନୀ କର, ନଳିନୀ ଦାସ, ସଂଯୁକ୍ତା ସେନଗୁପ୍ତା, ଅଖିଳେଶ ସାହୁ, ମୋନାଲିସା ସାହୁ, ଜଗନ୍ନାଥ ସାହୁ ପ୍ରମୁଖ ଡାକ୍ତର ଯୋଗ ଦେଇ ଥିଲେ । ପୋଷ୍ୟ ଗ୍ରାମ ଜର୍ଜଗଡ଼କୁ ମାସକୁ ଥରେ ଡାକ୍ତରୀ ବିଦ୍ୟାର୍ଥୀ ମାନେ ଆସି ପରୀକ୍ଷା ଶିବିର କରିବା ନିମନ୍ତେ ଗ୍ରାମବାସୀ ଅନୁରୋଧ କରିଛନ୍ତି | ସଭା ଶେଷରେ ସଭାପତି ଡ଼ା ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ମହୋତ୍ସବ ।

!!! ରାମନାଗୁଡା ରୁ ସୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) – ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ କେନ୍ଦୁଗୁଡ଼ା ଆଶ୍ରମ ବିଦ୍ୟାଳୟ ଠାରେ ଚଳିତ ମାସ ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ହିଁ ସମ୍ପଦ ତଥା ଛାତ୍ରଛାତ୍ରୀଙ୍କ ଅଣ ପାଠ୍ୟକ୍ରମର ବିକାଶକୁ ଆଧାର କରି ମୁଖ୍ୟଅତିଥି ରୂପେ ଭାମିନୀ ପଞ୍ଚାୟତର ସରପଞ୍ଚ ସୁଶ୍ରୀ ରିତୁ ପ୍ରଭା ଗମାଙ୍ଗ ଓ ମୁଖ୍ୟବକ୍ତା ରୂପେ ଆଞ୍ଚଳିକ ସଂଯୋଜକ ଶ୍ରୀ ଭୈରବ ପ୍ରସାଦ ରଥ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସ୍ଥାୟୀ ସଭାପତି ଶ୍ରୀ ମାଗତା ଗମାଙ୍ଗ ସଭାପତି ରୂପେ ଆସନ ଗ୍ରହଣ କରିଥିଲେ।

ପ୍ରଧାନ ଶିକ୍ଷକ ଶ୍ର୍ରୀ ଦିଲୀପ କୁମାର ଚୌଧୁରୀଙ୍କ ସୁପରିଚାଳନା ରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ତତ୍ବାବଧାନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦୌଡ, ଲମ୍ବା ଡିଆଁ, ଉଚ୍ଚାଡ଼ିଆଁ . ଦଉଡି ଡିଆଁ,ଅଖା ଦୌଡ଼, ଲେମ୍ବୁ ଚାମଚ,ସଟ୍ ଫୁଟ୍ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେମାନଙ୍କ ମଧ୍ୟରୁ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମର ଉଦ୍ ଯାପନ ଦିବସରେ ଛାତ୍ରମାନେ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟର କ୍ରିଡ଼ା ପତାକା ହସ୍ତାନ୍ତର କରିଥିଲେ।

ଗଜପତି ପ୍ରେସ କ୍ଳବ ଉଦଘାଟିତ …!

!!! ପାରଳାଖେମୁଣ୍ଡି ରୁ ପତିନିଧି ସନ୍ତୋଷ ପାଟ୍ଟଯୋଷୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି)- ସ୍ଥାନୀୟ ଟାଉନ ହଲ ପରିସର ମଧ୍ୟରେ ଗଜପତି ପ୍ରେସ-କ୍ଳବ୍ ଉଦଘାଟିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତା କାଟି “ଗଜପତି ପ୍ରେସ କ୍ଳବ୍” କୋଠାର ଶୁଭ ଉଦ୍ଘାଟନ କରିଥିଲେ । ପରେ ଆୟୋଜିତ ଉଦଘାଟନୀ ସଭାରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀଙ୍କ ସଭାପତିତ୍ବରେ ଉଦ୍ଘାଟକ ତଥା ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗଦେଇ ସରକାର , ପ୍ରଶାସନିକ ଓ ସମାଜରେ ସାମ୍ବାଦିକଙ୍କ ଏକ ସ୍ବତନ୍ତ୍ର ସମ୍ମାନ ଓ ମର୍ଯ୍ୟାଦା ରହିଛି । ସାମ୍ବାଦିକ ମାନେ ସମାଜର ଏକ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବା ସହ ପ୍ରଶାସନକୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସୁରାକ ଯୋଗାଇବାରେ ସହଯୋଗ କରିଥାନ୍ତି । ତେଣୁ ସେହି ସବୁ ସମ୍ମାନ ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ସାମ୍ବାଦିକ ମାନେ ସବୁବେଳେ ନିରପେକ୍ଷ ଓ ସତ୍ୟ ସମ୍ବାଦ ପରିବେଷଣ କରିବା ଦିଗରେ ଦାୟିତ୍ବବାନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଏଡିଏମ୍: ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଭାରାପ୍ରାପ୍ର ପୌର ନିର୍ବାହୀ ଅଧିକାରୀ ଶ୍ରୀ ନଟବର ଗରଡ଼ା ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଦ୍ୱିଜେନ୍ଦ୍ର ନାଥ ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ସାମ୍ବାଦିକ ମାନଙ୍କ କର୍ତ୍ତବ୍ୟ ଓ ସମାଜ ପାଇଁ ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ବହୁ ପ୍ରତିକ୍ଷିତ ଦୀର୍ଘ ଦିନର ଅଭିଳାଷ ଆଜି ଜିଲ୍ଲା ପ୍ରଶାସନ ଓ ପୌର-ପରିଷଦର ସହଯୋଗ ଫଳରେ ଗଜପତି ପ୍ରେସ କ୍ଳବ୍ ହେବା ସମ୍ଭବ ହୋଇଥିବା ଯୋଗୁଁ ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନଙ୍କ ପକ୍ଷରୁ ଏଥିନିମନ୍ତେ ସମସ୍ତ ସହଯୋଗୀ ପ୍ରଶାସକ ଙ୍କୁ ଭୂୟସୀ ପ୍ରଶଂସା କରାଯିବା ସହ ସାଧୁବାଦ୍ ଜ୍ଞାପନ କରାଯାଇଛି ।

ଅନାଥ ଶିଶୁ ଦେଖିଲେ ବିଶ୍ଵ କପ ହକି …!

ଏଥର ସମ୍ଭାଳ ବ୍ୟୁରୋ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଧେଶରେ ଜିଲ୍ଲାର ତିନିଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶ୍ରୀଜଗନ୍ନାଥ ନିକେତନର ୭ଜଣ, ନିସାନ୍ ସାଲୋମ୍ ଚିଲ୍ଡ୍ରେନ୍ ହୋମ୍ ୫ଜଣ ଓ ପ୍ରାଉଡ଼ ବାଳିକା ଅନୁଷ୍ଠାନର ୮ ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ୧୬ଜାନୁୟାରୀରେ ଭୁବନେଶ୍ବର କଳିଙ୍କ ଷ୍ଟାଡ଼ିଅମ୍ ରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ବକପ୍ କୁ ଉପଭୋଗ କରାଇଥିଲେ ।
ଏହି ହକି ବିଶ୍ବକପ୍ ଦେଖିବାକୁ ଯାଇଥିବା ମୋଟ ଶିଶୁମାନଙ୍କ ମଧ୍ୟରୁ ୧୨ ଜଣ ପୁଅ ହୋଇଥିବା ବେଳେ ୮ ଜଣ ଝିଅ ଅଛନ୍ତି। ସେମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପରାମର୍ଶଦାତା ଶ୍ରୀ ଡ଼ି.ମଲ୍ଲିକ ଙ୍କ ନେତୃତ୍ବରେ ତିନି ଜଣିଆ ଦଳ ଗସ୍ତ କରିଥିଲେ । ଶିଶୁମାନେ ସନ୍ଧ୍ୟା ୩.୦୦ ଘଣ୍ଟାରୁ ରାତି ୧୦:୦୦ ପର୍ଯ୍ୟନ୍ତ କଳିଙ୍କ ଷ୍ଟାଡ଼ିଅମରେ ଉପସ୍ଥିତ ରହି ଓଡ଼ିଶା ସରାକରଙ୍କ ଦ୍ବାରା ଆୟୋଜିତ ସମସ୍ତ ଜିନିଷକୁ ବୁଲି ଦେଖିବା ସହ କୋରିଆ-ଜାପାନ୍ ଏବଂ ଜର୍ମାନୀ-ବେଲଜିଅମ୍ ର ପ୍ରତିଯୋଗିତାକୁ ଭରପୁର ଉପଭୋଗ କରିଥିଲେ। ପିଲାମାନଙ୍କର ଖାଇବା, ରହିବା ସହ ବୁଲିବା ର ସମସ୍ତ ଦାୟୀତ୍ବ ହାଇଟେକ୍ ଗ୍ରୁପ୍, ଭୂବନେଶ୍ବର ନେଇଥିଲେ। ଏହି ଦାୟିତ୍ବବାନ ସହଯୋଗ ପାଇଁ ଗଜପତି ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଉପଦେଷ୍ଟା ସମାଜ ସେବୀ ତଥା ଆଇନଜିବୀ ପ୍ରଦୀପ ଦାଶ, ସଭାପତି ଶକ୍ତି ପ୍ରଦ ଦାଶ ଏବଂ ସମ୍ପାଦକ ସନ୍ତୋଷ କୁମାର ପାଟ୍ଟଯୋଶୀ ହାଇଟେକ୍ ଗ୍ରୁପ୍ ର ଅଧ୍ୟକ୍ଷ ଙ୍କୁ ସାଧୁବାଦ୍ ଜଣାଇଛନ୍ତି ।

ଉଚ୍ଛେଦ ବସ୍ତି ବାସିନ୍ଦା ଙ୍କୁ ଯୋଗାଇ ଦିଆଯିବ ସରକାରୀ ଜମି – ପ୍ରଭାତୀ ଝୋଡ଼ିଆ

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ପୌର ପରିଷଦର ୨ ନମ୍ବର୍ ୱାର୍ଡ଼ ମଧ୍ୟରେ ରହିଥିବା ରେଳବାଇ ର ସ୍ଥଳକୁ କିଛି ବ୍ୟକ୍ତି ଅକ୍ତିଆର କରି ଘର କରିଥିବା ଦର୍ଶାଇ ସେମାନଙ୍କୁ ଉକ୍ତ ସ୍ଥାନକୁ ଖାଲି କରିବା ନିମନ୍ତେ ରେଳବାଇ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏଠାରେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ଲୋକେ ଘର କରି ରହିଛନ୍ତି। ଏଠାରେ ପାନିଆକଟା ସାହି ନାମକ ଏକ ବସ୍ତି ବହୁ କାଳରୁ ଗଢି ଉଠିଛି ।ଏଠାରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ବହୁ ପରିବାର ଦିନ ମଜୁରିଆ ଏବଂ କାଠର ପାନିଆ ତିଆରି କରି ଗୁଜୁରାଣ ମେଣ୍ଟାଇ ଆସୁ ଥିଲେ । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଗରିବଙ୍କୁ ଘର ଯୋଗାଇ ଦିଆଯିବା ବିଭିନ୍ନ ଯୋଜନା ମାଧ୍ୟମରେ ଏଠାର ଲୋକଙ୍କୁ ଘର ତିଆରି ନିମନ୍ତେ ସରକାରୀ ସହାୟତା ମିଳିବାରୁ ଲୋକେ ଏହି ସ୍ଥାନରେ ପକ୍କା ଘର ତିଆରି କରି ରହି ଆସୁଥିବା ମଧ୍ୟରେ ବର୍ତ୍ତମାନ ଦୀର୍ଘ ବର୍ଷ ପରେ ଏମାନେ ବସତି ସ୍ଥାପନ କରିଥିବା ଘର ଗୁଡ଼ିକ ରେଳବାଇ ସ୍ଥଳରେ ଅବସ୍ଥିତ ଥିବା ଦର୍ଶାଇ ସ୍ଥଳ ଖାଲି କରିବା ନିମନ୍ତେ ପର୍ଯ୍ୟାୟ କ୍ରମେ ୧୧୧ଟି ପରିବାରକୁ ନୋଟିସ୍ ଜାରି କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସେମାନେ ଜାଗା ଛାଡ଼ିବା ନିମନ୍ତେ ପ୍ରସ୍ତୁତ ନଥିବା ବେଳେ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ମଧ୍ୟ ଜାଗା ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏହିପରିପ୍ରେକ୍ଷୀରେ ଏହି ଗରୀବ ବାସିନ୍ଦା ଙ୍କ ଅସୁବିଧାକୁ ଦୂରେଇବା ଉଦ୍ଦ୍ୟେଶ ନେଇ ନିର୍ବାହୀ ଅଧିକାରୀ ସୁଶ୍ରୀ ପ୍ରଭାତୀ ଖୋଡିଆ ବସ୍ତି ବାସିନ୍ଦା ଙ୍କ ସହ ସେଠାରେ ଥିବା କମ୍ୟୁନିଟ ହଲ ଠାରେ ଏକ ବୈଠକ କରି ସେମାନଙ୍କ ସହ ଆଲୋଚନା କରିଛନ୍ତି। ଏଠାରୁ ଉଚ୍ଛେଦ କରାଯାଉଥିବା ପରିବାର ବର୍ଗଙ୍କୁ ସ୍ଥାନୀୟ କତ୍ତ୍ୱାଲୁଗୁଡ଼ା ନିକଟରେ ରହିଥିବା ସରକାରୀ ଜମିରେ ଜାଗା ମିଶନ ପକ୍ଷରୁ ସମସ୍ତ ଆନୁଷାଙ୍ଗିକ ବ୍ୟବସ୍ଥା ଥାଇ ଘର ଯୋଗାଇ ଦିଆଯିବ ବୋଲି ସୁଶ୍ରୀ ଝୋଡ଼ିଆ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏହାକୁ ବସ୍ତି ବାସିନ୍ଦା ପ୍ରତ୍ୟାଖ୍ୟାନ କରିଥିଲେ । ପୌର ଅଧିକାରୀ ଙ୍କ ଦ୍ଵାରା ପ୍ରସ୍ତାବିତ ଜାଗା ଟି ୩ନମ୍ବର୍ ୱାର୍ଡ଼ ମଧ୍ୟରେ ରହିଥିବା ରୁ ସେମାନେ ସେଠାକୁ ନଯାଇ ୨ନମ୍ବର ୱାର୍ଡ଼ ମଧ୍ୟରେ ରହିଥିବା ଜମି ଯୋଗାଇ ଦେବାକୁ କହିଥିଲେ । ଏହାକୁ ସମ୍ମତି ପ୍ରକାଶ କରି ନିର୍ବାହୀ ଅଧିକାରୀ ବସ୍ତି ବାସିନ୍ଦା କେଉଁ ଜାଗା ଚାହୁଁ ଛନ୍ତି ଏହାକୁ ଲିଖିତ ଭାବେ ଦେବାକୁ କହିଛନ୍ତି। ଉଚ୍ଛେଦ ହେବାକୁ ଥିବା ବସ୍ତି ବାସିନ୍ଦାଙ୍କ ଦାବୀ ଯଥାର୍ଥ ବୋଲି ବୁଦ୍ଧିଜୀବି ମାନେ ମତ ବ୍ୟକ୍ତ କରିଛନ୍ତି। ଏନେଇ ନିର୍ବାହୀ ଅଧିକାରୀ ସୁଶ୍ରୀ ଝୋଡ଼ିଆ କଣ କାର୍ଯ୍ୟ ପନ୍ଥା ଗ୍ରହଣ କରୁଛନ୍ତି ଏଥି ପ୍ରତି ସମସ୍ତ ଙ୍କ ନଜର ।