“କେସ ରେକର୍ଡ ” ଅଭିଯୋଗ କେତେ ମିଛ କେତେ ସତ ?
ଏଥର ସମ୍ଭାଳ ବ୍ୟୁରୋ (ରାୟଗଡା) – ରାୟଗଡା ଜିଲ୍ଲା ଗୁଣପୁର ପଞ୍ଚାୟତ ସମିତି ରେ ବିଡ଼ିଓ ଏବଂ ସମିତି ଅଧ୍ୟକ୍ଷା ଙ୍କ ମଧ୍ୟରେ ଲାଗିରହିଥିବା ରାଜନୈତିକ ମତଭେଦ ଏବେ ଶୀତଳ ଯୁଦ୍ଧରେ ପରିଣତ ହେବାରେ ଲାଗିଛି । କିଛି ଦିନ ତଳେ ସମିତି ଅଧ୍ୟକ୍ଷା ଙ୍କ ସମର୍ଥିତ ବ୍ୟକ୍ତି ମାନେ ବିଡ଼ିଓ ଙ୍କୁ ଅସଦ ବ୍ୟବହାର କରିଥିବା ନେଇ ବିଡ଼ିଓ ଶାନ୍ତିପ୍ରଭା ପ୍ରଧାନ ଗୁଣପୁର ଥାନାରେ ଏତଲା ଦେବା ପରେ ସମିତି ଅଧ୍ୟକ୍ଷା ଝିଲ୍ଲି ଶବର ଙ୍କ ଭାଇ ଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରି ଅନ୍ୟ ଅଭିଯୁକ୍ତ ଙ୍କୁ ଖୋଜୁଛି । ପୋଲିସର ଏହି ଖୋଜା ଖୋଜିରେ ଶାସକ ଦଳ ନେତାଙ୍କ ପ୍ରଚ୍ଛଦ ହାତ ରହିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ମଧ୍ୟରେ ପୁଣି ବିଡ଼ିଓ ମହୋଦୟା ସମିତି ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅଫିସର କିଛି ଆବଶ୍ୟକ କେସ ରେକର୍ଡକୁ ଅଧ୍ୟକ୍ଷା ନିଜ ଅଫିସରେ ରଖି ଫେରାଉ ନଥିବାରୁ ତହବିଲ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ଆଣିଛନ୍ତି । ଫାଇଲ ଗୁଡ଼ିକ ଦେବା ନିମନ୍ତେ ସେ ବାରମ୍ବାର କହୁଥିବା ବେଳେ ଏହାକୁ ଫେରାଇ ନଥିବା କିମ୍ବା ଅଫିସକୁ ଆସୁନଥିବା ଅଭିଯୋଗ ନେଇ ବିଡ଼ିଓ ମହୋଦୟା ଉପ ଜିଲ୍ଲାପାଳ ଙ୍କୁ ଫେରାଦ କରିବାରୁ ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଏଜୁକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ଙ୍କ ଉପସ୍ଥିତିରେ ଅଧ୍ୟକ୍ଷା ଙ୍କ ଅଫିସର ଗୃହ ଖୋଲା ଯାଇଥିଲା । ଉପ ଜିଲ୍ଲାପାଳ ଙ୍କ ଦ୍ଵାରା କ୍ଷମତା ପ୍ରାପ୍ତ ତହସିଲଦାର ଉପାଧ୍ୟକ୍ଷ ଙ୍କୁ ଡକାଇ ତାଙ୍କରି ହାତରେ ପୋଲିସ ଏବଂ ବିଡ଼ିଓଙ୍କ ଉପସ୍ଥିତିରେ ତାଲା ଖୋଲି ଅଫିସ୍ ଗୃହ ମଧ୍ୟକୁ ପସି ବିଡ଼ିଓ ଅଭିଯୋଗ କରିଥିବା ଫାଇଲ ଗୁଡ଼ିକୁ ଖୋଜା ଖୋଜି କରିଥିଲେ ।ପରନ୍ତୁ ଅଫିସ୍ ଗୃହରୁ ସେଭଳି କିଛି ଫାଇଲ ମେଳି ନଥିଲା । ବର୍ତ୍ତମାନ ସାଧାରଣରେ ପ୍ରଶ୍ନ ଉଠୁଛି , ବିଡ଼ିଓ କରିଥିବା ଅଭିଯୋଗ ମିଥ୍ୟା ନା ଏହି ଫାଇଲ ଗୁଡ଼ିକ ଧରି ଅଧ୍ୟକ୍ଷା ମହୋଦୟା ଚମ୍ପଟ୍ ମାରିଛନ୍ତି ।ବିଡ଼ିଓ ଦର୍ଶାଇ ଥିବା କେସ ରେକର୍ଡ ଗୁଡ଼ିକ ଯେଉଁ କିରାଣୀ ମହୋଦୟ ଙ୍କ ନିକଟରେ ଗଚ୍ଛିତ ରହିବା କଥା ଏହାଙ୍କୁ ତଦନ୍ତ ପରିସର କୁ ଆଣି ଜେରା କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବ । ଏନେଇ ପୋଲିସ ଏବଂ ଉପ ଜିଲ୍ଲାପାଳ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ରହିଲା । ସେ ଯାହା ହେଉନା କାହିଁକି ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇ ଥିବା ଶୀତଳ ଯୁଦ୍ଧ ମଧ୍ୟରେ ସାଧାରଣ ଜନତା ବଳି ପଡ଼ିବା ପୂର୍ବରୁ କୌଣସି ଏକ ସ୍ଥାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ରାଜ୍ୟ ପ୍ରଶାସନକୁ ଜିଲ୍ଲାପାଳ ସୁପାରିସ କରିବା ଅପରିହାର୍ଯ୍ୟ ହୋଇ ପଡ଼ିଛି ।





ସ୍ଥାନୀୟ ଡମ୍ବସରା ଗ୍ରାମର ଆଦିବାସୀ ବାଳକ ବିଭୂତି ଶବର(୧୫) ବାପା ମୀନକେତନ ଶବରଙ୍କ ଏକମାତ୍ର ପୁତ୍ର ଅଟନ୍ତି । ବିଭୂତିଙ୍କ ଆଉଜଣ ଭଉଣୀ ମଧ୍ୟ ଅଜଣା ରୋଗରେ ପଡି ମୃତ୍ୟୁବରଣ କରିଥିବାବେଳେ ବିଭୂତି ହିଁ ଏକମାତ୍ର ବାପା,ମାଆଙ୍କ ସାହାଭରସା ଥିଲା । ବିଭୂତିଙ୍କ ବାପା,ମାଆ ଦିନ ମଜୁରିଆ କାମ କରି ପରିବାର ଚଳନ୍ତି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମାମୁଁ ଘର ପଦ୍ମପୁର ବ୍ଲକ ଗୁଡିଆବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ବିଭୂତି । ସେ ବିଦ୍ୟାଳୟରେ ଜଣେ ମେଧାବୀ ଛାତ୍ର ଥିଲେ । ପଞ୍ଚମ ଶ୍ରେଣୀ ଅଧ୍ୟୟନ ସମୟରେ ହଠାତ୍ ଗୋଡ,ହାତ ବିନ୍ଧା ହୋଇଥିଲା । ପରିବାର ଲୋକ ପ୍ରଥମେ ଗୁଣପୁର ତାପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଚିକତ୍ସା ନିମନ୍ତେ ଅର୍ଥର ଅଭାବ ଯୋଗୁଁ ବିଭୂତିଙ୍କ ଅଣ୍ଟାରୁ ଗୋଡ ଯାଏଁ ସରୁ ହୋଇ ଆସୁଛି । ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ଅବଗତ କରିଥିଲେ ସୁଦ୍ଧା ଚିକିତ୍ସା ନିମନ୍ତେ କୌଣସି ସହାୟତା ପ୍ରଦାନ କରାଯାଇନାହିଁ । ଯାହାଫଳରେ ବିଭୂତିଙ୍କୁ ପରିବାର ଲୋକ ଚିକିତ୍ସା କରିବାରେ ସକ୍ଷମ ହୋଇନପାରି ଘରେ ପକାଇ ରଖିଛନ୍ତି । ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ଭତ୍ତା ମଧ୍ୟ ପ୍ରଦାନ କରାଯାଉନାହିଁ । କେବଳ ଗୋଟିଏ ହୁଇଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ଏହା ଚଳାଇବା ବିଭୂତିଙ୍କ ପାଇଁ ସମ୍ଭବପର ହେଉନାହିଁ । ଗତ ୪ବର୍ଷରୁ ଉଦ୍ଦ୍ୱର୍ ହେଲା ଶର୍ଯ୍ୟରେ ବିତୁଛି ଜୀବନ । ବିଭୁତି ଚାହୁଛି ସେ ପାଠପଢି ନିଜେ ମଣିଷ ହେବାସହ ପରିବାରର ଦୁଃଖକୁ ଲାଘବ କରିବ । ବିଡମ୍ବନା ସହାୟତାର ଅଭାବ । ଉକ୍ତ ବାଳକକୁ ଯଦି ପ୍ରଶାସନ ପକ୍ଷରୁ ଚିକିତ୍ସା ନିମନ୍ତେ ସହାୟତା କରାଗଲେ ସମାଜରେ ମୁଖ୍ୟତ୍ସୋତରେ ସାମିଲ ହୋଇପାରିବ । ଅନ୍ୟପକ୍ଷରେ ବାପା,ମାଆ ପିଲାଦିନରୁ ଜଣେ ମାତ୍ର ପୁଅକୁ ଦେଖି ହାଡଭଙ୍ଗା ପରିଶ୍ରମ କରି ବହୁ କଷ୍ଟରେ ଚଳି ଆସୁଥିଲେ । ପୁଅର ଏଭଳି ଅବସ୍ଥା ଯୋଗୁଁ ଦୁଃଖରେ ଭାଙ୍ଗି ପଡିଛନ୍ତି । ପ୍ରଶସାନ ତୁରନ୍ତ ବିଭୂତିକୁ ଚିକିତ୍ସା ସହାୟତାର ହାତ ବଢାଇବାକୁ ବିଭିନ୍ନ ମହଲରେ ଦାବୀ କରାଯାଉଛି ।