ନବୀନଙ୍କ ସ୍ୱାଗତ ପାଇଁ ସେଲିବ୍ରେଶନ ଆରମ୍ଭ, ବିରୋଧୀ କହିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଜୀବନବ୍ୟାପୀ ସାଧନା ସମ୍ମାନ ପାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଫେରିବେ। ସେ ଆଜି ପୂର୍ବାହ୍ନ ୧୧.୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନର ବ୍ୟବସ୍ଥା କରାଯାଇଛି।  ବିଜେଡିର ଏହି ସ୍ୱାଗତ ଉତ୍ସବ କାର୍ଯ୍ୟକ୍ରମରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଥିବାରୁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ଦାୟିତ୍ୱରେ ୮ ଡିସିପିଙ୍କ ସହ ୧୬ ଏସିପି ଏବଂ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଭିଡ଼ ନିୟନ୍ତ୍ରଣ ଲାଗି ସବୁ ଛକରେ ପୁଲିସ ଜଗିବ । ସ୍ୱତନ୍ତ୍ର ଟ୍ରାଫିକ୍ ସହ ପାର୍କିଂ ବ୍ୟବସ୍ଥା କରାଯାଇଛି । ଏପରିକି ଆଜି ବିମାନଯାତ୍ରା କରୁଥିବା ଲୋକଙ୍କୁ ଆଗୁଆ ଏୟାରପୋର୍ଟରେ ପହଞ୍ଚିବାକୁ ସୂଚନା ଦିଆଯାଇଛି।  ଅନ୍ୟ ବିମାନରେ ଯିବାକୁ ଥିବା ଯାତ୍ରୀ ୩ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ କୁହାଯାଇଛି। ଅପରପକ୍ଷେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ସ୍ୱାଗତ କାର୍ଯ୍ୟକ୍ରମକୁ ନେଇ ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ମିଳିବା ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ଓ ବିଜେପି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାର, କେନ୍ଦ୍ର ସରକାର ନା ଜାତିସଂଘ ଏ ପୁରସ୍କାର କିଏ ଦେଲା ତାହା ସ୍ପଷ୍ଟ ହୋଇନି।  ଦିଲ୍ଲୀରେ ଏମିତି ଅନେକ ସଂସ୍ଥା ଅଛନ୍ତି, ଯେଉଁମାନେ ପୁରସ୍କାର ଦେଇଥାନ୍ତି । ସେ ଆହୁରି କହିଛନ୍ତି ଯେ,  ରାଜ୍ୟ ସରକାର ଆଜି ଯାଏ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇ ପାରିଲେ ନାହିଁ । ୨୨ ବର୍ଷ ଧରି ଶାସନ କଲାପରେ ଶିକ୍ଷକ ଦେଇପାରିଲେ ନାହିଁ କି ଡାକ୍ତର ଦେଇପାରିଲେନି । ତା ହେଲେ ଏହା କଣ ସଫଳତା କି ବୋଲି ନରସିଂହ ପ୍ରଶ୍ନ ଉଠାଇଛନ୍ତି । ସେହିପରି ବିଜେପି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ମଧ୍ୟ ପୁରସ୍କାରକୁ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛନ୍ତି । ୨୦୨୪ରେ କିପରି ନିର୍ବାଚନ ଜିତିବେ, ସେଥିଲାଗି ବିଜେଡିର ଏ ପ୍ରସ୍ତୁତି ବୋଲି ସେ କହିଛନ୍ତି ।ତେବେ ବିଜେଡିର ଯୁକ୍ତି ଯେ, ସେ ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଖାଦ୍ୟ ନିରାପତ୍ତା ହେଉ କି ଦାରିଦ୍ର୍ୟ ଦୂରୀକରଣ ସବୁ କ୍ଷେତ୍ରରେ ରାଜ୍ୟ ସରକାର ସଫଳ ହୋଇଛନ୍ତି  । ଆଉ ସରକାରର ନେତୃତ୍ୱ ନବୀନ ପଟ୍ଟନାୟକ ନେଉଥିବାରୁ ଏଭଳି ଏକ ସେଲିବ୍ରେସନ କରାଯାଉଛି ବୋଲି କୁହାଯାଇଛି।

 

୧୫ ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡ କୋମାରେ: ପୁର୍ନଗଠନ ହେଲା ପୁରୀ ଓ ଗଞ୍ଜାମ ଜିଲ୍ଲା ଯୋଜନା କମିଟି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୨ବର୍ଷ ଧରି ରାଜ୍ୟ ଶାସନରେ ଥିବାବେଳେ ରାଜନୀତିକ କାରଣରୁ ରାଜ୍ୟ ଯୋଜନା ବୋର୍ଡକୁ ପଙ୍ଗୁ କରି ପକାଇ ରଖିଛନ୍ତି । ଗତ ୧୫ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡ ବୈଠକ ବସିନଥିବା ବେଳେ ରାଜ୍ୟ ସରକାର ଆଜି ଗଞ୍ଜାମ ଓ ପୁରୀ ଜିଲ୍ଲା ଯୋଜନା କମିଟିର ପୁର୍ନଗଠନ କରିଛନ୍ତି । ଜୁନ୍ ପ୍ରଥମ ସପ୍ତାହରେ ଅପ୍ରତ୍ୟାଶିତ ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କୁ ହଟାଇ ଦେବା ପରେ ରାଜ୍ୟ ଯୋଜନା ବୋର୍ଡ କେବଳ କାଗଜକଲମ ମଧ୍ୟରେ ସୀମିତ ହୋଇ ରହିଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆଜି ଗଞ୍ଜାମ ଓ ପୁରୀ ଜିଲ୍ଲା ଯୋଜନା କମିଟିର ପୁନର୍ଗଠନ କରାଯାଇଛି । ପୁରୀ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟ କରୁଥିବାବେଳେ ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇସାରିଛନ୍ତି । ଶ୍ରୀ ସାହୁ ରାଜ୍ୟ ସରକାରରେ ମନ୍ତ୍ରୀ ଦାୟିତ୍ୱ ନେବା ପରଠୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା । ୨୦୨୨ ପଂଚାୟତ ନିର୍ବାଚନ ପରଠୁ ଜିଲ୍ଲା ଯୋଜନା କମିଟିଗୁଡ଼ିକର ପୁର୍ନଗଠନ ଆବଶ୍ୟକ ହୋଇପଡ଼ିଥିଲା । ଜିଲ୍ଲା ଯୋଜନା କମିଟିରେ ୮୦ ପ୍ରତିଶତ ପଦବୀ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରିବାର ପ୍ରାବଧାନ ବାକି ପଦବୀରେ ମନୋନୀତ ସଦସ୍ୟ, ସରକାରୀ ଅଧିକାରୀଙ୍କୁ ସାମିଲ କରିବାର ନିୟମ ରହିଛି । ତେବେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗଞ୍ଜାମ ଜିଲ୍ଲା ଯୋଜନା କମିଟିରେ ଖାଲି ପଡ଼ିଥିବା ସଦସ୍ୟ ଭାବେ ମୋଟ ୧୪ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସାମିଲ କରାଯାଇଥିବାବେଳେ ସେଥିରୁ ୭ଜଣ ସଂରକ୍ଷିତ ବର୍ଗର । ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦନା କୁମାରୀ ସେଠୀ, ଦୀପକ କୁମାର ସାମନ୍ତ,ମନୋରମା ପଲାଇ, ପ୍ରଫୁଲ୍ଲ ଚନ୍ଦ୍ର ମହାକୁଡ଼, ପ୍ରୀତି ସାହୁ,ରାଧାକାନ୍ତ ମହାକୁଡ଼,ରଶ୍ମୀ ନାହାକ, ସ୍ମିତା ସ୍ୱାଇଁ, ସନ୍ତୋଷ କୁମାର ପାଢ଼ୀ, ଶିବ ସେଠୀ, ତନ୍ମୟ ନାହାକ, ଟୁକୁନା ଗୌଡ଼ ଓ ଭି.ଲକ୍ଷ୍ମୀ ରେଡ୍ଡୀଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି । ଆଉ ୨ଟି ପଦବୀ ଜିଲ୍ଲାର ବିଭିନ୍ନ ପୌର ସଂସ୍ଥାରୁ ଚୟନ କରାଯିବ । ଆଉ ୨ଜଣଙ୍କୁ ଜିଲ୍ଲା ପ୍ରଶାସନ ବା ସରକାର ମନୋନୀତ କରିବେ । ଜିଲ୍ଲାପାଳ ଏହି କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ । ତେବେ ଗଞ୍ଜାମ ଜିଲ୍ଲା ଯୋଜନା କମିଟିରୁ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ସରକାର ସେଠାରେ କାହାରିକୁ ଅଧ୍ୟକ୍ଷ ପଦବୀ ଦେଇନଥିବା ଜଣାପଡ଼ିଛି । ସେହିପରି ପୁରୀ ଜିଲ୍ଲା ଯୋଜନା କମିଟିରେ ମୋଟ ୧୫ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସାମିଲ କରାଯାଇଛି । ଏଥିରେ ୭ଜଣ ସଂରକ୍ଷିତ ବର୍ଗର ରହିଥିବାବେଳେ ପ୍ରାୟତଃ ସବୁ ବ୍ଲକରୁ ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରତିନିଧିତ୍ୱ ରହିଛି । ଜିଲ୍ଲା ପରିଷଦ ସଦସ୍ୟ ଭୀମସେନ ପାଇକରାୟ, ଧରଣୀଧର ସାହୁ, ଲକ୍ଷ୍ମୀଧର ସାହୁ, ମୋନାଲି ମିଶ,ପ୍ରଦୀପ୍ତ କୁମାର ଖାଟୋଇ, ପ୍ରଣତୀ ଜେନା, ପ୍ରସନ୍ନ କୁମାର ସାହୁ, ପୁଷ୍ପାରାଣୀ ସ୍ୱାଇଁ, ରତିକାନ୍ତ ମିଶ୍ର, ସରସ୍ୱତୀ ସ୍ୱାଇଁ, ସସ୍ମିତା ନାୟକ, ସୁଶ୍ରୀ ସଙ୍ଗୀତା ବେହେରା, ସ୍ୱାଧୀନ କୁମାର ନାୟକ ଓ ସ୍ୱପ୍ନାରାଣୀ ସ୍ୱାଇଁ ସଦସ୍ୟ ଭାବେ କାର୍ଯ୍ୟ କରିବେ । ସରକାର ଖୁବଶୀଘ୍ର ୨ଜଣ ବିଶେଷଜ୍ଞ ସଦସ୍ୟ ଓ ପୌରାଂଚଳରୁ ୨ଜଣଙ୍କୁ ସଦସ୍ୟ ଭାବେ ଚୟନ କରିବେ । ପୁରୀ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାୟିତ୍ୱ ତୁଲାଉଛନ୍ତି । ଅନ୍ୟପକ୍ଷରେ ଗତ ୨୨ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ଯୋଜନା ବୋର୍ଡ ମାତ୍ର ୩ଥର ବୈଠକ କରିଛି । ୨୦୦୩ ମସିହା ମେ’ ୯ ଓ ଅଷ୍ଟ ୯ତାରିଖ ଏବଂ ୨୦୦୭ ଅକ୍ଟୋବର ୧୫ତାରିଖରେ ରାଜ୍ୟ ଯୋଜନା ବୋର୍ଡ ବୈଠକ ବସିଥିଲା । ଏହା ପରଠୁ ଆଉ ଯୋଜନା ବୋର୍ଡ ବୈଠକ ବସିନାହିଁ । ଏପରିକି ଯୋଜନା ବୋର୍ଡରେ ଥିବା ନନଅଫିସିଆଲ ସଦସ୍ୟ ପଦବୀକୁ ମଧ୍ୟ ପୂରଣ କରାଯାଇ ନାହିଁ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରେ ରାଜନୀତିକ ବ୍ୟକ୍ତିଙ୍କୁ ଥଇଥାନ କରୁଥିବା ସରକାର ୨୦୧୪ ନଭେମ୍ବରରୁ ଏଥିରେ ନୂଆ କରି ଉପଦେଷ୍ଟା ପଦବୀ ସୃଷ୍ଟି କରିଥିଲେ । ସେହି ପଦବୀକୁ ବି ଏବେ ଆଉ କାର୍ଯ୍ୟ କରୁନି । ଶ୍ରୀ ଦାସବର୍ମା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ନେବା ପରେ ଏହାକୁ ପୁର୍ନଗଠନ କରିବା ସହ ପୋଷାଦାର ଢଙ୍ଗରେ କାର୍ଯ୍ୟକ୍ଷମ କରାଇବାକୁ ପ୍ରୟାସ କରିଥିଲେ ମଧ୍ୟ ସରକାରୀ ଉଦାସୀନତାରୁ ତାହା ସମ୍ଭବପର ହୋଇପାରିନଥିଲା । ରାଜ୍ୟ ଓ ଜିଲ୍ଲାମାନଙ୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନର ସମୀକ୍ଷା ଓ ମୂଲ୍ୟାୟନ ସହ ଆବଶ୍ୟକ ସଂଶୋଧନ ନିମନ୍ତେ ରାଜ୍ୟ ଯୋଜନା ବୋର୍ଡ ଗଠନ ହୋଇଥିଲା । କିନ୍ତୁ ଏବେ ଯୋଜନା ବୋର୍ଡର ବିନା ଏସବୁ କାର୍ଯ୍ୟ ସମ୍ଭବପର ହୋଇପାରୁଥିବା ଜଣାପଡ଼ିଛି ।

ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ସାଙ୍ଗଠନିକ ଦିବସ ପାଳିତ …!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ପବିତ୍ର ଗୁରୁ ଦିବସ ତଥା ସଂଘ ର ସାଙ୍ଗଠନିକ ଦିବସ ଅବସରରେ ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ଆହ୍ଵାନ କ୍ରମେ ଗୁଣପୁର କତ୍ଵାଲୁଗୁଡା ଠାରେ ଅବସ୍ଥିତ ୱେଥ୍ ସେଣ୍ଟର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୁଣପୁର ଆଦର୍ଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ନିଳାମ୍ବର ଜାନୀ , ପୌର ପରିଷଦ ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ , ଗୁଣପୁର ବନଖଣ୍ଡ ଅଧିକାରୀ ଶ୍ରୀ ନୀଳମାଧବ ପାଢ଼ୀ , ଗୁଣପୁର ପୌର ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ ଙ୍କ ସମେତ ପୋଲିସ ଏସ୍. ଆଇ ଶ୍ରୀ ଅଶୋକ ପାଢୀ ଓ ବନଖଣ୍ଡ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସରିବା ପରେ ଗୁଣପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସଂଘ ର ଏକ ସାଧାରଣ ବୈଠକ ଆୟୋଜିତ ହୋଇଥିଲା । ଉପଖଣ୍ଡ ର ଅନ୍ୟନ୍ୟ ବ୍ଲକ ରେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏହି ସଂଘରେ ସାମିଲ କରିବା ନେଇ ଏକ ଖସଡା ପ୍ରସ୍ତୁତି କରାଯାଇଛି ।

ବୈଠକ ରେ ସଂଘ ଆଗାମି ଦିନରେ କିଭଳି ଅନ୍ୟ ସାମାଜିକ ଓ ସେବା କାର୍ଯ୍ୟକ୍ରମ କରିବ ଏନେଇ ବିଷଦ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ନିମନ୍ତେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ଶ୍ରୀ ମାଧବ ବିଡିକା , ଉପ ସଭାପତି ଭାବେ ଶ୍ରୀ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ , ସମ୍ପାଦକ ଭାବେ ଶ୍ରୀ ତ୍ରିପତି ବିଡିକା , ଯୁଗ୍ମ ସମ୍ପାଦକ ଭାବେ ଶ୍ରୀ ହରିହର ଶତପଥୀ ଏବଂ କୋଷାଧ୍ୟକ୍ଷ ଭାବେ ଶ୍ରୀ ସିଦ୍ଧାର୍ଥ ପ୍ରେମ ଦାଶ ଓ ଆଇନ ପରାମର୍ଶଦାତା ଭାବେ ଶ୍ରୀ ଗୌରୀ ଶଙ୍କର ଦାଶ ଙ୍କୁ ମନୋନୀତ କରାଯାଇଥିବା ବେଳେ ସଂଘର ଉପଦେଷ୍ଟା ଭାବେ ଶ୍ରୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ, ଶ୍ରୀ ରାଧା କାନ୍ତ ପଣ୍ଡା, ଦୀପକ କୁମାର ବେହେରା ଙ୍କୁ ସଂଘ ସଂଚାଳକ ଭାବେ ଶ୍ରୀ ସୁନୀଲ କୁମାର ଦାଶ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଗଲା ।