୧୫ ଦିନରେ ୧୨,୫୪୫ଜଣ ବାଇକ୍ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ହେଲମେଟ୍ ନପିନ୍ଧି ବାଇକ୍ ଚଳାଇବା ଓ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା କାରଣରୁ ରାଜ୍ୟ ପରିବହନ ପ୍ରାଧିକରଣ ମୋଟ ୧୨୫୪୫ଜଣ ବାଇକ୍ ଆରୋହୀଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରିଛନ୍ତି । ଏହାସହିତ ମୋଟ ୨୪୪୭୪ଜଣଙ୍କୁ ଇ-ଚାଲାଣ ମଧ୍ୟ ଜାରି କରିଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଅଗଷ୍ଟ ୧୬ରୁ ୩୦ତାରିଖ ମଧ୍ୟରେ ଜାତୀୟ ଓ ରାଜ୍ୟ ରାଜପଥରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନରେ ଟ୍ରାଫିକ ନିୟମ ଉଲ୍ଲଘଂନ ଓ ହେଲମେଟ୍ ପିନ୍ଧିନଥିବା ଯୋଗୁ ମୋଟ ୬୩ଲକ୍ଷ ୯୮ହଜାର ୧୧୮ଟଙ୍କା ଜୋରିମାନା ଆଦାୟ ହୋଇଛି । କେବଳ ହେଲମେଟ୍ ପିନ୍ଧିନଥିବା ଯୋଗୁ ୧୨୫୪୫ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବିତ କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଉଥିବା ଯୋଗୁ ୮୮୮ଟି ଗାଡ଼ିକୁ ଜବତ କରାଯାଇଛି ।
ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାସ୍ତା ଦୁର୍ଘଟଣା ହ୍ରାସ କରିବା ନିମନ୍ତେ ପ୍ରାଧିକରଣ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ରାସ୍ତା ଦୁର୍ଘଟଣାଜନିତ କ୍ଷୟକ୍ଷତି ହ୍ରାସ କରିବା ନିମନ୍ତେ ଲୋକଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବାଇକ ଚାଳକଙ୍କ ପାଇଁ ଜାତୀୟ ଓ ରାଜ୍ୟ ରାଜପଥରେ ଅଧିକାଂଶ ଦୁର୍ଘଟଣା ହେଉଥିବାରୁ ବିନା ହେଲମେଟରେ ଗାଡ଼ି ଚଳାଇବାକୁ କଟକଣା କରିବା ପାଇଁ ଏହି ଅଭିଯାନକୁ ଜୋରଦାର କରାଯାଇଥିଲା । ସୂଚନାଯୋଗ୍ୟ, ୨୦୨୧ ମସିହାରେ ରାସ୍ତା ଦୁର୍ଘଟଣାରେ ୮୬୮ଜଣ ବାଇକ ଚାଳକ ଓ ପଛରେ ବସିଥିବା ୪୪୦ଜଣଙ୍କ ସମେତ ମୋଟ ୧୩୦୮ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ୍ ପିନ୍ଧି ନଥିଲେ । ବାଇକ୍ ଆରୋହୀଙ୍କ ମଧ୍ୟରୁ ୧୨୮୦ଜଣ ଗୁରୁତର ଆହତ ଓ ୭୪୭ଜଣ ସାମାନ୍ୟ ଆହତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତହସିଲଦାରଙ୍କ ସମେତ ୩୦ଜଣ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ ।

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ) – ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବା। କାଶୀପୁର ତହସିଲଦାରଙ୍କ ସମେତ ୩୦ଜଣ କର୍ମଚାରୀଙ୍କ ଦରମା ବନ୍ଦ କେଲେ ଜିଲ୍ଲାପାଳ ସ୍ୱାଧାଦେବ ସିଂ। ଜମିପଟ୍ଟା ପ୍ରଦାନରେ କ୍ଷେତ୍ର କର୍ମଚାରୀମାନେ ଅବହେଳା କରୁଥିଲେ। ଏନେଇ ଆପତ୍ତି ଉଠିବା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ମୁତାବକ, ତହସିଲର ଏହି ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଫିସ୍‌ରେ ଅନୁପସ୍ଥିତ ରହୁଥିଲେ। ଜମି ଚିହ୍ନଟ ପ୍ରକ୍ରିୟାରେ ଅବହେଳା କରୁଥିଲେ। ଏନେଇ ଅଭିଯୋଗ ପରେ ଜିଲ୍ଲାପାଳ ଘଟଣାର ତଦନ୍ତ କରି ତହସିଲଦାର ଓ ଅନ୍ୟ କର୍ମଚାରୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଯାହାକୁ ନେଇ ପ୍ରଶାସନ ଉପରେ ଅସ୍ଥା ହରାଇଥିବା ଅଭିଯୋଗକାରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି। କାଶୀପୁର ତହସିଲ ଅନ୍ତଗର୍ତ ଦୁର୍ଗମ ଅଞ୍ଚଳର ଗରିବ ଲୋକ ଜମିଜମା ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ବାରମ୍ବାର ତହସିଲ ଅଫିସ ଆସି ନିରାଶ ହେଉଥିଲେ। ଏ ନେଇ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ଗତ ମାସ ୨୨ ତାରିଖ ଦିନ ଜିଲ୍ଲାପାଳ କାଶୀପୁର ଗସ୍ତ କରି ତହସିଲ କାର୍ଯ୍ୟାଳୟର କାର୍ଯ୍ୟକଳାପ ସମୀକ୍ଷା କରିଥିଲେ। ଏହି ସମୟରେ ବିଭିନ୍ନ ଅନିୟମିତତା ଲକ୍ଷ୍ୟ କରି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି।