କିଏ ହେବ ଶିବସେନାର ମାଲିକ ; ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି …!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି। ଶିବସେନା କାହା ନିୟନ୍ତ୍ରଣରେ ରହିବ ତାକୁ ନେଇ ଉଦ୍ଧବ କ୍ୟାମ୍ପ ଏବଂ ସିନ୍ଦେ କ୍ୟାମ୍ପ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଉଦ୍ଧବଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ନିଷ୍ପତ୍ତି ନନେବାକୁ ଭାରତର ନିର୍ବାଚନ କମିଶନଙ୍କୁ କହିଛନ୍ତି କୋର୍ଟ। ସିନ୍ଦେ ଗ୍ରୁପକୁ ପ୍ରକୃତ ଶିବସେନା ଭାବେ ସ୍ୱୀକୃତି ଦେବାକୁ ଦାବି କରାଯାଇଥିଲା। ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି କରି କୋର୍ଟ ସମ୍ବିଧାନ ବେଞ୍ଚକୁ ସୁପାରିସ କରିପାରନ୍ତି। ଆବେଦନକାରୀ ସିନ୍ଦେ ଟିମ ପକ୍ଷରୁ କୁହାଯାଇଥିଲା ଯେ, ଏହା ହେଉଛି ଦଳୀୟ ମାମଲା। ତାଙ୍କ ପାଖରେ ସଂଖ୍ୟା ଅଛି। ତେଣୁ କୋର୍ଟ ଦଳର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରିବାକୁ ଅନୁରୋଧ କରିଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟା ବହୁମତକୁ ସମ୍ମାନ ଜଣାଇ ନିଷ୍ପତ୍ତି ନେବାକୁ ଛାଡ଼ି ଦିଆଯାଉ ବୋଲି ସିନ୍ଦେ ଗ୍ରୁପ ଆବେଦନ କରିଥିଲା। ଆଜିର ଶୁଣାଣି ବେଳେ ଜଷ୍ଟିସ ଏନଭି ରମନ୍ନା ସିନ୍ଦେ ଟିମଙ୍କ ଯୁକ୍ତିକୁ ନାପସନ୍ଦ କରିଥିଲେ। ସେ ଜାଣିବାକୁ ଚାହିଁଥିଲେ ନିର୍ବାଚନ ପରେ ଯଦି ଆପଣ ରାଜନୈତିକ ଦଳକୁ ବେଖାତିରି କରନ୍ତି ଏହା କଣ ଗଣତନ୍ତ୍ର ପ୍ରତି ବପଦ ନୁହେଁ? ସୂଚନା ଅନୁଯାୟୀ ଏହି ବିବାଦୀୟ ମାମଲାରେ ପୂର୍ବରୁ ସିନ୍ଦେ ଗୋଷ୍ଠୀ ନିର୍ବାଚନ କମିଶନଙ୍କ ନିକଟରା ଦ୍ୱାରସ୍ତ ହୋଇଥିଲେ। ଉଭୟ ସିନ୍ଦେ ଓ ଉଦ୍ଧବ ଠାକେର ଗୋଷ୍ଠୀଙ୍କୁ ସଂଖ୍ୟାଗରିଷ୍ଠତାର ଦସ୍ତାବିଜ ମାଗିଛନ୍ତି ନିର୍ବାଚନ କମିଶନ। ଯେଉଁ ଗୋଷ୍ଠୀ ଉପଯୁକ୍ତ ପ୍ରମାଣ ଦେଇପାରିବେ, ସେ ହିଁ ଶିବସେନାକୁ ନିୟନ୍ତ୍ରଣ କରିବେ ବୋଲି ନିର୍ବାଚନ କମିଶନ କହିଥିଲେ। ଶିବସେନା ଉପରେ ହକ ଦାବି କରି ସିନ୍ଦେ ଗୋଷ୍ଠୀ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଇସି ଏହାକୁ ଗ୍ରହଣ କରି ଉଭୟ ଗୋଷ୍ଠୀଙ୍କୁ ପ୍ରମାଣ ମାଗିଛନ୍ତି। ଅଗଷ୍ଟ ୮ ସୁଦ୍ଧା ସେମାନେ ଦସ୍ତାବିଜ ଦାଖଲ କରିବା ପରେ ଇସି ବିଧିବଦ୍ଧ ଭାବେ ଏହାର ଯାଞ୍ଚ ଆରମ୍ଭ କରି ପରବର୍ତ୍ତୀ ପଦକ୍ଷେପ ନେବେ। ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର କାରଣ ଲଖିତ ଭାବେ ଜଣାଇବାକୁ ମଧ୍ୟ ଇସି ନୋଟିସ ଜାରି କରି କରିଥିଲେ। ଇସିଙ୍କୁ ଚିଠି ଲେଖି ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ କହିଥିଲେ ତାଙ୍କ ସହ ଶିବସେନାର ୪୦ ଜଣ ବିଧାୟକ ଓ ୧୨ ଜଣ ସାଂସଦ ରହିଛନ୍ତି। ତାଙ୍କ ପାଖରେ ଶିବସେନାର ଅଧିକାଂଶ ସଦସ୍ୟ ଥିବାରୁ ସେ ହିଁ ପ୍ରକୃତ ଶିବ ସୈନିକ। ଏଥିପାଇଁ ତାଙ୍କୁ ଦଳର ଚିହ୍ନ ଧନୁ ଓ ତୀର ମିଳିବା ଦରକାର।

ନରେନ୍ଦ୍ର ମୋଦି ଓ ଅମିତ ଶାହ ଆମକୁ ଚୁପ କରାଇ ପାରିବେନି…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କଂଗ୍ରେସ ମୁଖ୍ୟାଳୟ ଓ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭବନରେ ପୁଲିସର ଘେରାବନ୍ଦୀକୁ ନେଇ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଛନ୍ତି। ସେହିପରି ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଟାର୍ଗେଟ କରିବାରେ ଲାଗିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ମୋଦି ଓ ଶାହ ବିରୋଧୀ ଦଳର ସ୍ୱରକୁ ଚାପି ଦେବା ପାଇଁ ଚାହୁଁଛନ୍ତି। ହେଲେ ସେମାନେ ଆମକୁ ଚୁପ କରାଇ ପାରିବେ ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି। ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ଉଭୟ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ମାରାଥନ ଜେରା କରିଥିଲା। ଏହାପରେ ଗତକାଲି ହେରାଲ୍ଡ ହାଉସରେ ଥିବା ୟଙ୍ଗ ଇଣ୍ଡିଆନ ଲିଃ ଅଫିସକୁ ସିଲ କରାଯାଇଛି। ସେହିପରି କଂଗ୍ରେ ମୁଖ୍ୟାଳୟକୁ ପୁଲିସ୍ ଘେରାବନ୍ଦୀ କରିଥିବାରୁ ଏହାକୁ ନେଇ ରାହୁଲ ଗାନ୍ଧି ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ ଯଦି ଆପଣ ନ୍ୟାଶନାଲ ହେରାଲ୍ଡ କଥା କହିବେ, ତା’ହେଲେ ଡରାଇବା ପାଇଁ ଏହି ପ୍ରସଙ୍ଗ ଅଣାଯାଇଛି। ନରେନ୍ଦ୍ର ମୋଦି ଓ ଅମିତ ଶାହ ଭାବୁଛନ୍ତି ଏହି ସାମାନ୍ୟ ଚାପରେ ଆମେ ଚୁପ ହୋଇଯିବୁ। କିନ୍ତୁ ଆମେ କେବେ ହେଲେ ଚୁପ ହେବୁନାହିଁ। ନରେନ୍ଦ୍ର ମୋଦି ଓ ଅମିତ ଶାହ ଗଣତନ୍ତ୍ର ବିରୋଧରେ ଯେତେ ଯାହା କଲେ ମଧ୍ୟ ଆମେ ସେମିତି ସଶକ୍ତ ହୋଇ ଛିଡ଼ା ହୋଇଥିବୁ।” ଇଡି ବୁଧବାର ୟଙ୍ଗ ଇଣ୍ଡିଆନ ଅଫିସ ସିଲ କରିଥିବାରୁ କଂଗ୍ରେସ ତା’ର ପରବର୍ତ୍ତୀ ରଣନୀତି ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ବୈଠକ କରିଛି। ଏହି ବୈଠକ ପୂର୍ବରୁ ରାହୁଲ ଗାନ୍ଧି ସାମ୍ବାଦିକମାନଙ୍କୁ ଏମିତି କହିଛନ୍ତି। ରାହୁଲ ଗାନ୍ଧି ଆହୁରି କହିଛନ୍ତି, ଆମେ ବିଜେପିର ଧମରେ ଆଦୌ ଭୟଭୀତ ନାହୁଁ। ଆମେ ନରେନ୍ଦ୍ର ମୋଦିଙ୍କୁ ଆଦୌ ଡରୁ ନାହିଁ। ତାଙ୍କର ଯାହା କରିବାର ଅଛି କରନ୍ତୁ। ଆମର ସେଥିରେ କିଛି ବି ଯାଏ ଆସେ ନାହିଁ। ମୁଁ ମୋର କର୍ତ୍ତବ୍ୟ କରି ଚାଲିଛି। ଗଣତନ୍ତ୍ରର ସୁରକ୍ଷା କରିବା ଓ ଦେଶର ସୌହାର୍ଦ୍ଦ୍ୟ ରକ୍ଷା କରିବା ମୋର ପ୍ରଥମ କର୍ତ୍ତବ୍ୟ।”

ମୋଦି-ମମତା ଭେଟଘାଟ ପୂର୍ବରୁ ବିଜେପି-ଟିଏମସି ମୁହାଁମୁହିଁ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅନେକ ପ୍ରସଙ୍ଗରେ ମମତାଙ୍କ ଦଳ ଟିଏମସି ଓ ବିଜେପି ମୁହାଁମୁହିଁ ହେଉଥିବା ବେଳେ ଏଭଳି ଭେଟଘାଟ ବେଶ ଗୁରୁତ୍ୱପୂର୍ଣ୍ଣ। ମୋଦିଙ୍କୁ ଭେଟିବା ପାଇଁ ଆଜି ମମତା ଦିଲ୍ଲୀରେ ଲ୍ୟାଣ୍ଡ କରିଛନ୍ତି। ହେଲେ ଭେଟଘାଟ ପୂର୍ବରୁ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି। ବିଜେପି ନେତା ଦିଲୀପ ଘୋଷ କହିଛନ୍ତି, “ମମତା ବାନାର୍ଜୀ ଏପରି ମିଟିଂ ଦ୍ୱାରା କେନ୍ଦ୍ର ସହ ସବୁ କିଛି ବୁଝାମଣା ହୋଇ ଯାଇଥିବାର ଗୋଟିଏ ସଙ୍କେତ ଦେବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାର ମମତାଙ୍କ ଷଡ଼ଯନ୍ତ୍ର ବୁଝିବା ଦରକାର। ଏଥିସହ ତାଙ୍କ ଟ୍ରାପ ପ୍ରତି ସତର୍କ ରହିବା ଉଚିତ।” ତେବେ ବିଜେପିର ଏହି ଦାବିକୁ ମୂଲ୍ୟହୀନ ବୋଲି କହିଛି ଟିଏମସି। ଦଳର ରାଜ୍ୟସଭା ସାଂସଦ ସୁଖେନ୍ଦୁ ରୟ କହିଛନ୍ତି, “ଆମ ପ୍ରତିପକ୍ଷ ଏପରି ଭିତ୍ତିହୀନ ଅଭିଯୋଗ ସର୍ବଦା ଆଣିଥାଆନ୍ତି। ଏହା କିଛି ନୂଆ କଥା ନୁହେଁ।” ଆଜି ଦିଦି ଦିଲ୍ଲୀରେ ପହଞ୍ଚିବା ପରେ ଦଳର ସାଂସଦମାନଙ୍କୁ ଭେଟିଛନ୍ତି। ସୁଖେନ୍ଦୁଙ୍କ ଘରେ ହିଁ ଏହି ଭେଟଘାଟ ହୋଇଛି। ଅଗଷ୍ଟ ୭ରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବାକୁ ଆଜି ଠାରୁ ମମତା ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ନୀତି ଆୟୋଗ ବୈଠକରେ ଯୋଗଦେବା ସହ ବିରୋଧୀ ଦଳର କିଛି ବରିଷ୍ଠ ନେତାଙ୍କୁ ଭେଟିବେ। ସେହିପରି ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ଅକ୍ଟୋବରରୁ ଦେଶରେ ୫ଜି ନେଟୱର୍କ, ଶସ୍ତାରେ ସେବା ପାଇବେ ଲୋକ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆସନ୍ତା ଅକ୍ଟୋବରରୁ ଦେଶରେ ଆରମ୍ଭ ହେବ ୫ଜି ମୋବାଇଲ ସେବା। ସେହିପରି ବିଶ୍ୱ ତୁଳନାରେ ଭାରତର ଲୋକଙ୍କୁ ଶସ୍ତା ଦାମରେ ସେବା ଯୋଗାଇ ଦିଆଯିବ ବୋଲି ଆଜି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଟେଲିକମ କ୍ଷେତ୍ରକୁ ଆବଶ୍ୟକ ସାରଞ୍ଜମ ସାରା ଦେଶରେ ଲଗାଇବା ପାଇଁ ପୂର୍ବରୁ କହିଥିଲୁ। ସେହିପରି ୫ଜି ସ୍ପେକ୍ଟ୍ରମର ନିଲାମୀ ମଧ୍ୟ ଶେଷ ହୋଇଛି। ଆଜି ଆମ କମିଟି ବୈଠକ କରି ସ୍ପେକ୍ଟ୍ରମ ଆବଣ୍ଟନ ବଣ୍ଟନକୁ ଅନୁମତି ଦେବା ପ୍ରକ୍ରିୟା ଆରମ୍ଭ କରିଛି। ସମ୍ଭବତଃ ଅଗଷ୍ଟ ୧୦ ସୁଦ୍ଧା ସ୍ପେକ୍ଟ୍ରମ ଆବଣ୍ଟନ ହୋଇଯିବ। ଏହାପରେ ଅକ୍ଟୋବର ମାସରୁ ଆମେ ୫ଜି ସେବା ବିଧିବଦ୍ଧ ଭାବେ ଆରମ୍ଭ କରିପାରିବୁ। ବର୍ତ୍ତମାନ ଭାରତୀୟ ଟେଲିକମ ସେବା ଅତ୍ୟନ୍ତ ଶସ୍ତାରେ ସମସ୍ତଙ୍କ ପାଇଁ ଉପଲବ୍ଧ ହେଉଛି। ଆମର ଆଶା ୫ଜିରେ ମଧ୍ୟ ସେହି ଧାରା ଜାରି ରହିବ।”  ୫ଜିର ବିକିରଣ ସମ୍ପର୍କରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆମେରିକା ଓ ୟୁରୋପ ତୁଳନାରେ ଭାରତରେ ଆରମ୍ଭ ହେବାକୁ ଥିବା ୫ଜି ନେଟୱର୍କର ବିକିରଣ ୧୦ ଗୁଣା କମ। ସେ ଆହୁରି କହିଛନ୍ତି, “କମ ବିକିରଣର ଅର୍ଥ ଆମେ ଉତ୍ତମ ଗୁଣବତ୍ତାର ସେବା ଯୋଗାଇ ପାରିବୁ। ଆମେ ଗୋଟିଏ ସୁରକ୍ଷିତ ପରିବେଶ ସୃଷ୍ଟି କରିପାରିବା। ସେବା ଆରମ୍ଭ ହେବା ପରେ ୫ଜି ହ୍ୟାଣ୍ଡସେଟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ। ଆମେ ସର୍ବାଧିକ ମୋବାଇଲ ଉତ୍ପାଦନ କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛୁ। ଭାରତରେ ତିଆରି ହେଉଥିବା ୨୦ରୁ ୩୦% ମୋବାଇଲ ଏବେ ୫ଜି ନେଟୱର୍କକୁ ପରିଚାଳନା କରିପାରିବାର କ୍ଷମତା ରଖିଛି। ୫ଜି ମୋବାଇଲର ଦାମ ପ୍ରତି ବର୍ଷ ହ୍ରାସ ପାଉଛି। ପ୍ରାୟ ବର୍ଷକ ମଧ୍ୟରେ ସବୁ ଫୋନ ୫ଜି ହୋଇଯାଇଥିବ।”

ଭତ୍ତା ବଣ୍ଟନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବ୍ୟାନର ଲଗାଇବାକୁ ନିର୍ଦ୍ଦେଶ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍ ଯୋଜନାରେ ମାସିକ ଭତ୍ତା ବଂଟନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସନ୍ଦେଶ ଥିବା ବ୍ୟାନର ନିଶ୍ଚତ ଲଗାଇବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କର ଶର୍ମା ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖି ୭୫ତମ ସ୍ୱାଧିନତା ଦିବସ ସମାରୋହ ଓ ଆଜାଦି କା ଅମୃତ ମହୋତ୍ସବ ସମଗ୍ର ଦେଶ ପାଳନ କରୁଥିବାରୁ ଚଳିତମାସ ଐତିହାସିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତା ଦିବସ ସହ ଜନସେବା ଦିବସ ଥିବାରୁ ସମାଜର ଅଭାବୀ(ଆବଶ୍ୟକତା) ବର୍ଗଙ୍କୁ ସାମାଜିକ ସୁରକ୍ଷା ପେନସନ୍ ଯୋଗାଇବାର ଏକ ସୁନ୍ଦର ସୁଯୋଗ ମିଳିଛି । ତେଣୁ ଏହି ଦିନ ସମସ୍ତ ପଂଚାୟତ, ଗାଁ, ୱାର୍ଡ ଅଫିସରେ ଯେଭଳି ନିଶ୍ଚତ ଭାବେ ମଧୁବାବୁ ପେନସନ୍ ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମର ଭତ୍ତା ବଣ୍ଟନ କରିବାକୁ କୁହାଯାଇଛି । ଏପରିକି ବୃଦ୍ଧ ଓ ଅସୁସ୍ଥ ହିତାଧିକାରୀଙ୍କୁ ସେମାନଙ୍କ ଘରେ ଏହି ଭତ୍ତା ଦେବାକୁ ପରାମର୍ଶ ଦିଆଯାଇଛି । ଏହି ଭତ୍ତା ଯେଭଳି ଉକ୍ତ ଦିନ ସମସ୍ତଙ୍କୁ ମିଳିବ ତାହା ସୁନିଶ୍ଚିତ କରିବାକୁ କୁହାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସନ୍ଦେଶ ଥିବା ବ୍ୟାନରକୁ ଭତ୍ତା ବଂଟନ ସ୍ଥଳୀରେ ଲଗାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବ୍ୟାନରରେ ଆଜାଦି କା ଅମୃତ ମହୋତ୍ସବର ଲୋଗୋ ମଧ୍ୟ ରଖିବାକୁ କୁହାଯାଇଛି । ଯେଉଁମାନେ ନୂଆ କରି ହିତାଧିକାରୀ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଏହି ଦିନ ଭତ୍ତା ଦେବାକୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭତ୍ତା ବଂଟାର ଭଲ ଫଟୋ ବିଭାଗର ସୋସିଆଲ ମିଡିଆରେ ଅପଲୋଡ୍ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଏବେ ରାଜ୍ୟରେ ପ୍ରାୟ ୪୯ଲକ୍ଷ ହିତାଧିକାରୀ ଉଭୟ ଯୋଜନାରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମର ମାସିକ ଭତ୍ତା ପାଉଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୨୮.୩୮ଲକ୍ଷ ହେବ ଓ ସେମାନଙ୍କ ମଧ୍ୟରୁ ମାତ୍ର ୩.୭୮ଲକ୍ଷ ହିତାଧିକାରୀ ଅନଲାଇନରେ ନିଜର ଭତ୍ତା ପାଉଥିବାବେଳେ ଅନ୍ୟମାନେ ନଗଦ ଆକାରରେ ଏହି ଭତ୍ତା ନେଉଥିବା ଜଣାପଡ଼ିଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି ରାଜ୍ୟ ସରକାର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେବାକୁ ଗତବର୍ଷ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନାହାନ୍ତି। ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେଇନଥିବାରୁ ସାଧାରଣ ପିଲାଙ୍କ ସହିତ ବସି ଦିବ୍ୟାଙ୍ଗମାନେ ପାଠ ପଢ଼ୁଛନ୍ତି। ସେପଟେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାଇବା ପାଇଁ ତାଲିମ ନେଇ ବସିଥିବା ୪ ହଜାରରୁ ଅଧିକ ଆଶାୟୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଲେଣି। ରାଜ୍ୟରେ ୬୪ ହଜାର ସ୍କୁଲ୍‌ରେ ପ୍ରାୟ ୮୨ ହଜାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ହେଲେ ସେମାନଙ୍କ ପାଇଁ ଆବଶ୍ୟକ ସଂଖ୍ୟାକ ସ୍ପେଶାଲ ଏଜୁକେଟର ନିଯୁକ୍ତି ପାଇନାହାନ୍ତି। ସାଧାରଣ ପିଲାଙ୍କ ସହିତ ଗୋଟିଏ କ୍ଲାସ୍‌ରେ ବସି ପାଠ ପଢ଼ୁଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ଯାହାଫଳରେ ସେମାନଙ୍କ ପାଠପଡ଼ା ପ୍ରଭାବିତ ହେଉଛି। ଏଥିସହ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ଯାହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଗତବର୍ଷ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ। ୬ ମାସ ଭିତରେ ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ବିହାର, ଗୁଜୁରାଟ, ଦିଲ୍ଲୀ, ରାଜସ୍ଥାନ, ଝାଡଖଣ୍ଡ ଓ ତ୍ରିପୁରା ଭଳି ରାଜ୍ୟ ସରକାର ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେଇଥିଲେ। ହେଲେ ଓଡ଼ିଶା ସମେତ ଆଉ କିଛି ରାଜ୍ୟ କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିନାହାନ୍ତି। ସ୍ପେଶାଲ ଏଜୁକେଟର ନିଯୁକ୍ତି ନେଇ ସବୁ ରାଜ୍ୟ କି ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ଜଣାଇବା ପାଇଁ କହିଥିଲେ ସର୍ବୋଚ୍ଚ କୋର୍ଟ। ଯାହାର ପରବର୍ତ୍ତି ଶୁଣାଣି ଆସନ୍ତା ୧୭ ତାରିଖରେ ହେବ।ଅନ୍ୟପକ୍ଷରେ ଚାକିରି ମିଳୁନଥିବାରୁ ବେକାର ହୋଇ ବସିଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ସ୍ୱତନ୍ତ୍ର ତାଲିମ ନେଇଥିବା ପ୍ରାୟ ୪ ହଜାର ଆଶାୟୀ। ହତାଶ ହୋଇ ଶେଷରେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ଲାଗି ସଜବାଜ ଆରମ୍ଭ କରିଛନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାର କରାଯାଉଛି। ନିୟମ କହୁଛି, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ୧୦ ପିଲାରେ ଜଣେ ସ୍ୱତନ୍ତ୍ର ଶିକ୍ଷକ ରହିବେ। ଟିଚିଂ, ଲର୍ଣ୍ଣିଂ ପାଇଁ ଆବଶ୍ୟକ ହେଉଥିବା ମାଟେରିଆଲ୍‌ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଗାଇବ। ଘରୋଇ ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନଥିଲେ, ସରକାରୀ ସ୍ୱୀକୃତି ମିଳିବ ନାହିଁ। ଏତେସବୁ ନିୟମସତ୍ତ୍ୱେ ମଧ୍ୟ ଦିବ୍ୟାଙ୍ଗ ପିଲାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି।

ଉପଜିଲ୍ଲାପାଳଙ୍କୁ ପୋକରା ଛତୁଆ ପ୍ୟାକେଟ୍‌ ଉପହାର ଦେଲେ ଗାଁ ଲୋକେ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ଦୀର୍ଘ ଦିନ ଧରି ଗାଁର ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ଦିଆଯାଉଥିଲା ପୋକରା ଛତୁଆ। ଏନେଇ ଅଭିଯୋଗ କଲେ କେହି ଶୁଣୁନଥିଲେ। ସବୁଆଡୁ ନିରାଶ ହେବା ପରେ ଆଜି ଗାଁ ଲୋକେ ଉପଜିଲ୍ଲାପାଳଙ୍କୁ ଭେଟି ଦୁଇଟି ପୋକରା ଛୁତୁଆ ପ୍ୟାକେଟ୍‌ ଉପହାର ଦେଇଛନ୍ତି। ଆଉ ପୋକଡ଼ା ଛତୁଆ ବଣ୍ଟନ କରୁଥିବା ସ୍ୱୟଂସହାୟଗ ଗୋଷ୍ଠୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଜଗଦଳପୁର ପଞ୍ଚାୟତରେ ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ବଣ୍ଟା ଯାଉଥିବା ଛତୁଆରେ ପୋକ ସାଲୁବାଲୁ। ଦୀର୍ଘ ୫ରୁ ୭ ବର୍ଷ ହେଲା ଏପରି ଛତୁଆ ବଣ୍ଟା ଯାଉଛି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ସବୁଆଡୁ ନିରାଶ ହେବା ପରେ ଜଗଦଳପୁର ଗ୍ରାମପଞ୍ଚାୟତ ବାସୀ ଆଜି ଏନେଇ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ମାତ୍ର ଉପଜିଲ୍ଲାପାଳ ନଥିବାରୁ ଡେପୁଟି କଲେକ୍ଟରଙ୍କୁ ଦୁଇ ପ୍ୟାକେଟ୍‌ ପୋକରା ଛତୁଆ ଗାଁ ଲୋକେ ପ୍ରଦାନ କରିଛନ୍ତି। ଛତୁଆରେ ଯଦି ପୋକ ବାହାରେ, ତାହାହେଲେ ଛତୁଆ ପ୍ରସ୍ତୁତକାରୀ ସ୍ୱୟଂସହାୟକ ଗୋଷ୍ଠୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗାଁ ଲୋକଙ୍କ କହିବା ଅନୁସାରେ ଅଧିକାରୀମାନେ ଅଚାନକ ଯାଇ ଯାଞ୍ଚ କଲେ ସତ୍ୟତା ଜଣାପଡ଼ନ୍ତା। କିନ୍ତୁ ତାହା ନକରି ଆଗରୁ ଭିତିରିଆ ସୂଚନା ଦେଇ ଯାଉଥିବାରୁ ସେମାନେ ଭଲ ଛତୁଆ ପ୍ୟାକିଂ କରି ଦେଖାଉଛନ୍ତି। ଆଉ ଯାଞ୍ଚ ସରିବା ପରେ ପୂର୍ବ ଭଳି ପୋକଡ଼ା ଛତୁଆ ଦିଆଯାଉଥିବା ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ପ୍ରଶାସନ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି। ଗାଁର ସୀମାଞ୍ଚଳ ଡ଼ାକୁଆ କହିଛନ୍ତି, ଆମ ଗାଁରେ ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ପୋକରା ଛତୁଆ ଦିଆଯାଉଛି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଛତୁଆରୁ ପୋକ ବାହାରୁଥିବାରୁ କେହି ଖାଉନାହାନ୍ତି। ତେଣୁ ଛତୁଆକୁ ଚଲାଇ ଗାଈକୁ ଖାଇବାକୁ ଦେଉଛୁ। ଏ ସମ୍ପର୍କରେ ଅଙ୍ଗନବାଡି ଦିଦିଙ୍କୁ ପଚାରିଲେ, ସେ କହୁଛନ୍ତି ଯାହା ଆସୁଛି ଆମେ ତାହା ଦେଉଛୁ। ନେଲେ ନିଅନ୍ତୁ, ନହେଲେ ଫିଙ୍ଗିଦିଅ ବୋଲି ଅଙ୍ଗନବାଡ଼ି ଦିଦି କହୁଛନ୍ତି। ସେଥିପାଇଁ ଆଜି ଉପଜିଲ୍ଲାପାଳଙ୍କୁ ସେହି ପୋକଡ଼ା ଛତୁଆ ପ୍ରଦାନ କରିଛୁ ବୋଲି ଡାକୁଆ କହିଛନ୍ତି। ସୂଚନାରୁ ପ୍ରକାଶ, ଛତୁଆ ତିଆରି କେମିତି ହେଉଛି, ତାହାର ଗୋଟିଏ ଭିଡିଓ ଭାଇରାଲ୍‌ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା, ଖାଲି ଗୋଡ଼ରେ ଛତୁଆ ତିଆରି ସାମଗ୍ରୀକୁ ମିଶା ଯାଉଛି। ପରବର୍ତ୍ତୀ ସମୟରେ ସେହି ଛତୁଆକୁ ପ୍ୟାକେଟ୍‌ କରି ଗର୍ଭବତୀ, ପ୍ରସୂତି ଓ ଛୋଟ ପିଲାଙ୍କୁ ଯୋଗାଇ ଦିଆଯାଉଛି। ସେହି ଭିଡିଓ ପ୍ରସ୍ତୁତ କରି ଭାଇରାଲ୍‌ କରିଥିବା ବ୍ୟକ୍ତିଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଗାଁ ଲୋକେ ଭୟରେ ଛତୁଆ ପ୍ରସ୍ତୁତକାରୀଙ୍କ ବିଷୟରେ କିଛି କହୁନାହାନ୍ତି।

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଅପାରଗତାକୁ କେନ୍ଦ୍ରରେ ଉଠାଇବ ବିଜେପି

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛି ବିଜେପି। ମୁଖ୍ୟତଃ ଜଙ୍ଗଲ, ପୂର୍ତ୍ତ, ଜଳସଂପଦ ଓ ଖଣି ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ରାଜ୍ୟବାସୀଙ୍କୁ ହଜାର ହଜାର କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏହି ଦୁର୍ନୀତି ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର। ଏକ ସାମ୍ବାଦିକ ସମ୍ମିଳନୀରେ ଭୃଗୁ ବକ୍ସିପାତ୍ର କହିଛନ୍ତି, ରାଜ୍ୟ ସରକାରଙ୍କ ୪୯ଟି ବିଭାଗରୁ ସିଏଜି ଜଙ୍ଗଲ, ପୂର୍ତ୍ତ ଓ ଜଳସଂପଦ ବିଭାଗର ରିପୋର୍ଟ ତଲବ କରିଛନ୍ତି। ଏହି ୩ଟି ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଛି। ୩ ହଜାରରୁ ଅଧିକ ରିପୋର୍ଟ ସେଟେଲମେଣ୍ଟ ପାଇଁ ପଡ଼ି ରହିଛି। ୧୯୮୪ ମସିହାରୁ ପଡ଼ି ରହିଥିବା ସେଟେଲମେଣ୍ଟ ଅଡିଟ୍ ନ କରି ଅଧିକ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୧ ହଜାର ୬୧୦ କୋଟି ଟଙ୍କା ଅନିୟମିତତା ହୋଇଛି। କାମ୍ପା ଫଣ୍ଡରେ ଓଡ଼ିଶାକୁ ସମଗ୍ର ଦେଶରେ ଅଧିକ ଅନୁଦାନ ମିଳିଥିଲା। ଏହାକୁ ଅନ୍ୟତ୍ର ବିନିଯୋଗ କରିବାର ନିୟମ ନ ଥିବା ବେଳେ ରାଜ୍ୟ ସରକାର କିନ୍ତୁ ନିୟମ ଉଲ୍ଲଂଘନ କରି ୨୨୫ କୋଟି ଟଙ୍କାର କାମ୍ପା ଫଣ୍ଡକୁ ଡାଇଭର୍ଟ କରି ଦେଇଛନ୍ତି। ଯେଉଁ ଅଧିକାରୀମାନେ ଏଥିରେ ସଂପୃକ୍ତ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବକ୍ସି ଭୃଗୁପାତ୍ର। ୧୦ଟି ବିଭାଗର ୩୬ ହଜାର ୧୯୪ କୋଟି ଟଙ୍କାର ୟୁସି କେନ୍ଦ୍ର ସରକାରଙ୍କୁ ଏଯାଏ ଦିଆଯାଇନି। ୨୦୧୯-୨୦ ବର୍ଷରେ କେବଳ ୧୬ ହଜାର ୩୦୧ କୋଟିର ୟୁସି ବାକି ରହିଛି। ଫଳରେ ବଳକା ଅର୍ଥ ପୁନର୍ବାର କେନ୍ଦ୍ର ସରକାର ଦେଇପାରୁ ନାହାନ୍ତି। କେନ୍ଦ୍ର ସରକାର ପାତରଅନ୍ତର ନୀତି ପୋଷଣ କରୁଥିବା ରାଜ୍ୟ ସରକାର ଅଭିଯୋଗ କରୁଥିବା ବେଳେ ନିଜ ଦୋଷକୁ ଲୁଚାଇ ରଖୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ବିନା ଯୋଜନା ତଥା ରୋଡ ମ୍ୟାପ ବିନା କାମ କରୁଛି ଜଙ୍ଗଲ ବିଭାଗ। ଗଛ ଲଗା ସରିବା ସତ୍ତ୍ୱେ ଡିଏଫଓଙ୍କୁ ଖବର ମିଳୁନି। ରକ୍ଷଣାବେକ୍ଷଣ ପାଇଁ ଅର୍ଥ ନାହିଁ। ପବ୍ଲିକ ସେକ୍ଟର ଉପରେ ୧୩,୧୮୨ କୋଟି ବକେୟା ଅଛି। ବକ୍ସାଇଟ ଖନନରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ମୂଲ୍ୟ ନିର୍ଦ୍ଧାରଣ ହୋଇପାରି ନାହିଁ। ଫଳରେ ରାଜ୍ୟ ସରକାରଙ୍କର ପାଖାପାଖି ୬୦ କୋଟି କେବଳ ରାୟଗଡ଼ା ଜିଲ୍ଲାରେ କ୍ଷତି ହୋଇଛି। ମାଇନିଂ କର୍ପୋରେସନାର ନେତୃତ୍ୱରେ, ଠିକାଦାରଙ୍କ ସହଯୋଗରେ, ଅଧିକାରୀଙ୍କ ତତ୍ତ୍ୱାବଧାନରେ ବାହାର ରାଜ୍ୟର ବଡ଼ ବଡ଼ କମ୍ପାନୀ ଆସି କୋରାପୁଟ, ରାୟଗଡ଼ାରୁ ବକ୍ସାଇଟ ଖନନ କରି ନେଉଛନ୍ତି। ଏହାଦ୍ୱାରା କୋଟି କୋଟି ଟଙ୍କାର କ୍ଷତି ହେଉଛି। ରାଜ୍ୟ ସରକାର ଓ ମାଇନିଂ କର୍ପୋରେସନ ଦର କମ୍‌ କରି ଠିକାଦାରଙ୍କୁ ଖଣି ଲିଜ୍‌ରେ ଦେଇଦେଉଛନ୍ତି। ରାଜ୍ୟ ସରକାର ଲୁଟ୍‌ କରିବାକୁ କୌଣସି ସୁଯୋଗ ଛାଡ଼ୁ ନାହାନ୍ତି। ନୟାଗଡ଼ ଜିଲ୍ଲାରେ ବକ୍ସାଇଟ୍ ଦର ଧାର୍ଯ୍ୟ କରାଯାଇ ନଥିବାରୁ ୧୬ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ବକ୍ସି ଭୃଗୁପାତ୍ର। ଏହି ସବୁ ଦୁର୍ନୀତିରେ ଯେଉଁ ଅଧିକାରୀମାନେ ସାମିଲ ହୋଇଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ସହ ଅର୍ଥ ଫେରସ୍ତ କରାଯାଉ ବୋଲି ବିଜେପି ଦାବି କରିଛି।

ବାବୁଲ ସୁପ୍ରିଓଙ୍କୁ କ୍ୟାବିନେଟ ମନ୍ତ୍ରୀ କଲେ ମମତା ବାନାର୍ଜୀ ।

ଏଥର ସମ୍ଭାଳ ବ୍ୟୁରୋ (କୋଲକାତା) – ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାକୁ ନେଇ ଚାପରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ କ୍ୟାବିନେଟକୁ ସଂପ୍ରସାରଣ କରିଛନ୍ତି। ମମତାଙ୍କ ମନ୍ତ୍ରିମଣ୍ଡଳରେ ୫ ଜଣ ନୂଆ ଚେହେରାଙ୍କୁ କ୍ୟାବିନେଟ ପଦ ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ବାବୁଲ ସୁପ୍ରିଓ। ବିଜେପିର ପୂର୍ବତନ ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କୁ ମମତା କ୍ୟାବିନେଟରେ ସାମିଲ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତବର୍ଷ ବାବୁଲ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ। ଏହାପରେ ସେ ଟୋଲିଗଞ୍ଜ ଉପ ନିର୍ବାଚନରେ ବାଜିମାତ କରି ବିଧାନସଭାକୁ ଯାଇଥିଲେ। ଏବେ ମମତା ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିଛନ୍ତି। କିଛି ଦିନ ପୂର୍ବରୁ ମମତା ତାଙ୍କର ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ। ତାଙ୍କୁ ମନିଲଣ୍ଡରିଂ ମାମଲାରେ ଇଡି ଗିରଫ କରିଛି। ଏହି ଘଟଣା ପରେ ହିଁ ଆଜି ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ବାବୁଲଙ୍କ ବ୍ୟତୀତ ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ, ଉଦୟନ ଗୁହା ଓ ପ୍ରଦୀପ ମଜୁମଦାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହ୍ନାଶିଷ ଦଳର ମୁଖପାତ୍ର ରହିଥିବା ବେଳେ ହୁଗୁଳି ଜିଲ୍ଲାର ଟିଏମସି ମୁଖ୍ୟ ଭାବେ କାମ କରୁଥିଲେ। ପାର୍ଥ ଭୌମିକି ୩ଥର ର ବିଧାୟକ। ଉଦୟନ ଗୁହା ୨୦୧୬ ଟିଏମସିରଆ ଯୋଗ ଦେଇଥିଲେ। ଏମାନଙ୍କ ବାଦ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ୟରେ ବିରବାହ ହାଁସଦା, ବିପ୍ଳବ ରୟ ଚୌଧୁରୀ, ତଜମୁଲ ହୁସେନ ଓ ସତ୍ୟଜିତ ବର୍ମା। ହାଁସଦା ଜଣେ ଆଦିବାସୀ ନେତା। ସେହିପରି ବିପ୍ଳବ ଚୌଧୁରୀ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱରେ ରହିବେ।

ଦରବୃଦ୍ଧି : ୫ରେ କଂଗ୍ରେସର ରାଜଭବନ ଘେରାଉ, ବିଜେପି କହିଲା ନାଟକବାଜି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଖାଦ୍ୟସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି, ବେକାରୀ ସମସ୍ୟା, ମନଇଛା ଜିଏସଟି ଓ ଅଗ୍ନିପଥ ଯୋଜନା ଲାଗୁ ପ୍ରତିବାଦରେ ଆସନ୍ତା ୫ ତାରିଖ ଶୁକ୍ରବାର ରାଜଭବନ ଘେରାଉ କରାଯିବ ବୋଲି କଂଗ୍ରେସ ଘୋଷଣା କରିଛି । କଂଗ୍ରେସର ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ବିଜେପି ସମାଲୋଚନା କରିବା ସହ ଆନ୍ଦୋଳନ ନାଁରେ କଂଗ୍ରେସ ନାଟକବାଜି କରୁଛି ବୋଲି କହିଛି । ପିସିସି ସଭାପତି ଶରତ ପଟ୍ଟନାୟକ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୫ ତାରିଖରେ ‘ରାଜଭବନ ଘେରାଉ’ କରାଯିବ । ୨୦୧୪ ମସିହାରେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ ‘ଅଛେଦିନ’ର ସ୍ୱପ୍ନ ଦେଖାଇଥିଲେ । କିନ୍ତୁ ଏହି ୮ବର୍ଷ ଭିତରେ ‘ଅଛେଦିନ’ପରିବର୍ତ୍ତେ ଭାରତର ଜନସାଧାରଣର ଦୁଃର୍ବିସହ ଜୀବନ ବିତାଉଛନ୍ତି । ୨୦୧୪ ମସିହାରେ ୧୫.୨ କେଜି ଘରୋଇ ରନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୦୮୦ ଟଙ୍କା ପାର ହୋଇ ସାରିଲାଣି । ପେଟ୍ରୋଲ, ଡିଜେଲର ଦାମ ୧୦୦ ଟଙ୍କାକୁ ଅତିକ୍ରମ କରିସାରିଛି । ଲୋକଙ୍କୁ ପେଟକୁ ଲାତମାରି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ୨୫ ଲକ୍ଷ ୫୦ ହଜାର କୋଟିରୁ ଅଧିକ ରାଜସ୍ୱ ଆୟ କରିସାରିଛନ୍ତି । ସେହିଭଳି ଭାବରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ୍ ଲଗାଇ ହଜାର ହଜାର କୋଟି ଟଙ୍କା ରାଜସ୍ୱ ଆୟ କରୁଛନ୍ତି । ଶେଷରେ ଲୋକଙ୍କର ସର୍ବନିମ୍ନ ଆବଶ୍ୟକତା ଚୂଡ଼ା, ମୁଢ଼ି, ଗୁଡ଼, ଚାଉଳ, ଚୂନା, ପନିର, ଅଟା, ପେନସିଲ କଟର,ଖାତା ଇତ୍ୟାଦି ଉପରେ ମଧ୍ୟ ୫% ଜିଏସଟି ଲଗାଇବାକୁ ପଛାଇଲେ ନାହିଁ । ଓଡ଼ିଶାର ଅର୍ଥମନ୍ତ୍ରୀ ଏ ବାବଦରେ ଥରୁଟିଏ ପ୍ରତିବାଦ କଲେ ନାହିଁ । ଯଦିଓ ଓଡ଼ିଶାର ସାଧାରଣ ଲୋକଙ୍କର ମୂଢ଼ି, ଚୁଡ଼ା ନିତିଦିନିଆ ଖାଦ୍ୟ । ନବୀନ ପଟ୍ଟନାୟକ ସରକାର ଖୋଲାଖୋଲି ଭାବେ କେନ୍ଦ୍ର ସରକାରଙ୍କୁ ଏଥିରେ ମଧ୍ୟ ଜିଏସଟି ଲାଗୁ କରିବାପାଇଁ ସହଯୋଗ କଲେ । ମୋଦି ସରକାର ପ୍ରତିବର୍ଷ ୨କୋଟି ଚାକିରି ଦେବାରେ ପ୍ରତିଶ୍ରୁତି ଦେଇଥିଲା ୮ ବର୍ଷରେ ୧୬ କୋଟି ଚାକିରି ଦେବା ପରିବର୍ତେ ଆଜି ପାଂଖାପାଖି ୧୩ କୋଟିରୁ ଅଧିକ ଲୋକ ନିଜର ଚାକିରି ଓ ରୋଜଗାର ହରାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧ କରି ରାଜ୍ୟ କଂଗ୍ରେସ ଆସନ୍ତା ୫ତାରିଖରେ ରାଜଭବନ ଘେରାଉ କରିବ । ସେହିଭଳି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଫିସ ବା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରାଯିବ । ସେହିପରି ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଡ଼ା ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ କ’ଣ ଆନ୍ଦୋଳନ କରିବ, ତାହା ଦେଶବାସୀ ଜାଣିସାରିଛନ୍ତି । କ୍ଷମତାରେ ଥିବାବେଳେ କଂଗ୍ରେସ ନେତାମାନେ ଦୁର୍ନୀତିରେ ବୁଡ଼ି ରହିଥିଲେ । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଏବେ ଇଡି ଜେରା କରୁଛି । ସେହି ପ୍ରସଙ୍ଗ ଲୋକଙ୍କ ମନରୁ ହଟାଇବାକୁ ଆନ୍ଦୋଳନ ନାଁରେ କଂଗ୍ରେସ ନାଟକବାଜି କରୁଛି ବୋଲି ସେ କହିଛନ୍ତି ।