ଭାରତ ପାଇଁ ଟିଟିରେ ସ୍ୱର୍ଣ୍ଣ ଜିତିଲେ ଶରତ-ଶ୍ରୀଜା ଯୋଡ଼ି…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଭାରତୀୟ ଟେବୁଲ ଟେନିସର କିମ୍ବଦନ୍ତୀ ଖେଳାଳି ଶରତ କମଲ ଓ ଯୁବ ତାରକା ତଥା ଡେବ୍ୟୁଟାଣ୍ଟ ଶ୍ରୀଜା ଅକୁଳା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶରତ କମଲ ଓ ଶ୍ରୀଜା ଯୋଡ଼ି ମିକ୍ସଡ ଡବଲ୍ସ ଇଭେଣ୍ଟରେ ଦେଶ ପାଇଁ ଏହି ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚ୍‌ରେ ଏମାନଙ୍କ ମୁକାବିଲା ମାଲେସିୟାର ଜେଭେନ ଚୋଙ୍ଗ ଓ କାରେନ ଲୟନେଙ୍କ ସହ ହୋଇଥିଲା। ମ୍ୟାଚ୍‌ର ଦ୍ୱିତୀୟ ସେଟକୁ ଛାଡ଼ି ଦେଲେ ଶରତ ଓ ଶ୍ରୀଜାଙ୍କ ଯୋଡ଼ି କମାଲ କରିଥିଲେ। ଏହି ଯୋଡ଼ି ଗୋଲ୍ଡ ମ୍ୟାଚ୍‌କୁ ୧୧-୪, ୯-୧୧, ୧୧-୫ ଓ ୧୧-୬ରେ ଜିତି ନେଇଛନ୍ତି। ଏହି ବିଜୟ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ଅନ୍ୟମାନେ ଶରତ ଓ ଶ୍ରୀଜା ଯୋଡ଼ିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ଶରତ କମଲ ଆଜି ପୁରୁଷ ଏକକ ଟିଟିର ଫାଇନାଲ ଖେଳିବେ। ସେ ଇଂଲଣ୍ଡର ପଲ ଡ୍ରିଙ୍କହଲଙ୍କୁ ୧୧-୮, ୧୧-୮, ୮-୧୧, ୧୧-୭, ୯-୧୧ ଓ ୧୧-୮ରେ ହରାଇ ସ୍ୱର୍ଣ୍ଣ ପଦକ ଲଢ଼େଇରେ ପ୍ରବେଶ କରିଛନ୍ତି। ୨୦୦୬ରେ ଶରତ କମଲ ଶେଷଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିଲେ। ଏବେ ତାଙ୍କ ପାଖରେ ଆଉ ଥରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି। ଏହାପୂର୍ବରୁ ପୁରୁଷ ଡବଲ୍ସ ଫାଇନାଲରେ ଶରତ ଓ ସାଥିୟାନ ଗଣଶେଖରନଙ୍କ ଯୋଡ଼ି ଇଂଲଣ୍ଡଠାରୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ୨୦୧୮ରେ ମଧ୍ୟ ଏହି ଯୋଡ଼ି ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।

ପୁଣି ସୁସ୍ମିତାଙ୍କ ଉପରେ ଫିଦା ହେଲେ ଲଳିତ ମୋଦି…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ପୁଣି ଚର୍ଚ୍ଚାରେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ ଓ ବିବଦୀୟ ବ୍ୟବସାୟୀ ଲୋଳିତ ମୋଦିଙ୍କ ପ୍ରେମ ସମ୍ପର୍କ। ସୁସ୍ମିତା ସେନ୍‌ଙ୍କ ଉପରେ ପୁଣି ଫିଦା ହୋଇଛନ୍ତି ଲଳିତ। ସେ ସୁସ୍ମିତାଙ୍କ ଏକ ଭିଡିଓ ଦେଖି ହୋଇଯାଇଛନ୍ତି ମତୁଆଲା। ଆଉ ନିଜକୁ ଅଟକାଇ ପାରିନାହାନ୍ତି।  ସୋଶାଲ ମିଡିଆରେ ସୁସ୍ମିତାଙ୍କ ପ୍ରତି ନିଜ ପ୍ରେମ ଜାହିର କରିଛନ୍ତି ଲଳିତ। ପ୍ରକୃତରେ ନିଜ ଇନ୍‌ଷ୍ଟାଗ୍ରାମରେ ସୁସ୍ମିତା ସେନ୍‌ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡଓରେ ସେ ଗଭୀର ସମୁଦ୍ର ଭତରେ ବୁଢ ପକାଉଥିବା ପହଁରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଶେଆର କରି ସେ ଲେଖିଛନ୍ତି, “ଆଲାଇଞ୍ଜ କର, ନିଶ୍ୱାସ ନିଅ … ଆଉ ଛାଡିଦିଅ। ସମର୍ପଣର ଏକ ଶିକ୍ଷା, ଯେପରିକି ମୁଁ ଭୂମଧ୍ୟସାଗରରେ ପହଁରିବାର ଅନୁଭବ କରୁଛି। ଯେଉଁଠାରେ ଜୀବନର ଗଭୀରତା ଅଛି … ମୁଁ ସମ୍ପୂର୍ଣ୍ଣ ଭାବେ ତା’ ଭିତରେ ଅଛି। ମୁ ତୁମମାନଙ୍କୁ ଭଲ ପାଏ” । ସୁସ୍ମିତା ସେନା ଏହି ଭିଡିଓରେ ଏକ କଳା ରଙ୍ଗର ଟପ୍‌ ଓ ଧଳା ରଙ୍ଗର ସ୍ମଟ ପିନ୍ଧିଥିବା ନଜର ଆସିଛନ୍ତି। ଏକ ୟାର୍ଟ ଉପରୁ ସୁସ୍ମିତା ସମୁଦ୍ର ଭିତରକୁ ବୁଡ ପକାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦେଖି ତାଙ୍କ ଫ୍ୟାନ୍‌ ଓ ପଲୋଅର୍ସମାନେ ତାଙ୍କୁ ପ୍ରଶଂସାର ପୋତି ପକାଇଥିବା ବେଳେ ତାଙ୍କ ବୟଫ୍ରେଣ୍ଡ ଲଳିତ ମୋଦି ମଧ୍ୟ ଆଉ ନିଜକୁ ଅଟକାଇ ପାରି ନାହାନ୍ତି। ସେ ସୁସ୍ମିତାଙ୍କ ଭିଡିଓରେ ରୋମାଣ୍ଟିକ୍‌ ହୋଇ କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି, ” ସର୍ଦିନିଆରେ ବେଶ୍‌ ହଟ୍‌ ଲାଗୁଛ”। ଲଲିତ ମୋଦିଙ୍କ ଏହି କମେଣ୍ଟ ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗତମାସ ୧୪ ତାରିଖରେ ଲଳିତ ମୋଦି ସୁସ୍ମିତାଙ୍କୁ ଡେଟ୍‌ କରୁଥିବା ନେଇ ଅଫିସିଆଲ ଭାବେ ଘୋଷଣା କରିଥିଲେ। ଏଥିସହ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସୁସ୍ମିତାଙ୍କ ସହ ଅନେକ ରୋମାଣ୍ଟିକ୍‌ ଫଟୋ ଶେଆର କରି ସୁସ୍ମିତାଙ୍କୁ ତାଙ୍କର ‘ବେଟେର୍‌ ହାଫ୍‌’ ବୋଲି କହିଥିଲେ।

 

ଆସୁଛି ପ୍ରକୃତି ମିଶ୍ରଙ୍କ ଆଗାମୀ ଚଳଚିତ୍ର ‘ଦ୍ରୌପଦୀ’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆସୁଛି ‘ଦ୍ରୌପଦୀ’। ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଥିବା ଓଲିଉଡ୍‌ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅପ୍‌କମିଂ ଫିଲ୍ମ ‘ଦୌପଦୀ’। ଏହି ଫିଲ୍ମଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମାଣ ହେଉଛି। ଯାହାର ପୋଷ୍ଟର ଆଜି ରିଲିଜ୍‌ ହୋଇଛି। ପ୍ରକୃତି ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରିଛନ୍ତି। ‘ଦ୍ରୌପଦୀ’ ପୋଷ୍ଟର ଶେଆର କରି ପ୍ରକୃତି ଲେଖିଛନ୍ତି, କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ହେଇଯାଏ। କେବେ ନାରୀ କେଉଁ ଯୁଦ୍ଧର କାରଣ ସାଜିଛି ତ ପୁଣି କେବେ ଅଗ୍ନି ପରୀକ୍ଷା ଦେବାକୁ ବାଧ୍ୟ ହେଇଛି। ଯୁଗ ବଦଳି ଗଲାଣି କିନ୍ତୁ ବଦଳିନି ସେହି ନାରୀର କାହାଣୀ ବୋଲି ପ୍ରକୃତି ଲେଖିଛନ୍ତି। ପୋଷ୍ଟରକୁ ଦେଖିଲେ ଲାଗୁଛି, ଫିଲ୍ମରେ ଜଣେ ନାରୀର ସଂଘର୍ଷ ଓ ଯନ୍ତ୍ରଣା ଦେଖିବାକୁ ମିଳିପାରେ। କାରଣ ଥୁଣ୍ଟା ଗଛରେ ବସିଛନ୍ତି ପକ୍ଷୀ। ଆଉ ସେହି ଗଛ ମୂଳରେ ଯନ୍ତ୍ରଣାଶିକ୍ତ ଅବସ୍ଥାରେ ଶାଢ଼ୀ ବସିଛନ୍ତି ପ୍ରକୃତି। TARN ପ୍ରଡକ୍ସନ୍ସରେ ତିଆରି ହେବାକୁ ଥିବା ‘ଦ୍ରୌପଦୀ’ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନନ୍ୟା ପଟ୍ଟନାୟକ। ପ୍ରଯୋଜନା କରିଛନ୍ତି ସସ୍ମିତା ତାଇଡି ଓ ଆକାଶଦୀପ ସିଂହ। ତେବେ ଫିଲ୍ମଟି କେବେ ରିଲିଜ୍‌ ହେବ ସେ ବିଷୟରେ ପ୍ରକୃତି କିଛି ଲେଖିନାହାନ୍ତି।

ଗୁଜରାଟରେ ଆଦିବାସୀକାର୍ଡ଼ ଖେଳିଲେ କେଜ୍ରିଓ୍ୱାଲ…!

ଏଥର ସମ୍ଭାଳ ବ୍ୟୁରୋ(ଅହମ୍ମଦାବାଦ)- ଗୁଜରାଟ ବିଧାନସଭା ପୂର୍ବରୁ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ  କେଜ୍ରିଓ୍ୱାଲ ଖେଳିଲେ ଆଦିବାସୀ କାର୍ଡ । ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା  କେଜ୍ରିଓ୍ୱାଲ ଆଜି ଛୋଟା ଉଦୟପୁରର ବୋଦେଲିରେ ଏକ ଜନସଭାକୁ  ସମ୍ବୋଧିତ କରି କହିଛନ୍ତି ଯେ, ରାଜ୍ୟରେ ଆପ୍ ସରକାର  ଶାସନକୁ ଆସିଲେ ଆଦିବାସୀଙ୍କ ବିକାଶ କରାଯିବ । ଆ ଦିବାସୀଙ୍କ ପାଇଁ  ରାଜ୍ୟରେ ପେସା ଆଇନ ଲାଗୁ କରାଯିବ । ଏହାସହ ଟ୍ରାଇବାଲ୍ ଆଡଭାଇଜରି  କମିଟିର ଚେୟାରମ୍ୟାନ ଆଦିବାସୀ ହିଁ ହେବେ ବୋଲି ସେ କହିଛନ୍ତି  । ସେହିପରି ବେକାର ଯୁବକ-ଯୁବତୀଙ୍କୁ ସେ ଚାକିରୀ ଦେବ ବୋଲି ସେ କହିଛନ୍ତି। ଅରବିନ୍ଦ କେଜ୍ରିଓ୍ୱାଲ ଆହୁରି କହିଛନ୍ତି ଯେ, ଦିଲ୍ଲୀ ଓ ପଞ୍ଜାବ ଭଳି  ଗୁଜରାଟରେ ସରକାର ଗଢ଼ିଲେ ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ  ଦିଆଯିବ।  ପଞ୍ଜାବରେ ଯେପରି ଲୋକମାନେ ମାଗଣା ବିଜୁଳି ଜାଳୁଛନ୍ତି,  ଗୁଜରାଟରେ ମଧ୍ୟ ସେହିଭଳି ଲୋକମାନେ ଲାଭାନିତ ହେବେ ବୋଲି ସେ  କହିଛନ୍ତି । ତେବେ ଏହା ତାଙ୍କର ଇସ୍ତାହାର ନୁହଁ ବରଂ ପାଞ୍ଚ ବର୍ଷ ପାଇଁ  ଓ୍ୱାରେଣ୍ଟି ବୋଲି ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି । ତେବେ ମାଗଣାରେ ସୁବିଧା  ଦେଉଛି ବୋଲି ଏମାନେ ଗାଳି ଦେଉଛନ୍ତି ହେଲେ ସେ ଜଣେ ଫକିର ବୋଲି  କେଜ୍ରିଓ୍ୱାଲ କହିଛନ୍ତି।

ବେଆଇନ ଜମି କାରବାର ; ୪୦ ଜଣିଆ ଅଭିଯୁକ୍ତ ତାଲିକାରେ ବିଜେପି ବିଧାୟକ ଓ ମେୟରଙ୍କ ନାଁ …!

ଏଥର ସମ୍ଭାଳ ବ୍ୟୁରୋ(ଅଯୋଧ୍ୟା)- ମନ୍ଦିର ସହର ଅଯୋଧ୍ୟାରେ ଚାଲିଛି ବେଧଡ଼କ ବେଆଇନ ଜମି କାରବାର ମାମଲା। ବେଆଇନ ଜମି କାରବାର ମାମଲାରେ ଅଯୋଧ୍ୟା ଡେଭଲପମେଣ୍ଟ ଅଥୋରିଟି(ଏଡିଏ) ପ୍ରଥମ ପର୍ଯ୍ୟାୟରେ ୪୦ ଜଣିଆ ଅଭିଯୁକ୍ତଙ୍କ ତାଲିକା ଜାରି କରିଛି। ଏମାନେ ବେଆଇନ ଭାବେ ଜମିକୁ ଫ୍ଲଟିଂ କରି କାରବାର କରୁଥିବା ଏଡିଏ କହିଛି। ଏହି ୪୦ ଜଣିଆ ତାଲିକାରେ ବିଜେପି ବିଧାୟକ ବେଦ ପ୍ରକାଶ ଗୁପ୍ତା, ସହରର ମେୟର ଋଷିକେଶ ଉପାଧ୍ୟାୟ ଓ ମିକିପୁରର ପୂର୍ବତନ ବିଜେପି ବିଧାୟକ ଗୋରଖନାଥ ବାବାଙ୍କ ନାଁ ରହିଛି। ଏଡିଏ ପକ୍ଷରୁ ରବିବାର ଏହି ତାଲିକା ଜାରି କରାଯାଇଥିବା ଏହାର ଉପ ସଭାପତି ବିଶାଲ ସିଂହ କହିଛନ୍ତି। ତେବେ ଶ୍ରୀ ଗୁପ୍ତା ଓ ଶ୍ରୀ ଉପାଧ୍ୟାୟ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେହିପରି ଉଭୟ ଏଡିଏର ଅଧିକାରୀମାନଙ୍କ ବିରୋଧରେ ମାନହାନୀ କେସ୍ କରିବେ ବୋଲି ଧମକ ଦେଇଛନ୍ତି।ଏଡିଏର ଉପସଭାପତି ବିଶାଲ ସିଂହ କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ବେଆଇନ ଭାବେ ଜମି ପ୍ଲଟିଂ କରି କଲୋନୀ ତିଆରି କରାଯାଇଥିବା ୪୦ଟି ଠିକଣା ଆମ ପାଖକୁ ଆସିଛି। ତେବେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ। ଆମେ ଅଯୋଧ୍ୟାକୁ ଗୋଟିଏ ସୁରକ୍ଷିତ ଓ ଦୁର୍ନୀତି ମୁକ୍ତ ସହରର ଭାବେ ଗଢ଼ି ତୋଳିବାକୁ ଚେଷ୍ଟା କରୁଛୁ। ଫଳରେ ଅଯୋଧ୍ୟା ଗୋଟିଏ ବିଶ୍ୱସ୍ତରୀୟ ସହରରେ ପରିଣତ ହୋଇପାରିବ। ଏଥିପାଇଁ ବେଆଇନ ଜମି କାରବାରକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ୨୦୧୯ ନଭେମ୍ବର ମାସରେ ଅନୁମତି ଦେବା ପରେ ଏଠାରେ ଜମି ଗୁଡ଼ିକର ଦାମ ଅତ୍ୟନ୍ତ ବଢ଼ି ଯାଇଛି। ଅନେକ ଲୋକ ଅଯୋଧ୍ୟାରେ ଜମି ଓ ଘର କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଗତବର୍ଷ ବେଆଇନ ଭାବେ ଜମି କାରବାର ସମ୍ପର୍କରେ ଅଭିଯୋଗ ଆସିଥିଲା। ଏହି ଡିଲ୍‌ରେ ମନ୍ଦିର ନିର୍ମାଣ ଟ୍ରଷ୍ଟର ଭୂମିକା ଥିବା ମଧ୍ୟ ବିରୋଧୀ ଅଭିଯୋଗ କରିଥିଲେ। ତେବେ ଏହାକୁ ଟ୍ରଷ୍ଟ ପକ୍ଷରୁ ଖଣ୍ଡନ କରାଯାଇଥିଲା। ହେଲେ ଏବେ ଏଡିଏ ବେଆଇନ ଜମି କାରବାରର ତାଲିକା ସାମ୍ନାକୁ ଆଣିଛି। ଅଯୋଧ୍ୟରେ ଜମି ମାଫିଆଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ତଦନ୍ତ ଏସଆଇଟି ଦ୍ୱାରା କରିବାକୁ ଗତମାସରେ ବିଜେପିର ଫରିଦାବାଦ ସାଂସଦ ଲାଲୁ ସିଂହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଚିଠି ଲେଖିଥିଲେ।

ଟେନସେନରେ ବିଜେପି-ଜେଡିୟୁ ମେଣ୍ଟ ସରକାର …!

ଏଥର ସମ୍ଭାଳ ବ୍ୟୁରୋ(ପାଟନା)- ଅଡ଼ୁଆରେ ବିହାରରେ ଗଠନ ହୋଇଥିବା ମେଣ୍ଟ ସରକାର। ବିଜେପି ଓ ଜେଡିୟୁ ଏକାଠି ସରକାର ଗଠନ କରିଥିବା ବେଳେ ଏବେ କିନ୍ତୁ ଏଥିରେ ଫାଟ ସୃଷ୍ଟି ହୋଇଛି। ଦୁଇ ଦଳ ସରକାରରେ ଥିଲେ ମଧ୍ୟ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି କିମ୍ବା କେନ୍ଦ୍ର ନେତୃବୃନ୍ଦ ଡାକୁଥିବା କୌଣସି ବୈଠକରେ ଯୋଗ ଦେଉନାହାନ୍ତି। ଏହାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ସବୁ କିଛି ଠିକ ନଥବା କୁହାଯାଉଛି। ଏହି ଚର୍ଚ୍ଚା ଭିତରେ ନୀତୀଶ କୁମାର ଆସନ୍ତାକାଲି ଜେଡିୟୁର ସମସ୍ତ ବିଧାୟକ ଓ ସାଂସଦଙ୍କ ବୈଠକ ଡାକିଛନ୍ତି। ସମ୍ଭବତଃ ଏହି ବୈଠକରେ ଜେଡିୟୁର ପରବର୍ତ୍ତୀ ରାଜନୀତିକ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁର ଜଣେ ମାତ୍ର ସଦସ୍ୟଙ୍କୁ ମନ୍ତ୍ରୀ କରିବାକୁ ପ୍ରସ୍ତାବ ହିଁ ବିଜେପି ଓ ଜେଡିୟୁ କଳିର ମୁଖ୍ୟ କାରଣ। ନୀତୀଶ କୁମାର ବିଜେପିର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ହେଲେ ଦଳର ଅନ୍ୟତମ ବରିଷ୍ଠ ନେତା ଆରସିପି ସିଂହ ନିଜ ଆଡ଼ୁ ବିଜେପି ପ୍ରସ୍ତାବକୁ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ହେଲେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ପୂରଣ ହୋଇଯିବାରୁ ଜେଡିୟୁ ତାଙ୍କୁ ଆଉ ଥରେ ପ୍ରାର୍ଥୀ କରି ନଥିଲା। ଫଳରେ ସେ କେନ୍ଦ୍ରମନ୍ତ୍ରୀ ଓ ଶନିବାର ଜେଡିୟୁକୁ ଅଲବିଦା କହିଛନ୍ତି। ଆରିସିପି ସିଂହ ଦଳ ଛାଡ଼ିବା ପରେ ନୀତୀଶ କୁମାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ “ମୁଁ କେନ୍ଦ୍ରମନ୍ତ୍ରୀ ହୋଇ ଯାଇଥିବାରୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା। ମୁଁ ଗୋଟିଏ କଥା କହିବାକୁ ଚାହୁଁଛି ଈର୍ଷାର କୌଣସି ଚିକିତ୍ସା ନାହିଁ। ନୀତୀଶ କୁମାର ତାଙ୍କ ସାତ ଜନ୍ମ ପରେ ବି କେବେ ହେଲେ ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ। ଜେଡିୟୁ ଗୋଟିଏ ବୁଡ଼ୁଥିବା ଜାହାଜ।” ଏହାର ଜବାବ ଜେଡିୟୁର ଜାତୀୟ ସଭାପତି ରାଜୀବନ ରଞ୍ଜନ ଦେଇଛନ୍ତି। ସେ ଆରସିପି ସିଂହଙ୍କ ସହ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “କେନ୍ଦ୍ର କ୍ୟାବିନେଟରେ ଯୋଗଦେବାର ଆବଶ୍ୟକତା କ’ଣ ଥିଲା? ୨୦୧୯ରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ ଯେ ଜେଡିୟୁ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବନି। ଜେଡିୟୁ ଆଗାମୀ ଭବିଷ୍ୟତରେ ମଧ୍ୟ କେନ୍ଦ୍ର କ୍ୟାବିନେଟରେ ଯୋଗଦେବନି। ଜେଡିୟୁ ଆଦୌ ବୁଡ଼ି ଯାଉଥିବା ଜାହାଜ ନୁହେଁ। ଏହା ଭାସୁଥିବା ଜାହାଜ। ହଁ କିଛି ଲୋକ ଜେଡିୟୁର ଜାହାଜରେ କଣା କରି ଏହାକୁ ବୁଡ଼ାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ସେମାନେ ଏଥିରେ କେବେ ହେଲେ ସଫଳ ହେବେନି। ସେ( ଆରସିପି) ସିଂହ ଜେଡିୟୁ ଗଠନର ଏବିସିଡି ଜାଣିଛନ୍ତି କି? ଜେଡିୟୁ କେଉଁ ସବୁ ସଂଘର୍ଷ କରିଛି, ତା’ର ଖବର ତାଙ୍କ ପାଖରେ ଅଛି? ସେ ସବୁବେଳେ କ୍ଷମତା ପଛରେ ଦୌଡ଼ିଛନ୍ତି। ସେ ଦଳର ଜାତୀୟ ସଭାପତି ଥିଲେ। ନୀତୀଶ କୁମାର ତାଙ୍କୁ ଜାତୀୟ ସଭାପତି କରିଥିଲେ। ଏହି ଦଳର ମାଲିକ ହେଉଛନ୍ତି ଜଣେ ଓ ସେ ହେଉଛନ୍ତି ନୀତୀଶ କୁମାର। ବର୍ତ୍ତମାନ ସେ ମୋତେ ଜାତୀୟ ସଭାପତି କରିଛନ୍ତି। ମୁଁ ଦଳର କେବଳ ଜଣେ କେୟାର ଟେକର। ମାଲିକ ନୁହେଁ।”

ଭୁବନେଶ୍ୱରରେ ପହଞ୍ଚିଲେ ଗୃହ ମନ୍ତ୍ରୀ;କହିଲେ-ଆତ୍ମୀୟତା ଭରା ସ୍ୱାଗତ ପାଇଁ କୃତଜ୍ଞ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ । ଶାହଙ୍କ ଆଗମନରେ ଭୁବନେଶ୍ୱର ବିମାନବନ୍ଦର ଉତ୍ସବମୁଖର ହୋଇଉଠିଥିଲା। ଦଳୀୟ କାର୍ଯ୍ୟକର୍ତ୍ତା ଓ ହଜାର ହଜାର ଜନସାଧାରଣ ତଥା ପ୍ରଶଂସକ ହାତରେ ତ୍ରିରଙ୍ଗା ଧରିବା ସହ, ପାରମ୍ପରିକ ପୋଷାକ, ଲୋକକଳା, ଗୀତ ନୃତ୍ୟ ସହ ବାଦ୍ୟ ଯନ୍ତ୍ର ବଜାଇ ଅମିତ ଶାହଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ହସ ହସ ମୁହଁରେ ସମସ୍ତଙ୍କ ଅଭିବାଦନ ଗ୍ରହଣ କରିଥିଲେ । ଭୁବନେଶ୍ୱରରେ ପହଞ୍ଚିବା ପରେ ଟୁଇଟ କରି ଶାହ ଲେଖିଛନ୍ତି ଯେ, ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଉତ୍ସାହିତ ଅଛି। ଆତ୍ମୀୟତା ଭରା ସ୍ୱାଗତ ପାଇଁ ମୁଁ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ । ଆଜି ଶ୍ରାବଣ ଶେଷ ସୋମବାର ଥିବାରୁ ସକାଳ ୮ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବେ  ଗୃହ ମନ୍ତ୍ରୀ ଶାହ । ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଶାହ କଟକ ଯାଇ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ପରେ ପରେ ଇଣ୍ଡୋର ଷ୍ଟାଡିୟମ୍‌ରେ ପାଳନ ହେବାକୁ ଥିବା ପ୍ରଜାତନ୍ତ୍ର ଖବର କାଗଜର ୭୫ତମ ବର୍ଷ ପୂରଣ ଉତ୍ସବରେ ଯୋଗଦେବେ  । କଟକରେ ଅମିତ୍ ଶାହଙ୍କର କୌଣସି ରାଜନୈତିକ କାର୍ଯ୍ୟକ୍ରମ ନାହିଁ । ସେଠାରୁ ଭୁବନେଶ୍ୱର ଫେରି ପାର୍ଟି ଅଫିସ୍‌ରେ କୋର୍ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ । ଆସନ୍ତା ସାଧାରଣ ନିର୍ବାଚନ ଲାଗି ଶାହ ଦଳୀୟ ନେତାଙ୍କୁ ଟାର୍ଗେଟ ଦେଇପାରନ୍ତି  । ଶାହଙ୍କ ଗସ୍ତ ପାଇଁ ଟ୍ୱିନସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଜି ଶ୍ରାବଣ ଶେଷ ସୋମବାର, ଲୋକାରଣ୍ୟ ଶିବାଳୟ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବୋଲ୍ ବମ୍…ହର ହର ବମ୍ । ଏହିପରି ଶିବ ଧ୍ୱନିରେ ପ୍ରକମ୍ପିତ ହେଉଛି ଚତୁଃର୍ଦିଗ । ମହାଦେବଙ୍କ ଆରାଧନା ପାଇଁ କାହିଁ କେତେ ବାଟ ଅତିକ୍ରମ କରି ବିଭିନ୍ନ ଶୈବପୀଠରେ ପହଞ୍ଚୁଛନ୍ତି କାଉଡ଼ିଆ । ଆଜି ଶ୍ରାବଣ ମାସର ଶେଷ ସୋମବାର । ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କରୁଛନ୍ତି ହଜାର ହଜାର କାଉଡ଼ିଆ । ଏଥିପାଇଁ ବଡି ଭୋରରୁ ଲୋକାରଣ୍ୟ ହୋଇଛି ରାଜ୍ୟର ସମସ୍ତ ଶିବାଳୟ।ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଆଠଗଡ଼ର ଧବଳେଶ୍ୱର, ଆରଡ଼ିର ବାବା ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ ଭଳି ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଦେଖିବାକୁ ମିଳିଛି । ବୋଲବମ୍ ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ଜଳାଭିଷେକ କରିପାରିବେ ଏବଂ ଦର୍ଶନ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଧବଳେଶ୍ୱର ପୀଠରେ ରାତି ୨ଟାରୁ ପହଡ ଖୋଲାଯାଇ ୧୦୮କଳସ ଜଳରେ ବାବା ଧବଳମଣିଙ୍କୁ ସ୍ନାନ କରାଯାଇ ମଙ୍ଗଳ ଆରତୀ କରାଯାଇଥିଲା। ଏହାପରେ ସର୍ବସାଧାରଣଙ୍କୁ ଦର୍ଶନ ନିମନ୍ତେ ସୁଯୋଗ ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟି କୋଣରୁ ନଦୀଘାଟରୁ ଆରମ୍ଭ କରି ଝୁଲାପୋଲ ପର୍ଯ୍ୟନ୍ତ ସବୁଠାରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଓ ପୂଜକ ସମିତି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଜଗନ୍ନାଥ ମନ୍ଦିର ଉନ୍ନୟନ ନିମନ୍ତେ ନୂତନ କମିଟି ଗଠିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ଜଗନ୍ନାଥ ମନ୍ଦିରର ଉନ୍ନୟନ କମିଟି ଗଠନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୪ ଘଟିକା ସମୟରେ ଗୁଣୁପୁର ତହସିଲଦାର କାର୍ଯ୍ୟକାଳ ପରିସରରେ ଅନୁଷ୍ଠିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ, ଗୁଣପୁର ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୋଡ଼, ଡ ସତ୍ୟ ପ୍ରକାଶ ପଣ୍ଡା ମଞ୍ଚାସୀନ ହୋଇଥିଲେ।ଜଗନ୍ନାଥ ମନ୍ଦିରର ପୂର୍ବତନ ପରିଚାଳନା କମିଟିର ସଦସ୍ୟ ମାନେ ଏଥିରେ ଯୋଗ ଦେଇ ମନ୍ଦିରର ଉନ୍ନତି ନିମନ୍ତେ ଏବଂ ନୂତନ କମିଟି ଗଠନ ନିମନ୍ତେ ଆଲୋଚନା କରିଥିଲେ।

ଜଗନ୍ନାଥ ମନ୍ଦିର ଉନ୍ନୟନ ଓ ପରିଚାଳନା ନିମନ୍ତେ କମିଟିର ନୂତନ ସଭାପତି ଭାବେ ଡ ସତ୍ୟ ପ୍ରକାଶ ପଣ୍ଡାଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରି ସଭାପତି ଭାବେ ସୂର୍ଯ୍ୟନାରାୟଣ ପଣ୍ଡା, ଉପ ସଭାପତି ଭାବେ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ, ସମ୍ପାଦକ ଭାବେ ନିରଞ୍ଜନ ପାଢୀ , ଯୁଗ୍ମ ସମ୍ପାଦକ ଭାବେ ଏସ୍ ବାବା ପ୍ରସାଦ ଏବଂ କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟନାରାୟଣ ନାୟକଙ୍କୁ ଚୟନ କରାଯାଇଛି। ମାର୍ଗଦର୍ଶକ କମିଟି ରେ ଦେବେନ୍ଦ୍ର ଚୌଧୁରୀ, ଡ ରାମ ମହାନ୍ତି, ମନୋରଂଜନ ରଥ ଏବଂ କୃଷ୍ଣ ଚନ୍ଦ୍ର ବେବର୍ତା ଙ୍କୁ ଚୟନ କରାଯାଇଛି। ପରିଚାଳନା କମିଟି ର ସଦସ୍ଯ ଭାବେ ଉମା ଦାଶ , ରଞ୍ଜିତ ପାଢି, ଅକ୍ଷୟ ଦାଶ, ପଂଣିଭୁଷଣ ପଟ୍ଟନାୟକ ଙ୍କୁ ଚୟନ କରାଯାଇଛି। ମନ୍ଦିର ର ସେବା ଓ ସୁରକ୍ଷା କମିଟି ଗଠନ କରାଯାଇ ସେଥିରେ ଗାଜ ପାଳ, ହୃଷିକେଶ ରଥ, ଶକ୍ତି ଦାଶ,ତ୍ରିପତି ରଥ , ବି ସତୀଶ କୁମାର,ଡ଼ ପ୍ରଶାନ୍ତ ହୋତା ,କୃଷ୍ଣ ପଣ୍ଡା , ଚିନ୍ମୟ ପାଣିଗ୍ରାହୀ,ଲାଡି ଇଶ୍ଵର ରାଓ ଙ୍କୁ ଚୟନ କରାଯାଇଛି। ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା ପଣ୍ଡା ଏକ ସୁନ୍ଦର ବଗିଚା ନିର୍ମାଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ।

ନୀତି ଆୟୋଗ ବୈଠକରେ ଏହି ସବୁ ପ୍ରସଙ୍ଗ ଉଠିଲା;ସାମିଲ ହେଲେନି କେସିଆର…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦିଲ୍ଲୀରେ ଆଜି ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ବସିଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ  ଦେଶର  ବିଭିନ୍ନ ପ୍ରସଙ୍ଗ ଉଠିଛି। ଏହି ବୈଠକରେ ତୈଳବୀଜ, ଡାଲି, କୃଷି ଜାତ ଦ୍ରବ୍ୟ, ନୂଆ ଶିକ୍ଷା ଆଇନ୍ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ବୈଠକରେ ଦେଶର ପ୍ରାୟ ସମସ୍ତ ମୁଖ୍ୟମମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର  ଯୋଗ ଦେଇଥିଲେ। ହେଲେ ଏହି ବୈଠକରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖଫର ରାଓ ଯୋଗ ଦଆଇ ନାହାନ୍ତି। ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡିଶାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଛତିଶଗଡ଼ା ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା  ସମେତ ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି। ଏହି ବୈଠକରେ  ରେଳ, ଟେଲିକମ୍, ବ୍ୟାଙ୍କ ସେବା ଭଳି ଗୁରୁତ୍ୱପୂର୍ଣ୍ଣ  କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ତାସହ ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି ଓଡ଼ିଶା।  ପ୍ରାକୃତିକ ବିପର୍ଯ୍ୟୟ  ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେବା ସହ  ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ନବୀନ।  ଏଥିସହ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ କିଛି ସମସ୍ୟା ରହିଯାଇଛି। କାରଣ କିଛି ପ୍ରକୃତ ଚାଷୀ ଏଥିରୁ ବାଦ ପଡୁଛନ୍ତି।  ତେଣୁ ନୀତି ଆୟୋଗ ଏନେଇ  ଧ୍ୟାନ ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ  । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ନବୀନ ।  ଅଧିକାଂଶ  ଆଦିବାସୀ ଓ KBK ଜିଲ୍ଲା PMAYରୁ ବଞ୍ଚିତ ହୋଇଛନ୍ତି।   PMAY ସମ୍ବନ୍ଧିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ  । ସେହିପରି ବୈଠକରେ ASI ଓ AMSARର  ରୂପାନ୍ତରଣ ଦାବି କରିଛନ୍ତି ନବୀନ। ସେହିପରି ଐତିହ୍ୟ ସ୍ଥଳର ବିକାଶ ଏବଂ ଟେକ୍ନୋଲୋଜି ଏବଂ ନ୍ୟାୟିକ ଢାଞ୍ଚା ଅନୁସାରେ ଏଏସଆଇରେ ଟ୍ରାନ୍ସଫର୍ମ ହେବାର ଆବଶ୍ୟକତା ରହିଛି ।  AMSAR ଆକ୍ଟା ସଂଶୋଧନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।