ଏଣିକି ଘରଭଡ଼ା ଉପରେ ଲାଗିବ ୧୮ ପ୍ରତିଶତ ଜିଏସଟି…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଏଣିକି ଘରଭଡ଼ା ଉପରେ ଲାଗିବ ଦ୍ରବ୍ୟ ଏବଂ ସେବା କର ବା ଜିଏସଟି। ଘର ଭଡ଼ାରେ ଲାଗିବ ୧୮ ପ୍ରତିଶତ ଜିଏସଟି। ଜୁଲାଇ ୧୮ରୁ ଲାଗୁ ହୋଇଥିବା ନୂଆ ଜିଏସଟି ନିୟମରେ ଏହା ରହିଛି। କିନ୍ତୁ ଏହି ଜିଏସଟି ସବୁ ଘର ଭଡ଼ାଟିଆଙ୍କୁ ଦେବାକୁ ପଡ଼ିବନି। କେବଳ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଘର ଉପରେ ଜିଏସଟି ଲାଗିବ। ଶୁକ୍ରବାର ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। କୌଣସି ଘରୋଇ (ପ୍ରାଇଭେଟ) ଲୋକ ତଥା ବ୍ୟକ୍ତିଗତ ବ୍ୟବହାର ପାଇଁ ଏହି କର ଲାଗୁ ହେବ ନାହିଁ। ପ୍ରାଇଭେଟ କିମ୍ବା ବ୍ୟକ୍ତିଗତ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିଲେ ସେମାନଙ୍କୁ ବାଦ ଦିଆଯିବ। ବ୍ୟବସାୟିକ ଉଦ୍ଦେଶ୍ୟରେ ଘର ଭଡ଼ା କାରବାର ନେଇ ଜିଏସଟିରେ ପଞ୍ଜିକରଣ କରିବାକୁ ନୂଆ ନିୟମ ହୋଇଛି। ଘର ମାଲିକ କିମ୍ବା ଜମି ମାଲିକଙ୍କୁ ଏହି ଜିଏସଟି ଦେବାକୁ ପଡ଼ିବନି।  ରିଜର୍ଭ ଚାର୍ଜ ମେକାରନିଜିମ ଅଧୀନରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ। ବ୍ୟବସାୟିତ କ୍ଷେତ୍ରରେ  ବ୍ୟକ୍ତିଙ୍କ ବାର୍ଷିକ ସ୍ଥରୀକୃତ ଟର୍ଣ୍ଣଓଭର ଅନୁଯାୟୀ ଏହି ଜିଏସଟି ସ୍ଥିର ହେବ। ଏହି ନୂଆ ନିୟମ କମ୍ପାନୀ ତଥା ଯେଉଁମାନେ ଘର ଭଡ଼ା ନେଇ ବ୍ୟବସାୟ ଚଳାଉଛନ୍ତି ସେମାନଙ୍କ ଉପରେ ପ୍ରଭାବ ପକାଇବ। ବିଶେଷ କରି ବ୍ୟବସାୟିକ ଉଦ୍ଦେଶ୍ୟରେ ଅଫିସ ଏବଂ ଗୋଦାମ ଘର ପାଇଁ ନେଇଥିବା ଘର ଉପରେ ଜିଏସଟି ଲାଗିବ।

ଓଏଏସ ସ୍ତରରେ ବଦଳି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବରିଷ୍ଠ ଓଏଏସ୍ ଅଫିସର ସତ୍ୟରଞ୍ଜନ ସାହୁଙ୍କୁ ଆଜି ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏହାସହିତ ପଂଚାୟତିରାଜ ବିଭାଗ ପକ୍ଷରୁ ୩୨ଜଣଙ୍କୁ ବିଡିଓ, ୧୦ଜଣଙ୍କୁ ତହସିଲଦାର ଭାବେ ନିଯୁକ୍ତି ସହ ମୋଟ ୪୬ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରଯାଇଥିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆଉ ୫୧ଜଣ ଓଏଏସଙ୍କୁ  ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ପଦବୀକୁ ବଦଳି କରାଯାଇଛି । ଏଭଳି ଭାବେ ଆଜି ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସାହୁଙ୍କ ବଦଳିକୁ ମିଶାଇ ମୋଟ ୯୮ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ବରିଷ୍ଠ ଓଏଏସ୍ ଲଲାଟେନ୍ଦୁ ମିଶ୍ର ଜୁଲାଇ ୩୧ରେ ଅବସର ନେବା ପରଠୁ ଏହି ପଦବୀ ଖାଲି ପଡ଼ିଥିଲା । ସେହିପରି ୨୦୦୬ ବ୍ୟାଚ୍ ଆଇଏଏସ୍ ରୂପାରୋଶନ ସାହୁଙ୍କୁ ଶିକ୍ଷକ ପ୍ରଶିକ୍ଷଣ ଓ ଏସସିଇଆରଟି ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ୱ ସହ ଇଂରାଜୀ ଭାଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ନିଯୁକ୍ତି ମିଳିଛି। ଶ୍ରୀମତୀ ସାହୁ ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଅଛନ୍ତି ଓ ସେ ଅତରିକ୍ତ ଭାବେ ଉପରୋକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମୋଟ ୩୨ଜଣ ଓଏଏସ୍ ଅଫିସରଙ୍କୁ ୩୨ଟି ବ୍ଲକରେ ବିଡିଓ ଭାବେ ବଦଳି କରାଯାଇଛି । ବିଡିଓ ଭାବେ କାର୍ଯ୍ୟ କରୁଥିବା ୧୩ଜଣ ଓଏଏସ୍ ଅଫିସରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗକୁ ଫେରସ୍ତ କରି ଦିଆଯାଇଥିବାବେଳେ ଅନ୍ୟ ଜଣେ ଓଏଏସ୍ ଅଫିସରଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଯାଇଛି । ସୂଚନା ଅନୁସାରେ, ସଂଗ୍ରାମ କେଶରୀ ଭଲଙ୍କୁ ପରଜଙ୍ଗ ବ୍ଲକ ବିଡିଓ ଭାବେ ନିଯୁକ୍ତି ମିଳିଥିବାବେଳେ ନିଳାମ୍ବର ମହାନନ୍ଦଙ୍କୁ ଯୁଯୁମରା, ପ୍ରବୀଣ କୁମାର ବଣୁଆଙ୍କୁ ଫୁଲବାଣୀ, ରବିନ୍ଦ୍ରନାଥ କହଁରଙ୍କୁ ହରଭଙ୍ଗା, ଅନୁପମା ଘୋଷଙ୍କୁ ଖଜୁରିଆପଡ଼ା, ଅରବିନ ବେହେରାଙ୍କୁ ଅନୁଗୋଳ,ସୁଧୀର କୁମାର ସିଂଙ୍କୁ ଓଉପଦା,ଅଭିଷେକ ଦାଶଙ୍କୁ ସିମୂଳିଆ, ବିନୟ ଭୋଇଙ୍କୁ କୋକସରା, ପ୍ରିୟରଞ୍ଜନ କୁମାରଙ୍କୁ ବୋଡେନ, ସଦାଶିବ ନାୟକଙ୍କୁ ବିଷମ କଟକ, ଅଶ୍ୱିନୀ ପଣ୍ଡାଙ୍କୁ କୋଲବିରା, କାମଦେବ ସମାଦାରଙ୍କୁ ଲମତାପଟା, ସନ୍ଧ୍ୟା ସମର୍ଥଙ୍କୁ କୁନ୍ଦ୍ରା, ଆକାଶ ରଞ୍ଜନ ସାହୁଙ୍କୁ ଲୋଇସିଂହା, ସିଗ୍ଧାରାଣୀ ପ୍ରଧାନଙ୍କୁ ଜୟପାଟଣା, ଉତ୍ତମ କୁମାର ବାଗଙ୍କୁ କର୍ଲାମୁଣ୍ଡା, ରାଜୀବ ଦାସଙ୍କୁ ମାଥିଲି, ପ୍ରଣବ କୁମାର ଚାନ୍ଦଙ୍କୁ ଆମ୍ବାଭୋନା, ପ୍ରିୟଦର୍ଶିନୀ ମିର୍ଦ୍ଧାଙ୍କୁ ତିଲେଇବଣି, ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ବ୍ରହ୍ମଗିରି, ହୃଦାନନ୍ଦ ଅଧାଙ୍କୁ କରଞ୍ଜିଆ, ସଂଗ୍ରାମ କେଶରୀ ପରିଡ଼ାଙ୍କୁ ରେମୁଣା, ଛବିରାଣୀ ସାହୁଙ୍କୁ ବେତନଟୀ, ବିଜୟ କୁମାର ନାୟକଙ୍କୁ ସାହାଡ଼ାପଡ଼ା, ଶାନ୍ତନୁ କୁମାର ନାୟକଙ୍କୁ ତେଲକୋଇ, ନୂପୁର ଚନ୍ଦଗୋଟିଆଙ୍କୁ ବାଲିଆପାଳ, ବିକାଶ ଚନ୍ଦ୍ର ସାହୁଙ୍କୁ କେନ୍ଦୁଝର ସଦର, ଆଲବର୍ଟ ଲାକ୍ରାଙ୍କୁ ଆଠମଲ୍ଲିକ, ଜନ୍ମେଜୟ ବେହେରାଙ୍କୁ ଲେଫ୍ରିପଡ଼ା, ପ୍ରସନ୍ନ କୁମାର ପାଣ୍ଡେଙ୍କୁ ବରପାଲି ଓ ବଜୟ କୁମାର ସଏଙ୍କୁ ବାରକୋଟ ବ୍ଲକ ବିଡିଓ ଭାବେ ବଦଳି କରାଯାଇଛି । ଲେଫ୍ରିପଡ଼ାରେ ବିଡିଓ ଥିବା ଓଏଏସ୍ ରମେଶ ହାଂସଦାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଇ ଦିଆଯାଇଛି । ତାଙ୍କ ନୂଆ ନିଯୁକ୍ତି ଘୋଷଣା ହୋଇଛି । ସେହିପରି ବସୁନ୍ଧରା ଭିତିରିଆଙ୍କୁ କେନ୍ଦୁଝର ଡେପୁଟି କଲ୍ଟେକର ଭାବେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଛି । ବିଡିଓ ଭାବେ କାର୍ଯ୍ୟ କରୁଥିବା ୧୨ଜଣ ଓଏଏସଙ୍କୁ ରାଜସ୍ୱ ବିଭାଗକୁ ଫେରସ୍ତ କରାଯାଇଛି ଓ ସେମାନଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ମିଳିଛି । ଓଏଏସ୍ ମନୀଷା ଦାସଙ୍କୁ କାଶୀନଗର ତହସିଲଦାର, ଭିକାରୀ ସାହୁଙ୍କୁ ନୟାଗଡ଼ ତହସିଲଦାର, ସନ୍ଧ୍ୟାଞ୍ଜଳି ମାଝୀଙ୍କୁ କାମାକ୍ଷାନଗର ତହସିଲଦାର, ଦୀପକ କୁମାର ଦାସଙ୍କୁ ବାଲିଆପାଳ ତହସିଲଦାର, ଆଶିଷ କୁମାର ଭୋଇଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅନୁସଚିବ, ସ୍ମିତା ରଥଙ୍କୁ ସ୍ପେଶାଲ ସାର୍ଟିଫିକେଟ୍ ଅଫିସର ଭାବେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଥିବାବେଳେ ରାହୁଲ ମଣ୍ଡଳଙ୍କୁ ଓୟୁଏଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର, ସନ୍ତୋଷ ସାହୁଙ୍କୁ ପୁରୁଷୋତ୍ତମପୁର ତହସିଲଦାର, ମାନସ ରଞ୍ଜନ ଭୋଇଙ୍କୁ ଟାଙ୍ଗୀ ତହସିଲଦାର, ପରୀକ୍ଷିତ ସାହୁଙ୍କୁ ପାଇକମାଳ ତହସିଲଦାର, ହୃଦରଞ୍ଜନ ସାହୁଙ୍କୁ ଖଇରାପୁଟ ତହସିଲଦାର ଓ ଦାଶରଥୀ ଜେନାଙ୍କୁ ତାଳଚେର ତହସିଲଦାର ଭାବେ ନିଯୁକ୍ତି ମିଳିଛି । ସେହିପରି ରାଜସ୍ୱ  ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆଜି ମୋଟ ୫୧ଜଣ ଓଏଏସ୍ ଅଫିସରଙ୍କ ବଦଳି ତାଲିକା ଜାରି ହୋଇଛି ।

୩ ଜିଲ୍ଲାରେ ୧୨୧୦ କୋଟି ଟଙ୍କାର ୯ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦ୍ର ସରକାରଙ୍କ ‘ଜଳଜୀବନ ମିଶନ’ ଯୋଜନା ଅନ୍ତର୍ଗତ ୩ଟି ଜିଲ୍ଲା ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ନିମନ୍ତେ ୧୨୧୦.୦୪କୋଟି ଟଙ୍କାର ୯ଟି ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ୯ଟି ବ୍ଲକର ୧୮୮ଟି ପଂଚାୟତର ୧୦୯୪ଟି ଗାଁର ପ୍ରାୟ ୧୦ଲକ୍ଷ ୧୯ହଜାର ୪୮୭ଜଣ ଲୋକ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ମୋଟ ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏଥିରେ ପଂଚାୟତିରାଜ ବିଭାଗର ୩ଟି ପାନୀୟ ଜଳ ଯୋଗାଣ ଟେଣ୍ଡରକୁ ଚୂଡ଼ାନ୍ତ ମଞ୍ଜୁରୀ ରାଜ୍ୟ କ୍ୟାବିନେଟ୍ ଦେଇଛନ୍ତି । ଏଥିରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ କଙ୍କଡ଼ାହାଡ଼ ସମେତ ମୋଟ ୪ଟି ବ୍ଲକର ୭୧ଟି ପଂଚାୟତର ୨୭୧ଟି ଗାଁରେ ବାସ କରୁଥିବା ୩ଲକ୍ଷ ୨୨ହଜାର ୨୦୪ଜଣ ଲୋକ ଉପକୃତ ହେବେ । ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମୋଟ ୫୦୧ କୋଟି ୮୫ଲକ୍ଷ ଟଙ୍କାର ସର୍ବନିମ୍ନ ଟେଣ୍ଡର କୋହ୍ଲାପୁରସ୍ଥିତ ମେସର୍ସ ଲକ୍ଷ୍ମୀ ସିଭିଲ ଇଞ୍ଜିନିୟରିଂ ସର୍ଭିସ୍ ପ୍ରାଃ ଟେଣ୍ଡର ନେଇଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକୁ ୨୪ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ରାଜ୍ୟ କ୍ୟାବିନେଟ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର ଓ ଗରଦପୁର ବ୍ଲକ ଅନ୍ତର୍ଗତ ମୋଟ ୭୬ଟି ପଂଚାୟତର ୫୨୨ଟି ଗାଁରେ ବସବାସ କରୁଥିବା ୪ଲକ୍ଷ ୩୫ହଜାର ୧୯୦ଜଣ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୪୧୬.୫୭କୋଟି ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ଅନୁମୋଦନ କରିଛନ୍ତି । ଏହି ଟେଣ୍ଡର କାର୍ଯ୍ୟ କୋହ୍ଲାପୁରସ୍ଥିତ ଲକ୍ଷ୍ମୀ ସିଭିଲ ଇଞ୍ଜିନିୟରିଂ ସର୍ଭିସ୍ ନେଇଛି । ୨୪ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ବାଲେଶ୍ୱର ଜିଲ୍ଲାର ୩ଟି ବ୍ଲକ ରେମୁଣା, ଖଇରା ଓ ବାଲେଶ୍ୱର ବ୍ଲକ ଅନ୍ତର୍ଗତ ମୋଟ ୪୧ଟି ପଂଚାୟତର ୩୦୧ଟି ଗାଁର ୨ଲକ୍ଷ ୬୨ହଜାର ୯୩ଜଣ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଣ ନିମନ୍ତେ ୨୯୧.୬୨କୋଟି ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ଅନୁମୋଦନ କରିଛନ୍ତି । ଏହି ଟେଣ୍ଡର କାର୍ଯ୍ୟ ହାଇଦ୍ରାବାଦସ୍ଥିତ ମେର୍ସସ ଏନସିସି ଲିଃ ନେଇଛନ୍ତି । ୨୪ମାସ ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ବିମ୍ ଓ ଛାତ ଖରାପ, ମରାମତି ଅନୁମତି ମାଗିଲା ଏଏସ୍‌ଆଇ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଭଲ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି। ଭିତର ଭଣ୍ଡାରର ତିନିଟି ବିମ୍ ସହ ପ୍ଲାଷ୍ଟର ଖରାପ ଅଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ଖୋଲିବାକୁ ତୁରନ୍ତ ବ୍ୟବସ୍ଥା ଗ୍ରହଣ କରୁ। ରାଜ୍ୟ ଆଇନ୍ ବିଭାଗକୁ ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ଚିଠି ଲେଖି ଏହା ଜଣାଇଛନ୍ତି। ଯାହା ଜଣାପଡ଼ିବା ପରେ ଭକ୍ତଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ଏବଂ ସରକାରଙ୍କ ଦାୟିତ୍ୱହୀନତା ପ୍ରତି ଅଙ୍ଗୁଳି ଉଠିଛି। ଚଳିତମାସ ୮ ତାରିଖରେ ଏହି ଚିଠି କରିଛି ଏଏସ୍‌ଆଇ। ରତ୍ନଭଣ୍ଡାରର ଅନୁଧ୍ୟାନ ଓ ମରାମତି ପାଇଁ ଅନୁମତି ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରାଜ୍ୟ ଆଇନ୍ ବିଭାଗକୁ ଏଏସ୍‌ଆଇ ନିବେଦନ କରିଛି। ସେପଟେ ଭଣ୍ଡାର ଘର ଦାୟିତ୍ୱରେ ଥିବା ଭଣ୍ଡାର ମେକାପ ନାରାୟଣ ମେକାପ ବି କହିଛନ୍ତି ରତ୍ନଭଣ୍ଡାର ୩ଟି ବିମରେ ଫାଟ ସହ ପାଣି ଗଳୁଛି। ଭିତର ଭଣ୍ଡାରରେ ଦୁର୍ମୁଲ୍ୟ ରତ୍ନ ଅଳଙ୍କାର ଥିବାରୁ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରର ସୁରକ୍ଷା ପାଇଁ ଭଣ୍ଡାର ଖୋଲାଯାଉ। ହେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ କହିବା କଥା ଏଏସ୍ଆଇର ଚିଠି ଉପରେ ଆଗାମୀ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ। କିନ୍ତୁ ରତ୍ନଭଣ୍ଡାର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ତେଣେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଏଏସ୍ଆଇ ଚିଠି ସଂପର୍କରେ ତାଙ୍କ ପାଖରେ ଖବର ନାହିଁ। ହେଲେ ଏଠି ପ୍ରଶ୍ନ ଉଠୁଛି ରତ୍ନଭଣ୍ଡାର ଚାବି ହଜିବା ପରେ ଯେଉଁ ଡୁପ୍ଲିକେଟ୍ ଚାବି ମିଳିଥିବା କଥା କୁହାଯାଉଥିଲା, ସେ ଚାବିରେ ଭଣ୍ଡାର ଖୋଲିବ ତ? କାରଣ ଏ ପର୍ଯ୍ୟନ୍ତ ଏହାର ପରୀକ୍ଷଣ କରିବାକୁ ନା ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ଆଇନ ବିଭାଗ ପଦକ୍ଷେପ ନେଇନି। ରତ୍ନଭଣ୍ଡାର ସୁରକ୍ଷା ପ୍ରତି ସରକାରଙ୍କ ଏତାଦୃଶ୍ୟ ମନୋଭାବ ପୁଣି ସରକାରୀ କାର୍ଯ୍ୟକଳାପକୁ ସନ୍ଦେହରେ ପକାଇଛି। ସୂଚନା ଯୋଗ୍ୟ ଯେ, ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ସ୍ଥିତିରେ ଥିବା ବେଳେ ସରକାର ଏହାର ମରାମତି ନିମନ୍ତେ ଦୃଷ୍ଟି ଦେଉ ନ ଥିବା ନେଇ ଗଜପତି ମହାରାଜା ଦିବ୍ୟସିଂହ ଅନେକ ଥର ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରି କହିଆସିଛନ୍ତି। ରତ୍ନ ଭଣ୍ଡାର ଶୀଘ୍ର ମରାମତି ଓ ରତ୍ନ ଅଳଙ୍କାର ଗଣତି ପାଇଁ ମତ ପ୍ରକାଶ କରିଆସୁଛନ୍ତି। ହେଲେ ନା ରାଜ୍ୟ ସରକାର, ନା ରାଜ୍ୟ ଆଇନ ବିଭାଗ, ନା ଶ୍ରୀମନ୍ଦିର ପ୍ରଶାସନ, କେହିବି ଯତ୍ନବାନ ନୁହେଁ। ତେଣୁ ଖୋଦ ପରିଚାଳନ କମିଟି ମୁଖ୍ୟଙ୍କ କଥାକୁ ସରକାର ଦୃଷ୍ଟି ନ ଦେବା ପ୍ରଶାସନିକ ଅବ୍ୟବସ୍ଥାକୁ ପଦାରେ ପକାଇଛି। ଏହାଛଡ଼ା ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟସ୍ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲିବା ନିୟମ ରହିଛି ହେଲେ ଆଜିକୁ ପ୍ରାୟ ୩୭ ବର୍ଷ ହେବ ଏହା ଖୋଲାଯାଇନାହିଁ। ତେଣୁ ଏଏସ୍‌ଆଇ ରତ୍ନ ଭଣ୍ଡାର ମରାମତି ନେଇ ଲେଖିଥିବା ଚିଠି ଉପରେ ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି, ଆଇନ ବିଭାଗ କି ପଦକ୍ଷେପ ନେଉଛନ୍ତି ଦେଖିବାର କଥା। ସେହିପରି ଦୀର୍ଘ ୪ ବର୍ଷ ତଳେ ଅର୍ଥାତ୍ ୨୦୧୮ ଏପ୍ରିଲ୍ ୪ ତାରିଖରେ ରତ୍ନଭଣ୍ଡାର ଖୋଲି ସ୍ଥିତି ଯାଞ୍ଚ ଉଦ୍ୟମକୁ ମଧ୍ୟ ସରକାର ରହସ୍ୟଜନକ ଭାବେ ରୋକି ଦେଲେ। ପରେ ନାଟକିୟ ଢଙ୍ଗରେ ରତ୍ନ ଭଣ୍ଡାର ଚାବି ହଜିଥିବା କୁହାଗଲା। ଘଟଣାର ଯାଞ୍ଚ ନିମନ୍ତ ବସିଥିବା କମିଶନ ରିପୋର୍ଟକୁ ମଧ୍ୟ ଗୁପ୍ତ କରିଦିଆଗଲା। ତେଣୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯାଞ୍ଚ ଓ ମରାମତି ନିମନ୍ତେ କାହିଁକି ସରକାର ଚୁପ୍ ରହୁଛନ୍ତି ତାହାକୁ ନେଇ ଭକ୍ତ ଭିତରେ ସନ୍ଦେହ ବଢ଼ିବାରେ ଲାଗିଛି।

ରତ୍ନଭଣ୍ଡାର ଖୋଲିବ ତ ? ଆଇନମନ୍ତ୍ରୀଙ୍କ ଉତ୍ତରକୁ ନେଇ ଦ୍ୱନ୍ଦ୍ୱ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ ତ? ଆଇନମନ୍ତ୍ରୀ ଶ୍ରୀଜଗନ୍ନାଥ ସାରକା ଚଳିତ ବିଧାନସଭାରେ ଦେଇଥିବା ଦୁଇଟି ଲିଖିତ ଉତ୍ତରକୁ ନେଇ ଏଭଳି ଦ୍ୱନ୍ଦ୍ୱ ଓ ପ୍ରଶ୍ନବାଚୀ ଦେଖାଦେଇଛି। ବିଧାୟକ ଦାସରଥୀ ଗମାଙ୍ଗ ଏକ ଲିଖିତ ପ୍ରଶ୍ନରେ ଆଇନମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ୧୯୭୦ ମସିହା ପରଠାରୁ ମହାପ୍ରଭୁଙ୍କ ରତ୍ନ ଗୃହର ଚାବି କେଉଁଠାରେ ଥିଲା ? ଚାବି ହଜିବା ଏବଂ ୧୪ ଜୁନ୍ ୨୦୧୮ ରିଖରେ ଜିଲ୍ଲାପାଳଙ୍କ ମହାଫିସ୍ ଖାନା(ରେକର୍ଡ ରୁମ୍)ରୁ ଚାବି ମିଳିବା ସମ୍ପର୍କିତ ତଥ୍ୟ ଉନ୍ମୋଚନ ପାଇଁ ଗଠିତ ବିଚାର ବିଭାଗୀୟ କମିଟି ତଥା ଜଷ୍ଟିସ୍ ରଘୁବୀର ଦାଶଙ୍କ ତତ୍ତ୍ୱାବଧାନରେ ପ୍ରଦତ୍ତ ରିପୋର୍ଟ ସମ୍ପର୍କିତ ତଥ୍ୟ ଗୃହରେ ପ୍ରଦାନ କରିବେ କି ? ରତ୍ନ ଭଣ୍ଡାରର ଆବଶ୍ୟକ ମରାମତି କାର୍ଯ୍ୟ କିପରି ସମ୍ପୂର୍ଣ୍ଣ ହେବ ସେଥିପ୍ରତି ଉଚିତ ପଦକ୍ଷେପ ଗ୍ରହଣ କରିବେ କି ? ଲିଖିତ ଉତ୍ତର ଦେଇ ଆଇନମନ୍ତ୍ରୀ ଶ୍ରୀଜଗନ୍ନାଥ ସାରକା କହିଥିଲେ ଯେ, ରତ୍ନଭଣ୍ଡାର ଚାବି ହଜିବା ଘଟଣା ଉପରେ ତଦନ୍ତ କରିବା ପାଇଁ ନିଯୁକ୍ତ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ହସ୍ତଗତ ହେବା ପରେ କମିଶନଙ୍କର ସୁପାରିଶ ଅନୁସାରେ ରତ୍ନଭଣ୍ଡାରର ଆବଶ୍ୟକ ମରାମତି କରିବା ପାଇଁ ପଦକ୍ଷେପ ନିଆଯାଇପାରିବ। ବାସ୍ ଶ୍ରୀଗମାଙ୍ଗ ପଚାରିଥିବା ଅନ୍ୟ କୌଣସି ପ୍ରଶ୍ନର ଲିଖିତ ଉତ୍ତର ଦେଇନାହାନ୍ତି ଆଇନମନ୍ତ୍ରୀ। ସେପଟେ ଦୀର୍ଘବର୍ଷ ତଳୁ ଦାସ କମିଶନ ସରକାରଙ୍କ ରିପୋର୍ଟ ଦେଇସାରିଥିବା ବେଳେ ଆଇନମନ୍ତ୍ରୀ ଏହି ରିପୋର୍ଟ ହସ୍ତଗତ ହେବା ପରେ ପଦକ୍ଷେପ ନିଆଯିବ ବୋଲି ଲେଖିବା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ସନ୍ଦେହ ଦେଖାଦେଇଛି। ସେହିପରି ମୋହନ ଚରଣ ମାଝୀ ଆଇନମନ୍ତ୍ରୀଙ୍କୁ ଏକ ଲିଖିତ ପ୍ରଶ୍ନ ପଚାରିଥିଲେ ଯେ, ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଖୋଲି ସେଥିରେ କେତେ ପରିମାଣର ସୁନା, ରୁପା, ହୀରା ଓ ଅନ୍ୟ ରତ୍ନାଦି ଅଳଙ୍କାର ଅଛି ତାହା ସୁମାରି କରିବାକୁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ଅଛି କି ? ଯଦି ଅଛି ତେବେ କେବେ ସୁଦ୍ଧା କରାଯିବ ? ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଲିଖିତ ଉତ୍ତର ଦେଇ କହିଥିଲେ, ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଖୋଲି ସେଥିରେ କେତେ ପରିମାଣର ସୁନା, ରୁପା, ହୀରା ଓ ଅନ୍ୟାନ୍ୟ ରତ୍ନାଦି ଅଳଙ୍କାର ଅଛି ତାହା ସୁମାରି କରିବା ପାଇଁ ପ୍ରସ୍ତାବ ହସ୍ତଗତ ହେଲେ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏହି ଅଧାଖଣ୍ଡିଆ ଉତ୍ତରରେ କିଏ ପ୍ରସ୍ତାବ ଦେବ ସେ ବିଷୟରେ ଉଲ୍ଲେଖ ନ କରାଯାଇନାହିଁ। କେବେ ସୁଦ୍ଧା କରାଯିବ ତାହାର ମଧ୍ୟ ଉତ୍ତର ନାହିଁ। ଯେତେବେଳେ କି ଶ୍ରୀମନ୍ଦିର ଆରଓଆର ଓ ଶ୍ରୀମନ୍ଦିର ଆଇନ ଅନୁସାରେ ପ୍ରତି ୩ ବର୍ଷରେ ଥରେ ରତ୍ନ ଭଣ୍ଡାର ରତ୍ନ ସୁମାରି ବା ମଣତି କରିବାର ନିୟମ ରହିଛି। ଏଭଳି ଉତ୍ତର ଆଇନ ବିଭାଗ ଦାୟିତ୍ୱହୀନତାକୁ ପଦାରେ ପକାଇଛି।