ଟିମ୍ ଇଣ୍ଡିଆ ସହ ଜିମ୍ବାୱେ ଯିବେ ଲକ୍ଷ୍ମଣ ; ରାହୁଲଙ୍କୁ ବିଶ୍ରାମ ଦେଲା ବିସିସିଆଇ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ବ୍ରେକ୍ ଦେଲା ବିସିସିଆଇ। ସେ କିଛି ଦିନ ବିଶ୍ରାମ କରିବେ। ତାଙ୍କ ବଦଳରେ ଟିମ୍ ଇଣ୍ଡିଆ ସହିତ ଜିମ୍ବାୱେ  ଗସ୍ତରେ ଯିବେ ନ୍ୟାଶନାଲ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ। ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଲକ୍ଷ୍ମଣ ନେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଦାୟିତ୍ୱ। ଆଗକୁ ଏସିଆ କପ୍ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ବିଶ୍ରାମ ଦେଇଛି ବିସିସିଆଇ। ସେ କୋଚ୍ ଦାୟିତ୍ୱ ନେବା ପରଠୁ ଟିମ୍ ଇଣ୍ଡିଆ ସହିତ ପ୍ରତି ସିରିଜ୍‌ରେ ରହିଥିଲେ ଓ ଛୁଟି ନେଇ ନଥିଲେ। ସେହିଭଳି ବ୍ୟାଟିଂ କୋଚ୍ ବିକ୍ରମ ରାଠୋଡ଼ ଓ ବୋଲିଂ କୋଚ୍ ପାରସ ମହାମ୍ବ୍ରେଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ସେମାନଙ୍କ ବଦଳରେ ଭିଭିଏସ୍ ଲକ୍ଷ୍ମଣଙ୍କ ସହିତ ତାଙ୍କ ଡେପୁଟି ହୋଇ ଜିମ୍ବାୱେ ଯିବେ ସାଇରାଜ ବାହୁତୁଲେ ଓ ହୃଷିକେଶ କାନିତକର। ଜିମ୍ବାୱେରେ କେଏଲ୍ ରାହୁଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ତିନିଟି ଦିନିକିଆ ମ୍ୟାଚ୍ ଖେଳିବ। ଏହି ସରିଜ୍ ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହେବ। ୨ୟ ଓ ୩ୟ ମ୍ୟାଚ୍ ଯଥାକ୍ରମେ ୨୦ ଓ ୨୨ରେ ହେବ। ସମସ୍ତ ମ୍ୟାଚ୍ ହରାରେରେ ଖେଳାଯିବ। ଏସିଆ କପ୍ ଖେଳିବା ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ୟୁଏଇ ଗସ୍ତ କରିବା ବେଳେ ରାହୁଲ ଦ୍ରାବିଡ ସେମାନଙ୍କ ସହିତ ଯୋଗ ଦେବେ। ଅଗଷ୍ଟ ୨୦ ତାରିଖରେ ଟିମ୍ ଇଣ୍ଡିଆ ୟୁଏଇ ଗସ୍ତ କରିବ। ଅଗଷ୍ଟ ୨୮ ତାରିଖରେ ଭାରତର ପ୍ରଥମ ମ୍ୟାଚ୍ ଅଛି। ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ। ଜିମ୍ବାୱେ ଗସ୍ତରୁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ, ରବୀନ୍ଦ୍ର ଜାଡ଼େଜା, ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟଶ ଆୟରଙ୍କୁ ବାଦ୍ ଦିଆଯାଇଛି। ସେମାନଙ୍କୁ ବିଶ୍ରାମ ଦିଆଯାଇଛି। ଅନ୍ୟପକ୍ଷରେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପରେ କେଏଲ୍ ରାହୁଲ, ଦୀପକ ହୁଡ଼ା ଓ ଅବେଶ ଖାନ ଏସିଆ କପ୍ ଦଳରେ ସାମିଲ ହେବେ।

କେଏଲ୍‌ ରାହୁଲ ପାସ୍‌, ଜିମ୍ବାୱେ ବିପକ୍ଷ ସିରିଜ୍‌ରେ ନେବେ ନେତୃତ୍ୱ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଫିଟ୍‌ନେସ୍‌ ଟେଷ୍ଟରେ ପାସ୍ ହେଲେ କେଏଲ ରାହୁଲ। ସେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ରେ ଖେଳିବେ। କେବଳ ଖେଳିବେନି, ସେ ଟିମ୍‌ର ନେତୃତ୍ୱ ମଧ୍ୟ ନେବେ। ଗୁରୁବାର ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ପୂର୍ବରୁ ବିସିସିଆଇ ଶିଖର ଧୱନଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥିଲା। ତେବେ ଆଜି କେଏଲ୍ ରାହୁଲ ଫିଟ୍‌ନେସ୍ ଟେଷ୍ଟରେ ପାସ୍ କରିବା ପରେ ବିସିସିଆଇ ତାଙ୍କୁ ଟିମ୍‌ରେ ସାମିଲ କରିବା ସହ ଅଧିନାୟକ ଦାୟିତ୍ୱ ଦେଇଛି। ଶିଖର ଧାୱନଙ୍କୁ ଉପ-ଅଧିନାୟକ କରାଯାଇଛି। ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, ବିସିସିଆଇ ମେଡିକାଲ ଟିମ୍ କେଏଲ୍ ରାହୁଲଙ୍କ ପରୀକ୍ଷା କରିଥିଲେ ଓ ସେ ଜିମ୍ବାୱେ ବିପକ୍ଷ ଆଗାମୀ ଦିନିକିଆ ସିରିଜ୍ ଖେଳିପାରିବେ ବୋଲି କହିଥିଲେ। ଏହା ପରେ ଚୟନ କମିଟି କେଏଲ୍ ରାହୁଲଙ୍କୁ ଅଧିନାୟକ ଭାବେ ନିଯୁକ୍ତି ଦେଇଥିବା ବେଳେ ଶିଖର ଧାୱନଙ୍କୁ ତାଙ୍କ ଡେପୁଟି କରିଛି। ସୂଚନାଯୋଗ୍ୟ, ୨୦୨୨ ଆଇପିଏଲ ପରଠୁ କେଏଲ ରାହୁଲ ଆଉ କୌଣସି କ୍ରିକେଟ୍ ଖେଳି ନାହାନ୍ତି। ସେ ଏହି ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ନେତୃତ୍ୱ ନେଇଥିଲେ। ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ରେ ମୋଟ ୩ଟି ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୨୦ ତାରିଖରେ ହେବାକୁ ଥିବା ବେଳେ ତୃତୀୟ ମ୍ୟାଚ୍ ଅଗଷ୍ଟ ୨୨ ତାରିଖରେ ଖେଳା ଯିବ। ସମସ୍ତ ମ୍ୟାଚ୍ ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳା ଯିବ। ଭାରତର ୧୫ ଜଣିଆ ଟିମ୍: କେଏଲ୍ ରାହୁଲ (ଅଧିନାୟକ), ଶିଖର ଧୱନ (ଉପ-ଅଧିନାୟକ), ଋତୁରାଜ ଗାଏକ୍ୱାଡ୍‌, ଶୁବମନ ଗିଲ୍‌, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଈଶାନ କିଶନ (ୱିକେଟ୍ କିପର), ସଞ୍ଜୁ ସାମ୍‌ସନ୍‌ (ୱିକେଟ୍ କିପର), ୱାଶିଂଟନ୍‌ ସୁନ୍ଦର, ଶର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ଅକ୍ଷର ପଟେଲ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଦୀପକ ଚହର।

ପୁଣି ମନ ଜିଣିଲେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ ; ଗୁଟକା ପରେ ମଦ ବିଜ୍ଞାପନକୁ ନା…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ପୁଣି ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ୍। ରିଲ୍ ନୁହେଁ, ରିୟଲ ଲାଇଫ୍‌ରେ ଫ୍ୟାନ୍ସଙ୍କ ମନ ଜିଣିଛନ୍ତି ଏହି ହ୍ୟାଣ୍ଡସମ୍‌ ହଙ୍କ୍‌। ନିକଟରେ ଅଲ୍ଲୁ ଏକ ମଦ କଂପାନୀର ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି। ଏଭଳି ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଅଲ୍ଲୁ ଅର୍ଜୁନ୍ ପୂର୍ବରୁ ଏକ ପାନ ମସଲାର ବିଜ୍ଞାପନ କରିବାକୁ ମନା କରି ଦେଇଥିଲେ। ଏହି ବିଜ୍ଞାପନ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ମୋଟା ଅଙ୍କର ଟଙ୍କା ଅଫର ଦିଆଯାଇଥିଲା। ହେଲେ ସେ ଉକ୍ତ ପାନ ମସଲା ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବାକୁ ସିଧା ସଳଖ ମନା କରିଦେଇଥିଲେ। ଆଉ ଏବେ ଏକ ମଦ କଂପାନୀର ବିଜ୍ଞାପନ କରିବାକୁ ପାଇଥିବା କୋଟି କୋଟି ଟଙ୍କାର ଅଫରକୁ ବି ମନା କରି ଦେଇଛନ୍ତି। ସୋଶାଲ ମିଡିଆ ୟୁଜର୍ସ ଏହି ଖବର ଜାଣିବା ପରେ ଅଲ୍ଲୁ ଅର୍ଜୁନଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ସ୍ତମ୍ଭକାର, ଲେଖକ ତଥା ଫିଲ୍ମ ଇଣ୍ଡଷ୍ଟ୍ରୀ ଟ୍ରାକର ଏମ୍ ବିଜୟବାଲାନ ଟ୍ୱିଟ୍ କରି କହିଛନ୍ତି, ଏକ ଗୁଟକା ଓ ମଦ କଂପାନୀର ବିଜ୍ଞାପନ କରିବାକୁ ପାଇଥିବା ୧୦ କୋଟି ଟଙ୍କାର ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ଅଲ୍ଲୁ ଅର୍ଜ୍ଜୁନ। ଅନ୍ୟମାନେ ତାଙ୍କୁ ଅନୁସରଣ କରିବା ଆବଶ୍ୟକ। ଏହା ସହିତ ଅଲ୍ଲୁ ଅର୍ଜୁନ ଏବେ ବ୍ରାଣ୍ଡ ପ୍ରୋମୋସନ ପାଇଁ ୭.୫ କୋଟି ନେଉଛନ୍ତି ବୋଲି ଏମ୍ ବିଜୟବାଲାନ ଲେଖିଛନ୍ତି। ସୂଚନା ଅନୁଯାୟୀ, ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର, ଶାହରୁଖ ଖାନ ଓ ଅଜୟ ଦେବଗନ ପାନ ମସଲା ବିଜ୍ଞାପନରେ କାମ କରିଛନ୍ତି। ଏହାକୁ ନେଇ ସେମାନଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ବିଗ୍-ବି ଅମିତାଭ ବଚ୍ଚନ ପାନ ମସଲାର ବିଜ୍ଞାପନ କରିବାକୁ ମନା କରି ଦେଇଥିଲେ।

କାହିଁକି ବାହା ହେଉ ନାହାନ୍ତି ଅର୍ଜୁନ ଓ ମଲାଇକା ?

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ନିଜ ଲଭ୍ ଲାଇଫର ଗୁମର ଖୋଲିଲେ ବଲିଉଡ୍ ଅଭିନେତା ଅର୍ଜୁନ୍ କପୁର। କରଣ ଜୋହରଙ୍କ ସୁପରହିଟ୍ ଶୋ’ ‘କଫି ୱିଥ୍ କରଣ’ରେ ସେ ନିଜ ବିବାହକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି। ଅର୍ଜୁନ କହିଛନ୍ତି, ମୋ ଜାତକରେ ଏବେ ବିବାହ ଯୋଗ ନାହିଁ। ହେଲେ ମଲାଇକା ଓ ମୋର ପ୍ରେମ ସମ୍ପର୍କକୁ ନେଇ ମୋ ପରିବାର ଲୋକେ ବେଶ୍ ଖୁସି ଅଛନ୍ତି। ସେମାନେ ଆମ ସମ୍ପର୍କକୁ ସହଜ କରି ଦେଇଛନ୍ତି। ସେ କହିଛନ୍ତି, ଗତ ଦୁଇ ବର୍ଷ ଧରି ଲକ୍‌ଡାଉନ୍ ଚାଲିଥିଲା। ତେଣୁ ମୁଁ ନିଜ କ୍ୟାରିଅର୍ ଉପରେ ଧ୍ୟାନ ଦେବାକୁ ଚାହୁଁଛି। ମୁଁ କେତେ ବାଟ ପର୍ଯ୍ୟନ୍ତ ଯାଇପାରିବି, ତାହା ମୁଁ ଦେଖିବାକୁ ଚାହୁଁଛି। ମୁଁ ବହୁତ ବାସ୍ତବବାଦୀ। ଏମିତି ନୁହେଁ ଯେ ମୁଁ କିଛି ଲୁଚାଇବି। ମୁଁ ପ୍ରଫେସନାଲି ଆହୁରି ଅଧିକ ଷ୍ଟେବଲ୍ ହେବାକୁ ଚାହୁଁଛି। ମୁଁ ଏମିତି କୌଣସି କାମ କରିବାକୁ ଚାହୁଁଛି, ଯେଉଁଥିରୁ ମୋତେ ଖୁସି ମିଳିବ। କାରଣ ଯଦି ମୁଁ ଖୁସି ରହିବି, ତା’ହେଲେ ମୋ ଜାବନସାଥୀକୁ ମଧ୍ୟ ଖୁସିରେ ରଖିପାରିବି। ମୁଁ ଅନୁଭବ କରେ କାମରୁ ମୋତେ ଅଧିକ ଖୁସି ମିଳେ। ଅର୍ଜୁନ୍ କପୁର ଏବେ ବିବାହ କରିବା ପାଇଁ ଆଦୌ ଚିନ୍ତା କରି ନାହାନ୍ତି ବୋଲି ଶୋ’ରେ ସ୍ପଷ୍ଟ ଭାବେ କହିଥିବା ବେଳେ ତାଙ୍କ ଫ୍ୟାନ୍‌ମାନେ କିନ୍ତୁ ତାଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଏହି ଲଭ ବାର୍ଡ (ଅର୍ଜୁନ୍ ଓ ମଲାଇକା) ସେମାନଙ୍କ ଫ୍ୟାନ୍ସଙ୍କ ଡ୍ରିମ୍‌କୁ କେବେ ବାସ୍ତବରେ ପରିଣତ କରିବେ।

ସୈଫଙ୍କ ପ୍ରସ୍ତାବକୁ ମନା କରିଥିଲି;ହେଲେ ତାଙ୍କ ବେଗମ୍‌ ହେବି ବୋଲି ଜାଣିଥିଲି…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡର ବେବୋ ଓରଫ୍‌ କରୀନାଙ୍କ ପ୍ରେମରେ ପାଗଳ ସ୍ୱାମୀ ସୈଫ ଅଲ୍ଲି ଖାନ୍‌। ସୈଫଙ୍କ ବେଗମ୍‌ ହୋଇ  କରୀନାଙ୍କ ବି ବେଶ୍‌ ଖୁସି। ଉଭୟଙ୍କ ବିବାହ ୧୦ ବର୍ଷରେ ପାଦ ଦେଇଥିବା ବେଳେ ଏବେବି ଉଭୟ ବଲିଉଡର ପାୱାର କପଲ ଭାବେ ଜଣାଶୁଣା । କରୀନା ବଲିଉଡର ଟପ୍‌ରେ ଥିବା ବେଳେ ୨ ପିଲାଙ୍କ ବାପା ସୈଫଙ୍କୁ ଦିଲ୍‌ ଦେଇ ବସିଥିଲେ।  ୪ ବର୍ଷର ଡେଟିଂ ପରେ ଦୁହେଁ ୨୦୧୨ ମସିହାରେ ବିବାହ କରିଥିଲେ । କିନ୍ତୁ କରୀନା ପୂର୍ବରୁ ଦୁଇଥର ସୈଫଙ୍କ ବିବାହ ପ୍ରସ୍ତାବ ପ୍ରତ୍ୟାଖାନ କରିଥିଲେ।  ଏ ସମ୍ପର୍କରେ ଖୋଦ କରୀନା ଏକ ସାକ୍ଷାତକାରରେ କହିଛନ୍ତି।  ଏନେଇ ସେ କହିଛନ୍ତି, ସୈଫ ପୂର୍ବରୁ ମୋତେ ୨ ଥର କିମ୍ବା ତା’ଠୁ ଅଧିକ ଥର ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ମୁଁ ମନା କରି ଦେଇଥିଲି। କିନ୍ତୁ ପରେ ହଁ କରିଥିଲି। ସୈଫଙ୍କ ପ୍ରସ୍ତାବକୁ ନା କହିବା ପଛର କାରଣ କହିଛନ୍ତି କରୀନା ।ଏ ନେଇ ସେ କହିଛନ୍ତି,  ‘ମୁଁ ମଧ୍ୟ ତାଙ୍କୁ ଭଲ ପାଉଥିଲି, କିନ୍ତୁ ସେତେବେଳେ ବୋଧହୁଏ ମୁଁ ଏତେ ଶୀଘ୍ର ବିବାହ କରିବାକୁ ଚାହୁଁ ନ ଥିଲି। ବିବାହ ପୂର୍ବରୁ ଆମେ ପରସ୍ପରକୁ ଅଧିକ ଜାଣିବାକୁ ଚାହୁଁଥିଲୁ। କିନ୍ତୁ ମୁଁ ନିଶ୍ଚିତ ଥିଲି, ଦିନେ ସୈଫଙ୍କର ହିଁ ବେଗମ ହେବି ।୨ ପୁଅ ତୈମୁର ଓ ଜେହଙ୍କୁ ନେଇ ହାପି ଫ୍ୟାମିଲି ଲାଇଫ୍‌ ଏନଜୟ କରୁଛନ୍ତି ସୈଫିନା । ଏଥିସହ ପ୍ରଫେସନାଲ ଲାଇଫ୍‌ରେ ବି ବେଶ୍‌ ଆକ୍ଟିଭ ଅଛନ୍ତି ଦୁହେଁ।

କ’ଣ ପାଇଁ ଉଲଗ୍ନ ଫଟୋ ଛାଡ଼ିଲ ? ମୁମ୍ବାଇ ପୁଲିସକୁ ଜବାବ ଦେବେ ରଣବୀର…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ନ୍ୟୁଡ୍‌ ଫଟୋ ଶୁଟ୍‌ କରି ଅଡ଼ୁଆରେ ବଲିଉଡ୍‌ ଅଭିନେତା ରଣବୀର ସିଂହ। ରଣବୀର ସିଂହଙ୍କୁ ସମନ କରିବ ମୁମ୍ବାଇ ପୁଲିସ। ଅଗଷ୍ଟ ୨୨ରେ ହାଜର ହେବେ ରଣବୀର । ମହିଳାମାନଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଏହି ନୋଟିସ୍‌  ହେବ।  ସୋଶାଲ ମିଡିଆରେ ରଣବୀରଙ୍କ ନ୍ୟୁଡ ଫଟୋ ଭାଇରାଲ ହୋଇଥିଲା । ଯେହେତୁ ସେ  ମୁମ୍ବାଇ ବାହାରେ ଅଛନ୍ତି ଚେମ୍ବୁର ପୁଲିସ ତାଙ୍କୁ ଅଗଷ୍ଟ ୧୬ରେ ଏକ ନୋଟିସ କରିବ। ଏ ପର୍ଯ୍ୟନ୍ତ ରଣବୀରଙ୍କୁ ସମନ କରାଯାଇ ନାହିଁ। ସେ ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ଅଗଷ୍ଟ ୨୨ରେ ପୁଲିସ ନିକଟରେ ହାଜର ହେବାକୁ ନୋଟିସ ପ୍ରଦାନ କରାଯିବ। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୫୦୯, ୨୯୨ଏବଂ ୨୯୪ ଏବଂ ଆଇଟି ଆକ୍ଟର ଧାରା ୬୭ ଏ ଅନୁଯାୟୀ ରଣବୀର ସିଂହଙ୍କୁ ବୁକ୍ କରାଯାଇଛି।  ଚେମ୍ବୁର ପୁଲିସ  ଷ୍ଟେସନରେ ଏକ ଏନଜିଓର ଜଣେ କର୍ମଚାରୀ ଏବଂ ଜଣେ ମହିଳା ଓକିଲ ଅଭିଯୋଗ କରିଥିଲେ। ଅଭିନେତା କର୍ମଚାରି ଏବଂ ଜଣେ ମହିଳା ଓକିଲଙ୍କ ପକ୍ଷରୁ ଏହି ଏତଲା ଦିଆଯାଇଥିଲା। ମହିଳାଙ୍କ ସ୍ୱାଭିମାନଙ୍କୁ  ଆଘାତ ଦେଇଛନ୍ତି ରଣବୀର । ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ସେ ମହିଳାମାନଙ୍କ ସ୍ୱାଭିମାନଙ୍କୁ ଅପମାନିତ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି ହୋଇଥିଲା । ଏକ ମ୍ୟାଗାଜିନ୍‌ରେ ରଣବୀରଙ୍କ ନ୍ୟୁଡ୍‌ ଫଟୋ ପ୍ରକାଶ ପାଇଥିଲା।  ସେ ଦେହରେ କିଛି ପିନ୍ଧି ନଥିଲେ।

 

ଅସନ୍ତୋଷ ଝାଡ଼ିଲେ କେନ୍ଦ୍ରମନ୍ତ୍ରୀ; ସ୍ୱଚ୍ଛତା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ବାକି ଘର ମଞ୍ଜୁର କରିବେ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ରେ ବ୍ୟାପକ ଅନିୟମିତତା ହୋଇଛି। ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ଅମାତଙ୍କ ଉପସ୍ଥିତିରେ ଆଜି ସେ ଏପରି କହିଛନ୍ତି। ଗିରିରାଜ କହିଛନ୍ତି, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଆଦୌ ସ୍ୱଚ୍ଛତା ନାହିଁ। ବ୍ୟାପକ ଅନିୟମିତତା ହୋଇଛି। ଉପଯୁକ୍ତ ହିତାଧିକାରୀ ଘର ପାଇନାହାନ୍ତି। ବାତ୍ୟା ଫୋନି ଦ୍ୱାରା କ୍ଷତିଗ୍ରସ୍ତ ୩୭% ଲୋକଙ୍କୁ ଘର ମିଳିବାରେ ଗଡ଼ବଡ଼ି ହୋଇଛି। ସ୍ୱଚ୍ଛତା ରହିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ବାକି ଘର ମଞ୍ଜୁର ହେବ। ମନ୍ତ୍ରୀ ଯାଇ ତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ କହିବେ। ତା’ପରେ ସ୍ୱଚ୍ଛତା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ବାକି ୮ ଲକ୍ଷ ଘର ମଞ୍ଜୁର କରାଯିବ। ଆଜି ନୂଆଦିଲ୍ଲୀରେ ସମୀକ୍ଷା ବୈଠକ ବସିଥିଲା। ବୈଠକରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ, କେନ୍ଦ୍ର ଶିକ୍ଷା ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏଥିରେ ଆବାସ ଯୋଜନାରେ ଓଡ଼ିଶାରେ ହୋଇଥିବା ଦୁର୍ନୀତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବୈଠକ ପରେ ପ୍ରଦୀପ ଅମାତ କହିଥିଲେ, ରାଜ୍ୟ ସରକାର ଅନିୟମିତତା ନେଇ ଆକ୍ସନ ନେଇଛନ୍ତି। ୨୨ଜଣଙ୍କୁ ନିଲମ୍ବିତ କରାଯାଇଛି। ୪୪ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି। ୨୬୮ ଜଣଙ୍କ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅନୁସାରେ କାମ କରୁଛନ୍ତି। ଆଗାମୀ ଦିନରେ ଆମେ ସ୍ୱଚ୍ଛତାରେ କାମ କରିବୁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ୨୦୨୨ ମସିହା ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ଭାରତ ସରକାର ଟାର୍ଗେଟ ନେଇଥିଲେ। ହେଲେ ଏଥିରେ ଓଡ଼ିଶାରେ ଅନିୟମିତତା ହୋଇଛି। ୨୦୧୮ ମସିହାରେ ଆବସ ପ୍ଲସ୍‌ ପୋର୍ଟାଲ୍‌ ଖୋଲିବା ପରେ କୌଣସି କାରଣରୁ ଓଡ଼ିଶା ସରକାର ସେଥିରେ ନାଁ ଦେଇପାରିନଥିଲେ। ପରେ ଅର୍ଥାତ୍‌ ୨୦୧୯ ମସିହାରେ ବାତ୍ୟା ଫୋନି ଆସିଲା। ଫୋନି ପରେ ଆବାସ୍‌ ପୋର୍ଟାଲ୍‌ ପୁଣି ଥରେ ଖୋଲିଥିଲା। ସେଥିରେ ଯେଉଁସବୁ ନାଁ ଆସିଥିଲା, ତାକୁ ନେଇ ନାନା ଆପତ୍ତି ଓ ଅଭିଯୋଗ ଆସିଥିଲା। ଏହା ପରେ ସରକାର ଅନୁସନ୍ଧାନ କରାଯାଇଥିଲା। ତା’ ଉପରେ ଆଜି ଆଲୋଚନା ହୋଇଥିଲା। ସେ ଆହୁରି କହିଥିଲେ, ଚଳିତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମଗ୍ର ଦେଶ ପାଇଁ ୪୮ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ସେଥିରୁ ଓଡ଼ିଶା ପାଇଁ ରହିଛି ୭ ହଜାର କୋଟି ଟଙ୍କା। ଏଥିରେ ପାଖାପାଖି ୮ ଲକ୍ଷ ଘର ନିର୍ମାଣ ହେବ। ଏହାଛଡ଼ା ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଲକ୍ଷାଧିକ ହିତାଧିକାରୀଙ୍କ ନାଁ ଆବସ ପ୍ଲସ୍‌ ପୋର୍ଟାଲ୍‌ରେ ଯୋଡ଼ା ଯାଇପାରିବ। ଏହାର ଅର୍ଥ ମୋଟ୍‌ ୯ରୁ ୧୦ ଲକ୍ଷ ଘର ଓଡ଼ିଶାକୁ ମିଳିବାର ସମ୍ଭାବନା ରହିଛି। ସେଥିପାଇଁ ଟଙ୍କା ମଧ୍ୟ ଭାରତ ସରକାର ରଖିଛନ୍ତି। ଓଡ଼ିଶାର ଅନୁଭବକୁ ନେଇ ଭାରତ ସରକାର ଏଥିପାଇଁ ଗୁଡ଼ାଏ ପ୍ରାସଙ୍ଗିକ ସର୍ତ୍ତ ମଧ୍ୟ ରଖିଛନ୍ତି। ଅନେକ ସମୟରେ ଦେଖିବାକୁ ମିଳିଛି, ଘର ନିର୍ମାଣ ଆରମ୍ଭ ହେଉଛି, ମାତ୍ର ସମ୍ପୂର୍ଣ୍ଣ ହେଉନି। ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁ। ଭାରତ ସରକାର ଟଙ୍କା ପଠାଇ ଦେଇଛନ୍ତି, ହେଲେ ସେହି ଟଙ୍କା କାମରେ ଆସୁନି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଓଡ଼ିଶାର ଅଚ୍ଛେଦିନ୍‌ ଆସିଗଲା କହିଲେ ଗୃହମନ୍ତ୍ରୀ ଅମିତ ଶାହ…!

ଏଥର ସମ୍ଭାଳ ବ୍ୟୁରୋ(କଟକ)- ଓଡ଼ିଶାର ଅଚ୍ଛେଦିନ ଆସିଗଲା। ଓଡ଼ିଶାର ଜଣେ ଗରିବ ଆଦିବାସୀ ପରିବାରରେ ଜନ୍ମ ନେଇଥିବା ଦ୍ରୌପଦୀ ମୁର୍ମୁ ଆଜି ମହାମହିମ ରାଷ୍ଟ୍ରପତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆରବିଆଇ ଗଭର୍ଣ୍ଣର ଓଡ଼ିଶାର ଶକ୍ତିକାନ୍ତ ଦାସ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ, ଏ ସମସ୍ତେ ଓଡ଼ିଆ। ଆଜି ପର୍ଯ୍ୟନ୍ତ ଇତିହାସରେ ଏପରି କେବେ ବି ଏତେ ସଂଖ୍ୟକ ଓଡ଼ିଆ କେନ୍ଦ୍ରରେ ପ୍ରତିନିଧିତ୍ୱ କରିନାହାନ୍ତି। ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି।ଜୟ ଜଗନ୍ନାଥ କହି ଶ୍ରୀ ଶାହ ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ ସେ ଯେବେ ବି ଓଡ଼ିଶା ଆସନ୍ତି ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ କରିଥାନ୍ତି। ଆଜି ସମସ୍ତ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଦିନ ଥିଲା ସମ୍ବିଧାନ ସଭାରେ କେହିବି ଜନଜାତି ପ୍ରତିନିଧି ନ ଥିଲେ। ହେଲେ ସମୟ ବଦଳିଛି। ଏବେ ଓଡ଼ିଶା ମାଟିରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଆଜି ମହାମହିମ ରାଷ୍ଟ୍ରପତି ହୋଇଛନ୍ତି। ସାରା ଦେଶର ଆଦିବାସୀ ଓ ଗରିବଙ୍କ ପାଇଁ ଏହା ଗୌରବର କଥା। ଓଡ଼ିଶାର ଅଚ୍ଛେଦିନ୍ ଆସି ଯାଇଛି। ଅନେକ ଓଡ଼ିଆଙ୍କୁ କେନ୍ଦ୍ରରେ ପ୍ରତିନିଧିତ୍ୱ ସୁଯୋଗ ମିଳିଛି। ଓଡ଼ିଶା ଭିତରେ ବିକାଶର ଅପାର ସମ୍ଭାବନା ରହିଛି। ବିସ୍ତୀର୍ଣ୍ଣ ସମୁଦ୍ର ଓ ବେଳାଭୂମି ସାଙ୍ଗକୁ ବ୍ୟପାର ସୁଯୋଗ ଏବଂ ପୂରା ଓଡ଼ିଶାର ଭୂ-ଭାଗ ଖଣିଜ ସଂପଦରେ ଭରପୂର ରହିଛି। ତେଣୁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ସେ ଦେଖିପାରୁଛନ୍ତି। ପ୍ରଜାତନ୍ତ୍ର ପ୍ରତିଷ୍ଠାତା ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, ସେ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନ ଥିଲେ। ଦେଶ ସ୍ୱାଧୀନତା ହାସଲ ପରେ ମୁମ୍ବାଇର ଗଭର୍ଣ୍ଣର ହୋଇ ମୁଣ୍ଡ ଟେକିଥିବା ଗଣଆନ୍ଦୋଳନ ସମସ୍ୟାର ସମାଧାନ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ବିକାଶର କାମ ଓ ପ୍ରଜାତନ୍ତ୍ରର ମୁଖ୍ୟ ଭାବେ ସ୍ୱତନ୍ତ୍ର ପ୍ରହରୀ ଭାବେ କାମ କରିଥିଲେ। ତାଙ୍କ ପରେ ତାଙ୍କ ପୁଅ ତଥା ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ଏହି ରାସ୍ତାରେ ପାଦରଖି ଆଗେଇ ଚାଲିଛନ୍ତି। ଦେଶ ଅମୃତ ଉତ୍ସବ ପାଳନ କରୁଥିବା ବେଳେ ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବ ୭୫ ବର୍ଷ ପୂର୍ତ୍ତି ପାଳନ ଏକ ଉତ୍ତମ ସଂଯୋଗ। ୧୯୪୭ରେ ସର୍ଦ୍ଦାର ପଟେଲ ସମସ୍ତଙ୍କୁ ଭାରତୀୟ ସଂଘରେ ଯୋଡ଼ିବାର ଦାୟିତ୍ୱ ହରେକୃଷ୍ଣ ମହତାବଙ୍କୁ ଦେଇଥିଲେ। ସେବେଠାରୁ ସେ ହୀରାକୁଦ ନଦୀ ବନ୍ଧ ନିର୍ମାଣ, କେନ୍ଦ୍ର ମନ୍ତ୍ରୀର ଭୂମିକା ଓ ଓଡ଼ିଶାର କୃଷି ଓ ସଂସ୍କୃତିର ବିକାଶରେ ଯୋଗଦାନ ଦେଇଥିଲେ। ସଂସ୍କୃତିର ବିକାଶ ବିନା ବିକାଶ ଅଧୁରା। ଓଡ଼ିଶାର ସଂସ୍କୃତି ଖୁବ୍ ବଡ଼। ଭାଷା, ଗୀତ, ନାଟ୍ୟକଳା ଓ ସାହିତ୍ୟ ଏଠାର ଉତ୍କୃଷ୍ଟ। ହିନ୍ଦିକୁ ରାଜଭାଷାର ପରିଚୟ ଦେବା ନିମନ୍ତେ ସେ ଖୁବ୍ ପରିଶ୍ରମ କରିଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜାତନ୍ତ୍ରରୁ ସହସ୍ରାଧିକ କଲମକାର ସୃଷ୍ଟି ହୋଇଛନ୍ତି। କିଏ ସାହିତ୍ୟକାର ହୋଇଛି ତ କିଏ ପତ୍ରକାର ହୋଇଛି ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହ କହିଥିଲେ।

ବିଶ୍ୱ ରେକର୍ଡ;ଏକାସଙ୍ଗେ କୋଟିଏ ପିଲା ଗାଇଲେ ଦେଶାତ୍ମକବୋଧ ଗୀତ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବିଶ୍ୱ ରେକର୍ଡ କରିଛି ରାଜସ୍ଥାନ। ଦେଶରେ ଅମୃତ ମହୋତ୍ସବ ଚାଲିଥିବା ବେଳେ ରାଜସ୍ଥାନରେ ୧ କୋଟି ସ୍କୁଲ ପିଲା ଏକାସଙ୍ଗରେ ଦେଶାତ୍ମକବୋଧ ଗୀତ ଗାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲର ପିଲା ସାମିଲ ହୋଇଥିଲେ। ପୂରା ରାଜ୍ୟରେ ୧ କୋଟି ପିଲା ସକାଳ ୧୦.୧୫ରୁ ୧୦.୪୫ ଯାଏ ବିଭିନ୍ନ ଦେଶାତ୍ମକବୋଧ ଗୀତ ଗାନ କରି ବିଶ୍ୱ ରେକର୍ଡ କରିଥିବା ରାଜସ୍ଥାନ ସରକାର ସୂଚନା ଦେଇଛନ୍ତି। ସରକାରଙ୍କ କହିବା କଥା, ଜୟପୁରର ଏସ୍‌ଏମଏସ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ୨୫ରୁ ୩୦ ହଜାର ସ୍କୁଲ ପିଲା ସାମିଲ ହୋଇଥିଲେ। ଷ୍ଟାଡିମୟରେ ପିଲାମାନଙ୍କ ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ରାଜ୍ୟ ଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ବିଭାଗ ସହ ଜଡ଼ିତ ଅଧିକାରୀମାନେ ଉପସ୍ଥିତ ରହିଥିଲେ। କେବଳ ଜୟପୁର ନୁହେଁ, ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଗୋଟିଏ ସମୟରେ ସମାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲେ। ସେସବୁ କାର୍ଯ୍ୟକ୍ରମରେ ମଧ୍ୟ ଲକ୍ଷାଧିକ ପିଲା ସାମିଲ ହୋଇଥିଲେ। ସ୍ୱାଧୀନତାର ଅମୃତ ମହୋତ୍ସବ ଅଧୀନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ମୋଟ କୋଟିଏ ସ୍କୁଲ ପିଲା ଯୋଗ ଦେଇ ଦେଶ ପାଇଁ ଗୀତ ଗାଇଛନ୍ତି। ସେମାନେ ସକାଳ ୧୦.୧୫ରୁ ୧୦.୪୫ ଯାଏ ମିଳିତ ଭାବେ ବନ୍ଦେ ମା’ ତରମ, ଜାତୀୟ ସଂଗୀତ ଜନ ଗଣ ମନ, ସାରେ ଜାହାନସେ ଆଚ୍ଛା ଓ ହମ ହୋଙ୍ଗେ କାମିୟାବ ଭଳି ଏକାଧିକ ଦେଶାତ୍ମକବୋଧ ଗୀତ ବୋଲିଛନ୍ତି। ବିଶ୍ୱର କୌଣସି ପ୍ରାନ୍ତରେ ଏକକାଳୀନ ଏତେ ପିଲା ଏକାଠି ଦେଶାତ୍ମକବୋଧ ଗୀତ ପରିବେଷଣ କରି ନଥିଲେ। ହେଲେ ରାଜସ୍ଥାନର ପିଲାମାନେ ଗୋଟିଏ ଅସାଧାରଣ କାମ କରି ବିଶ୍ୱ ରେକର୍ଡ କରିଛନ୍ତି। ବିଶ୍ୱ ରେକର୍ଡ ପାଇଁ ୱାର୍ଲ୍ଡ ବୁକ ଅଫ ରେକର୍ଡସର ଉପ ସଭାପତି ପ୍ରଥମ ଭଲ୍ଲା ନିଜେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଗୋଟିଏ ପ୍ରମାଣପତ୍ର ଦେଇଛନ୍ତି। ଗେହଲଟ ମଧ୍ୟ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଥିବା ରାଜ୍ୟ ଶିକ୍ଷା ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି।

ମୁଡ ଅଫ ଦି ନେଶନ ; ଏନଡିଏ ୨.୦ର ନୀତି ବଡ଼ ବଡ଼ ବ୍ୟବସାୟକୁ ଫାଇଦା ଦେଉଛି….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କ୍ରମାଗତ ଦୁଇଥର ପାଇଁ କେନ୍ଦ୍ରରେ ସରକାର ଗଠନ ବିଜେପି ନେତୃତ୍ୱାଧୀନ ଏନଡିଏର ବିଭିନ୍ନ ଆର୍ଥିକ ନୀତି ଦ୍ୱାରା ବଡ଼ବଡ଼ ବ୍ୟବସାୟୀ ଓ ବ୍ୟବସାୟ ଅଧିକ ଲାଭ ପାଉଛନ୍ତି। ସେମାନଙ୍କ ତୁଳନାରେ ସାଧାରଣ ଲୋକ ଓ କୃଷକମାନେ ବହୁତ କମ ଲଭା ପାଉଥିବା ମୁଡ ଅଫ ଦି ନେଶନ ସର୍ଭେରୁ ସ୍ପଷ୍ଟ ହୋଇଛି। ଜାତୀୟ ଗଣମାଧ୍ୟମ ଇଣ୍ତିଆ ଟୁଡେ ଓ ସି ଭୋଟର ପକ୍ଷରୁ ମୁଡ ଅଫ ଦି ନେଶନ ସର୍ଭେ କରାଯାଇଥିଲା। ଏଥିରେ ଭାଗ ନେଇଥିବା ୫୧% ଲୋକଙ୍କ ମତ ହେଲା ଏନଡିଏ ୨.୦ରେ ପ୍ରଚଳିତ ଆର୍ଥିକ ନୀତି ଗୁଡ଼ିକ ବଡ଼ବଡ଼ ବ୍ୟବସାୟକୁ ଫାଇଦା ଦେଉଛି। ବଡ଼ ବ୍ୟବସାୟୀଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ନୀତି ପ୍ରଣୟନ କରୁଛନ୍ତି। ସେହିପରି ୧୦% ଲୋକ ଏନଡିଏ ସରକାରଙ୍କ ନୀତି ଛୋଟଛୋଟ ବ୍ୟବସାୟକୁ ଫାଇଦା ଦେଇଥିବା କହିଛନ୍ତି। ଏହାବାଦ ୯% ଲୋକଙ୍କ ମତ ହେଲା ଦରମା ପାଉଥିବା ଲୋକମାନେ ମୋଦି ସରକାରଙ୍କ ନୀତିରେ ଲାଭବାନ ହେଉଛନ୍ତି। ଏନଡିଏ ସରକାରଙ୍କ ନୀତି ଦ୍ୱାରା ଚାଷୀମାନେ ଫାଇଦା ପାଉଛନ୍ତି ବୋଲି ସର୍ଭେରେ ସାମିଲ ଥିବା ମାତ୍ର ୯% ଲୋକ ମତ ଦେଇଛନ୍ତି। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଦେଶର ଅର୍ଥନୀତିକୁ କେମିତି ପରିଚାଳନା କରୁଛି, ସେକଥା ଜାଣିବା ପାଇଁ ମଧ୍ୟ ମୁଡ ଅଫ ଦି ନେଶନ ସର୍ଭେ ଜରିଆରେ ଉଦ୍ୟମ କରାଯାଇଥିଲା। ବର୍ତ୍ତମାନ ଦରଦାମ ବଢ଼ୁଥିବା ବେଳେ ବେକାରୀ ସମସ୍ୟା ଉତ୍କଟ ସ୍ଥିତିରେ ପହଞ୍ଚିଛି। ଏହା ସତ୍ତ୍ୱେ କେନ୍ଦ୍ର ସରକାର ଦେଶର ଅର୍ଥନୀତିକୁ ଭଲ ଭାବେ ପରିଚାଳନା କରୁଥିବା ୪୮% ଲୋକ ମତ ଦେଇଛନ୍ତି। ସେହିପରି ୨୯% ଲୋକ କେନ୍ଦ୍ରର ଆର୍ଥିକ ପରିଚାଳନାକୁ ଖରାପ ବୋଲି କହିଛନ୍ତି। ୨୦୨୧ ଜାନୁଆରୀ ମାସ ତୁଳନାରେ ବର୍ତ୍ତମାନର ଜନମତ ଏନଡିଏ ସରକାରଙ୍କ ପାଇଁ ଚିନ୍ତାର ବିଷୟ ଭାବେ ଉଭା ହୋଇଛି। କାରଣ ସେତେବେଳେ ୬୭% ଲୋକ କେନ୍ଦ୍ର ସରକା ଠିକ୍‌ ଭାବେ ଦେଶର ଅର୍ଥନୀତିକୁ ପରିଚାଳନା କରୁଥିବା କହିଥିଲେ। କେବଳ ୧୦% ଲୋକ ଏହାକୁ ଖରାପ କହିଥିଲେ। ହେଲେ ଏବେ ଏହା ହ୍ରାସ ପାଇ ୪୮%ରେ ପହଞ୍ଚି ଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପ୍ରାୟ ୨୦ ମାସ ପରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏନଡିଏର ଆର୍ଥିକ ନୀତି ଉପରେ ପ୍ରଶ୍ନ ଉଠିବା ବିଜେପି ହାଇକମାଣ୍ଡଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।