ତେଜସ୍ୱୀଙ୍କୁ ଜଗିବେ ୫୫ ଜଣ ସୁରକ୍ଷା କର୍ମୀ, ମିଳିଲା ବୁଲେଟପ୍ରୁଫ କାର …!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବିହାରରରେ ନୂଆ ଉପମୁଖ୍ୟମନ୍ତ୍ରୀ ହେବା ପରେ ତେଜସ୍ୱୀ ଯାଦବଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ତେଜସ୍ୱୀ ଯାଦବଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି। ଏଥିସହ ତେଜସ୍ୱୀଙ୍କୁ ଏକ ବୁଲେଟ ପ୍ରୁଫ କାର ଯୋଗାଇ ଦିଆଯାଇଛି।  ସୁରକ୍ଷା କମିଟିର ସୁପାରିଶ ପରେ ତେଜସ୍ୱୀଙ୍କୁ ଏହି ସୁରକ୍ଷା ମଳିଛି। କୁହାଯାଉଛି ତେଜସ୍ୱୀଙ୍କୁ ଗୃହ ବିଭାଗର ମନ୍ତ୍ରୀପଦ ମିଳିପାରେ।  ଏହି ବିଭାଗ ସୁରକ୍ଷା ବ୍ୟାପାର ଦାୟିତ୍ୱରେ କାମ କରୁଛି। ଜେଡ ପ୍ଲସ ପର୍ଯ୍ୟାୟ ହେଉଛି ଦେଶର ଦ୍ୱିତୀୟ ବୃହତମ ସୁରକ୍ଷା ବ୍ୟବସ୍ଥା। ଏହି ବ୍ୟବସ୍ଥାରେ  ମୋଟ ୫୫ ଜଣ ସୁରକ୍ଷା ଦାୟିତ୍ୱରେ ରୁହନ୍ତି।  ସେଥିରେ ୧୦ ଜଣ ଜାତୀୟ ସୁରକ୍ଷା କର୍ମୀ(ଏନଏସଜି), କମାଣ୍ଡୋ ଏବଂ ଅନ୍ୟ ପୁଲିସ କର୍ମୀ ନିୟୋଜିତ ରହିବେ।  ପ୍ରତ୍ୟେକ କମାଣ୍ଡୋ କରାଟେ କଳାରେ ପାରଙ୍ଗମ। ତେବେ ଅଗଷ୍ଟ ୧୫ରେ ବିହାର ନୂଆ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ  ହୋଇପାରେ।କୁହାଯାଉଛି ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ତେଜ ପ୍ରତାପ ପୁଣିଥରେ  ସମାନ ପୋର୍ଟଫୋଲିଓ ଦାବି କରିଛନ୍ତି।  ତେଜ ପ୍ରତାପ ହେଉଛନ୍ତି ଲାଲୁ ପ୍ରସାଦଙ୍କ ବଡ଼ ପୁଅ। ସୂଚନା ଅନୁଯାୟୀ, ବିଜେପି ସହ ସମ୍ପର୍କ ତୁଟାଇ ପୁଣି ଥରେ ଆରଜେଡି ସହ ହାତମିଳାଇ ବିହାରରରେ ମହାଗଠବନ୍ଧନ ସରକାର ଗଢ଼ିଛନ୍ତି ଜେଡିୟୁର ନୀତୀଶ କୁମାର । ବିଜେପି ହାତ ଛାଡ଼ିବା ପରେ ଆରଜେଡି ଓ କଂଗ୍ରେସ ସହ ୭ଟି  ଦଳର ସମର୍ଥନରେ ରାଜ୍ୟରେ ନୂଆ ମହାମେଣ୍ଟ ସରକାରର ଶାସନ ଆରମ୍ଭ କରିଛନ୍ତି ନୀତୀଶ କୁମାର । ଗତକାଲି  ସେ ରେକର୍ଡ ଅଷ୍ଟମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା  ବେଳେ ଆରଜେଡିର ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ପାଇଁ ହୋଇଛନ୍ତି ଡେପୁଟି ମୁଖ୍ୟମନ୍ତ୍ରୀ।   ତେବେ ଶପଥ ଗ୍ରହଣ ଉତ୍ସବରେ ମନ୍ତ୍ରିମଣ୍ଡଳର ଅନ୍ୟ କୌଣସି  ସଦସ୍ୟ ଶପଥ ନେଇନାହାନ୍ତି ।

କେନ୍ଦ୍ର ଗରିବଙ୍କ ଉପରେ ଟ୍ୟାକ୍ସ ଭିଡ଼ୁଛି, ଧନୀଙ୍କୁ ଋଣ ଛାଡ଼ୁଛି – କେଜ୍ରିୱାଲ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)-  ମାଗଣା ବଣ୍ଟନକୁ କେନ୍ଦ୍ର ବିରୋଧ କରିଆସୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଏହାର ପାଲଟା ଜବାବ ଦେଇଛନ୍ତି।  କେନ୍ଦ୍ରକୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି ଯେ, ସରକାର କର୍ପୋରେଟଙ୍କ ଫାଇଦାରେ ଅଛନ୍ତି। ଦେଶର ସୁପର ଧନୀମାନଙ୍କର ୧୦ ଲକ୍ଷ କୋଟି  ଟଙ୍କା ଋଣ ଏବଂ ୫ ଲକ୍ଷ କୋଟି ଟଙ୍କାର  ଟ୍ୟାକ୍ସ ଛାଡ଼ କରିଛନ୍ତି।  କିନ୍ତୁ ଗରିବମାନଙ୍କ ଉପରେ ଟ୍ୟାକ୍ସ ଭିଡ଼ୁଛନ୍ତି।  ଏପରିକି ଗରିବରୁ ଅତି ଗରିବ ଶ୍ରେଣୀର ଲୋକେ ମଧ୍ୟ ଟ୍ୟାକ୍ସ ଦେଉଛନ୍ତି।  ଯେତେବେଳେ ସେମାନେ ଚାଉଳ କିମ୍ବା ଗହମ କିଣୁଛନ୍ତି ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ୁଛି।  କେନ୍ଦର ଏମିତି କଣ ସ୍ଥିତିରେ ପହଞ୍ଚିଛି  ଯେ, ଗରିବରୁ ଅତି ଗରିବ ଶ୍ରେଣୀର ଲୋକଙ୍କ ଉପରେ ଟ୍ୟାକ୍ସ ଲଗାଉଛି। ସେହିପରି ଫୁଡ୍‌ ଆଇଟମରେ ଟ୍ୟାକ୍ସ ଲାଗିବା, ଏମଜିଏନଆଇଜିଏ ଫଣ୍ଡରେ ୨୫ ପ୍ରତିଶତ ଅର୍ଥ ପ୍ରତ୍ୟାହାର କରିବାକୁ ନେଇ କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ସାହିପରି ଗତକାଲି ଗୁଜରାଟ ଗସ୍ତ ବେଳେ ଯଦି ଗୁଜରାଟରେ ଆମ ଆଦମୀ ପାର୍ଟି(ଆପ) ସରକାର  ଆସେ ତେବେ ମହିଳାମାନଙ୍କୁ ମାସିକ ଭତ୍ତା ମିଳିବ ବୋଲି କହିଥିଲେ । ରାଜ୍ୟର ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଭତ୍ତା ମିଳିବ। ଏହି ୧୦୦୦ ଟଙ୍କା ରେବିଡ଼ି(ମାଗଣା ବଣ୍ଟନ) ନୁହଁ ବୋଲି କେଜ୍ରିୱାଲ କହିଛନ୍ତି। ଏହା ହେଉଛି ଆପଣଙ୍କ ଅଧିକାର । ଲୋକଙ୍କ ଅର୍ଥ ଲୋକଙ୍କ ପାଖକୁ ଯିବା ଉଚିତ। ଏହା ସ୍ୱିସ ବ୍ୟାଙ୍କକୁ ଯିବା ଉଚିତ ନୁହଁ ବୋଲି କେଜ୍ରିୱାଲ କହିଛନ୍ତି।

ଉପ ରାଷ୍ଟ୍ରପତି ହେବାକୁ ଚାହୁଁଥିଲେ କି ନୀତୀଶ କୁମାର? ଜବାବ ଦେଲେ ବିହାର ମୁଖ୍ୟମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବିଜେପି ସମର୍ଥନରେ ଦେଶର ରାଷ୍ଟ୍ରପତି ହେବାକୁ ଚାହୁଁଥିଲେ ନୀତୀଶ କୁମାର। ଏଥିପାଇଁ ଜେଡିୟୁର କିଛି ନେତାଙ୍କ ଜରିଆରେ ଲବି ମଧ୍ୟ ଚଳାଇଥିଲେ। ହେଲେ ଏହା ସମ୍ଭବ ନ ହେବାରୁ ସେ ବିଜେପି ହାତ ଛାଡ଼ି ଦେଇଛନ୍ତି। ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁଶୀଲ ମୋଦିଙ୍କ ଏପରି ଦାବିକୁ ନେଇ ହଇଚଇ ସୃଷ୍ଟି ହୋଇଛି। ତେବେ ସୁଶୀଲ ମୋଦିଙ୍କ ଏପରି ଦାବିକୁ ଖଣ୍ଡନ କରିଛନ୍ତି ନିଜେ ନୀତୀଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ଭାବେ ୮ମ ଥର ପାଇଁ ଶପଥ ନେବା ପରେ ଆଜି ନୀତୀଶ କୁମାର କହିଛନ୍ତି, “ଆମେ(ଜେଡିୟୁ) ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛୁ। ମୁଁ ଉପ ରାଷ୍ଟ୍ରପତି ହେବାକୁ ଚାହୁଁଥିଲି ବୋଲି ଏବେ କିଛି ଲୋକ ଦାବି କରିବା କେବଳ ଗୋଟିଏ ଜୋକ।” ବୁଧବାର ସୁଶୀଲ ମୋଦି କହିଥିଲେ ଯେ “ଜନତା ଦଳ ୟୁନାଇଟେଡ(ଜେଡିୟୁ)ର କିଛି ନେତା ମୋ ପାଖକୁ ଆସି ନୀତୀଶ କୁମାରଙ୍କୁ ଉପ ରାଷ୍ଟ୍ରପତି କରିବାକୁ ପ୍ରସ୍ତାବ ଦେଇଥିଲେ। ସେ ଉପ ରାଷ୍ଟ୍ରପତି ହେଲେ ମୁଁ ବିହାର ମୁଖ୍ୟମନ୍ତ୍ରୀ ଭାବେ କାମ କରିବାର ସୁଯୋଗ ପାଇବି ବୋଲି ମଧ୍ୟ ସେମାନେ କହିଥିଲେ।” ସୁଶୀଲ ମୋଦିଙ୍କ ଏପରି ଦାବିକୁ ଗତକାଲି ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ମଧ୍ୟ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ “କିଛି ମିଡିଆ ରିପୋର୍ଟରେ ପ୍ରକାଶ ପାଇଥିଲେ ଯେ ନୀତୀଶ କୁମାର ବିରୋଧୀ ମେଣ୍ଟର ରାଷ୍ଟ୍ରପତି କିମ୍ବା ଉପ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ପାରନ୍ତି। ଯଦି ସେମିତି କିଛି ଯୋଜନା ରହିଥାଆନ୍ତା, ତା’ହେଲେ ବିଜେପି ସହ ଆମେ ସମ୍ପର୍କଚ୍ଛିନ୍ନ କରି ଦେଇଥାଆନ୍ତୁ। ହେଲେ ଜେଡିୟୁ ସେପରି କୌଣସି ସମ୍ଭାବନା ନଥିବା ସେତେବେଳେ କହିଥିଲା ଓ ଏବେ ବି କହୁଛି। ସେମାନେ(ବିଜେପି) କେବଳ କାହାଣୀ ତିଆରି କରୁଛି।”

ମେସ ଖାଦ୍ୟର ଗୁମର ଖୋଲିଲେ କନଷ୍ଟେବଲ; କହିଲେ- ଏମିତି ଖାଇବା କୁକୁର ବି ଖାଇବେନି….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପୁଲିସ୍ କର୍ମଚାରୀଙ୍କୁ ଉତ୍ତର ପ୍ରଦେଶରେ କେମିତି ଖାଇବାକୁ ଦିଆଯାଉଛି, ତା’ର ଗୁମର ଖୋଲିଛନ୍ତି ଜଣେ କନଷ୍ଟେବଲ। ଫିରୋଜାବାଦରେ କାମ କରୁଥିବା ଜଣେ କନଷ୍ଟେବଲ ବୁଧବାର ରାସ୍ତାରେ ଛିଡ଼ା ହୋଇ ମେସରେ ନିମ୍ନମାନର ଖାଇବା ଦିଆଯାଉଥିବା ଅଭିଯୋଗ କରିଛନ୍ତି। ସେ କାନ୍ଦିବା ସହ ଥାଳି ବାଡ଼େଇ ନିଜର ଯନ୍ତ୍ରଣା ବଖାଣିଛନ୍ତି। ଏହାର ଭିଡିଓ ମଧ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାମ୍ନାକୁ ଆସିଥିବା ଭିଡିଓରେ କନଷ୍ଟେବଲ ମନୋଜ କୁମାର ରାସ୍ତାରେ ଗୋଟିଏ ଥାଳି ଧରି ଛିଡ଼ା ହୋଇଛନ୍ତି। ଏଥିରେ କିଛି ରୁଟି, ଭାତ ଓ ଡାଲି ରହିଛି। ଏହାକୁ ସେ ଲୋକଙ୍କୁ ଦେଖାଇ ମେସ୍‌ରେ କେମିତି ନିମ୍ନମାନର ଖାଇବା ଦିଆଯାଉଛି, ସେକଥା କହିଛନ୍ତି। ସେ କାନ୍ଦିକାନ୍ଦି ଏପରି କହୁଥିବା ବେଳେ ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ଭିତରକୁ ଆସିବା ପାଇଁ କହୁଥିବା ଦେଖିବାକୁ ମିଳିଛି। ହେଲେ ସେ କିଛି ଶୁଣିବା ପରିସ୍ଥିତିରେ ନଥିବା ଭଳି ଲାଗୁଛି। ଲୋକମାନେ ମନୋଜଙ୍କ ଏପରି ଆଚରଣ ଦେଖି ଭିଡ଼ ଜମାଇଥିଲା। ମନୋଜ ଖାଦ୍ୟକୁ ଦେଖାଇ ଲୋକଙ୍କୁ କହିଛନ୍ତି ଯେ “ମୁଁ ଏସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ କହିଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ମୁଁ ଅଭିଯୋଗ କଲେ ମୋତେ ଚାକିରିରୁ ବାହାର କରିଦେବାର ଧମକ ଦିଆଯାଉଛି। ପୁଲିସ୍‌ କର୍ମଚାରୀଙ୍କୁ ଉପଯୁକ୍ତ ଡାଏଟ ପାଇଁ ଭତ୍ତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରି ସାରିଛନ୍ତି। ହେଲେ ଆମକୁ ଦୀର୍ଘ ଘଣ୍ଟାର ଡ୍ୟୁଟି ପରେ ଏମିତି ଖାଦ୍ୟ ଦିଆଯାଉଛି। ଯଦି ପୁଲିସ୍ କର୍ମଚାରୀଙ୍କୁ ଏମିତି ଖାଇବା ଦିଆଯିବ, ତା’ହେଲେ ସେମାନେ କେମିତି ଦୀର୍ଘ ଘଣ୍ଟା କାମ କରିବେ?”ମନୋଜ କୁମାର ଥାଳି ଧରି ଆହୁରି ଲୋକମାନଙ୍କୁ କହୁଛନ୍ତି ଯେ “ଏଗୁଡ଼ିକୁ କୁକୁରଙ୍କୁ ଦେଲେ ସେମାନେ ମଧ୍ୟ ଖାଇବେନି। ତୁମ ପିଲାମାନେ କ’ଣ ଏମିତି ଖାଦ୍ୟ ଖାଇପାରିବେ? ୧୨ ଘଣ୍ଟା ଡ୍ୟୁଟି ପରେ ଆମକୁ ଏମିତି ଖାଇବା ମିଳୁଛି। ମୋ କଥା କେହି ଶୁଣୁ ନାହାନ୍ତି। ଏଠି ମୋର କେହି ନାହାନ୍ତି। ” ମନୋଜ କୁମାର ଏପରି ଅଭିଯୋଗ କରିବା ପରେ ତାଙ୍କ ଉପରେ ଦୋଷ ଲଦିଛି ଫିରୋଜାବାଦ ପୁଲିସ୍‌। ପୁଲିସ୍‌ ଟ୍ୱିଟ କରି କହିଛି ଯେ ପୂର୍ବରୁ ମଧ୍ୟ ମନୋଜ କୁମାର ଅନେକ ଥର ଶୃଙ୍ଖଳା ଭଙ୍ଗ କରିବାର ନଜିର ରହିଛି। ଅନିୟମିତତା ଓ ଅବେହେଳା ପାଇଁ ସେ ୧୫ଥର ଦଣ୍ଡ ପାଇ ସାରିଛନ୍ତି। ତେବେ ସେ ଆଣିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରାଯାଇଛି।

ଦେଶର ଚତୁର୍ଦ୍ଦଶ ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ ଧନଖଡ଼….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଆଜି ଦେଶର ଉପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ତାଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି। ଏଥିସହ ଧନଖଡ଼ ଦେଶର ଚତୁର୍ଦ୍ଦଶ ଉପ ରାଷ୍ଟ୍ରପତି ହୋଇଛନ୍ତି। ଉପ ରାଷ୍ଟ୍ରପତି ନିର୍ବାଚନର ଧନଖଡ଼ଙ୍କୁ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ବେଶ ସହଜରେ ବିରୋଧୀ ମେଣ୍ଟର ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଥିଲେ। ଅଗଷ୍ଟ ୬ରେ ସେ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଆଜି ଶପଥ ଗ୍ରହଣ କରିଛନ୍ତି।ଧନଖଡ଼ଙ୍କ ଶପଥପାଠ ଉତ୍ସବ ପାଇଁ ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳର ନେତାମାନେ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେହପରି ବିଦାୟୀ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଉପସ୍ଥିତ ରହିଥିଲେ। ଶ୍ରୀ ଧନଖଡ଼ ଉପ ରାଷ୍ଟ୍ରପତି ନିର୍ବାଚନରେ ମୋଟ ୫୨୮ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ମାର୍ଗାରେଟ ୧୮୨ ଖଣ୍ଡ ଭୋଟ ପାଇଥିଲେ। ଧନଖଡ଼ଙ୍କ ଭୋଟ ଭାଗ ୭୪.୩୬% ରହିଥିଲା। ୧୯୯୭ ପରଠାରୁ ନିର୍ବାଚିତ ହୋଇଥିବା ୬ ଜଣ ଉପ ରାଷ୍ଟ୍ରପତିଙ୍କ ମଧ୍ୟରେ ଧନଖଡ଼ଙ୍କ ସର୍ବବୃହତ୍ତ ବ୍ୟବଧାନରେ ତାଙ୍କ ପ୍ରତିପକ୍ଷଙ୍କୁ ହରାଇବାର ରେକର୍ଡ ମଧ୍ୟ କରିଛନ୍ତି। ନିର୍ବାଚନରେ ଟିଏମସିର ୩୪ ଜଣ ସାଂସଦ ଭୋଟ ଦେଇ ନଥିଲେ। ସେହିପରି ମୋଟ ଉପରେ ୫୫ ଜଣ ସାଂସଦ ଉପ ରାଷ୍ଟ୍ରପତି ନିର୍ବାଚନରେ ବିଭିନ୍ନ କାରଣରୁ ଭୋଟ ଦେଇ ପାରି ନଥିଲେ। ୧୯୫୧ ମସିହା ମେ’ ୧୮ରେ ଜନ୍ମ ଗ୍ରହଣ କରିଥିବା ୭୧ ବର୍ଷୀୟ ଜଗଦୀପ ଧନଖଡ଼ଙ୍କ ଘର ରାଜସ୍ଥାନରେ। ସେ ସୈନିକ ସ୍କୁଲରେ ପାଠପଢ଼ିଥିଲେ। ସେ ରାଜସ୍ଥାନ ବିଶ୍ୱବିଦ୍ୟାଳରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏଲ୍‌ଏଲ୍‌ବି କରିଥିଲେ। ଆଡ୍‌ଭୋକେଟ୍ ଭାବେ କ୍ୟାରିୟର ଆରମ୍ଭ କରିଥିବା ଧଡ଼ଖଡ଼ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅନେକ ମାମଲା ଲଢ଼ିଛନ୍ତି। ୧୯୮୯ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଜନତା ଦଳ ଟିକେଟ୍‌ରେ ସେ ରାଜସ୍ଥାନର ଝୁନ୍‌ଝୁନୁ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ତାଙ୍କର ଏହି କାର୍ଯ୍ୟକାଳ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ରହିଥିଲା। ଏହା ମଧ୍ୟରେ ୧୯୯୦ରୁ ୧୯୯୧ ପର୍ଯ୍ୟନ୍ତ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ୧୯୯୩ରେ ସେ କିଶନଗଡ଼ରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ବିଧାୟକ ରହିଥିଲେ। ଜନତା ଦଳ ଓ କଂଗ୍ରେସ ସହିତ ସଂଶ୍ଲୀଷ୍ଟ ଥିବା ଶ୍ରୀ ଧନଖଡ଼ ୨୦୦୮ରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ୨୦୨୨ରେ ଉପ ରାଷ୍ଟ୍ରପତି ପ୍ରାର୍ଥୀ ହେବାରୁ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ।

ଲୋକପ୍ରିୟତାରେ ନୀତୀଶ କୁମାରଙ୍କ ଠାରୁ ଯଥେଷ୍ଟ ଆଗରେ ତେଜସ୍ୱୀ…!

ଏଥର ସମ୍ଭାଳ ବ୍ୟୁରୋ(ପାଟନା)- ବିଜେପି ଠାରୁ ଅଲଗା ହେବା ପରେ ନୀତୀଶ କୁମାର ଆରଜେଡିକୁ ସାଥୀ କରି ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଜେଡିୟୁ ତୁଳନାରେ ଆରଜେଡିର ବିଧାୟକଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ଅଧିକ। ତଥାପି ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଓ ଆରଜେଡିର ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଛନ୍ତି। ଏହି ରାଜନୀତିକ ହଟଚମଟ ଭିତରେ କିଏ ବେଶୀ ଲାଭରେ ରହିଲା? ଆରଜେଡି ନା ଜେଡିୟୁ? ସେହିପରି କାହାର ଲୋକପ୍ରିୟତା ବିହାରରେ ଅଧିକ ରହିଛି? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ସି-ଭୋଟର ପକ୍ଷରୁ ଗୋଟିଏ ସର୍ଭେ କରାଯାଇଛି। ଏହି ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ବିହାରରେ ତେଜସ୍ୱୀ ଯାଦବଙ୍କ ଲୋକପ୍ରିୟତା ନୀତୀଶ କୁମାରଙ୍କ ଠାରୁ ଅଧିକ। ଅଧିକାଂଶ ଲୋକ ତେଜସ୍ୱୀଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ସେହିପରି ବିଜେପି ଏମାନଙ୍କ ଠାରୁ ମୁଖ୍ୟମନ୍ତ୍ରୀ ରେସ୍‌ରେ ଯଥେଷ୍ଟ ପଛରେ ରହିଛି। ସି-ଭୋଟର ସର୍ଭେ ଅନୁସାରେ, ରାଜ୍ୟର ୪୩% ଲୋକ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ମାତ୍ର ୨୪% ଲୋକ ନୀତୀଶ କୁମାରଙ୍କୁ ସେମାନଙ୍କ ପ୍ରଥମ ପସନ୍ଦର ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି। ଏହି ରେସ୍‌ରେ ବିଜେପି ୧୯% ଜନମତ ପାଇଛି। ତେଜସ୍ୱୀ ଯାଦବଙ୍କ ଲୋକପ୍ରିୟତା ବଢ଼ିବା ଓ ନୀତୀଶ କୁମାରଙ୍କ ଲୋକପ୍ରିୟତା ହ୍ରାସ ପାଇବା, ଜେଡିୟୁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସର୍ଭେ ବେଳେ ଜଣାପଡ଼ିଛି ଯେ ସମାଜର ପ୍ରତିଟି ବର୍ଗର ଲୋକମାନଙ୍କ ମଧ୍ୟରେ ତେଜସ୍ୱୀ ଯାଦବଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ରାଜ୍ୟର ୪୧.୮% ପୁରୁଷ ଭୋଟର ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ୨୩.୮% ପୁରୁଷ ନୀତୀଶ କୁମାର ଓ ୧୯.୬% ବିଜେପିର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାହୁଁଛନ୍ତି। ୨୦୨୦ରେ ନୀତୀଶ କୁମାରଙ୍କ ଲୋକପ୍ରିୟତା ମହିଳାମାନଙ୍କ ମଧ୍ୟରେ ଯଥେଷ୍ଟ ଅଧିକ ଥିଲା। ହେଲେ ସେମାନେ ମଧ୍ୟ ଏବେ ନୀତୀଶ କୁମାରଙ୍କ ଠାରୁ ମୁହଁ ଫେରାଇ ନେଲେଣି। ରାଜ୍ୟର ୪୪% ମହିଳା ତେଜସ୍ୱୀଙ୍କୁ ସେମାନଙ୍କ ପ୍ରଥମ ପସନ୍ଦର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ମତ ରଖିଛନ୍ତି। ଏ କ୍ଷେତ୍ରରେ ନୀତୀଶ କୁମାରଙ୍କୁ ୨୩.୩ ମହିଳା ଭୋଟର ସମର୍ଥନ କରିଛନ୍ତି। ବିଜେପି ପୁଣିଥରେ ତୃତୀୟରେ ରହିଛି। ବିହାରର ୧୭.୫% ମହିଳା ବିଜେପିର ମୁଖ୍ୟମନ୍ତ୍ରୀ ରାଜ୍ୟରେ ରୁହନ୍ତୁ ବୋଲି ମତ ଦେଇଛନ୍ତି। ଯଦି ଆପଣ ଜାତିଭିତ୍ତିକ ଲୋକପ୍ରିୟତାକୁ ବିଚାର କରିବେ ଏଠାରେ ମଧ୍ୟ ତେଜସ୍ୱୀ ଠାରୁ ନୀତୀଶ କୁମାର ପଛରେ ରହିଛନ୍ତି। ଓବିସି ବର୍ଗରେ ୪୪.୬% ଲୋକ ତେଜସ୍ୱୀଙ୍କୁ ସମର୍ଥନ କରିଥିବା ବେଳେ ନୀତୀଶ କୁମାରଙ୍କ ସପକ୍ଷରେ ୨୪.୭% ଲୋକ ରହିଛନ୍ତି। ବିଜେପି ଭାଗରେ ୧୨.୪% ଓବିସି ଲୋକଙ୍କ ସମର୍ଥନ ରହିଛି। ମୁସଲିମ ସଂପ୍ରଦାୟର ୫୪% ଲୋକ ତେଜସ୍ୱୀଙ୍କୁ ଓ ୩୦% ଲୋକ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। କେବଳ ୩.୩% ମୁସଲିମ ଭୋଟର ବିଜେପି ସପକ୍ଷରେ ରହିଛନ୍ତି।

ବଲାଙ୍ଗିରରେ ଆରମ୍ଭ ହେଲା ‘ସୁକୁନ’ କାର୍ଯ୍ୟକ୍ରମ…!

ଏଥର ସମ୍ଭାଳ ବ୍ୟୁରୋ(ବଲାଙ୍ଗିର)- ଗରିବ ମୁହଁରେ ଫୁଟିବ ହସ। ଏଣିକି ସେମାନଙ୍କୁ ମିଳିବ ମାଗଣା ପୋଷାକ। ବଲାଙ୍ଗିର ସେଞ୍ଚୁରିଆନ୍ ୟୁନିଭର୍ସିଟି ଓ ଜେଆଇଟିଏମ୍ କଲେଜର ମିଳିତ ଉଦ୍ୟମରେ ‘ସୁକୁନ’ ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଯାଇଛି। ଏଥିରେ ସ୍କୁଲ୍ ତଥା କଲେଜର ଛାତ୍ରଛାତ୍ରୀମାନେ ନୂଆ-ପୁରୁଣା ପୋଷାକ ଦାନ କରିବେ। ସେହି ପୋଷାକକୁ ଗରିବ ଲୋକଙ୍କୁ ଦାନ କରାଯିବ। ବଲାଙ୍ଗିର ବସ୍ ଟର୍ମିନାଲରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଚଞ୍ଚଳା ରାଣା ଯୋଗଦେଇଥିଲେ। ଏହାସହ କାର୍ଯ୍ୟକ୍ରମରେ ଅନ୍ୟ ଆକ୍ଟିଭିଟି ତଥା ସହରକୁ ଡ୍ରଗ୍ସ ଫ୍ରି କରିବା ପାଇଁ ଏକ ହ୍ୟୁମାନ ଚେନ୍ କରାଯାଇଥିଲା। କେବଳ ଏତିକି ନୁହେଁ, ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଉଡ଼ାଇଥିଲେ। ଏହି କାର୍ଯ୍ୟକ୍ରମ ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦାନଭାବ ବୃଦ୍ଧି ହେବ। ଏହାଦ୍ୱରା ସେମାନେ ଦୁଃଖୀ-ଗରିବଙ୍କ ସାହାଯ୍ୟ ମଧ୍ୟ କରିପାରିବେ। କଲେଜର ଏହି ନିଆରା ପ୍ରୟାସକୁ ଜିଲ୍ଲାପାଳଙ୍କ ସମେତ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ଏହି ଛୋଟ ପ୍ରୟାସ ଦ୍ୱାରା ଅନେକ ଗରିବ ଉପକୃତ ହେବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷେ ନୂଆ ପୋଷାକ ପାଇ ଗରିବମାନେ ବେଶ୍ ଖୁସି ଥିବା କହିଛନ୍ତି।

୯ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପୁଣିଥରେ ଦୁର୍ନୀତିଖୋର ଓ ଅପାରଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏଥର ୯ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୫ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୨ ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ସେହିପରି ଅନ୍ୟ ୨ଜଣ ଅଧିକାରୀଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅଧିକାରୀଙ୍କ ମଧ୍ୟରେ ଜଣେ ସୁପରିନ୍ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଜୁନିୟର ଇଞ୍ଜିନିୟର, ଜଣେ ଓଏଏସ୍ ଅଧିକାରୀ, ଜଣେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଓ ଏବଂ ଜଣେ ସାମାଜିକ ଶିକ୍ଷା ସଂଗଠକ ରହିଛନ୍ତି। ପୂର୍ବରୁ ମଧ୍ୟ ୧୬୪ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ଏବେ ଆଉ ୯ ଜଣଙ୍କ ବିରୋଧରେ ସମାନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ମିଶାଇ ଏଯାଏ ୧୭୩ ଜଣ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାରିଲେଣି। ବାଧ୍ୟତାମୂଳକ ଅବସର ଦିଆଯାଇଥିବା ୫ ଜଣ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ମାଲକାନଗିରିର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ଆଶିଷ କୁମାର ଦାଶ। କଣ୍ଟ୍ରାକ୍ଟରମାନଙ୍କ ଠାରୁ ବେଆଇନ ଭାବେ ସେ ୧୦.୨୩ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଘର ଉପରେ ଚଢଉ କଲା ପରେ ୮.୬୩ କୋଟି ଟଙ୍କାର ସଂପତ୍ତି ଓ ୧.୪ କୋଟି ଟଙ୍କାର ନଗଦ ଟଙ୍କା ଭିଜିଲାନ୍ସ ଠାବ କରିଥିଲା। ବେଆଇନ ଓ ଦୁର୍ନୀତି କାମ କରିଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହିପରି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଡନ-୧ର ପୂର୍ବତନ ଏକଜିକ୍ୟୁଟିଭ ଇଞ୍ଜିନିୟର ମାନସ ରଂଜନ ମହାନ୍ତିଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଏହାସହ ତାଙ୍କ ପାଖରୁ ୩,୯୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରାଯାଇଥିଲା। ତାଙ୍କ ବିରୁଦ୍ଧରେ ଦୁଇଟି ବିଭାଗୀୟ ତଦନ୍ତ ମଧ୍ୟ ଚାଲିଥିଲା। କଟକ ଗଣ୍ଡରପୁର ଡ୍ରେନେଜ୍ ଡିଭିଜନର ଏକଜିକ୍ୟୁଟିଭ ଇଞ୍ଜିନିୟର ହେଉଛନ୍ତି ମନୋଜ କୁମାର ବେହେରା। ସେ ଓ ତାଙ୍କ ପତ୍ନୀଙ୍କ ନାମରେ ୪.୨୬ କୋଟିରୁ ଅଧିକ ଟଙ୍କାର ଆୟବହିର୍ଭୁତ ସଂପତ୍ତି ରହିଥିବା ନେଇ ଅଭିଯୋଗ ପରେ ଭିଜିଲାନ୍ସରେ ମାମଲା ହୋଇଥିଲା। ଏଥିପାଇଁ ମନୋଜ ବେହେରାଙ୍କୁ ବାଧ୍ୟମୂଳକ ଅବସର ଦିଆଯାଇଛି। କେନ୍ଦୁଝର ଜିଲ୍ଲା ସାଳପଡ଼ା ସ୍ଥିତ ବୈତରଣୀ ଜଳସେଚନ ଡିଭିଜନର ଆସିସଷ୍ଟାଣ୍ଟ ଇଞ୍ଜିନିୟର ଉମେଶ କୁମାର ଶାଶିନୀଙ୍କ ବିରୁଦ୍ଧରେ ୧.୪୨ କୋଟିରୁ ଅଧିକ ଟଙ୍କାର ଆୟବହିର୍ଭୁତ ସଂପତ୍ତି ଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଉମରକୋଟ ସଡ଼କ ଓ କୋଠାବାଡ଼ି (R&B Section)ର ଆସିସଷ୍ଟାଣ୍ଟ ଇଞ୍ଜିନିୟର ବିଶୁଦ୍ଧାନନ୍ଦ ବେହେରାଙ୍କ ନାମରେ ନିମ୍ନମାନର କାମ କରିବାର ଅଭିଯୋଗ ଥିଲା। ଏହାସହିତ ତାଙ୍କ ଠାରୁ ୭୦.୯୩ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠାବ ହୋଇଥିଲା। ଏଥିପାଇଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ପାରଳାଖେମୁଣ୍ଡିର ଅବସରପ୍ରାପ୍ତ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ (CDVO) ଜଳଧର ମଲ୍ଲିକଙ୍କ ନାମରେ ଗୋଟିଏ ବଦଳି କେସରେ ୧୦ ହଜାର ଟଙ୍କାର ଲାଞ୍ଚ ନେବା ମାମଲା ରହିଥିଲା। ଏଥିପାଇଁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରେ ଡେପୁଟି କଲେକ୍ଟର ଥିବା ଓ ମୟୂରଭଂଜର ସାମାଖୁଣ୍ଟା ବ୍ଲକର ପୂର୍ବତନ ତହସିଲଦାର ଓଏଏସ ଅଧିକାରୀ ସବିତା ସାହୁ ୧୦ ହଜାର ଟଙ୍କାର ଲାଞ୍ଚ ନେଇ ଧରା ପଡ଼ିଥିଲେ। ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ବଲାଙ୍ଗୀର ଜିଲ୍ଲାର ପୂର୍ବତନ ସାମାଜିକ ଶିକ୍ଷା ସଂଗଠକ (Ex-SEO) ପ୍ରଭାସିନୀ ବାବୁ ସ୍ୱାମୀଙ୍କୁ ହରାଇଥିବା ଜଣେ ମହିଳାଙ୍କୁ ୨୦ ହଜାର ଟଙ୍କାର ସାମାଜିକ ସହାୟତା ପ୍ରଦାନ ପାଇଁ ୩୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ଏହି କାମ ପାଇଁ ତାଙ୍କୁ ମଧ୍ୟ ଚାକିରୀରୁ ବହିଷ୍କାର କରାଯାଇଛି। ଗଞ୍ଜାମ ଜିଲ୍ଲା ରୁରାଲ ୱାର୍କ୍ସ ଡିଭିଜନ-୨ର ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ପୂର୍ବତନ ଜୁନିୟର ଇଞ୍ଜିନିୟର ତ୍ରିନାଥ ସେଠୀ ୯ ହଜାର ଟଙ୍କା ଲାଞ୍ଚ ମାମଲାରେ ଦେଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିପାଇଁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ପେନସନକୁ ସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।

ପଞ୍ଚାୟତିରାଜ ସଚିବ ଅଶୋକ ମୀନାଙ୍କୁ ମିଳିଲା କେନ୍ଦ୍ରରେ ନିଯୁକ୍ତି, ଉଷାଙ୍କୁ ପଦୋନ୍ନତି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗତ ସପ୍ତାହରେ କେନ୍ଦ୍ରରୁ ଡେପୁଟେସନ ସମାପ୍ତ କରି ୨ଜଣ ଆଇଏଏସ୍ ଓଡ଼ିଶା ଫେରିବା ପରେ ଆଜି ରାଜ୍ୟ ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି। ଏହାସହିତ ଆଇଏଏସ୍ ଉଷା ପାଢ଼ୀଙ୍କୁ ମଧ୍ୟ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି ଆଜି ୧୯୯୩ ବ୍ୟାଚ୍ ଆଇଏଏସ୍ ତଥା ପଂଚାୟତିରାଜ ସଚିବ ଶ୍ରୀ ମୀନାଙ୍କୁ କେନ୍ଦ୍ର ସରକାରରେ ଅତିରିକ୍ତ ସଚିବ ପାହ୍ୟାରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ମୀନା ଅଗଷ୍ଟ ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ି ନିଜର ଏହି ନୂଆ ଦାୟିତ୍ୱ ସମ୍ଭାଳିବେ। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀଙ୍କୁ ଯୁଗ୍ମ ସଚିବରୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଶ୍ରୀମତୀ ପାଢ଼ୀ ଏବେ କେନ୍ଦ୍ର ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଆଇଏଏସ୍ ସ୍ୱାମୀ ଅରବିନ୍ଦ ପାଢ଼ୀ ଓଡ଼ିଶା ଫେରି ରାଜ୍ୟ କୃଷି ସଚିବ ଦାୟିତ୍ୱ ତୁଲାଉ ଥିବାରୁ ଶ୍ରୀମତୀ ପାଢ଼ୀ ମଧ୍ୟ ଓଡ଼ିଶା ଫେରିବେ ବୋଲି ଚର୍ଚ୍ଚା ହେଉଛି। ମାତ୍ର ଆଜିର ପଦୋନ୍ନତି ପରେ ତାଙ୍କ ଓଡ଼ିଶା ଫେରିବା ଚିତ୍ର ଅସ୍ପଷ୍ଟ ରହିଛି। ସେହିପରି, ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ସଚିବ ୧୯୯୭ ବ୍ୟାଚ୍ ଆଇଏଫଏସ୍ ଆର ରଘୁପ୍ରସାଦଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଥିବାରୁ ସେ ଗତ ସପ୍ତାହରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଓ ତାଙ୍କ ପତ୍ନୀ ଆଇଏଏସ୍ ରଞ୍ଜନା ଚୋପ୍ରା ଓ ଅର୍ଥ ସଚିବ ବିଶାଳ ଦେବ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯିବାର ସମ୍ଭାବନା ରହିଛି । ତେବେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆର କେ ଶର୍ମା ଅସୁସ୍ଥ ଥିବାରୁ ଏବେ ସରକାରୀ କାର୍ଯ୍ୟରେ ଯୋଗ ଦେବା ସମ୍ଭାବନା କ୍ଷୀଣ ଥିବାବେଳେ ତାଙ୍କ ପତ୍ନୀ ଆଇଏଏସ୍ ମୋନା ଶର୍ମା ସ୍ୱେଚ୍ଛାକୃତ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ଶ୍ରୀମତୀ ଶର୍ମା ଏବେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି ଓ ସେ ୨୦୨୩ ମାର୍ଚ୍ଚରେ ସରକାରୀ ଚାକିରୀରୁ ଅବସର ନେବେ। ତେଣୁ ଅଧିକ ସଂଖ୍ୟକ ଆଇଏଏସଙ୍କୁ କେନ୍ଦ୍ରକୁ ଡେପୁଟେସନରେ ଯିବାପାଇଁ ରାଜ୍ୟ ସରକାର ଅନୁମତି ଦେଇ ନପାରନ୍ତି ବୋଲି ଚର୍ଚ୍ଚା। ସୂଚନାଯୋଗ୍ୟ,ଓଡ଼ିଶା କ୍ୟାଡ଼ରର ୨ଜଣ ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀ ଓ ଏସ୍ ଅଶ୍ୱଥି ଓଡ଼ିଶା ଫେରିବା ପରେ ରାଜ୍ୟ ସରକାର ତାଙ୍କୁ ଯଥାକ୍ରମେ କୃଷି ସଚିବ ଓ ସ୍କୁଲ ଓ ଗଣଶିକ୍ଷା ସଚିବ ଭାବେ ଅବସ୍ଥାପିତ କରିଛନ୍ତି।

ସରପଞ୍ଚ ସାଜିଲେ ଗଣିତ ଶିକ୍ଷକ, ବୁଝାଇଲେ ଜ୍ୟାମିତିର ଜଟିଳ ସୂତ୍ର…!

ଏଥର ସମ୍ଭାଳ ବ୍ୟୁରୋ(ବାସୁଦେବପୁର)- ସରପଞ୍ଚ ସାଜିଲେ ଗଣିତ ଶିକ୍ଷକ । ପିଲାଙ୍କ ଭଲମନ୍ଦ ବୁଝିବାକୁ ବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ସରପଞ୍ଚ ଗଣିତ ଶିକ୍ଷକ ନ ଥିବା ଜାଣି ନିଜେ ଧରିଲେ ଚକ । କଳାପଟାରେ କଷିଲେ ଅଙ୍କ ଆଉ ପିଲାଙ୍କୁ ବୁଝାଇଲେ ଜ୍ୟାମିତିର ଜଟିଳ ସୂତ୍ର ।  ଆଜିକାଲି ସରପଞ୍ଚ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ଶୁଣିବାକୁ ମିଳୁଥିବା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତରେ କିନ୍ତୁ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଏହି ପଞ୍ଚାୟତର ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ମଲିକ ଶିକ୍ଷକ  ସାଜି ଜଟିଳ ଜ୍ୟାମିତିର ସୂତ୍ରକୁ ବେଶ୍‌ ସରଳ ଭାବରେ ବୁଝାଇପାରୁଛନ୍ତି। ଫଳରେ ଚାରିଆଡ଼ୁ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ । ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ମଲିକ ପଞ୍ଚାୟତରେ ବୁଲୁଥିବା ବେଳେ ଜଗବନ୍ଧୁ ସରକାରୀ ବିଦ୍ୟାପୀଠକୁ ପରିଦର୍ଶନ କରିବାକୁ ଯାଇଥିଲେ । ବିଦ୍ୟାଳୟରେ ପିଲାଙ୍କ ସହ କଥା ହେବା ସହ  ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ପରେ ବିଦ୍ୟାଳୟରେ ଗଣିତ ଶିକ୍ଷକଙ୍କ ଅଭାବ ରହିଛି ବୋଲି ଜାଣିବାକୁ ପାଇଥିଲେ । ନବମ, ଦଶମ ପିଲ  ଭଲ ଭାବେ ଗଣିତ ଜ୍ଞାନ ହାସଲ ନ କଲେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ହେବ ଭାବି ଖୋଦ ସରପଞ୍ଚ ଶିକ୍ଷକ ପାଲଟିଗଲେ।  ଆଉ ତା’ ପରେ ପିଲାଙ୍କୁ ଜ୍ୟାମିତିର ଜଟିଳ ସୂତ୍ର ସରଳ ଭାଷାରେ ବୁଝାଇଲେ । କେବଳ ଏହି ବିଦ୍ୟାଳୟ ନୁହଁ, ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟକୁ ନିୟମିତ ପରିଦର୍ଶନରେ ଯାଇଥାନ୍ତି ସରପଞ୍ଚ ଗୋବିନ୍ଦ । ସେଠାରେ ପିଲାଙ୍କ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସୁବିଧାଅସୁବିଧା ବି ବୁଝିଥାନ୍ତି।  ବିଜ୍ଞାନରେ ସ୍ନାତକ କରିଥିବା ଗୋବିନ୍ଦ ବରଣ୍ଡୁଆ ପଞ୍ଚାୟତରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି l ଏନେଇ ସରପଞ୍ଚ ଗୋବିନ୍ଦ କହିଛନ୍ତି, ମୁଁ ସ୍କୁଲର ଭଲମନ୍ଦ ବୁଝିବାକୁ ଆସି ଗଣିତ ଶିକ୍ଷକ ଅଭାବ ଥିବା ଜାଣିବାକୁ ପାଇଲି। ତେଣୁ ପିଲାଙ୍କୁ ଜ୍ୟାମିତ ଓ ବୀଜଗଣିତ ପଢ଼ାଇଲି। ମୁଁ ଏହି ସ୍କୁଲରେ ପଢ଼ିକି ଯାଇଥିବା ବେଳେ ଏବେ ଏହି ପିଲାଙ୍କୁ ପଢ଼ାଇ ବେଶ୍‌ ଖୁସି ଲାଗୁଛି।  ଶିକ୍ଷାର ଯେ ମହତ୍ତ୍ୱ ଜାଣିଛି, ସେ ପିଲାଙ୍କୁ ପଢ଼ାଇପାରିବ । ଏହାଦ୍ୱାରା କେବେ କାହାର ଅମଙ୍ଗଳ ହେବ ନାହିଁ । ପିଲାଙ୍କୁ ପଢ଼ାଇ ବେଶ୍‌ ଖୁସି ଓ ଶାନ୍ତି ଲାଗୁଛି। ଆମ ଗଣିତ ଶିକ୍ଷକଙ୍କ ବଦଳି ହୋଇଯିବାରୁ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ସରପଞ୍ଚ ସାର୍‌ ଆମ କଥା ବୁଝିବାକୁ ଆସିଥିବା ବେଳେ ସେ ଆମ ସମସ୍ୟା ଜାଣିଲେ। ଜଟିଳ ଗଣିତକୁ ସେ ବେଶ୍‌ ସରଳ ଭାବେ ବୁଝାଇପାରୁ  ଥିବାରୁ ଆମେ ବେଶ୍‌ ଖୁସି ଅଛୁ ବୋଲି କହିଛନ୍ତି ଛାତ୍ରଛାତ୍ରୀ।